ସରକାରୀ ଚାକିରି- ଦକ୍ଷତା ଓ ପଦୋନ୍ନତି

ଦୃଷ୍ଟିପାତ - ସହଦେବ ସାହୁ

ସରକାରୀ ଚାକିରିରେ ଦଳେ ଅଛନ୍ତି ଦୁର୍ନୀତି କରନ୍ତି ଏବ˚ ଆଉ ଦଳେ ଅଛନ୍ତି ଦୁର୍ନୀତି କରନ୍ତି ନାହିଁ ଏବ˚ ଯେହେତୁ ଦୁର୍ନୀତି କରନ୍ତି ନାହିଁ, ନିଷ୍ଠାର ସହିତ କାମ ମଧୢ କରନ୍ତି ନାହିଁ। ଦୁର୍ନୀତି କରନ୍ତୁ ବା କାମ ନ କରନ୍ତୁ, ପଦୋନ୍ନତି ପାଇବାରେ ଅସୁବିଧା ନାହିଁ। ପଦୋନ୍ନତି ପାଇବାକୁ ଜଣକୁ ଦକ୍ଷ, କର୍ମଠ, ସଚ୍ଚୋଟ ଓ ନିଷ୍ଠାପର ହେବା ଆବଶ୍ୟକ ନୁହେଁ। ଜଣଙ୍କର ଗୁପ୍ତ ଚରିତ୍ର ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ ନାହିଁ ତ, ସେ ପଦୋନ୍ନତି ପାଇବ। କାରଣ ଯାହା ହେଉନା କାହିଁକି, ଗୁପ୍ତ ଚରିତ୍ର ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ କ୍ବଚିତ ଦିଆଯାଇଥାଏ। ପ୍ରତି ବିଭାଗରେ ହାତ ଗଣତିରେ ପାଞ୍ଚ, ସାତ ଜଣ ଥିବେ ଯେଉଁମାନେ ସଚ୍ଚୋଟ ଓ ନିଷ୍ଠାପର। ଏ ସବୁ କଥା ମହାପାତ୍ର ବାବୁ ସକାଳ ଚାଲିବା ସମୟରେ କହୁଥିଲେ।

ମହାପାତ୍ର ବାବୁ ବତିଶ ବର୍ଷ ସରକାରୀ ଚାକିରି କରି ଅବସର ନେଇଛନ୍ତି। ତାଙ୍କର କ୍ଷୋଭ, କାମ ନ କରି ଏବ˚ କେତେକ ଦୁର୍ନୀତି କରି ମଧୢ ଠିକ୍‌ ସମୟରେ ପଦୋନ୍ନତି ପାଇଗଲେ। କିନ୍ତୁ ପଦୋନ୍ନତି ପାଇଁ ତାଙ୍କର ପାଳି ପଡ଼ିଲା ବେଳକୁ ସେ ଅବସର ନେଇଗଲେ। ଏବେ ଅବସର ପରେ ସେହି ଦୁର୍ନୀତିଗ୍ରସ୍ତ, ନିକମା ଅଫିସରଙ୍କ ଠାରୁ ସେ ବହୁ କମ୍‌ ପେନସନ ପାଉଛନ୍ତି।

ସରକାରୀ ଚାକିରିରେ ନିରାପତ୍ତା ଅଛି, କାମ କର ବା ନ କର ପଦୋନ୍ନତି ମିଳିବ। ଯିଏ ସରକାରୀ ଚାକିରିରେ ଆଗ ଯୋଗ ଦେଇଥିବ କିମ୍ବା ସରକାରୀ ଚାକିରି ପାଇଁ ପରୀକ୍ଷାରେ ଉପର ସ୍ଥାନରେ ଥିବ, ସେ ପଦୋନ୍ନତି ପାଇନଥିଲେ, ଜଣେ ଦକ୍ଷ, କର୍ମଠ, ସଚ୍ଚୋଟ ହେଲେ ବି ପଦୋନ୍ନତି ପାଇବ ନାହିଁ। ତା’ଉପରେ ଥିବା କର୍ମଚାରୀଟି ନିକମା ହେଉ ବା ଦୁର୍ନୀତିଗ୍ରସ୍ତ ହୋଇଥାଉ, ଗୁପ୍ତ ଚରିତ୍ର ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ ନାହିଁ ତ, ତା’ର ଉପରକୁ ଉଠିବା ଥୟ। ସରକାରୀ ଚାକିରିରୁ ଛଟେଇ କରିବା ମଧୢ ସହଜ ନୁହେଁ, କୋର୍ଟ କଚେରି ଅଛି ଏବ˚ ଯାହା ଦେଖାଯାଉଛି, ଅଦାଲତ କର୍ମଚାରୀ ସପକ୍ଷରେ ପ୍ରାୟ ଅଧିକା˚ଶ କ୍ଷେତ୍ରରେ ଯାଉଛି। ସେଥିପାଇଁ ସରକାରୀ ଚାକିରି ପିଲା ଓ ଅଭିଭାବକଙ୍କର ପ୍ରଥମ ପ୍ରସନ୍ଦ। ଇଞ୍ଜିନିୟର. ଆଇବିଏମ, ଟିସିଏସ ପରି କମ୍ପାନିର ଆଇଟି ପ୍ରଫେସନାଲ,ବ୍ୟାଙ୍କ ଅଫିସର ଆଦି ତାଙ୍କ ଚାକିରି ଛାଡ଼ି, ସେମାନେ ପାଉଥିବା ଦରମାରୁ କମ ଦରମାରେ ସଚିବାଳୟର କିରାଣି ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଏବ˚ ଯୋଗ ଦେଉଛନ୍ତି।

ବହୁ ପ୍ରତିଭାବାନ ଛାତ୍ର ସରକାରୀ ଚାକିରିରେ ଯୋଗ ଦେଉଛନ୍ତି, କିନ୍ତୁ ଘାଣ୍ଟ ତରକାରିରେ ଯେମିତି ବିଭିନ୍ନ ପରିବା ନିଜର ସ୍ବତନ୍ତ୍ରତା ହରେଇ ଘାଣ୍ଟର ସ୍ବାଦରେ ହଜିଯାଆନ୍ତି, ସେମିତି ସମସ୍ତେ ସରକାରୀ ବାବୁ ହୋଇଯାଆନ୍ତି। ଘରୋଇ ସ˚ସ୍ଥା କିମ୍ବା ଏକ କମ୍ପାନିର କାମ ତୁଳନାରେ ସରକାରୀ କାମ ନିକୃଷ୍ଟ ମାନର ହୁଏ। ସରକାରୀ ସ˚ସ୍ଥା ଦ୍ବାରା ନିର୍ମିତ ସେତୁ ଯଦି ଭୁଶୁଡ଼ି ପଡ଼ିଲା କିମ୍ବା କୋଠାଟିଏ ଅଳ୍ପଦିନରେ ଭାଙ୍ଗିଗଲା କିମ୍ବା ନିର୍ମାଣରେ ଅହେତୁକ ବିଳମ୍ବ ହେଲା, ତେବେ ଲୋକେ କହିବେ, ସରକାରୀ କାମ ତ! ଅର୍ଥାତ୍‌ ସରକାରୀ କାମ ନିକୃଷ୍ଟ ହେବା, ନିର୍ମାଣରେ ବିଳମ୍ବ ହେବା ଇତ୍ୟାଦି ସ୍ବାଭାବିକ। ନିକଟରେ ଉତ୍ତରପ୍ରଦେଶରେ ଅଢ଼େଇ ମାସ ତଳେ ନିର୍ମିତ ଶ୍ମଶାନରେ ଗୋଟିଏ ଛାତ ଭୁଶୁଡ଼ି ପଡ଼ିଲା ଏବ˚ ୨୪ ଜଣଙ୍କର ମୃତ୍ୟୁ ଘଟିଲା। ସରକାରୀ କାମ ତ! ଏହା ସ୍ବାଭାବିକ। ଯେହେତୁ ଭଲ କାମ କଲେ, ସଚ୍ଚୋଟ ଓ ନିଷ୍ଠାପର କର୍ମଚାରୀକୁ ସରକାରୀ ବ୍ୟବସ୍ଥାରେ ପ୍ରୋତ୍ସାହନ ମିଳେ ନାହିଁ, ନିଜର ପାଳି ନ ପଡ଼ିବା ଯାଏ ପଦୋନ୍ନତି ମିଳେ ନାହିଁ, ତେଣୁ ଭଲ କର୍ମଚାରୀଟିର ଉତ୍ସାହ ମଧୢ ମଉଳିଯାଏ, କାମରେ ସ୍ପୃହା କମିଯାଏ। ସେ ଘାଣ୍ଟ ତରକାରିରେ ମିଶିଯାଏ, ନିଜତ୍ବ ହରାଏ।

ସରକାର ଉତ୍ତମ କର୍ମଚାରୀ ଓ ଅଫିସରଙ୍କୁ ନ୍ୟାୟ ଦେବାକୁ ଏବ˚ ନିଷ୍ଠାପର କର୍ମଚାରୀଙ୍କ ମନରେ କାମ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପାଳି ପଡ଼ିବା ପୂର୍ବରୁ ଜଣଙ୍କୁ ପଦୋନ୍ନତି ଦେବାକୁ କିମ୍ବା ପ୍ରୋତ୍ସାହିତ କରିବାକୁ ଦରମା ସହିତ କର୍ମଚାରୀଙ୍କୁ ଛୁଟି କଟେଇବାକୁ ନିୟମ କରିଛନ୍ତି। ଉଦ୍ଦେଶ୍ୟ, କର୍ମଚାରୀଙ୍କ ମନରେ କାମ ପ୍ରତି ଆଗ୍ରହ ଆସିବ, ସଚ୍ଚୋଟ ନିଷ୍ଠାପର କର୍ମଚାରୀଙ୍କୁ ନ୍ୟାୟ ମିଳିବ। ଏହି ନିୟମ ଅନୁସାରେ ବିଭାଗୀୟ ମୁଖ୍ୟ ବା ନିର୍ଦ୍ଦେଶାଳୟ ମୁଖ୍ୟ ବା ଅଫିସ ମୁଖ୍ୟ କର୍ମଚାରୀଙ୍କ ନାମ ସୁପାରିସ କରିବେ। ଏକ ଉଚ୍ଚସ୍ତରୀୟ କମିଟି ସେହି ସୁପାରିସକୁ ବିଚାର କରି ପାଳି ପଡ଼ିବା ପୂର୍ବରୁ ପଦୋନ୍ନତି ପାଇଁ କିମ୍ବା ପ୍ରୋତ୍ସାହନ ଦେବାକୁ ବିଦେଶ ଭ୍ରମଣ ପାଇଁ ଅନୁମୋଦନ କରିବ। ଏହା ଏକ ଉଚିତ ପଦକ୍ଷେପ, କିନ୍ତୁ ଏହି ନିୟମର ବିଜ୍ଞପ୍ତି ପରେ କର୍ମଚାରୀଙ୍କ ମହଲରେ ଆନନ୍ଦ ବଦଳରେ ଅସନ୍ତୋଷ ବୃଦ୍ଧି ପାଇଛିି।

ଆଲୋଚନା ପ୍ରସଙ୍ଗରେ ମହାପାତ୍ର ବାବୁ ତାଙ୍କ ଅଫିସର ନିଜସ୍ବ ଅନୁଭୂତିରୁ ଗୋଟିଏ ଘଟଣା କହୁଥିଲେ। ବିଦେଶକୁ ଯିବାର ସୁଯୋଗ ଥିବା ଗୋଟିଏ ଟ୍ରେନି˚କୁ ସେ ଯିବାକୁ ଚାହୁଁଥିଲେ ଏବ˚ ଟ୍ରେନି˚ ଯିବା ପାଇଁ ତାଙ୍କର ଯୋଗ୍ୟତା ଥିଲା। କିନ୍ତୁ କର୍ତ୍ତୃପକ୍ଷ ଅନ୍ୟ ଜଣଙ୍କ ନାମ ସୁପାରିସ କରିଥିଲେ। ତାଙ୍କର ମନ କଷ୍ଟ ହୋଇଥିଲା। ତାଙ୍କର ଜଣେ ଉପରିସ୍ଥ ଅଧିକାରୀ ତାଙ୍କୁ ବୁଝେଇ କହିଲେ, ତୁମର ଜଣେ ସହକର୍ମୀ, ମୁଁ ଯାହା କହିବି, ନିୟମ କ’ଣ ଅଛି ନ ଦେଖି କରିଦେବ। ଭଲ ମନ୍ଦରେ ମୋର ଘରେ ପହଞ୍ଚିବ, ବଜାରକୁ ଇଲିସି ମାଛ ଆସିଥିଲେ ଗୋଟେ ଇଲିସି ଆମ ଘରକୁ ପଠେଇଦେବ। ମୋର ବ୍ୟକ୍ତିଗତ କାମ କରି ଦେଉଥିବ। କିନ୍ତୁ ତୁମେ ଜଣେ ସଚ୍ଚୋଟ ଅଧିକାରୀ, ନିୟମ ଅନୁସାରେ କାମ କରିବ। ତୁମର ରୋକଠୋକ କଥାବାର୍ତ୍ତା, ମୁହେଁ ମୁହେଁ ଜବାବ ଦେବ। ଏହିପରି ଏକ ଟ୍ରେନି˚ ପାଇଁ ମତେ ବାଛିବାକୁ କହିଲେ, ମୁଁ କାହାକୁ ବାଛିବି, ତୁମକୁ ନା ତୁମ ସହକର୍ମୀଙ୍କୁ? ବୁଝିଲ, ସରକାର ସଚିବାଳୟର କୋଠା ନୁହେଁ କିମ୍ବା ଆମର ଦପ୍ତର କହିଲେ ଏହି ଘରଟା ନୁହେଁ। ନିଜର ସ୍ବାର୍ଥ, ବ୍ୟକ୍ତିଗତ ସନ୍ତୋଷ ବା ଅସନ୍ତୋଷ ମୁଖ୍ୟ, ରାଜ୍ୟର ସ୍ବାର୍ଥ, ସମୂହ ସ୍ବାର୍ଥ ଏସବୁ କୋଉଠି, କିଏ ଦେଖୁଛି?

ବ୍ୟାଙ୍କ୍‌ର କର୍ମଚାରୀଙ୍କୁ ପଦୋନ୍ନତି ପାଇଁ ପରୀକ୍ଷା ଦେବାକୁ ହୁଏ, ପରୀକ୍ଷାରେ ପାସ୍‌ କଲେ ଉପରିସ୍ଥ ଅଧିକାରୀଙ୍କର ମନ୍ତବ୍ୟ ବା ଗୁପ୍ତ ଚରିତ୍ର ପଞ୍ଜିକାକୁ ବିଚାରକୁ ନିଆଯାଏ ଏବ˚ କର୍ମଚାରୀଙ୍କୁ ମୌଖିକ ପରୀକ୍ଷା ମଧୢ ଦେବାକୁ ହୁଏ। ପରୀକ୍ଷାରେ ପାସ୍‌ ନ କଲେ ପଦୋନ୍ନତି ମିଳିବ ନାହିଁ। ବରିଷ୍ଠ କର୍ମଚାରୀଙ୍କୁ ପଛରେ ପକାଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନେକ କର୍ମଚାରୀ ଉପରକୁ ଉଠିଯାଆନ୍ତି। ଟାଟା କମ୍ପାନିରେ ଜଣେ କର୍ମଚାରୀକୁ ପ୍ରତି ବର୍ଷ ଟାର୍ଗେଟ ବା ଲକ୍ଷ୍ୟ ଦିଆଯାଇଥାଏ, ବର୍ଷ ଶେଷରେ ସେ ଲକ୍ଷ୍ୟର କେତେ ସ˚ପାଦନ କଲେ ତାଙ୍କର ଉପରିସ୍ଥ ଅଧିକାରୀ ସମୀକ୍ଷା କରନ୍ତି ଏବ˚ ତଦନୁସାରେ ନମ୍ବର ଦିଅନ୍ତି। ଏମିତି ସବୁ ସମୀକ୍ଷାଧିକାରୀଙ୍କର ରିପୋର୍ଟ ଗୋଟେ କମିଟିକୁ ଯାଏ। କମିଟି ବିଚାର କରି ସମୀକ୍ଷାଧିକାରୀଙ୍କର ନମ୍ବର ଗ୍ରହଣ କରିପାରନ୍ତି କିମ୍ବା ଅଗ୍ରାହ୍ୟ କରିପାରନ୍ତି କିମ୍ବା ନମ୍ବର କମେଇ ଦେଇପାରନ୍ତି। ଅଗ୍ରାହ୍ୟ କଲେ, ସେହି କର୍ମଚାରୀଙ୍କୁ ତା’ର ପକ୍ଷ ରଖିବାକୁ ସୁଯୋଗ ଦିଆଯାଏ ଏବ˚ କମିଟିର ମନ୍ତବ୍ୟ ଓ କର୍ମଚାରୀର ପକ୍ଷ କମିଟିର ଉପରିସ୍ଥ କର୍ତ୍ତୃପକ୍ଷ ବିଚାର କରନ୍ତି। ସେହି ଅନୁସାରେ କର୍ମଚାରୀର ବାର୍ଷିକ ଦରମା ବୃଦ୍ଧି କରାଯାଏ ଏବ˚ ଦରମା ବୃଦ୍ଧି ସମସ୍ତଙ୍କର ମଧୢ ସମାନ ହୁଏ ନାହିଁ। ଯେତେବେଳେ ଗୋଟିଏ ପଦ ଖାଲି ପଡ଼ିବ, ପୂର୍ବ ପାଞ୍ଚବର୍ଷର କାର୍ଯ୍ୟର ସମୀକ୍ଷା ରିପୋର୍ଟ ଦେଖି କର୍ମଚାରୀଙ୍କୁୁ ପଦୋନ୍ନତି ମିଳିବ। ଜଣେ ନିଷ୍ଠାପର, କାର୍ଯ୍ୟଦକ୍ଷ କର୍ମଚାରୀ ଉପରକୁ ଉଠିଯିବ। ସୁତରା˚, ଜଣେ ଦକ୍ଷ, କର୍ମଠ କର୍ମଚାରୀଙ୍କୁ ନ୍ୟାୟ ମିଳେ।

ସରକାରଙ୍କର ଉପରୋକ୍ତ ନିୟମ ଅନୁସାରେ ବିଭାଗୀୟ ମୁଖ୍ୟ କିମ୍ବା ଅଫିସ ମୁଖ୍ୟଙ୍କ ସୁପାରିସ ନିରପେକ୍ଷ ହେବାର ସମ୍ଭାବନା କ୍ଷୀଣ, ନିଜର ସ୍ବାର୍ଥ, ବ୍ୟକ୍ତିଗତ ସନ୍ତୋଷ ଅସନ୍ତୋଷରୁ ଉପରକୁ ଯିବା ସମ୍ଭବ ନୁହେଁ। ଯେଉଁମାନେ ଉପରିସ୍ଥ ହାକିମକୁ ସନ୍ତୁଷ୍ଟ କରିପାରିବେ, ସେମାନଙ୍କ ନାମ ସୁପାରିସ ହେବ। ଉପରିସ୍ଥ ହାକିମଙ୍କର ସନ୍ତୋଷ ସବୁ ସମୟରେ କାର୍ଯ୍ୟଦକ୍ଷତା ଆଧାରିତ ହେବ ନାହିଁ। ନିଜର ଲୋକଙ୍କୁ ଏବ˚ କେତେକ କ୍ଷେତ୍ରରେ ନିଜ ନାମକୁ କିଛି କ୍ଷେତ୍ରାଧିକାରୀ ପ୍ରୋତ୍ସାହନ ପାଇଁ ପଠେଇବାର ଖବର ମିଳୁଛି ଏବ˚ ଏବେ ଏହା ସବୁ ଅଫିସରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଯାଇଛି।

ପଦୋନ୍ନତି ବା ପ୍ରୋତ୍ସାହନ ନିରପେକ୍ଷ ହେବା ଆବଶ୍ୟକ ଏବ˚ ପ୍ରକୃତ ଦକ୍ଷ, ସଚ୍ଚୋଟ ଓ ନିଷ୍ଠାପର କର୍ମଚାରୀ ପୁରସ୍କୃତ ହେଲେ କର୍ମଚାରୀର କାମ ପ୍ରତି ଆଗ୍ରହ ଆସିବ ଏବ˚ ସାମୂହିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ସରକାରୀ ଚାକିରି ପାଞ୍ଚ କିମ୍ବା ଦଶ ବର୍ଷ କଲାପରେ ଲୋକସେବା ଆୟୋଗ କିମ୍ବା ଷ୍ଟାଫ୍‌ ସିଲେକ୍‌ସନ ଦ୍ବାରା ପରୀକ୍ଷା କରାଯାଇ ଏବ˚ କର୍ମଚାରୀର କାର୍ଯ୍ୟର ସମୀକ୍ଷା ରିପୋର୍ଟକୁ ବିଚାରକୁ ନେଇ ପଦୋନ୍ନତି ଦେଲେ, ନିଷ୍ଠାପର, କାର୍ଯ୍ୟଦକ୍ଷ କର୍ମଚାରୀକୁ ନ୍ୟାୟ ମିଳିବ। ଉପରିସ୍ଥ ହାକିମର ସନ୍ତୋଷ ଆଧାରରେ ନିକମା, ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ କର୍ମଚାରୀଟିଏ ପଦୋନ୍ନତି ପାଇଲେ କିମ୍ବା ପ୍ରୋତ୍ସାହିତ ହେଲେ, ନିଷ୍ଠାବାନ କର୍ମଚାରୀଟି ନୀତିଭ୍ରଷ୍ଟ ହେବ।

ମୋ: ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର