ଇଛାମତୀ ଝରଣା : ଶାନ୍ତନୁଙ୍କ ସ୍ୱର ସଂଚାରର ପୃଥିବୀ

ଦେବଦାସ ଛୋଟରାୟ

ଏମିତି ଅନେକ ଥର ହେଇଚି, ସେ ତାଙ୍କ ବସିବା ଘରର କାର୍ପେଟ୍‌ ଉପରେ ହାର୍ମୋନିୟମ୍‌ ରଖି, ତାର ପର୍ଦ୍ଦା ଖୋଲି ଆଙ୍ଗୁଳି ଚଳେଇଲା ବେଳକୁ, ମୁଁ ତାଙ୍କ ପାଖରେ ବସିଥାଏ। ଆଖି ସାମ୍ନାରେ ଥାଏ, ଆମ ଦୁଇଜଣଙ୍କର ପ୍ରିୟ ଗୀତ ଲେଖକ ଜୀବନ ପାଣିଙ୍କ ଲିରିକ୍। ତାଙ୍କରି କୌଣସି ହାତଲେଖା କାଗଜକୁ ସାମ୍ନାରେ ଧରି, ତା’ର ଆଳାପସବୁକୁ ହାର୍ମୋନିୟମ୍‌ର କଳାଧଳା ରିଡ୍‌ ତଳେ ଲୁଚିଥିବା ପୋଷାକ ସବୁ ବାହାର କରି ପିନ୍ଧେଇଲା ବେଳେ, ଏକ ଅନିର୍ଦ୍ଦିଷ୍ଟ ଫୁଲର ବାସ୍ନା ପରି, ଏକ ନୂତନ ସ୍ୱରର ଜନ୍ମ ହୁଏ। ଶାନ୍ତନୁ ମହାପାତ୍ରଙ୍କ ସ୍ୱର।

ଥରେ ଦିଲ୍ଲୀର ଶାସ୍ତ୍ରୀ ଭବନରେ, ମୁଁ କୋଇଲା ମନ୍ତ୍ରାଳୟର ଜଏଣ୍ଟ୍‌ ସେକ୍ରେଟାରି ଥିଲା ବେଳେ, ଟାଇ-କୋଟ୍‌ ପରିହିତ ଶାନ୍ତନୁ ଭାଇ କବାଟ ଖୋଲି ପଶି ଆସିଲେ। ସେତେବେଳେ ଶୀତ ଦିନ ଆଉ ଲଞ୍ଚ ଖାଇବାର ସମୟ। ସେ ଭୋକିଲା ହୋଇ ଫେରିଥାନ୍ତି ଦୂରଦର୍ଶନ ଷ୍ଟୁଡିଓରୁ। ଜଣେ ପ୍ରଖ୍ୟାତ National Composer ହିସାବରେ, ସେ ଆମନ୍ତ୍ରଣ ପାଇଥିଲେ ଦୁଇଟି ହିନ୍ଦୀ ଗୀତର ସ୍ୱର ସଂଯୋଜନା ପାଇଁ। ‘ଶୁଣ, ଶୁଣ’ କହି ମତେ ସେଇଠି ସେଇ ଅଫିସ ରୁମ୍‌ ଭିତରେ, ଗାଇକି ଶୁଣାଇ ଦେଲେ ସଦ୍ୟ ତିଆରି କରିଥିବା ଗୀତ। ‘ମେନେ କବ୍‌ ତୁମ୍‌ସେ କାହା କି ତୁମ୍‌ ଚଲିଯାଓ’। ଅନବଦ୍ୟ ଗଜଲ୍‌ଧର୍ମୀ ସ୍ୱର। ‘ତୁମେ ମୋତେ ଏଇ ଠିକ୍‌ ଏଇ ସ୍ୱରରେ, ଏଇ ଫାଷ୍ଟ୍‌ ଲାଇନ୍‌ ନେଇ ଗୋଟେ ଓଡ଼ିଆ ଗୀତ ଲେଖିଦିଅ’, ସେ କହିଲେ, ‘ତାକୁ ପ୍ରଣବ ପଟ୍ଟନାୟକ ଗାଇବ।’ ସେ ଗୀତ ମୁଁ କରିଥିଲି। ‘ମୁଁ କେବେ ତୁମକୁ କହିଚି କୁହତ, ଯାଅ ବୋଲି। ପ୍ରେମ ତ ଏମିତି ଶିକୁଳି ନୁହେଁ ଯେ, କହିଦେଲେ ଯିବ ଖୋଲି’। ସେ ଗୀତ ଅଛି, ଏବେ ବି ରେଡିଓରେ ବାଜେ। ତାଙ୍କରି ସ୍ୱର, ପ୍ରଣବ ପଟ୍ଟନାୟକଙ୍କ କଣ୍ଠ।

ଅକ୍ଷୟ ମହାନ୍ତିଙ୍କ ବ୍ୟତୀତ, ମୁଁ ଯଦି ଆଉ କୌଣସି ସ୍ବରକାରଙ୍କ ପାଇଁ ସବୁଠୁ ଅଧିକ ଗୀତ ଲେଖିଚି, ସେ ହେଲେ ଶାନ୍ତନୁ ମହାପାତ୍ର। ତାଙ୍କ ସ୍ବରରେ ବୈଚିତ୍ର୍ୟ ଅଛି, ବୈଦଗ୍‌ଧ ଅଛି, ଆଉ ଅଛି ଏକ ମର୍ମବେଦନାର ବ୍ୟ˚ଜନା। ତାଙ୍କ ସ୍ବରରେ ତାଙ୍କ ଅଲୌକିକ ସୃଜନୀର ବଳିଷ୍ଠ ହସ୍ତାକ୍ଷର ଅଛି।

ଅକ୍ଷୟ ମହାନ୍ତି ହିଁ ମତେ ତାଙ୍କ ସହିତ ପ୍ରଥମେ ପରିଚୟ କରାଇ ଦେଇଥିଲେ। ସେତେବେଳେ ମୁଁ ରେଭେନ୍‌ସା କଲେଜର ଛାତ୍ର। ୧୯୬୦ ଦଶକ। ଅକ୍ଷୟ ମହାନ୍ତି ସେତେବେଳେ ତାଙ୍କ ଜନପ୍ରିୟତାର ସୋପାନରେ ବେଶ୍‌ ଦ୍ରୁତଗତିରେ ଚଢ଼ିବା ଆରମ୍ଭ କରି ଦେଇଥାଆନ୍ତି। ରେଡିଓରେ ପ୍ରତି ରବିବାର ସ˚ଧ୍ୟାରେ ଅନୁରୋଧ ଆସରରେ ତାଙ୍କର ସ୍ବରକରା ଓ ବୋଲା ଗୀତ ସବୁଠୁ ଶେଷରେ ବାଜେ। ତାହା ହିଁ ଥିଲା ସେତେବେଳେ ଉତ୍କର୍ଷର ମାପକାଠି। ଆଉ ଶାନ୍ତନୁ ମହାପାତ୍ର ସେଇ ସମୟରେ, ତାଙ୍କର ନିଜର ସଙ୍ଗୀତ ନିର୍ଦ୍ଦେଶନାରେ, ‘ସୂର୍ଯ୍ୟମୁଖୀ’ ଓ ‘ଅରୁନ୍ଧତୀ’ ଚଳଚ୍ଚିତ୍ରରେ, ପ୍ରଥମ ଓ ବୋଧହୁଏ ଶେଷ ଥର ପାଇଁ ଲତା ମଙ୍ଗେସକର, ମହମ୍ମଦ ରଫି ଆଉ ମନ୍ନା ଦେଙ୍କୁ ଓଡ଼ିଆ ଗୀତ ବୋଲାଇଥାନ୍ତି। ସେଥିପାଇଁ ସେ ସେତେବେଳେ ଏକ ବିସ୍ମୟର ଆଲୁଅରେ ଝଲ୍‌ମଲ୍‌ କରୁଥାନ୍ତି। ଅକ୍ଷୟ ମହାନ୍ତି ମତେ ତାଙ୍କୁ ଚିହ୍ନା କରାଇ ଦେଲା ବେଳେ, ସେ ଦୁଇ ଜଣଙ୍କ ଭିତରେ ବନ୍ଧୁତ୍ବ ଆଉ ପ୍ରତିସ୍ପର୍ଦ୍ଧା ବାରି ହୋଇ ପଡ଼ୁଥାଏ।

ଷାଠିଏ ଦଶକର ଉତରାର୍ଦ୍ଧରେ ମୁଁ ଥିଲି ବାଣୀବିହାରରେ ରାଜନୀତି ବିଜ୍ଞାନର ଛାତ୍ର। ଆମର ବାର୍ଷିକ ଉତ୍ସବରେ ଆମେ ଗୋଟିଏ କୋରସ୍‌ କରିବାକୁ ମନସ୍ଥ କରିଥାଉ। ଗୀତଟି ମୁଁ ଲେଖିଥାଏ, ‘ଇଚ୍ଛାମତୀ ଝରଣା, ଆହା ସେ’ ତ ଜାଣେନା, ଯେତେ ଲୁହ ଢାଳିଯାଏ, କେହି ତାହା କିଣେନା’ ଭୁବନେଶ୍ବର ବୋଲି ବୋଧହୁଏ, କୋରସ୍‌ କରିବା ପାଇଁ ଶାନ୍ତନୁ ମହାପାତ୍ରଙ୍କୁ ଡାକିବା ଥିଲା ସବୁୁଠୁ ସ୍ବାଭାବିକ। ମୋ’ର ସ୍ବଳ୍ପ ପରିଚୟର ଖାତିର‌୍‌ରେ ସେ ଆସିଲେ। ‘ଇଚ୍ଛାମତୀ ଝରଣା’ର ରିହର୍ସଲ୍‌ ଆରମ୍ଭ ହେଲା। ରିହର୍ସଲ୍‌ ସମୟରେ ହିଁ ସବୁ ଅନ୍ତରଙ୍ଗତା ବଢ଼େ। ସେତିକିବେଳେ ସେ ହୋଇଗଲେ ମୋର ଚିର ଦିନର ଶାନ୍ତନୁ ଭାଇ। ‘ଇଚ୍ଛାମତୀ ଝରଣା’ର ସଫଳତା ସେତେବେଳେ ଭୁବନେଶ୍ବର ଆଉ କଟକ- ଦୁଇ ସହରରେ ଘୂରି ବୁଲିଲା। ବିଭିନ୍ନ କଲେଜର ଅନୁଷ୍ଠାନମାନଙ୍କରେ ଏ କୋରସ୍‌ ବାରମ୍ବାର ବୋଲା ହେଲା। କଟକ ମେଡିକାଲ୍‌ କଲେଜର ଏକ ପ୍ରତିଷ୍ଠାପୂର୍ଣ୍ଣ ପ୍ରତିଯୋଗିତାରେ ଏ କୋରସ୍‌ଟି ପ୍ରଥମ ହୋଇ ଶାନ୍ତନୁ ଭାଇଙ୍କୁ ଯଥେଷ୍ଟ ସନ୍ତୋଷ ଦେଇଥିଲା।

‘ଇଚ୍ଛାମତୀ ଝରଣା’ର ପ୍ରଥମ ଅନ୍ତରାରେ ଥିଲା,
‘ଏ ସହର ହୀରା କିଣେ ନୀଳା କିଣେ ମାଣିକ,
ଲୁହ ପାଇଁ ମିଳେ ନାହିଁ ଜଣେ ହେଲେ ବଣିକ।
ଚିନିର ସହର ଏଠି ବଢ଼େ ନାହିଁ ବୟସ।
କିଏ ବା କରୁଚିି ଆହା ଲୋତକର ଅୟସ।
ଇଚ୍ଛାମତୀ ଝରଣା,
ଆହା ସେ ତ ଜାଣେନା।
ମିଛ କହି ଗଢ଼ି ହୁଏ ମିଠା ଘରକରଣା।’
ଏ ଲାଇନ୍‌ ସବୁ ଶାନ୍ତନୁ ଭାଇଙ୍କର ବହୁତ ପସନ୍ଦ ଥିଲା। ସେ ମତେ ଥରେ କହିଲେ ‘ମିଛ କହି ଗଢ଼ିହୁଏ ମିଠା ଘର କରଣା’ କଥାଟା ଜୀବନ ପାଣିଙ୍କୁ ଖୁବ୍‌ ପ୍ରଭାବିତ କଲା।

ଜୀବନ ପାଣି ଶାନ୍ତନୁ ଭାଇଙ୍କ ଘନିଷ୍ଠ ବନ୍ଧୁ ଥିଲେ। ମୁଁ ତାଙ୍କର ଗୀତିକବିତାର ମୁଗ୍‌ଧ ସ୍ତାବକ, କିନ୍ତୁ ତାଙ୍କୁ କେବେ ଦେଖି ନଥାଏ। ଶାନ୍ତନୁ ଭାଇଙ୍କ ମାଧ୍ୟମରେ ହିଁ ତାଙ୍କ ଖବର ପାଏ। ତାଙ୍କର ଅଧିକା˚ଶ ଲୋକପ୍ରିୟ ଗୀତର ଶାନ୍ତନୁ ଭାଇ ହିଁ ଥିଲେ ମୁଖ୍ୟ ସ୍ବରକାର। ଆଉ ଥରେ, ଆଉ କିଛି ବର୍ଷ ପରେ ଶାନ୍ତନୁ ଭାଇ କହିଲେ, ‘ଜୀବନ ପାଣି ତୁମ ଗୀତର ବହୁତ ପ୍ରଶ˚ସା କରେ। ସେ କହୁଥିଲା, କେତେ ଅନାୟାସରେ ତୁମେ ଗୀତ ଭିତରେ ବି କବିତା ପରି ବେଧଡ଼କ୍‌ ଯୁକ୍ତାକ୍ଷରର ବ୍ୟବହାର କର।’

ପୁରୁଣା ହଲିଉଡ୍‌ ଷ୍ଟୁଡିଓ ସିଷ୍ଟମ୍‌ ପରି ମୁଁ ଅକ୍ଷୟ ମହାନ୍ତିଙ୍କ ସହିତ ଏକ ଅଲିଖିତ ଚୁକ୍ତିରେ ବନ୍ଧା ଥିଲି ଯେ ମୁଁ ତାଙ୍କ ଛଡ଼ା ଆଉ କାହାରି ପାଇଁ ଗୀତ ଲେଖିବି ନାହିଁ। ଏ ଅଙ୍ଗୀକାର ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କାଏମ୍‌ ରହିଲା। କିନ୍ତୁ ଏ ଚୁକ୍ତିର ଏକମାତ୍ର ବ୍ୟତିକ୍ରମ ଥିଲେ ଶାନ୍ତନୁ ମହାପାତ୍ର। ଶାନ୍ତନୁ ଭାଇ ଗୀତ ଚାହୁଁଚନ୍ତି କହିଲେ ଅକ୍ଷୟ ଭାଇ ଦ୍ବିରୁକ୍ତି କରେନି। ବର˚ଚ ତାଙ୍କ କ୍ଷମତା ପ୍ରତି ସ˚ଭ୍ରମ ଦେଖାଏ। ଦୁଇ ଜଣ ସ୍ବର କଲା ବେଳେ ମୁଁ ତାଙ୍କ ପାଖରେ ବସିଚି। ଦୁହିଁଙ୍କ ସ୍ବରରେ ଚିହ୍ନି ହେଲା ଭଳି ନିଜସ୍ବତା ଅଛି, ସମକାଳୀନ ଆଧୁନିକତା ଅଛି, ନୂତନତ୍ବକୁ ଖୋଜିବାର ଆଗ୍ରହ ଅଛି। ଦୁହେଁ ବହୁତ କ୍ଷିପ୍ର ଗତିରେ ନୂଆ ସ୍ବରର ଆବାହନ କରନ୍ତି। ଦୁହେଁ ହାର୍ମୋନିୟମ୍‌ରେ ହିଁ ସ୍ବର ଖୋଜନ୍ତି। ହାର୍ମୋନିୟମ୍‌ର କଳାଧଳା ରିଡ୍‌ ଉପରେ ଯେତେବେଳେ ସେମାନଙ୍କର ଆଙ୍ଗୁଠି ଦ୍ରୁତ ଚାଲେ, ସେତେବେଳେ ଆଲିବାବା ଗଳ୍ପର ‘ଖୁଲ୍‌ଯା ସିମ୍‌ସିମ୍‌’ ପରି ଅଦୃଶ୍ୟ ସଙ୍ଗୀତର କୁହୁକ ଗନ୍ତାଘର ଖୋଲିଯାଏ। ଅକ୍ଷୟ ଭାଇ କହୁଥିଲା ଓଡ଼ିଶାରେ ଶାନ୍ତନୁ ହିଁ ସବୁଠୁ ଭଲ ହାର୍ମୋନିୟମ୍‌ ବଜାଇ ପାରେ।

ସିନେମାର ବାହାରେ, ରେଡିଓ ବା ଟିଭି ପାଇଁ ମୁଁ ଶାନ୍ତନୁ ଭାଇକୁ ଯେତେ ଗୀତ ଯୋଗାଇଚି, ତା’ର ସବୁଠୁ ବଡ଼ ଉପଭୋକ୍ତା ହେଲେ ପ୍ରଣବ ପଟ୍ଟନାୟକ। ପ୍ରଣବ ଭାଇ ମତେ ଦେଖିଲା ମାତ୍ରେ ଆଜି ବି ଗୁଣୁଗୁଣୁ ହୋଇ ଯେଉଁ ଗୀତର ଉଲ୍ଲେଖ କରନ୍ତି, ତା’ହେଲା, ‘ମୁଁ ତ ବଡ଼ ଛଟପଟ ଝଡ଼ର ପବନ, ତୁମେ ବିଚଳିତ ଦୀପଶିଖା, ଏ ମୋ’ର ପ୍ରେମରେ ତୁମରି ମୃତ୍ୟୁ, ବହୁ ଦିନୁ ଅଛି ଲେଖା’। ଏ ଗୀତ ମୁଁ ୧୯୮୨ ମସିହାରେ ଆମେରିକାରେ କର୍ଣ୍ଣେଲ୍‌ ବିଶ୍ବବିଦ୍ୟାଳୟରେ ପଢୁଥିଲା ବେଳେ ଲେଖିଥିଲି। ଶାନ୍ତନୁ ଭାଇ ଏ ଗୀତ ଭିତରେ ଯେଉଁ ନିଃସଙ୍ଗ କାରୁଣ୍ୟ ଭରି ଦେଇଚନ୍ତି, ତା’ ଶ୍ରୋତାକୁ ମୂର୍ଚ୍ଛାହତ କରିଦିଏ ।

ଦିଲ୍ଲୀ ଦୂରଦର୍ଶନର ଅନୁଜ ପ୍ରତିମ ପ୍ରଫୁଲ୍ଲ ମହାନ୍ତି, ଯିଏ ଆଉ ନାହିଁ, ତା’ର ‘ଅନୁଭବ’ ସିନେମାରେ, ମତେ ଶାନ୍ତନୁ ଭାଇଙ୍କ ପାଖରେ ଗୀତ ଲେଖିବାର ସୁଯୋଗ ଦେଇଥିଲା। ସେଥିରେ ଗୋଟିଏ ଗୀତ ଥିଲା, ‘ମୁଁ ଯେ ଏକୁଟିଆ, କେଉଁ ତାରାର ଆଲୁଅ, ନା ଛୁଇଁ ପାରେ ପୃଥିବୀକୁ, ନା ଦେଖି ପାରେ ନିଜ ମୁହଁ’ା ସେ ଗୀତର ସ୍ବର କରୁକରୁ ଶାନ୍ତନୁ ଭାଇ ମତେ ଲଘୁ ପରିହାସରେ କହିଲେ, ‘ତୁମେ ତ ଅକ୍ଷୟ ମହାନ୍ତି ପାଇଁ ଚାଲୁ ଗୀତ ଲେଖିଲା ବାଲା; ପୁଣି ଗୋଟେ ଗୋଟେ ଗୀତରେ ଏତେ ‘ହାହାକାର’ ଆଣ କେମିତି?’

ପ୍ରଫୁଲ୍ଲ ମହାନ୍ତିଙ୍କର ‘ଅନୁଭବ’ରୁ ଆରମ୍ଭ କରି, ହେମନ୍ତ ଦାସଙ୍କର ଅସମ୍ପୂର୍ଣ୍ଣ ‘ସୁଲୋଚନା’, ଆଉ ପ୍ରଶାନ୍ତ ନନ୍ଦଙ୍କର ସୁପର ହିଟ୍‌ ‘ଡୋରା’, ପୁଣି ପୁରସ୍କାର ପ୍ରାପ୍ତ ‘ମୁକ୍ତିତୀର୍ଥ’ ପରି କେତେ ସିନେମାରେ ମୁଁ ଶାନ୍ତନୁ ଭାଇଙ୍କ ସହିତ କାମ କରିବାର ସୁଯୋଗ ପାଇଚି। ସବୁବେଳେ ହାର୍ମୋନିୟମ୍‌ର ରିଡ୍‌ ଉପରେ କ୍ଷିପ୍ର ଆଙ୍ଗୁଳି ଚଳାଇ ସେ ଗୀତ ଭିତରକୁ ମାଦକ ଭରା ମିଠା ପଣ ଡାକି ଆଣନ୍ତି ଓ ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଅନ୍ତି। ପ୍ରଣବ ଭାଇଙ୍କ ଛଡ଼ା ଦେବାଶିଷ, ଲୋପିତା, ଇ˚ଦ୍ରାଣୀ ମିଶ୍ର (ତାଙ୍କର ପ୍ରଖ୍ୟାତ ‘ଶ୍ରାବଣ ଅନ୍ତରେ କାନ୍ଦେ’)ଙ୍କ ଗଳାରେ ଶାନ୍ତନୁ ଭାଇଙ୍କର ସ୍ବର କରା ମୋର କେତେ ଗୀତ ରେଡିଓ, ଟିଭି ଓ ରେକର୍ଡରେ ରହିଚି। ଖାଲି ପୂରଣ ହୋଇ ପାରିନି ଗୋଟିଏ ଇଚ୍ଛା ଯେ କେହି ପ୍ରଡ୍ୟୁସର ଶାନ୍ତନୁ ଭାଇଙ୍କ ସ୍ବର କରା ମୋର ଗୀତ ସବୁରୁ ବାଛି ଗୋଟିଏ ବା ଦୁଇଟି ଅଡିଓ ସିଡି ତିଆରି କରନ୍ତା, ଯାହା ଆମର ଏତେ ବର୍ଷର କାମକୁ ଏକାଠି ଲୋକଲୋଚନକୁ ଆଣି ପାରନ୍ତା। ଏପରି ଏକ ସ˚ଯୋଜନା ହୁଏ ତ ‘ୟୁ ଟ୍ୟୁବ୍‌’ରେ ସମ୍ଭବ ହୋଇ ପାରିବ। ଶାନ୍ତନୁ ମହାପାତ୍ରଙ୍କ ସ˚ଗୀତକୁ ଭଲ ପାଉଥିବା କେହି ଜଣେ ଏ ଉଦ୍ୟମ କରିବେ କି? ମୁଁ ଯତ୍‌ପରୋନାସ୍ତି ସାହାଯ୍ୟ କରିବି।

ଶାନ୍ତନୁ ମହାପାତ୍ର ଗୋଟିଏ ଲୋକ ନୁହନ୍ତି ା ତାଙ୍କର ଏକୁଟିଆ ବ୍ୟକ୍ତିତ୍ବ ଭିତରେ ଅନେକ ଲୋକଙ୍କ ଭିଡ଼ ଆଉ କୋଳାହଳ ଭରି ରହିଚି। ପରିବାର, ଚାକିରି, ସଙ୍ଗୀତ, ସମାଜ ଏ ସବୁର ଦାୟିତ୍ବ ସେ ଅକାତରରେ ନିଅନ୍ତି। ଭୁବନେଶ୍ବରର ଜନ ଓ ଆନୁଷ୍ଠାନିକ ଜୀବନ ଠାରୁ ସେ ଅଭିନ୍ନ ଓ ଅଚ୍ଛେଦ୍ୟ। ଜଣେ ସଙ୍ଗୀତକାର ହିସାବରେ ତାଙ୍କର ଯେତିକି ସୁଖ୍ୟାତି ମୁଁ ଶୁଣିଚି, ଜଣେ ଦକ୍ଷ ଓ ସଚ୍ଚୋଟ ମାଇନି˚ ଅଫିସର‌୍‌ ହିସାବରେ ଓ ଭୁବନେଶ୍ବର ‘ନାଲ୍‌କୋ’ର ସ୍ଥାପନା କାଳର ଅଗ୍ରଣୀ ପଦାଧିକାରୀ ଭାବରେ ତାଙ୍କର ସେତିକି ସୁନାମ ଶ୍ରୁତିଗୋଚର ହୋଇଚି। ସାମାଜିକ ଓ ସାମୂହିକ କାର୍ଯ୍ୟକ୍ରମରେ ସେ ସବୁବେଳେ ସାମିଲ୍‌ ଥାଆନ୍ତି। ମୁଁ ଦେଖିଚି ଓଡ଼ିଶାରେ ବନ୍ୟା ବେଳେ, ମୁଁ ସେତେବେଳେ ଭୁବନେଶ୍ବର ହୋମ୍‌ ଡିପାର୍ଟମେ˚ଟରେ ଜଏ˚ଟ ସେକ୍ରେଟାରି, ଗୋଟିଏ ଟ୍ରକ୍‌ର ଡାଲାରେ ଚଢ଼ି ତାଙ୍କ ମ୍ୟୁଜିକ୍‌ ଗ୍ରୁପ୍‌ ସହିତ ମୋର ଲେଖା ଗୋଟିଏ ଗୀତକୁ କୋରସ୍‌ କରି, ସହର ସାରା ଚାନ୍ଦା ଓ ସାହାଯ୍ୟ ମାଗି ବୁଲୁଥାନ୍ତି। ସେ ଗୀତଟି ଥିଲା, ‘କେବେ ନିଆଁ କେବେ ପାଣି, ଓଡ଼ିଶା ମା’ର ଦେହକୁ ଖାଉଚି, ଟିକି ଟିକି କରି ହାଣି।’

ମୁଁ, ସୁସ୍ମିତା ଦାସ ଓ ଓମ୍‌ପ୍ରକାଶ ମହାନ୍ତିଙ୍କ ସହିତ ତିଆରି କରିଥିବା ମାୟାଧର ମାନସି˚ହଙ୍କର ‘ମାୟାଦର୍ପଣ’ର ରିଲିଜ୍‌ ଅବସରରେ ଶାନ୍ତନୁ ଭାଇ ରବୀନ୍ଦ୍ର ମଣ୍ତପକୁ ଆସିଥିଲେ। ସେ କହିଲେ ଯେ ବହୁ ବର୍ଷ ତଳୁ ସେ ଏହିପରି ଏକ ପରିକଳ୍ପନା କରିଥିଲେ ମାନସି˚ହଙ୍କ ‘ଧୂପ’କୁ ନେଇ; ଯାହା ଓଡ଼ିଶାରେ ଆଗ୍ରହ ଅଭାବରୁ ହୋଇପାରିଲାନି। ତାଙ୍କ ଗଳାରେ ଏକ ରିକ୍ତତା ଥିଲା। ସେ ‘ମାୟାଦର୍ପଣ’କୁ ପସନ୍ଦ କଲେ, ସୁସ୍ମିତା ଓ ଓମ୍‌ପ୍ରକାଶକୁ ଆଶୀର୍ବାଦ କଲେ ଓ ମତେ ଦେଖେଇଲେ ଓଡ଼ିଆ ସଙ୍ଗୀତର ଶୁଦ୍ଧତା ଓ ପ୍ରାଣକୁ ନଷ୍ଟ କରୁଥିବା ଅଶ୍ଳୀଳ ଆଲବମ୍‌ ଗୀତର ଶହ ଶହ ଧାଡ଼ି, ଯାହାକୁ ସେ ପଞ୍ଜିକୃତ କରି ରଖିଚନ୍ତି। ସେ କହିଲେ ଏ ଅଶ୍ଳୀଳତା ଓ ନିମ୍ନ ଗୁଣର ଗୀତର ଜୁଆର ଅସୁମାରି ହେଇଗଲାଣି। ତୁମେ ‘ମାୟାଦର୍ପଣ’ ପରି ପ୍ରକଳ୍ପ କଲେ ହିଁ ୟା’ର ପ୍ରତିରୋଧ ହୋଇ ପାରିବ।

ବ୍ୟକ୍ତିତ୍ବରୁ ସମାଜ ପର୍ଯ୍ୟନ୍ତ ସବୁ ବିଷୟରେ ସ˚ବେଦନଶୀଳ, ସଙ୍ଗୀତର ଅନ୍ତରଙ୍ଗ, ସୁରୁଚି ଓ ସଭ୍ୟତା ପ୍ରତି ଜାଗରୁକ ଶାନ୍ତନୁ ମହାପାତ୍ରଙ୍କୁ ମୁଁ ଆଖି ବୁଜି ମନେ ପକେଇଲେ ମତେ ଦିଶେ ସି˚ହର କେଶର ପରି ଲମ୍ବା ବାଳ ଥିବା ଏକ ଅମିତ ବିକ୍ରମର ମୁହଁ, ଯେଉଁଥିରେ ଦର୍ପ ବି ଅଛି; ଆଉ ନିଷ୍ଠା ବି ଅଛି।

ଆଲମଚାନ୍ଦ ବଜାର, କଟକ

ସମ୍ବନ୍ଧିତ ଖବର