ଯେଉଁଠି ସମ୍ଭାବନା ସରିଆସୁଥାଏ ତ’ ସେ ତିଆରନ୍ତି ସମ୍ଭାବନାର ଏକ ଉଜ୍ଜ୍ବଳ ପୃଥିବୀ। ଯେଉଁଠି ଅନ୍ଧବିଶ୍ବାସର କୁହେଳିକା ଥାଏ ତ’ ସେ ଆଙ୍କି ବସନ୍ତି ବିଶ୍ବାସର ଚିତ୍ରପଟ। ଅନେକ ନକାରାତ୍ମକ ଭାବନାକୁ ସେ ବଦଳାଇ ଦିଅନ୍ତି ସକାରାତ୍ମକ ଚିତ୍ରିତ ଭାବ ସ୍ପନ୍ଦନରେ। ବିକଳ୍ପ ମଣିଷକୁ ଚିତ୍ରାୟିତ କରିବାର ନିଃସର୍ତ୍ତ ସମର୍ପଣ କାରଣରୁ ସେ ସର୍ଜନଶୀଳତାର ସମ୍ରାଟ, ମଣିଷ ଭାବରେସେ ବିବେକର ଶିଳ୍ପୀ। ସ୍ବଚ୍ଛନ୍ଦ ଜୀବନ ଅପେକ୍ଷା ସେ ଜିଇଥିଲେ ଜଣେ ସେନାପତିର ଲଢ଼ୁଆ ଜୀବନ। ନବ ଜୀବନରେ ଆତ୍ମାଭିଷିକ୍ତ ସହୃଦୟତା, କ୍ଳେଦକ୍ଳିଷ୍ଟ ପରିଶ୍ରମ ଓ ବେସାଲିସ୍‌ ମନୋବୃତ୍ତି ତାଙ୍କ ସାଧନାର ସମୁଜ୍ଜ୍ବଳ କୀର୍ତ୍ତି। ହଁ, ଆମେ ସେହି ସେନାପତି କଥା କହୁଛୁ ଯିଏ ଏହି ଜାତି ପ୍ରତି କୃତଜ୍ଞଚିତ୍ତ ଭାବ ନେଇ ଆମ ପାଇଁ ତିଆରି ଥିଲେ ଲୋଭନୀୟ ନୀଳ ଆକାଶ ଅନେକ ଉପେକ୍ଷାକୁ ପରାହତ କରି, ଅବିମୃଶ୍ୟକାରୀ ଭାବ ଉପରେ ପ୍ରଚଣ୍ତ ଆଘାତ ଦେବାର ସାମର୍ଥ୍ୟ ଯାହାଙ୍କ ଭିତରେ ଭରି ରହିଥିଲା। ସେହି ପୌରୁଷଦୀପ୍ତ ଯୋଦ୍ଧା, ଅମଳିନ ତେଜ ଓ ଛଦ୍ମହୀନ ବ୍ୟକ୍ତିତ୍ବର ନାଁ ଫକୀରମୋହନ ସେନାପତି।

Advertisment

୧୮୦୩ରେ ଇ˚ରେଜମାନଙ୍କର ଓଡ଼ିଶା ଅଧିକାର ଠାରୁ ୧୯୦୨ରେ ସ୍ବ-ଲିଖିତ ‘ଛ ମାଣ ଆଠ ଗୁଣ୍ଠ’ ପ୍ରକାଶ ପର୍ଯ୍ୟନ୍ତ ଦୀର୍ଘ ଏକ ଶତାବ୍ଦୀର ଅନ୍ଧକାର ଯୁଗର ଅର୍ଦ୍ଧକର ସେ ଥିଲେ ଓଡ଼ିଆତ୍ବର ଆଲୋକ ବର୍ତ୍ତିକା। ଭାବରେ ନୂତନ ଚିନ୍ତା, ନୂତନ ପରିମଣ୍ତଳ ଓ ଜୀବନର ଅଭାବବୋଧକୁ ଏକ ପୂର୍ଣ୍ଣାଙ୍ଗ ଅବବୋଧ ଦେବାରେ ସମର୍ଥ ଫକୀରମୋହନ ପ୍ରକୃତରେ ଥିଲେ ବହୁମାର୍ଗୀ। ଯେତେବେଳେ ପାଠ ପୁସ୍ତକ ଆବଶ୍ୟକ ଥିଲା ସେ ଲେଖି ବସିଲେ ପାଠ୍ୟ ପୁସ୍ତକ, ଯେତେବେଳେ ପତ୍ରପତ୍ରିକା ଆବଶ୍ୟକ ଥିଲା ସେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରି ତୁଳାଇ ଥିଲେ ପତ୍ରିକା ପ୍ରକାଶକ ଓ ସମ୍ପାଦକର ଦାୟିତ୍ବ। ଜଣେ ସାହିତ୍ୟ ସ୍ରଷ୍ଟା ଭାବରେ ସେ ସାହିତ୍ୟରେ ଭରି ଦେଲେ ମୁକ୍ତି ଓ ସ୍ବସ୍ତିର ଆନନ୍ଦ। ତାଙ୍କ ସାହିତ୍ୟରେ ଯେଉଁଠି ଥିଲା, ଗାଁ-ଦାଣ୍ତର ଭାଷା, କ୍ଷେତ-କ୍ଷେତୁଆଳର ଜୀବନ ଗୀତ।

ଯେତେବେଳେ ଓଡ଼ିଆ ଜାତିର ଅସ୍ମିତା ପ୍ରତି ଆଙ୍ଗୁଳି ଉଠିଥିଲା, ବ୍ୟକ୍ତିଗତ ଜୀବନର ସ୍ବାଚ୍ଛନ୍ଦ୍ୟକୁ ପଛରେ ରଖି ସେ ନିଃସର୍ତ୍ତ ଭାବେ ଓଡ଼ିଆଙ୍କ ଜୀବନରେ ଭରି ଦେଲେ ମିଠା ପଣ। ଏବେ ବି ବିସ୍ମିତ ହେବାକୁ ପଡ଼େ, ଜଣେ ନିଜ ଜୀବନକୁ ଭାରାକ୍ରାନ୍ତ କରି ନିଜ ଭାଷା ଓ ଜାତିର କଥା କାହିଁକି ଭାବିବ? ନିଜର କୋମଳ କଳ୍ପନାକୁ ପଛରେ ରଖି କଠୋର ବାସ୍ତବତାର ସାମ୍ନା କରିବ! କେବେ କେବେ ତାଙ୍କ ସ˚ପର୍କରେ ଭାବି ବସିଲେ ମନେ ହେବ କେବଳ ଅନ୍ତରାତ୍ମାରେ ନିଜ ଜନ୍ମଭୂମି ପ୍ରତି ଏହା ତାଙ୍କର ଐକାନ୍ତିକ ମୋହ ଛଡ଼ା ଆଉ କିଛି ନୁହେଁ। ପ୍ରକୃତରେ ଅନ୍ୟର ତିରସ୍କାର ଓ ଅନାଦର ପ୍ରତି କୌଣସି ଭ୍ରୂକ୍ଷେପ ନ ରଖି ନିର୍ବିକାର ହୃଦୟରେ ଏ ଜାତି ପାଇଁ ଆଗୁସାର ହେବା ହିଁ ତାଙ୍କର ସାଧନା।

ଫକୀରମୋହନଙ୍କ ଭିତରେ ଥିଲା ଯାବତୀୟ ସ˚ଶୟକୁ ସାମ୍ନା କରିବାର କ୍ଷମତା। ନୂତନ ଧାରାଟିକୁ ପାରମ୍ପରିକ କାୟା ମଧୢରୁ ମୁକୁଳାଇବାର ସାହସ। ପ୍ରେମ ଓ ଜୀବନର ନିରବ ନଭମଣ୍ତଳ ଭିତରେ ଥିବା ଦୁଃଖଦ ପଙ୍‌କ୍ତିମାନଙ୍କୁ ଲୋକାୟତନର ବାଟ ଦେଇ ପ୍ରାଣବନ୍ତ ହର୍ଷ-ଉଲ୍ଲାସର ଶୋଭାଯାତ୍ରାରେ ବଦଳାଇବାର ପ୍ରବଣତା। ସେଥିପାଇଁ ସେ ସାହିତ୍ୟରେ ଭରି ଦେଲେ ରସୋତୀର୍ଣ୍ଣ ଭାବ ଓ କଳାତ୍ମକତାର ଅନ୍ତରଙ୍ଗ ଆବେଦନ। ଯେତେବେଳେ ଗଦ୍ୟ ସାହିତ୍ୟ ପାଇଁ ସ˚ପୂର୍ଣ୍ଣ ନୂତନ ଭାଷାର ପ୍ରୟୋଜନ ଥିଲା, ସେତେବେଳେ ସେ ବୁଣି ବସିଲେ ଗଣ ଭାଷାର ଇନ୍ଦ୍ରଜାଲ। ସାଧାରଣ ମଣିଷର ମୁହଁର ଭାଷାକୁ ପୁନରାବିଷ୍କାର କଲେ ଏବ˚ ଓଡ଼ିଆଙ୍କୁ ଭେଟି ଦେଲେ ଅସାଧାରଣ କଳାପାଟବରେ ଭରା ଜନଜୀବନର କଥା। ସେ କଥାରେ ଜୀବନ ବଖାଣୁଥିଲେ, ଖାଣ୍ଟି ଓଡ଼ିଆ ଜୀବନ। ଗଳ୍ପ-ଉପନ୍ୟାସର ବିବର୍ତ୍ତନରେ ସେ ପାଲଟି ଥିଲେ ମାନ୍ତ୍ରିକ।

କବିତା ବି ଥିଲା ତାଙ୍କ ପାଇଁ ବିସ୍ମୟର ଜାଗରଣ, ଜୀବନର ଆନନ୍ଦ, ଆସ୍ଥାବାନ୍‌ ଚିତ୍ତବୃତ୍ତି। ନୈରାଶ୍ୟ ଭିତରୁ ଆଶାର କୃଷ୍ଣା, ପ୍ରତିବାଦ ଭିତରୁ ଜୀବନର ସନ୍ଧାନ ପାଲଟିଥିଲା ତାଙ୍କ କବିତାର ଆତ୍ମା। ପ୍ରେମ, ପ୍ରକୃତି, ସ˚ଶୟ, ସମ୍ଭାବନା ଏପରିକି ସତ୍‌ ଓ ବିଶୁଦ୍ଧ ଗଭୀର ଜୀବନବୋଧ ଥିଲା ଫକୀରମୋହନୀୟ କଳ୍ପନାର ଅଜସ୍ର ରଙ୍ଗ।

କେବେ ଯଦି କୁନିଝିଅଟିଏ ପ୍ରତିବାଦ ଭିତରେ ଆଗକୁ ପାହୁଣ୍ତ ବଢ଼ାଏ ତ’ ମନେପଡ଼ିଯାଏ ରେବତୀର ମୁହଁ‌; ପୁଣି କେବେ କ୍ଷେତୁଆଳର ଦୁଃଖ ଦେଖିଲେ ମନେପଡ଼ିଯାଏ ସାରିଆ-ଭଗିଆର ଜୀବନର ନିରନ୍ଧ୍ର ଅନ୍ଧାର। ଯଦି କେହି ଅଯାଚିତ ଭାବେ ଆସି ସାହା ହୁଏ ତେବେ ମନକୁ ଆସେ ଏ ଅନନ୍ତା, ନୁହେଁ କି? ପ୍ରକୃତରେ ସଚେତନ ପାଠକର ସ୍ମୃତିରେ ଯେତେବେଳେ ତାଙ୍କ ପରିକଳ୍ପିତ ଚରିତ୍ରମାନେ ଆଘାତ ଦେବାରେ ସମର୍ଥ ହୁଅନ୍ତି ସେତେବେଳେ ପାଠକର ମନରେ ଉଦ୍‌ଭାସିତ ହୁଅନ୍ତି ସେହି ଲେଖକ, ଫକୀରମୋହନ।

ଫକୀରମୋହନଙ୍କ କାର୍ଯ୍ୟଧାରା, ବହୁବିଧ ସମସ୍ୟାର ସମାଧାନ, ଗୁଣାତ୍ମକ ଓ କଳାତ୍ମକ ଉତ୍କର୍ଷ ପାଇଁ ତାଙ୍କ ଜୀବନ ହୋଇଗଲା ଏହି ଦେଶ ଓ ଜାତିର ସର୍ବଶ୍ରେଷ୍ଠ ଇତିହାସ। ଆପଣ ପ୍ରଶ୍ନ ପଚାରିପାରନ୍ତି, ସେ ମହାନୁଭବ ଏହି ଧରାପୃଷ୍ଠରୁ ବିଦାୟ ନେବା ପରେ ତାଙ୍କର ଆଉ ଦାୟିତ୍ବ କ’ଣ?ତାଙ୍କ ଜୀବନାଲେଖ୍ୟ ସମ୍ବେଦନା, ସ୍ବାଭିମାନ ଓ ସ˚ଘର୍ଷର ଏକ ଚମତ୍କାର ସମୀକରଣ। ଯାହାଙ୍କ ଘଟଣା ବହୁଳ ଜୀବନ ନୂତନ ଗୀତିକୁ ଚଳଚଞ୍ଚଳ କରିବାରେ ସମର୍ଥ।

ଆପଣ କ’ଣ ସେନାପତିଙ୍କୁ ରକ୍ତମା˚ସର ଜଣେ ମଣିଷ ବୋଲି ଭାବିଛନ୍ତି କି? ସେ ଅସାଧାରଣ ମହାଦର୍ଶର ଏକ ଶାଣିତ ସତ୍ୟ। ଯେମିତି ସେ ଚିରକାଳ କହୁଛନ୍ତି, ଏ ଚରାଚର ବିଶ୍ବରେ ମୋର ସବୁକିଛି ସରିଯାଉ, ମାତ୍ର ଜାତି ମୋର ଛିଡ଼ା ହେଉ ପରିପୂର୍ଣ୍ଣ ହୋଇ। ସେହି ଅନିର୍ବାପିତ ଯୁଗସ୍ରଷ୍ଟାଙ୍କୁ ଏ ଜାତିର ଅୟୁତ ପ୍ରଣାମ।

(ଫକୀରମୋହନ ଜୟନ୍ତୀ ଉପଲକ୍ଷେ)

ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର
ମୋ: ୭୯୭୮୯୦୩୩୪୫