ଜୀବନ ବୃକ୍ଷର ଆଠ ପୁଷ୍ପ

ଜୀବନ ଚିନ୍ତନ - ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ଈଶ୍ବରଙ୍କୁ ନାନା ଉପଚାରରେ ଅର୍ଚ୍ଚନା କରାଯାଏ। ଦୈନନ୍ଦିନ ଈଶ୍ବର ଅର୍ଚ୍ଚନାର ମୁଖ୍ୟ ଉପଚାର ହେଉଛି ଫୁଲ। ଈଶ୍ବରଙ୍କ ପାଖରେ ସମର୍ପିତ ପୁଷ୍ପ କିଛି ସମୟ ପରେ ମଉଳି ଯାଏ, ନିଜ ସୁଗନ୍ଧ ହରାଏ। ତେଣୁ କୁହାଯାଇଥାଏ ଯେ ଏହା ସାଧାରଣ ପୁଷ୍ପ ନୁହେଁ, ଜୀବନ ବୃକ୍ଷରେ ଫୁଟୁଥିବା ପୁଷ୍ପ ଦ୍ବାରା ଈଶ୍ବରଙ୍କ ଉପାସନା କରିବା ଅଧିକ ଯୁକ୍ତି ସ˚ଗତ। କାରଣ ସେଭଳି ପୁଷ୍ପର ସତେଜତା ଓ ସୁଗନ୍ଧ ସବୁବେଳେ ଅତୁଟ ରହେ।

ତେଣୁ ମନୁଷ୍ୟ ଜୀବନ ବୃକ୍ଷରେ ଯେଉଁ ଆଠଟି ଚମତ୍କାର ପୁଷ୍ପ ପ୍ରସ୍ଫୁଟିତ ହେବାର ସମ୍ଭାବନା ରହିଥାଏ, ତା’ ଉପରେ ବିଚାର କରାଯାଉ। ଏହି ପୁଷ୍ପ ମଧୢରେ ପ୍ରଥମ ପୁଷ୍ପ ଅହି˚ସା। ଅହି˚ସାର ପରିସର ଅତ୍ୟନ୍ତ ବ୍ୟାପକ। ଉଭୟ ଶାରୀରିକ ଓ ମାନସିକ ହି˚ସାଚାରକୁ ପରିହାର କରି ପାରିଲେ ଯାଇ ଅହି˚ସା ସମ୍ଭବ ହୋଇଥାଏ। ଅନ୍ୟ ମନରେ କଷ୍ଟ ଦେବା ବା କାହାକୁ ଅପମାନିତ କରିବା ମଧୢ ହି˚ସା ପର୍ଯ୍ୟାୟଭୁକ୍ତ। ତେବେ ଏଭଳି ଫୁଲଟିଏ ଜୀବନରେ ଫୁଟାଇବା ଭାରି କଷ୍ଟକର। ଏଥି ଲାଗି ହୃଦୟ ଦୟା ଏବ˚ କ୍ଷମା ଭାବ ଦ୍ବାରା ଦ୍ରବୀଭୂତ ହେବା ଆବଶ୍ୟକ। ସେହି କ୍ରମରେ ଦୟା ହେଉଛି ମନୁଷ୍ୟ ବୃକ୍ଷର ଦ୍ବିତୀୟ ପୁଷ୍ପ। ଜଣେ ବ୍ୟକ୍ତି ଯଦି ନିଜେ ଭୋଗୁଥିବା ଦୁଃଖ ବା କଷଣରୁ ବା ପରିପାର୍ଶ୍ବରେ ଦେଖୁଥିବା ଦୁଃଖ-ଦୁର୍ଦଶାରୁ ଆହରଣ କରିଥିବା ବିଚଳିତ ବୋଧର ଅନୁଭୂତି ଆଧାରରେ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ବା ସମାନୁଭୂତିଶୀଳ ହୋଇଥାଏ, ସେ ଦୟା ବା କରୁଣା ଦ୍ବାରା ଆପ୍ଳୁତ ହୋଇପାରେ। କୁହାଯାଏ ଯେ ଅନ୍ୟକୁ ଜିଣିବାର ସବୁଠାରୁ କୋମଳ ଅସ୍ତ୍ର ହେଉଛି କରୁଣା। ଏହି ପୁଷ୍ପ ଦ୍ବାରା ସାରା ଜଗତ୍‌ ଉପରେ ବିଜୟ ଲାଭ କରିହୁଏ। କ୍ଷମାଶୀଳତା ହେଉଛି ମନୁଷ୍ୟ ବୃକ୍ଷର ତୃତୀୟ ପୁଷ୍ପ। କ୍ଷମା ଭାବ ଅହି˚ସ ଆଚରଣ କରିବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ। ସେହି ବିଚାରରେ ଅହି˚ସା, ଦୟା ଓ କ୍ଷମା ହେଉଛନ୍ତି ଗୋଟିଏ ବୃନ୍ତରେ ଫୁଟିଥିବା ତିନିଟି ଫୁଲ।

ଅପରିଗ୍ରହ ବା ବୈରାଗ୍ୟ ହେଉଛି ଜୀବନ ବୃକ୍ଷର ଚତୁର୍ଥ ପୁଷ୍ପ। ଏହା ଯେଉଁ ଆସକ୍ତିହୀନତାରୁ ଜାତ ତାହା ନକାରାତ୍ମକ ନୁହେଁ। ଅଙ୍ଗୁର କୋଳି ଖାଇବାକୁ ଇଚ୍ଛା କରି ଡେଇଁବା ପରେ ତାହା ନ ପାଇ ହତାଶାରେ କୋଳି ଖଟା ବୋଲି କହି ବିଲୁଆ ଯେଉଁ ବୈରାଗ୍ୟ ପ୍ରଦର୍ଶନ କରିଥିଲା, ଏହା ତାହା ନୁହେଁ। ଏହା ହେଉଛି ଏଭଳି ଏକ ନିରାସକ୍ତି ଯହିଁରେ ଅଙ୍ଗୁର ପ୍ରତି କୌଣସି ଆକର୍ଷଣ ହିଁ ରହେନା। ଅଙ୍ଗୁର ପାଖରେ ଥିଲେ ବି ଲୋଭ ନ ଥାଏ। ଏଭଳି ନିରାସକ୍ତିରୁ ଚିରନ୍ତନ ଶାନ୍ତି ମିଳିଥାଏ, ଯାହା ହେଉଛି ଜୀବନ ବୃକ୍ଷର ପଞ୍ଚମ ପୁଷ୍ପ। କିନ୍ତୁ ଏହି ଶାନ୍ତି ଶୂନ୍ୟତାର ଶାନ୍ତି ନୁହେଁ। ଏହା ହେଉଛି ପୂର୍ଣ୍ଣତାର ଶାନ୍ତି। ଯେଉଁ ବ୍ୟକ୍ତି ତା’ ପାଖରେ ଥିବା ଅନେକ ଅଭାବ ସତ୍ତ୍ବେ ବିଚଳିତ ନ ହୋଇ ନିଜକୁ ପରିପୂର୍ଣ୍ଣ ବୋଲି ଭାବି ସନ୍ତୁଷ୍ଟ ଥାଏ, ସେ ଯେଉଁ ଶାନ୍ତି ପାଇଥାଏ, ତାହା ହେଉଛି ଏହି ଶାନ୍ତି। ଶାନ୍ତି ମଣିଷକୁ ସ୍ଥିର ମନ ଓ ସ୍ଥିର ଦୃଷ୍ଟି ପ୍ରଦାନ କରେ। ଏହି କ୍ରମରେ ଷଷ୍ଠ ପୁଷ୍ପଟି ହେଉଛି ତପ। ତପର ଅର୍ଥ ନୁହେଁ ସ˚ସାର ପରିତ୍ୟାଗ କରି ନିକାଞ୍ଚନ ସ୍ଥାନକୁ ପଳାୟନ କରି ତପସ୍ୟା କରିବା। ପ୍ରକୃତ ତପ ହେଉଛି ଚିନ୍ତନ, ବଚନ ଓ କାର୍ଯ୍ୟ ମଧୢରେ ସମନ୍ବୟର ସୂତ୍ର। ଅଧିକା˚ଶ ବ୍ୟକ୍ତି ସେମାନଙ୍କ ଚିନ୍ତନ, ବଚନ ଓ କାର୍ଯ୍ୟ ମଧୢରେ ସମନ୍ବୟ ଆଣି ପାରନ୍ତି ନାହିଁ। ସେମାନେ ତପ ଆଚରଣରେ ବିଫଳ ହୁଅନ୍ତି। ତପ ମନୁଷ୍ୟର ଜୀବନକୁ ସୁସ˚ହତ ଓ ସମାହିତ କରିଥାଏ। ତପ ହେଉଛି ଏକ ସାଧନା ଯାହା ଏକ ସଦା ଜାଗ୍ରତ ଚିତ୍ତବୃତ୍ତି ଦ୍ବାରା ସମ୍ଭବ ହୋଇଥାଏ। ସପ୍ତମ ପୁଷ୍ପଟି ହେଉଛି ଧୢାନ, ଯାହା ତପକୁ ସଫଳ କରିଥାଏ। ଜୀବନକୁ ଏକ ଦିଗ ପ୍ରଦାନ କରିବା ଲାଗି ଯାହା ସବୁଠାରୁ ଅଧିକ ଆବଶ୍ୟକ, ତାହା ହେଲା ଧୢାନ। ତେବେ, ଧୢାନ ବୋଇଲେ ଆଖି ବୁଜି ଧୢାନସ୍ଥ ହେବା ନୁହେଁ। ଏହା ହେଉଛି ଜୀବନର ପ୍ରତି କାର୍ଯ୍ୟ ଉପରେ ଶତ ପ୍ରତିଶତ ଦୃଷ୍ଟି ନିବଦ୍ଧ କରି ତାକୁ ସ˚ପାଦନ କରି ଚାଲିବା। ଏହା ଦ୍ବାରା କାର୍ଯ୍ୟ ଓ ଆଚାର ବ୍ୟବହାର ପରିମାର୍ଜିତ ହୋଇଥାଏ। ଜୀବନ ବୃକ୍ଷର ଅଷ୍ଟମ ପୁଷ୍ପଟି ହେଉଛି ସତ୍ୟ; ଯାହାର ଅର୍ଥ କେବଳ ସତ କହିବାରେ ସୀମିତ ନୁହେଁ। ଏହାର ପରିସର ଅତ୍ୟନ୍ତ ବିସ୍ତୃତ। ଏହାର ମୂଳ ପିଣ୍ତ ହେଉଛି ସଚ୍ଚୋଟତା। ମହାତ୍ମା ଗାନ୍ଧୀ ତାଙ୍କ ଅହି˚ସ ଆନ୍ଦୋଳନକୁ ସତ୍ୟାଗ୍ରହ ବୋଲି କହୁଥିଲେ। କାରଣ ସେ କହୁଥିଲେ ଜୀବନ ଏମିତି ହେବା ଉଚିତ ଯହିଁରେ ନିଜର ପ୍ରତିଟି କାର୍ଯ୍ୟରେ ସତ୍ୟ ପ୍ରତି ଆଗ୍ରହ ପରିଦୃଷ୍ଟ ହେଉଥିବ। ଏଥି ଲାଗି ସର୍ବାଧିକ ଜରୁରୀ ହେଲା ସଚ୍ଚୋଟ ହେବା। କାରଣ ଲେଶମାତ୍ର କପଟାଚାର ସତ୍ୟକୁ ପରାହତ କରିଥାଏ।

ଜୀବନ ବୃକ୍ଷର ଏହି ଆଠଟି ପୁଷ୍ପ ମନୁଷ୍ୟର ଶାରୀରିକ, ମାନସିକ ଓ ଆଧୢାତ୍ମିକ ବିକାଶରେ ସହାୟକ ହେବା ସହିତ ଜୀବନ ବୃକ୍ଷକୁ ଅଧିକ ପଲ୍ଲବିତ କରିପାରେ।

ପାରାଦୀପ
ମୋ: ୯୪୩୭୦୨୨୦୬୧

ସମ୍ବନ୍ଧିତ ଖବର