ହତଭାଗା କପୋତ

ଝରକା

ଗଲା ଅକ୍‍ଟୋବର ୨୯ ତାରିଖରେ ଆମେରିକାର ଓରେଗନ୍ ରାଜ୍ୟରେ ଚାଲିଥିବା ପକ୍ଷୀ କ୍ରୀଡ଼ା ପ୍ରତିଯୋଗିତାରୁ ଗୋଟିଏ କପୋତ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଏହାର ପ୍ରାୟ ଦୁଇ ମାସ ପରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବାସିନ୍ଦା କେଭିନ୍ ସେଲି-ବାର୍ଡ ତାଙ୍କ ଘର ପଛପଟେ ଏକ କ୍ଳାନ୍ତ କପୋତକୁ ଆବିଷ୍କାର କଲେ। ତାହା ଥିଲା ସେହି ସ୍ଥାନୀୟ ଜାତିର କପୋତଙ୍କ ଠାରୁ ଭିନ୍ନ। କେଭିନ୍ ସନ୍ତର୍ପଣରେ ତାର ଏକ ଫଟୋ ଉଠାଇ ଇଣ୍ଟର୍‍ନେଟ୍‍ରେ ଅପ୍‌ଲୋଡ୍‌ କଲେ। ଏବେ ଜଣାପଡ଼ିଲା ଯେ ତାହା ହିଁ ହେଉଛି ସେହି ନିରୁଦ୍ଦିଷ୍ଟ କପୋତ, ଯାହା ଆମେରିକାର ଓକ୍‍ଲାହୋମା ସ୍ଥିତ ‘ଆମେରିକାନ୍ ରେସିଂ ପିଜନ୍ ୟୁନିୟନ’ର ଏକ ପଞ୍ଜିକୃତ ଉଡ଼ାଳି ସଦସ୍ୟ।

ସୁତରାଂ, ସେ ପ୍ରଶାନ୍ତ ମହାସାଗର ଉପରେ ପ୍ରାୟ ଆଠ ହଜାର ମାଇଲ୍ ଅତିକ୍ରମ କରି ମେଲବୋର୍ଣ୍ଣରେ ପହଞ୍ଚିଛି। ଇତିମଧ୍ୟରେ କପୋତଟିର ଏହି ଉଡ଼ାଣ ଦକ୍ଷତା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଏହା ପରେ ଅଷ୍ଟ୍ରେଲିଆର ‘କ୍ବାରେଣ୍ଟିନ୍ ଆଣ୍ଡ୍ ଇନ୍‍ସ୍ପେକ୍‍ସନ୍ ସର୍ଭିସ୍’ ତାର କଠୋର ଜୀବଜନ୍ତୁ ସୁରକ୍ଷା ନିୟମ ଅନୁସରଣ କରି ବିଦେଶୀ ପାରାଟିକୁ ମାରି ଦେବାକୁ ନିଷ୍ପତ୍ତି ନେଇଛି। କାରଣ ଅଷ୍ଟ୍ରେଲୀୟ ନିୟମାନୁସାରେ ବିଦେଶରୁ ଆସୁଥିବା ବଣୁଆ (‌େଯଉଁମାନେ ପାଳିତ ନୁହନ୍ତି) ପଶୁପକ୍ଷୀ ନୂଆ ରୋଗର ବାହକ ହେବାର ସନ୍ଦେହ ଥିବାରୁ ସେମାନଙ୍କୁ ମାରି ଦିଆଯାଇଥାଏ। କାରଣ ସେମାନଙ୍କ ଠାରୁ ସଂକ୍ରମଣର ଭୟ ସ୍ଥାନୀୟ ପକ୍ଷୀ ଓ କୁକୁଡ଼ା ପାଳନ ଉଦ୍ୟୋଗ ପ୍ରତି ବିପଦ ସୃଷ୍ଟି କରୁଥିବାର ଦେଖାଯାଇଛି। ତେଣୁ ଏହି ହତଭାଗ୍ୟ କପୋତକୁ ମାରିବା ପାଇଁ ପ୍ରୟାସ ଆରମ୍ଭ ହେଲାଣି।

ଇତିମଧ୍ୟରେ କପୋତଟି ନବ ନିର୍ବାଚିତ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କ ନାମାନୁଯାୟୀ ଜୋ ନାମ ଧାରଣ କରି କେଭିନଙ୍କ ଅଗଣାରେ ବୁଲାବୁଲି କରୁଛି, କେଭିନଙ୍କ ଦ୍ବାରା ପ୍ରଦତ୍ତ ଖାଦ୍ୟ ଓ ପାନୀୟ ଗ୍ରହଣ କରୁଛି। ସେହି ଅଗଣା ଏବେ କପୋତଟିର ନୂଆ ଘର ପାଲଟି ଯାଇଛି।

କୌଣସି କପୋତ ସର୍ବାଧିକ ସାତ ହଜାର ଦୁଇ ଶହ ମାଇଲ୍ ଉଡ଼ିଥିବାର ରେକର୍ଡ ରହିଛି। ଅଥଚ ‘ଜୋ’ ଏହି ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛି। ଏହା ସତ୍ତ୍ବେ ସେ ଏକ ଭୁଲ ସ୍ଥାନରେ ତାର ଉଡ଼ାଣ ଶେଷ କରିଥିବାରୁ ଏହା ତାର ଅନ୍ତିମ ଉଡ଼ାଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଯଦି ତାହା ସତ୍ୟରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବେ ହତଭାଗ୍ୟ କପୋତ ‘ଜୋ’ ଲାଗି କେଉଁଠି ନା କେଉଁଠି ଶୋକଗୀତି ଲେଖା ହେବ।

ସମ୍ବନ୍ଧିତ ଖବର