ଜୋତା ଜ୍ଞାନ

ସୁଭାଷ ପଟ୍ଟନାୟକ

ସେଦିନ ଗୋଟେ ଉଦୁଉଦିଆ ଖରାବେଳଟାରେ ଗେଟ୍ ପାଖରେ ଠିଆ ହୋଇଥିବା ବୁଢ଼ାଟିକୁ ଦେଖି ପାଖକୁ ଗଲି। ଚଟାଣଟା ଏତେ ତାତି ଯାଇଥାଏ ଯେ, ଠିଆ ହେବାକୁ କଷ୍ଟ ହେଉଥାଏ। ମତେ ଦେଖି ବୁଢ଼ାଟି ପାଣିଟିକିଏ ମାଗିଲା। ଖାଲି ପାଦ ତାର। କେଉଁଠୁ ଚାଲି ଚାଲି ଆସିଛି, କେତେବାଟ ଆହୁରି ଚାଲିବ, ଜଣାନାହିଁ। ରାସ୍ତା ଉପରର ତାତିକୁ ତା’ ଖାଲିପାଦ କେମିତି ସମ୍ଭାଳି ନେଉଛି ଭାବି ଖୁବ୍ କଷ୍ଟ ଲାଗିଲା। ଘରେ ପଡ଼ିରହିଥିବା ହଳେ ପୁରୁଣା ଚମଡ଼ା ଚପଲ ଆଣି ଦେଲି। ବୁଢ଼ାର ମୁହଁଟି ଖୁସିରେ ଉଜ୍ଜ୍ୱଳ ଦେଖାଗଲା। ଚପଲ ହଳକ ପିନ୍ଧିଦେଇ ନମସ୍କାରଟିଏ କରି ସେ ଚାଲିଯିବା ପରେ ଭାବୁଥିଲି, ବୁଢ଼ାଟିର ପାଦତଳେ ଚମଡ଼ା ଚପଲ ହଳେ ପିନ୍ଧାଇଦେଇ ଅନ୍ତତଃ ତା’ ପାଇଁ ତ ସାରା ବିଶ୍ବର ଉତ୍ତାପକୁ ମୁଁ ଘୋଡ଼ାଇ ଦେଇ ପାରିଛି!

ଜୋତାର କାହାଣୀ ବଡ଼ ବିଚିତ୍ର। ମନୁଷ୍ୟ ଆଗ ବସ୍ତ୍ର ପିନ୍ଧିବା ଶିଖିଲା ନା ଆଗ ଜୋତା? ଆଦିମ ମନୁଷ୍ୟ ଜଙ୍ଗଲର ଖାଲଖମା ଓ କଣ୍ଟାଝଣ୍ଟା ଉପରେ ଚାଲୁଥିବାବେଳେ ପାଦର ସୁରକ୍ଷା ପାଇଁ ନିଶ୍ଚୟ ବସ୍ତ୍ର ପରେ ପରେ ଜୋତାର ଆବଶ୍ୟକତା ଉପଲବ୍‌ଧି କରିଥିବ। ନୃତତ୍ତ୍ବବିତ୍‌ମାନେ କୁହନ୍ତି, ମନୁଷ୍ୟ ପ୍ରାୟ ଚାଳିଶ ହଜାର ବର୍ଷ ପୂର୍ବରୁ ଜୋତାର ଉଦ୍ଭାବନ କରି ବ୍ୟବହାର କରିଆସୁଛି। ଆମ ପୁରାଣ ଶାସ୍ତ୍ର ଅନୁସାରେ ଋଷି ଯମଦଗ୍ନିଙ୍କ ପତ୍ନୀ ରେଣୁକାଙ୍କୁ ସୂର୍ଯ୍ୟଦେବ ପ୍ରଥମେ ହଳେ ପାଦୁକା ଓ ଗୋଟିଏ ଛତା ଉପହାର ଦେଇଥିଲେ। ସେହି ଦିନ ଠାରୁ ଏ ଯମଜ ପାଦୁକା ଦୁଇଟି ଆମର ସେବା କରି ଆସୁଛନ୍ତି।

ତ୍ରେତୟା ଯୁଗରେ ଶ୍ରୀରାମଙ୍କ ସୁବର୍ଣ୍ଣ ପାଦୁକା ଦୁଇଟିକୁ ସିଂହାସନରେ ରଖି ସାନଭାଇ ଭରତ ଅଯୋଧ୍ୟାକୁ ଚଉଦ ବର୍ଷ ଧରି ସୁଶାସନ ଦେଇଥିଲେ। ଆମ ବେଦଗ୍ରନ୍ଥ ସମୂହ, ପୁରାଣ, ବ୍ୟାକରଣ ଆଦିରେ ପାଦୁକା ନାମରେ ପରିଚିତ ଏ ଜୋତାର ବହୁ ବର୍ଣ୍ଣନା ରହିଛି। ସତ କହିଲେ, ଜୋତା ହେଉଛି ହଳେ ନିରବ ଶ୍ରମିକ। ଘର, ବାହାର, ସ୍କୁଲ, ଅଫିସ, କଳକାରଖାନା; ସବୁଠାରେ ଏମାନଙ୍କର ଉପସ୍ଥିତି। ସବୁଠି ଏମାନେ ମନୁଷ୍ୟର ପାଦକୁ ସୁରକ୍ଷା ଦେଇ ତାକୁ ବୋହି ନେବାରେ ଲାଗିଛନ୍ତି।

ଆମ ପୁରାତନ ସଂସ୍କୃତିରେ ଏହାର ନାମ ବିଭିନ୍ନ। ପାଦୁକା, ଖଡ଼ଉ, କଠଉ, ଉପାନହ୍, ସୃପାଟୀ ଇତ୍ୟାଦି। ସର୍ବ ପ୍ରଥମେ କାଠ, ଗଛର ବଳ୍କଳ, ଚମଡ଼ା, କନା, ଆଉ ଏବେ କୃତ୍ରିମ ପଦାର୍ଥରେ ଏହାର ସୃଷ୍ଟି। ଖାଲି ଯେ ଏହାର ବ୍ୟବହାର ପାଦକୁ ସୁରକ୍ଷା ଦେବା, ତା’ନୁହେଁ, ଆହୁରି ଅନେକ ସେବା ଜୋତାଠାରୁ ଆମେ ପାଉଛେ। ପଞ୍ଚ ସ୍ବାମୀଙ୍କ ପତ୍ନୀ ଦ୍ରୌପଦୀଙ୍କ ଶୟନକକ୍ଷ ଦ୍ବାର ଦେଶରେ ଏହା ଦ୍ବାରପାଳ, ରାସ୍ତାର ରୋମିଓମାନଙ୍କୁ ସାବାଡ଼ କରିବାକୁ ମହିଳାଙ୍କ ହାତରେ ଏହା ଅମୋଘ ଅସ୍ତ୍ର, ପ୍ରତାରକ ବ୍ୟକ୍ତିର ଏହା ବେକର ହାର, ମୂର୍ଚ୍ଛିତ ଲୋକର ସଂବିତ୍ ଫେରାଇ ଆଣିବାର ମହୌଷଧି ଇତ୍ୟାଦି ଅନେକ ସେବା ଜୋତା ଆମକୁ ଯୋଗାଇ ଆସୁଛି।

ପାଦୁକା ପୂଜା ମଧ୍ୟ ଏ ଦେଶର ସଂସ୍କୃତି। ତାମିଲନାଡୁର ଶ୍ରୀ ରଙ୍ଗନାଥସ୍ବାମୀ ମନ୍ଦିରରେ ‘ପାଦୁକା ଶହଶ୍ରମ୍’ ପାଠ କରାଯାଏ। ଆଦି ଶଙ୍କରାଚାର୍ଯ୍ୟଙ୍କ ‘ଗୁରୁ ପାଦୁକା ସ୍ତୋତ୍ର’ ପ୍ରସିଦ୍ଧ। ମନୁସ୍ମୃତି କୁହେ, ଗୁରୁଙ୍କ ପାଇଁ ଛାତ୍ରର ସର୍ବଶ୍ରେଷ୍ଠ ଉପହାର ହେଉଛି ପାଦୁକା।

ପୃଥିବୀର ପୃଷ୍ଠ ଭାଗରୁ ଜୋତା ଆମକୁ ବିଚ୍ଛିନ୍ନ କରି ରଖିଥାଏ ସତ, ମାତ୍ର ମାନବୀୟ ପୃଥିବୀ ଓ ନୈସର୍ଗିକ ପୃଥିବୀ ମଧ୍ୟରେ ଜୋତା ପଥ ରୋଧକ ନୁହେଁ, ବରଂ ଏକ ସଂଯୋଗ ସେତୁ। ଗାନ୍ଧୀଜୀଙ୍କ ଜୀବନରୁ କଥାଟିଏ ମନେପଡ଼େ: ଥରେ ଗାନ୍ଧୀଜୀ ରେଳରେ ଚଢ଼ିବାବେଳେ ଗୋଟିଏ ଚପଲ ତାଙ୍କର ଖସିପଡ଼ିଲା। ଗାଡ଼ି ଚାଲୁଥିବାରୁ ଆଉ ତାକୁ ଗୋଟାଇ ଆଣିବା ସମ୍ଭବ ନଥିଲା। ଗାନ୍ଧୀଜୀ ତୁରନ୍ତ ନିଜର ଅନ୍ୟ ଚପଲଟି ଗୋଡ଼ରୁ କାଢ଼ି ପଡ଼ିଯାଇଥିବା ଚପଲଟି ପାଖକୁ ଫିଙ୍ଗିଦେଲେ। ଜଣେ ସହଯାତ୍ରୀ ଏପରି କରିବାର କାରଣ ପଚାରିବାରୁ ଗାନ୍ଧୀଙ୍କ ଉତ୍ତର ଥିଲା: “ଖାଲିପାଦରେ ଚାଲୁଥିବା କେହି ଜଣେ ଗରିବ ଲୋକ ଏବେ ତ ହଳେ ଚପଲ ପାଇଯିବ”।

ଏବେ ଜୋତା, ସାଣ୍ଡାଲ, ଷ୍ଟିଲେଟୋ, ବୁଟ୍, ଫର୍ମାଲ ଓ ଟ୍ରାଡିସନାଲ ଆଦି ନାମରେ ପରିଚିତ। ଷ୍ଟିଲେଟୋ ବା ହାଇହିଲ୍ ଜୋତାର ବ୍ୟବହାର ଭାରତୀୟମାନଙ୍କ ପାଇଁ ନୂଆ ନୁହେଁ। ୟୁରୋପରେ ଷୋଡ଼ଶ ଶତାବ୍ଦୀ ବେଳକୁ ହାଇହିଲ୍‌ର ପ୍ରଚଳନ ଆରମ୍ଭ ହେଲା, କିନ୍ତୁ ଆମ ଦେଶରେ ବେଙ୍ଗଲର ଚନ୍ଦ୍ରକେତୁଗଡ଼ ଖନନରୁ ମିଳିଥିବା ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀର ଏକ ମୂର୍ତ୍ତି ପାଦରେ ହାଇହିଲ୍ ପିନ୍ଧିଥିବା ଦେଖାଯାଇଛି। ଆମ ଓଡ଼ିଶାର ମହିଳାମାନେ ମଧ୍ୟ ହାଇହିଲ୍ ଜୋତାର ବ୍ୟବହାର ବହୁ ପୂର୍ବରୁ ଆପଣେଇ ଥିଲେ। କୋଣାର୍କ ମନ୍ଦିରରେ ଦ୍ବାଦଶ ଶତାବ୍ଦୀରେ ନିର୍ମିତ ନର୍ତ୍ତକୀର ପାଦରେ ହାଇହିଲ୍ ଚପଲ ରହିଛି।

ଖାଲି ଯେ ଜୋତା ପାଦର ରକ୍ଷକ ତା’ ନୁହେଁ, ଯାହା ପାଖରେ ଯେତେ ଅଧିକ ଜୋତା ସେ ସେତେ ଅଧିକ ସମ୍ଭ୍ରାନ୍ତ। ସ୍ବର୍ଗତା ଜୟଲଳିତାଙ୍କର ସାତଶହପଚାଶ ହଳ ଚପଲ ଥିଲା। ଫିଲିପାଇନସ୍ ରାଷ୍ଟ୍ରପତିଙ୍କ ପତ୍ନୀ ଇମେଲଦା ମାର୍କୋସଙ୍କର ତ ଥିଲା ତିନିହଜାର ହଳ।

ଜୋତାର ରୋଚକ ଓ ଅଲୌକିକ କାହାଣୀ ମଧ୍ୟ ବହୁତ ଅଛି। ତା’ ଭିତରୁ ହାନସ୍ ଆଣ୍ଡରସନଙ୍କର ଲାଲ ଜୋତାର କାହାଣୀ ହେଉ କିମ୍ବା ଗ୍ରୀକ୍ ଦେବତା ହର୍ମେଜଙ୍କର ପକ୍ଷୀ ଲଗା ଉଡ଼ନ୍ତା ଜୋତା ‘ତାଲାରିୟ’ର କାହାଣୀ ହେଉ, ଏସବୁ ପାଠ କଲେ ଅନେକ ଆମୋଦ ମିଳେ। ରବୀନ୍ଦ୍ରନାଥ ଟାଗୋରଙ୍କର ‘ଜୁତା ଆବିଷ୍କାର’ କବିତା ତ ସମସ୍ତେ ଜାଣନ୍ତି।

ଜୋତାରୁ ଲୋକର ଚରିତ୍ର ଜାଣିହୁଏ। ଜୋତାର ଷ୍ଟାଇଲ, ମୂଲ୍ୟ, ରଙ୍ଗ ଓ ଅବସ୍ଥାକୁ ଆଧାର କରି ପିନ୍ଧିଥିବା ଲୋକଟି ସମ୍ପର୍କରେ ଅନେକ କଥା ଅନୁମାନ କରାଯାଇପାରେ। ସ୍ବପ୍ନରେ ଜୋତା ଦେଖିବାର ଅର୍ଥ ମଧ୍ୟ ଅଛି। ଜୋତା ବଦଳାଉଥିବାର ସ୍ବପ୍ନ ଜୀବନରେ ପରିବର୍ତ୍ତନ ଆସୁଥିବାର ସଂକେତ ଦିଏ।

ଏତେ ବର୍ଷ ଧରି ମନୁଷ୍ୟର ସେବା କରି ଆସୁଥିଲେ ମଧ୍ୟ ଜୋତା କ’ଣ ଆମଠୁ ନ୍ୟାଯ୍ୟ ସମ୍ମାନ ପାଏ? ଜୋତା ଘର ଭିତରକୁ ନେବା ମନା। ମନ୍ଦିର, ମସ୍‌ଜିଦକୁ ଏହାର ପ୍ରବେଶ ନିଷେଧ। ଦୁଆର କଣରେ ଇଏ ସର୍ବଦା ପରିତ୍ୟକ୍ତ ପରି ପଡ଼ି ରହିଥାଏ। ଅନ୍ୟର ଜୋତା ହାତରେ ଉଠାଇବା ମନା। ହଁ, ଏ କଥା ସତ୍ୟ ଯେ, ମନୁଷ୍ୟ ଜୋତା ନିକଟରେ ସର୍ବଦା ନତମସ୍ତକ ହେବାକୁ ବାଧ୍ୟ ହୋଇଥାଏ।

ଜୋତା ଯେ କେବଳ ପୃଥିବୀ ଉପରେ ନିଜର ସେବା ଯୋଗାଇ ଚାଲିଛି, ତା’ ନୁହେଁ, ଚନ୍ଦ୍ର ପୃଷ୍ଠରେ ପ୍ରଥମ ପଦପାତ ନିଲ୍ ଆର୍ମଷ୍ଟ୍ରଙ୍ଗ୍ କରିନାହାନ୍ତି, କରିଛି ତାଙ୍କ ପାଦର ଜୋତା। ଏଇ ଜୋତାହଳକ ଏବେ ମଧ୍ୟ ଚନ୍ଦ୍ର ପୃଷ୍ଠରେ ରହି ମନୁଷ୍ୟର ବିଜୟ ପର୍ବ ପାଳନ କରୁଛି। ମନୁଷ୍ୟକୁ ଯଦି କିଏ ଠିକରେ ଚିହ୍ନିଥାଏ, ସିଏ ହେଉଛି ତାର ଜୋତା। ସେଇଥିପାଇଁ କୁହନ୍ତି, ଯଦି କାହାରିକୁ ଜାଣିବାକୁ ଚାହୁଁଛ, ତା’ ଜୋତା ପିନ୍ଧି ମାଇଲିଏ ଚାଲ। ଆମ ଜୀବନଯାତ୍ରାର ସମସ୍ତ ଶ୍ରେୟ କେବଳ ଆମ ଜୋତାର।

ମୋ: ୯୩୩୭୬୪୮୬୩୮
[email protected]

ସମ୍ବନ୍ଧିତ ଖବର