କାରଖାନା ସ୍କୁଲ ନ ରହୁ

ସରଳ ବିଚାର - ସରଳ କୁମାର ଦାସ

ଓଡ଼ିଶାରେ ୨୦୨୩ ଜାନୁଆରିରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ୱ ନୃତାତ୍ତ୍ୱିକ କଂଗ୍ରେସ’ (ୱାକ)ର ଅନ୍ୟତମ ଆମନ୍ତ୍ରକ (ହୋଷ୍ଟ) ଭାବେ ରାଜ୍ୟର ଏକ ଆଦିବାସୀ ଶିକ୍ଷାନୁଷ୍ଠାନ ମନୋନୀତ ହୋଇଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଅଧିକ ଆଦିବାସୀ ସଂଗଠନ ଓ ନେତାଙ୍କ ପ୍ରବଳ ବିରୋଧ ପରେ ଆୟୋଜକ ‘ଆଇ.ୟୁ.ଏ.ଇ.ଏସ୍‌.’ଙ୍କ ଦ୍ୱାରା ଅନୁଷ୍ଠାନଟିକୁ ଆମନ୍ତ୍ରକଙ୍କ ତାଲିକାରୁ ବାଦ ଦିଆଯାଇଛି। ଏହି ବିରୋଧର ମୁଖ୍ୟ କାରଣ ଥିଲା ଅନୁଷ୍ଠାନଟିରେ ଥିବା କାରଖାନା ସ୍କୁଲ (ଫ୍ୟାକ୍ଟରି ସ୍କୁଲ) ବ୍ୟବସ୍ଥା। ସପ୍ତଦଶ ଶତାବ୍ଦୀରେ ପ୍ରଥମେ ଖ୍ରୀଷ୍ଟିଆନ ମିସନାରିଙ୍କ ଦ୍ୱାରା ଆମେରିକାରେ କାରଖାନା ସ୍କୁଲ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଶିଳ୍ପ ବିପ୍ଳବ କାଳରେ ଏହା କାନାଡା, ଅଷ୍ଟ୍ରେଲିଆ, ଆମେରିକା ସମେତ ଅନେକ ଦେଶରେ ପ୍ରସାର ଲାଭ କରିଥିଲା। ପ୍ରଥମେ ଶିଳ୍ପ ପାଇଁ ଦକ୍ଷ ଶ୍ରମିକ ସ଼ୃଷ୍ଟି କରିବା ଏହି ସ୍କୁଲଗୁଡ଼ିକର ଉଦ୍ଦେଶ୍ୟ ଥିଲା। ତେବେ, ଏହି କାରଖାନା ସ୍କୁଲ ବ୍ୟବସ୍ଥା ସରକାରୀ ଭାବେ ପ୍ରଥମେ ଊନବିଂଶ ଶତାବ୍ଦୀରେ ପ୍ରୁସିଆରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉପନିବେଶବାଦୀଙ୍କ ମଧ୍ୟରେ ଆଦର ଲାଭ କରି ବିଭିନ୍ନ ଉପନିବେଶରେ କାୟା ବିସ୍ତାର କରିଥିଲା।

ସେ ଯାହାହେଉ, ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କାରଖାନା ସ୍କୁଲ ବ୍ୟବସ୍ଥାର ସଂପ୍ରସାରଣ ହୋଇଥିଲା। ଅନେକ ଦେଶରେ ଧର୍ମାନ୍ତରୀକରଣ ଏହାର ଉଦ୍ଦେଶ୍ୟ ହୋଇଥିବା ବେଳେ କେତେକରେ ଉଦ୍ଦେଶ୍ୟ ଥିଲା ଜଙ୍ଗଲ ଓ ଖଣିଜ ସମ୍ପଦକୁ ହାତେଇବା। ଇଣ୍ଡୋନେସିଆ ସରକାର ତ ପଶ୍ଚିମ ପପୁଆରେ ଜାତୀୟତାବାଦୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ସେଠାରେ ଏହି ସ୍କୁଲ ବ୍ୟବସ୍ଥାର ପ୍ରଚଳନ କରିଥିଲେ। ଏଥି ଯୋଗୁ କାନାଡା, ଅଷ୍ଟ୍ରେଲିଆର ସ୍ଥାନୀୟ ଅଧିବାସୀ ଓ ଆଦିବାସୀଙ୍କର ପ୍ରଭୂତ କ୍ଷତି ସାଧିତ ହୋଇଛି; ଯାହା ଜଣା ପଡ଼ିବା ପରେ ଏହା ବିରୋଧରେ ସ୍ୱର ଉତ୍ତୋଳନ ହେବାକୁ ଲାଗିଲା। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୨୦ ଲକ୍ଷ ଆଦିବାସୀ ପିଲା କାରଖାନା ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଭାରତରେ ଏହି ସଂଖ୍ୟା ପ୍ରାୟ ଦଶ ଲକ୍ଷ। ଭାରତରେ ଆଦିବାସୀ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାକୁ କାରଖାନା ସ୍କୁଲ ବ୍ୟବସ୍ଥା କହି ହେବ ନାହିଁ ବୋଲି କେହି କେହି ଯୁକ୍ତି କରିଥାଆନ୍ତି। ସୁତରାଂ, କାରଖାନା ସ୍କୁଲ ବ୍ୟବସ୍ଥାର ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି।

ପ୍ରଖ୍ୟାତ ଆମେରିକୀୟ ଲେଖକ ଅଲୱିନ ଟଫଲରଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଫ୍ୟୁଚର ସକ୍’ (୧୯୭୦)ରେ କାରଖାନା ସ୍କୁଲକୁ ପରିଭାଷିତ କରି ଯାହା ଲେଖା ହୋଇଛି ତା’ର ଓଡ଼ିଆ ଅନୁବାଦ କିଛିଟା ଏହିପରି- ‘ଛାତ୍ର ରୂପକ କଞ୍ଚାମାଲକୁ ସ୍କୁଲ ରୂପକ କାରଖାନାକୁ ଆଣି ଶିକ୍ଷକ ରୂପୀ ଶ୍ରମିକମାନଙ୍କ ଦ୍ୱାରା ପ୍ରକ୍ରିୟାକରଣ କରିବାର ପରିକଳ୍ପନାଟି କେବଳ ଔଦ୍ୟୋଗିକ ପ୍ରତିଭାମାନଙ୍କ କଳ୍ପନା ପ୍ରସୂତ ହୋଇପାରେ।’ ପରବର୍ତ୍ତୀ ସମୟରେ କାରଖାନା ସ୍କୁଲରୁ ବାହାରୁଥିବା ଛାତ୍ର ଶିଳ୍ପରେ ନିୟୋଜିତ ହେଉଥିବାରୁ ଶିଳ୍ପର ସମସ୍ତ ଗୁଣ- ଯେପରି ସମୟାନୁବର୍ତ୍ତିତା, ନିରଳସ ଭାବ, ବାରମ୍ବାର ଏକ ପୁନରାବୃତ୍ତିମୂଳକ କାର୍ଯ୍ୟକୁ ବୀତସ୍ପୃହ ନ ହୋଇ କରି ଚାଲିବା ଇତ୍ୟାଦିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହା ଦ୍ବାରା ସଂପୃକ୍ତ ଛାତ୍ରମାନେ ନିଜ କଳ୍ପନାର ଡେଣାକୁ ମେଲାଇବାର ଆକାଂକ୍ଷା ଓ କ୍ଷମତା ହରାନ୍ତି ଓ ଶିଳ୍ପ ଚାହୁଁଥିବା ମୁତାବକ ଆଦର୍ଶ ଶ୍ରମିକରେ ପରିଣତ ହୋଇ ଥାଆନ୍ତି। ଶିଳ୍ପର ଏହି ଆବଶ୍ୟକତାକୁ ପୂରଣ କରିବା ଅନେକ କାରଖାନା ସ୍କୁଲଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବାରୁ କ୍ରମେ ନିଯୁକ୍ତି ଯୋଗ୍ୟତା ସୃଷ୍ଟି ହିଁ ମୁଖ୍ୟସ୍ରୋତ ଶିକ୍ଷା ବ୍ୟବସ୍ଥାର ଉଦ୍ଦେଶ୍ୟ ପାଲଟିଗଲା। ତେବେ, ଏଭଳି ବ୍ୟବସ୍ଥା ଦ୍ବାରା ଆଦିବାସୀ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଆଣି ସେମାନଙ୍କୁ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରାଯାଉଛି ବୋଲି କୁହାଯାଉଛି। କିନ୍ତୁ ଅନେକ କ୍ଷେତ୍ରରେ ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ ବୋଲି ଦେଖିବାକୁ ମିଳିଥାଏ। ଘର ଠାରୁ ଦୂରରେ ଥିବା ଆବାସିକ ବିଦ୍ୟାଳୟରେ ପଢ଼ିବା ଲାଗି ଆସୁଥିବା ପିଲାମାନେ ସେମାନଙ୍କ ନିଜ ସମାଜର ପାରମ୍ପରିକ ଜ୍ଞାନ, କୌଶଳ ଓ ନିଜ ପରିବେଶ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବାରୁ ବଞ୍ଚିତ ହୁଅନ୍ତି। କୁହାଯାଏ, ବଣ୍ଡା ଘାଟିରେ ସାନ ପିଲାଟିଏ ପାହାଡ଼ ଉପରୁ ପଥରଟିଏ ଗଡ଼ାଇ ତାକୁ ଲକ୍ଷ୍ୟ କରି ଶର ବିନ୍ଧିଥାଏ। ଏହା ସେ ତା’ ପରିବେଶରେ ଅନ୍ୟମାନଙ୍କୁ ଦେଖି ଏଇଟିକୁ ଶିଖିଥାଏ। କିନ୍ତୁ ଦୂର ଆବାସିକ ସ୍କୁଲରେ ପଢ଼ି ସେ ଉପରୋକ୍ତ ଦକ୍ଷତା ହାସଲରୁ ବଞ୍ଚିତ ରହେ। ବିଶ୍ୱର ପ୍ରାୟ ୪୦% ଶିଶୁଙ୍କୁ ସେମାନଙ୍କ ମାତୃଭାଷା ବା ସେମାନେ ବୁଝୁଥିବା ଭାଷାରେ ଶିକ୍ଷା ପ୍ରଦାନ କରାଯାଇ ନ ଥାଏ। ନିଜ ପରିବେଶରୁ ବିଚ୍ଛିନ୍ନ ହୋଇ ଆବାସିକ ବିଦ୍ୟାଳୟମାନଙ୍କରେ ମାତୃଭାଷା ଭିନ୍ନ ଅନ୍ୟ ଭାଷାରେ ଶିକ୍ଷା ଗ୍ରହଣ କରୁଥିବା ଆଦିବାସୀ ଶିଶୁମାନେ ହିଁ ଏହି ଅନ୍ୟାୟର ସବୁଠାରୁ ଅଧିକ ଶିକାର ହୋଇ ଥାଆନ୍ତି। ଏହା ଦ୍ବାରା ଆଦିବାସୀଙ୍କ ସାମାଜିକ, ସାଂସ୍କୃତିକ ପରିବେଶକୁ ଅନେକ କ୍ଷତି ପହଞ୍ଚାଯାଇ ସାରିଲାଣି। ଏହା ପଣ୍ଡିତ ଜୱହରଲାଲ ନେହରୁଙ୍କ ଦ୍ୱାରା ୧୯୫୨ରେ ଘୋଷିତ ‘ଆଦିବାସୀ ପଞ୍ଚଶୀଳ’ ଭାବେ ଜଣା ଦେଶର ପାଞ୍ଚଟି ଆଦିବାସୀ ନୀତିର ବିରୋଧାଚରଣ କରୁଛି; ଯେଉଁଥିରେ ଆଦିବାସୀଙ୍କ ଉପରେ କିଛି ଲଦି ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ମାତୃଭାଷାରେ ଶିକ୍ଷାଦାନ ତ ଦୂରର କଥା; ଆବାସିକ ବିଦ୍ୟାଳୟଗୁଡ଼ିକ‌େର ଆଦିବାସୀ ଶିକ୍ଷକଙ୍କ ଅନୁପାତ ମଧ୍ୟ ନଗଣ୍ୟ। ଅନେକ ଏହି ଭଳି ସ୍କୁଲରେ ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତା କରିବାକୁ ବି ବାରଣ କରାଯାଇଥାଏ। ବରଂ ଆଦିବାସୀଙ୍କ ଜୀବନଶୈଳୀ, ବିଶ୍ୱାସ ପ୍ରତି ଆକ୍ଷେପ କରି ପିଲାଙ୍କଠାରେ ହୀନମନ୍ୟତା ସୃଷ୍ଟି କରିବାର ଉଦ୍ୟମ କରାଯାଉଥିବାର ଅଭିଯୋଗ ମିଳିଥାଏ। ଅନେକ ଏଭଳି ସ୍କୁଲରେ ଆଦିବାସୀମାନଙ୍କ ପର୍ବପର୍ବାଣିର ପାଳନ କରାଯାଇ ନ ଥାଏ ବା ଅନ୍ତେବାସୀମାନଙ୍କୁ ସେମାନଙ୍କ ଘରକୁ ଛଡ଼ା ଯାଇ ନ ଥାଏ। ଏହା ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ମୁଖ୍ୟସ୍ରୋତରେ ସାମିଲ ହେବା ପ୍ରକ୍ରିୟାରେ ନିଜ ନୃତାତ୍ତ୍ବିକ ସ୍ବାତନ୍ତ୍ରୢ ହରାଇ ଥାଆନ୍ତି।

ଦେଖାଯାଇଛି ଯେ ଅଧିକାଂଶ ଘରୋଇ କାରଖାନା ସ୍କୁଲର ପ୍ରମୁଖ ପୃଷ୍ଠପୋଷକ ହେଉଛନ୍ତି ବଡ଼ ବଡ଼ କର୍ପୋରେଟ୍‌ ହାଉସ୍‌, ବିଶେଷ କରି ଖଣିଜସମ୍ପଦ-ନିର୍ଭର କମ୍ପାନି। ଆଦିବାସୀ ସମାଜରେ ସେମାନଙ୍କ ଆଦିବାସୀ ବିରୋଧୀ ଛବିକୁ ସୁଧାରିବାକୁ ସ୍ଥଳ ବିଶେଷରେ ସେମାନେ କାରଖାନା ସ୍କୁଲ ସ୍ଥାପନ କରିବାର ସହଜ ରାସ୍ତାଟିକୁ ବାଛି ନିଅନ୍ତି। ବିଭିନ୍ନ କାରଖାନା ସ୍କୁଲକୁ ପାଣ୍ଠି ପ୍ରଦାନକୁ ସେହି କଂପାନିଗୁଡ଼ିକ ଏକ ଦୀର୍ଘ ମିଆଦୀ ବିନିଯୋଗ ବୋଲି ବିଚାର କରିଥାଆନ୍ତି। ସମସ୍ତଙ୍କୁ ଜଣା ଯେ ଆଦିବାସୀ ଜୀବନ ଜଙ୍ଗଲ-ନିର୍ଭର। କିନ୍ତୁ କହିବା ବାହୁଲ୍ୟ ଯେ କାରଖାନା ସ୍କୁଲ ଭାବେ ଗଢ଼ି ଉଠିଥିବା ଆବାସିକ ବିଦ୍ୟାଳୟ ଫେରନ୍ତା ଆଦିବାସୀ ଯୁବକଯୁବତୀମାନେ ସେମାନଙ୍କ ମୂଳ ପରିବେଶରେ ଜିଇବାର କଳା ଓ କୌଶଳ ହରାଇ ବସୁଛନ୍ତି। ଅଭିଯୋଗ ହୋଇଥାଏ ଯେ ସେହି କାରଣରୁ ଅଧିକାଂଶ ଏଭଳି ସ୍କୁଲ ପିଲାମାନଙ୍କୁ ଆଦିବାସୀଙ୍କ ସାମ୍ୱିଧାନିକ ଅଧିକାର ଓ ଜଙ୍ଗଲ ଅଧିକାର ଭଳି ଆଇନ ସମ୍ପର୍କରେ ସଚେତନ କରିବାକୁ ପ୍ରସ୍ତୁତ ହୋଇ ନ ଥାଆନ୍ତି। ଅନ୍ୟ ପକ୍ଷରେ ସେଭଳି ବିଦ୍ୟାଳୟ‌େର ପିଲାଟିଏର ପାଠପଢ଼ାରୁ ଆରମ୍ଭ କରି ସବୁ କିଛି ମାଗଣା ହୋଇଥିବାରୁ ସେ ଏତେ ଅଧିକ ଅନୁଗୃହୀତ ବୋଲି ମନେ କରେ ଯେ ଏଭଳି ବିଦ୍ୟାଳୟ ବ୍ୟବସ୍ଥା ତା’ ମନରେ ଭାବାନ୍ତର ସୃଷ୍ଟି କଲେ ସୁଦ୍ଧା ପ୍ରତିବାଦ କରିବାକୁ ସେ ସାହସ କରି ନ ଥାଏ, ଯାହା ବଡ଼ ହେବା ପର୍ଯ୍ୟନ୍ତ ଜାରି ରହିଥାଏ।

ଭାରତରେ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖି ଗାନ୍ଧୀଜୀଙ୍କ ସହଯୋଗୀ ଠକ୍କରବାପା ଆଶ୍ରମ ସ୍କୁଲମାନ ପ୍ରତିଷ୍ଠା କରିଥିଲେ। ଏହି କ୍ରମରେ ଖ୍ରାଷ୍ଟିଆନ ମିସନାରି ସଂଗଠନଙ୍କଠାରୁ ଆରମ୍ଭ କରି ବନବାସୀ କଲ୍ୟାଣ ପରିଷଦ ଭଳି ଅନେକ ସଂଗଠନ ଏପରିକି ସରକାର ମଧ୍ୟ ଆଦିବାସୀଙ୍କ ଶିକ୍ଷା ଲାଗି ଏହି ଆବାସିକ ବିଦ୍ୟାଳୟ ମାର୍ଗଟିକୁ ବାଛିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ୨୦୧୮ ମସିହା ସୁଦ୍ଧା ବିଭିନ୍ନ ରାଜ୍ୟରେ ଥିବା ୨୮୪ଟି ଏକଲବ୍ୟ ମଡେଲ ରେସିଡେନ୍‌ସିଆଲ ସ୍କୁଲ ଓ ୧୨୦୫ଟି ଆଶ୍ରମ ସ୍କୁଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଆବାସିକ ବିଦ୍ୟାଳୟଗୁଡ଼ିକରେ ଆଦିବାସୀ ପିଲାମାନେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହେଉଥିବାର ଖବରମାନ ଶୁଣିବାକୁ ମିଳିଥାଏ। ଏକ ଆକଳନ ଅନୁସାରେ ୨୦୦୧ରୁ ୨୦୧୬ ମଧ୍ୟରେ କେବଳ ମହାରାଷ୍ଟ୍ରର ଆବାସିକ ବିଦ୍ୟାଳୟଗୁଡ଼ିକରେ ୧୪୬୩ ଜଣ ଆଦିବାସୀ ଛାତ୍ର ମୃତ୍ୟୁବରଣ କରିଥିଲେ ଓ ତନ୍ମଧ୍ୟରୁ ୩୦ ଜଣ ଆତ୍ମହତ୍ୟା କରିଥିବା ବିଷୟ ଚିନ୍ତାଜନକ। ଓଡ଼ିଶାର ଆଦିବାସୀ ପିଲାଙ୍କ ମଧ୍ୟରୁ ୧୬% ସ୍କୁଲ ଯାଆନ୍ତି ନାହିଁ; ପ୍ରାୟ ୫୧% ପ୍ରାଥମିକ ସ୍ତରରେ ସ୍କୁଲ ଛାଡୁଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ଏହା ପ୍ରାୟ ୬୯% ହୋଇଥାଏ। ରାଜ୍ୟରେ ୨୦୦୬ ମସିହାରୁ ସର୍ବଶିକ୍ଷା ଅଭିଯାନର ବହୁଭାଷୀ ଶିକ୍ଷା (ଏମଏଲଇ)ରେ ସାନ୍ତାଳୀ, ସଉରା, ମୁଣ୍ଡା, କୋୟା, କୁଇ ଭଳି ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ ଲାଗି ନିଷ୍ପତ୍ତି ନିଆସରିଛି। ତଦନୁଯାୟୀ ୨୦୧୬ ସୁଦ୍ଧା ରାଜ୍ୟରେ ୨୩୦୦ ସ୍କୁଲରେ ୨୧ଟି ଭାଷାରେ ପ୍ରାୟ ୧.୪୩ ଲକ୍ଷ ଆଦିବାସୀ ଛାତ୍ର ସେମାନଙ୍କ ମାତୃଭାଷାରେ ଶିକ୍ଷା ଗ୍ରହଣ କରି ପାରୁଥିଲେ। ରାଜ୍ୟରେ ଆଦିବାସୀ ଶିକ୍ଷାର ବିକାଶ ଲାଗି ଏ ଭଳି ଅନୁକୂଳ ପରିବେଶ ସତ୍ତ୍ୱେ କାରଖାନା ସ୍କୁଲର ଉପସ୍ଥିତିକୁ ଅନେକ ଗ୍ରହଣ କରି ପାରୁ ନାହାନ୍ତି।

କୋଡ଼ିଏରୁ କମ୍‌ ସଂଖ୍ୟକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବା ଲାଗି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଆଦିବାସୀ ଅଞ୍ଚଳ ପ୍ରତି ବି ପ୍ରଯୁଜ୍ୟ। ଅପହଞ୍ଚ ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଆବଶ୍ୟକତା ସ୍ୱତନ୍ତ୍ର ହୋଇଥିବାରୁ ସେମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ମଧ୍ୟ ଜରୁରୀ। ଆଦିବାସୀ ପିଲାଙ୍କୁ ତାଙ୍କ ନିଜ ପରିବେଶରେ ଅନ୍ତତଃ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ଦାନର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରାଯାଉ।

କାରଖାନା ସ୍କୁଲ ବ୍ୟବସ୍ଥାର ପରିସମାପ୍ତି ପାଇଁ ବିଶ୍ୱବ୍ୟାପୀ ଏକ ଆନ୍ଦୋଳନ ବି ମୁଣ୍ଡ ଟେକିବା ଆରମ୍ଭ କଲାଣି। ସେଥିରେ ‘ସରଭାଇଭାଲ ଇଣ୍ଟରନ୍ୟାସନାଲ’ ଭଳି ସଂଗଠନ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏହି ମର୍ମରେ ତୃଣମୂଳ ସ୍ତରରେ ଆଦିବାସୀ ଶିକ୍ଷା ବ୍ୟବସ୍ଥାରୁ ସରକାର ଓହରି ନ ଯିବା ସର୍ବାଧିକ ଜରୁରୀ। ବରଂ ସରକାର ଏ ଦିଗରେ ଅଧିକ ପୁଞ୍ଜି ବିନିଯୋଗ କରନ୍ତୁ। ଆଦିବାସୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ, କିନ୍ତୁ ସେମାନଙ୍କ ସାଂସ୍କୃତିକ ସ୍ବାତନ୍ତ୍ରୢ ବା ଜନଜାତୀୟ ପରିଚିତିର ସନ୍ତକ ସବୁ ଅକ୍ଷୁଣ୍ଣ ରଖିବାର ଉଦ୍ୟମ କରାଯାଉ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର