କୋଭିଡ ଭ୍ୟାକସିନ-ଅର୍ଥନୀତି ଓ କୂଟନୀତି

ବଜାର ହାଲଚାଲ - ଓମ୍‌ ପ୍ରକାଶ ଜଗତି

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗର କଥା। ତେରବର୍ଷର ଅନାଥ ପିଲାଟିଏ ଏଡ୍‌ଵାର୍ଡ। ଇ˚ଲଣ୍ତର ଜଣେ ସର୍ଜନଙ୍କ ପାଖରେ ଆପ୍ରେଣ୍ଟିସ୍‌ ଭାବରେ କାମ କରୁଥିଲା। ସେ ସମୟରେ ଭାରିଓଲା ଭୂତାଣୁ ଯୋଗୁଁ ବସନ୍ତ ରୋଗର ପ୍ରାଦୁର୍ଭାବ ବିଶ୍ବବ୍ୟାପୀ ଲାଗି ରହିଥାଏ। ପ୍ରାୟ ଦଶ ଜଣ ଆକ୍ରାନ୍ତଙ୍କ ମଧୢରୁ ତିନିଜଣଙ୍କ ପ୍ରାଣହାନି ହେଉଥିଲା। ଲିଖିତ ତଥ୍ୟାନୁସାରେ ଚତୁର୍ଥ ଶତାବ୍ଦୀରୁ ଏହି ରୋଗର ସ˚କ୍ରମଣ ଆରମ୍ଭ ହୋଇଥିବାର ବିଶ୍ବାସ କରାଯାଉଥିଲେ ହେଁ ଦୀର୍ଘ ଦିନ ଧରି ଏଥିପାଇଁ କୌଣସି ଟିକା ଉପଲବ୍‌ଧ ନ ଥିଲା। ସେ ସମୟରେ ୟୁରୋପରେ ଗୋରୁମାନଙ୍କ ଠାରେ ସୃଷ୍ଟି ହେଉଥିବା ଏକ ଭୂତାଣୁ ଯୋଗୁଁ କାଓପକ୍‌ସ ନାମକ ଏକ ସ˚କ୍ରାମକ ରୋଗ ହେଉଥିଲା। ଏହି ରୋଗ ସାଧାରଣତଃ ଗୋରୁଗାଈଙ୍କ ପ୍ରତ୍ୟକ୍ଷ ସ˚ସ୍ପର୍ଶରେ ଆସୁଥିବା ଗଉଡ଼ ଗଉଡୁଣୀଙ୍କୁ ହେଉଥିଲା। ଏହି ରୋଗ କିନ୍ତୁ ବସନ୍ତ ରୋଗ ଭଳି ମାରାତ୍ମକ ନ ଥିଲା। ଏଡ୍‌ଵାର୍ଡର ଘର ପାଖରେ ଗୋଟିଏ ଗଉଡୁଣୀ ରହୁଥିଲା, ଯାହାକୁ ଅତୀତରେ କାଓପକ୍‌ସ ରୋଗ ହୋଇଥିଲା। କାଓପକ୍‌ସ ରୋଗ ହୋଇସାରିଥିବାରୁ ଭବିଷ୍ୟତ୍‌ରେ ତାକୁ ବସନ୍ତ ହେବ ନାହିଁ ବୋଲି ଗଉଡୁଣୀର ଦମ୍ଭୋକ୍ତି ବାଳକ ଏଡ୍‌ଵାର୍ଡ ଅନେକ ଥର ଶୁଣିଥିଲା। ନିଜର ଅଦମ୍ୟ ଆଗ୍ରହ ଓ ପ୍ରଚେଷ୍ଟା ବଳରେ ଏହି ବାଳକ କିଛିବର୍ଷ ପରେ ଏକ ଖ୍ୟାତନାମା ଚିକିତ୍ସକ ହୋଇପାରିଥିଲା। ଏହି ଚିକିତ୍ସକ ହେଉଛନ୍ତି କି˚ବଦନ୍ତି ପୁରୁଷ ଡକ୍ଟର ଏଡ୍‌ଵାର୍ଡ ଜେନର। ଭୟାବହ ବସନ୍ତ ରୋଗ ପାଇଁ ଟିକା ପ୍ରସ୍ତୁତ କରିବା ପାଇଁ ତାଙ୍କର ଆଗ୍ରହ ଥିଲା। ପିଲାଦିନେ ଶୁଣିଥିବା ଗଉଡୁଣୀର ଦମ୍ଭୋକ୍ତି ସେ ଭୁଲି ନ ଥିଲେ। ଥରେ ପରୀକ୍ଷାମୂଳକ ଭାବରେ ସେ କାଓପକ୍‌ସ ରୋଗରେ ଆକ୍ରାନ୍ତ ସାରା ନେଲ୍‌ମେସ୍‌ ନାମକ ଗଉଡୁଣୀର ଘା’ରୁ ଲସା ଆଣି ନିଜ ଘରେ କାମ କରୁଥିବା ମାଳୀର ନଅ ବର୍ଷର ପୁଅ ଫିଲିପ୍‌ସ ହାତରେ ଟିକା ଦେଇଥିଲେ। ପରେ ଫିଲିପ୍‌ସକୁ ବସନ୍ତ ରୋଗରେ ପୀଡ଼ିତ ରୋଗୀଙ୍କ ସ˚ସ୍ପର୍ଶରେ ଅନେକ ଥର ଆଣିଥିଲେ, କିନ୍ତୁ ତାକୁ ବସନ୍ତ ରୋଗ ହୋଇନଥିଲା। ନିଜ ପରୀକ୍ଷା ସଫଳ ହୋଇଛି ବୋଲି ହୃଦ୍‌ବୋଧ ହେଲା ପରେ ସେ ୧୭୯୬ ମସିହାରେ ବସନ୍ତ ରୋଗର ଟିକା ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ। ଗୋରୁଗାଈଙ୍କୁ ସ˚କ୍ରମଣ କରୁଥିବା ଭୂତାଣୁରୁ ଏହା ପ୍ରସ୍ତୁତ ହୋଇଥିବାରୁ ଏହାର ନାମ ଓଡ଼ିଆରେ ଗୋବୀଜ ଟିକା ରଖାଯାଇଥିଲା। ୧୭୯୬ ମସିହାକୁ ଚିକିତ୍ସା ଶାସ୍ତ୍ର କ୍ଷେତ୍ରରେ ଅତି ସ୍ମରଣୀୟ ବର୍ଷ ବୋଲି ଧରାଯାଇଥାଏ। ଗତ ଦୁଇ ଶହ ପଚିଶ ବର୍ଷ ମଧୢରେ ଆହୁରି କେତେକ ରୋଗ ପ୍ରତିରୋଧ ପାଇଁ ଟିକା ପ୍ରସ୍ତୁତ ହୋଇଥିଲେ ହେଁ ଗୋବୀଜ ଟିକା ଭଳି ସ୍ମରଣୀୟ ହୋଇପାରିନାହିଁ।

ନିକଟରେ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକ୍‌ସିନ୍‌ (ଟିକା) ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଓ ସ୍ମରଣୀୟ ଘଟଣା ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ଯୋଗୁଁ ବିଶ୍ବରେ ନଅକୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବ˚ ପ୍ରାୟ କୋଡ଼ିଏ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତରେ ଏକ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ଦେଢ଼ ଲକ୍ଷରୁ ଅଧିକଙ୍କ ପ୍ରାଣହାନି ହୋଇଛି। ଏହି ପରିପ୍ରେକ୍ଷୀରେ କରୋନା ଭ୍ୟାକ୍‌ସିନ୍‌ ମାନବ ସମାଜ ପାଇଁ ଆଶା ଓ ଆଶ୍ବାସନା ଆଣିଛି। ଯଦିଓ ସମ୍ପୂର୍ଣ୍ଣ ପ୍ରଭାବ ପରୀକ୍ଷିତ ହେବା ପାଇଁ ଆଉ କିଛି ସମୟ ଲାଗିପାରେ, ଲୋକଙ୍କ ବିଶ୍ବାସ ସାମାଜିକ ଦୂରତାର ଅସ୍ବାଭାବିକ ନୀତି ନିୟମ କ୍ରମଶଃ ଉଠିଯିବ ଓ ଜୀବନଯାତ୍ରା ପୁଣି ଥରେ ସ୍ବାଭାବିକ ହୋଇଯିବ। ତଳିତଳାନ୍ତ ହୋଇଥିବା ଅର୍ଥନୀତି ପାଇଁ ଆସ୍ଥା ସୃଷ୍ଟି ହୋଇଛି। ଭାରତରେ ଗତ ଜାନୁଆରି ଷୋହଳ ତାରିଖରୁ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କରୋନା ଭ୍ୟାକ୍‌ସିନ୍‌ର ଅର୍ଥନୀତି ଓ କୂଟନୀତି ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋଚନା ପ୍ରାସଙ୍ଗିକ ମନେହୁଏ।

ବ୍ୟାବସାୟିକ ତଥ୍ୟ ରିସର୍ଚ୍ଚ ସ˚ସ୍ଥା ଫର୍ଚୁନ ବିଜିନେସ ଇନ୍‌ସାଇଟ୍‌ସ ପକ୍ଷରୁ ପ୍ରକାଶିତ ତଥ୍ୟାନୁସାରେ ୨୦୧୯ ମସିହାରେ ବିଶ୍ବବ୍ୟାପୀ ଭ୍ୟାକ୍‌ସିନ ମାର୍କେଟର ଆକାର ୪୭ ବିଲିୟନ ଡଲାର ଥିଲା। ସ˚ପ୍ରତି କୋଭିଡ୍‌ ଭ୍ୟାକ୍‌ସିନ୍‌ର ଚାହିଦା ପରିପ୍ରେକ୍ଷୀରେ ଭ୍ୟାକ୍‌ସିନ ମାର୍କେଟର ଆକାର ୨୦୨୭ ମସିହା ସୁଦ୍ଧା ୧୦୫ ବିଲିୟନ ଡଲାର ହେବାର ଆକଳନ କରାଯାଇଛି। ଏହାର ବାର୍ଷିକ ବିକାଶ ହାର ପ୍ରାୟ ଏଗାର ପ୍ରତିଶତ ହେବ। ଏକ ବିଲିୟନ ଡଲାରକୁ ସା˚ପ୍ରତିକ ମୁଦ୍ରା ବିନିମୟ ହାର ଭିତ୍ତିରେ ହିସାବ କଲେ ତାହା ପ୍ରାୟ ୭୪୦୦ କୋଟି ଟଙ୍କା ବୋଲି ଧରାଯାଇପାରେ। ବିଶ୍ବବ୍ୟାପୀ ମୋଟ ଭ୍ୟାକ୍‌ସିନ୍‌ ଉତ୍ପାଦନର ଷାଠିଏ ପ୍ରତିଶତ ଭାରତରେ ହିଁ ହୋଇଥାଏ। ଭାରତର ଭ୍ୟାକ୍‌ସିନ୍‌ ମାର୍କେଟ ଆକାର ଆଗାମୀ ପାଞ୍ଚ ବର୍ଷ ମଧୢରେ ଅଠର ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୫ ମସିହା ସୁଦ୍ଧା ପଚିଶ ହଜାର କୋଟି ଟଙ୍କାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। କୋଭିଡ୍‌ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବାରେ ସ˚ଶ୍ଳିଷ୍ଟ ବିଶ୍ବର ପ୍ରମୁଖ ବାରଟି କମ୍ପାନି ମଧୢରୁ ଭାରତରେ ତିନିଟି କମ୍ପାନି ଅଛନ୍ତି, ଯଥା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଭାରତ ବାୟୋଟେକ୍‌ ଓ ଜାଇଡସ୍‌-କାଡ଼ିଲା। ଇତି ମଧୢରେ କେନ୍ଦ୍ର ସରକାର ପ୍ରଥମ ଦୁଇଟି କମ୍ପାନିକୁ କୋଭିଡ ଟିକା ଯୋଗାଇବା ପାଇଁ ଅନୁମତି ଦେଇଛନ୍ତି। ପୁନେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇ˚ଲଣ୍ତର ଅକ୍‌ସଫୋର୍ଡ ଓ ଆଷ୍ଟ୍ରାଜେନିକା ମିଳିତ ଉଦ୍ୟମରେ ପ୍ରସ୍ତୁତ ଜୈବିକ ସୂତ୍ର ଭିତ୍ତିରେ ଭାରତରେ କୋଭିସିଲ୍‌ଡ ଟିକା ଉତ୍ପାଦନ କରୁଥିଲା ବେଳେ ହାଇଦ୍ରାବାଦର ଭାରତ ବାୟୋଟେକ୍‌ ସ˚ପୂର୍ଣ୍ଣ ସ୍ବଦେଶୀ ଜୈବିକ ସୂତ୍ର ଭିତ୍ତିରେ କୋଭାକ୍‌ସିନ୍‌ ଟିକା ଉତ୍ପାଦନ କରୁଛି। ଅହମଦାବାଦସ୍ଥିତ ଜାଇଡସ୍‌-କାଡିଲା କମ୍ପାନି ଦ୍ବାରା ସ୍ବଦେଶୀ ଜୈବିକ ସୂତ୍ର ଭିତ୍ତିରେ ପ୍ରସ୍ତୁତ ହେବାକୁ ଥିବା ଟିକା ଆଉ କିଛିଦିନ ପରେ ସରକାରୀ ଅନୁମତି ପାଇଲା ପରେ ବଜାରକୁ ଆସିବାର ସମ୍ଭାବନା ଅଛି। ଭାରତର ଅନ୍ୟତମ ନାମକରା ଫାର୍ମା କମ୍ପାନି ଡକ୍ଟର ରେଡିସ୍‌ ଲ୍ୟାବ୍‌ ରୁଷୀୟ ରିସର୍ଚ୍ଚ ଅନୁଷ୍ଠାନ ଗାମାଲେୟର ଜୈବିକ ସୂତ୍ରରେ ପ୍ରସ୍ତୁତ ସ୍ପୁଟ୍‌ନିକ୍‌ ଟିକା ଭାରତରେ ଉତ୍ପାଦନ କରିବା ପ୍ରୟାସ କରୁଛି।

କୋଭିଡ୍‌ ଟିକାକରଣ ଯେ କେବଳ ମାନବ ଜୀବନ ପାଇଁ ଏକ ରକ୍ଷାକବଚ ଭଳି କାମ କରିବ ତାହା ନୁହେଁ, ବର˚ ଏହାଦ୍ବାରା ଦେଶର ଅର୍ଥନୀତି ସମୃଦ୍ଧ ହେବା ସହିତ ଅନ୍ତର୍ଜାତୀୟ କୂଟନୀତିରେ ଭାରତର ଭୂମିକା ପ୍ରଭାବଶାଳୀ ହେବାର ସମ୍ଭାବନା ଅଛି। ଏହି ମହାମାରୀକୁ ସ˚ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ହେଲେ ବିଶ୍ବର ମୋଟ ଲୋକସ˚ଖ୍ୟାର ଅନ୍ତତଃ ସତୁରି ପ୍ରତିଶତଙ୍କୁ ଟିକା ଦେବା ଉଚିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅର୍ଥାତ୍‌ ୫୫୦ କୋଟି ଲୋକଙ୍କୁ ଟିକା ଦେବାକୁ ପଡ଼ିବ। କୋଭିଡ୍‌ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଅଳ୍ପ କେତୋଟି ଦେଶ ମଧୢରୁ ଭାରତ ଅନ୍ୟତମ। ଦ୍ବିତୀୟରେ ଫାଇଜର, ମଡର୍ନା ଭଳି କମ୍ପାନି ଦ୍ବାରା ପ୍ରସ୍ତୁତ ଟିକାର ଦାମ୍‌ ଦେଢ଼ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥିଲା ବେଳେ ଭାରତରେ ଉତ୍ପାଦିତ ଟିକାର ଦାମ ଅପେକ୍ଷାକୃତ ବହୁତ କମ୍‌। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଦଶ କୋଟି କୋଭିସିଲ୍‌ଡ ଟିକା ସରକାରଙ୍କୁ ମାତ୍ର ଦୁଇଶହ ଟଙ୍କା ହାରରେ ଯୋଗାଇବ ଓ ପରବର୍ତ୍ତୀ ସମୟରେ ଘରୋଇ ମାର୍କେଟ ପାଇଁ ଟିକାର ଦାମ୍‌ ଏକ ହଜାର ଟଙ୍କା ହେବ। ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିତ କୋଭାକ୍‌ସିନ୍‌ ଟିକାର ମୂଲ୍ୟ ପ୍ରାୟ ତିନିଶହ ଟଙ୍କା ହେବ। ତୃତୀୟରେ ଫାଇଜର ମଡର୍ନା ଭଳି କମ୍ପାନି ଦ୍ବାରା ଉତ୍ପାଦିତ ଟିକା ପାଇଁ ଅତ୍ୟନ୍ତ ଥଣ୍ତା ପରିବେଶରେ ଭଣ୍ତାରଣ ବ୍ୟବସ୍ଥାର ଆବଶ୍ୟକ ଥିଲା ବେଳେ ଭାରତରେ ପ୍ରସ୍ତୁତ ଟିକାକୁ ଦୁଇରୁ ଆଠ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରା ମଧୢରେ ରଖି ହେବ। ତେଣୁ ଭାରତୀୟ କମ୍ପାନିମାନଙ୍କ ଦ୍ବାରା ପ୍ରସ୍ତୁତ କୋଭିଡ ଟିକାର ପ୍ରଭାବ ଓ ବିଶ୍ବସନୀୟତା ପ୍ରମାଣିତ ହୋଇଗଲେ ଏସିଆ, ଦକ୍ଷିଣ ଆମେରିକା ତଥା ଆଫ୍ରିକାର ଅନେକ ରାଷ୍ଟ୍ରଙ୍କୁ ଟିକା ରପ୍ତାନି କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ, ଯାହା ପ୍ରକାରାନ୍ତେ କୂଟନୀତି କ୍ଷେତ୍ରରେ ଭାରତକୁ ସକାରାତ୍ମକ ମର୍ଯ୍ୟାଦା ଦେବ। ରୁଷୀୟ ଜୈବିକ ସୂତ୍ରରେ ପ୍ରସ୍ତୁତ ସ୍ପୁଟ୍‌ନିକ୍‌ ଟିକାକୁ ଭାରତରେ ଉତ୍ପାଦନ କରିବା ନିଷ୍ପତ୍ତି ଦୁଇ ଦେଶ ମଧୢରେ କୂଟନୀତିକୁ ସୁଦୃଢ଼ କରିପାରେ।

ଅଳ୍ପ ସମୟ ମଧୢରେ କୋଭିଡ ଟିକା ପ୍ରସ୍ତୁତ କରି ଯୁକ୍ତିଯୁକ୍ତ କ୍ରମରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଟିକାକରଣ କ୍ଷେତ୍ରରେ ଥିବା କେତୋଟି ମୌଳିକ ସମସ୍ୟା ପ୍ରତି ନଜର ଦେବାକୁ ପଡ଼ିବ। ଟିକା ରହୁଥିବା ବୋତଲଗୁଡ଼ିକୁ ଗଚ୍ଛିତ ରଖିବା ପାଇଁ ଶୀତଳଭଣ୍ତାରର ଅଭାବ ରହିଛି। ଦୂର ଦୂରାନ୍ତର ଗ୍ରାମାଞ୍ଚଳକୁ ଟିକା ବୋତଲଗୁଡ଼ିକୁ ସୁରକ୍ଷିତ ଭାବରେ ପରିବହନ କରିବା ସହିତ ଉପଯୁକ୍ତ ଭଣ୍ତାରଣ ବ୍ୟବସ୍ଥା ପ୍ରତି ଜରୁରୀକାଳୀନ ଭିତ୍ତିରେ ନଜର ଦେବାକୁ ପଡ଼ିବ। ଗ୍ରାମାଞ୍ଚଳରେ ଟିକାକରଣ କ୍ଷେତ୍ରରେ ଦକ୍ଷ ଡାକ୍ତରଙ୍କ ତତ୍ତ୍ବାବଧାନରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ପାରାମେଡିକାଲ ଷ୍ଟାଫ୍‌ଙ୍କ ଉପସ୍ଥିତି ପ୍ରତି ଧୢାନ ଦେବାକୁ ପଡ଼ିବ। ଚାହିଦା ତୁଳନାରେ ଯୋଗାଣ ନିଅଣ୍ଟିଆ ହେଲେ ଖଳ ବ୍ୟକ୍ତିଙ୍କ ଦ୍ବାରା ଅପମିଶ୍ରଣ ତଥା ଚୋରା କାରବାର ଉଦ୍ୟମ ହୋଇଥାଏ। ପ୍ରଶାସନ ଏଥିପାଇଁ ମୂଳରୁ ଦୃଢ଼ ବ୍ୟବସ୍ଥା ଗ୍ରହଣ ନ କଲେ ହୁଏତ ଭବିଷ୍ୟତ୍‌ରେ ଅଘଟଣର ସମ୍ଭାବନା ରହିବ।

ଜରୁରୀକାଳୀନ ଭିତ୍ତିରେ କୋଭିଡ୍‌ ଟିକାର ବିକାଶ ଓ ଉତ୍ପାଦନ ହୋଇଥିବାରୁ ଟିକାଜନିତ କୌଣସି ପ୍ରତିକୂଳ ପ୍ରତିକ୍ରିୟା ପାଇଁ ଟିକା ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଅବ୍ୟାହତି ଦେବା ପାଇଁ (ଇନ୍‌ଡେମ୍‌ନିଟି) ଅନୁରୋଧକୁ ଆମେରିକା, ଇ˚ଲଣ୍ତ ଭଳି ଦେଶମାନେ ଗ୍ରହଣ କରିଥିଲା ବେଳେ ଭାରତ ସରକାର ଏହା ଗ୍ରହଣ କରିନାହାନ୍ତି। ଟିକାକରଣ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ବୈଷୟିକ କମିଟିର ପରାମର୍ଶ ତଥା ଡ୍ରଗ୍‌୍‌ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ତିଆଙ୍କ (ଡିସିଜିଆଇ) ମଞ୍ଜୁରି କ୍ରମେ ଆରମ୍ଭ ହୋଇଛି। ତେଣୁ କେନ୍ଦ୍ର ସରକାର ନିଜେ ମଧୢ ଏଥିପାଇଁ ଉତ୍ତରଦାୟିତ୍ବ ଗ୍ରହଣ କରିବା ଉଚିତ। ବର˚ ଟିକାକରଣ ପ୍ରକ୍ରିୟାରେ ସ୍ଥାନୀୟ ନେତାମାନେ ଜନସାଧାରଣଙ୍କ ସହିତ ମିଶି ଟିକା ନେଲେ, ଲୋକମାନଙ୍କ ଆତ୍ମବିଶ୍ବାସ ବଢ଼ିବା ସହିତ ଏହି ପ୍ରକ୍ରିୟାରେ ସ˚ଶ୍ଳିଷ୍ଟ ଅଧିକାରୀମାନେ ଅଧିକ ସଜାଗ ରହିବେ।

କୋଭିଡ୍‌ ଟିକାକରଣ ପ୍ରକ୍ରିୟାର ପ୍ରଭାବଶାଳୀ ସ˚ପ୍ରସାରଣ ହେଲେ, ଟିକା ନିର୍ମାଣକାରୀ କମ୍ପାନିମାନଙ୍କ ବ୍ୟତୀତ ସିରିଞ୍ଜ ନିର୍ମାଣ, ସ୍ବତନ୍ତ୍ର ପରିବହନ ଏବ˚ ଭଣ୍ତାରଣ ବ୍ୟବସ୍ଥା ସହିତ ସ˚ଶ୍ଳିଷ୍ଟ ସ˚ସ୍ଥାମାନେ ମଧୢ ଲାଭବାନ ହେବେ। ନିକଟରେ ‘ସମ୍ବାଦ’ ଅନୁଷ୍ଠାନ ତରଫରୁ ଭୁବନେଶ୍ବରସ୍ଥିତ ନୋବେଲ ଫାର୍ମାକେୟାର କମ୍ପାନିର ପ୍ରତିଷ୍ଠାତା ସୁବ୍ରତ ଗରାବଡୁଙ୍କୁ ବିଜିନେସ୍‌ ଏକ୍‌ସିଲେନ୍‌ସ ଆଵାର୍ଡ ମିଳିଥିଲା। ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ କୋଭିଡ୍‌ ଟିକାକରଣ କ୍ଷେତ୍ରରେ ତାଙ୍କ କମ୍ପାନିର ଭୂମିକା ସମ୍ପର୍କରେ ଜିଜ୍ଞାସା କରିଥିଲି। ଦେଶରେ ଅଟୋ ଡିସେବଲ୍‌ ଡିସ୍‌ପୋଜେବଲ୍‌ ସିରିଞ୍ଜ ନିର୍ମାଣ କରୁଥିବା ମାତ୍ର ଚାରିଟି କମ୍ପାନି ମଧୢରୁ ନୋବେଲ ଫାର୍ମାକେୟାର ଅନ୍ୟତମ। ସୁବ୍ରତ ବାବୁ କହିଥିଲେ ଯେ ଟିକାକରଣ ପାଇଁ ଆବଶ୍ୟକ କ୍ଷୁଦ୍ର ସିରିଞ୍ଜ (ଶୂନ ଦଶମିକ ପାଞ୍ଚ ମିଲିଲିଟର) ନିର୍ମାଣ ପାଇଁ ତାଙ୍କ କମ୍ପାନି ସ˚ପୂର୍ଣ୍ଣ ଭାବରେ ପ୍ରସ୍ତୁତ। ଡିସିଜିଆଇଙ୍କ ମଞ୍ଜୁରି ମିଳିଲା ପରେ ବ୍ୟାବସାୟିକ ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍‌ ଫର‌୍‌ ଲୋକାଲ୍‌’ ଆହ୍ବାନକୁ ସାକାର କରିବା ପାଇଁ ଉଚ୍ଚ ଗୁଣବତ୍ତା ସହିତ ସିରିଞ୍ଜ ନିର୍ମାଣ କରୁଥିବା ନୋବେଲ ଫାର୍ମାକେୟାର ଭଳି ସ୍ଥାନୀୟ କମ୍ପାନିକୁ ସରକାର ଓ ପ୍ରଶାସନ ପକ୍ଷରୁ ଅଗ୍ରାଧିକାର ଦିଆଯିବା ଉଚିତ।

ଶେଷରେ କୋଭିଡ୍‌ ଟିକାକରଣ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟାରେ ସବୁ ରାଜନୈତିକ ଦଳମାନେ ଦଳୀୟ ସ୍ବାର୍ଥ ପରିତ୍ୟାଗ କରି ଏହାର ଉପଯୁକ୍ତ କାର୍ଯ୍ୟକାରିତା ପ୍ରତି ପ୍ରୟାସ କଲେ ଦେଶ ଓ ଦେଶବାସୀ ଉପକୃତ ହେବେ।

ମୋ-୯୮୮୬୨୧୧୭୭୨
opjagati @ gmail.com

ସମ୍ବନ୍ଧିତ ଖବର