ଶେଷରେ ତାହା ମିଳିଲା, ଯେଉଁଥିପାଇଁ ଗତ ସାତ ବର୍ଷ ହେଲା ଉଦ୍ୟମ ଚାଲିଥିଲା- ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ, ସର୍ବୋଚ୍ଚ ଅଦାଲତ, ରାଷ୍ଟ୍ରପତି ଆଦି ଜଟିଳ ପ୍ରକ୍ରିୟା ଦେଇ ଗତି କରି, ନିର୍ଭୟା ଶେଷରେ ତାହା ପାଇଲେ, କ୍ରମଶଃ ମୃତ୍ୟୁର ନିକଟବର୍ତ୍ତୀ ହେଉଥିବା ବେଳେ ଯାହା ପାଇବା ନିମନ୍ତେ ସେ ବାରମ୍ବାର କାତରତାର ସହ ଦାବି କରିଥିଲେ। ୧୬ ଡିସେମ୍ବର‌୍‌ ୨୦୧୨ରେ ଏକ ଚଳନ୍ତା ବସ୍‌ରେ ତେଇଶ ବର୍ଷ ବୟସ୍କା ସେହି ଝିଅଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ବର୍ବରତାର ସହ ଛଅ ଜଣ ଯୁବକ ବଳାତ୍କାର କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଅକଥନୀୟ ପୀଡ଼ା ଓ ଯନ୍ତ୍ରଣା ଭୋଗିଥିଲେ। ମୃତ୍ୟୁ ସହ ସ˚ଗ୍ରାମର ତାଙ୍କର ସେହି ତେର ଦିନର ଭୟଙ୍କର କାହାଣୀ ସ୍ବାଧୀନ ଭାରତର ଇତିହାସର ସବୁଠାରୁ ଲଜ୍ଜାଜନକ ଅଧ୍ୟାୟ ଭିତରେ ଲିପିବଦ୍ଧ ହୋଇ ରହିବ। ଏବେ ସେହି ଛଅ ଅପରାଧୀଙ୍କ ମଧ୍ୟରୁ ପାଞ୍ଚ ଜଣ ଆଉ ଜୀବିତ ନାହାନ୍ତି ଏବ˚ ନିର୍ଭୟା ମଧ୍ୟ ନାହାନ୍ତି।

Advertisment

ଏବେ ଆମେ ଦେଖିବା କିଏ, କ’ଣ ପାଇଲା ଏବ˚ କିଏ, କ’ଣ ହରାଇଲା! ନିର୍ଭୟାଙ୍କ ପିତା-ମାତା ନିଜ ଝିଅକୁ ହରାଇଲେ ବା ଏ ଭଳି ଆଘାତ ପାଇଲେ, ଯାହା ଏହି ଫାଶୀ ପରେ ବି ସେମାନଙ୍କୁ ପୀଡ଼ା ଦେଇ ଚାଲିବ। କେବଳ ଏତିକି ସନ୍ତୋଷ ଯେ ସେମାନେ ନିଜ କନ୍ୟାର ହତ୍ୟାକାରୀଙ୍କ ଉପରେ ସେହି ପ୍ରତିଶୋଧ ନେଲେ, ଯାହା ତାଙ୍କ କନ୍ୟା ମୃତ୍ୟୁ-ଶଯ୍ୟାରେ ଦାବି କରିଥିଲେ। ଏଣେ ମୁଁ ଭାବୁୁଛି ସେହି ପାଞ୍ଚ ଜଣ ହତ୍ୟାକାରୀଙ୍କ ପରିବାରବର୍ଗଙ୍କୁ କୌଣସି ଅପରାଧବୋଧ ହେଲା କି ନାହିଁ? ସେମାନଙ୍କ ପିଲାମାନେ କେତେ ଜଘନ୍ୟ ଅପରାଧ ଘଟାଇଥିଲେ, ସେମାନେ ବୁଝିଲେ କି? ସେମାନଙ୍କୁ ଯେ ଆମ ନ୍ୟାୟ ବ୍ୟବସ୍ଥା ଉଚିତ ଦଣ୍ତ ଦେଲା, ସେମାନେ ତାହା ବୁଝିପାରିଲେ କି? ବୋଧହୁଏ ହଁ; ବୋଧହୁଏ ନା! କ’ଣ ଆଇନକୁ ପେସା କରିଥିବା ଲୋକେ ଏହା ବୁଝିଲେ କି ଆଇନର ବିଭିନ୍ନ ଚାଲ ଓ ଗଳା-ବାଟ ଭିନ୍ନ ସ୍ଥାନରେ; ଏବ˚ ଏଭଳି ମାମଲାଗୁଡ଼ିକରେ ସାମାଜିକ ନୈତିକତାର ମୂଲ୍ୟବୋଧ ସବୁଠାରୁ ମହତ୍ତ୍ବପୂର୍ଣ୍ଣ? ଏହି ଅପରାଧୀମାନଙ୍କୁ ରକ୍ଷା କରିବା ପାଇଁ ଯେଉଁ ଉଦ୍ୟମ କରାଗଲା, ତାହା ଦ୍ବାରା ଏହି ପେସା କଳଙ୍କିତ ହେଲା ବୋଲି ସେମାନେ ବୁଝିଲେ କି? ସମ୍ବିଧାନରେ ଜଣଙ୍କର ଜୀବନ ରକ୍ଷା କରିବା ପାଇଁ ଯେଉଁସବୁ ବ୍ୟବସ୍ଥା କରାଯାଇଛି, ସେସବୁ ପରୀକ୍ଷା କରିବାର ଅଧିକାର ଅପରାଧୀକୁ ଦିଆଯାଇଛି ଏବ˚ ଓକିଲମାନଙ୍କୁ ମଧ୍ୟ। କିନ୍ତୁ, ସେମାନଙ୍କ କୋଟ୍‌ର କଳା ରଙ୍ଗ ମନକୁ କଳୁଷିତ କରିବା ଏହି ପେସା ପାଇଁ ଲଜ୍ଜାଜନକ।

ଆଜି ମୋ ହାତରେ ଥିବା ଯେଉଁ ସମ୍ବାଦପତ୍ରରେ ଫାଶୀ ଖବର ବାହାରିଛି, ସେଥିରେ ଦେଖୁଛି ଅତି କମ୍‌ରେ ଦଶଟି ବଳାତ୍କାର ଖବର ଅଛି। ଯେଉଁ ଖବର ଆସିନାହିଁ, ସେହି ବାବଦରେ କିଏ ଜାଣେ! ଏହିସବୁ ଖବରରେ କୌଣସି ନା କୌଣସି ନିର୍ଭୟା ମରିଛନ୍ତି; ବା ଜୀବିତାବସ୍ଥାରେ ପ୍ରତି ଦିନ ମରୁଛନ୍ତି। ୧୬ ଡିସେମ୍ବର‌୍‌ ୨୦୧୨ରୁ ଯଦି ଆଜି ପର୍ଯ୍ୟନ୍ତ ଖୋଜିବା; କେଉଁଠି, କେତେ ନିର୍ଭୟା ମରିଛନ୍ତି ବା ମରୁଛନ୍ତି, ତାହାର ଠିକ୍‌ ସଂଖ୍ୟା ପାଇବାନାହିଁ। କ’ଣ ଏହି ଫାଶୀର କୌଣସି ପ୍ରଭାବ କାହା ଉପରେ ପଡ଼ିଲା? ନା ପଡ଼ିବ? ଏହାର କୌଣସି ଉତ୍ତର କାହା ପାଖରେ ନାହିଁ। ତାହା ହେଲେ କ’ଣ ଏହି କାରଣରୁ ପ୍ରଥମ ନିର୍ଭୟାଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଆଯିବା ଠିକ୍‌ ନୁହେଁ? ନା, ମୁଁ ଏହା କହୁନାହିଁ। ମୃତ୍ୟୁଦଣ୍ତ ସ୍ବୟ˚ ତ୍ରୁଟିପୂର୍ଣ୍ଣ, ଅର୍ଥହୀନ ଓ ବନ୍ଧ୍ୟା- ଏହାକୁ ଗ୍ରହଣ କରୁଥିବା ମୋ ଭଳି ଯେଉଁମାନେ ଅଛନ୍ତି, ଆମ ସମ୍ବିଧାନରେ ଫାଶୀର ବ୍ୟବସ୍ଥା ଥିବା ବିଷୟ ସେ ସମସ୍ତଙ୍କୁ ଜଣା। ଭଲ ଭାବେ ବିଚାର ଓ ବିଶ୍ଳେଷଣ କରି କାହାକୁ ମୃତ୍ୟୁଦଣ୍ତ ଦିଆଯିବ, ତାହା ନ୍ୟାୟପାଳିକା ସ୍ଥିର କରିଥାଏ ଏବ˚ ଯାହାକୁ ମୃତ୍ୟୁଦଣ୍ତ ଦିଆଯାଏ, ସେ ଫାଶୀ ପାଏ। ତେଣୁ, ଫାଶୀ ଦିଆଯିବ କି ନା, ଏହା ପ୍ରସଙ୍ଗ ନୁହେଁ। ଏଠାରେ ପ୍ରଶ୍ନ- କ’ଣ ଅପରାଧୀଙ୍କୁ ଫାଶୀ ଦେବାର ଅର୍ଥ, ଦେଶର ବିବେକକୁ ବି ଫାଶୀ ଦେବା? କ’ଣ ଆମେ ଏ ଭଳି ଏକ ସମାଜ ଗଢ଼ିବାକୁ ଚାହୁଁଛେ, ଯେଉଁ ସମାଜ ଶବ ଦେଖି ତୃପ୍ତ ହେବ?

ଏଣୁ ଏଠାରେ ଭାବନା ସମାଜର ମନକୁ ନେଇ। ନିର୍ଭୟା ସହ ଯାହା ଘଟିଲା, ତାହାକୁ ନେଇ ସାରା ଦେଶରେ ଯେଉଁ କ୍ରୋଧ ସୃଷ୍ଟି ହେଲା; ସେହି କ୍ରୋଧ ସ˚କଳ୍ପ ହୋଇ ଯଦି ଆମ ମନରେ ବସା ବାନ୍ଧିଥାଆନ୍ତା, ଯଦି ଆମେ ହୃଦୟର ସହ ଲଜ୍ଜିତ ହୋଇଥାଆନ୍ତେ; ତାହା ହେଲେ ଏବେ ସୁଦ୍ଧା ମହିଳାଙ୍କ ଦୁନିଆ ବଦଳିସାରନ୍ତାଣି ଏବ˚ ପୁରୁଷଙ୍କ ଦୁନିଆ ସଜାଡ଼ି ହୋଇଯାଆନ୍ତାଣି। କିନ୍ତୁ, ଉକ୍ତ କ୍ରୋଧ ମହମବତି ଜଳାଇବାରେ ଲିଭିଗଲା। ନା ତାହା ସ˚କଳ୍ପରେ ପରିଣତ ହେଲା, ନା ଆମେ ଲଜ୍ଜିତ ହେଲେ। ଯେଉଁ ବି ହତ୍ୟାକାରୀ ଧରାପଡ଼ିଲେ, ସେମାନଙ୍କ ଉପରେ ମକଦ୍ଦମା ଚାଲିଲା। ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ଆମ ସମ୍ବିଧାନ ନାଗରିକଙ୍କୁ ଅଧିକାର ଦେଇଛି, ନାନା ଅବସର ଦେଇଛି; ନିର୍ଭୟାଙ୍କ ହତ୍ୟାକାରୀଙ୍କୁ ମଧ୍ୟ ସେସବୁ ମିଳିଲା। ସେମାନଙ୍କୁ, ସେମାନଙ୍କ ଅପରାଧ ଜଣାଥିଲା; ସେମାନଙ୍କୁ କେଉଁ ଦଣ୍ତ ମିଳିବ, ଆମକୁ ଜଣାଥିଲା; ବିଶେଷତଃ, ବର୍ମା କମିସନ୍‌ଙ୍କ ସୁପାରିସଗୁଡ଼ିକୁ ମାନ୍ୟତା ଦିଆଯିବା ପରେ। ତେଣୁ, ସେମାନଙ୍କ ପକ୍ଷରୁ ସେମାନଙ୍କର ଓକିଲ, ସେମାନଙ୍କୁ ନିରପରାଧ ପ୍ରମାଣିତ କରିବା ପାଇଁ ଉଦ୍ୟମ କରି ନ ଥିଲେ। କେବଳ ସେମାନଙ୍କ ସଜା ଟାଳିବା ପାଇଁ ଉଦ୍ୟମ କରିଥିଲେ। ଏହି ଲଜ୍ଜାକର କାର୍ଯ୍ୟ ଆମେ ସାତ ବର୍ଷ ଧରି ଦେଖିଲେ। ସେମାନଙ୍କ ପକ୍ଷରୁ ଗୋଟିକ ପରେ ଗୋଟିଏ ଚାଲ ଚଳାଯାଉଥିଲା। ଅଦାଲତରେ ଗୋଟିକ ପରେ ଗୋଟିଏ ଖାରଜ ହେଉଥିଲା ଏବ˚ ମକଦ୍ଦମା ଅତ୍ୟନ୍ତ ଲଜ୍ଜାଜନକ ଭାବେ ଗଡ଼ିଚାଲିଥିଲା। ଭାରତର ନ୍ୟାୟ ବ୍ୟବସ୍ଥା ପକ୍ଷରୁ ଅପରାଧୀଙ୍କୁ ଯେଉଁ ଦଣ୍ତ ମିଳିବା କଥା ମିଳିସାରିଥିଲା। କେବଳ ଓକିଲ ସେମାନଙ୍କୁ କହୁଥିଲେ, ଆାଇନକୁ ଧୋକା ଦେବାରେ ସେ ସକ୍ଷମ ହେବେ। ଓକିଲାତି ପେସା ପାଇଁ ଏହା ଲଜ୍ଜାକର ଥିଲା। କ’ଣ ଏହା ଆପଣଙ୍କୁ ଉଦାସ କରୁନାହିଁ? କେହି ମରୁଛି ବା କାହାକୁ ମରାଯାଉଛି, ଏହା କେମିତି ଏକ ଆନନ୍ଦର ପ୍ରସଙ୍ଗ ହୋଇପାରେ? କାହାକୁ ଫାଶୀ- ତ୍ରିର˚ଗା ଉଡ଼ାଇବାର ବା ‘ଭାରତ ମାତାର ଜୟ’ ସ୍ଲୋଗାନ୍‌ ଦେବାର ବା ‘ଜୟ ଶ୍ରୀରାମ’ ଗୁ˚ଜରଣ ଉଠିବାର ଅବସର କିପରି ହୋଇପାରେ?

ନିର୍ଭୟାଙ୍କ ମାଆଙ୍କ ଭାବନାକୁ ମୁଁ ସମ୍ମାନ ଦେଉଛି, ତାଙ୍କ କଷ୍ଟ-ଯନ୍ତ୍ରଣା ବୁଝିପାରୁଛି। ତେବେ, ତାଙ୍କୁ ପଚାରିବାକୁ ଚାହୁଁଛି- ଅପରାଧୀମାନଙ୍କ ଫାଶୀ ସହ ଝିଅର ଅନ୍ତିମ ଇଚ୍ଛା ପୂରଣ ହୋଇଥିବାରୁ ତାଙ୍କୁ ସନ୍ତୋଷ ମିଳିଥିବ, ପ୍ରତିଶୋଧର କାମନା ବି ପୂରଣ ହୋଇଥିବ; ତେବେ, ଏହା ଦ୍ବାରା ନିର୍ଭୟାଙ୍କୁ କିପରି ନ୍ୟାୟ ମିଳିପାରେ? ଯେତେବେଳେ ଏହି ସମାଜରେ ଅନ୍ୟ କେହି ନିର୍ଭୟା ନ ହେବେ, କେବଳ ସେତେବେଳେ ପ୍ରଥମ ନିର୍ଭୟାଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ। ଏହି ଫାଶୀ ଦ୍ବାରା ଦେଶରେ କୌଣସି ସ˚କଳ୍ପ ଭାବ ଜାଗ୍ରତ ହୋଇଥିବା ବା ଅପରାଧୀଙ୍କ ମନୋବୃତ୍ତି ବଦଳି ଥିବା ଭଳି ମୋତେ ଲାଗୁନାହିଁ। ଯେ ପର୍ଯ୍ୟନ୍ତ ଏହା ନ ହେବ, ନିର୍ଭୟାଙ୍କୁ କିପରି ନ୍ୟାୟ ମିଳିପାରିବ? ଚକ୍ଷୁ ବଦଳରେ ଚକ୍ଷୁ, ଜୀବନ ବଦଳରେ ଜୀବନର ଚିନ୍ତାଧାରା, ସମାଜର ବିନାଶର ଚିନ୍ତାଧାରା। ଏହା ନ୍ୟାୟ ନୁହେଁ। ଏହା ସମାଜର ପାଶବୀକରଣ। ଜଘନ୍ୟରୁ ଜଘନ୍ୟତର ଅପରାଧୀର ଅନ୍ତ ଆମକୁ ଆହ୍ଲାଦିତ କିପରି କରିପାରେ? ଆମେ ଓ ଆମ ସମାଜ ଅକ୍ଷମ ହୋଇଥିବାରୁ ଏ ଭଳି ଅପରାଧୀଙ୍କ ସୃଷ୍ଟି ରୋକାଯାଇ ପାରୁ ନାହିଁ। ଆଉ ଆମର ନ୍ୟାୟ ବ୍ୟବସ୍ଥା ଏମାନଙ୍କୁ ହତ୍ୟା କରି କୌଣସି ଅଗ୍ରଣୀ ମାର୍ଗ ହାସଲ କରିପାରୁନାହିଁ। କୌଣସି ସୁଫଳ ମିଳୁ ନ ଥିଲେ ବି ଆମେ ଏଭଳି ହତ୍ୟା ଦ୍ବାରା ସନ୍ତୁଷ୍ଟ। ତେବେ, ଆମେ ଏହାକୁ ନେଇ ଉତ୍ସବ-ମୁଖର ହେବା, ଶୀଘ୍ର ଏଭଳି ହତ୍ୟା ଘଟାଇବା ଲାଗି ବାରମ୍ବାର ଦାବି କରିବା କ’ଣ ମାନବୀୟ? ଏହା କ’ଣ ଆମ ଭିତରେ କୌଣସି ସ˚ବେଦନା ସ˚ଚାରିତ କରୁଛି? କ’ଣ ଏହା ଆମକୁ ଅନ୍ୟ ପ୍ରତି ବା ପରସ୍ପର ପ୍ରତି ଉଦାର କରୁଛି? ଯଦି ନା, ତାହା ହେଲେ ଏହା କେବେ ହେଲେ ସେହି ମାନବୀୟ ସମାଜର ଦିଗ ହୋଇ ନ ପାରେ, ଯାହା ବିନା ନା ସେହି ନିର୍ଭୟା ସୁରକ୍ଷିତ ଥିଲେ, ନା ଭବିଷ୍ୟତ୍‌ରେ ଅନ୍ୟ କୌଣସି ନିର୍ଭୟା ସୁରକ୍ଷିତ ରହିପାରିବେ!

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ