ଟ୍ରମ୍ପଙ୍କ ଆମେରିକା

ଆମେରିକାରୁ ପତ୍ର - ଅନାଦି ନାୟକ

ରାଷ୍ଟ୍ରପତି ନିର୍ବାଚନ ପରେ ଟ୍ରମ୍ପ୍‌ ଓ ତାଙ୍କୁ ସମର୍ଥନ କରୁଥିବା ଲୋକମାନେ ବାଇଡେନ୍‌ଙ୍କ ବଦଳରେ ଟ୍ରମ୍ପ୍‌ ଜିତିଲେ ବୋଲି ମିଛରେ କହି ବୁଲିଲେ। “ଅଧିକ ଭୋଟ୍ ପାଇଛନ୍ତି” ବା “ପାଇ ଥା’ନ୍ତେ” ଏ କଥାର ପ୍ରମାଣ କିଛି ନଥିଲେ କଅଣ ହେଲା ସେମାନଙ୍କର ସେଥିପାଇଁ ଚିନ୍ତା ନଥିଲା। କିଛି ଦିନ ତଳେ ୱାସିଂଟନ ସହରରେ ଟ୍ରମ୍ପ୍‌ଙ୍କ ସମର୍ଥକ ଓ ବିରୋଧୀ- ଏ ଉଭୟ ଦଳଙ୍କ ଭିତରେ ବେଶ୍ ହାତାହାତି ହେଲା। ଗୁଳି ଚାଲିଲା। ଅନେକେ ଆହତ ହେଲେ। କେସ୍‌ ଚାଲିଛି। ନିର୍ବାଚନ ପୂର୍ବରୁ, ‘‘ଟ୍ରମ୍ପ୍‌ଙ୍କ କଥା ଅନୁସାରେ କାମ କରୁନାହାନ୍ତି’’ ବୋଲି ଅଭିଯୋଗ ଆଣି ମିଚିଗନ ପ୍ରଦେଶର ଗଭର୍ଣ୍ଣରଙ୍କୁ ଟ୍ରମ୍ପ୍‌ଙ୍କର ସମର୍ଥକମାନେ ହରଣଚାଳ କରିବାକୁ ଷଡ଼୍‌ଯନ୍ତ୍ର କରୁଥିଲେ। ସେମାନେ ଏଥିପାଇଁ କିଛି କାମ କରିବା ପୂର୍ବରୁ ଧରା ପଡ଼ିଲେ। ନିର୍ବାଚନକୁ କେନ୍ଦ୍ର କରି ଏପରି ଅପରାଧମୂଳକ କାର୍ଯ୍ୟ ଆମେରିକାର ଇତିହାସରେ କେବେ ଘଟି ନଥିଲା। ତେବେ ବର୍ତ୍ତମାନ ଏପରି ଘଟଣା କାହିଁକି ଘଟୁଛି- ସେଥିପାଇଁ ଇତିହାସ, ରାଜନୀତି, ସମାଜ ଶାସ୍ତ୍ର, ମନସ୍ତତ୍ତ୍ୱ ପ୍ରଭୃତିର ବିଶେଷଜ୍ଞମାନେ ବିଭିନ୍ନ ସ୍ତରରେ ଆଲୋଚନା କରି ଚାଲିଛନ୍ତି।

ଯାହା ଜଣା ପଡୁଛି ଆମେରିକାରେ କିଛି ଲୋକଙ୍କ ଭିତରେ କଳା-ଗୋରାର ଭେଦଟା ଯେ କେତେ ବଦ୍ଧମୂଳ ରହିଛି ତାହା ଆଗରୁ କେହି କଳନା କରି ନଥିଲେ। ଏବେ ନାନା କାରଣରୁ ସେ ସବୁ ପଦାକୁ ଆସୁଛି। ଉଦାହରଣ ସ୍ୱରୂପ ଆଗରୁ ଖଣି ଓ କାରଖାନାରେ କିମ୍ବା ଚାଷୀ ଭାବରେ କାମ କରୁଥିବା ଲୋକମାନଙ୍କର ଚଳଣି ଅନ୍ୟମାନଙ୍କ ତୁଳନାରେ ଭଲ ଥିଲା କାରଣ ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ପଇସା ପାଉଥିଲେ। ଏବେ କୋଇଲା ଧୂଆଁ ଆକାଶର ଓଜୋନ (ozone) ପରିମାଣକୁ ନଷ୍ଟ କରୁଛି ବୋଲି ଅଭିଯୋଗ ହେଉଛି। ସବୁ ଦେଶରେ ଅଙ୍ଗାରକାମ୍ଳର ମାତ୍ରା ନିଜ ନିଜ ଦେଶରୁ କମାଇବା ପାଇଁ କୋଇଲା ଚାଳିତ କାରଖାନା ଓ ରେଳ ବନ୍ଦ ହେଉଛି କିମ୍ବା ବନ୍ଦ ହେବା ଉପରେ। ଆମେରିକାରେ ଗୋଟାକୁ ଗୋଟା କୋଇଲା ଖଣି ବନ୍ଦ ପଡ଼ିଛି। ଏବେ ସେହି ଖଣିମାନଙ୍କରେ କାମ କରୁଥିବା ଲୋକେ ବେକାର। ଆମେରିକାର ଶ୍ରମିକମାନେ ଅଧିକ ମଜୁରି ଦାବି କରୁଥିବାରୁ ଓ କୋଇଲା ବ୍ୟବହାର କରୁଥିବା ଉତ୍ପାଦନ କେନ୍ଦ୍ରସବୁକୁ ଆଞ୍ଚଳିକ ସରକାରମାନେ ବିରୋଧ କରୁଥିବାରୁ ଏଠାର ପୁଞ୍ଜିପତିମାନେ ନିଜ ନିଜ ଜିନିଷ ଉତ୍ପାଦନ କରିବା ପାଇଁ ବାହାର ଦେଶର କମ୍ପାନିକୁ ଠିକା ଦେଉଛନ୍ତି, ନହେଲେ କମ୍ ଖର୍ଚ୍ଚରେ ଅନ୍ୟତ୍ର କାରଖାନା ବସାଉଛନ୍ତି। ଆମେରିକା ନାଆଁରେ ଜିନିଷ ବିକ୍ରି ହୋଇ ଆମେରିକାକୁ ଖୁବ୍ ପଇସା ଆସୁଛି ସତ ମାତ୍ର ସେଥିରେ ଧନୀ ଲୋକଙ୍କର ଧନ ବଢୁଛି। ଛଟେଇ ହୋଇଥିବା ଲୋକେ ଉପରକୁ ଚାହିଁ ବସିଛନ୍ତି ଓ ସେମାନଙ୍କର ଦୈନ୍ୟ ବଢ଼ି ବଢ଼ି ଚାଲିଛି। ସେମାନେ ଦେଖୁଛନ୍ତି ଯେ ସରକାରୀ ସାହାଯ୍ୟ ପାଇ କଳା ଲୋକମାନେ ଉପରକୁ ଉଠୁଛନ୍ତି ଓ ବାହାର ଦେଶରୁ ମଜୁରିଆ ଆସି ଏଠି କମ୍‌ ପଇସାରେ ମିହନ୍ତ କରି ସେମାନଙ୍କ ଠାରୁ କାମ ଛଡ଼ାଇ ନେଉଛନ୍ତି। ସେମାନଙ୍କର କ୍ରୋଧ ବଢୁଛି।

ଆଜି ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ତିନି ଲକ୍ଷ ଷାଠିଏ ହଜାର ଲୋକ କରୋନା ଭାଇରସ୍ ଯୋଗୁ ମଲେଣି। ପ୍ରାୟ କୋଡ଼ିଏ ଲକ୍ଷ ଲୋକ ଆକ୍ରାନ୍ତ। ରୋଗ ବଢ଼ି ବଢ଼ି ଚାଲିଥିବା ବେଳେ ସରକାର ଏ ବିଷୟରେ ବିଶେଷ କିଛି କରୁନାହିଁ ବୋଲି ଦେଶବାସୀ ବିରକ୍ତ ହୋଇ ଟ୍ରମ୍ପ୍‌ଙ୍କୁ ଆଉ ଥରେ ରାଷ୍ଟ୍ରପତି ହେବାକୁ ଅନୁମତି ଦେଲେ ନାହିଁ। କରୋନା ଭାଇରସ୍‌ ପାଇଁ ଟିକା ଆସିଛି। ବର୍ତ୍ତମାନ ଦିଆଯାଉଥିବା ଟିକାକୁ ଜଣ ଜଣ କରି ଦିଆଯିବା ପରେ ଓ ଲୋକମାନେ ଟିକା ନେଇ ଭଲ ହୋଇଯାଇଥିବା ଦେଖି ସବୁ ମହଲରେ ଚିକିତ୍ସା ଓ ନିରାପତ୍ତା ପାଇଁ ଆଶା ଓ ଉତ୍ସାହ ବଢ଼ିଛି। ବର୍ତ୍ତମାନର କରୋନା ଭାଇରସ୍ ଯୋଗୁ, ବହୁ ଲୋକ ନିଜ ଅଜାଣତରେ କ୍ରୁଦ୍ଧ ହୋଇ ରହିଛନ୍ତି। ଫେଲ୍ ହୋଇଥିବା ବିଦ୍ୟାର୍ଥୀ କିମ୍ବା ଗାଡ଼ି ଚାଲିଯିବାର ମିନିଟକ ପରେ ପ୍ଲାଟ୍‌ଫର୍ମରେ ପହଞ୍ଚି ଥିବା ଯାତ୍ରୀର ମନ ଯେମିତି ଡହଳ ବିକଳ ହୁଏ ଓ ବିନା କାରଣରୁ ସାରା ଦୁନିଆ ଉପରେ ରାଗ ଆସେ, ଅନେକ ଲୋକ ସେଇଆ ଅନୁଭବ କରୁଛନ୍ତି। ଘରେ ଘରେ ବନ୍ଧୁକ। ଏଣୁ କ୍ରୋଧର ପରିଣାମ ସାଂଘାତିକ ହେଉଛି।

ଗତ ଚାରି ବର୍ଷ ହେଲା ଟ୍ରମ୍ପ୍‌ ଖୁବ୍ କୌଶଳର ସହିତ ଅଧିକ ସଂଖ୍ୟକ ଲୋକଙ୍କୁ ଅନ୍ୟମାନଙ୍କ ଉପରେ ରଗାଇ ନିଜକୁ “ଆମେରିକାର ରକ୍ଷକ” ବୋଲି କହି ଆସିଥିଲେ। ଅନେକେ ଏହା ବିଶ୍ୱାସ କରୁଥିଲେ। ମାତ୍ର କରୋନା ଭାଇରସ୍‌ ତାଙ୍କ ଅଯୋଗ୍ୟତାଟାକୁ ପଦାରେ ପକାଇ ଦେଇଛି। ବହୁ ସଂଖ୍ୟକ ଲୋକଙ୍କର ଆହତ ଗ୍ରନ୍ଥି ସବୁକୁ ବିଧେୟ ପନ୍ଥାରେ ନିୟୋଜିତ କରିବା ପାଇଁ ଚେଷ୍ଟା କରିବା ହେବ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ମୁଖ୍ୟ କାମ। ଆମେରିକାର ବାତାବରଣକୁ ଟ୍ରମ୍ପ୍‌ ଏପରି ଭାବରେ ବିଷାକ୍ତ କରି ଦେଇଛନ୍ତି ଯେ ତାକୁ ନ ସୁଧାରିଲେ କୌଣସି କାମ ଠିକ୍ ଭାବରେ ହୋଇପାରିବ ନାହିଁ। ସରକାର ଯେ ଲୋକଙ୍କର ସ୍ୱାର୍ଥ ରକ୍ଷା ପାଇଁ କାମ କରୁଛି- ଏହା ବୁଝାଇବା ପାଇଁ ବା‌ଇଡେନ୍‌ ସରକାରକୁ ଯଥେଷ୍ଟ ସମୟ ଓ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିବ। ସେ ସବୁ ଘଟିବ ଜାନୁଆରି ୨୦ର ଅପରାହ୍‌ଣ ପରେ।

ବାଇଡେନ୍‌ଙ୍କର ନିର୍ବାଚନକୁ ଆଇନ କାନୁନରେ, ରାଜନୈତିକ ଭାବରେ ବାତିଲ କରିବା ପାଇଁ ଟ୍ରମ୍ପ୍‌ଙ୍କର ଚେଷ୍ଟା ଅବ୍ୟାହତ ରହିଆସିଥିଲା। ଏକ ଗଣତାନ୍ତ୍ରିକ ଦେଶରେ ପାଟିତୁଣ୍ଡ କରିବାର ଅଧିକାର ସମସ୍ତଙ୍କର ଅଛି। ଏଣୁ ଟ୍ରମ୍ପ୍‌ ତାର ସୁଯୋଗ ନେଲେ। ତାଙ୍କୁ ସମର୍ଥନ କରିବାକୁ ଲୋକଙ୍କର ଅଭାବ ନାହିଁ। ତା’ ନହେଲେ ସେ ସାତ କୋଟି ଲୋକଙ୍କ ଠାରୁ ଭୋଟ ପାଇଲେ କେମିତି? ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଏଠା ଲୋକଙ୍କ ଭିତରେ ଉତ୍ସାହ ଓ ଆଗ୍ରହ ଅଛି ବୋଲି ଦେଶର ସମ୍ବିଧାନକୁ ସମ୍ମାନ ଦେଇ ସେମାନେ ନିର୍ବାଚନ ସମୟରେ ନିଜ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। ରିପବ୍ଲିକାନ୍‌ ହୁଅନ୍ତୁ କି ଡିମୋକ୍ରାଟ୍‌ ହୁଅନ୍ତୁ କି କୌଣସି ଦଳର ନ ହୁଅନ୍ତୁ- ଭୋଟ ଗଣନା କାମକୁ ଦାୟିତ୍ୱର ସହ ତୁଲାଇଛନ୍ତି। ଠିକ୍ ରିପୋର୍ଟ ପେସ୍ କରିଛନ୍ତି। ରିପବ୍ଲିକାନ୍ ଓ ଡିମୋକ୍ରାଟିକ୍‌ ପାର୍ଟିର ସଭ୍ୟ ଭାବରେ ନିର୍ବାଚନରେ କାମ କରୁଥିବା ହଜାର ହଜାର ସଂଖ୍ୟାର ସାଧାରଣ ନାଗରିକଙ୍କର ସଚ୍ଚୋଟ ଅଭିବ୍ୟକ୍ତି ଯୋଗୁ ଦଳ ନିର‌େପକ୍ଷ ଭାବରେ, ଭୋଟ ଗଣତିରେ ଏପାଖ ସେପାଖ ହୋଇନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ଦଳର ଲୋକଙ୍କୁ ଅସତ୍‌ କାମ କରିବାକୁ ଧମକ ଚମକ ଦେଇଛନ୍ତି। ମାତ୍ର ଦଳର କର୍ମକର୍ତ୍ତା ନିଜ ଦାୟିତ୍ୱର ଖିଲାଫ କରି ନାହାନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ମୋଟାମୋଟି ଭାବରେ ସାଧାରଣ ଲୋକଙ୍କ ଭିତରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ଲାଗି ଆଶା ଓ ଉତ୍ସାହ କମି ନାହିଁ। ଆମେରିକାର ବର୍ତ୍ତମାନର ଅବସ୍ଥା ଆଉ ଏକ କଥା ଚେତେଇ ଦେଉଛି ଯେ ଗଣତନ୍ତ୍ରକୁ ନିରାପଦ ରଖିବାକୁ ହେଲେ ଦେଶର ସବୁ ଲୋକଙ୍କୁ ଗଣତାନ୍ତ୍ରିକ ପଦ୍ଧତି ଭିତରେ କାମ କରିବାକୁ ପଡ଼ିବ। ମାତ୍ର ଯଦି କେହି ଜବରଦସ୍ତି କରି କ୍ଷମତାରେ ରହିବାକୁ ଚାହେଁ, ତେବେ ମାର ପିଟ ଘଟିବାଟା ସ୍ୱାଭାବିକ କଥା।

ଗତ ଜାନୁଆରି ୬ ତାରିଖ ଦିନ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଶହ ଶହ ସଂଖ୍ୟାରେ ଆସି ଆମେରିକାର ପାର୍ଲାମେଣ୍ଟ ହାଉସ୍‌ ଭିତରେ (କ୍ୟାପିଟଲରେ) ପଶି ବିରୋଧୀ ଦଳର ନେତା, ବାଚସ୍ପତି, ଉପରାଷ୍ଟ୍ରପତିଙ୍କୁ ଆକ୍ରମଣ କରିବାର ମସୁଧା କରିଥିଲେ। ଜଣେ କଳା ପୁଲିସ୍ ବାଲା ସେମାନଙ୍କୁ ଏକ ଅଲଗା ଦ୍ୱାର ଆଡ଼କୁ ଅଡ଼େଇ ଦେଇ ନଥିଲେ ବହୁ ସଂଖ୍ୟକ ଲୋକ ପ୍ରତିନିଧି ସେଦିନ ଗୁଳି ଓ ପ୍ରହାରରେ ମରି ଥାଆନ୍ତେ। ତଥାପି ଛଅ ଲୋକଙ୍କର ମୃତ୍ୟୁ ଘଟିଛି। ଦେଶର ବିଭିନ୍ନ ସ୍ଥାନରୁ ଆସି ମେଳିରେ ଭାଗ ନେଇ ଭଙ୍ଗାରୁଜା କରିଥିବା ଲୋକଙ୍କ ଭିତରୁ ଏବେ ୧୭୦ ଜଣ ବନ୍ଧା ହେଲେଣି। ଅନ୍ୟମାନଙ୍କୁ ଖୋଜା ଚାଲିଛି। ଟ୍ରମ୍ପ୍‌ଙ୍କ ମାର୍ଗ ଦର୍ଶନରେ ଏ ଯେଉଁ ଘଟଣା ଘଟିଲା ତାହା ଲଜ୍ଜାଜନକ ଅନୁଭବ କରି ତାଙ୍କ ଦଳର ଅନେକ ସଭ୍ୟ ତାଙ୍କୁ ଏଥିପାଇଁ ଛିଛାକର କଲେଣି। “ସମ୍ବିଧାନର ୨୫ ଧାରା ଅନୁଯାୟୀ ଉପରାଷ୍ଟ୍ରପତି ମାଇକ ପେନ୍‌ସ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସିଧାସଳଖ କହିଦିଅନ୍ତୁ ଯେ ଟ୍ରମ୍ପ୍‌ ତାଙ୍କ ଦାୟିତ୍ୱ ତୁଲାଇବାକୁ ସକ୍ଷମ ନୁହନ୍ତି” ବୋଲି ଲୋକ ପ୍ରତିନିଧି କକ୍ଷରେ ପ୍ରସ୍ତାବ ପାସ୍‌ ହୋଇଛି। ଯଦି ପେନ୍‌ସ ଏହା ନ କରିବେ ତେବେ କକ୍ଷ ତରଫରୁ ଟ୍ରମ୍ପ୍‌ଙ୍କୁ ପୁଣିଥରେ ଅଭିଯୁକ୍ତ କରାଯିବ। ବିଚାର ହେବ ସିନେଟରେ। ଏ ପର୍ଯ୍ୟନ୍ତ କୌଣସି ରାଷ୍ଟ୍ରପତିଙ୍କୁ ଦୁଇଥର ଅଭିଯୁକ୍ତ କରାଯାଇ ନଥିଲା।

ଟ୍ରମ୍ପ୍‌ ଏବେ ସମସ୍ତଙ୍କ ଉପରେ କ୍ଷୁବ୍‌ଧ। ବିଭିନ୍ନ ଦେଶରେ ଥିବା ଡିକ୍ଟେଟରମାନଙ୍କୁ ଆଖି ଆଗରେ ରଖି ସେ ବି ଜଣେ ଡିକ୍ଟେଟର ହୋଇପାରିବେ ବୋଲି ଭାବିଥିଲେ। ମାତ୍ର ସେନାବାହିନୀର ବିନା ସହଯୋଗରେ କେହି ଡିକ୍ଟେଟର ହୋଇ ପାରେନା। ଆମେରିକା ସେନାବାହିନୀର ସବୁ ଲୋକେ- ତଳୁ ଉପର ପର୍ଯ୍ୟନ୍ତ- କହନ୍ତି ଯେ ମିଲିଟାରିର କାମ ହେଲା ଯୁଦ୍ଧ କରିବା; ଦେଶକୁ ଶାସନ କରିବା କାମ ଅନ୍ୟମାନଙ୍କର। ଲୋକମାନେ ସତର୍କ ନ ରହିବେ ତ ବଦମାସ ଲୋକେ ନିଜକୁ ନେତା ଭାବରେ ସାବ୍ୟସ୍ତ କରି ଦେଶବାସୀଙ୍କୁ ଏକ ପ୍ରକାରେ ଫାନ୍ଦରେ ପକାଇ ଏଭଳି କ୍ଷତିକାରକ କାମ କରିବେ ଯେଉଁଥିରେ ସେମାନେ ତ ନଷ୍ଟ ହେବେ, ଦେଶ ମଧ୍ୟ ନଷ୍ଟ ହେବ। ହିଟଲରର ଜର୍ମାନି, ମୁସୋଲିନିର ଇଟାଲି, ଚାଇଚାସ୍କୋର ରୁମାନିଆ, ସୁହାର୍ତୋର ଇଣ୍ଡୋନେସିଆ ପ୍ରଭୃତି ହେଲେ ଗୋଟିଏ ଗୋଟିଏ ଉଦାହରଣ। ଆଜିର ଦୁନିଆରେ ଫିଲିପିନ୍‌ସ, ଥାଇଲାଣ୍ଡ, ତୁର୍କୀ ପ୍ରମୁଖ ଦୃଷ୍ଟିକୁ ଆସୁଛନ୍ତି।

ଫ୍ରେଡେରିକ୍, ୟୁ.ଏସ୍.ଏ.
[email protected]

 

ସମ୍ବନ୍ଧିତ ଖବର