‘Mischief thou art afoot, Take thou what course thou wilt’
(Antony: Act III, Scene 2, Julius Caesar & Shakespeare)
କେବଳ ଆଇନ ତା’ର ନିଜ ବାଟ ନିଏ ନାହିଁ, ଅପକୃତ୍ୟ ଥରେ ପ୍ରଜ୍ଜ୍ବଳିତ ହୋଇଗଲେ ବି ତା’ର ନିଜ ବାଟ ନିଏ। ଏବେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରରୋଚନାରେ ତାଙ୍କର ସମର୍ଥକମାନେ କ୍ୟାପିଟଲ ହିଲ୍‌ ଅକ୍ତିଆର କରିବା ଭଳି ଏକ ଭୟଙ୍କର ଅପକୃତ୍ୟ କରି ଗଣତନ୍ତ୍ରର ଅନ୍ତଃସ୍ଥଳରେ ଛାଡ଼ି ଦେଇଚନ୍ତି, ଏବେ ସେ ତା’ର ନିଜ ବାଟରେ ଯିବ। ଯାଉଚି ତ! ଟ୍ରମ୍ପ୍‌ ମହାଭିଯୋଗର ସମ୍ମୁଖୀନ, ସମସ୍ତଙ୍କ ଦ୍ବାରା ନିନ୍ଦିତ ଓ ଭର୍ତ୍ସିତ ଏବଂ ନିନ୍ଦିତ ବିଶ୍ବର ଜଣେ ମହାନାୟକ। ହୁଏତ ଟ୍ରମ୍ପ୍‌ ଗାଦିଚ୍ୟୁତ ହେବେ ବା ରିପବ୍ଲିକାନ୍‌ ପେନ୍‌ସ ଉପରେ ଉପରେ ଟ୍ରମ୍ପ୍‌ଙ୍କ ଅପକୃତ୍ୟର ବିରୋଧ କରୁଥିଲେ ବି ରିପବ୍ଲିକାନ୍‌ ପାର୍ଟିର ନିର୍ବାଚନୀ ଭବିଷ୍ୟତକୁ ଆଖିରେ ରଖି ମହାଭିଯୋଗ ପ୍ରସ୍ତାବକୁ ସମ୍ମତି ଦେବେ ନାହିଁ। ଯାହା ହେଲେ ବି ଆମେରିକାର ଏ ବୀଭତ୍ସ ନାଟକ ସରିଯିବ, କିନ୍ତୁ ଗଣତାନ୍ତ୍ରିକ ପୃଥିବୀର ମର୍ମସ୍ଥଳରେ ଯେଉଁ କ୍ଷତ ସୃଷ୍ଟି ହୋଇଚି ତାହା କାଳ କାଳକୁ ରହିଯିବ। ଏ ଭିତରେ ସାରା ବିଶ୍ବର ରାଜନୈତିକ ଚିନ୍ତନର ମୁଖ୍ୟସ୍ରୋତରେ ଏ ଅପକୃତ୍ୟର ଚର୍ଚ୍ଚା ଚାଲିଚି, ମିଡିଆରେ ପ୍ରତିଦିନ ଅପ୍‌ଡେଟ୍‌ ବି ମିଳୁଚି, କିନ୍ତୁ ଟ୍ରମ୍ପ୍‌ ଏଭଳି ଏକ ଅପକୃତ୍ୟ କରିବା ପଛରେ ଗଣମାନସର କ୍ରିୟାକୁ ନେଇ କୌଣସି ଚର୍ଚ୍ଚା ହେଉନାହିଁ, ଅଥଚ ତାହାହିଁ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ! ଯେଉଁମାନେ ସେକ୍‌ସପିଅୟରଙ୍କ ‘ଜୁଲିଅସ୍‌ ସିଜର‌୍‌’ ନାଟକ ପଢ଼ିଚନ୍ତି ଓ ତାର ତୃତୀୟ ଅଙ୍କର ଦ୍ବିତୀୟ ଦୃଶ୍ୟ ମନେ ପକେଇ ପାରୁଚନ୍ତି, ତାଙ୍କ ପାଖରେ ଏ ଅପକୃତ୍ୟର ପୃଷ୍ଠଭୂମିରେ ଥିବା ଗଣମାନସକୁ ଇଙ୍ଗିତରେ ବୁଝିବା ପାଇଁ ଓ ବୁଝେଇବା ପାଇଁ ଅମ୍ଳାନ ଉପାଦାନ ଅଛି।

Advertisment

ସେକ୍‌ସପିଅୟରଙ୍କ ନାଟକରେ ‘ଜୁଲିଅସ୍‌ ସିଜର‌୍‌’ଙ୍କୁ ହତ୍ୟା କଲେ ତାଙ୍କର ପାଖ ଲୋକେ। ତମେ ବି ବ୍ରୁଟସ୍‌! ଅନ୍ତରଙ୍ଗ ଲୋକର ବିଶ୍ବାସଘାତକତାକୁ ବିଶ୍ବାସ କରିପାରୁ ନ ଥିବା ଜଣେ ବିଶ୍ବାସୀ ଲୋକର ବିସ୍ମୟ ଭାବରେ ବହୁ ଚର୍ଚ୍ଚିତ ଓ କଥା କଥାକେ ସ୍ମରଣୀୟ ହୋଇ ରହିଚି। ବ୍ରୁଟସ୍‌, ଉପସ୍ଥିତ ଜନଗଣଙ୍କୁ ସମ୍ବୋଧିତ କରି କହିଲେ ଯେ ସିଜର‌୍‌ଙ୍କୁ ସେ କିଛି କମ୍‌ ଭଲ ପାଉନଥିଲେ, କିନ୍ତୁ ସେ ବେଶି ଭଲ ପାଉଥିଲେ ରୋମ୍‌କୁ, ସେ ଜୁଲିଅସ୍‌ ସିଜର‌୍‌ଙ୍କୁ ହତ୍ୟା କଲେ କାରଣ ସମସ୍ତ ସମ୍ରାଟୀୟ ବୈଭବ ଓ ମହନୀୟତା ସତ୍ତ୍ବେ ସେ ଥିଲେ ଜଣେ ମହାଭିଳାଷୀ, ମହତ୍ତ୍ବାକା˚କ୍ଷୀ ବ୍ୟକ୍ତି। ତାଙ୍କର ମହତ୍ତ୍ବାକା˚କ୍ଷା ପାଇଁ ତାଙ୍କୁ ହତ୍ୟା କରାଗଲା। ଲୋକେ (ଗଣ) ବୁଝିଗଲେ, ବ୍ରୁଟସ୍‌ଙ୍କୁ ଲୋକ ସମର୍ଥନ ସେଇ ମୁହୂର୍ତ୍ତରେ ମିଳିଗଲା। ବ୍ରୁଟସ୍‌ଙ୍କ ବକ୍ତବ୍ୟ ସରିବା ପୂର୍ବରୁ ପ୍ରବେଶ କଲେ ସିଜରଙ୍କ ମୃତ ଦେହ ନେଇ ଆଣ୍ଟୋନି। ତା’ପରେ ଯାହା ହେଲା ତାହା କେବଳ ବିଶ୍ବ ସାହିତ୍ୟକୁ ଏକ ଅଭୂତପୂର୍ବ ଅବଦାନ ମାତ୍ର ନୁହେଁ, କାଳ କାଳକୁ ଗଣଚରିତ୍ରର ଏକ ଚିରନ୍ତନୀ ରୂପକ। ଆଣ୍ଟୋନିଙ୍କ ଚାତୁର୍ଯ୍ୟ ତାଙ୍କ ଉଦ୍‌ଗୀରଣକୁ ବ୍ରୁଟସ୍‌ଙ୍କ ଭଳି ‘ମହାନୁଭବ’ଙ୍କୁ ନୃଶ˚ସ ହତ୍ୟାକାରୀ ଭାବରେ ଉପସ୍ଥାପିତ କଲା ଓ ଲୋକେ କିଛି ସମୟ ପୂର୍ବରୁ ବ୍ରୁଟସ୍‌ ତଥା ସିଜରଙ୍କ ହତ୍ୟାକାରୀଙ୍କୁ ଉଚିତ୍‌ ମନେ କରୁଥିଲେ ବି ଏବେ ସବୁ ଭୁଲିଯାଇ ଆଣ୍ଟୋନିଙ୍କ ପଟକୁ ଢଳିଲେ ଓ ଚନ୍ଦ୍ରାଲୋକରେ ଜୁଆର ଭଳି ମାତି ଉଠିଲେ। ଆଣ୍ଟୋନି ସିଜର‌୍‌ଙ୍କ ଇଚ୍ଛାପତ୍ର ପଢ଼ି ଶୁଣାଇବା ବାହାନାରେ ସିଜର‌୍‌ଙ୍କ ଦେହର କ୍ଷତଚିହ୍ନ ଦେଖାଇ ଜନତାକୁ ଉନ୍ମତ୍ତ ବିଭ୍ରାନ୍ତ ଅବସ୍ଥାକୁ ନେଇ ଆସିଲେ। ଏ ସ୍ଥିତି ଆସିଗଲା ଯେତେବେଳେ ୟାକୁ ତା’ର ନିଜ ବାଟରେ ଛାଡ଼ି ଦିଆଯାଉ। ପରିଣତି ହେଲା ଏଇଆ ଯେ କ୍ୟାସିଅସ୍‌ଙ୍କୁ ତାଙ୍କର ନିଜ କ୍ରୀତଦାସ ହତ୍ୟା କଲା ଓ ବ୍ରୁଟସ୍‌ ନିଜ ଖଡ୍‌ଗରେ ନିଜକୁ ବିଦ୍ଧ କରି ଆତ୍ମହତ୍ୟା କଲେ। ଏଲିପ୍‌ସ ପାର୍କରେ ଟ୍ରମ୍ପ୍‌ ଆଣ୍ଟୋନି ଭଳି ଚାତୁର୍ଯ୍ୟପୂର୍ଣ୍ଣ ଉଦ୍‌ବୋଧନ ଦେଇ ନ ଥିଲେ ବି ତାଙ୍କର ହତାଶ ସମର୍ଥକଙ୍କୁ ଉନ୍ମତ୍ତ ଓ ବିଭ୍ରାନ୍ତ ସ୍ଥିତିକୁ ନେଇଆସିଲେ। ସେ ସ୍ଥିତି ଆସିଲା ପରେ ସେ ମନକୁ ମନ ସେଇଆ କହିଥିବେ ଯାହା ଆଣ୍ଟୋନି କହିଲେ: ଏବେ ଏ ଅପକୃତ୍ୟକୁ ବାଟ ଛାଡ଼ିଦିଅ, ଯାଉ ସେ ଯୋଉ ବାଟରେ ଯାଉଚି!

ମୋର ମନେପଡୁଚି ୨୦୦୩ରେ ମୁଁ ନ୍ୟୁୟର୍କରେ ଥିଲି ଓ ମୋର ଆମେରିକାନ୍‌ ଶ୍ବେତାଙ୍ଗ ବନ୍ଧୁ ମାର୍କଟେଟ୍‌ଙ୍କ ସହିତ ମୋର ଗୋଟିଏ ବିଚିତ୍ର ତର୍କରୁ ମୁଁ ସେତେବେଳର ଦୁଃସାହସୀ ଧନିକ ଡୋନାଲ୍‌ଡ ଟ୍ରମ୍ପ୍‌ ଓ ଗଣତନ୍ତ୍ର ପ୍ରତି ଆମେରିକାନ୍‌ ଦୃଷ୍ଟିକୋଣର ସମ୍ୟକ ପରିଚୟ ପାଇଥିଲି, ଯାହା ଆଜି ପ୍ରାସଙ୍ଗିକ। ମାର୍କ‌୍‌ ଭାରତୀୟ ସ˚ସ୍କୃତି ବିଷୟରେ ଖୁବ୍‌ ବେଶି କୌତୂହଳୀ ହୋଇ ପ୍ରଶ୍ନ କରୁଥାନ୍ତି, ମୁଁ ମୋର ସୀମିତ ଜ୍ଞାନର ଆଧାରରେ ଯାହା ସମ୍ଭବ କହୁଥାଏ। କିନ୍ତୁ ପ୍ରତି ପ୍ରଶ୍ନର ଉତ୍ତରରେ ମୁଁ ଯାହା କହେ, ମାର୍କ‌୍‌ କହନ୍ତି ଆମର ବି ସେହିଭଳି କିଛି ଅଛି ଯଦିଓ ଅନ୍ୟ ଭାବରେ। ମୁଁ ସତକୁ ସତ ଚିଡ଼ିଗଲି ଓ ତାଙ୍କୁ ପଚାରିଲି: ତମର ବେଲପତ୍ର ଅଛି? ସେ ଟିକିଏ ବିଚଳିତ ହେଲେ, କିନ୍ତୁ ମୁହଁ ଟାଣ ଛାଡ଼ିଲେ ନାହିଁ। ମୁଁ ତାଙ୍କୁ ବେଲପତ୍ରର ତ୍ରିନେତ୍ର କଥା କହିଲି, ଗଦ୍‌ଗଦ୍‌ ହୋଇ ଶିବତତ୍ତ୍ବରୁ କ’ଣ ଗୁଡ଼େ କହିଗଲି। ସବୁ ଶୁଣିଲା ପରେ ସେ କହିଲେ: ଆମେରିକାରେ ସବୁ ଅଛି, ଚାଲ ଦେଖେଇବି ସେଣ୍ଟ୍ରାଲ ପାର୍କରେ ତମ ‘ବେଲ୍‌ପତ୍ରା!’ ସତକୁ ସତ ମତେ ସେ ସେଣ୍ଟ୍ରାଲ ପାର୍କରେ ବୁଲେଇଲେ। ଦୁଇଘଣ୍ଟା ବୁଲି ବୁଲି ପାଦ ଥକିଲା, କାହିଁ ବେଲପତ୍ର? ଆମେ ଫେରିଲୁ। ସେଣ୍ଟ୍ରାଲ ପାର୍କର ଗେଟ୍‌ ପାଖରେ ଠିଆହୋଇ ସେ କହିଲେ: ଏଇ ଦେଖ ସେ ପ୍ରାସାଦକୁ! ମୁଁ ଦେଖିଲି ଅପରାହ୍‌ଣର ସୂର୍ଯ୍ୟାଲୋକରେ ଝଳି ଉଠୁଚି ହିରଣ୍ମୟ ପ୍ରାସାଦ ‘ଟ୍ରମ୍ପ୍‌ ଟାଵାର’, ୧ ସେଣ୍ଟ୍ରାଲ୍‌ ପାର୍କ! ତା’ପରେ ସେ କହିଲେ ଟ୍ରମ୍ପ୍‌ଙ୍କ ପୁଞ୍ଜି-ଅଭିଯାନର ରୋମାଞ୍ଚକର କାହାଣୀ। ମୋ ଭିତରେ ବେଲପତ୍ରର ଶୁଦ୍ଧ କଲ୍ୟାଣକାରୀ ତତ୍ତ୍ବ ବଦଳରେ ସତେ ଅବା ପ୍ରବେଶ କରୁଥିଲା ବିଷାକ୍ତ ନର୍ଦ୍ଦମାର ବାଷ୍ପ। ପଚାରିଲେ: ତମର ଇଣ୍ତିଆରେ ଏମିତି ଲୋକଟିଏ ଅଛି? ମୁଁ କହିଲି: ନା ଏମିତି ଲୋକ ଆମର ଜନ୍ମ ହୁଅନ୍ତିନି, ଜନ୍ମ ହେଲେ ବି ସେମାନେ ଆମ ପାଣି ପବନରେ ଉଧେଇବେ ନାହିଁ। ତାଙ୍କୁ ଟିକେ ଚିଡ଼େଇବା ମୁଁ କହିଲି: ଏଭଳି ଲୋକଟିଏ ତମର ରାଷ୍ଟ୍ରପତି ହେଲେ ତମେ ଗର୍ବ କରିବ? କଥା ଲେଉଟାଇ ସେ କହିଲେ: ଏ ଲୋକ ଆମେରିକାର ରାଷ୍ଟ୍ରପତି ହୋଇପାରିବ ନାହିଁ। ପୁଞ୍ଜିବାଦୀ ଦେଶ ଆମର, କିନ୍ତୁ ରାଷ୍ଟ୍ର ଗଣତାନ୍ତ୍ରିକ, ଏଠି ପୁଞ୍ଜିପତି ରାଷ୍ଟ୍ରପତି ହୋଇପାରିବ ନାହିଁ, ଆମର ଗଣତନ୍ତ୍ରର ଭିତ୍ତିପ୍ରସ୍ତର ସୁଦୃଢ଼।

ସତର ବର୍ଷ ବିତିଗଲାଣି ଏ ଭିତରେ। ମାର୍କ‌୍‌ ଜାତିସ˚ଘରୁ ଫେରିଯାଇ କୋଉ ଗୋଟେ ବିଶ୍ବବିଦ୍ୟାଳୟରେ ପ୍ରଫେସର ହୋଇଥିଲେ, ଆମର ଆଉ ସମ୍ପର୍କ ନାହିଁ। କିନ୍ତୁ ଏ ଭିତରେ ମାର୍କ‌୍‌ଙ୍କୁ ଅସମ୍ଭବ ଲାଗୁଥିବା ଘଟଣାଟି ଘଟିଯାଇଚି। ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେଇଚନ୍ତି ଓ ଏବେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେବାର ନିର୍ବାଚନ ସ˚ଘର୍ଷରେ ହାରି, ହାର ମାନିବାକୁ ପ୍ରସ୍ତୁତ ନଥିବା ମାରଣା ଷଣ୍ଢଭଳି ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ଉପରେ ଆଘାତ କରି ଶିଙ୍ଗ ଭାଙ୍ଗି ପଡ଼ିଚନ୍ତି ଧୂଳିଧୂସର ହେଇ ଭୂମିରେ। ବେଲପତ୍ର ଏବେ ବି ଆମେରିକାରେ ନାହିଁ।

ଏ ଯେଉଁ ଅବତାରଣା ମାଧୢମରେ ମୁଁ ଗୋଟିଏ ବିଶେଷ ବକ୍ତବ୍ୟ ରଖିବାକୁ ଯାଉଚି, ତାହା ହେଲା ଗଣତନ୍ତ୍ରରେ ବ୍ୟକ୍ତିର ମହତ୍ତ୍ବାକା˚କ୍ଷା କେତେ ତାତ୍ପର୍ଯ୍ୟପୂର୍ଣ୍ଣ! ନେତା ମହତ୍ତ୍ବାକା˚କ୍ଷୀ, କିନ୍ତୁ ଗଣତନ୍ତ୍ର ନେତାର ବ୍ୟକ୍ତିଗତ ମହତ୍ତ୍ବାକା˚କ୍ଷାକୁ ନିୟନ୍ତ୍ରିତ କରି ଚାଲିଥାଏ। ସ୍ବାଭାବିକ ପ୍ରତିନିଧିମୂଳକ ବ୍ୟବସ୍ଥାରେ ଇଏ ସେତିକିବେଳେ ଉଦ୍‌ବାର୍ଯ୍ୟ ହୁଏ ଯେତେବେଳେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ଥାଏ, ସେଥିରେ ଫାଟ ଥାଏ ବା ଯୋଡ଼ ଠିକ୍‌ ବସିନଥାଏ। ମାର୍କ କେବଳ ତାଙ୍କ ନିଜ ଦେଶର ଗଣତନ୍ତ୍ରକୁ ଭୁଲ୍‌ ବୁଝିନଥିଲେ, ସବୁ ଆମେରିକାନ୍‌, ଏପରିକି ସାରା ବିଶ୍ବ ଭାବେ ଯେ ଆମେରିକାନ୍‌ ଗଣତନ୍ତ୍ର ପ୍ରାଚୀନତମ ଓ ସବୁ ଗଣତନ୍ତ୍ରଙ୍କ ମାତୃରୂପା। ଟ୍ରମ୍ପ୍‌ଙ୍କ ଅପକୃତ୍ୟ ସହିତ ଆମେରିକାନ୍‌ ଗଣତନ୍ତ୍ରର ମୂଳଦୁଆକୁ ପରଖିବାର ବେଳ ଆସିଚି। ତାକୁ ଚିହ୍ନିଲେ ଆମେ ଚିହ୍ନିବା ଆମ ଗଣତନ୍ତ୍ରର ଅଦ୍‌ଭୁତ ପ୍ରାଣଶକ୍ତିକୁ, ଜାଣିବା କେତେ ଦୃଢ଼ ଆମର ଗଣତନ୍ତ୍ର। ମାନବିକ ଅଧିକାରର ଯେଉଁ ଉଦ୍‌ଘୋଷଣ ସହିତ ଆମେରିକାନ୍‌ ଗଣତନ୍ତ୍ରର ପ୍ରତିଷ୍ଠା ହେଲା, ତାର ପୃଷ୍ଠଭୂମିରେ ଥିଲା ଆମେରିକାକୁ କରାୟତ୍ତ କରିବା ପାଇଁ ୟୁରୋପୀୟ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ସ˚ଘର୍ଷ। ଇ˚ଲଣ୍ତ ଓ ଫ୍ରାନ୍‌ସ ଭିତରେ ଭୟଙ୍କର ସ˚ଘର୍ଷର ପରିଣତି ଥିଲା ଏକ ସ୍ବାଧୀନ ନୂଆ ରାଷ୍ଟ୍ର। ମୂଳଦୁଆରେ ମଣିଷର ଲହୁର˚ଜିତ ପଥର ଲାଗିଥିଲା। ସେହିପରି ୟୁରୋପୀୟ ଗଣତନ୍ତ୍ରର ଆରମ୍ଭ ହୋଇଥିଲା ଫରାସୀ ବିପ୍ଳବ ପରେ। ସେଠି ବି ଥିଲା ମଣିଷର ଲହୁର˚ଜିତ ଭିତ୍ତି ପଥର। ଏବେ ଆରବ ଦେଶମାନଙ୍କରେ ଗଣତନ୍ତ୍ର ପାଇଁ ସ˚ଘର୍ଷରେ ବହୁ ମଣିଷ ଜୀବନ ବିପନ୍ନ। ମଣିଷର ହି˚ସାରୁ ଉତ୍ପନ୍ନ ଗଣତନ୍ତ୍ରରେ ‘ଗଣ’ ହି˚ସା ପରିଚାଳିତ ହେବା କିଛି ବିସ୍ମୟକର ନୁହେଁ। ହି˚ସା ୟୁରୋପ ଓ ଆମେରିକାର ଜାତୀୟ ସ୍ମୃତିର ଅ˚ଶ। ସେଇଠି ଭାରତୀୟ ଗଣତନ୍ତ୍ରର ତୁଳନାତ୍ମକ ବିଚାର କରନ୍ତୁ।

ପ୍ରତି ତନ୍ତ୍ରର ଏକ ବିଜ୍ଞାନ ଥାଏ, ଅର୍ଥାତ୍‌ ବିନା ବିଜ୍ଞାନରେ ତନ୍ତ୍ର ସମ୍ଭବ ନୁହେଁ। ଗଣତନ୍ତ୍ରର ବିଜ୍ଞାନ କ’ଣ? ଗଣତନ୍ତ୍ରର ତତ୍ତ୍ବ ବା ବିଜ୍ଞାନ ଏ ଯାବତ୍‌ ଥିଲା ‘ଗଣସ˚କଳ୍ପ’। ଏ ସ˚କଳ୍ପ କିଭଳି ରାଷ୍ଟ୍ର, ସମ୍ବିଧାନ ଓ ତନ୍ତ୍ରର ନିର୍ମାଣ କରିବ ତାହାହିଁ ଥିଲା ରାଜନୀତିର ବିଜ୍ଞାନ। ଏବେ ଟ୍ରମ୍ପ୍‌ଙ୍କ ମହତ୍ତ୍ବାକା˚କ୍ଷା ଦ୍ବାରା ସୃଷ୍ଟ ଅପକୃତ୍ୟକୁ ଦେଖନ୍ତୁ। ଏ ଅପକୃତ୍ୟ ଭାରତରେ ସମ୍ଭବ କି? କେବେ ବି ସମ୍ଭବ ନୁହେଁ। ଏଠି ସତ୍ତାର ଦୁରୁପଯୋଗ କରି ଜଣେ ଆପାତ୍‌ କାଳ ଲାଗୁ କରିପାରେ ବା ପ୍ରତିଦ୍ବନ୍ଦ୍ବୀର ନିର୍ବାଚନର ବୈଧତାକୁ ଚାଲେ˚ଜ୍‌ କରି ସର୍ବୋଚ୍ଚ ବିଚାରାଳୟର ଦ୍ବାରସ୍ଥ ହୋଇପାରେ; କିନ୍ତୁ ନିର୍ବାଚନରେ ହାରିଯାଇଥିବା ପ୍ରଧାନମନ୍ତ୍ରୀ ତାଙ୍କ ସମର୍ଥକଙ୍କୁ ନେଇ ଇଲେକ୍‌ସନ୍‌ କମିସନ୍‌ ବା ପାର୍ଲିଆମେଣ୍ଟରେ ଅନୁପ୍ରବେଶ କରି ଧ୍ବ˚ସଲୀଳା ଭିଆଇବେକି? କଦାପି ନୁହେଁ। ଭାରତୀୟ ଚୈତନ୍ୟରେ ଆକ୍ରମଣ ନୁହେଁ, ସମ୍ବରଣ ହେଉଛି ମୂଳକଥା। ବସ୍ତୁତଃ ଗଣତନ୍ତ୍ରର ପ୍ରକୃତ ବିଜ୍ଞାନ ଭାରତରେ ହିଁ ବିକଶିତ ହୋଇ ରହିଚି ଏ ଯାବତ୍‌ ଭାରତୀୟଙ୍କ ଜାତୀୟ ସ୍ମୃତିରେ। ଏଠି ଗଣତନ୍ତ୍ରର ପ୍ରକୃତ ବିଜ୍ଞାନ ହେଉଚି ‘ଇମାନେନ୍‌ସ’ ବା ପ୍ରତ୍ୟୟୀଭୂତ ଜୀବନମୂଲ୍ୟ। ଭାରତୀୟ ପ୍ରତ୍ୟୟୀଭୂତ ଜୀବନମୂଲ୍ୟ ବେଦରେ ‘ପ୍ରକୃତି’; ଉପନିଷଦ୍‌ରେ ‘ସମ୍ବେଦନା’, ମହାକାବ୍ୟରେ ‘କରୁଣା’ ଓ ଧର୍ମରେ ‘ସମନ୍ବୟ’! ଏ ହେଉଚି ଭାରତୀୟ ସଭ୍ୟତାର ଦାନ। ଇମାନେନ୍‌ସ ବା ପ୍ରତ୍ୟୟୀଭୂତ ଜୀବନମୂଲ୍ୟର ସର୍ବବ୍ୟାପୀ ଆବେଦନ ବ୍ୟକ୍ତିଗତ ମହତ୍ତ୍ବାକା˚କ୍ଷାକୁ କେବଳ ବିରୋଧ କରେ ନାହିଁ, ସମୂଳେ ନଷ୍ଟ କରେ। ୟା ପୂର୍ବରୁ ‘ଇସାବାସୀ ଉପନିଷଦ’ ଉପରେ ଏହି ସମ୍ବାଦପତ୍ରରେ ଗୋଟିଏ ପ୍ରବନ୍ଧ ଲେଖିଥିଲି ଭାରତୀୟ ମାନବିକତାର ଉତ୍ସ ଅନୁସନ୍ଧାନ କ୍ରମରେ। ମୁଁ ଆଉ ଗୋଟିଏ ପ୍ରବନ୍ଧରେ ୟା ମଧୢ ଦର୍ଶାଇଥିଲି ଯେ ସ˚ସ୍କୃତରେ ରଚିତ ଆମ ଶାସ୍ତ୍ର ଓ ପୁରାଣମାନଙ୍କୁ ନେଇ ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟରେ ଏବେ ତୀବ୍ର ଅନୁସନ୍ଧାନ ଚାଲିଚି ଓ ଏ ପ୍ରୟାସ ବି ଜାରି ରହିଚି ଯେ ଆମ ‘ଥିଓଲୋଜି’ ବା ଧର୍ମବିଜ୍ଞାନର ସୂତ୍ର ନେଇ ସେମାନେ ନିଜର କରିବେ। ତାହା ଘଟିଚି। ୨୦୧୮ରେ ପ୍ରକାଶିତ ହୋଇଚି ‘ଅନିଶ୍ଚିତ ପୃଥିବୀରେ ଗଣତନ୍ତ୍ର’ (ଡିମୋକ୍ରାସି ଫର‌୍‌ ଆନ୍‌ ଅନସର୍ଟନ୍‌ ଵର୍ଲଡ୍‌)। କଲମ୍ବିଆ ୟୁନିଭର୍ସିଟି ପ୍ରେସ୍‌ ଏ ବହିଟି ଛାପିଚନ୍ତି। ଲେଖକ ମାଇକେଲ୍‌ ହୋଗ୍‌। ଏଥିରେ ତାଙ୍କର ତର୍କ ଦେଖନ୍ତୁ। କୁଆଡ଼େ ଆମେରିକାନ୍‌ ଧର୍ବବିଜ୍ଞାନରେ ଗଣତନ୍ତ୍ରର ସବୁ ଉପାଦାନ ଅଛନ୍ତି। ଦୁଇଶହ କୋଡ଼ିଏ ବର୍ଷର ଗଣତନ୍ତ୍ର, ସଭ୍ୟତାହୀନ, ଶାସ୍ତ୍ରହୀନ ଦେଶରେ ‘ଇମାନେନ୍‌ସ’ ବା ପ୍ରତ୍ୟୟୀଭୂତ ଆଧାରଶିଳା କୋଉଠୁ ଆସିଲା? ଆମେରିକାନ୍‌ ବନ୍ଧୁ ଯେତେ ମୁହଁଟାଣ କଲେ ବି ତମର ସେଣ୍ଟ୍ରାଲ୍‌ ପାର୍କ‌୍‌ରେ ବେଲପତ୍ର ନାହିଁ, ଶିବତତ୍ତ୍ବ ତମେ କାହୁଁ ବୁଝିବ? ଏବେ ବି ଆମେରିକାନ୍‌ ‘ଗଣ’ ଜଣେ ଡିମାଗଗ୍‌ ଦ୍ବାରା ପ୍ରଭାବିତ ହୋଇ ଧ୍ବ˚ସଲୀଳା କରିପାରେ। ବ୍ରୁଟସ୍‌ ଠିକ୍‌, କିନ୍ତୁ ଆଣ୍ଟୋନି ଅଧିକ ଠିକ୍‌। ଅପକୃତ୍ୟ ନିଜ ରାସ୍ତା ନେବ, ଅପକୃତ୍ୟ କରିକି ଦେଖ! ୟାକୁ କୁହାଯିବ ସୁଦୃଢ଼ ଗଣତନ୍ତ୍ର?

ଗଣତନ୍ତ୍ରର ତତ୍ତ୍ବବିଜ୍ଞାନ ଓ ତାର ବିଭୂତି ଭାରତୀୟ ସଭ୍ୟତାର ଅଦୃଶ୍ୟ ଓ ସର୍ବବ୍ୟାପୀ ସୂତ୍ର (ଇମାନେଣ୍ଟ ପ୍ରିନ୍ସିପ୍ଲ) ଯାହାକୁ ପ୍ରତ୍ୟୟୀଭୂତ ଜୀବନମୂଲ୍ୟ ବୋଲି କହିଲି। ଗଣତନ୍ତ୍ରର ନୂଆ ତତ୍ତ୍ବବିକାଶ ଭାରତରେ ହିଁ ହେଉ। ରାଜନୀତି ବିଜ୍ଞାନର ବିଦ୍ବାନ ପ୍ରଫେସରମାନେ କ’ଣ ମାଇକେଲ୍‌ ହୋଗ୍‌ଙ୍କ ମନଗଢ଼ା ସିଦ୍ଧାନ୍ତକୁ ମହାପାଠ ଭାବରେ ଗ୍ରହଣ କରିନେବେ, ଗଣତନ୍ତ୍ରରେ ବର୍ବରତାର ପ୍ରବେଶ ପରେ ବି? ଗଣତନ୍ତ୍ରର ଜନନୀ ଭାରତ କ’ଣ ଉପେକ୍ଷିତା ହୋଇ ରହିଯିବ ଓ ତାର ଜ୍ଞାନ ଭଣ୍ତାର ଲୁଣ୍ଠନ କରି ପଶ୍ଚିମା ପଣ୍ତିତ ନିଜର ଜର୍ଜର ଇତିହାସକୁ ଗଢ଼ିଚାଲିଥିବେ ଆମ ଆଖି ଆଗରେ? ଏହା ସ୍ବପ୍ରତିଷ୍ଠିତ ଯେ ଗଣତନ୍ତ୍ର ଏକ ଶିବତତ୍ତ୍ବ, ୟାକୁ ଉଲ୍ଲ˚ଘନ କରିବାର ଅପକୃତ୍ୟ ଯେଉଁଠି ଥରେ ବି ଘଟିଚି ସେଠି ଗଣତନ୍ତ୍ରର ତନ୍ତ୍ର ଅଛି କିନ୍ତୁ ବିଜ୍ଞାନ ନାହିଁ। ବିଜ୍ଞାନ ବିନା ତନ୍ତ୍ର ଅସମ୍ଭବ, କେବଳ ଯୋଡ଼ାଯୋଡ଼ି ଓ ମୁହଁ ଟାଣର ତନ୍ତ୍ର, ତନ୍ତ୍ର ଭାବରେ ମଧୢ ଅସିଦ୍ଧ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮