ନେପାଳ ଲୋକତନ୍ତ୍ରର ସୁରକ୍ଷା କରିବ ଚୀନ?

କୁମାର ପ୍ରଶାନ୍ତ

ବିଶ୍ବର ରାଜନୈତିକ ଇତିହାସ ଏବେ ଏକ ବିଚିତ୍ର ଘଟନା ପ୍ରତ୍ୟକ୍ଷ କରୁଛି। ନେପାଳରେ ଲୋକତନ୍ତ୍ରର ସ˚ରକ୍ଷଣ ପାଇଁ ଅନ୍ୟ କେହି ନୁହେଁ ଚାଇନା ସିପାହି ଭୂମିକାରେ ଅବତୀର୍ଣ୍ଣ। କୁଆ ସହ କୋଇଲିର ଅଳ୍ପ ସ˚ପର୍କ ସ˚ଭବ। ତେବେ, ଚାଇନାର ଲୋକତନ୍ତ୍ର ସହ ସ˚ପର୍କ! ଆଉ ନେପାଳର ଲୋକତନ୍ତ୍ରର ଇତିହାସ ତ ଆହୁରି ବିଚିତ୍ର। ଗତ ଅଠାବନ ବର୍ଷ ମଧ୍ୟରେ ଅଣଚାଶ ଜଣ ପ୍ରଧାନମନ୍ତ୍ରୀ ଏହାର ଭାଗ୍ୟ ବିଧାତା ପାଲଟିଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଏହି ଅଣଚାଶ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ କୌଣସି ଜଣକଙ୍କୁ ବି ଶତ ପ୍ରତିଶତ ଲୋକତାନ୍ତ୍ରିକ କୁହା ଯାଇପାରିବନାହିଁ।

କେବଳ କାଗଜ-ପତ୍ରରେ ଆଇନ-କାନୁନ, ବିଧି-ବିଧାନର ବ୍ୟବସ୍ଥା କରିଦେଲେ କୌଣସି ସରକାର ଲୋକତାନ୍ତ୍ରିକ ହୋଇଯାଏ ନାହିଁ। ଏହା ଏକ ମହାନ୍‌ ପରପ˚ରା, ଯାହା ଉପରେ ଆସ୍ଥା ଓ ବିଶ୍ବାସ ସବୁଠାରୁ ଅଧିକ ଜରୁରୀ। ଏହାକୁ ବୁଝିବା ଉଭୟ ଭାରତ ଓ ନେପାଳ ପାଇଁ ଅତି ମହତ୍ତ୍ବପୂର୍ଣ୍ଣ। ଶାସନ ତନ୍ତ୍ର ଭାବେ ଲୋକତନ୍ତ୍ର ସର୍ବଶ୍ରେଷ୍ଠ। ଏହାକୁ ଜୀବନ-ଶୈଳୀ ଭାବେ ଗ୍ରହଣ କରାଗଲେ, ଏହା ଅଧିକ ପ୍ରାଣବନ୍ତ ହୁଏ। ଆଜି ଆମର ତଥା ନେପାଳର ଲୋକତନ୍ତ୍ର ସ˚କଟ ମଧ୍ୟ ଦେଇ ଗତି କରୁଛି। ଦୁଇ ଲୋକତନ୍ତ୍ର ଭିତରେ ମୁଖ୍ୟ ଫରକ ହେଉଛି, ଆମ ସ˚ସଦୀୟ ଲୋକତନ୍ତ୍ରର ଚେର ବେଶ୍‌ ଗହୀରରେ। ତେବେ, ନେପାଳରେ ତାହା ଭୂମି ଉପରେ ହିଁ ଅଟକିଛି; ଭିତରକୁ ଯାଇପାରିନାହିଁ। ତେଣୁ, ଆମ ଭଳି ଏତେ ମଜଭୁତ ନୁହେଁ। ନେପାଳ ବହୁତ ଲମ୍ବା ସମୟ, ପ୍ରାୟ ୨୩୭ ବର୍ଷ ଶୁଦ୍ଧ ରାଜତନ୍ତ୍ରର ସ୍ବାଦ ପାଇଛି। ରାଜାଙ୍କ ସମର୍ଥନରେ ପ୍ରତିନିଧିକ ସରକାର ଓ ପଞ୍ଚାୟତରାଜ ଦେଖିଛି। ସାମ୍ବିଧାନିକ ରାଜତନ୍ତ୍ର ଓ କମ୍ୟୁନିଷ୍ଟ୍ ନେତୃତ୍ବାଧୀନ ଲୋକତନ୍ତ୍ର ମଧ୍ୟ ଦେଖିଛି। ଏବେ ନେପାଳ ଶୁଦ୍ଧ ଲୋକତନ୍ତ୍ରର ସ୍ବାଦ ପାଇବା ପାଇଁ ପ୍ରୟାସ କରୁଛି।

୨୦୧୮ରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ କମ୍ୟୁନିଷ୍ଟ୍ ନେତା କେପି ଓଲୀ। ତେବେ, ତାହା ପର ଠାରୁ ଦିନଟିଏ ବି ଶାନ୍ତିରେ ଯାଇନାହିଁ। କେତେ ବେଳେ ନିଜ ଦଳ ଭିତରେ ଟଣା-ଓଟରା ତ କେତେ ବେଳେ ନିଜ ସରକାର ଭିତରେ ସେ ଅଲୋଡ଼ା। ପ୍ରତି ଦିନ ସମସ୍ୟାର ସାମନା କରିକରି ଥକିଗଲେ। ଶେଷରେ ସ୍ବୟ˚ ଚୂଡ଼ାନ୍ତ ସମାଧାନର ରାସ୍ତା ବାହାର କଲେ ଏବ˚ ତାହା ଥିଲା ସ˚ସଦ ଭଙ୍ଗ ପାଇଁ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ବିଦ୍ୟାଦେବୀ ଭ˚ଡ଼ାରୀଙ୍କୁ ସୁପାରିସ, ଯେତେ ବେଳେ କି ତାଙ୍କ କାର୍ଯ୍ୟ-କାଳ ପୂରିବା ଲାଗି ଆହୁରି ଅଢ଼େଇ ବର୍ଷ ବାକି ଥିଲା। ନେପାଳ ସମ୍ବିଧାନରେ ସ˚ସଦ ଭଙ୍ଗର ବ୍ୟବସ୍ଥା ନାହିଁ। ସମ୍ବିଧାନ, ଏହାକୁ ରାଷ୍ଟ୍ରପତିଙ୍କ ବିବେକ ଉପରେ ଛାଡ଼ିଛି। ପ୍ରଧାନମନ୍ତ୍ରୀ ଓଲୀ ଏବ˚ ରାଷ୍ଟ୍ରପତି ଭ˚ଡ଼ାରୀଙ୍କ ମଧ୍ୟରେ ମଧୁର ସ˚ପର୍କ କାହାକୁ ଅଛପା ନୁହେଁ। ସ˚ସଦ ଭଙ୍ଗ ପାଇଁ ଦୁହିଁଙ୍କ ବିବେକ ଏକ ହୋଇଗଲା ଏବ˚ ପରିଣାମ ସ୍ବରୂପ ସ˚ସଦ ବିନା ବାଧା-ବାଧକରେ ଭାଙ୍ଗିଗଲା।

ନେପାଳ ଆଜି ଲୋକତନ୍ତ୍ରର ସେହି ଚାରିଛକ ଉପରେ ଛିଡ଼ାହୋଇଛି, ଯେଉଁଠି ସମାଧାନର ରାସ୍ତା ଗୋଟିଏ ଦିଗରେ ଯାଇଛି ଏବ˚ ତାହା ହେଉଛି- ନିର୍ବାଚନ। ଅନ୍ୟ କୌଣସି ବିକଳ୍ପ ନାହିଁ। ସାଥୀ-ସହଯୋଗୀମାନେ ଓଲୀଙ୍କ ଉପରେ ଆରୋପ ଲଗାଉଛନ୍ତି ଯେ ସେ ସରକାର ତ ଭାଙ୍ଗିଲେ, ଦଳକୁ ମଧ୍ୟ ଭାଙ୍ଗିବାକୁ ଚାହୁଁଛନ୍ତି ଏବ˚ ପ୍ରତିଶ୍ରୁତି ପାଳନ କରିନାହାନ୍ତି।

୨୦୧୮ର ସାଧାରଣ ନିର୍ବାଚନ ଶେଷରେ ନେପାଳକୁ ଏକ ଅଜବ ସ୍ଥିତିରେ ପହଞ୍ଚାଇ ଦେଇଛି। ସେତେବେଳେ ସରକାର ଗଢ଼ିବା ପାଇଁ କୌଣସି ବି ଦଳକୁ ବହୁମତ ମିଳି ନ ଥିଲା। ଅନ୍ୟ ଦଳଗୁଡ଼ିକ ସହ ସେହି ନିର୍ବାଚନ ଲଢ଼ିଥିଲେ, ଓଲୀଙ୍କର ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍‌ ନେପାଳ (ମାର୍କ‌୍‌ସବାଦୀ-ଲେନିନ୍‌ବାଦୀ)’ ଏବ˚ ପୁଷ୍ପକମଲ ଦହଲ ‘ପ୍ରଚ˚ଡ଼’ଙ୍କ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍‌ ନେପାଳ (ମାଓବାଦୀ)’। ସେମାନଙ୍କ ମଧ୍ୟରେ ଭୋଟ୍‌ ଏ ଭଳି ଭାବେ ବାଣ୍ଟି ହୋଇଗଲା ଯେ, କୌଣସି ଦଳ କ୍ଷମତାର ପାଖା-ପାଖି ପହଞ୍ଚିପାରିଲେ ନାହିଁ। ‘ପ୍ରଚ˚ଡ଼’ଙ୍କ ନେତୃତ୍ବରେ ଚାଲିଥିବା କ୍ରୂର ଗରିଲା ହି˚ସା ମଧ୍ୟରୁ ବାହାରି ଅନେକ ବର୍ଷର ବ୍ୟବଧାନ ପରେ ନେପାଳରେ ଲୋକତନ୍ତ୍ରର ସୂର୍ଯ୍ୟ ପୁନର୍ବାର ଉଦୟ ହୋଇଥିଲା। ‘ପ୍ରଚ˚ଡ଼’ ପ୍ରଥମେ ୨୦୦୮-୦୯ରେ ଏବ˚ ଦ୍ବିତୀୟ ଥର ପାଇଁ ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ, ୨୦୧୮ରେ ପରିସ୍ଥିତି ତାଙ୍କୁ ସମର୍ଥନ ଦେଲାନାହିଁ। ଦୁଇ କମ୍ୟୁନିଷ୍ଟ୍ ଦଳ ସ˚ଖ୍ୟାଗରିଷ୍ଠତା ହାସଲ କରି ନ ପାରି, ମେଣ୍ଟ କରିବାକୁ ବାଧ୍ୟ ହେଲେ। କିଛି ଛୋଟ ଛୋଟ ସାମ୍ୟବାଦୀ ଦଳ ମଧ୍ୟ ଆଗକୁ ବାହାରିଲେ ଏବ˚ ସହଯୋଗର ହାତ ବଢ଼ାଇଲେ। ଦୁଇ ଶହ ପଞ୍ଚସ୍ତରି ସଦସ୍ୟ ଥିବା ସ˚ସଦରେ ବହୁମତ ହାସଲ ପାଇଁ ଲୋଡ଼ା ପଡ଼ୁଥିଲେ ୧୭୫ ସା˚ସଦ। ବିଭିନ୍ନ ଦଳରୁ ଏହି ସ˚ଖ୍ୟକ ସା˚ସଦଙ୍କ ସମର୍ଥନ ହାସଲ କରି ଓଲୀ ସରକାର ଗଢ଼ିଥିଲେ ଏବ˚ ତାହା ଥିଲା ଦେଶର ତୃତୀୟ ସାମ୍ୟବାଦୀ ସରକାର। ଉକ୍ତ ମେଣ୍ଟ ସରକାର ସର୍ତ୍ତମୂଳକ ଭାବେ ଗଠିତ ହୋଇଥିଲା। ବୁଝାମଣା ଥିଲା, ପ୍ରଥମେ ଓଲୀ ପ୍ରଧାନମନ୍ତ୍ରୀ ହେବେ ଏବ˚ ଅର୍ଦ୍ଧେକ କାର୍ଯ୍ୟ-କାଳ ସମାପ୍ତ ହେବା ପରେ ଆସନ ‘ପ୍ରଚ˚ଡ଼’ଙ୍କୁ ଛାଡ଼ିବେ। ଏହି ବୁଝାମଣାରେ ନା କୌଣସି ‘ସାମ୍ୟ’ ଥିଲା, ନା କୌଣସି ‘ବାଦ’; କେବଳ ‘କ୍ଷମତା’ ପାଇଁ ନିରୋଳା ସଉଦା।

‘ପ୍ରଚ˚ଡ଼’ ଦୁଇ ଥର ଯାକ ପ୍ରଧାନମନ୍ତ୍ରୀ ଥିବା ବେଳେ ଏବ˚ ଓଲୀ ମଧ୍ୟ ନିଜ କାର୍ଯ୍ୟ-କାଳରେ ଭାରତ ସହ ଚାଲବାଜି କରିଥିଲେ। ନିଜର ସାମ୍ୟବାଦୀ ଚେହେରାକୁ ମଜଭୁତ ବନାଇବା ପାଇଁ ତଥା ଚାଇନା ଦ୍ବାରା ପରିଚାଳିତ ହୋଇ ଭାରତକୁ ମାତ୍‌ ଦେବା ନିମନ୍ତେ ପ୍ରଚେଷ୍ଟା କରିଥିଲେ। ଏକଦା ନେପାଳ ଭାରତ ପାଇଁ ଯେଉଁ ଭଳି ଭାବେ ଉନ୍ମୁକ୍ତ ଥିଲା, ଠିକ୍‌ ସେହି ଭଳି ଚାଇନା ଲାଗି ଉନ୍ମୁକ୍ତ କରିଦେଲେ।

ଭାରତ, ନେପାଳ ପାଇଁ ‘ବଡ଼ ଭାଇ’ ହୋଇ ରହି ଆସିଥିଲା। ତେଣୁ, ସ୍ବାଭାବିକ ଭାବେ ‘ସାନ ଭାଇ’, ଚାଇନାର ନିକଟତର ହେବା, ‘ବଡ଼ ଭାଇ’ର ପସନ୍ଦ ହେଲାନାହିଁ। କିନ୍ତୁ, ଉଭୟ ପକ୍ଷ ଆଉ ପରସ୍ପରକୁ ସିଧା-ସଳଖ କିଛି କହିଲେନାହିଁ; ଯାହା କିଛି ଚାଲିଲା ସବୁ ଇସରାରେ। ଏହାକୁ ତ ଆଉ ମଧୁର ସ˚ପର୍କ ବୋଲି କୁହା ଯାଇପାରିବନାହିଁ। ମୋଦୀ ସରକାର, ନେପାଳକୁ ‘ବିଶ୍ବର ଏକମାତ୍ର ହିନ୍ଦୁ ସରକାର’ର ଜାମା ପିନ୍ଧାଇ ନିଜେ ପରିଚାଳନା କରିବାକୁ ଚାହିଁଲା। ଏହାକୁ ବା କେଉଁ ସ୍ବାଭିମାନୀ ରାଷ୍ଟ୍ର ଗ୍ରହଣ କରିବ? ନେପାଳ ବି କଲା ନାହିଁ। ତାହା ପରେ ଭାରତ ଓ ନେପାଳ ମଧ୍ୟରେ ପୂର୍ବରୁ ରହି ଆସିଥିବା ଉତ୍ତମ ଦ୍ବିପାକ୍ଷିକ ସ˚ପର୍କରେ କ୍ରମାଗତ ଅବନତି ପରିଲକ୍ଷିତ ହୋଇଚାଲିଲା। ଉଭୟ ରାଷ୍ଟ୍ର ମଧ୍ୟରେ ସ˚ପର୍କ ତିକ୍ତରୁ ତିକ୍ତତର ହେବାରୁ ଚାଇନାକୁ ନୂଆ ସୁଯୋଗ ମିଳିଗଲା। ‘ପ୍ରଚ˚ଡ଼’ ଏବ˚ ଓଲୀ ମଧ୍ୟ ସୁଯୋଗ ସୃଷ୍ଟି କରିଚାଲିଲେ। କିନ୍ତୁ, ଦୁହେଁ ଭୁଲିଗଲେ ଯେ ଭାରତ ଓ ନେପାଳ ମଧ୍ୟରେ ସ˚ପର୍କ କେବଳ ରାଜନୈତିକ ନୁହେଁ। ସେଠାକାର ରାଜନୈତିକ, ଆର୍ଥିକ ଓ ସାମାଜିକ ଜୀବନରେ ମଧେସିମାନଙ୍କର ଉପସ୍ଥିତି ବେଶ୍‌ ମଜଭୁତ, ଯେଉଁମାନେ ମୂଳତଃ ଭାରତୀୟ। ଏମାନେ ବହୁ ପୂର୍ବରୁ ଭାରତରୁ ନେପାଳ ଯାଇ ସ୍ଥାୟୀ ବାସିନ୍ଦା ପାଲଟିଥିଲେ। ସେମାନଙ୍କ ମାଧ୍ୟମରେ ଦୁଇ ଦେଶ ଭିତରେ ସ˚ପର୍କର ସେତୁ ଗଢ଼ି ଉଠିଥିଲା ଏବ˚ ସୁଦୃଢ଼ ହୋଇଥିଲା। ସେମାନେ ମୁଖ୍ୟତଃ ନେପାଳ-ଭାରତ ସୀମାରେ ଥିବା ଜିଲ୍ଲାଗୁଡ଼ିକର ବାସିନ୍ଦା। ସମୟ ସହିତ ସେମାନଙ୍କର ରାଜନୈତିକ ସ୍ଥିତି ମଜଭୁତ ହୋଇଛି। ସେମାନେ ନିଜର ରାଜନୈତିକ ଦଳ ମଧ୍ୟ ଗଠନ କରିଛନ୍ତି। ଅନେକ ନାମ ବଦଳିବା ପରେ ଏବେ ସେହି ଦଳର ନାମ ‘ଜନତା ସମାଜବାଦୀ ପାର୍ଟି’। ଏହି ଦଳ ମଧେସିମାନଙ୍କ ପାଇଁ ସ˚ସଦରେ ଅଧିକ ଆସନ ଆରକ୍ଷିତ କରିବା ସହ ନେପାଳର ସମ୍ବିଧାନରେ କେତେକ ପରିବର୍ତ୍ତନ ପାଇଁ ଦାବି କରୁଛି। ଏହା ଏକ ଟାଣୁଆ ସ˚ଗଠନ ଏବ˚ ଦୁଇ ବାମପନ୍ଥୀ ଦଳ ଭିତରେ ଥିବା ଶୂନ୍ୟ ସ୍ଥାନର ଖୁବ୍‌ ଉପଯୋଗ କରୁଛି।

ଏହି ତିନି ମୁଖ୍ୟ ଦଳଙ୍କୁ ନେପାଳ ରାଜନୀତିରେ ଲୋକତନ୍ତ୍ରର ସେହି ଖେଳ ଆରମ୍ଭ କରିବାର ବେଳ ଆସିଛି, ଯାହା ସେମାନେ ଏ ପର୍ଯ୍ୟନ୍ତ ଶିଖିନାହାନ୍ତି। ଲୋକତନ୍ତ୍ରର ଗାଡ଼ି କେତେ ବେଳେ ଏମିତି ଫସିଲେ, ନିର୍ବାଚନ (ସ୍ବତନ୍ତ୍ର ଓ ନିରପେକ୍ଷ) ସବୁଠାରୁ ବୈଧାନିକ ଓ ସ୍ବାଭାବିକ ବିକଳ୍ପ। ଓଲୀ ନିଜର ରାଜନୈତିକ ଲାଭ ପାଇଁ ସ˚ସଦ ଭାଙ୍ଗି ଥାଇପାରନ୍ତି। ତାଙ୍କର ଏହି ପଦକ୍ଷେପର ପରିଣାମ ସ୍ବରୂପ ନେପାଳର ବାମପନ୍ଥୀ ଦଳଗୁଡ଼ିକ ଆହୁରି ଦୁର୍ବଳ ହୋଇ ପାରନ୍ତି। ତଥାପି ତିନିଟି ଯାକ ବଡ଼ ଦଳ ପାଇଁ ନୂତନ ସ˚ଭାବନର ଦ୍ବାର ଖୋଲିବ। ଓଲୀଙ୍କୁ ଲୋକତନ୍ତ୍ର-ବିରୋଧୀ ବୋଲି କହିବା ବଦଳରେ ନିର୍ବାଚନ ମଇଦାନରେ ତାଙ୍କ ବିପକ୍ଷରେ ଜନମତ ହାସଲ କରିବା, ଅଧିକ ଯୁକ୍ତିଯୁକ୍ତ। ଜନତା ହିଁ ସର୍ବେସର୍ବା। ନିର୍ବାଚନ ହେଲେ ଏହା ସ୍ଥିର କରିବ, ସରକାର ଗଠନ କରିବା ପାଇଁ କେଉଁ ଦଳ ଉପଯୁକ୍ତ ଏବ˚ କେଉଁ ଦଳ ଦେଶକୁ ସମୃଦ୍ଧି ପଥରେ ଆଗେଇନେବ। ଏହା ତ ଲୋକତନ୍ତ୍ର।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର