ସୁଯୋଗ ଓ ଆହ୍ବାନର ବେଳ

ନିରାପତ୍ତା ପରିଷଦରେ ଭାରତ - ଶରତ ଚନ୍ଦ୍ର ମିଶ୍ର

ଚଳିତ ବର୍ଷର (୨୦୨୧) ପ୍ରଥମ ଦିବସରେ ଭାରତ ଏକ ଅସ୍ଥାୟୀ ସଦସ୍ୟ ଭାବରେ ନିରାପତ୍ତା ପରିଷଦରେ ଯୋଗ ଦେଇଛି। ଏ ସଭ୍ୟ ପଦ ଦୁଇବର୍ଷ ନିମନ୍ତେ ବଳବତ୍ତର ରହିବ। ପରିଷଦର ୧୫ ଦେଶ ସଭ୍ୟଙ୍କ ମଧୢରୁ ୫ ଦେଶ ସ୍ଥାୟୀ ଯଥା ଆମେରିକା, ରୁଷିଆ, ଇ˚ଲଣ୍ତ, ଫ୍ରାନ୍‌ସ ଓ ଚୀନ୍‌। ବାକି ଦଶଟା ଦେଶ ଦୁଇବର୍ଷ ନିମନ୍ତେ ନିର୍ବାଚିତ ହୁଅନ୍ତି। ପରିଷଦ ଗଠନ ଦିନ ଠାରୁ ଭାରତ ଅଷ୍ଟମ ଥର ନିମନ୍ତେ ଏହାର ସଭ୍ୟ ହେଲା। ଅବଶ୍ୟ ୧୮ ବର୍ଷ ପରେ ଏହି ପଦ ପ୍ରାପ୍ତି ହୋଇଛି। ଏଇଥର ଭାରତ ବିପୁଳ ସମର୍ଥନ ପ୍ରାପ୍ତ ହୋଇ ନିର୍ବାଚିତ ହେଲା। ସମୁଦାୟ ୧୯୨ ଭୋଟରୁ ଭାରତ ୧୮୭ ଭୋଟ ପାଇଥିଲା। ଅତୀତକୁ ସ୍ମରଣ କଲେ, ୧୯୯୬ ମସିହାରେ ଭାରତ, ଜାପାନ ସହିତ ପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୪୦ଟି ଭୋଟ ପାଇଥିଲା ବେଳେ ଜାପାନ ୧୪୨ ଭୋଟ ଲାଭ କରିଥିଲା। ଏଇ ବର୍ଷ ପ୍ରଥମ କରି ସମସ୍ତ ‘ବ୍ରିକ୍‌’ (ବ୍ରାଜିଲ, ରୁଷିଆ, ଭାରତ ଓ ଚୀନ୍‌) ରାଷ୍ଟ୍ର ଏକାଠି ପରିଷଦରେ କାର୍ଯ୍ୟ କରିବେ। ଦକ୍ଷିଣ ଆଫ୍ରିକା ମଧୢ ସଦସ୍ୟ। ଭାରତ ସହିତ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ମଧୢ ପରିଷଦର ସ୍ଥାୟୀ ପଦ ନିମନ୍ତେ ଆଗ୍ରହୀ।

ପରିଷଦର ଦାୟିତ୍ବ ହେଲା, ପୃଥିବୀରେ ଶାନ୍ତି ରକ୍ଷା କରିବା, ଜାତିସ˚ଘରେ ନୂତନ ସଭ୍ୟ ଗ୍ରହଣ କରିବା ଓ ଜାତିସ˚ଘର ନିୟମ କାନୁନରେ ଆବଶ୍ୟକ ମତେ ପରିବର୍ତ୍ତନ କରିବା। ଶାନ୍ତିରକ୍ଷା ଦାୟିତ୍ବ ବହନ କରୁଥିବା ହେତୁ, ଏହା ଜାତିସ˚ଘର ଛଅଟି ଅ˚ଶ ମଧୢରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅ˚ଶ। ତେଣୁ ଏଥିରେ ସଦସ୍ୟ ନିମନ୍ତେ ଏତେ ଅଧିକ ସମର୍ଥନରେ ନିର୍ବାଚିତ ହେବା ଭାରତ ପ୍ରତି ଆନନ୍ଦ ଓ ଗୌରବର ବିଷୟ। ଏହି ଆନନ୍ଦ ଓ ଗୌରବ ସହିତ, ସଦସ୍ୟତା ଭାରତର କୂଟନୀତି ପ୍ରତି ଏକ ଆହ୍ବାନ ଓ ଦାୟିତ୍ବ। ଏ ଦାୟିତ୍ବକୁ ଦୁଇବର୍ଷ ସଫଳତା ସହିତ ପରିଚାଳନା କରିପାରିଲେ, ସ୍ଥାୟୀ ସଭ୍ୟ ନିମନ୍ତେ ଭାରତକୁ ଅନ୍ୟ ଦେଶମାନେ ଯୋଗ୍ୟ ବିବେଚନା କରିବେ। ଏ ଆନ୍ତର୍ଜାତିକ ଦାୟିତ୍ବ ସହିତ ନିଜ ଦେଶର ସ୍ବାର୍ଥକୁ ଅଗ୍ରାଧିକାର ପ୍ରଦାନ କରିବା ପ୍ରଥମ କର୍ତ୍ତବ୍ୟ। ଏ ଦୁଇଟି ଦାୟିତ୍ବ ମଧୢରେ ସ˚ଯୋଗ ସ୍ଥାପନ କରିପାରିବା କୂଟନୈତିକ ସଫଳତାର ମାପକାଠି ହେବ।

ଏକ ସ˚କଟମୟ ମୁହୂର୍ତ୍ତରେ ଭାରତ ପରିଷଦକୁ ପ୍ରବେଶ କରିଛି। ପରିଷଦର ଏକ ସ୍ଥାୟୀ ସଭ୍ୟ ଚୀନ୍‌ ସହିତ ଆମର ନାନା କ୍ଷେତ୍ରରେ ବିବାଦ ବୃଦ୍ଧି ପାଉଛି ଓ ଚୀନ୍‌, ଭାରତ ବିରୋଧୀ କାର୍ଯ୍ୟରେ ପୂର୍ଣ୍ଣ ମାତ୍ରାରେ ପାକିସ୍ତାନକୁ ସମର୍ଥନ ଜଣାଉଛି। ଭାରତର ପରିଷଦର ସ୍ଥାୟୀ ସଭ୍ୟ ପଦ ପ୍ରସ୍ତାବର ମୁଖ୍ୟ ବିରୋଧୀ ହେଲେ ଚୀନ୍‌ ଓ ପାକିସ୍ତାନ। ପରିଷଦରେ ଚୀନ୍‌ର ଭିଟୋ କ୍ଷମତା ଥିବା ହେତୁ ଚୀନ୍‌ର ବିରୋଧ ଆମ ପ୍ରତି ମହଙ୍ଗା ପଡୁଚି। ଚୀନ୍‌ ୨୦୧୩ରେ ଆଫଗାନିସ୍ତାନରେ ଜାତିସ˚ଘର ଅଧିକାରକୁ ଏକ ପ୍ରସ୍ତାବ ଦ୍ବାରା କାଏମ ରଖାଇ ପାରିଛି। ସେ ପ୍ରସ୍ତାବରେ ଆଫଗାନିସ୍ତାନରେ ଚୀନ୍‌ର ‘ବେଲ୍‌ଟ ଏଣ୍ଡ ରୋଡ୍‌’ ଯୋଜନାକୁ ଅନୁମୋଦନ ବି ରହିଛି। ଗଲା କେତେ ବର୍ଷ ହେଲା ଜାତିସ˚ଘ ଓ ପରିଷଦ ମାଧୢମରେ ଚୀନ୍‌ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ପ୍ରଭାବ ବୃଦ୍ଧି କରିବାରେ ସଫଳ ହୋଇଛି। ଜାତିସ˚ଘର ପ୍ରତିଷ୍ଠା ସମୟରୁ ଶକ୍ତିଶାଳୀ ଦେଶମାନେ ଜାତିସ˚ଘକୁ ନିଜ ଦେଶର ସ୍ବାର୍ଥ ରକ୍ଷା ନିମନ୍ତେ ବ୍ୟବହାର କରିବାର ଉଦ୍ୟମ କରିଛନ୍ତି। ଆମେରିକା ନିଜର ପାଶ୍ଚାତ୍ୟ ସହଯୋଗୀଙ୍କ ସମର୍ଥନରେ ଜାତିସ˚ଘ ଓ ବିଶେଷତଃ ନିରାପତ୍ତା ପରିଷଦକୁ ନିଜ ଦେଶର ସ୍ବାର୍ଥରେ ବ୍ୟବହାର କରିଛି ଓ ତା’ର ପ୍ରତିରୋଧ ନିମନ୍ତେ ସୋଭିଏତ୍ ରୁଷିଆ ବହୁ ବାର ଭିଟୋ କ୍ଷମତାର ବ୍ୟବହାର କରିଛି। ଶୀତଳ ଯୁଦ୍ଧ ସମୟରେ ପରିଷଦରେ ଦୁଇ ଶକ୍ତିଶାଳୀ ଶକ୍ତି ଆମେରିକା ଓ ସୋଭିଏତ୍‌ ରୁଷ ମଧୢରେ ବିରୋଧର ମାତ୍ରା ଅତ୍ୟନ୍ତ ତୀବ୍ର ଥିଲା। ସୋଭିଏତ୍‌ ରୁଷିଆର ଅବକ୍ଷୟ ପରେ ଆମେରିକା ଏକକ ଶକ୍ତିରେ ପରିଣତ ହୋଇ, ନିଜର ସ୍ବାର୍ଥ ସିଦ୍ଧି ନିମନ୍ତେ ଜାତିସ˚ଘ ଓ ପରିଷଦର ଆବଶ୍ୟକତା ଅନୁଭବ କଲା ନାହିଁ; ପରିଷଦକୁ ଓ ଜାତିସ˚ଘକୁ ଅଣହେଳା କଲା ଏବଂ ଏହାର ନିୟମିତ ଦେୟ ମଧୢ ପ୍ରଦାନ କଲା ନାହିଁ। ଏ ପରିସ୍ଥିତିର ସୁଯୋଗ ନେଇ ଚୀନ୍‌ ଜାତିସ˚ଘରେ ନିଜର ପ୍ରଭାବ ବିଶେଷ ଭାବରେ ବୃଦ୍ଧି କରିବାରେ ସଫଳକାମ ହୋଇଛି।

୧୯୯୯ ମସିହାରେ ଜାତିସ˚ଘ ବଜେଟର ଶତକଡ଼ା ୧ ଭାଗ ଚୀନ୍‌ ପ୍ରଦାନ କରୁଥିଲା। ବର୍ତ୍ତମାନ ଶତକଡ଼ା ୧୨% ପ୍ରଦାନ କରୁଛି। ଛଅଟି ଜାତିସ˚ଘ ସ˚ସ୍ଥାରେ ଚୀନ୍‌ବାସୀମାନେ ପ୍ରେସିଡେଣ୍ଟ ବା ସେକ୍ରେଟାରି ଜେନେରାଲ ପଦ ଅଳ˚କୃତ କରୁଛନ୍ତି। ତାହା ମଧୢରେ ‘ୟୁ.ଏନ୍‌.ଏଲ୍‌.ଡି.ଓ.’, ‘ଆଇ.ଟି.ଓ.’, ‘ଆଇ.ସି.ଏ.ଓ.’ ଏବଂ ‘ଏଫ୍‌.ଏ.ଓ.’ ଅନ୍ତର୍ଭୁକ୍ତ। ଏତଦ୍‌ ବ୍ୟତୀତ ଜାତିସ˚ଘର ଏକ ଶାନ୍ତିରକ୍ଷା ବାହିନୀ ଅଛି। ପରିଷଦର ନିଷ୍ପତ୍ତି ଅନୁସାରେ ସେମାନଙ୍କର ମୁତୟନ ହୁଏ। ଏକ ଅଲିଖିତ ବୁଝାମଣା ଅନୁଯାୟୀ ଶାନ୍ତିରକ୍ଷା ବାହିନୀର ଖର୍ଚ୍ଚ ପାଞ୍ଚ ସ୍ଥାୟୀ ସଭ୍ୟ ବହନ କରୁଥିଲେ ଓ ଅନ୍ୟ ଦେଶରୁ ସୈନ୍ୟ ଅଣାଯାଉଥିଲା। ଭାରତ, ପାକିସ୍ତାନ, ନେପାଳ ଓ ବଙ୍ଗଳାଦେଶରୁ ମୁଖ୍ୟତଃ ସୈନ୍ୟ ନିଯୁକ୍ତି କରା ହେଉଥିଲା। ବିଗତ ସାତ ବର୍ଷ ମଧୢରେ, ଶାନ୍ତିବାହିନୀ ବଜେଟରେ ଚୀନ୍‌ର ଦେୟ ଶତକଡ଼ା ୩%ରୁ ଶତକଡ଼ା ୧୪%କୁ ବୃଦ୍ଧି ପାଇଛି ଓ ଚୀନ୍‌ର ସୈନ୍ୟମାନେ ଏଥିରେ ଯୋଗ ଦେଇ ଆଫ୍ରିକାର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଅନ୍ୟ ଦେଶର ସେନାର ଟୁକୁରାରେ ମଧୢ ଚୀନ୍‌ ଅଫିସର ମୁଖ୍ୟ ବା ଉପମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ଜାତିସ˚ଘର ଅମଲାତନ୍ତ୍ରରେ ମଧୢ ଚୀନ୍‌ ଅଧିବାସୀଙ୍କ ସ˚ଖ୍ୟା ବୃଦ୍ଧିପ୍ରାପ୍ତ ହୋଇଛି। ତେଣୁ ଭାରତକୁ ପରିଷଦରେ ଏକ ନୂତନ ଅସହଯୋଗର ପରିସ୍ଥିତିକୁ ମୁକାବିଲା କରିବାକୁ ପଡ଼ିବ। ଏ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଅନ୍ୟାନ୍ୟ ସଦସ୍ୟ ଦେଶଙ୍କ ସହିତ ମିଶି କାର୍ଯ୍ୟ କରିବାର ଆବଶ୍ୟକତାକୁ ଏଡ଼ାଇ ହେବ ନାହିଁ।

ଭାରତ ଗଲା କେତେ ବର୍ଷ ହେଲା ବିବାଦମାନ ପରିସ୍ଥିତିରେ ଭୋଟ ଦାନରୁ ବିରତ ରହି ନିରପେକ୍ଷ ଭାବ ପ୍ରଦର୍ଶନ କରୁଅଛି। ସେଇ ପ୍ରକାର ନୀତି ଜାତିସ˚ଘରେ କାର୍ଯ୍ୟକାରୀ ହୋଇ ପାରୁଥିଲା। କିନ୍ତୁ ପରିଷଦରେ ନିଜ ସ୍ପଷ୍ଟ ମତ ବ୍ୟକ୍ତ କରିବାକୁ ହେବ। ଏହା ଭାରତ ପ୍ରତି ଏକ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିବ। ଇରାନ ବ୍ୟାପାରରେ ଭାରତ ପରିଷଦର କଟକଣାକୁ ସମର୍ଥନ କଲେ, ଇରାନରେ ଭାରତର ସ୍ବାର୍ଥ ହାନି ହେବ। ସେହି ପରି ମଧୢପ୍ରାଚ୍ୟରେ ଭାରତ ଏ ଯାବତ୍‌ ପାଲେଷ୍ଟାଇନକୁ ସମର୍ଥନ କରିଆସିଛି, କିନ୍ତୁ ନିକଟ ଅତୀତରେ ଇସ୍ରାଏଲ ସଙ୍ଗେ ସମ୍ପର୍କରେ ଉନ୍ନତି ହେତୁ, ଏଇ ବିବାଦ ସମ୍ବନ୍ଧୀୟ ଭୋଟ ଦାନରୁ ବିରତ ରହୁଛି। ବର୍ତ୍ତମାନ ଭାରତକୁ ନିଜର ନୀତି ସ୍ଥିର କରିବାକୁ ହେବ।

ମୋଟାମୋଟି ଭାବରେ ନିଜ ଦେଶର ସ୍ବାର୍ଥ ଓ ନୀତିକୁ ଆଗରେ ରଖି ପରିଷଦର ନୀତି ସହିତ ଏକ ସ˚ଯୋଗ ସୃଷ୍ଟି କରିବାକୁ ହେବ। ଦ୍ବିତୀୟତଃ ଆଦର୍ଶବାଦ ଅପେକ୍ଷା ନିଜ ଦେଶର ସୁବିଧାକୁ ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ହେବ। ପରିଷଦରେ ଭାରତର କାର୍ଯ୍ୟାବଳୀର ରେକର୍ଡ, ତାର ସ୍ଥାୟୀ ସଭ୍ୟ ପଦର ଯୋଗ୍ୟତା ସମ୍ବନ୍ଧରେ ଅନ୍ୟ ଦେଶକୁ ପ୍ରଭାବିତ କରିବ। ଆମ ଦେଶର କୂଟନୀତିଜ୍ଞମାନେ ଏସବୁ କାରକଗୁଡ଼ିକ ବିଚାରକୁ ନେଉଥିବେ ବୋଲି ଆଶା।

ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର