ମାତୃଭାଷା ଚିନ୍ତା

ମାତୃଭାଷା ଓଡ଼ିଆକୁ ବ୍ୟବହାର କରି ସମାଜରେ ଅନେକ ବ୍ୟକ୍ତି ଚଳାଚଳ ହୁଅନ୍ତି। ଅନେକେ ତହିଁରେ ଲେଖାଲେଖି କରି ସାହିତ୍ୟିକ ବୋଲାନ୍ତି। କିନ୍ତୁ; ମାତୃଭାଷାର ଉନ୍ନତି ବିଷୟରେ ଚିନ୍ତନ୍ତି କେତେଜଣ! ଫକୀର ମୋହନ ସେନାପତିଙ୍କ ଆତ୍ମଚରିତରୁ ଜଣାଯାଏ; ସେ ‘ଯେ କୌଣସି ପ୍ରକାରେ ହେଉ ମାତୃଭାଷାର ଉନ୍ନତି ସକାଶେ ପ୍ରାଣପାତ କରିବାକୁ’ ମନସ୍ଥ କରିଥିଲେ। ସେତେବେଳକୁ ତାଙ୍କର ବୟସ ୧୯-୨୦ ମଧୢରେ। ଏପରି ମନ କରିବା ପଛରେ ନିର୍ଦ୍ଦିଷ୍ଟ କାରଣ ଅବଶ୍ୟ ଥିଲା। ତାହା ହେଉଛି; ବିଦ୍ୟାଳୟରେ ପଢ଼ାଯିବା ପାଇଁ ଭଲ ଓଡ଼ିଆ ବହି ନ ଥିବାରୁ ବଙ୍ଗାଳି ଶିକ୍ଷକ ଓ ଅନ୍ୟ ବଙ୍ଗାଳିବାବୁମାନେ ତୁଚ୍ଛ ତାଚ୍ଛଲ୍ୟ ମନ୍ତବ୍ୟ ପ୍ରକାଶ କରୁଥିଲେ। ଏହା ଫକୀର ମୋହନଙ୍କ ପ୍ରାଣକୁ ବାଧିଥିଲା। ତେଣୁ, ଓଡ଼ିଆ ଭାଷାର ଉନ୍ନତି କିପରି କରାଯାଇପାରିବ ସେ ଘେନି ଲେଖାଲେଖି ଭିତ୍ତିରେ ସମାଧାନର ସୂତ୍ର ଖୋଜିଥିଲେ ସେ। ଗଦ୍ୟରେ ହେଉ କି ପଦ୍ୟରେ, ସେ ଯେତେ ଯାହା ଲେଖି ଓଡ଼ିଆ ସାହିତ୍ୟ ଭଣ୍ତାରକୁ ସମୃଦ୍ଧ କରିବା ସହିତ ମାତୃଭାଷାକୁ କ୍ରମୋନ୍ନତ କରିବା ନିମିତ୍ତ ସ୍ବୀକାରୋକ୍ତି ବାଢ଼ିଛନ୍ତି, ତାହା ବିସ୍ମୟକର। ଏଇଥିପାଇଁ ଯେ, ମାତୃଭାଷାର ଉନ୍ନତି ସକାଶେ ସେ ପ୍ରାଣପାତ କରିବାକୁ ଏକଦା ଚିନ୍ତା କରିଥିଲେ। ଖୁବ୍‌ ସମ୍ଭବ, ଫକୀର ମୋହନଙ୍କ ଏଭଳି ଚିନ୍ତା, ସେ କାଳଠାରୁ (୧୮୬୩) ଏବ କାଳଯାକେଁ ଆଉ କୌଣସି ଲେଖକଙ୍କ ମାନସରେ ପ୍ରକାଶ ପାଇଥିବା ଜଣାଯାଏ ନାହିଁ। ଭାଷା ବ୍ୟବହାର ବା ତହିଁର ଘଟିତ କାରବାର ସ˚ପୃକ୍ତତା ସହିତ ଭାଷାର ଉନ୍ନତି ଚିନ୍ତନ ଅସ˚ପର୍କିତ ପ୍ରତୀତ ହୋଇଥାଏ। ହେଲେ, ଫକୀର ମୋହନଙ୍କ ମାତୃଭାଷା ଚିନ୍ତା ଯେ କେତେ ବ୍ୟତିକ୍ରମ ତାହା ଅନୁଭବ୍ୟ।

ଫକୀର ମୋହନ ପ୍ରଭୁଙ୍କ କୃପା ହେତୁ ପ୍ରାପ୍ତ ଶକ୍ତି ବଳରେ କବିତା ଲେଖନ୍ତି। ତହିଁର ଭାଷା ସରଳ। ଭାବର ଗାମ୍ଭୀର୍ଯ୍ୟ, ଛନ୍ଦବଦ୍ଧ ତାନମାନ, ପଦର ମାଧୁର୍ଯ୍ୟ ତହିଁରୁ କେହି ନ ଲୋଡ଼ିବା ପାଇଁ ସେ ‘ମୋ ଗୀତର ଭଣିତା’ କବିତାରେ ଦର୍ଶାଇଛନ୍ତି। ଅନେକ କବିତାର ପଙ୍‌କ୍ତି କେତୋଟିରେ ସେ ‘ମାତୃଭାଷା’ ପଦ ବ୍ୟବହାର କରିଥିବା ଦେଖାଯାଇଥାଏ। ଯେପରି; ‘ନ କରିଲେ ମାତୃଭାଷାର ଉନ୍ନତି/ଘୁଞ୍ଚିବ କି କେବେ ଦେଶର ଦୁର୍ଗତି?’ (ଉତ୍‌ଥାନ ସ˚ଗୀତ), ‘ଭଲ ଗୋଟେ ମାତୃଭାଷା କିସ ହେବ ଭାଇ/ଚଳିଯାଉଅଛି କାମ ରୁଣ୍ତାଇ ପୁଣ୍ତାଇ’। (ଉତ୍କଳଭ୍ରମଣ˚) ସେ ମାତୃଭାଷାର ସେବା କରି ମନରେ ଏହି ସାନ୍ତ୍ବନା ଲାଭ କରନ୍ତି ଯେ, ତାଙ୍କ ପ୍ରାଣ ସାର୍ଥକ। ତାଙ୍କ ଅନ୍ତେ କନ୍ୟା ସ୍ବରୂପିଣୀ କବିତାଗୁଡ଼ିକ ପିତୃ ତର୍ପଣ କରିବେ। କବିଙ୍କ ଭାଷାରେ ‘ସେବା କରୁଅଛି ବସି ମୁହିଁ ମାତୃଭାଷା/ସାନ୍ତ୍ବନା ଲଭଇ ମନେ ପୋଷି ଏହି ଆଶା। x x x ରଚିତ କବିତାଗୁଡ଼ିକ ‘କନ୍ୟା ସ୍ବରୂପିଣୀ/ଅନୁସରିଥାନ୍ତି ପଛେ ଚିତ୍ତ ବିନୋଦିନୀ। ଉତ୍କଳ ଜଗତେ ମୁହିଁ ତେଜିବି ଜୀବନ/କରିବେ ଏ କନ୍ୟାଗୁଡ଼ି ପିତୃ ତରପଣ’ (କବିର ସାନ୍ତ୍ବନା) ମାତୃଭାଷାର ଉନ୍ନତି ଚିନ୍ତାରେ ଦିବାନିଶ ଯତ୍ନ କରୁଥିବା ଫକୀର ମୋହନ ଜନସାଧାରଣଙ୍କୁ ସାବଧାନବାଣୀ ଶୁଣାଇଛନ୍ତି- ‘‘ପଢ଼ ଇ˚ରେଜୀ କେହି ମନା କରୁ ନାହିଁ/କିନ୍ତୁ ବାପା କାମ କର ଜାତି କୁଳ ଚାହିଁ। ଘୃଣା କରୁଅଛ ମାତୃଭାଷା ପଢ଼ିବାକୁ/ହାୟ ହାୟ ଲାଜ କଥା କହିବି କାହାକୁ।’’ (ଉତ୍କଳ ଭ୍ରମଣ˚) ମାତୃଭାଷା ଛାଡ଼ି ହୁଏ ନାହିଁ, ତାହା ଜାତୀୟ ଭାଷା ବୋଲି ସେ ଦର୍ଶାଇଛନ୍ତି। ଭାଷା ହେଉଛି ଜାତିମାନଙ୍କର ଜୀବନୀ ଶକ୍ତି। ତା’ରି ଯୋଗୁଁ ଜାତି ଉନ୍ନତି ପ୍ରତ୍ୟାଶା କରେ। ମାତୃଭାଷା, ଉତ୍କଳ ଭାଷା ଫକୀର ମୋହନଙ୍କ ଜୀବନର ସାର ଧନ। ସେ ଉଭୟ ଭାଷା ଓ ଉତ୍କଳ ମାତାଙ୍କୁ ପୂଜା କରନ୍ତି, ନିଜ ପ୍ରାଣ ଆଶା ପୂରଣ ନିମିତ୍ତ।

‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର ‘ଆଲୋଚନା ସଭା’ ଅଧୢାୟରେ ଫକୀର ମୋହନ ଲେଖିଛନ୍ତି- ‘‘ଆଜିକାଲି ଶିକ୍ଷିତ ଯୁବକମାନେ ବୁଝିଲେଣି, ମାତୃଭାଷାର ଉନ୍ନତି ବିନା ଦେଶର ତଥା ଜାତି ସାଧାରଣର ଉନ୍ନତି ସମ୍ଭାବନା ବିରଳ।

x x x ଆମ୍ଭେମାନେ ମଧୢ କ୍ଷୁଦ୍ର ଆଲୋଚନାଯୋଗେ ଅନୁଭବ କରୁଅଛୁଁ, ‘‘ବିଦେଶୀୟ ଭାଷାରେ ଜ୍ଞାନାଲୋଚନା ଜଳପୂର୍ଣ୍ଣ ପାତ୍ରରେ ଘୃତବିନ୍ଦୁ ପତନବତ୍‌; ଅର୍ଥାତ୍‌ କେବଳ ଆଲୋଚକଠାରେ ଜ୍ଞାନ ଆବଦ୍ଧ ଥାଏ, ମାତୃଭାଷାରେ ଜ୍ଞାନାଲୋଚନା ଜଳପାତ୍ରରେ ତୈଳବିନ୍ଦୁ ପତନବତ୍‌ ସର୍ବତ୍ର ବିସ୍ତୀର୍ଣ୍ଣ ହୋଇଯାଏ।’’ ଫକୀର ମୋହନଙ୍କ ମାତୃଭାଷା ଚିନ୍ତା ତାଙ୍କୁ ସାହିତ୍ୟ ରଚନାରେ ଉତ୍କୃଷ୍ଟ ଭାଷା ବୟନକାର କରିପାରିଛି। ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ‘‘ଫକୀର ମୋହନଙ୍କ ଭାଷା ଓଡ଼ିଆ ଶବ୍ଦ କୋଷର ଏକ ପ୍ରତ୍ନଶାଳା। ପୁଣି ତାଙ୍କର ଭାଷାରୀତି, ଆରବୀ, ପାରସୀ, ସ˚ସ୍କୃତ ତଦ୍ଭବ, ତତ୍ସମ ଓ କଥିତ ପ୍ରାକୃତ ଓଡ଼ିଆ ଭାଷାର ମିଶାମିଶି ଏକ ବିଚିତ୍ର ଇନ୍ଦ୍ରଧନୁ।’’ ତାଙ୍କ ଲକ୍ଷ୍ୟ ଯାହା ହେଉନା କାହିଁକି, ମାତୃଭାଷା ଓଡ଼ିଆ ଯଥାର୍ଥତଃ ବିଚିତ୍ର ଇନ୍ଦ୍ରଧନୁ। ଏଥିର ବ୍ୟବହାରରେ ଫକୀର ମୋହନ ଏକାନ୍ତ ନିପୁଣ ଓ ସମର୍ଥ ହୋଇ ପାରିଛନ୍ତି; କେବଳ ଯୌବନକାଳୀନ ଦୃଢ଼ ପ୍ରତିଜ୍ଞ ଭାବନା ହେତୁ- ‘ମାତୃଭାଷାର ଉନ୍ନତି ସକାଶେ ପ୍ରାଣପାତ କରିବାକୁ ହେବ।’ ତାଙ୍କ ସାହିତ୍ୟିକ ସଫଳତାର ମହାର୍ଘ ବୁୁଟି ‘ମାତୃଭାଷା’ ଚିନ୍ତା। ଓଡ଼ିଆ ସାହିତ୍ୟ ରଚନାରେ କେତେକ ବିଭାଗ ପାଇଁ ସେ ଆଦ୍ୟସ୍ରଷ୍ଟା ରୂପେ ଯେପରି ବିବେଚିତ ହୋଇଥାନ୍ତି ସେହିପରି ମାତୃଭାଷାର ଉନ୍ନତି ସକାଶେ ପ୍ରାଣପାତ କରିବାର ଚିନ୍ତାରେ ଆକ୍ରାନ୍ତ ହୋଇଥିବା ସେ ବୋଧହୁଏ ଏକମାତ୍ର ଓଡ଼ିଆ ସାହିତ୍ୟ ସ୍ରଷ୍ଟା। ଏଇଥିପାଇଁ ତାଙ୍କ ସାହିତ୍ୟ କୃତି ଗୁଡ଼ିକରେ ‘ମାତୃଭାଷା’ର ବହୁଧା ବ୍ୟବହାର ଦେଖିବାକୁ ମିଳିଥାଏ।

ମୋ- ୯୪୩୭୩୧୯୯୧୪

ସମ୍ବନ୍ଧିତ ଖବର