ସଡ଼କରେ ଆମ ଆଚରଣ
ବିଷ୍ଣୁ ଚରଣ ଦାଶ
ଆଜିକାଲି ଦେଖାଯାଉଛି ସଡ଼କ ଉପରେ ଛୋଟ ଛୋଟ ପିଲାମାନେ ଅତି ଦ୍ରୁତ ଗତିରେ ଦୁଇଚକିଆ ଗାଡ଼ି ଚଳାଇ ଯାଉଛନ୍ତି। ଅଠର ବର୍ଷ ନ ହେବା ପୂର୍ବରୁ ଏମାନଙ୍କ ପିତାମାତାମାନେ କିପରି ଯେ ସେମାନଙ୍କ ହାତରେ ଗାଡ଼ି ଚାବି ଧରାଇ ଦେଉଛନ୍ତି, ତାହା ବିସ୍ମୟକର। କେବଳ ସେତିକି ନୁହେଁ, ଏହି ଅଭିଭାବକମାନଙ୍କ ମଧୢରୁ ଅଧିକା˚ଶ ଶିକ୍ଷିତ ଓ ସଚେତନ ବର୍ଗର। ପୁଣି ଦୁର୍ଭାଗ୍ୟ ଦେଖନ୍ତୁ, ଶିକ୍ଷିତ ଯୁବକମାନେ କାନରେ ଇଅର ଫୋନ୍ ଲଗାଇ ଗୀତ ଶୁଣି ଶୁଣି ବା କାହା ସହିତ କଥା ହୋଇ ଏଭଳି ଗାଡ଼ି ଚଳାଉଛନ୍ତି ଯେ ତାହା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଛି ଏବ˚ ଅନେକ ସମୟରେ ଦୁର୍ଘଟଣା ସମ୍ଭବ ମଧୢ କରାଉଛି। ଏହି କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ସଡ଼କ ଏକ ମରଣ ଯନ୍ତା ବୋଲି ଅଭିହିତ ହେଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ମସିହାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଆମ ଦେଶରେ ମୋଟ ୫.୦୧ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା କଥା କୁହାଯାଇଥିଲା। ଏହି ଦୁର୍ଘଟଣାରେ ୧.୪୬ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସେଥିରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କ ମଧୢରୁ ସ˚ଖ୍ୟାଧିକ ଜୀବନ ସାରା ଅକର୍ମଣ୍ୟତା ଭୋଗ କରିଥିଲେ। ତହିଁରୁ ଏହା ମଧୢ ଜଣାପଡ଼ିଛି ଯେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ସ˚ଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଯୁବ ବର୍ଗର, ଯେଉଁମାନଙ୍କ ବୟସ ୧୫ରୁ ୩୫ ବର୍ଷ ମଧୢରେ।
ଆଉ ଏକ ତଥ୍ୟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୮୦ ମସିହାରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ୫୧ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୯ ମସିହା ସୁଦ୍ଧା ତାହା ହ୍ରାସ ପାଇ ବାର୍ଷିକ ୩୦ ହଜାର ମଧୢରେ ସୀମିତ ରହିଛି। ମାତ୍ର ଆମ ଦେଶରେ ଏହାର ବିପରୀତ ଗତି ଦୃଶ୍ୟମାନ ହୋଇଛି; ଯେଉଁଠି ୧୯୮୦ ମସିହାରେ ବର୍ଷକୁ ୨୪ ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୧୯ ବେଳକୁ ତାହା ୧.୫ ଲକ୍ଷକୁ ଛୁଇଁଛି। ଉଲ୍ଲେଖଯୋଗ୍ୟ ଆମେରିକାରେ ଆମ ଦେଶଠାରୁ ବହୁ ଅଧିକ ସ˚ଖ୍ୟାରେ ଯାନବାହନ ଚଳାଚଳ କରୁଅଛି। ତେଣୁ କହିବା ବାହୁଲ୍ୟ ଯେ ସେମାନେ ସଡ଼କ ନିରାପତ୍ତା ନେଇ ଖୁବ୍ ସଚେତନ ଥିବା ବେଳେ ଆମେ ଖୁବ୍ ଅଧିକ ବେପରୁଆ ମନୋଭାବ ପ୍ରଦର୍ଶନ କରୁଛେ।
ଭାରତୀୟ ସହରର ସଡ଼କଗୁଡ଼ିକରେ ପଦଚାରୀମାନଙ୍କ ଦୁର୍ଦଶା ଅତ୍ୟନ୍ତ ଶୋଚନୀୟ। ଜେବ୍ରା କ୍ରସି˚ ଗାର ଚିହ୍ନିତ ଅ˚ଶରେ ପଦଚାରୀମାନେ ରାସ୍ତା ପାରି ହେବାର ନିୟମ ରହିଛି। ସେହି ସ୍ଥାନରେ ରାସ୍ତାରେ ‘ସ୍ଲୋ’ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖା ମଧ୍ୟ ଯାଇଥାଏ। ମାତ୍ର ଗାଡ଼ିଚାଳକମାନେ ସେଠାରେ ଗାଡ଼ି ଧୀର କରନ୍ତି ନାହିଁ; ବର˚ ଗାଡ଼ିର ବେଗକୁ ଅଧିକ କରିଥାଆନ୍ତି। ସେମିତି ଟ୍ରାଫିକ୍ ଛକରେ ଗାଡ଼ିଗୁଡ଼ିକ ଜେବ୍ରା ଗାର ଉପରେ ଛିଡ଼ା ହୋଇ ପଦଚାରୀମାନଙ୍କୁ ଅବରୋଧ କରିଥାଆନ୍ତି। କହିବା ବାହୁଲ୍ୟ ଯେ ସହର ରାସ୍ତାରେ ଗାଡ଼ିଧାରୀମାନେ ଶିକ୍ଷିତ ଓ ସଚେତନ; କିନ୍ତୁ ସମ୍ଭବତଃ ସେମାନଙ୍କ ଅହଙ୍କାରୀ ମନୋଭାବ ହେତୁ ସେମାନେ ପଦଚାରୀମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖନ୍ତି। କେବଳ ପଦଚାରୀମାନେ ନୁହନ୍ତି, ଅନେକ ସାଇକେଲ ଆରୋହୀଙ୍କ ପ୍ରତି ଧାରଣା ମଧୢ ପ୍ରାୟ ସେଇଆ। ବିଦେଶରେ କିନ୍ତୁ ଗାଡ଼ି ଚାଳକମାନେ ପଦଚାରୀମାନଙ୍କୁ ଆଗ ବାଟ ଛାଡ଼ି, ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତି। କେବଳ ସେତିକି ନୁହେଁ ଆମ ଦେଶରେ ଅନେକ ଗାଡ଼ିଚାଳକ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇଥାଆନ୍ତି। ଏହି କାରଣରୁ ଅନେକ ସଡ଼କ ଦୁର୍ଘଟଣା ହେଉଛି। କେବଳ ସେତିକି ନୁହେଁ, ଟ୍ରାଫିିକ ସିଗନାଲକୁ ନ ମାନିବା, ଦୁଇଚକିଆ ଯାନ ଚଲାଉଥିବା ବେଳେ ହେଲମେଟ୍ ନ ପିନ୍ଧିବା ବା ଚାରିଚକିଆ ଯାନ ଚଳାଇବା ବେଳେ ସିଟ୍ ବେଲ୍ଟ ନ ବାନ୍ଧିବା ଭଳି ଆଇନ ନ ମାନିବା ଭଳି କାର୍ଯ୍ୟ ଆମ ଦେଶରେ ଏକ ଅଭ୍ୟାସରେ ପରିଣତ ହୋଇଛି। ଏହି କାରଣରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସ˚ଖ୍ୟା ଅଧିକ ହେଉଛି। ବିଦେଶରେ ଏହା କୁହାଯାଇଥାଏ ଯେ ସଡ଼କ ଉପରେ ଜଣକର ଆଚରଣରୁ ଜଣାପଡ଼ିବ ଯେ ସେ କେତେ ସୁଶୀଳ ଏବ˚ ସଚେତନ। ସେହି ମାପକାଠିରେ ଭାରତର ଗାଡ଼ି ଚାଳକମାନେ ଶୋଚନୀୟ ଭାବେ ନିକୃଷ୍ଟ ସ୍ତରର ବୋଲି ସାବ୍ୟସ୍ତ ହେବେ।
ତେବେ, ସଡ଼କ ଦୁର୍ଘଟଣା ଲାଗି ବେପରୁଆ ଗାଡ଼ି ଚାଳନା ଯେତିକି ଦାୟୀ, ସେତିକି ଦାୟୀ ରାସ୍ତାଘାଟର ଅବସ୍ଥା ଓ ତାର ନିର୍ମାଣରେ ତ୍ରୁଟି। ବିଭିନ୍ନ ଦୋକାନ ବଜାର ଦ୍ବାରା ସଡ଼କ ଅବରୋଧ ହେବା ବା ସଡ଼କରେ ଗାଈଗୋରୁ ମୁକ୍ତ ଭାବେ ବିଚରଣ କରିବା ମଧୢ ଅନେକ ସଡ଼କ ଦୁର୍ଘଟଣାର କାରଣ ହୋଇଥାଏ। ସେମିତି ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଲୋକ ବା ମାଲ ପରିବହନ କରୁଥିବା ଗାଡ଼ିରେ ଓଭର ଲୋଡି˚ ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରିଥାଏ। ଏହାକୁ ରୋକିବା ଲାଗି ନିୟମିତ ଓ କଡ଼ାକଡ଼ି ଯାଞ୍ଚର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ନିୟମ ଉଲ୍ଲ˚ଘନକାରୀଙ୍କ ପ୍ରତି ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ମଧୢ ଜରୁରୀ। କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଜଣେ ଦାୟିତ୍ବବାନ ନାଗରିକ ଭାବେ ସଡ଼କ ନିୟମ ପାଳନ ପ୍ରତି ଅଙ୍ଗୀକାର ପ୍ରଦର୍ଶନ। ଏହି ଅଙ୍ଗୀକାର ହିଁ ସଡ଼କ ଉପରେ ଆମ ଆଚରଣକୁ ସୁଶୋଭନ କରିବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ସର୍ବାଧିକ ଫଳପ୍ରଦ ସାବ୍ୟସ୍ତ ହେବ।
କୁନ୍ଦପୁର, ମଦନପୁର, କେନ୍ଦ୍ରାପଡ଼ା
ମୋ- ୯୧୭୮୬୭୪୪୫୩