ଭଗବାନଙ୍କ ବିଚାର
କଥାଟିଏ - ଯାଯାବର
ଗୋଟିଏ ବୁଢ଼ା ଚୋର ମରିଯିବାରୁ ତା’ର ଆତ୍ମାକୁ ଆଣିବାକୁ ଭଗବାନ ଦେବଦୂତଙ୍କୁ ପଠାଇଲେ। ଏହା ଦେଖି ନାରଦ ବିସ୍ମିତ ହୋଇ କହିଲେ- ପ୍ରଭୁ, ଆପଣ ୟେ କି ବିଚାର କଲେ? ସେ ଜଣେ ଚୋର। ନୀତିଶାସ୍ତ୍ର ଅନୁସାରେ ଯିଏ ପରସ୍ବ ଅପହରଣ କରେ ସେ ପ୍ରଥମ ଧାଡ଼ିର ପାପୀ। ଆପଣ ଏଇଭଳି ଆଜନ୍ମ ଚୋରକୁ କାହିଁକି ସ୍ବର୍ଗକୁ ଆଣିବାକୁ ଦୂତ ପଠାଉଛନ୍ତି? କିଛି ଦିନ ତଳେ ଜଣେ ସାଧୁ ମୃତ୍ୟୁବରଣ କଲେ। ଅଥଚ ତାଙ୍କ ଆତ୍ମାକୁ ନେବାକୁ ଯମଦୂତମାନେ ଗଲେ। ଏ ବାବଦରେ ମୋତେ ବୁଝାନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଶୁଣି ଭଗବାନ କହିଲେ- ନାରଦ, ମୋ ପାଖରେ ବସ, ବୁଝେଇ ଦେଉଛି। ଏ ଯେଉଁ ବୁଢ଼ା ଚୋର ମଲା ତା’ର ବାପା ବି ଥିଲା ଜଣେ ଚୋର। ପିଲାଟି ଦିନରୁ ସେ ଦେଖି ଆସିଲା ଯେ ଚୋରି ହିଁ ତାଙ୍କ ପରିବାରକୁ ଚଳାଉଛି। ପିଲାଟି ଦିନରୁ ଚୋରି କରିବା ତା’ ଲାଗି ସ୍ବାଭାବିକ ହୋଇଗଲା। ତାକୁ ଯେତେବେଳେ ଯିଏ ପଚାରୁଥିଲା ଯେ ସେ କ’ଣ କରେ, ସେ ନିର୍ବିବାଦରେ ଓ ବିନା କୌଣସି ସଙ୍କୋଚରେ କହୁଥିଲା ଯେ ସେ ଜଣେ ଚୋର। ଏଇ ନିରୀହତା ହିଁ ତାକୁ ସ୍ବର୍ଗଗାମୀ କଲା। କିନ୍ତୁ ଯେଉଁ ସାଧୁଙ୍କ କଥା ତୁମେ କହୁଛ, ସେ ଜଣେ ସାଧୁ ଭାବେ ମର୍ତ୍ତ୍ୟରେ ଯଥେଷ୍ଟ ସମ୍ମାନ ଓ ଭକ୍ତି ପାଇଥିଲେ। ଜଣେ ସନ୍ଥ ଭାବେ ପରିଚିତ ହେବାକୁ ସେ ଭଲ ପାଉଥିଲେ। କିନ୍ତୁ ଲୋଭ ତ୍ୟାଗ କରିପାରି ନ ଥିବାରୁ ବିଭିନ୍ନ ବାଟେ ନିଜ ଶିଷ୍ୟମାନଙ୍କ ଜରିଆରେ ଲୋକଙ୍କୁ ଠକି ଅର୍ଥ ଉପାର୍ଜନ କରୁଥିଲେ। ତେଣୁ ସେ ଥିଲେ କପଟାଚାରୀ। ତାଙ୍କ ଭଳି କପଟାଚାରୀ ନର୍କକୁ ଯିବାକୁ ବାଧୢ। ସେଥିଲାଗି ତ ବାଘ ମୃଗ ଶିକାର କଲେ ପାପୀ ହୁଏନା, କିନ୍ତୁ ମଣିଷ ମୃଗ ମାରିଲେ ପାପର ଭାଗୀଦାର ହୁଏ।