‘‘ନକ୍ଷତ୍ର ପୁରୁଷ’’ ବୋଲି କେହି ତା’ଙ୍କ ମୁଣ୍ତରେ ଶିରିପା ଭିଡ଼ି ନାହିଁ କି କାନ୍ଧରେ ଦୋସଡ଼ା ପକାଇ ନାହିଁ। ସେ ନାମ ଧରି କୌଣସି ସାମାଜିକ ଅନୁଷ୍ଠାନ ବା ବ୍ୟକ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିନାହାନ୍ତି। ସେ ଥିଲେ ସେ ଭଳି ଉପଚାରର ଊର୍ଦ୍ଧ୍ବରେ। ମାତ୍ର ଅସାଧାରଣ ବିଦ୍‌ବତ୍ତା ଓ ଗବେଷଣା ଲାଗି ୧୮୯୩ ସେପ୍ଟେମ୍ବର ୨୮ ତାରିଖରେ ତତ୍‌କାଳୀନ ଇ˚ରେଜ ସରକାର ତା’ଙ୍କୁ ‘ମହାମହୋପାଧୢାୟ’ ଉପାଧିରେ ଭୂଷିତ କରିଥିଲେ। ସେଇକଥାକୁ ଲକ୍ଷ୍ୟ କରି କବିବର ରାଧାନାଥ ରାୟ ଲେଖିଥିଲେ-
‘‘ଜାଣେ ମୁଁ ନ ଥିଲ ସମ୍ମାନ ଆଶାୟୀ
ସମ୍ମାନ ତୁମ୍ଭଙ୍କୁ ଲୋଡ଼ିନେଲା ଯାଇ
ତୁମ୍ଭ ମୁଖ୍ୟ କର୍ମ ତପ ଆଚରିବା
ଦୁନିଆର ଯଶେ ଯାଏ ଆସେ କିବା!’’

Advertisment

ଅଥଚ ସେ ଥିଲେ ଓ ଆଜି ବି ଅଛନ୍ତି ସାରା ଭାରତର କ୍ଷଣଜନ୍ମା ଅଘୋଷିତ ‘‘ନକ୍ଷତ୍ର ପୁରୁଷ’’। ଆକାଶର ନକ୍ଷତ୍ରମାନେ ଥିଲେ ତାଙ୍କର ପରମ ବନ୍ଧୁ, ଚିର ସହଚର। ଖାଲି ଆଖିରେ ଗ୍ରହ ନକ୍ଷତ୍ରମାନଙ୍କର ସେ ଯେତେ ସାଙ୍ଗ ହୋଇଛନ୍ତି, ସେମାନଙ୍କର ଗତିବିଧି ଲକ୍ଷ୍ୟ କରିଛନ୍ତି, ଅଧିକରୁ ଅଧିକ ଜାଣିବା ଲାଗି ପ୍ରାଣପାତ କରିଛନ୍ତି, ନିକଟତର ହୋଇଛନ୍ତିି, ସେମିତି ଆଉ କିଏ କେଉଁଠି ହୋଇଛନ୍ତି ବା କରିଛନ୍ତି?

ପିଲାଦିନୁ ତାଙ୍କର ସମ୍ପର୍କ ଯୋଡ଼ି ହୋଇଯାଇଥିଲା ଆକାଶ ସହିତ। ଶିଶୁ ‘ଭରତ’ ଶୈଶବରେ ସି˚ହ ଶାବକମାନଙ୍କ ସହ ଖେଳିବା ଭଳି ଆକାଶର ଏ ନୈସର୍ଗିକ ବିଭୂତିମାନଙ୍କ ସହ ସେ ସମ୍ବନ୍ଧିତ ହୋଇଥିଲେ। ଖେଳୁ ଖେଳୁ ଖରା ଓ ଛାଇର ମାପ ରଖି କେତେ ନିଃଶ୍ବାସରେ ଏହା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଉଛି ତାହା ଅନୁଧୢାନ କରିବା ଥିଲା ତାଙ୍କର ଅଦ୍‌ଭୁତ ସୁଖ। ଆକାଶରେ ଉଡୁଥିବା ଶାଗୁଣାମାନଙ୍କର ଗତିକୁ ଲକ୍ଷ୍ୟ କରିବା, ସେମାନଙ୍କର ସ˚ଖ୍ୟା ଗଣିବା ଆଦି କାର୍ଯ୍ୟରେ ସେ ଅତ୍ୟନ୍ତ ନିମଜ୍ଜିତ ହୋଇ ଯାଉଥିଲେ। ପିଲାମାନେ ସ୍ବଭାବତଃ ମାଟିକୁ ଲକ୍ଷ୍ୟ କରନ୍ତି। ଭୂଇଁରେ ଚାଲୁଥିବା ପୋକ ଜୋକ ସେମାନଙ୍କ ଆଖିକୁ ଅଧିକ ଦିଶେ। ଅଥଚ ତାଙ୍କର ପିଲାଦିନର ଆଖି ଲାଖି ରହିଥିଲା ଆକାଶରେ। ସନ୍ଧ୍ୟାରେ ତାରାମାନେ ଆକାଶର ଅଗଣାକୁ ଆସି ଅନ୍ୟମାନଙ୍କୁ ଦେଖାଯିବା ପୂର୍ବରୁ ଆଗ ଦିଶୁଥିଲେ ତାଙ୍କୁ। ଗୋଧୂଳି ସମୟରେ ସେ ଖେଳ-ସାଙ୍ଗମାନଙ୍କୁ ଡାକି କହୁଥିଲେ, ଏଇ ଦେଖ ସେ ତାରାଟି କେତେ ଉଜ୍ଜ୍ବଳ ଦିଶୁଛି, ସେ ତାରାଟି କେମିତି ଧୀରେ ଧୀରେ ଚାଲୁଛି। ସାଙ୍ଗ ପିଲାମାନେ ଦେଖି ନ ପାରି ଆଁ କରି ଚାହୁଁଥିଲେ ଶୂନ୍ୟ ମଣ୍ତଳକୁ। ଅଦ୍‌ଭୁତ।

ପାଞ୍ଚବର୍ଷ ମାତ୍ର ହୋଇଥିଲା। ହଠାତ୍‌ ଦିନବେଳେ ଦିନେ ଶୁକ୍ରତାରା ଦେଖାଗଲା। ସେ ପାଟିକରି ଉଠିଲେ ‘‘ହେଇଟି ଗୋଟିଏ ତାରା।’’ ଆଉ କାହାକୁ ଦେଖାଯାଉନାହିଁ ଅଥଚ ତାଙ୍କୁ ଦିଶୁଛି। ପିତା ଶ୍ୟାମବନ୍ଧୁ ସି˚ହ ନିଜେ ଥିଲେ ସ˚ସ୍କୃତ, କାବ୍ୟ, ନାଟକ, ବ୍ୟାକରଣ, ସ୍ମୃତିଶାସ୍ତ୍ର, ଗଣିତ ଶାସ୍ତ୍ର, ଭକ୍ତି ଗ୍ରନ୍ଥ ତଥା ଗୋସ୍ବାମୀ ଗ୍ରନ୍ଥରେ ପ୍ରବୀଣ। ଶାସ୍ତ୍ର ଅନୁସାରେ ଦିବସରେ ନକ୍ଷତ୍ର ଦର୍ଶନ ଦୋଷାବହ। ଅତଏବ ସଙ୍ଗେ ସଙ୍ଗେ ଦୋଷ ନିବାରଣ ନିମିତ୍ତ ଠାକୁରଙ୍କ ନିକଟରେ ସ୍ତୋତ୍ର ପାଠ କରାଯାଇଥିଲା। ହେଲେ ଚନ୍ଦ୍ରଶେଖର ସେଇ ଶୈଶବରୁ ହିଁ ସଖ୍ୟ ସ୍ଥାପନ କରିଥିଲେ ଗ୍ରହ, ଉପଗ୍ରହ, ନକ୍ଷତ୍ରମାନଙ୍କ ସହିତ। ଆକାଶ ଥିଲା ଚଟାଣ, ନକ୍ଷତ୍ରମାନେ ଅକ୍ଷର ଓ ତାଙ୍କ ଆଖି ପାଲଟିଥିଲା ଫୁଲଖଡ଼ି। ସେ ଲେଖାରେ ଆଉ ବିରାମ ନ ଥିଲା। ସୂର୍ଯ୍ୟଙ୍କର ଗତି ଓ ଚଳନକୁ ମଧୢ ସେ ସେଇ ବୟସରୁ ଅନୁଧୢାନ କରୁଥିଲେ। ପୃଥିବୀ ଲାଗି ସୂର୍ଯ୍ୟ ତ ପ୍ରଧାନ ନକ୍ଷତ୍ର। ଗଛର ଛାଇ ମାପିବା କୌତୁକରେ ମାତିଥିଲେ ସେ। ସକାଳେ ଗଛର ଛାଇ କେତେ ଦୂର ଯାଏ ତା’କୁ ମାପିବା ଥିଲା ସେ ଖେଳର ଏକ ସାଧାରଣ ଅ˚ଶ।

ଅତଏବ ନକ୍ଷତ୍ରକୁ ନେଇ ଯେ ପାଠପଢ଼ା ତାଙ୍କର ଆରମ୍ଭ ହୋଇଥିଲା ମାତ୍ର ନଅବର୍ଷ ବୟସରୁ। ପିତା ଶ୍ୟାମବନ୍ଧୁ ସି˚ହ ହିଁ ଯୋଗାଇଦେଇଥିଲେ ଗୋଟିଏ ପରେ ଗୋଟିଏ ଗ୍ରନ୍ଥ। ନକ୍ଷତ୍ର ପରିଚୟ, ଶ୍ରୀପତି ଜାତକ, ଜାତକାଳଙ୍କାର, ଶ୍ରୀନିବାସ ଦୀପିକା, ବୃହଜ୍ଜାତକ, ସର୍ବାର୍ଥ ଚିନ୍ତାମଣି, ଉଡୁଦାୟ ପ୍ରଦୀପ, ଜ୍ୟୋତିଷ ଚନ୍ଦ୍ରୋଦୟ, କାଳିଦାସଙ୍କ ଦ୍ବାରା ଲିଖିତ ଜ୍ୟୋତିର୍ବିଦାଭରଣ, ଲଘୁଜାତକ, ଜ୍ୟୋତିଷାର୍ଣ୍ଣବ ଓ ବୃହତ୍‌ପାରାଶରୀ ଭଳି ଦୁର୍ଲଭ ପୋଥିଗୁଡ଼ିକ ସହ ତାଙ୍କର ପରିଚୟ ହୋଇଥିଲା ସେଇ ଆଦ୍ୟ କାଳରୁ।

ପାଠ ପଢ଼ିବା ଲାଗି ଆମେ ପିଲାମାନଙ୍କୁ ଅକ୍ଷର-ଶିକ୍ଷା ଦେଉ। ବ୍ରହ୍ମା, ବିଷ୍ଣୁ, ମହେଶ୍ବର କହି ମୁଣ୍ତୁଳା ବୁଲାଉ। ତାହା ବି ହୋଇଥିବ ଚନ୍ଦ୍ରଶେଖରଙ୍କ କ୍ଷେତ୍ରରେ। ମାତ୍ର ଅକ୍ଷର-ଶିକ୍ଷା ସହ ନକ୍ଷତ୍ର-ଶିକ୍ଷା ସେ ଆରମ୍ଭ କରିଥିଲେ ଆପଣାର ଅନ୍ତର୍ପ୍ରେରଣାରେ। ପରବର୍ତ୍ତୀ କାଳରେ ପୁଅର ଆଗ୍ରହ ଦେଖି ପିତା ଶ୍ୟାମବନ୍ଧୁ ତା’ଙ୍କୁ ଏଥିରେ ହୁଏତ ଦୀକ୍ଷିତ କରାଇଥିଲେ। ଜ୍ୟୋତିସ୍ତତ୍ତ୍ବ ପାଲଟିଥିଲା ତାଙ୍କର ଆଜୀବନ ସାଧନାର କ୍ଷେତ୍ର। ଯାହାର ହ˚ସଗୀତି ହେଉଛି ‘‘ସିଦ୍ଧାନ୍ତ ଦର୍ପଣ’’। ସିଦ୍ଧାନ୍ତ ଦର୍ପଣ ଚନ୍ଦ୍ରଶେଖରଙ୍କୁ କେବଳ ବିଶ୍ବବିଦିତ କରାଇନଥିଲା, ସେଇ ମାଧୢମରେ ତାଙ୍କର ଜନ୍ମଭୂମି ଖଣ୍ତପଡ଼ା ସହ ଉତ୍କଳ ବି ପାଇଥିଲା ବିଶ୍ବ ପରିଚିତି। ଭାରତବର୍ଷର ଜ୍ୟୋତିର୍ବିଜ୍ଞାନ ଇତିହାସରେ ଯୋଡ଼ି ହୋଇ ଯାଇଥିଲା ଏକ ଚିର ଦେଦୀପ୍ୟମାନ ଅମୂଲ୍ୟ ବୈଦୁର୍ଯ୍ୟ। ଯେଉଁଥିପାଇଁ ରାଧାନାଥ ପୁଣି ଲେଖିଥିଲେ- ‘‘ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ/ନର ଦେହେ ଥିବ ଯାବତ ହୃଦୟ।’’ ଏ ଅଲୌକିକ କୃତିର ଯାବତ ସ୍ଥାୟିତ୍ବ ସମ୍ପର୍କରେ ବନ୍ଦନା ଏଇଥିପାଇଁ ଯେ ଜୀବନ ବ୍ୟାପୀ ରାତି ଉଜାଗର ରହି ଚନ୍ଦ୍ରଶେଖର ଯେଉଁ ଆଖିଦେଖା ସତ (ଦୃକ୍‌ସିଦ୍ଧ-ସତ୍ୟ) ସେଥିରେ ଲିପିବଦ୍ଧ କରିଛନ୍ତି ତାହା କାଳର କଷଟି ପଥରରେ ଚିରକାଳ ଏଇଭଳି ସମୁଜ୍ଜ୍ବଳ ରହିବ।

ସାମନ୍ତ ଚନ୍ଦ୍ରଶେଖର ସି˚ହ ହରିଚନ୍ଦନ ମହାପାତ୍ର। ମାତ୍ର ୬୮ ବର୍ଷର ଜୀବନ ଖ୍ରୀଷ୍ଟାବ୍ଦ ୧୮୩୫ରୁ ୧୯୦୪। ଜନ୍ମ ଶକାବ୍ଦ ୧୭୫୭। ୬୯ ପୂରିନାହିଁ। ପଠାଣି ସାମନ୍ତ ନାମରେ ସାରା ଓଡ଼ିଶାରେ ସେ ବିଦିତ। ଆବିର୍ଭାବ ପୌଷ କୃଷ୍ଣାଷ୍ଟମୀ ଓ ତିରୋଧାନ ଜ୍ୟେଷ୍ଠ କୃଷ୍ଣ-ଦ୍ବାଦଶୀ। ତିରୋଧାନ ସମୟରେ ଉତ୍କଳର ସମସ୍ତ ସ୍ରଷ୍ଟା-ପୁରୁଷ ଉନ୍ମୁଖ ହୋଇ ଉଠିଛନ୍ତି ତା’ଙ୍କର ଯଶୋଗାନରେ, ବ୍ୟାସକବି ଫକୀରମୋହନଙ୍କ ଠାରୁ ଉତ୍କଳମଣି ଗୋପବନ୍ଧୁ; ପଲ୍ଲୀକବି ନନ୍ଦକିଶୋରଙ୍କ ଠାରୁ କାନ୍ତକବି ଲକ୍ଷ୍ମୀକାନ୍ତ; ପଣ୍ତିତ ଗୋଦାବରୀଶଙ୍କ ଠାରୁ ଉତ୍କଳ ଭାଷା-ସାହିତ୍ୟ-ପ୍ରାଣ ବିଚ୍ଛନ୍ଦ ଚରଣ ପଟ୍ଟନାୟକ। କିଏ ଶ୍ରଦ୍ଧା ନିବେଦନ କରିନାହିଁ? ଆପେ ଆପେ ଝରିପଡ଼ିଛି ଭକ୍ତି ଅର୍ଘ୍ୟ। ରାଧାନାଥ ପୁନଶ୍ଚ ବାଢ଼ିଛନ୍ତି- ‘‘ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।’’

ଯଶ ଜଗତରେ କାହିଁକି ଆୟୁଷ୍ମାନ ସାମନ୍ତ ଚନ୍ଦ୍ରଶେଖର? ଜ୍ୟୋତିଷ ଶାସ୍ତ୍ର ଆଜି ନିଶ୍ଚିତ ଭାବରେ ପାଠ ଜଗତର ଶୀର୍ଷରେ ନାହିଁ। ପାଠ ସବୁବେଳେ ସମୟ ଅନୁସାରୀ। ଗତକାଲି ଯେଉଁ ବିଦ୍ୟା ଲୋକକ୍ଷେତ୍ରରେ ସାଧନା-ପ୍ରିୟ ଥିଲା ଆଜି ହୁଏତ ତାହା ଆଉ ସେପରି ନାହିଁ। ଧନୁର୍ବିଦ୍ୟାରେ ଧୁରନ୍ଧର ଶୂର ବୀର ଆଉ କାହାକୁ କୁହାଯାଉନାହିଁ ହେଲେ କିଛି କିଛି ବିଦ୍ୟା ଚିରକାଳ ମାନବ ସମାଜର କଲ୍ୟାଣକାମୀ ଓ କାମ୍ୟ। ଜ୍ୟୋତିଷ-ଶାସ୍ତ୍ର ସେହିଭଳି ଏକ ବିଦ୍ୟା।

କୁହାଯାଏ ଯେ ମନୁଷ୍ୟର ସଭ୍ୟତା ଯେତିକି ପୁରୁଣା ଜ୍ୟୋତିଷ ଶାସ୍ତ୍ରର ଇତିହାସ ସେତିକି ପ୍ରାଚୀନ। ସଭ୍ୟତାର ପ୍ରାରମ୍ଭ କାଳରୁ ଆଦି ମାନବକୁ ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ବିସ୍ମିତ କରାଇଥିବ ନିଶ୍ଚିତ। ସେଇଥିରୁ ଜନ୍ମ ନେଇଛି ଏ ପାଠର ଧାରା। ପରବର୍ତ୍ତୀ କାଳରେ ଅଧିକା˚ଶ ଶାସ୍ତ୍ରରେ ଏହା ସ୍ଥାନ ପାଇଛି। ଋଗ୍‌ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବବେଦ ଠାରୁ ଆରମ୍ଭ କରି ଛାନ୍ଦୋଗ୍ୟଉପନିଷଦ୍‌, ମୁଣ୍ତକ ଉପନିଷଦ୍‌ ଓ ବିଷ୍ଣୁପୁରାଣରେ ଜ୍ୟୋତିଷଶାସ୍ତ୍ରର ଚର୍ଚ୍ଚା ଅଙ୍ଗୀଭୂତ। ଏଠାରେ ମନେ ରଖିବା ଆବଶ୍ୟକ ଯେ ପ୍ରାଚୀନ ଭାରତରେ ବୈଦିକ କର୍ମକାଣ୍ତସ୍ଥ ଯଜ୍ଞାଦି କାର୍ଯ୍ୟବିଧି ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏବ˚ ଏଥିପାଇଁ ଉପଯୁକ୍ତ କାଳ ଓ ମୁହୂର୍ତ୍ତର ଗଣନା ଅପରିହାର୍ଯ୍ୟ। ଜ୍ୟୋତିଷଶାସ୍ତ୍ରର ମୂଳତତ୍ତ୍ବ ହେଉଛି ଏ କାଳଗଣନା। ଖାସ୍‌ ସେଇଥିପାଇଁ ଜ୍ୟୋତିଷଶାସ୍ତ୍ରକୁ ବେଦର ଚକ୍ଷୁ ବୋଲି କୁହାଯାଇଛି। ସାମନ୍ତ ଚନ୍ଦ୍ରଶେଖର ମଧୢ ସିଦ୍ଧାନ୍ତ ଦର୍ପଣରେ ଏହି ବିଦ୍ୟାକୁ ବେଦରୂପୀ ଭଗବାନଙ୍କର ଚକ୍ଷୁରୂପେ ବର୍ଣ୍ଣନା କରିଛନ୍ତି।

ବେଦର ଅର୍ଥ ଜ୍ଞାନ। ଭଗବାନ ହେଉଛନ୍ତି ଜ୍ଞାନ-ସ୍ବରୂପ। ସେଥିରେ ପୁଣି ବେଦର ଯେ ଛଅଗୋଟି ଅଙ୍ଗ- ଶିକ୍ଷା, କଳ୍ପ, ଛନ୍ଦଃ, ବ୍ୟାକରଣ, ନିରୁକ୍ତ ଓ ଜ୍ୟୋତିଷ ସେଥିରୁ ଜ୍ୟୋତିଷଶାସ୍ତ୍ର ହିଁ ପ୍ରଧାନ। ଅପରପକ୍ଷରେ ଜ୍ୟୋତିଷଶାସ୍ତ୍ରର ଯେ ତିନିଗୋଟି ଧାରା- ହୋରା, ସ˚ହିତା ଓ ସିଦ୍ଧାନ୍ତ ତନ୍ମଧୢରୁ ଗ୍ରହନକ୍ଷତ୍ରମାନଙ୍କର ଅବସ୍ଥାନ, ଗତିବିଧି ନିରୂପଣ, ଖଗୋଳ ଓ ଭୂଗୋଳବିଚାର ହିଁ ସିଦ୍ଧାନ୍ତର ମୂଳତତ୍ତ୍ବ। ହୋରାରେ ଥାଏ ଜାତକ ବିଚାର, ସ˚ହିତାରେ ଘଟନା ବିଚାର ଏବ˚ ସିଦ୍ଧାନ୍ତରେ ପର୍ଯ୍ୟବସିତ ଥାଏ ସମଗ୍ର ଭୂମାର ହିସାବ ନିକାଶ। ଏହି ସିଦ୍ଧାନ୍ତର ଶୁଦ୍ଧ ଗଣନା ଉପରେ ହୋରା ଓ ସ˚ହିତାର ସଫଳତା ନିର୍ଭରଶୀଳ ଥିବାରୁ ‘ସିଦ୍ଧାନ୍ତ’କୁ ଜ୍ୟୋତିଷଶାସ୍ତ୍ରର ଶ୍ରେଷ୍ଠସ୍କନ୍ଧ ଭାବରେ ଗ୍ରହଣ କରାଯାଇଛି।

ଭାରତବର୍ଷର ଯେଉଁ ପ୍ରଧାନ ସିଦ୍ଧାନ୍ତଗୁଡ଼ିକ ଆମ ପାଖରେ ଉପଲବ୍‌ଧ ସେଥିରୁ ପାଞ୍ଚଗୋଟି ହିଁ ପ୍ରଧାନ। ଯଥା ସୂର୍ଯ୍ୟ ସିଦ୍ଧାନ୍ତ, ବ୍ରହ୍ମ ସିଦ୍ଧାନ୍ତ, ସୋମ ସିଦ୍ଧାନ୍ତ, ଲୋମଶ ସିଦ୍ଧାନ୍ତ ଓ ଆର୍ଯ୍ୟସିଦ୍ଧାନ୍ତ। ମିଳୁଥିବା ଜ୍ୟୋତିର୍ବିଜ୍ଞାନର ପ୍ରାମାଣିକ ତଥ୍ୟ କିନ୍ତୁ ଆର୍ଯ୍ୟଭଟ୍ଟଙ୍କର ଆର୍ଯ୍ୟ ସିଦ୍ଧାନ୍ତରୁ ଆରମ୍ଭ। ଏ ଗ୍ରନ୍ଥ ସେ ୪୭୬ ଖ୍ରୀଷ୍ଟାବ୍ଦରେ ମାତ୍ର ୨୩ ବର୍ଷ ବୟସରେ ପ୍ରଣୟନ କରିଥିଲେ। ତାଙ୍କ ପରେ ଜ୍ୟୋତିର୍ବିଜ୍ଞାନର ଏ ଅଲୌକିକ ସାଧନାକ୍ରମରେ ଆସିଛନ୍ତି ବରାହମିହିର (୪୯୯ ଖ୍ରୀଷ୍ଟାବ୍ଦ), ବ୍ରହ୍ମଗୁପ୍ତ (୫୯୮ ଖ୍ରୀଷ୍ଟାବ୍ଦ), ସୁଧାକର ଦ୍ବିବେଦୀ (ଦଶମ ଶତାବ୍ଦୀ), ଶତାନନ୍ଦ (ଏକାଦଶ ଶତାବ୍ଦୀ), ଭାସ୍କରାଚାର୍ଯ୍ୟ (୧୧୧୪ ଖ୍ରୀଷ୍ଟାବ୍ଦ)। ଭାସ୍କରାଚାର୍ଯ୍ୟ ମହୋଦୟ ତାଙ୍କର ପ୍ରଧାନ ଗ୍ରନ୍ଥ ‘ସିଦ୍ଧାନ୍ତ ଶିରୋମଣି’ ରଚନା କରିଥିଲେ ମାତ୍ର ୩୬ ବର୍ଷ ବୟସରେ। ଭାସ୍କରାଚାର୍ଯ୍ୟଙ୍କ ପରେ ୪୦୦ ବର୍ଷ ଅନ୍ତେ ଆଚାର୍ଯ୍ୟ ଗଣେଶ ପ୍ରକାଶ କରିଛନ୍ତି ‘ଗ୍ରହଲାଘବ’ ଓ ତାଙ୍କ ପରେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସଭାପଣ୍ତିତ କମଳାକର ଭଟ୍ଟ ପ୍ରକାଶ କରିଛନ୍ତି ‘‘ସିଦ୍ଧାନ୍ତ ତତ୍ତ୍ବ-ବିବେକ’’।

ଏ ସାଧନାକ୍ରମ ପୁଣି ପ୍ରତିଭାତ ହୋଇଛି ସାମନ୍ତ ଚନ୍ଦ୍ରଶେଖରଙ୍କ ନିକଟରେ। ସେ ହିଁ ଭାରତୀୟ ଜୋତିର୍ବିଜ୍ଞାନର ସର୍ବଶେଷ ସିଦ୍ଧାନ୍ତକାର। ତାଙ୍କର ‘‘ସିଦ୍ଧାନ୍ତ ଦର୍ପଣ’’ ଗ୍ରନ୍ଥରେ ଆର୍ଯ୍ୟଭଟ୍ଟଙ୍କର ‘‘ଆର୍ଯ୍ୟ ସିଦ୍ଧାନ୍ତ’’ ଓ ଭାସ୍କରାଚାର୍ଯ୍ୟଙ୍କର ‘‘ସିଦ୍ଧାନ୍ତ ଶିରୋମଣି’’ର ଉଦ୍ଧୃତି ବିଶେଷ ପ୍ରଣିଧାନଯୋଗ୍ୟ। ସାମନ୍ତଙ୍କର ‘‘ସିଦ୍ଧାନ୍ତ ଦର୍ପଣ’’ର ଶ୍ଳୋକସ˚ଖ୍ୟା ୨୫୦୦ ଏବ˚ ସେଥିମଧୢରୁ ୨୨୮୪ଟି ସ୍ବରଚିତ ଓ ୨୧୬ଟି ଉଦ୍ଧୃତ। ୨୪ଟି ପ୍ରକାଶରେ ବିଭକ୍ତ ସିଦ୍ଧାନ୍ତ ଦର୍ପଣରେ ସବୁଠାରୁ ଅଧିକ ଉଦ୍ଧୃତ ହୋଇଛନ୍ତି, ଭାସ୍କରାଚାର୍ଯ୍ୟ। ସାମନ୍ତ ଚନ୍ଦ୍ରଶେଖରଙ୍କୁ ବିଦ୍ବାନଗଣ ସେଥିପାଇଁ ଦ୍ବିତୀୟ ଭାସ୍କରାଚାର୍ଯ୍ୟ ଭାବେ ତୁଳନା କରନ୍ତି। ସାମନ୍ତ ଦୀର୍ଘ ୨୦ ବର୍ଷ କାଳ ସାଧନା କରି ୩୪ ବର୍ଷ ବୟସରେ ସମାପ୍ତ କରିଛନ୍ତି ତାଙ୍କର ଅମୂଲ୍ୟଗ୍ରନ୍ଥ।

ମନରେ ପ୍ରଶ୍ନ ଉଠିପାରେ ଯେ ଏତେ ସିଦ୍ଧାନ୍ତ ଥାଉ ଥାଉ ପୁଣି ଏକ ସିଦ୍ଧାନ୍ତ କାହିଁକି?

ଏହିଠାରେ ରହିଛି ଚନ୍ଦ୍ରଶେଖରଙ୍କ ବିଶେଷତ୍ବ ଏବ˚ ଆମ ପାଇଁ ଶିକ୍ଷା। ନିଜେ ଗଣନା କରି ସେ ଦେଖିଥିଲେ ପୂର୍ବର ପାରମ୍ପରିକ ଗଣନାରେ କିଛି କିଛି ତ୍ରୁଟି ବିଚ୍ୟୁତି ରହିଛି। ଶାସ୍ତ୍ରରେ ଯେ ଅଛି ‘‘ସା ବିଦ୍ୟା ୟା ବିମୁକ୍ତୟେ’’, ତା’ର ମୂଳ ଅର୍ଥ ହେଲା ଅଜ୍ଞାନ ବା ସ˚ଶୟରୁ ମୁକ୍ତିଲାଭ କରିବା। ପୂର୍ବରୁ ଥିବା ଗାଣିତିକ ସ˚ଶୟକୁ ଦୂରକରି ଏ ନକ୍ଷତ୍ର ପୁରୁଷ ଆମ ଆଗରେ ଯେଉଁ ମୌଳିକ ଜ୍ଞାନ ବାଢ଼ି ଦେଇ ଯାଇଛନ୍ତି ତାହା ଅତୁଳନୀୟ। ଚନ୍ଦ୍ରଶେଖର ମଣିଷ ହୋଇ ଜନ୍ମ ହୋଇଥିଲେ ସତ୍ୟ ହେଲେ ଜ୍ୟୋତିଶ୍ଚକ୍ରର ମହିମାମୟ ବିଭୂତି ଚିରକାଳ ଥିଲା ତାଙ୍କର ପ୍ରାଣପୋଷକ ଖାଦ୍ୟ। ଏଇ ଜ୍ଞାନ-ନିଷ୍ଠା ହିଁ ଆଜିର ଦିନରେ ଆମ ପାଇଁ ଅଧିକ ପ୍ରେରଣା-ଦାୟୀ।

ନିଜ ପ୍ରଚେଷ୍ଟାରେ ପାରମ୍ପରିକ କେତେଗୋଟି ହାତଗଢ଼ା ଉପକରଣର ବିକାଶ କରି ସେ ମୌଳିକ ଗବେଷଣାରେ ବିନିଯୁକ୍ତ ହୋଇଥିଲେ। ଏବ˚ ସେଇ ନଳ କାଠି ମାଧୢମରେ ନିର୍ଭୁଲ ଗଣନା ହିଁ ତାଙ୍କୁ ସ୍ବଦେଶୀ ଜ୍ଞାନକୌଶଳର ଉଦ୍‌ଗାତା ଭାବେ ଜଣେ ଅଦ୍ବିତୀୟ ବୈଜ୍ଞାନିକର ପ୍ରତିଷ୍ଠା ପ୍ରଦାନ କରେ।

‘‘ସିଦ୍ଧାନ୍ତ ଦର୍ପଣ’’ର ଗାଣିତିକ ମୌଳିକତା ଓ ସାହିତ୍ୟିକ ବୈଶିଷ୍ଟ୍ୟ ଆମକୁ ଆଜି ଏ ଅଲୌକିକ ‘ନକ୍ଷତ୍ର ପୁରୁଷ’ଙ୍କ ନିକଟରେ ନତମସ୍ତକ ହେବାକୁ ବାଧୢ କରୁଛି। ଗ୍ରହମାନଙ୍କର ସ୍ଥାନର ଗଣନା ପଦ୍ଧତିକୁ ସୂକ୍ଷ୍ମତର କରିବା, କଳ୍ପରେ ଗ୍ରହମାନଙ୍କର ପରିଭ୍ରମଣ ଓ ଧ୍ରୁବ ସ˚ଖ୍ୟାରେ ପରିମାର୍ଜନା, ଚନ୍ଦ୍ରର ସ୍ଫୁଟ ବିଚାରରେ ତୁଙ୍ଗାନ୍ତର, ପାକ୍ଷିକ ଓ ଦିଗ˚ଶ ନିରୂପଣରେ ସ୍ବାତନ୍ତ୍ର୍ୟ, ପର୍ଯ୍ୟବେକ୍ଷଣ ଦ୍ବାରା ଅୟନ ଗତିର ନିର୍ଭୁଲତା ସଙ୍ଗକୁ ସୂର୍ଯ୍ୟ ଓ ପୃଥିବୀର ଘୂର୍ଣ୍ଣନ ସ˚କ୍ରାନ୍ତୀୟ ପ୍ରାଚୀନ ତଥା ଆଧୁନିକ ମତର ସ˚ଯୋଜନକାରୀ ପରିପୋଷକତା ହିଁ ସାମନ୍ତଙ୍କ ସିଦ୍ଧିର ସ୍ବାତନ୍ତ୍ର୍ୟ। ସେହିପରି ପୂରା ଗ୍ରନ୍ଥଟିରେ ଶ୍ରୀମନ୍ଦିରର ନଖଶିଖର ସୁନ୍ଦର ବର୍ଣ୍ଣନା, ପ୍ରତିଟି ପ୍ରକାଶରେ ଦିଶାବତାରୀ ଜଗନ୍ନାଥଙ୍କର ବନ୍ଦନା ସଙ୍ଗକୁ ଶବ୍ଦାଳଙ୍କାର ପ୍ରୟୋଗରେ ଚମତ୍କାରିତା ତଥା ଗୌଡ଼ି-ରୀତି‌େର ଶ୍ଳୋକରଚନାର ପାଟବ ଚନ୍ଦ୍ରଶେଖରଙ୍କ ଏ ଅସାଧାରଣ କୃତିକୁ ଅନତିକ୍ରମ୍ୟ କରିଛି।

‘‘ନକ୍ଷତ୍ର ପୁରୁଷ’’ ଚନ୍ଦ୍ରଶେଖର ବୁଦ୍ଧି ଓ ହୃଦୟର ଜଣେ ଅନୁପମ ସମାହାର।

ଏ ବର୍ଷ ଜାନୁଆରି ୬ ତାରିଖରେ ଜନ୍ମତିଥି ଅନୁଯାୟୀ ତାଙ୍କର ଜୟନ୍ତୀ ପାଳିତ ହୋଇଛି। କହିବାର ଅଛି, ଉତ୍କଳକୁ ପରିଚୟ ଦେଇଥିବା ଏ ମହାମନା ସାଧକଙ୍କର କର୍ମନିଷ୍ଠା ଓ ବିଦ୍ୟୋତ୍ସାହ ଆମ ସମସ୍ତଙ୍କୁ ପ୍ରଚୋଦିତ କରୁ। ଆମେ ଯେ ଜ୍ଞାନର ଉପାସକ ଥିଲୁ ଓ ଅଛୁ ଏ ଅନୁପ୍ରେରଣା ଆମର ଅସ୍ଥି ମଜ୍ଜାଗତ ହେଉ।

[email protected]