ବିଶ୍ବ ପ୍ରଗତିରେ ପ୍ରବାସୀଙ୍କ ଅବଦାନ

ପ୍ରବାସୀ ଭାରତୀୟ ଦିବସ - ରାଜେନ୍ଦ୍ର କୁମାର ସାହୁ

ମିଳିତ ଜାତିସ˚ଘ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକାଶିତ ୱାର୍ଲଡ୍ ମାଇଗ୍ରେସନ୍‌ ରିପୋର୍ଟ ଅନୁଯାୟୀ ୨୦ ବର୍ଷରେ ଦୁନିଆରେ ପ୍ରବାସୀମାନଙ୍କ ସ˚ଖ୍ୟା ପ୍ରାୟ ୨ଗୁଣ ବଢ଼ିଛି। ୨୦୦୦ ମସିହାରେ ସାରା ବିଶ୍ବରେ ୧୫କୋଟି ପ୍ରବାସୀ ଥିଲେ। ୨୦୨୦ ମସିହା ସୁଦ୍ଧା ଏହି ସ˚ଖ୍ୟା ୨୭ କୋଟିରେ ପହଞ୍ଚିଛି। ୨୦୦୦ ମସିହାରେ ବିଶ୍ବ ଜନ ସ˚ଖ୍ୟାର ୨.୮% ପ୍ରବାସୀ ଥିବା ବେଳେ ବର୍ତ୍ତମାନ ଏହି ସ˚ଖ୍ୟା ୩.୮%କୁ ବୃଦ୍ଧି ପାଇଛି। ୨୦୦୦ ମସିହାରେ ପ୍ରବାସୀ ମହିଳାମାନଙ୍କ ସ˚ଖ୍ୟା ୪୭.୫% ଥିବା ବେଳେ ବର୍ତ୍ତମାନ ଏହା ୪୭.୯%ରେ ପହଞ୍ଚିଛି। ତେବେ ପ୍ରବାସୀ ଶିଶୁମାନଙ୍କ ସ˚ଖ୍ୟା ୨୦୦୦ ମସିହାରେ ୧୬% ଥିବା ବେଳେ ୨୦୨୦ରେ ତାହା ୧୩.୯%ରେ ପହଞ୍ଚିଛି। ଦୁନିଆରେ ୨୩୩ଟି ଦେଶର ସମୁଦାୟ ଜନସ˚ଖ୍ୟା ୭୭୧ କୋଟିରୁ ଅଧିକ। ତେବେ ଏହି ଜନସ˚ଖ୍ୟାର ପ୍ରାୟ ୫୬% ମାତ୍ର ୫ଟି ଦେଶରେ ରହନ୍ତି। ବିଶ୍ବର ସବୁଠାରୁ ଜନବହୁଳ ଦେଶ ଚୀନରେ ପ୍ରାୟ ୧୪୩ କୋଟି ଲୋକ ବାସ କରୁଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଭାରତର ଜନସ˚ଖ୍ୟା ୧୩୧ କୋଟି। ତୃତୀୟ ସ୍ଥାନରେ ଥିବା ଆମେରିକାର ଜନସ˚ଖ୍ୟା ୩୩ କୋଟି। ୨୦୦୦ ମସିହାରେ ସାରା ବିଶ୍ବରେ ପ୍ରବାସୀମାନଙ୍କ ସ˚ଖ୍ୟା ୧୭.୩୫ କୋଟି ଥିଲା ଯାହା ସମୁଦାୟ ବିଶ୍ବ ଜନସ˚ଖ୍ୟାର ମାତ୍ର ୨.୮ ପ୍ରତିଶତ।

ଜାତିସ˚ଘ ମାଇଗ୍ରେସନ ରିପୋର୍ଟରୁ ଜଣାପଡ଼ିଛି ପ୍ରବାସୀମାନଙ୍କର ମୁଖ୍ୟ ଲକ୍ଷ୍ୟ ସ୍ଥଳ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ପ୍ରାୟ ୫୧ ନିୟୁତ ପ୍ରବାସୀ ବାସ କରୁଛନ୍ତି। ତେବେ ଅନ୍ତଃରାଷ୍ଟ୍ରୀୟ ପ୍ରବାସୀ ସ˚ଗଠନ ଉଲ୍ଲେଖ କରିଛି ଯେ ଗତ ୨୦ ବର୍ଷ ମଧ୍ୟରେ ପ୍ରବାସୀଙ୍କ ବୃଦ୍ଧିର ହାର ବିଶ୍ବ ଜନସ˚ଖ୍ୟା ଦୃଷ୍ଟିରୁ ଖୁବ୍‌ କମ୍‌। ବିଗତ ୨୦ ବର୍ଷରେ ଏହା ୨.୮%ରୁ ୩.୫%କୁ ବୃଦ୍ଧି ପାଇଛି। ସୁତରାଂ ପ୍ରବାସୀଙ୍କ ଏକ ବୃହତ୍‌ ଅ˚ଶ ୯୬.୫% ସେହି ଦେଶରେ ହିଁ ଜନ୍ମ ଲାଭ କରି ବାସ କରୁଛନ୍ତି। ‘ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଅଫ୍‌ ମାଇଗ୍ରାଣ୍ଟ୍‌ସ’ର ରିପୋର୍ଟ ଅନୁଯାୟୀ ବିତ୍ତଶାଳୀ ଦେଶରେ ପ୍ରବାସୀ କର୍ମଜୀବୀଙ୍କ ସ˚ଖ୍ୟା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ମଧ୍ୟମ ଆୟକାରୀ ଦେଶରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି।

ବିଶ୍ବରେ ପ୍ରବାସୀଙ୍କ ସ˚ଖ୍ୟା ବୃଦ୍ଧି ପାଇବା ସହିତ ଅନ୍ତର୍ଜାତୀୟ ଅର୍ଥ ପ୍ରେରଣ କାରବାର ମଧ୍ୟ ବୃଦ୍ଧି ପାଇଛି। ୨୦୧୯ ମସିହାରେ ଅନ୍ତଃରାଷ୍ଟ୍ରୀୟ ଅର୍ଥ ପ୍ରେରଣର ପରିମାଣ ଥିଲା ୬୮୯ ବିଲିଅନ ଡଲାର। ଅନ୍ତଃରାଷ୍ଟ୍ରୀୟ ଅର୍ଥ ପ୍ରେରଣର ହିତାଧିକାରୀ ଦେଶଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି ଭାରତ। ଏଠାକୁ ପ୍ରତି ବର୍ଷ ୭୮.୬ ବିଲିଅନ ଡଲାର ଅର୍ଥ ବିଦେଶରୁ ଆସିଥାଏ। ଦ୍ବିତୀୟ ସ୍ଥାନରେ ଥିବା ଚୀନ ପାଇଥାଏ ୬୭.୪ ବିଲିଅନ ଡଲାର। ଜଣାପଡ଼ିଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରୁ ସବୁଠାରୁ ଅଧିକ ଅର୍ଥ ବିଦେଶକୁ ଯାଇଥାଏ। ଏହାର ପରିମାଣ ୬୮ ବିଲିଅନ ଡଲାର। ଏହା ପରେ ରହିଛି ସଂଯୁକ୍ତ ଆରବ ଏମିରେଟ୍‌ସ ଯେଉଁଠାରୁ ୪୪.୪ ବିଲିଅନ ଡଲାର ଭିନ୍ନ ଭିନ୍ନ ଦେଶକୁ ପ୍ରେରଣ କରାଯାଇଛି। ଯଦିଓ ବିଦେଶକୁ ସ୍ଥାନାନ୍ତର ହେଉଥିବା ଅଧିକା˚ଶ ବ୍ୟକ୍ତି ଆମେରିକାକୁ ଯାଆନ୍ତି, ସଦ୍ୟତମ ରିପୋର୍ଟରୁ ଜଣାଯାଇଛି ବିଭିନ୍ନ ନିମ୍ନ ଆୟକାରୀ ଦେଶରୁ ଲୋକେ ଫ୍ରାନ୍‌ସ, ରୁଷିଆ, ସଂଯୁକ୍ତଆରବ ଏମିରେଟ୍‌ସ ଏବ˚ ସାଉଦିଆରବକୁ ଯାଇଥାନ୍ତି।

‘ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଅଫ ମାଇଗ୍ରେସନ୍‌’ ଦର୍ଶାଇଛି ଯେ ପ୍ରବାସୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଭାରତ, ମେକ୍‌ସିକୋ ଏବ˚ ଚୀନରୁ ଆସିଥାନ୍ତି। ଜଣାପଡ଼ିଛି ଯେ ପ୍ରତ୍ୟେକ ପ୍ରବାସୀ ସେମାନଙ୍କ ପରିବାର ପାଖକୁ ମାସିକ ଯେଉଁ ଦୁଇଶହ ବା ତିନିଶହ ଡଲାର ପରିମାଣର କ୍ଷୁଦ୍ର ଆର୍ଥିକ ସହଯୋଗ ଦିଅନ୍ତି ତାହା ସେମାନଙ୍କ ନିଜ ନିଜ ଦେଶରେ ସେମାନଙ୍କ ପରିବାରର ସମୁଦାୟ ଆୟର ପ୍ରାୟ ୬୦% ପର୍ଯ୍ୟନ୍ତ ହୋଇଥାଏ। ଜାତିସ˚ଘର ରିପୋର୍ଟରୁ ଜଣାପଡ଼ିଛି ଯେ ଜଣେ ପ୍ରବାସୀ ଘରକୁ ପଠାଯାଉଥିବା ଆର୍ଥିକ ସହଯୋଗ ଦ୍ବାରା ହାରାହାରି ୯ ଜଣ ବ୍ୟକ୍ତି ଉପକୃତ ହୁଅନ୍ତି। ବର୍ତ୍ତମାନ ସାରା ବିଶ୍ବରେ ୨୪୩ ନିୟୁତ ବ୍ୟକ୍ତି ପ୍ରବାସୀମାନଙ୍କ ଦ୍ବାରା ପ୍ରେରିତ ଆର୍ଥିକ ସହଯୋଗ ଦ୍ବାରା ସ୍ବଚ୍ଛଳ ହେବା ସହିତ ନିଜର ବିକାଶ କରିପାରିଛନ୍ତି। ପରିସ˚ଖ୍ୟାନରୁ ଜଣାଯାଇଛି ପ୍ରବାସୀମାନେ ସେମାନଙ୍କ ଆୟର ମାତ୍ର ୧୫% ନିଜ ଘରକୁ ପଠାଇଥାନ୍ତି। ବଳକା ୮୫% ସେମାନେ ଆୟ କରୁଥିବା ଦେଶରେ ରହିଥାଏ ଏବ˚ ସେମାନଙ୍କୁ ସ୍ଥାନ ଦେଇଥିବା ଦେଶର ବିକାଶରେ ଲାଗିଥାଏ।

ପ୍ରବାସୀଙ୍କ ଠାରୁ ଆସୁଥିବା ଅର୍ଥର ତିନି-ଚତୁର୍ଥା˚ଶ ସେମାନଙ୍କ ନିଜ ଦେଶରେ ଥିବା ପରିବାରର ଜରୁରୀ ଆବଶ୍ୟକତା, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ବ୍ୟୟ ହେଉଥିବା ବେଳେ ବଳକା ୨୫% ସଞ୍ଚୟ କରାଯାଏ କିମ୍ବା ସମ୍ପତ୍ତି ସୃଷ୍ଟି ବା ବିନିଯୋଗରେ ପରିବର୍ତ୍ତିତ ହୁଏ। ଏହା ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଦେଖିବାକୁ ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ଏବେ ପ୍ରବାସୀମାନଙ୍କ ଠାରୁ ଆସୁଥିବା ଅର୍ଥର ୫୦%ରୁ ଅଧିକ ଗ୍ରାମାଞ୍ଚଳରେ ଥିବା ପରିବାର ପାଖରେ ପହଞ୍ଚୁଛି ଯଦ୍ଦ୍ବାରା ଅନେକ ଦରିଦ୍ର ପରିବାର ଆଖିଦୃଶିଆ ଉନ୍ନତି କରିପାରିଛନ୍ତି। ବିଶ୍ବ ସାରା ବିଭିନ୍ନ ଦେଶରୁ ବିଭିନ୍ନ ଦେଶକୁ ମାନବ ସମାଗମ ଯେଉଁ ସକାରାତ୍ମକ ପରିବର୍ତ୍ତନ ଆଣିଛି, ତହିଁରୁ ପ୍ରବାସୀମାନଙ୍କ ଅବଦାନ ବିଷୟରେ ଭଲ ଭାବେ ହୃଦୟଙ୍ଗମ କରିହୁଏ।

କବୀରପାଟଣା, ଜଗତ୍‌ସି˚ହପୁର
ମୋ- ୯୪୩୮୧୦୭୭୬୭

ସମ୍ବନ୍ଧିତ ଖବର