ଭାରତରେ ଏକ ସ୍ବାସ୍ଥ୍ୟ-ସଙ୍କଟ ସୃଷ୍ଟି କରିବାକୁ ଯାଉଛି କ୍ୟାନ୍ସର। ‘ଇଣ୍ତିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍’ର ରିପୋର୍ଟ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ କର୍କଟ ରୋଗୀଙ୍କ ସ˚ଖ୍ୟା ୧୭.୬ ଲକ୍ଷରେ ପହଞ୍ଚିବ। ଏ ଯାବତ୍ ଭାରତରେ ହୃଦ୍ଘାତ ପରେ ଦ୍ବିତୀୟ ଘାତକ ରୋଗ ହେଉଛି କ୍ୟାନ୍ସର। ‘ଆଇ.ସି.ଏମ୍.ଆର.’ର ତଥ୍ୟ ଅନୁଯାୟୀ ଭାରତରେ କ୍ୟାନ୍ସର ବିଶେଷଜ୍ଞଙ୍କ ସ˚ଖ୍ୟା ମାତ୍ର ୨୦୦୦ ଯାହାର ଅର୍ଥ ଆମ ଦେଶରେ କର୍କଟ ରୋଗୀ ଓ ଡାକ୍ତରଙ୍କ ସ˚ଖ୍ୟାର ଅନୁପାତ ହେଉଛି ୧:୫୦୦୦ ଅର୍ଥାତ୍ ପ୍ରତି ୫୦୦୦ ରୋଗୀଙ୍କ ପାଇଁ ଜଣେ କ୍ୟାନ୍ସର ବିଶେଷଜ୍ଞ। ୧୯୯୦ ମସିହା ବେଳକୁ ଭାରତରେ କ୍ୟାନ୍ସର ମୃତ୍ୟୁ ସ˚ଖ୍ୟା ୩.୮୨ ଲକ୍ଷ ଥିବାବେଳେ ୨୦୧୬ ବେଳକୁ ଏହା ୮.୧୩ ଲକ୍ଷରେ ପହଞ୍ଚିଛି। ପଚାଶ ବର୍ଷ ଭିତରେ କ୍ୟାନ୍ସର ରୋଗୀଙ୍କ ସ˚ଖ୍ୟା ଦୁଇ ଗୁଣ ବଢ଼ିଥିଲେ ମଧୢ ସେ ତୁଳନାରେ ଭାରତରେ କ୍ୟାନ୍ସର ଡାକ୍ତରଖାନାର ସ˚ଖ୍ୟାରେ ବୃଦ୍ଧି ହୋଇନାହିଁ। କିଛି ଘରୋଇ ମେଡିିକାଲ କଲେଜକୁ ଛାଡ଼ି ଦେଲେ ସେପରି ସରକାରୀ ଡାକ୍ତରଖାନାରେ କ୍ୟାନ୍ସର ଚିକିତ୍ସାର ସୁବିଧା ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ରୋଗର ଚିକିତ୍ସାରେ ବ୍ୟୟର ବୋଝ ଏତେ ଅଧିକ ଯେ ଅର୍ଥାଭାବରୁ ଅନେକ କ୍ୟାନ୍ସର ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରି ନ ଥାନ୍ତି। ତେବେ ଆଶ୍ବାସନାର କଥା ହେଲା, ୨୦୨୧ର ମଧୢ ଭାଗ ବେଳକୁ ୨୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ‘ନ୍ୟାସନାଲ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍’ କାର୍ଯ୍ୟକ୍ଷମ ହେବାକୁ ଯାଉଛି; ଯେଉଁଠି କ୍ୟାନ୍ସର ଚିକିତ୍ସା ବିନା ମୂଲ୍ୟରେ କରାଯିବ। ଦେଶର ସବୁଠାରୁ ବଡ଼ କ୍ୟାନ୍ସର ହସ୍ପିଟାଲ ହରିଆଣାର ଝଜ୍ଜର ଠାରେ ଖୋଲିବାକୁ ଯାଉଛି।
ନିକଟରେ ଏକ ଗବେଷଣା ସନ୍ଦର୍ଭରେ ପ୍ରକାଶ ପାଇଛି ଯେ କ୍ୟାନ୍ସର ରୋଗ ବୃଦ୍ଧି ହେତୁ ‘ବ୍ରିକ୍ସ’ ରାଷ୍ଟ୍ର ଗୋଷ୍ଠୀ ଅର୍ଥାତ୍ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ବିଲିଅନ ବିଲିଅନ ଡଲାରର ଉତ୍ପାଦିକା ଶକ୍ତି ହରାଉଛନ୍ତି। ଭାରତ ୨୦୧୨ରେ ଏଥି ଯୋଗୁଁ ୬.୭ ବିଲିଅନ ଡଲାରର ଉତ୍ପାଦିକା ଶକ୍ତି ହରାଇଥିଲା, ଯାହା ଦେଶର ମୋଟ ଜାତୀୟ ଉତ୍ପାଦର ୦.୩୬ ପ୍ରତିଶତ। ଭାରତ ସମେତ ସବୁ ଦେଶରେ କର୍କଟ ରୋଗ ବୃଦ୍ଧି ପାଇଛି ଓ ଏହାକୁ ଏବେ ଏକ ଜୀବନଶୈଳୀ ରୋଗ ଭାବେ ଧରାଗଲାଣି। କ୍ୟାନ୍ସର ଯୋଗୁଁ ହେଉଥିବା ଅକାଳ ମୃତ୍ୟୁ କାରଣରୁ ବିପୁଳ ଅର୍ଥନୈତିକ କ୍ଷତି ଘଟୁଛି। ଏଣୁ ଏହାର ନିବାରଣ ତଥା ନିୟନ୍ତ୍ରଣ ଉପରେ ଯୋଜନା ପ୍ରଣୟନକାରୀମାନଙ୍କୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଭାରତରେ ୪୦ ପ୍ରତିଶତ ହେଉଛି ଫୁସ୍ଫୁସ୍ ଓ ମୁଖ କର୍କଟ। ଏହା ତମାଖୁ ବ୍ୟବହାର ଯୋଗୁଁ ଘଟୁଛି। ଆଉ ୨୦ ପ୍ରତିଶତ ହେଲା ‘ହେପାଟାଇଟିସ୍ ବି’ ଆଦି ଯୋଗୁଁ ଘଟୁଥିବା ‘ଲିଭର’ କ୍ୟାନ୍ସର ଓ ମହିଳାଙ୍କ ସର୍ଭିକାଲ ବା ଜରାୟୁ ଗ୍ରୀବା କ୍ୟାନ୍ସର। ଦେଶରେ ୬୦ ପ୍ରତିଶତ କ୍ୟାନ୍ସରକୁ ରୋକାଯାଇ ପାରିବ। ଏବେ କ୍ୟାନ୍ସର ସମେତ ଅନେକ ରୋଗର ରୋଗୀ ସ˚ଖ୍ୟା ବୃଦ୍ଧି ପାଇବାର ଅନ୍ୟ କାରଣ ହେଲା ଡାକ୍ତରୀ ଚିକିତ୍ସାର ବିକାଶ ଓ ପ୍ରସାର। କ୍ୟାନ୍ସର ଚିହ୍ନଟ ସୁବିଧା ବୃଦ୍ଧି ଯୋଗୁଁ ରୋଗାକ୍ରାନ୍ତ ଲୋକଙ୍କୁ ଠାବ କରାଯାଇପାରୁଛି। କିନ୍ତୁ କ୍ୟାନ୍ସରର ଅନେକ କାରଣ ମନୁଷ୍ୟକୃତ। ତମାଖୁ ବ୍ୟବହାର ବୃଦ୍ଧି ସାଙ୍ଗକୁ ମଦ୍ୟପାନ, ଆଧୁନିକ ପ୍ରକ୍ରିୟାକୃତ ଖାଦ୍ୟର ବ୍ୟବହାର, ପ୍ରଦୂଷଣ ବୃଦ୍ଧି, ମେଦ ବହୁଳତା ଇତ୍ୟାଦି କ୍ୟାନ୍ସରର ପ୍ରଧାନ କାରଣ। ଆଗରୁ ଧାରଣା ଥିଲା ଯେ ପରିବାରରେ ଏହି ରୋଗ ଥିଲେ ପରବର୍ତ୍ତୀ ବ˚ଶଧରଙ୍କ ପ୍ରତି ଏହାର ବିପଦ ଥାଏ। ସିଗାରେଟ, ବିଡ଼ି, ପାନ, ଗୁଟ୍ଖା ବ୍ୟବହାର ଯୋଗୁଁ ଏହା ଦେଖାଦିଏ। କିନ୍ତୁ ଏବେ ଏସବୁ କିଛି ନ ଥାଇ ବି ଅନେକଙ୍କୁ କ୍ୟାନ୍ସର ହେଉଛି।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅଟକଳ ଅନୁସାରେ ୨୦୨୨ ସୁଦ୍ଧା ଦେଶରେ ୧୯.୩ ଲକ୍ଷରୁ ଅଧିକ ନୂଆ କ୍ୟାନ୍ସର ରୋଗୀ ବାହାରିବେ ଏବ˚ ସେ ସମୟ ସୁଦ୍ଧା ଏଥିରେ ୮.୮ ଲକ୍ଷ ଲୋକ ମୃତ୍ୟୁବରଣ କରିବେ। ଡାକ୍ତରମାନଙ୍କ ମତରେ ଶୀଘ୍ର ରୋଗକୁ ଚିହ୍ନଟ କରାଯାଇପାରିଲେ ୨୫ ପ୍ରତିଶତ ରୋଗୀଙ୍କ ଆରୋଗ୍ୟ ଲାଭ ସମ୍ଭବ ହେଉଛି। ପରବର୍ତ୍ତୀ ପାଞ୍ଚ ବର୍ଷ ସମୟ ମଧ୍ୟରେ କୌଣସି ସମସ୍ୟା ନଉପୁଜିଲେ ଜୀବନ କାଳ ମଧୢରେ ପୁଣି ରୋଗ ଫେରିବାର ଆଶଙ୍କା କମ୍। ଏହି ପରିପ୍ରେକ୍ଷୀରେ ତମାଖୁ ସେବନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଲୋଡ଼ା। କେବଳ ଟିକସ ବୃଦ୍ଧି ଦ୍ବାରା ଏହି ସମସ୍ୟାକୁ ରୋକି ହେବନାହିଁ। ରାଜସ୍ବ ଆଦାୟ ପାଇଁ ସରକାର ତମାଖୁ ବ୍ୟବହାର ଓ ମଦ୍ୟପାନ ପ୍ରତି ଆଖି ବୁଜି ଦେଉଛନ୍ତି। ସଚେତନତା ଦ୍ବାରା ଓ ସରକାରୀ କଟକଣା ବଳରେ ତମାଖୁ ବ୍ୟବହାର କମାଯିବା ଜରୁରୀ। କେତେକ କ୍ୟାନ୍ସର ପାଇଁ ଟିକା ବାହାରିଛି। ଏହି ଟିକାର ପ୍ରଚଳନକୁ ଉତ୍ସାହିତ କରିବାକୁ ପଡ଼ିବ। ଅନ୍ୟ ଟିକା ପରି ସରକାର ଏହାକୁ ମାଗଣାରେ ଦେବା ଉଚିତ। ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ସଚେତନତା ସୃଷ୍ଟି ମଧୢ ଆବଶ୍ୟକ। ଅନ୍ୟ ରୋଗଗୁଡ଼ିକ ଭଳି କ୍ୟାନ୍ସର ଚିହ୍ନଟ ସୁବିଧା ଜିଲ୍ଲା ସବ୍ଡିଭିଜନ ହସ୍ପିଟାଲରେ କରାଯିବା ଉଚିତ। କ୍ୟାନ୍ସର ପରି ଅତ୍ୟନ୍ତ ଜଟିଳ ଓ ବ୍ୟୟବହୁଳ ରୋଗର ନିଦାନ ପାଇଁ କେବଳ ସରକାରୀ ସ୍ତରରେ ନୁହେଁ, ବିଭିନ୍ନ ଆଧୢାତ୍ମିକ ଓ ଦାତବ୍ୟ ସ˚ଗଠନମାନେ ହସ୍ପିଟାଲ ଖୋଲିବା ପାଇଁ ଆଗେଇ ଆସୁଛନ୍ତି। କ୍ୟାନ୍ସର ବିଶେଷଜ୍ଞଙ୍କ ନିଯୁକ୍ତି ବଢ଼ାଇବା ସହ ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନାରେ କ୍ୟାନ୍ସର ଚିକିତ୍ସାର ସୁବନ୍ଦୋବସ୍ତ ହେବା ଜରୁରୀ। କାରଣ କ୍ୟାନ୍ସର ସମସ୍ୟା ସ˚କୁଚିତ ହେଲେ ଅର୍ଥନୀତି ଉପରେ ମଧୢ ତାର କୁୁପ୍ରଭାବ କମିବ ଏବ˚ ଏହା କେବଳ ବ୍ୟକ୍ତିର ନୁହେଁ, ରାଷ୍ଟ୍ରର ହିତ ମଧୢ ସାଧନ କରିବ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ଅର୍ବାନ ସିଏଚ୍ସି, ସିଡିିଏ, କଟକ
[email protected]