କାନ୍ତିଚନ୍ଦ୍ର ଓ ପ୍ରଫେସର

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ସହରର ଗୋଟିଏ ପ୍ରାନ୍ତରେ ଥିବା ବିସ୍ତୃତ ସ୍ମୃତି ପୀଠଟି ଅନ୍ଧାର ଦ୍ୱାରା କବଳିତ ହୋଇ ସାରିଥିଲା। କାନ୍ତିଚନ୍ଦ୍ରଙ୍କ ଆତ୍ମା ତାଙ୍କ ସମାଧି ଭିତରୁ ବାହାରି ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଲା। ଶତାଧିକ ବର୍ଷ ଧରି ସେହି ଛୋଟ ସମାଧି ଭିତରେ ଆବଦ୍ଧ ରହି ସେ ଉଦାସ ହୋଇ ପଡ଼ିଥିଲେ। ଆଜି ଦିନବେଳେ ସ୍ମୃତି ପୀଠରେ ଜଣେ ସଦ୍ୟ ଦିବଂଗତ ଓଡ଼ିଆ ଭାଷାବିତ୍‌ ତଥା ପ୍ରଫେସରଙ୍କ ସମାଧି ସ୍ଥାପନା ହେଉଥିବାର ଦେଖି କାନ୍ତିଚନ୍ଦ୍ରଙ୍କ ମନରେ ଉତ୍ସାହ ଭରି ଯାଇଥିଲା, କାରଣ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ତାଙ୍କର ଆଗ୍ରହ ଅନୁସାରେ କୌଣସି ସହୃଦୟ ପଡ଼ୋଶୀ ତାଙ୍କୁ ଆଜି ଯାଏ ମିଳୁ ନଥିଲେ। ସେ ମନେ ମନେ ଠିକ କରିନେଇଥିଲେ ଯେ ଯେମିତି ହେଉ ନୂଆ ଆଗନ୍ତୁକଙ୍କ ସହ ବନ୍ଧୁତା ସ୍ଥାପନ କରିବେ ଓ ତାଙ୍କ ସହ ବଛା ବଛା ବିଷୟରେ ଆଳାପ କରି କିଛିଟା ଉଲ୍ଲାସ ଭରି ନେବେ।

ନିଜର ପରିବାର ବର୍ଗ ତାଙ୍କୁ ଆଜି ସମାଧିସ୍ଥ କରୁଥିବାବେଳେ ତଜ୍ଜନିତ ହଇଚଇ ଓ ହଟ୍ଟଗୋଳରେ ବ୍ୟତିବ୍ୟସ୍ତ ହୋଇ ସ୍ବର୍ଗବାସୀ ପ୍ରଫେସରଙ୍କ ଆତ୍ମା ଟିକିଏ ଥକି ପଡ଼ିଥିଲା ଓ ସନ୍ଧ୍ୟା ବେଳର ସୁଲୁସୁଲିଆ ପବନରେ ତାଙ୍କର ଆଖି ଟିକିଏ ଲାଗି ଯାଇଥିଲା। ସମାଧିର କାନ୍ଥରେ କାହାର କରାଘାତ ଶୁଣି ସେ ଚମକି ଉଠିପଡ଼ିଲେ। ଆଗନ୍ତୁକ ଆତ୍ମା କହିଲା, “ମୁଁ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ଓଡ଼ିଆ ପ୍ରଫେସର ହିସାବରେ ମୋ ନାଁ ଆପଣ ନିଶ୍ଚୟ ଶୁଣିଥିବେ। କିଛି ନ ହେଲେ ବି ମୁଁ ଲେଖିଥିବା ବହି “ଉଡ଼ିଆ ସ୍ୱତନ୍ତ୍ର ଭାଷା ନହେ” ବିଷୟରେ ତ ନିଶ୍ଚୟ ଜାଣିଥିବେ। ମୁଁ ଏଠି ଆପଣଙ୍କର ପଡୋଶୀ।’’

“ଦେଖୁଛି ବଡ଼ ଦମ୍ଭରେ ତୁମ କୁକର୍ମର ପ୍ରଚାର କରୁଛ। ଖବରଦାର ସେ ଅପଯଶିଆ ବହିଟିର ନାଁ ଯଦି ଏ ଖଣ୍ଡମଣ୍ଡଳରେ କେବେ ନେଇଛ। ଗୋଟିଏ ଭାଷାକୁ ପୂରା ସ୍ୱାହା କରିଦେବା ପାଇଁ ଷଡ଼୍‌ଯନ୍ତ୍ର କରୁଥିଲ, ଆଉ ପୁଣି କ’ଣ କହୁଚ ନା ତୁମେ ଲେଖକ!” ପ୍ରଫେସର ପ୍ରବଳ ରାଗି ଯାଇଥିଲେ।

ପଡ଼ୋଶୀଙ୍କର ଏତାଦୃଶ ସ୍ୱାଗତରେ ସାମାନ୍ୟ ଅପ୍ରତିଭ ହୋଇ କାନ୍ତିଚନ୍ଦ୍ର କହିଲେ, “ଆପଣଙ୍କ ଭଳି ଜଣେ ଭାଷାବିତ୍‌ଙ୍କ ପାଖରୁ କିନ୍ତୁ ମୋ ଉପରେ ଏଭଳି ଚିନ୍ତାଶୂନ୍ୟ ଓ ଗତାନୁଗତିକ ମାନସିକତା ଆଶା କରି ନ ଥିଲି। ଆପଣ ହୃଦୟଙ୍ଗମ କରିବା କଥା ଯେ ମୋର ବହିଟି ଓଡ଼ିଆ ଭାଷାର ଉନ୍ନତିରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ମୁଁ ଯଦି ଓଡ଼ିଆଙ୍କ ମନରେ ସ୍ୱାଭିମାନର ନିଆଁ ଜଳାଇ ନ ଥାନ୍ତି, ତେବେ କ’ଣ ଭାଷା ଆନ୍ଦୋଳନ ସଫଳ ହେଇଥାନ୍ତା ନା ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ହେବାର ସମ୍ମାନ ପାଇଥାନ୍ତା?”

“ସେ ମିଠା କଥାରୁ କ’ଣ ମିଳିବ? ତୁମେ ଓଡ଼ିଆ ଭାଷାକୁ ଯେମିତି ତଳିତଳାନ୍ତ କରିଛ, ଏ ଜୀବନ ଥିବା ଯାଏଁ ତୁମ ସହିତ ସାଲିସ କରିପାରିବି ନାହିଁ,’’ କହିଲେ ପ୍ରଫେସର। ‘‘କିନ୍ତୁ ଏବେ ଆମ ଦିହିଁଙ୍କର ଜୀବନ ତ ସରି ଯାଇଛି, ଆଉ ସେଇ ପୁରୁଣା ଜୀବନର ବିଦ୍ୱେଷ ଭାବକୁ କାହିଁକି ଜାବୁଡ଼ି ଧରି ମୃତ୍ୟୁ ପର ସମୟକୁ ଖରାପ କରିବା?” ଜୀବନ ନ ଥିବା କଥା ଶୁଣି ପ୍ରଫେସର କ୍ଷଣିକ ପାଇଁ ଚିନ୍ତିତ ହୋଇଗଲେ ଓ ପରେ ପରିସ୍ଥିତିକୁ ସମ୍ଭାଳି ନେବା ପାଇଁ କାନ୍ତିଚନ୍ଦ୍ରଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଇ କହିଲେ, “ହଉ ତେବେ ଆଜି କ’ଣ କରିବା କୁହ।” କାନ୍ତି ଗୋଟିଏ ପୁରୁଣା ଖବର କାଗଜ ମେଲାଇ ପ୍ରଫେସରଙ୍କୁ କହିଲେ, “ବହୁତ ଦିନରୁ ଏଇ କାଗଜଟି ପଢ଼ିବାକୁ ଚେଷ୍ଟା କରୁଛି, ହେଲେ କେତେ ନୂଆ ନୂଆ ଶବ୍ଦ ସବୁ ଓଡ଼ିଆ ଭାଷାରେ ଯୋଡ଼ି ହେଇଗଲାଣି ଯାହା ମୁଁ ବୁଝି ପାରୁନି। ଟିକିଏ ବୁଝେଇ ଦିଅନ୍ତେନି?”

ପ୍ରଫେସର ଦେଖିଲେ କାନ୍ତି କେତେ ଶବ୍ଦ ତଳେ ଗାର ଦେଇଛନ୍ତି ଯେମିତିକି, ଦବଦବା, ବେଫିକର, ଧମାକା, ବେହିସାବ, ଠପ ହେଇଗଲା, ଇତ୍ୟାଦି। ପ୍ରଫେସର ଟିକିଏ ଦୋଦୋପାଞ୍ଚ ହୋଇ କହିଲେ, “ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଅନ୍ୟାନ୍ୟ ଭାଷାରୁ କିଛି କିଛି ଶବ୍ଦ ଅଣା ଯାଇଥାଏ।” କାନ୍ତି କହିଲେ, “ତା’ହେଲେ ଅନ୍ୟ ଭାଷାମାନେ ବି ଓଡ଼ିଆରୁ ଧାର ନେଉଥିବେ? ଭଲ କଥା।” ଏବେ କାନ୍ତି ଜିଦ କଲେ ସହର ବୁଲି ଯିବା ପାଇଁ ଓ ଓଡ଼ିଆ ଭାଷାର ପ୍ରୟୋଗ ବିଷୟରେ ଧାରଣା କରିବା ପାଇଁ। ଦୁଇ ଆତ୍ମା ପ୍ରଥମେ ସିନେମା ହଲ୍‌ ସାମ୍ନାରେ ଠିଆ ହୋଇ ଚାଲୁଥିବା ସିନେମାର ପୋଷ୍ଟର ଦେଖିଲେ। କାନ୍ତି କହିଲେ, “ପ୍ରଫେସର! ‘ପ୍ରେମ ତୋର ନଟି ନଟି’, ‘ମିଷ୍ଟର ମଜନୁ’, ‘ସେଲଫିସ ଦିଲ’, ‘ଏ ଦିଲ ତୋତେ ଦେଲି’ ଏ ସବୁ ନାଁ ମୁଁ କିଛି ବୁଝିପାରୁନି, ଟିକେ ଏ ସବୁ ଶବ୍ଦର ଅର୍ଥ ବୁଝାଇ ଦେବେ?” ପ୍ରଫେସର ହସି କହିଲେ, “ଭାଷାର ବିବର୍ତ୍ତନ ହେଉଛି, ହେଲେ ତୁମେ ପୁରୁଣା କାଳିଆ ଲୋକ, ଏସବୁ ନାଁ ଜାଣି କ’ଣ କରିବ କହିଲ?”

ୟା ପରେ କାନ୍ତି ଜିଦ କଲେ ଓଡ଼ିଆ ଟିଭି ଦେଖିବା ପାଇଁ। ଦୁହେଁ ଯାଇ ଗୋଟିଏ ଘରର ଝର୍କା ପାଖରେ ଠିଆ ହେଲେ ଓ କୋଠରି ଭିତରେ ଚାଲୁଥିବା ଟିଭି କାର୍ଯ୍ୟକ୍ରମ ଦେଖିଲେ। ପ୍ରଥମେ ସାକ୍ଷାତକାର କାର୍ଯ୍ୟକ୍ରମରେ ଜଣେ ଅଭିନେତ୍ରୀ ବାରମ୍ବାର କହୁଥିଲେ “ମୋତେ ବହୁତ ହି ଭଲ ଲାଗେ”। କାନ୍ତି ପ୍ରଫେସରଙ୍କୁ ପଚାରିଲେ ସେ କାହିଁକି ସବୁ କଥା ମଝିରେ ‘ହି’ କହୁଛି? ପ୍ରଫେସର ତାଙ୍କ ମୁହଁକୁ ଚାହିଁ କହିଲେ “ହି, ହି”।

ପରେ ସିନେମା ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେଲାରୁ ସେମାନେ ମନଭରି ଉପଭୋଗ କଲେ। ହେଲେ କାନ୍ତି ଅନୁରୋଧ କଲେ ଗୀତରେ ବ୍ୟବହୃତ ବେପନହା ମୋହବତ, ଇବାଦତ, ଜନ୍ନତ, ନାଗୀନ ଇତ୍ୟାଦି ଶବ୍ଦର ଶବ୍ଦରୂପ, ଧାତୁ ଓ ପ୍ରତ୍ୟୟ ସବୁ ବ୍ୟାଖ୍ୟା କରିବାପାଇଁ। ପ୍ରଫେସର କହିଲେ, “ଗୀତ ଶୁଣ, ସେ ଶବ୍ଦରୂପରୁ କ’ଣ ପାଇବ?”

ଏବେ ଦୁହେଁ ଓଡ଼ିଆ ଗୀତ ଶୁଣିବାକୁ ଲାଗିଲେ। କିନ୍ତୁ ପ୍ରଫେସର ସେ ଗୀତରେ ବ୍ୟବହୃତ ଶବ୍ବଗୁଡ଼ିକର ଶବ୍ଦ ରୂପ ଓ ଧାତୁ ରୂପର ଅନ୍ଦାଜ ଲଗାଉଥିଲେ।

ମୋ: ୯୪୩୭୦୮୯୬୫୫
[email protected]

ସମ୍ବନ୍ଧିତ ଖବର