ନକଲି ନେରୁଦା

ଓଁ ଅଭିଜ୍ଞାନ ସାହୁ

ଜାପାନ ଗୋଟେ ଛୁଞ୍ଚି ବନେଇଲା। ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା। ଭାରତ ତା’ ଉପରେ ‘ମେଡ୍ ଇନ୍ ଇଣ୍ଡିଆ’ ଲେଖି ବିକ୍ରି କଲା। ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ଚମକପ୍ରଦ ରାଜ୍ୟଟି ହେଉଛି ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ। କାରଣ ବର୍ଷ ବର୍ଷ ଧରି ବିଜ୍ଞାନଗାରରେ ଗବେଷଣା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଡାଲଡା ଘିଅ ତିଆରି ହେଲା ତାକୁ ମାତ୍ର ଅଳ୍ପ କେତେ ଟଙ୍କାରେ ଜଗତପୁରର ଦୁଇ ବଖୁରିଆ ଟିଣ ଘରେ ଅବିକଳ ତିଆରି କରିବା ଏଠାରେ ବାଁ ହାତର ଖେଳ। ମାତ୍ର କେଇ ଟଙ୍କା ବିନିଯୋଗ କରି ପାନ ଜର୍ଦାଠାରୁ ଖାଇବା ମସଲା ପର୍ଯ୍ୟନ୍ତ, ହଳଦୀ ଗୁଣ୍ଡ ଠାରୁ ଖାଇବା ତେଲ ପର୍ଯ୍ୟନ୍ତ, ଖାଦ୍ୟ ପଦାର୍ଥ ଠାରୁ ଗୃହକରଣା ଜିନିଷ ପର୍ଯ୍ୟନ୍ତରେ ବଡ଼ ବଡ଼ କମ୍ପାନି ଦ୍ବାରା ତିଆରି ଜିନିଷର ଅବିକଳ ନକଲ କରି ତାକୁ ସୁଲଭ ମୂଲ୍ୟରେ ଯୋଗେଇଦେବା ଆମର ଏ ନିଆରା କଳାକାରମାନଙ୍କ ସୂକ୍ଷ୍ମ କାରିଗରିର ପ୍ରମାଣ।

ଠିକ ସେହିପରି ପୃଥିବୀର ଯେ କୌଣସି କୋଣରେ ଯଦି କେହି ଜଣେ ଓଡ଼ିଆ ପ୍ରସିଦ୍ଧି ପାଆନ୍ତି ତାଙ୍କୁ ତୁରନ୍ତ ଟାଣିଓଟାରି ଆମ ଭିତରକୁ ଭିଡ଼ି ଆଣିବାରେ ଆମେ ଭାରି ଦକ୍ଷ। ଆମ ରାଜ୍ୟରେ ଥିବା ବେଳେ ପଛେ ତାଙ୍କୁ କେହି ବାସି ପଖାଳରେ ନ ପଚାରନ୍ତୁ; କିନ୍ତୁ ଦୈବାତ୍ ବାହାରକୁ ଯାଇ ଯଦି ସେ କିଛି ସମ୍ମାନ ପାଇବାର ଖବର ମିଳେ ତେବେ ସଙ୍ଗେ ସଙ୍ଗେ ସେ କାହାର ଦେଠେଇ ପୁଅ ଭାଇ, କାହାର ଗାଁ ପାଖରେ ତାଙ୍କ ଗାଁ, କିଏ ତାଙ୍କ ସହ ଟିଉସନ ହେଉଥିଲା ଇତ୍ୟାଦି ଇତ୍ୟାଦି ଅନେକ ଗପ ଉତୁରି ପଡ଼େ।

ୟେ’ ତ ଗଲା ବାହାରେ ସମ୍ମାନ ପାଉଥିବା ଓଡ଼ିଆଙ୍କୁ ନିଜ ଆଡ଼କୁ ଭିଡ଼ି ଆଣିବା କଥା। ଏବେ ଗୋଟିଏ ଜାଗାରେ ଜଣେ ଖାଣ୍ଟି ଓଡ଼ିଆ ଆଉ କେଇ ଧାପ ଆଗେଇ ଯିବା ଆମେ ଦେଖିଲୁ। କଥାଟା ଥିଲା ଏମିତି। କରୋନା ଦାଉରୁ ଆମ ନଈକୂଳିଆ ଖଟି ସହ ତ୍ରିଭୁବନର ସବୁ ଭବନରେ ସଭା ସମିତି ବନ୍ଦ ଥିବା ବେଳେ କିଛି ସୂକ୍ଷ୍ମ ବୁଦ୍ଧିଜୀବୀଙ୍କ ମୁଣ୍ଡ ପାଟି ଖଜବଜକୁ ପ୍ରଶମନ କରିବା ପାଇଁ ଗୋଟେ ଅନ୍‌ଲାଇନ୍‌ ସଭାର ଆ‌ୟୋଜନ କରାଗଲା। ସେହି ସଭାରେ ସେଦିନ ଆମେ ବି ଯୋଗ ଦେଇଥିଲୁ। ଫେସ୍‌ବୁକ୍‌ ପ୍ରଚାର ପୋଷ୍ଟରେ ଦୁଇଶହ ଜଣ ‘ଲାଇକ୍‌’ ମାରିଥିବା ସ୍ଥଳେ ସଭା ଆରମ୍ଭରେ ମୋତେ ମିଶେଇ ମୋଟ ଚଉଦ ଜଣ ଥିଲେ। ସଭା ଶେଷକୁ କେବଳ ବକ୍ତା ଓ ଆଡମିନଙ୍କୁ ମିଶେଇ ଗାଏମୋଟ ଦୁଇ ଜଣ ଥିଲେ ବୋଲି କହିବାକୁ ଲାଜ ଲାଗୁଛି। ଅବଶ୍ୟ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ନିଜ ପଇସାରେ କିଣିଥିବା ଡାଟା ଖର୍ଚ୍ଚ କରି ପ୍ରବଚନ ଶୁଣିବା ପାଇଁ ଆଉ କାହାର ଧୈର୍ଯ୍ୟ ନାହିଁ।

ତେବେ ସେ ଦିନର କାର୍ଯ୍ୟକ୍ରମରେ ସ୍ବଳ୍ପ ଦେଖଣାହାରୀ ଥିବା ସତ୍ତ୍ବେ ବକ୍ତା ଏପରି ଭାଷଣ ଦେଇଥିଲେ ଲାଗୁଥିଲା ସତେ ଯେମିତି ଦ୍ବିତୀୟ ମହାଯୁଦ୍ଧ ସମୟରେ ରାଷ୍ଟ୍ର ଉଦ୍ଦେଶ୍ୟ‌େର ଚର୍ଚ୍ଚିଲ ଭାଷଣ ଦେଉଛନ୍ତି। ସେ ଦିନ ସେ ହୃତ ଓଡ଼ିଆ ଅସ୍ମିତା ଉପରେ ଏମିତି ଭାଷଣ ‌େଦଇଥିଲେ‌ ଯେ ତହିଁରେ ଭାଗ ନେଇଥିବା କତିପୟ ଅତ୍ୟନ୍ତ ଆବେଗାପ୍ଳୁତ ହୋଇପଡ଼ିଥିଲେ। ତେବେ, ତହିଁରେ ସେ ଏଭଳି କଥାଟିଏ କହିଥିଲେ ଯାହା କେବଳ ରୋମାଂଚକର ନ ଥିଲା, ତାହା ଗବେଷଣା ସାପେକ୍ଷ ମଧ୍ୟ। ସେ ଦିନ ସେ ନିଜ ବ୍ୟକ୍ତିଗତ ଜୀବନରୁ ଚେନାଏ ଆଣି ସମସ୍ତଙ୍କ ସମକ୍ଷରେ ଥୋଇ କହିଥିଲେ ଯେ ଢେଙ୍କା‌ନାଳର କବି ନାରୁ ପାତ୍ର ଯାହାଙ୍କୁ ସେ ପିଲା ବେ‌ଳେ ନାରୁ ଦା’ ବୋଲି ଡାକୁଥିଲେ, ସଂଯୋଗ କ୍ରମେ ଦକ୍ଷିଣ ଆମେରିକାର ଚିଲି ଦେଶକୁ ଚାଲିଯାଇ ସେଠାରେ ରହିଗଲେ। ସେହି ନାରୁ ଦା’ ପରବର୍ତ୍ତୀ କାଳରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଲେ। ସାରା ଦୁନିଆ ତାଙ୍କୁ ନେରୁଦା ବୋଲି ଡାକିଲା। କିନ୍ତୁ ଦେଖ, ସେ କେବେ ହେଲେ ଥରୁଟିଏ ବି ନିଜକୁ ଓଡ଼ିଆ ବୋଲି ପରିଚୟ ଦେଲେ ନାହିଁ। ଏହା ଠାରୁ ବଳି ଦୁଃଖର ବିଷୟ ଆଉ କ’ଣ ଅଛି? କହିବା ବାହୁଲ୍ୟ ଯେ ତାଙ୍କ ଭାଷଣ ସରିବା ବେଳକୁ ତାହା ଶୁଣି ମର୍ମାହତ ହୋଇଥିବା କତିପୟ ନାରୁ ଦା’ ଓରଫ ନେରୁଦାଙ୍କ ଚଉଦ ପୁରୁଷ ଉଝାଳି ପକାଇଥିଲେ। ‌େସମାନଙ୍କ ଭିତରୁ ଜଣେ ତାଙ୍କ ମନ୍ତବ୍ୟରେ ଲେଖିଥିଲେ- ‘ନକଲି ନେରୁଦା’।

ଏବେ ନକଲି ଜିନିଷର କାରଖାନାମାନ ଠାବ ହେଲା ବେଳକୁ ମୋର ନକଲି ନେରୁଦା କଥା ମନେ ପଡ଼ିଗଲା। ନେରୁଦା ନକଲି ନା ଭାଷଣକାରୀ ନକଲି ସେହି ପ୍ରଶ୍ନ ମୋତେ ଉଦ୍‌ବେଳିତ କଲା। ଭାବିଲି ଯେଉଁଭଳି ଭାବେ ଘଟଣା ସବୁ ଘଟୁଛି, ‘ନକଲି’ ଆମର ଏକ ପରିଚୟ ହୋଇ ରହି ଯିବନି ତ?

ମୋ: ୯୪୩୭୦୧୦୭୫୮
[email protected]

ସମ୍ବନ୍ଧିତ ଖବର