ମୋ ହୃଦୟର ବାବୁଆନ୍ନା

ଶ୍ରଦ୍ଧାଞ୍ଜଳି - ଦେବାଶିଷ ମହାପାତ୍ର

ସେ ଓଡ଼ିଆ ତଥା ଆଉ କିଛି ଭାଷାଭାଷୀ ଶ୍ରୋତାଙ୍କ ପାଇଁ ପରିଚିତ ସଙ୍ଗୀତ ସ୍ରଷ୍ଟା ଶାନ୍ତନୁ ମହାପାତ୍ର। ହେଲେ ମୋ ପାଇଁ ମୋ ବଡ଼ ଭାଇ ବାବୁଆନ୍ନା ଏବଂ ସେ ମୋର ପିତୃତୁଲ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ସଂସାର ଓ ସଙ୍ଗୀତ; ଉଭୟ ଜାଗାରେ ସେ ଥିଲେ ମୋ ପାଇଁ ଅନ୍ତରଙ୍ଗ ସହୋଦର। ତାଙ୍କ ଅନୁଶାସନରେ ତ ଆମେ ଭାଇଭଉଣୀମାନେ ମଣିଷ ହେଇଛୁ ପୁଣି ତାଙ୍କ ଅକଳନ୍ତି ସ୍ନେହ ଆମକୁ ଅଲିଅଳ, ‌େଗହ୍ଲାବସର କରି ଗଢ଼ିତୋଳିଛି। ଆମକୁ ପ୍ରତିଭାସମ୍ପନ୍ନ ଓ ସ୍ବାବଲମ୍ବୀ କରିବାରେ ତାଙ୍କର ବଡ଼ ଅବଦାନ ଥିଲା। କେବଳ ସେତିକି ନୁହେଁ ଜୀବନରେ ମାନବଧର୍ମ ଆମେ ଭାଇଭଉଣୀମାନେ ତାଙ୍କ ଠାରୁ ହିଁ ଶିଖିଛୁ। ତାଙ୍କ ଅନୁପସ୍ଥିତି ଆଖିରୁ ଅବାରିତ ଅଶ୍ରୁ ନିଗାଡ଼ୁଛି।

ଆମେ ଚାରିଭାଇ, ଛଅ ଭଉଣୀ। ବାବୁଆନ୍ନା ବାପା-ମାଆଙ୍କର ଦ୍ବିତୀୟ ସନ୍ତାନ। ତାଙ୍କ ଉପରେ ସବୁଠୁ ବଡ଼ ଭଉଣୀ ମନୋରମା। ଅତଏବ, ବାବୁଆନ୍ନା ଘରର ବଡ଼ପୁଅ। ସେ ମୋ ଠାରୁ ବୟସରେ ମାତ୍ର ୧୭ ବର୍ଷ ବଡ଼। ତାଙ୍କ ଓ ମୋ ଭିତରେ ଜଣେ ଭାଇ ଓ ଚାରି ଭଉଣୀ। ମନୋରମା (ମନୁନାନୀ) ୧୯୫୬-୫୭ରେ ବଟାନିରେ ଏମ.ଏସସି କଲା ପରେ ବିହାରର ପାଟନା ୱିମେନ୍‌ସ କଲେଜରେ ଅଧୢାପିକା ଭାବରେ ଯୋଗ ଦେଲେ। ସିଏ ଆମ ପରିବାରର ଗୋଟେ ଦୃଢ଼ ସ୍ତମ୍ଭଭଳିଆ।

ଆମ ଭିତରୁ ଜଣେ ଭାଇ ଅଶୋକ, ଠିକ୍‌ ବାବୁଆନ୍ନାଙ୍କ ତଳ ଭାଇ, ୧୯୬୧ ମସିହାରେ ଏକ ଦୁରାରୋଗ୍ୟ ରୋଗ (ହଜକିନ୍‌ସ)ରେ ପରଲୋକ ଗମନ କରନ୍ତି। ସେତେବେଳେ ସିଏ ରେଭେନ୍‌ସା କଲେଜରେ ଇଂ‌େରଜୀ ଅଧ୍ୟାପକ ଥାଆନ୍ତି। ଏହା ଥିଲା ଆମ ପରିବାର ପାଇଁ ସବୁଠୁ ବଡ଼ ଆଘାତ। ସେତେବେଳେ ଆମେ ସମସ୍ତେ ଏକାଠି ହୋଇ କଟକରେ ଝାଞ୍ଜିରିମଙ୍ଗଳାରେ ଭଡ଼ା ଘରେ ଥିଲୁ। ବାବୁଆନ୍ନା ପ୍ରତିଦିନ କଟକରୁ ଭୁବନେଶ୍ବରକୁ ତାଙ୍କ ଅଫିସ୍‌କୁ ଯିବା ଆସିବା କରୁଥିଲେ। ସେ ଥିଲେ ମାଇନି˚ ଅଫିସର। ସେଇଠି ଥିଲା ବେଳେ ୧୯୬୩ ମସିହାରେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

୧୯୬୬-୬୭ ମସିହାରେ ଭୁବନେଶ୍ବର ୟୁନିଟ୍-୪ରେ ବାବୁଆନ୍ନା ସରକାରୀ କ୍ବାର୍ଟର୍‌ ପାଇଥିଲେ। ତିନି ବଖରାର ଘର। ଆମେ ତିନି ଭାଇ, ଚାରି ଭଉଣୀ ଏବ˚ ମାଆ। ବାପା ମୟୂରଭଞ୍ଜ ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଭାବେ କଲିକତାରେ ଥାଆନ୍ତି। ମନୁନାନୀ ପାଟନାରେ ଥାଆନ୍ତି। ମୀନା ନାନୀ (ଗାୟିକା ଲୋପିତାର ମାଆ) ବାହା ହେଇ ଯାଇଥାଆନ୍ତି। ୧୯୬୬ରୁ ଦୁଇଟା ବଖରାରେ ଆମେ ସମସ୍ତେ ରହୁଥାଉ। ବୈଠକ ଘରେ ବାବୁଆନ୍ନା ଶୋଉଥିଲେ। ଘରେ ଜାଗା ବହୁତ କମ୍‌ ଥିଲା। ହେଲେ ହୃଦୟରେ କାହାରି ପାଇଁ କାହାର ଜାଗା କମ୍‌ ନ ଥିଲା। ବାବୁଆନ୍ନା ସେତେବେଳେ ଅବିବାହିତ ଥାଆନ୍ତି। ଏକାଠି ମିଳିମିଶି ଆନନ୍ଦରେ ଥିଲୁ।

୧୯୬୯ରେ ବାବୁଆନ୍ନାଙ୍କର ବିବାହ ହୁଏ। ୧୯୭୦ ମସିହାରେ ଆମେ ଗୋଟେ ବଡ଼ କ୍ବାର୍ଟର୍‌କୁ ଗଲୁ। ମୟୂରଭଞ୍ଜ ମହାରାଜାଙ୍କ ନିଧନ ପରେ ବାପା ଫେରିଆସିଥାଆନ୍ତି। ତେଣୁ ବାପା, ମାଆ, ବାବୁଆନ୍ନା, ଭାଉଜ, ଆମେ ଦୁଇ ଭାଇ ଓ ଚାରି ଅବିବାହିତା ଭଉଣୀ- ଏମାନଙ୍କୁ ନେଇ ପୁଣି ଚାଲେ ବାବୁଆନ୍ନାଙ୍କ ପରିବାର। ଘରର ବଡ଼ ପୁଅ ହିସାବରେ ଏତେ ବଡ଼ ପରିବାରର ଦାୟିତ୍ବ ସେ ତୁଲାଉଥିଲେ। ଆମ ସମସ୍ତଙ୍କୁ ତାଙ୍କ ସ୍ନେହ ଡୋରିରେ ବାନ୍ଧି ରଖିଥିଲେ। ବିଶାଳ ତାଙ୍କର ହୃଦୟ। ଯୁଆଡ଼େ ଯାଉଥିଲେ, ସବୁ ଭାଇଭଉଣୀମାନଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଭୁବନେଶ୍ବରରେ ପ୍ରତ୍ୟେକ ଅନୁଷ୍ଠାନରେ ସେତେବେଳେ ସମବେତ ସଙ୍ଗୀତ (କୋରସ୍) ଗାୟନ ‌େହଉଥିଲା। ବାବୁଆନ୍ନା କୋରସ୍ କମ୍ପୋଜିସନ୍ କରୁଥିଲେ। ଆମେ ସବୁ ଭାଇଭଉଣୀ ମିଶି ଗାଉଥିଲୁ। ଅନ୍ତତଃ ପକ୍ଷେ ଶହେଟା କୋରସ୍ ତ ନିଶ୍ଚୟ ଗାଇଥିବୁ। ଘରେ ଯେ କୌଣସି ପାର୍ବଣ ହେଲେ ସିଏ ହାରମୋନିୟମ୍ ଧରି ବସି ଯାଉଥିଲେ। ଆମେ ସମସ୍ତେ ଗୀତ ଗାଉଥିଲୁ। ବିବାହିତା ଉଭଣୀମାନଙ୍କ ପାଇଁ ସେଇଟା ଥିଲା ବାପଘର। ମୋର ପ୍ରାୟ ସବୁ ଭଣଜା, ଭାଣିଜୀମାନଙ୍କ ଜନ୍ମ ଆଉ ଲାଳନପାଳନ ଭୁବନେଶ୍ବରରେ। ମୁଁ ବ୍ୟାଙ୍କ୍‌ରେ ଚାକିରି କରୁଥିଲି। ୧୯୭୮ରେ ମୋର ଭୁବନେଶ୍ବରକୁ ବଦଳି ହେଲା। ପୁଣି ବାବୁଆନ୍ନାଙ୍କ ପାଖରେ ରହିଲି। ସେଇ କ୍ବାର୍ଟର୍‌ରେ ୧୯୮୧ ମସିହାରେ ମୋର ବାହାଘର ହେଲା। ସେଇ କ୍ବାର୍ଟର୍‌ରେ ମୋ ଭାଉଜ ମୋ ପାଇଁ ଗୋଟେ ଶୋଇବା ଘର ଛାଡ଼ି ଦେଇଥିଲେ। ୧୯୮୨ ଡିସେମ୍ବରରେ ସେଇଠି ଥିଲାବେଳେ ମୋ ପୁଅର ଜନ୍ମ ହେଲା। ଯଦିଓ ମୋ ସ୍ତ୍ରୀ କଟକରେ ତାଙ୍କ ବାପଘରେ ଥିଲେ। ପୁଅକୁ ନେଇ ସେଇ କ୍ବାର୍ଟର୍‌କୁ ଆସିଲେ। ତିନିିମାସର ହେଇଥାଏ ମୋ ପୁଅ। ରାତିରେ କାନ୍ଦିଲେ ମଝି ରାତିରେ ଉଠି ଆସନ୍ତି ବାବୁଆନ୍ନା, ତାକୁ ତାଙ୍କ ପାଖକୁ ନେଇଯାଆନ୍ତି। ସିଏ ତାଙ୍କ ପାଖରେ ଚୁପ୍‌ ହେଇଯାଏ।

ତାଙ୍କଠି ମଣିଷପଣିଆରୁ କ’ଣ ଦେଖିଛି ଓ ଶିଖିଛି ତାହା ଲେଖି ବସିଲେ ମାଦଳା ପାଞ୍ଜି ଭଳିଆ ହବ। ପରବର୍ତ୍ତୀ କାଳରେ ମୋ ଜୀବନଶୈଳୀ ଉପରେ ଏହାର ବେଶ୍ ପ୍ରଭାବ ପଡ଼ିଥିଲା। ଜଣେ ଆଦର୍ଶ ପୁଅ ଓ ଆଦର୍ଶ ଭାଇ କେମିତି ହୁଅନ୍ତି, ତା’ର ଜ୍ବଳନ୍ତ ଉଦାହରଣ ଥିଲେ ସିଏ। ମୋ ଜୀବନ କାଳରେ ଏ ପର୍ଯ୍ୟନ୍ତ ମୋ ଆଖିରେ ସେମିତି ଜଣେ ମଣିଷ ନଜରକୁ କି ସଂସ୍ପର୍ଶକୁ ଆସିନାହାନ୍ତିି। ତାଙ୍କ ଭଳିଆ ଜଣେ ଭାଇ ପାଇଥିବାରୁ ମୁଁ ଈଶ୍ବରଙ୍କ ପାଖରେ ଚିରକୃତଜ୍ଞ ରହିବି।

ମୋ- ୯୭୧୧୧୧୪୩୧୨

ସମ୍ବନ୍ଧିତ ଖବର