ମୃତ୍ୟୁ ସମୀପ ଅନୁଭୂତି

ମନ ପରିଭାଷା - ଫକୀର ମୋହନ ସାହୁ

ରେମଣ୍ତ ମୁଡ଼ି ନାମକ ଜଣେ ଚିକିତ୍ସକ ୧୯୭୫ ମସିହାରେ ‘ଜନ୍ମ ପରେ ଜନ୍ମ’ (Life after life) ଶୀର୍ଷକ ଏକ ପୁସ୍ତକ ରଚନା କରି ଚହଳ ସୃଷ୍ଟି କରିଥିଲେ। ଜୀବନ ପାଇଁ ମୃତ୍ୟୁ ସହିତ ସ˚ଗ୍ରାମ କରୁଥିବା ଏବ˚ ମୃତ୍ୟୁର ଖୁବ୍‌ ନିକଟବର୍ତ୍ତୀ ହୋଇଥିବା କେତେ ଶହ ବ୍ୟକ୍ତିଙ୍କ ଅନୁଭବକୁ ଆଧାର କରି ଏହି ପୁସ୍ତକଟି ରଚିତ ହୋଇଥିଲା। ପରେ ପରେ ଏଥିରୁ ଅନ୍ତର୍ପ୍ରେରଣା ଲାଭ କରି କେତେକ ମନସ୍ତତ୍ତ୍ବବିତ୍‌ ମୃତ୍ୟୁ-ସମୀପ ଅନୁଭବ (Near-Death Experience ବା NDE) ଉପରେ ଗବେଷଣା ଆରମ୍ଭ କଲେ। ଏବେ ମଧ୍ୟ ଏ ସମ୍ପର୍କିତ ଗବେଷଣା ଚାଲିଥିଲେ ବି ତାହା ମନୋବିଜ୍ଞାନର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିନାହିଁ। କାରଣ ଏହି ସବୁ ଲେଖାରେ କାଳ୍ପନିକତା ଥିବାର ମଧ୍ୟ ସନ୍ଦେହ ହୋଇଥାଏ।

ମରଣାପନ୍ନ ବା ମୃତ୍ୟୁର ଦ୍ବାର ଦେଶରେ ଥିବା ବ୍ୟକ୍ତିମାନେ କେତେକ ବିଚିତ୍ର ଅନୁଭବର ଅଧିକାରୀ ହୋଇ ପାରନ୍ତି। ପରେ ସେମାନେ ଭଲ ହୋଇଯିବା ପରେ ଶରୀରକୁ ଛାଡ଼ି ଉପରକୁ ଯାଇ ଉପରୁ ନିଜର ଅସାଡ଼ ଶରୀରକୁ ଦେଖିଥିବା କଥା କହନ୍ତି। ଏପରି ଶରୀର-ଭିନ୍ନ ଅନୁଭୂତି ବା ‘ଆଉଟ୍‌ ଅଫ୍ ବଡି ଏକ୍‌ସପେରିଏନ୍‌ସ’ ଭାବେ ପରିଚିତ। ସେହିଭଳି ଏକ ଅନ୍ଧକାର ସୁଡ଼ଙ୍ଗ ଦେଇ ଗତି କରିବା ଏବ˚ ଶେଷରେ ଏକ ଦୀପ୍ତିମନ୍ତ ପୁରୁଷଙ୍କ ସାକ୍ଷାତ ପାଇବାର ଅନୁଭୂତି ମଧ୍ୟ କେତେକ ମୃତ୍ୟୁ ସମୀପବର୍ତ୍ତୀଙ୍କ ଦ୍ବାରା ଲିପିବଦ୍ଧ କରାଯାଇଛି। ତେବେ ବ୍ୟକ୍ତିବିଶେଷ ଆଧାରରେ ଭିନ୍ନ ଭିନ୍ନ ଅନୁଭୂତି ବର୍ଣ୍ଣିତ ରହିଛି।

ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁ ନିକଟବର୍ତ୍ତୀ ହୋଇଥିବା କେତେକ ରୋଗୀଙ୍କୁ ପଚରା ଯାଇ ସେମାନଙ୍କ ଅନୁଭୂତିର ଏକ ନକ୍‌ସା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଅନୁଭୂତିରେ ପାଞ୍ଚଟି ସୋପାନ ଥାଏ। ପ୍ରଥମେ ଏକ ଶାନ୍ତ ଓ ସୁଖକର ଅନୁଭବ। ଦ୍ବିତୀୟଟିରେ ବ୍ୟକ୍ତି ନିଜର ଭୌତିକ ଶରୀରଠାରୁ ବିଚ୍ଛିନ୍ନ ହେବାର ଅନୁଭୂତି ଲାଭ କରେ। ତୃତୀୟ ସୋପାନରେ ସେ ଏକ ଅନ୍ଧକାର ସୁଡ଼ଙ୍ଗ ମଧ୍ୟ ଦେଇ ଗତି କରିବାର ଅନୁଭୂତି ପାଏ। ଚତୁର୍ଥ ସୋପାନରେ ଉଜ୍ଜ୍ବଳ ଆଲୋକର ସମ୍ମୁଖୀନ ହୋଇ ଏବ˚ ଶେଷରେ ସେହି ଆଲୋକର ମାର୍ଗରେ ଗତି କରି ଅନ୍ୟ ଏକ ରାଜ୍ୟରେ ପ୍ରବେଶ କରେ। ଯଦି ମୃତ୍ୟୁସମୀପ ଅନୁଭୂତିକୁ ନେଇ ଏଥିରୁ ଏକ ଧାରଣା ସୃଷ୍ଟି କରିବାର ପ୍ରଯତ୍ନ କରିବା, ତେବେ ତାହା ଯେ ମୋଟାମୋଟି ସକାରାତ୍ମକ ତହିଁରେ ସନ୍ଦେହ ନାହିଁ। ଅବଶ୍ୟ ଏପରି ଦୃଶ୍ୟପଟରେ ସମାଜ ଓ ସ˚ସ୍କୃତିର ପ୍ରଭାବ ମଧ୍ୟ ଥାଏ। ଉଦାହରଣ ସ୍ବରୂପ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକମାନେ ସୁଡ଼ଙ୍ଗ ପାର ହେବା ପରେ ଯୀଶୁଖ୍ରୀଷ୍ଟଙ୍କ ଦର୍ଶନ ପାଉଥିବା ସ୍ଥଳେ ହିନ୍ଦୁମାନଙ୍କ କ୍ଷେତ୍ରରେ ବିଷ୍ଣୁଲୋକ କିମ୍ବା ଶିବଲୋକ ଦୃଶ୍ୟମାନ ହୁଅନ୍ତି।

ବର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନଟି ହେଉଛି ବିଚିତ୍ର ଅନୁଭବର ଅନ୍ତରାଳରେ ସକ୍ରିୟ ଥିବା ମନସ୍ତାତ୍ତ୍ବିକ ଓ ବୈଜ୍ଞାନିକ କାରଣଟି କ’ଣ? ତେବେ ଏ ଦିଗରେ ଗବେଷଣା ବେଶୀ ଦିନର ନୁହେଁ। ପୁଣି ବିଶ୍ଳେଷଣରେ ଏହାର ବହୁ ଅ˚ଶ ବୈଜ୍ଞାନିକଙ୍କ ସ୍ବୀକୃତି ଲାଭ କରିନାହିଁ। ତେବେ, କେତେକ ମନୋବିଜ୍ଞାନୀଙ୍କ ମତରେ ଜୀବନ-ରକ୍ଷା ପାଇଁ ସ˚ଘର୍ଷ କରୁଥିବା ଲୋକମାନଙ୍କ ପ୍ରତ୍ୟାଶା(Expectation)ର ରୂପାୟନ ହିଁ ସେଭଳି ଦୃଶ୍ୟପଟର କାରଣ। ମଣିଷର ପୂରଣ ହୋଇ ନ ଥିବା କାମନା-ବାସନା ଇତ୍ୟାଦି ଛବିଳ ରୂପ ନେଇ ସ୍ବପ୍ନରେ ଆସିଲା ପରି ଏ ଦୃଶ୍ୟମାନ ଦେଖାଯାଏ। ଅନ୍ୟ କେତେକ ବିଶେଷଜ୍ଞ ଏହାକୁ ଚିକିତ୍ସା‌ ଲାଗି ଦିଆଯାଉଥିବା ଔଷଧର ପ୍ରଭାବ ବୋଲି କହିଥାଆନ୍ତି। ଆମ ଶରୀରରେ ଥିବା ହରମୋନ ଭିତରେ ଏଣ୍ତ୍ରୋର୍ଫିନ୍‌ସ୍‌ ନାମକ ହରମୋନ କେବଳ କ୍ଳାନ୍ତି ହରଣ କରେ ନାହିଁ, ଏହା ମଧ୍ୟ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରେ। ଗଭୀର ମାନସିକ ଚାପ ଦେଇ ଯାଉଥିବା ସମୟରେ ଏହାର ମାତ୍ରାଧିକ କ୍ଷରଣର ସମ୍ଭାବନା ରହିଛି, ଯାହା ମଧ୍ୟ ଏଭଳି ଦୃଶ୍ୟପଟ ସୃଷ୍ଟିର କାରଣ ହୋଇପାରେ। ତେବେ, ଏ ନେଇ ସର୍ବାଧିକ ସମ୍ଭାବ୍ୟ କାରଣଟି ସ୍ନାୟୁଭିତ୍ତିକ। ସ୍ନାୟୁବିଜ୍ଞାନୀମାନେ କହନ୍ତି ଯେ ମସ୍ତିଷ୍କର ‘ଟେଂପୋରାଲ ଲୋବ୍‌’ ସକ୍ରିୟ ହେଲେ ଅତୀତର ସ୍ମୃତି-ଦୃଶ୍ୟପଟ, ବିଚିତ୍ର ଦୃଶ୍ୟ ଓ ଶ୍ରାବ୍ୟ ଉଦ୍ଦୀପନା ଏବ˚ ଆବେଗଜନିତ (Emotion) ଦୃଶ୍ୟ ଅନୁଭବର ପରିସରକୁ ଚାଲିଆସେ। ଏହି ଲୋବ୍‌ଟିକୁ କୃତ୍ରିମ ଉପାୟରେ ଉଦ୍ଦୀପିତ କରି ମନୁଷ୍ୟ ଅନୁଭବର ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରାଯାଇଛି। ତେଣୁ ଏହି ଲୋବ୍‌ର ସକ୍ରିୟତା ସହିତ ସେଭଳି ଦୃଶ୍ୟର ସଂପର୍କ ଅଛି ବୋଲି ସ୍ନାୟୁ ବିଜ୍ଞାନୀମାନେ କହନ୍ତି।

ତେବେ, କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହାର ଅଧିକ ଗବେଷଣା ଜୀବନର ଅପର ପାର୍ଶ୍ବକୁ ଝରକା ଖୋଲିଦେବ, ଯେଉଁଠି ସଂପୂର୍ଣ୍ଣ ରହସ୍ୟମୟ ମୃତ୍ୟୁ ବିରାଜମାନ କରିଥାଏ।

ରିସର୍ଚ୍ଚ ପ୍ରଫେସର‌୍‌
ଜାଭିୟର ବିଶ୍ବବିଦ୍ୟାଳୟ
ଭୁବନେଶ୍ବର-୧୩

ସମ୍ବନ୍ଧିତ ଖବର