ନାଗାର୍ଜୁନ ବେଶ ଓ ସାରଳା ଦାସ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ‘ନାଗାର୍ଜୁନ ବେଶ’ର ଯେଉଁ ‘ନାଗାର୍ଜୁନ’, ତାହାର ଉତ୍ସ କ’ଣ? ସେ ଉତ୍ସର ସନ୍ଧାନ କଲେ ଆମେ ଯାଇ ଯେଉଁଠି ପହଞ୍ଚୁ- ତାହା ହେଉଛି ‘ସାରଳା ମହାଭାରତ’। ଏଥିରେ କୌଣସି ସଂଶୟ ନାହିଁ ଯେ ‘ସାରଳା ମହାଭାରତ’ ହେଉଛି ଅଜସ୍ର କାହାଣୀର ଗନ୍ତାଘର। ଆମର ଜୀବନ ଓ ସମାଜରେ ତାହାର ପ୍ରଭାବ ମଧ୍ୟ ପ୍ରଚୁର। ବ୍ୟାସଦେବଙ୍କ ସଂସ୍କୃତ ମହାଭାରତଠାରୁ ତାହାକୁ ସ୍ୱତନ୍ତ୍ର ଭାବରେ ଗଢ଼ିଛନ୍ତି ସାରଳା ଦାସ ଏବଂ ସେ ଦୃଷ୍ଟିରୁ ସେଥିରେ ମୂଳ ମହାଭାରତର ସାମ୍ୟ ଯେତେ, ବୈଷମ୍ୟ ମଧ୍ୟ ସେତେ। ‘ନାଗାର୍ଜୁନ’ ଏହିପରି ଏକ ବୈଷମ୍ୟ।

ସ୍ତମ୍ଭକାର ହରପ୍ରସାଦ ଦାସ ତାଙ୍କ ‘ଶୂନ୍ୟତାର ଚିତ୍ରକଳ୍ପ’ (ସମ୍ବାଦ, ୩ ଡିସେମ୍ବର, ୨୦୨୦)ରେ ଲେଖିଛନ୍ତି, “ନାଗାର୍ଜୁନ ବ୍ୟାସ ମହାଭାରତର ଚରିତ୍ର ନୁହନ୍ତି; କେବଳ ‘ଶାରଳା ମହାଭାରତ’ରେ ଠାଏ ଏ ଚରିତ୍ର ମିଳନ୍ତି। ୟାଙ୍କୁ ପଣ୍ଡୁଙ୍କ ମୋକ୍ଷ ପାଇଁ ଶ୍ରୀକୃଷ୍ଣ ମାରିବାର କଳ୍ପନା କ୍ରମବର୍ଦ୍ଧମାନ ଲୋକକଳ୍ପନାର ପରିଣତି ହୋଇପାରେ।” କିନ୍ତୁ ଏହା ସେ ଲେଖିଥିଲେ ମଧ୍ୟ, ଆଲୋଚନାଟିରୁ ସ୍ପଷ୍ଟ ଯେ ‘ସାରଳା ମହାଭାରତ’ର ଏ ପ୍ରସଙ୍ଗ ସେ ପଢ଼ି ନାହାନ୍ତି। ପଢ଼ିଥିଲେ- ପ୍ରସଙ୍ଗଟିର ଆଲୋଚନା ସେ କରିଥାଆନ୍ତେ ଏବଂ “କେବଳ ଠାଏ ଏ ଚରିତ୍ର ମିଳନ୍ତି” ବୋଲି ଲେଖି ନଥାନ୍ତେ।

ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (‘ସମ୍ବାଦ’, ୨ ଜାନୁଆରି, ୨୦୨୧)ରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି ଯେ ‘ସାରଳା ମହାଭାରତ’ର ‘ସଭାପର୍ବ’ରେ ଦୀର୍ଘ ୨୮ ପୃଷ୍ଠାବ୍ୟାପୀ ‘ନାଗାର୍ଜୁନ’ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ତାହାର ଅଧ୍ୟାୟଗୁଡ଼ିକ ହେଉଛି, ‘ଶିବଙ୍କଠାରୁ ନାଗାର୍ଜୁନର ବରପ୍ରାପ୍ତି’, ‘ଅର୍ଜୁନ କର୍ତ୍ତୃକ ଗଣ୍ଡାବଧ’, ‘ନାଗାର୍ଜୁନ କର୍ତ୍ତୃକ ଅର୍ଜୁନର ମୃତ୍ୟୁ’, ‘ଅର୍ଜୁନର ନିଧନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ଶିବଙ୍କ ପ୍ରତି କୋପ’, ‘ଅର୍ଜୁନର ପୁନର୍ଜୀବନ ଲାଭ ଓ ସମସ୍ତଙ୍କର ମହାନନ୍ଦ’। ସ୍ତମ୍ଭକାର ଶ୍ରୀ ଦାସ ଏପରି ‘ପଲ୍ଲବଗ୍ରାହୀ’ ଯେ ମୂଳପାଠଟିକୁ ପଢ଼ିବା ତ ଦୂରର କଥା, ଅଧ୍ୟାୟଗୁଡ଼ିକର ଶୀର୍ଷକକୁ ବି ସେ ପଢ଼ିନାହାନ୍ତି। କାରଣ କେବଳ ଶୀର୍ଷକରୁ ମଧ୍ୟ ସ୍ପଷ୍ଟ ଯେ ନାଗାର୍ଜୁନ ହିଁ ଅର୍ଜୁନଙ୍କୁ ମାରିଥିଲେ। କିନ୍ତୁ ସମଗ୍ର ଅଧ୍ୟାୟଗୁଡ଼ିକରେ କେଉଁଠି ହେଲେ ନାଗାର୍ଜୁନ ମରି ନଥିଲେ ମଧ୍ୟ, ଶ୍ରୀ ଦାସ ଲେଖିଛନ୍ତି- ପଣ୍ଡୁଙ୍କ ମୋକ୍ଷ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ମାରିଥିଲେ। ଲେଖାର ଅନ୍ୟତ୍ର ମଧ୍ୟ, ନିଜର କଳ୍ପନାରେ ଆଉ ପାଦେ ଆଗେଇ ଯାଇ ସେ ଲେଖିଛନ୍ତି, “ବ୍ରହ୍ମଲୋକରେ ଭ୍ରାମ୍ୟମାଣ ଅମୋକ୍ଷ ପଣ୍ଡୁଙ୍କ ମୋକ୍ଷ ପାଇଁ ୟାଙ୍କୁ ଶ୍ରୀକୃଷ୍ଣ ଚକ୍ରରେ କାଟି ଦେଇଥିଲେ।” ପୁଣି ନିଜର ‘ଲୋକକ୍ଷେତ୍ର’ ସ୍ତମ୍ଭଟିର ନାମକୁ ପ୍ରାସଙ୍ଗିକ କରିବାପାଇଁ, ନିଜର ସେହି କଳ୍ପନାର ଅସ୍ଥିରେ ଅନେକ ରକ୍ତମାଂସର ପୁଟ ଦେଇ ସେ ଲେଖିଛନ୍ତି, “ସ୍ମରଣରେ ରହୁ ଯେ ଲୋକକଳ୍ପନାକୁ ବିଶ୍ୱସନୀୟ କରିବାପାଇଁ ପୁରାଣର ଆଶ୍ରୟ ନେଇ ବହୁ ଉପକଥା, ଉପପୁରାଣ, ଉପକିଂବଦନ୍ତି ରଚିତ, କଥିତ ଓ ବ୍ୟାଖ୍ୟାୟିତ ହୋଇଛନ୍ତି ଭାରତରେ। ଭାରତର ବିପୁଳ ଓ ବହୁମୁଖୀ ସ୍ଥାନୀୟତା ଦ୍ୱାରା ଏହିଭଳି ବହୁ ଉପଶାସ୍ତ୍ରୀୟ, ଉପପୌରାଣିକ ଓ ଉପ-କିଂବଦନ୍ତୀୟ ଗାଥା, କଥା ସୃଜିତ ହୋଇଛନ୍ତି। ନାଗାର୍ଜୁନଙ୍କ କଥା ଏହିଭଳି ଏକ ଗାଥା ହୋଇପାରେ। କିନ୍ତୁ ଅର୍ଜୁନଙ୍କ ପିତାଙ୍କ ମୋକ୍ଷ ପାଇଁ ଅର୍ଜୁନଙ୍କ ପୁତ୍ରବଧ ଏତେ ଅବିଶ୍ୱସନୀୟ ଭାବରେ ଭାରତୀୟ ଲୋକମାନ୍ୟତାର ପରିପନ୍ଥୀ ଯେ ୟାକୁ ଗ୍ରହଣ କରି ଶେଷଯାଏ ଦୃଢ଼ କରି ରଖିବା ମୁସ୍କିଲ୍।”

କିନ୍ତୁ ‘ସାରଳା ମହାଭାରତ’ରେ “ଅର୍ଜୁନଙ୍କ ପିତାଙ୍କ ମୋକ୍ଷ ପାଇଁ ଅର୍ଜୁନଙ୍କ ପୁତ୍ରବଧ” ହୋଇନାହିଁ; ପିତା (ପଣ୍ଡୁ)ଙ୍କ ମୋକ୍ଷ ପାଇଁ ପ୍ରୟୋଜନ ହେଉଥିବା ଶ୍ରାଦ୍ଧ ନିମିତ୍ତ ଅର୍ଜୁନ ‘ଗଣ୍ଡାବଧ’ କରିଛନ୍ତି ଏବଂ ନାଗାର୍ଜୁନ ସେହି ଗଣ୍ଡାର ରକ୍ଷାକାରୀ ହୋଇଥିବାରୁ, ସେ ‘ଅର୍ଜୁନ ବଧ’ କରିଛନ୍ତି। ଏହା ତେଣୁ ‘ଅର୍ଜୁନଙ୍କ ପୁତ୍ରବଧ’ ନୁହେଁ; ବରଂ ପୁତ୍ରଦ୍ୱାରା ‘ଅର୍ଜୁନ ବଧ’। ଏହା ମଧ୍ୟ କୌଣସି ଲୋକକଳ୍ପନା ଆଧାରରେ ସୃଜିତ ‘ଉପ-ଶାସ୍ତ୍ରୀୟ’, ଉପ-ପୌରାଣିକ’ ବା ‘ଉପ-କିଂବଦନ୍ତୀୟ’ ଗାଥା ନୁହେଁ; ଏହା କେବଳ ‘ହରପ୍ରସାଦୀୟ-କଳ୍ପନା ଆଧାରରେ ସୃଜିତ ଏକ ଗାଥା’। ତାହାର କୌଣସି ଉପ-ଶାସ୍ତ୍ରୀୟତା ବା ଉପ-ପୌରାଣିକତା ନାହିଁ।

ପୂର୍ବସୂଚିତ ଯେ ହରପ୍ରସାଦ ଲେଖିଛନ୍ତିିିିିିିିିିିିିିିିି- “ଅମୋକ୍ଷ ପଣ୍ଡୁଙ୍କ ମୋକ୍ଷ ପାଇଁ ଶ୍ରୀକୃଷ୍ଣ ୟାଙ୍କୁ (ନାଗାର୍ଜୁନଙ୍କୁ) ଚକ୍ରରେ କାଟି ଦେଇଥିଲେ।” କିନ୍ତୁ ‘ସାରଳା ମହାଭାରତ’ର କାହାଣୀ ସଂପୂର୍ଣ୍ଣ ଅଲଗା ଓ ଓଲଟା। ପିତା-ପୁତ୍ର, ଅର୍ଥାତ୍ ଅର୍ଜୁନ-ନାଗାର୍ଜୁନଙ୍କ ମଧ୍ୟରେ ତିନିଦିନ ଯୁଦ୍ଧ ପରେ, ନାଗାର୍ଜୁନ ମହାକାଳ ନାମକ ନାରାଚ ବିନ୍ଧି ଶବରା (ଅର୍ଜୁନ)କୁ ଛେଦ ବୋଲି ଆଦେଶ ଦେଇଥିଲେ। ‘ସାରଳା ମହାଭାରତ’ର ସେ ବର୍ଣ୍ଣନା ଏହିପରି-
“ଅବିଶ୍ରାନ୍ତ ଯୁଦ୍ଧ କଲେ ମିଳି ପିତା ପୁତ୍ର
ତିନିଦିନ ଯାଏ ଯୁଦ୍ଧ ହେଲା ଦିବାରାତ୍ର।
ଜଳିଲା ସେ କୁମରର କ୍ଷୁଧା କାଳାନଳ
ଧ୍ୟାନେ ଚିନ୍ତିଲା ନାରାଚ ନାମେ ମହାକାଳ।
କରେ ଖପର କଟାର ମହାଭୟଙ୍କର
ହୃଦୟରେ ମୁଣ୍ଡମାଳ କେଶ ତା ଖାଙ୍କର।
… … …
ନାଗାର୍ଜୁନ ଛାମୁରେ ସେ ହୋଇଲା ପ୍ରବେଶ
କେ ତୋତେ ଅସାଧ୍ୟ ମୋତେ ବହନ ତୁ ପେଷ।
ବିନ୍ଧିଲା ପିନାକ ସମ ଧରି ଏକ ଧନୁ
ଶବରାକୁ ଛେଦ ବୋଲେ ସନ୍ଧ୍ୟାବାଳୀ ସୁନୁ।”

ସାରଳା ‘ମହାଭାରତ’ ଅନୁସାରେ, ନାଗାର୍ଜୁନ ନାଗକନ୍ୟା ଉଲୁପୀଙ୍କର ପୁତ୍ର ନୁହେଁ; ସେ ନାଗକନ୍ୟା ସନ୍ଧ୍ୟାବାଳୀଙ୍କର ପୁତ୍ର। ଅର୍ଜୁନ ତାଙ୍କର ପିତା। ତେଣୁ ମହାକାଳ-ନାରାଚ ସେ କଥା ଯାଇ ଅର୍ଜୁନଙ୍କୁ କହିବା ସହିତ, ଅନ୍ୟ ବାଣ ପେଷି ତାକୁ କାଟିବାକୁ ତାଙ୍କୁ ଅନୁରୋଧ କରିଥିଲା। କିନ୍ତୁ ସେହି ନାରାଚ ଅନିବାର ଥିବାରୁ ଏବଂ ତା’ ସମାନ ଆଉ ଦେବ-ଅସ୍ତ୍ର ନଥିବାରୁ, ଅର୍ଜୁନ ନିଜର ଅସାମର୍ଥ୍ୟ ପ୍ରକାଶ କଲେ। ତହୁଁ ମହାକାଳ-ନାରାଚ କହିଲା-
“ଆହେ ଦିଗପାଳମାନେ ସାକ୍ଷୀ ହୋଇଥିବ
ପାର୍ଥକୁ ମାରୁଛି ମୋତେ ଅଖ୍ୟାତି ନଦେବ।
ଚାରିଯୁଗ ଚାରିମେଘ ତୁମ୍ଭେ ସାକ୍ଷୀ ଥାଅ
ନାଗାର୍ଜୁନ ପେଷିଅଛି ମାରିବି ନିଶ୍ଚୟ।
ତା ପୁତ୍ର ପେଷିଲା ଦୋଷ ନାହିଁଟି ମୋହର
କହିଲି ଯେତେ ଏ ପାର୍ଥ ନ ବିନ୍ଧିଲା ଶର।
ଏହା କହି କଟାରକୁ କୋପେ ଦେଲା ବିଞ୍ଚି
କଟୀଠାରୁ ଛିଡ଼ିଗଲା ପଡ଼େ ସବ୍ୟସାଚୀ।
କଙ୍କାଳଠାରୁ ତାହାର ହେଲା ବେନିଖଣ୍ଡ
ମାରି କଇଳାଶ ଗଲା ସେ ବାଣ ପ୍ରଚଣ୍ଡ।”
ଏହାହିଁ ହେଉଛି ଘଟଣା। ମହାକାଳ-ନାରାଚ ଦ୍ୱାରା “କଟି (ଅଣ୍ଟା)ଠାରୁ ଛିଡ଼ି”, “କଙ୍କାଳଠାରୁ… ବେନିଖଣ୍ଡ” ହୋଇଥିଲେ ଅର୍ଜୁନ। ଅଥଚ ଶ୍ରୀ ଦାସ ଲେଖିଛନ୍ତି, “ୟାଙ୍କୁ (ଅର୍ଥାତ୍ ନାଗାର୍ଜୁନଙ୍କୁ) ଶ୍ରୀକୃଷ୍ଣ ଚକ୍ରରେ କାଟିଦେଲେ।” ତାଙ୍କରି ଭାଷାରେ କହିଲେ, କି “ମୁସ୍କିଲ୍‌”?

ପରେ ଅବଶ୍ୟ କାରୁଣ୍ୟ, କ୍ରୋଧ ଓ ଯୁଦ୍ଧ ମଧ୍ୟ ଦେଇ ଏ କାହାଣୀ ପରିସମାପ୍ତି ପଥରେ ଯାଇଛି; ନିହତ ଅର୍ଜୁନ ଓ ମୃତ ଗଣ୍ଡା ଉଭୟେ ପୁନର୍ଜୀବନ ପାଇଛନ୍ତି; ପିତାପୁତ୍ର ଅର୍ଜୁନ-ନାଗାର୍ଜୁନଙ୍କର ବି ମିଳନ ହୋଇଛି; କିନ୍ତୁ ତାହାର ଉପସ୍ଥାପନାର ଅବକାଶ ଏଠି ନାହିଁ।

କିନ୍ତୁ ଏକ ପ୍ରାସଙ୍ଗିକ ପ୍ରଶ୍ନ ଏହି, ଯେ ଏ ନାଗାର୍ଜୁନଙ୍କ ନାମରେ କ’ଣ କାର୍ତ୍ତିକ ମାସର ମଳ-ପଞ୍ଚକ ତିଥିରେ ହୁଏ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ? ଏହାର ଉତ୍ତର ଆବଶ୍ୟକ।

ଜଣେ ଗବେଷକ (ଡକ୍ଟର ଉମେଶ ଚନ୍ଦ୍ର ଚିହ୍ନରା) ଗୋଟିଏ ଲେଖା (ଶ୍ରୀଜଗନ୍ନାଥ ଓ ନାଗାର୍ଜୁନ ବେଶ, ୧୯୯୪)ରେ ଲେଖିଛନ୍ତି- ଅର୍ଜୁନଙ୍କର ଆତ୍ମଗର୍ବ ଥିଲା ଯେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ସେ ଆଉ କାହାଦ୍ୱାରା ପରାସ୍ତ ହେବେ ନାହିଁ। ତେଣୁ ଗୋଟିଏ ବାଳକ ଦ୍ୱାରା ପରାସ୍ତ ହୋଇ ସେ ନିଜକୁ ଧିକ୍‌କାର କଲେ। ଆତ୍ମାହୁତି ଦେବାକୁ ଇଚ୍ଛା କଲେ। ତାହା ଦେଖି ଶ୍ରୀକୃଷ୍ଣ ତାଙ୍କୁ ପ୍ରବୋଧନା ଦେଇ କହିଲେ- ତୁମର ଅହଂକାର ଦୂର କରିବା ପାଇଁ ହିଁ ମୁଁ ନାଗାର୍ଜୁନ ରୂପ ଗ୍ରହଣ କରିଥିଲି। କିନ୍ତୁ ସେଥିରେ ଅର୍ଜୁନଙ୍କର ମନବୋଧ ହେଲା ନାହିଁ। ତେଣୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ଅର୍ଜୁନ ନିଜର ପୁତ୍ର ନାଗାର୍ଜୁନଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଙ୍କଠାରେ ନିଜ ପୁତ୍ର ନାଗାର୍ଜୁନଙ୍କୁ ଦେଖି ବିସ୍ମିତ ଓ କୃତାର୍ଥ ହେଲେ। ଶ୍ରୀକୃଷ୍ଣଙ୍କର ସେହି ନାଗାର୍ଜୁନ ରୂପର ସ୍ମାରକୀ ହେଉଛି ନାଗାର୍ଜୁନ ବେଶ।

କିନ୍ତୁ ଏ ପ୍ରସଙ୍ଗର ସୂତ୍ର କ’ଣ, ତାହାର ସୂଚନା ଶ୍ରୀ ଚିହ୍ନରା ଦେଇନାହାନ୍ତି। ଏ ପ୍ରସଙ୍ଗ ମଧ୍ୟ ‘ସାରଳା ମହାଭାରତ’ରେ ନାହିଁ। ବରଂ ପୁତ୍ର ଦ୍ୱାରା ପରାସ୍ତ ଓ ମୃତ ଅର୍ଜୁନ, ନିଜର ସନ୍ତୋଷ ବ୍ୟକ୍ତ କରିଥିବା କଥା ‘ସାରଳା ମହାଭାରତ’ରେ ଅଛି-
“ଅର୍ଜୁନ ବୋଇଲେ ମୋର ଅଟେ ସେ ଆତ୍ମଜ
ମୋ ପୁତ୍ର ମୋତେ ଜିଣିଲା, ଏଥିରେ କି ଲାଜ।”

କାର୍ତ୍ତିକ ମାସର ମଳ-ପଞ୍ଚକ ତିଥିରେ ନାଗାର୍ଜୁନ ବେଶ ହୁଏ। ଏଣୁ ଏହାର ଅନ୍ୟ ଏକ ସୂତ୍ର ମଧ୍ୟ ନିଜ ଲେଖାରେ ସୂଚାଇଛନ୍ତି ଶ୍ରୀ ଚିହ୍ନରା। ତାଙ୍କ ଅନୁସାରେ- ଅର୍ଜୁନ ଓ ନାଗାର୍ଜୁନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା, ସେହି ଯୁଦ୍ଧ ପରେ, ଅର୍ଜୁନଙ୍କର ଦ୍ୱିଖଣ୍ଡିତ ଶବ ଗୋଟିଏ ଦିନ ପଡ଼ି ରହିଥିଲା। ଗୋଟିଏ ଦିନର ଗୋଟିଏ ତିଥି ଅତିକ୍ରମ କରିଗଲେ, କୌଣସି ମୃତପିଣ୍ଡଠାରେ ମୃତ ସଂଜୀବନୀ ମନ୍ତ୍ର କାର୍ଯ୍ୟ କରିନଥାଏ। ତେଣୁ ଅନ୍ୟ ତିଥିକୁ ସଂକ୍ରମଣ ନକରିବାକୁ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଅନୁରୋଧ କରିଥିଲେ। ସୂର୍ଯ୍ୟଦେବ ମଧ୍ୟ ତାହା ହିଁ ଚାହୁଥିଲେ। ତାହା ଫଳରେ ସୂର୍ଯ୍ୟଦେବ ଦୁଇଦିନ ଗୋଟିଏ ତିଥି ଭୋଗ କଲେ। ଅର୍ଜୁନ କାର୍ତ୍ତିକ ମାସ ମଳ ପଞ୍ଚକ ତିଥିରେ ପୁନର୍ଜୀବନ ଲାଭ କରିଥିବାରୁ, ଏବଂ ଶ୍ରୀକୃଷ୍ଣ ନିଜର ନାଗାର୍ଜୁନ ରୂପ ସେହି ମଳ ତିଥିରେ ପ୍ରଦର୍ଶନ କରିଥିବାରୁ, କାର୍ତ୍ତିକ ମାସର ମଳପଞ୍ଚକ ତିଥିରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହୋଇଥାଏ।

ଶ୍ରୀ ଚିହ୍ନରାଙ୍କର ଏ ଉପସ୍ଥାପନାର ଯୌକ୍ତିକତା ଅବଶ୍ୟ ଅଛି; ମାତ୍ର ଏହାର କୌଣସି ପୌରାଣିକ ବା ଶାସ୍ତ୍ରୀୟ ପ୍ରମାଣ ସେ ଦେଇ ନାହାନ୍ତି। ତେଣୁ ସମସ୍ତ ଯୌକ୍ତିକତା ସତ୍ତ୍ୱେ, ଏହା ଗ୍ରହଣୀୟ ହେବାରେ ଦ୍ୱିଧା ରହିଛି।

ତେବେ କେବେଠୁଁ ପ୍ରବର୍ତ୍ତିତ ହେଲା ଏ ବେଶ ଏବଂ କେଉଁଠୁ ଆସିଲା ଏ ‘ନାଗାର୍ଜୁନ’ ନାମ? ଅବଶ୍ୟ ସ୍ତମ୍ଭକାର ଶ୍ରୀ ଦାସ ବୌଦ୍ଧ ଶୂନ୍ୟବାଦୀ ସାଧକ ନାଗାର୍ଜୁନଙ୍କ ସହ ଯୋଡ଼ି ଏହାକୁ ଏକ ‘ଶୂନ୍ୟବେଶ’ କହିଛନ୍ତି; ମାତ୍ର ଏତେ ସାଜ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ଅଧ୍ୟୁଷିତ ଗୋଟିଏ ବେଶ ‘ଶୂନ୍ୟବେଶ’ ହେବ କିପରି? ବିଶିଷ୍ଟ ଗବେଷକ ସାରଙ୍ଗଧର ରାୟଗୁରୁ ମଧ୍ୟ ତାଙ୍କର ଏକ ଗବେଷଣା ନିବନ୍ଧ (ନାଗାର୍ଜୁନ ରୂପ ବୈଭବରେ ଶ୍ରୀଜଗନ୍ନାଥ, ରଥଯାତ୍ରା ୨୦୨୧)ରେ ଏ ପ୍ରସଙ୍ଗରେ ବୌଦ୍ଧ ଶୂନ୍ୟବାଦୀ ପରମ୍ପରାର ବିସ୍ତୃତ ଆଲୋଚନା କରିଛନ୍ତି। କିନ୍ତୁ ସେଥିରେ ସେ ମଧ୍ୟ ସ୍ୱୀକାର କରିଛନ୍ତି, “ନାଗାର୍ଜୁନ ଶବ୍ଦର ବାସ୍ତବତା ଏ ପର୍ଯ୍ୟନ୍ତ ଅସମାହିତ।”

ତେବେ ଏ ଅସମାହିତ ରହସ୍ୟର ସମାଧାନ କ’ଣ? ଏ ବାବଦରେ ଅନୁଧ୍ୟାନ କଲେ, ଆମେ ଏହାର ପ୍ରାଚୀନତାର କୌଣସି ପ୍ରମାଣ ପାଉନାହିଁ। ଏପରିକି, ୧୮୬୮ରୁ ‘ଉତ୍କଳଦୀପିକା’ ପ୍ରକାଶ ପାଇଆସିଥିଲେ ମଧ୍ୟ, ସେଥିରେ ଏ ସଂପର୍କରେ କୌଣସି ସମ୍ବାଦ ନାହିଁ। ‘ନାଗାର୍ଜୁନ ବେଶ’ ଏକ ‘ଯଜମାନି ବେଶ’। ଶ୍ରୀକ୍ଷେତ୍ରର ଚକ୍ରକୋଟ ଖୁଣ୍ଟିଆ ଏହି ବେଶର ଯଜମାନ। ସେଇଥିପାଇଁ ସମ୍ଭବତଃ ‘ଶ୍ରୀମନ୍ଦିର ସ୍ୱତ୍ୱଲିପି’ରେ ଏ ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ଶ୍ରୀମନ୍ଦିରର ନଥିପତ୍ରରେ ଏହାର ସର୍ବପ୍ରାଚୀନ ପ୍ରମାଣ ମିଳେ ୧୯୬୬ରେ। ସେ ବର୍ଷ ନଭେମ୍ବର ୨୬ ତାରିଖ, କାର୍ତ୍ତିକ ମାସର ଶୁକ୍ଳ, ମଳ ତ୍ରୟୋଦଶୀରେ ଏହି ବେଶ ହୋଇଥିଲା। ତା’ ପରଠାରୁ ୧୯୬୭, ୧୯୬୮, ୧୯୯୩, ୧୯୯୪ ଓ ୨୦୨୦ ପର୍ଯ୍ୟନ୍ତ ହିଁ ଏହାର ଧାରାବାହିକ ଇତିହାସ ରହିଛି।

କିନ୍ତୁ ଏହି ବେଶର ସାଦୃଶ୍ୟ ଅଛି ପୁରୀ ‘ସାହିଯାତ’ର ‘ନାଗାବେଶ’ ସହିତ। ଏଣୁ ଅନୁମିତ ହୁଏ, ସାହିଯାତ ପରମ୍ପରାରୁ, ଏକ ଯଜମାନି ବେଶ ଭାବରେ ଶ୍ରୀମନ୍ଦିରର ସାମୟିକ ନୀତିରେ ଏହା ପ୍ରବେଶ କରିଛି। ଏବଂ ସମ୍ଭବତଃ ‘ସାରଳା ମହାଭାରତ’ର ନାଗାର୍ଜୁନ ପ୍ରସଙ୍ଗରୁ ଶ୍ରୀଜଗନ୍ନାଥଙ୍କର ଏହି ‘ନାଗାବେଶ’ କ୍ରମେ ‘ନାଗାର୍ଜୁନ ବେଶ’ ଭାବରେ କଥିତ ଓ ପ୍ରସିଦ୍ଧ ହୋଇଛି।

ଏଣୁ କୌଣସି ବିଭ୍ରାନ୍ତିକର କପୋଳ କଳ୍ପନାରେ ନମାତି, ଏ ସଂପର୍କରେ ଅଧିକ ଗବେଷଣା ଓ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି।

ମୋ: ୯୪୩୭୦ ୩୪୮୦୪
[email protected]

 

ସମ୍ବନ୍ଧିତ ଖବର