ଏକ ମହାନ ପାଠାଗାର ଓ କିଛି ଅଭୁଲା ସ୍ମୃତି

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଠିକ୍‌ ଏକ ବର୍ଷ ତଳେ, ଜାନୁଆରି ୨୦୨୦ର ତୃତୀୟ ସପ୍ତାହରେ, ମୁଁ ନୂଆ ଦିଲ୍ଲୀରେ ଥିଲି ଏବ˚ ‘ନେହରୁ ସ୍ମାରକୀ ସ˚ଗ୍ରହାଳୟ ଓ ପାଠାଗାର’(ସ˚କ୍ଷେପରେ ‘ଏନ୍‌ଏମ୍‌ଏମ୍‌ଏଲ୍‌’)ରେ ଗଚ୍ଛିତ କାଗଜ-ପତ୍ର, ଦଲିଲ-ଦସ୍ତାବିଜ, ପୁସ୍ତକ-ପାଣ୍ତୁଲିପି ଆଦିରେ ମନୋନିବେଶ କରିଥିଲି। ‘ଏନ୍‌ଏମ୍‌ଏମ୍‌ଏଲ୍‌’ ଏକ ସମୃଦ୍ଧ ଅଭିଲେଖାଗାର ଥିବା ପ୍ରଥମେ ୧୯୮୦ରେ ଜାଣିବାକୁ ପାଇଥିଲି। ୧୯୮୮-୯୪ ମଧ୍ୟରେ ଦିଲ୍ଲୀ ଅବସ୍ଥାନ କାଳରେ ସେଠାରେ ଗବେଷଣା କରିବାର ସୁଯୋଗ ପାଇଥିଲି। ସେହି ସମୟରେ ସପ୍ତାହରେ ଏକାଧିକ ଦିନ ‘ଏନ୍‌ଏମ୍‌ଏମ୍‌ଏଲ୍‌’ରେ କଟୁଥିଲା। ପୁୁରୁଣା ଖବରକାଗଜରେ ପ୍ରକାଶିତ ବିଭିନ୍ନ ବିବରଣୀ ସହ ଆଧୁନିକ ଭାରତ ଇତିହାସର ମୁଖ୍ୟ ତଥା ଗୌଣ ବ୍ୟକ୍ତିତ୍ବଙ୍କ ଘରୋଇ କାଗଜ-ପତ୍ର ଆଦି ଗଭୀର ଓ ଗମ୍ଭୀର ଭାବେ ପାଠ କରିଥିଲି।

୧୯୯୪ରେ ବେଙ୍ଗାଲୁରୁ ଆସିବା ପରେ ‘ଏନ୍‌ଏମ୍‌ଏମ୍‌ଏଲ୍‌’ ସହ ନିତିଦିନିଆ ସ˚ପର୍କ ଛିନ୍ନ ହୋଇଥିଲା। ତଥାପି ବର୍ଷକୁ କିଛି ଥର ଆସୁଥିଲି। ସାଧାରଣତଃ ଜାନୁଆରି, ଏପ୍ରିଲ୍‌, ସେପ୍‌ଟେମ୍ବର‌୍‌ ଓ ନଭେମ୍ବର‌୍‌ରେ। କାରଣ, ଏହି ମାସଗୁଡ଼ିକରେ କଷ୍ଟଦାୟକ ନିଦାଘ ଓ ଅସ୍ବସ୍ତିକର ବର୍ଷାର ଭୟ ନ ଥାଏ। ‘ଏନ୍‌ଏମ୍‌ଏମ୍‌ଏଲ୍‌’ ନିକଟରେ ଥିବା ଏକ ଆବାସିକ ଗୃହ (ବୋର୍ଡି˚ ହାଉସ୍‌)ରେ ସପ୍ତାହେରୁ ଦଶ ଦିନ ରହିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିଥାଏ। ସକାଳ ନଅଟା ସୁଦ୍ଧା ଏହା ଖୋଲୁଖୋଲୁ ପାଣ୍ତୁଲିପି ପ୍ରକୋଷ୍ଠରେ ପହଞ୍ଚିଯାଏ। ଝରକା ପାଖରେ ଏକ ଡେସ୍‌କ ଅଧିକାର କରି, ଦେଖିବାକୁ-ପଢ଼ିବାକୁ ଚାହୁଁଥିବା ଦସ୍ତାବିଜ ପାଇଁ ଅନୁରୋଧ କରେ। କାଗଜ-ପତ୍ର ପାଇବା ସଙ୍ଗେସଙ୍ଗେ ସାରା ଦିନ ସେଥିରେ ମନୋନିବେଶ କରେ। କେବଳ ମଧ୍ୟାହ୍ନ ଭୋଜନ ପାଇଁ ଥରେ ଏବ˚ ଚା’ପାନ ପାଇଁ ଦୁଇ ଥର ବିରତି ନିଏ। ଅପରାହ୍‌ଣ ପାଞ୍ଚଟା ପର୍ଯ୍ୟନ୍ତ କାମ କରେ ଏବ˚ ପର ଦିନ ଅଧିକ କିଛି ଟିପା-ଟିପି କରିବା ପାଇଁ ଫେରେ।

ମୁଁ ବିଶ୍ବର ବିଭିନ୍ନ ଅଞ୍ଚଳରେ ଥିବା ଗୁଡ଼ିଏ ଅଭିଲେଖାଗାରରେ କାମ କରିଛି; କିନ୍ତୁ, ଗବେଷଣା କରିବା ପାଇଁ ‘ଏନ୍‌ଏମ୍‌ଏମ୍‌ଏଲ୍‌’ ମୋର ସବୁଠାରୁ ପ୍ରିୟ ସ୍ଥାନ। ଏହାର କାରଣ ଅନେକ- ସ୍ଥାନଟିର ପରିବେଶ, ବୃକ୍ଷ ଭର୍ତ୍ତି ଓ ପକ୍ଷୀ ସମୃଦ୍ଧ ପରିସର। ଏହାର ଅବସ୍ଥିତି ଭବ୍ୟ ‘ତିନି ମୂର୍ତ୍ତି ଭବନ’ ପଛରେ। ଏହାର ବାହ୍ୟ ଭାଗ ପରି ଅଭ୍ୟନ୍ତରୀଣ ଅ˚ଶ ମଧ୍ୟ ବେଶ୍‌ ସମୃଦ୍ଧ; ଆମ ଇତିହାସର ସମସ୍ତ ଦିଗ ଉପରେ ଆଧାରିତ ଗଦାଗଦା ମୌଳିକ ସାମଗ୍ରୀ ଏବ˚ ସଦା ସାହାଯ୍ୟକାରୀ ସାମର୍ଥ୍ୟବାନ୍‌ କର୍ମଚାରୀ। ଅନ୍ୟ ଗବେଷକଙ୍କୁ ମଧୢ ଭେଟିବା ଓ ଆଲୋଚନା କରିବାର ସୁଯୋଗ ମିଳେ; କେତେ ବେଳେ ପୂର୍ବ-ନିର୍ଦ୍ଧାରିତ ତ ପୁଣି କେତେ ବେଳେ ଆକସ୍ମିକ ଭାବେ।

ଗତ ବର୍ଷ ଜାନୁଆରିରେ ଯେତେ ବେଳେ ଏଠାକୁ ଆସିଥିଲି, ୨୦୨୦ ବର୍ଷଟି କିଛି ଭିନ୍ନ ହେବ ବୋଲି ସାମାନ୍ୟତମ ଧାରଣା ମୋ ମନରେ ନ ଥିଲା। ତାହା ପରେ ମହାମାରୀ ଆସିଗଲା ଏବ˚ ବର୍ଷର ଅବଶିଷ୍ଟ ସମୟ ଦକ୍ଷିଣ ଭାରତରେ ନିର୍ବାସିତ ଭଳି କଟିଲା। ନୂଆ ଦିଲ୍ଲୀ ଆସିବା ପାଇଁ ବିମାନ ମିଳୁଥିଲେ ବି ‘ଏନ୍‌ଏମ୍‌ଏମ୍‌ଏଲ୍‌’ ବନ୍ଦ ଥିଲା।

ସେ ଯାହା ହେଉ ନିଜର ପ୍ରିୟ ଅଭିଲେଖାଗାରକୁ ନ ଆସିପାରିଥିଲେ ମଧ୍ୟ ବର୍ଷତମାମ ଏହାର ସାନ୍ନିଧ୍ୟ ପାଇପାରିଥିଲି। କାରଣ, ପୂର୍ବରୁ ସେଠାରୁ ସ˚ଗ୍ରହ କରିଥିବା ସାମଗ୍ରୀ ମୋ ପାଖରେ ଥିଲା। ସେଗୁଡ଼ିକ ବ୍ୟବହାର କରି, ସ୍ବାଧୀନତା ସ˚ଗ୍ରାମରେ ଯୋଗ ଦେଇଥିବା ବିଦେଶୀଙ୍କ ଉପରେ ମୁଁ ଏକ ପୁସ୍ତକ ଲେଖିଥିଲି। ଆହୁରି ମଧ୍ୟ ଯୁବ-ଗବେଷକମାନଙ୍କର କିଛି ପାଣ୍ତୁଲିପି ପଢ଼ିଥିଲି, ଯେଉଁଗୁଡ଼ିକ ‘ଏନ୍‌ଏମ୍‌ଏମ୍‌ଏଲ୍‌’ରୁ ସ˚ଗୃହୀତ ସାମଗ୍ରୀ ଆଧାରରେ ପ୍ରସ୍ତୁତ ହୋଇଥିଲା। ସେହି ପାଣ୍ତୁଲିପିଗୁଡ଼ିକ ମଧ୍ୟରେ ଥିଲା ରାହୁଲ ରାମଗୁ˚ଡ଼ମଙ୍କ ଦ୍ବାରା ଲିଖିତ ସମାଜବାଦୀ ନେତା ଜର୍ଜ‌୍‌ ଫର୍ଣ୍ଣାଣ୍ଡିଜଙ୍କ ଜୀବନୀ; ଅଭିଷେକ ଚୌଧୁରୀଙ୍କ ଦ୍ବାରା ରଚିତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ। ଅକ୍ଷୟ ମୁକୁଲଙ୍କ ସହ ମଧ୍ୟ ଲମ୍ବା ଆଲୋଚନା ହୋଇଥିଲା, ଯିଏ ଜୟପ୍ରକାଶ ନାରାୟଣଙ୍କର ନୂଆ ଜୀବନୀ ଲେଖୁଛନ୍ତି।

ଏହି ତିନିଟି ଜୀବନୀ ପ୍ରକଳ୍ପ ମଧ୍ୟରେ ଚାରିଟି ବିଷୟ ସାଧାରଣ। ପ୍ରଥମ- ଯେତେବେଳେ ପ୍ରକାଶ ପାଇବ, ତିନିଟିଯାକ ମୁଖ୍ୟ ତଥା ପ୍ରାମାଣିକ ଜୀବନୀ ଭାବେ ଗଣାହେବ। ଦ୍ବିତୀୟ- ଯେହେତୁ ଜୀବନୀ ତିନିଟି ମହତ୍ତ୍ବପୂର୍ଣ୍ଣ ଓ ବିବାଦୀୟ ଐତିହାସିକ ବ୍ୟକ୍ତିତ୍ବମାନଙ୍କ ଉପରେ, ଅଧିକ ସ˚ଖ୍ୟକ ପାଠକ ସେଗୁଡ଼ିକ ପ୍ରତି ଆଗ୍ରହୀ ହେବେ। ତୃତୀୟ- ଯେଉଁ ତିନି ଜଣଙ୍କ ଜୀବନୀ ଲେଖାଯାଇଛି, ତିନିହେଁ କ˚ଗ୍ରେସ୍‌ ଦଳ ତଥା ଏହାର ପ୍ରଥମ ମୁଖ୍ୟ ନେତା ଜଵାହରଲାଲ ନେହରୁଙ୍କର ତୀବ୍ର ବିରୋଧୀ ଥିଲେ। ଚତୁର୍ଥ- ସେମାନେ ଯାହାଙ୍କର ରାଜନୈତିକ ବିରୋଧୀ ଥିଲେ, ତାଙ୍କ ନାମରେ ସ୍ଥାପିତ ଅଭିଲେଖାଗାରରେ ହିଁ ସେମାନଙ୍କ (ଫର୍ଣ୍ଣାଣ୍ଡିଜ, ବାଜପେୟୀ ଓ ଜୟପ୍ରକାଶ) କାର୍ଯ୍ୟ-କଳାପ ସ˚ପର୍କିତ ବିରଳ-ସମୃଦ୍ଧ ଲିପିବଦ୍ଧ-ଲିଖିତ ତଥ୍ୟ ଗଚ୍ଛିତ, ଯେଉଁଗୁଡ଼ିକ ବିନା ସେମାନଙ୍କ ଉପରେ ପୂର୍ଣ୍ଣାଙ୍ଗ ଗବେଷଣା ତଥା ପ୍ରାମାଣିକ ରଚନା କଳ୍ପନା କରାଯାଇ ନ ପାରେ।

ଏହା କୌଣସି ଆକସ୍ମିକତା ନୁହେଁ। ଯଦିଓ ନେହରୁଙ୍କ ନାମରେ ନାମିତ, ‘ଏନ୍‌ଏମ୍‌ଏମ୍‌ଏଲ୍‌’ କୌଣସି ପକ୍ଷଭୁକ୍ତ କି˚ବା କାହା ପ୍ରତି ପକ୍ଷପାତୀ ନୁହେଁ। ତେଣୁ, ଜୟପ୍ରକାଶ, ଫର୍ଣ୍ଣାଣ୍ଡିଜ ଓ ବାଜପେୟୀଙ୍କ ଜୀବନୀକାରମାନେ ସେମାନଙ୍କର ଅଧିକା˚ଶ ଗବେଷଣା ଏଠାରେ କରିଛନ୍ତି। କ˚ଗ୍ରେସ୍‌ ତଥା ନେହରୁ ବିରୋଧୀ ଅନ୍ୟ ବିଶିଷ୍ଟ ରାଜନେତା ଯଥା- ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଚକ୍ରବର୍ତ୍ତୀ ରାଜଗୋପାଲାଚାରୀଙ୍କ ଜୀବନୀକାରମାନେ ମଧ୍ୟ ଏଠାରେ ହିଁ ଗବେଷଣା କରିଥିଲେ।

‘ଏନ୍‌ଏମ୍‌ଏମ୍‌ଏଲ୍‌’ ଗୋଟିଏ କାରଣରୁ ଭାଗ୍ୟବାନ ଯେ, କିଛି ବିଦ୍ବାନ ଓ ପ୍ରସିଦ୍ଧ ବ୍ୟକ୍ତି ଏହାକୁ ଗଢ଼ିଥିଲେ। ଏହାର ପ୍ରଥମ ଦୁଇ ନିର୍ଦେଶକ ବିଆର‌୍‌ ନ˚ଦା ଓ ରବୀନ୍ଦ୍ର କୁମାର ଥିଲେ ବିଦ୍ବାନ ଓ ସୁ-ପ୍ରଶାସକ। ଦୁହିଁଙ୍କ ସହ ଥିଲା, ଅଭିଜ୍ଞ ଅଭିଲେଖକଙ୍କୁ ନେଇ ଗଠିତ ଏକ ଦଳ। ସେମାନେ ସାରା ଭାରତରୁ ପାଣ୍ତୁଲିପି ଓ ଖବରକାଗଜ ସ˚ଗ୍ରହ କରିଥିଲେ, ସୂଚୀ ଓ ତାଲିକା ପ୍ରସ୍ତୁତ କରିଥିଲେ, ସ˚ରକ୍ଷିତ କରିବା ସହ ଗବେଷକଙ୍କ ପାଇଁ ପଥ ସୁଗମ କରିଥିଲେ।

ଏହା ସତ ଯେ ଯଦି କେହି ଗମ୍ଭୀର ଭାବେ, ଆଧୁନିକ ଭାରତର ଇତିହାସ ଉପରେ କିଛି କାମ କରିବାକୁ ଚାହଁାନ୍ତି, ତାଙ୍କୁ ଏଠାରେ ସମୟ ବିତାଇବାକୁ ପଡ଼ିବ। ଜଣେ ଦେଶୀ ହୁଅନ୍ତୁ ବା ବିଦେଶୀ, ଯୁବକ ହୁଅନ୍ତୁ ବା ମଧ୍ୟ-ବୟସ୍କ ବା ବୃଦ୍ଧ, ସାମାଜିକ ଐତିହାସିକ ହୁଅନ୍ତୁ ବା ଅର୍ଥନୈତିକ ଐତିହାସିକ ବା ସା˚ସ୍କୃତିକ ଐତିହାସିକ ବା ବିଜ୍ଞାନ ସମ୍ବନ୍ଧୀୟ ଐତିହାସିକ ବା ଚଳଚ୍ଚିତ୍ର ଐତିହାସିକ ବା କ୍ରୀଡ଼ା ଐତିହାସିକ ବା ନାରୀବାଦର ବିଦ୍ୟାର୍ଥୀ ବା ପରିବେଶବାଦ ବା ସମାଜବାଦ ବା ସାମ୍ୟବାଦର ଗବେଷକ, ତାଙ୍କୁ ‘ଏନ୍‌ଏମ୍‌ଏମ୍‌ଏଲ୍‌’ରେ ହିଁ ନିଜର ଗବେଷଣା ଆରମ୍ଭ ଓ ଶେଷ କରିବାକୁ ହେବ। ‘ଏନ୍‌ଏମ୍‌ଏମ୍‌ଏଲ୍‌’କୁ ଏକ ଉତ୍କର୍ଷ ଅନୁଷ୍ଠାନରେ ପରିଣତ କରିଥିବା ବ୍ୟକ୍ତି କେହି ଜଣେ ନୁହନ୍ତି; ଅନେକ ଅଛନ୍ତି। କାହା ପ୍ରତି କୌଣସି ଧରଣର ଅସମ୍ମାନ ନ ରଖି ମୁଁ କହିବାକୁ ଚାହେଁ ଯେ, ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ଡ. ହରି ଦେବ ଶର୍ମା, ପ˚ଜାବର ଐତିହାସିକ। ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ପ୍ରତିଷ୍ଠା ପରେ ପରେ ୧୯୬୬ରେ ସେ ଏହି ମହାନ୍‌ ଅନୁଷ୍ଠାନରେ ଯୋଗଦେଇଥିଲେ ଏବ˚ ପ୍ରାୟ ସାଢ଼େ ତିନି ଦଶନ୍ଧି କାର୍ଯ୍ୟ କରିଥିଲେ। ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ଅନେକ ମହତ୍ତ୍ବପୂର୍ଣ୍ଣ ସ˚ଗ୍ରହ, ତାଙ୍କ ପ୍ରଚେଷ୍ଟାରେ ସ˚ଗୃହୀତ ହୋଇଥିଲା। ଫର୍ଣ୍ଣାଣ୍ଡିଜ, ଜୟପ୍ରକାଶ ଓ ରାଜଗୋପାଲାଚାରୀ ଉପରେ ଲିଖିତ ଅନେକ ପାଣ୍ତୁଲିପି, ଖବର ଓ ଅନ୍ୟ ରଚନା ସେଥି ଅନ୍ତର୍ଭୁକ୍ତ। ମହାତ୍ମା ଗାନ୍ଧୀଙ୍କ ଉପରେ ଲିଖିତ ଅନେକ ମହତ୍ତ୍ବପୂର୍ଣ୍ଣ ରଚନା ମଧ୍ୟ ସେ ସ˚ଗ୍ରହ କରିଥିଲେ। ‘ଏନ୍‌ଏମ୍‌ଏମ୍‌ଏଲ୍‌’ରେ ମହଜୁଦ ମୌଖିକ ଇତିହାସ ସ˚ଗ୍ରହ ମଧ୍ୟ ଶର୍ମାଙ୍କ ଅବଦାନ। ସେ ନିଜେ ସ୍ବାଧୀନତା ସ˚ଗ୍ରାମୀମାନଙ୍କ ସାକ୍ଷାତ୍‌କାର ମାଧ୍ୟମରେ ତାହା ବିକଶିତ କରାଇଥିଲେ।

ଫେବ୍ରୁଆରି-ଡିସେମ୍ବର‌୍‌ ୨୦୨୦ ମଧ୍ୟରେ ଘରେ ବସି ପଢ଼ିଥିବା ପାଣ୍ତୁଲିପି ମାଧ୍ୟମରେ ଏହି ମହାନ୍‌ ଅନୁଷ୍ଠାନ ସହ ସ˚ପର୍କ ରହିଥିଲା। ରାହୁଲ ରାମଗୁ˚ଡ଼ମଙ୍କ ସହ ଫର୍ଣ୍ଣାଣ୍ଡିଜଙ୍କ ବାବଦରେ ବା ଅଭିଷେକ ଚୌଧୁରୀଙ୍କ ସହ ବାଜପେୟୀଙ୍କ ବାବଦରେ ବା ଅକ୍ଷୟ ମୁକୁଲଙ୍କ ସହ ଜୟପ୍ରକାଶଙ୍କ ବାବଦରେ ଆଲୋଚନା ବେଳେ ଡ. ହରି ଦେବ ଶର୍ମାଙ୍କ କଥା ସର୍ବଦା ମୋ ମନକୁ ଆସିଥିଲା। ତାଙ୍କ ଚେହେରା ମନେପଡ଼ିଥିଲା। ଏହି ଗବେଷକମାନେ ଯୁବକ। ତାଙ୍କୁ ଭେଟିନାହାନ୍ତି। ତେବେ, ତାଙ୍କ ବାବଦରେ ଜାଣନ୍ତି। ତାଙ୍କ ଯୋଗୁଁ ସେମାନଙ୍କ ଗବେଷଣା ସ˚ଭବ ହୋଇଥିବା, ସେମାନେ ଭଲ ଭାବେ ଜାଣନ୍ତି। ଡ. ଶର୍ମାଙ୍କୁ ଜାଣିବାର ସୁଯୋଗ ପାଇଥିବାରୁ ଏବ˚ ତାଙ୍କ କାର୍ଯ୍ୟ ଓ ଜ୍ଞାନ ସହ ପରିଚିତ ଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରେ।

ଡ. ଶର୍ମା ଥିଲେ ବାଙ୍ଗରା ଓ ମୋଟା ମଣିଷ। ପରିଧାନ ସର୍ବଦା କୁର୍ତ୍ତା ଓ ପାଇଜାମା, ଖଦି ତିଆରି, ଉଭୟ ଧଳା ଓ ର˚ଗିନ। ନିଜ ସ୍କୁଟର‌୍‌ ଚଢ଼ି କାର୍ଯ୍ୟାଳୟକୁ ଆସୁଥିଲେ। ସରକାରୀ ପରିବହନ ସୁବିଧା ଯୋଗାଇଦିଆଯାଇଥିଲେ ବି ଗ୍ରହଣ କରି ନ ଥିଲେ। ଏହା ଲେଖୁଥିବା ବେଳେ, ତାଙ୍କ ସହ ଏକ ଥଣ୍ତା ଜାନୁଆରି ପ୍ରଭାତ କଥା ମନେପଡ଼ୁଛି। ପାଠାଗାର ଅଟ୍ଟାଳିକାର ସୋପାନ ଶ୍ରେଣୀରେ ସାକ୍ଷାତ୍‌ ହୋଇଥିଲା। ମୁଁ ସଦ୍ୟ ଏକ ଅଟୋ-ରିକ୍‌ସାରୁ ଓହ୍ଲାଇଥାଏ ଏବ˚ ସେ ସଦ୍ୟ ନିଜର ଭେସ୍‌ପା ସ୍କୁଟର‌୍‌ ପାର୍କି˚ କରି, ହେଲ୍‌ମେଟ୍‌ କାଢ଼ୁଥାଆନ୍ତି। ଦେଖା ହେଉହେଉ ଏହି ପ୍ରକାରେ ଆଲୋଚନା ଆରମ୍ଭ ହୋଇଥିଲା: ଡ. ଶର୍ମା- ‘ରାମ, କେମିତି ଅଛ? ବେଙ୍ଗାଲୁରୁରୁ କେବେ ଆସିଲ?’ ସେ ଶୁଦ୍ଧ ହିନ୍ଦୀରେ ପଚାରିଥିଲେ ଏବ˚ ମୁଁ ଉତ୍ତର ଦେଇଥିଲି ହିନ୍ଦୀ ମିଶ୍ରିତ ଇ˚ଲିସ୍‌ରେ- ‘ମୋ ଫ୍ଲାଇଟ୍‌ କାଲି ରାତିରେ ପହଞ୍ଚିଥିଲା, ହରି ଦେବଜୀ।’ ସେ- ‘ଏ ଥର କାହା ଉପରେ?’ ମୁଁ- ‘ଗାନ୍ଧୀଜୀଙ୍କ ଶିଷ୍ୟମାନଙ୍କ ଉପରେ କିଛି କାମ ଆରମ୍ଭ କରିବାକୁ ଚାହୁଁଛି।’ ସେ- ‘ତାହା ହେଲେ, ମୋ ସଙ୍ଗେ ଆସ।’

ଯଦି ସେହି ଦିନ ପାଠାଗାର ସୋପାନ ଶ୍ରେଣୀ ପାଖରେ ତାଙ୍କ ସହ ଦେଖାହୋଇ ନ ଥାଆନ୍ତା, ମୁଁ ପାଣ୍ତୁଲିପି ଗୃହକୁ ଯାଇଥାଆନ୍ତି, ଅନ୍ଧାରରେ ବାଡ଼ି ବୁଲେଇଥାଆନ୍ତି, ବିନା ପଥ-ପ୍ରଦର୍ଶକ ଓ ବିନା ସହାୟତାରେ ଗବେଷଣା ଆରମ୍ଭ କରିଥାଆନ୍ତି। ମହାତ୍ମାଙ୍କ ହତ୍ୟା ପରେ, ତାଙ୍କ ଅନୁଗାମୀମାନେ କ’ଣ କରିଥିଲେ, ମୁଁ ଜାଣିବାକୁ ଚାହୁଁଥିଲି। ମୋ ଅବଗତି ପାଇଁ ସେ କହିଥିଲେ, ତାହା ହେଲେ ମୋତେ ପ୍ରଥମେ ଅର୍ଥଶାସ୍ତ୍ରୀ ଜେସି କୁମାରାପ୍ପାଙ୍କ ରଚନା ପଢ଼ିବାକୁ ହେବ। ସେଥିରୁ ବିନୋବା ଭାବେ ଏବ˚ ମୀରା ବେନ୍‌ଙ୍କ ବାବଦରେ ନିର୍ଦିଷ୍ଟ ଭାବେ ଜାଣିହେବ। ତାହା ପରେ ମୋତେ ସୀମାନ୍ତ ଗାନ୍ଧୀ ଖାନ ଅବଦୁଲ ଗଫାର ଖାନଙ୍କ ବାବଦରେ ଜାଣିବା ପାଇଁ ଡିଜି ତେଡୁ˚ଲକର ଓ କମଲନୟମ ବଜାଜଙ୍କ ଲେଖା ପଢ଼ିବାକୁ ହେବ। ତାହା ପରେ ସେ ଅନେକ କିଛି ସୁପାରିସ କରିଥିଲେ ଏବ˚ ଉପଦେଶ ଦେଇଥିଲେ, ଯାହା ମୋର ଗବେଷଣାକୁ ଯଥେଷ୍ଟ ସହଜିଆ କରିଦେଇଥିଲା।

୨୦୦୦ର ଆଦ୍ୟ ଭାଗରେ ଡ. ଶର୍ମା ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ଉପ-ନିର୍ଦେଶକ ଭାବେ ଅବସର ନେଇଥିଲେ। ସେହି ବର୍ଷ ଶେଷ ଆଡ଼କୁ ତାଙ୍କର ପରଲୋକ ହୋଇଥିଲା। ତାହା ପରେ ଯେତେବେଳେ ବି ‘ଏନ୍‌ଏମ୍‌ଏମ୍‌ଏଲ୍‌’ ପରିସର ମଧ୍ୟକୁ ପ୍ରବେଶ କରିଛି, ମନେପଡ଼ିଛି- ତାଙ୍କର ଚେହେରା ଓ ହେଲ୍‌ମେଟ୍‌, ତାଙ୍କ ସହ, ତାଙ୍କ ପ୍ରକୋଷ୍ଠକୁ ଯିବା ଆଦି। ତେବେ, ଗତ ଏଗାର ମାସରେ ମୋର ପ୍ରିୟ ଅଭିଲେଖାଗାରକୁ ମୁଁ ଯାଇପାରିନାହିଁ। ୨୦୨୧ରେ ଯାଇପାରିବି କି ନା, ମୁଁ ଜାଣେନା। କିଛି ବର୍ଷ ହେଲା, କ୍ରମାଗତ ଭାବେ ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ଅପରିବର୍ତ୍ତନୀୟ ଅବକ୍ଷୟ ଘଟିଚାଲିଛି। ଅବସର ଗ୍ରହଣ କରିଥିବା ଅଭିଜ୍ଞ ଅଭିଲେଖକଙ୍କ ସ୍ଥାନ ପୂରଣ କରାଯାଇନାହିଁ। ଦାନ ଓ ଉପହାର ସୂତ୍ରରେ ମିଳିଥିବା ଅନେକ ମୂଲ୍ୟବାନ୍‌ ସ˚ଗ୍ରହର ସୂଚୀକରଣ କରାଯାଇନାହିଁ। ସେଗୁଡ଼ିକ ଉପରେ ଧୂଳି ଜମିଗଲାଣି। ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ପ୍ରଶାସନ ଏବେ ଏହାର ରାଜନୈତିକ ମୁରବିମାନଙ୍କ ଦ୍ବାରା ପରିଚାଳିତ। ଗବେଷକମାନଙ୍କୁ ଅସମ୍ମାନ କରାଯାଉଛି; ସେମାନେ କୌଣସି ସହଯୋଗ ପାଉନାହାନ୍ତି। ନୂଆଦିଲ୍ଲୀରେ ତିଆରି ଚାଲିଥିବା ଅନ୍ୟ ଅନେକ କୁତ୍ସିତ-କଦାକାର ସୌଧ ଭଳି ‘ଏନ୍‌ଏମ୍‌ଏମ୍‌ଏଲ୍‌’ ପରିସରରେ ଥିବା ଲନ୍‌ରେ ଏକ ନୂଆ ଅଟ୍ଟାଳିକାର ନିର୍ମାଣ ଚାଲିଛି। ଏଠାରେ ମଧ୍ୟ ଏବର ପ୍ରଧାନମନ୍ତ୍ରୀଙ୍କର ବୃଥା ଅହମିକା ପ୍ରତିଫଳିତ।

ମୋଦୀଙ୍କ ରାଜୁତିରେ ‘ଏନ୍‌ଏମ୍‌ଏମ୍‌ଏଲ୍‌’ର ଅବସ୍ଥା କ’ଣ ହେବ ଏବ˚ ଏହା କେଉଁଠି ପହଞ୍ଚିବ, ଏବେଠାରୁ ଜାଣିବା କଷ୍ଟକର। ଏକଦା ଏହା ଥିଲା ବୌଦ୍ଧିକ ଉତ୍କର୍ଷର ଏକ ମହାନ୍‌ କେନ୍ଦ୍ର। ଏହା ସବୁ ପିଢ଼ି, ଆଦର୍ଶ ଓ ଜାତୀୟତାର ଗବେଷକମାନଙ୍କୁ ସ୍ବାଗତ ଏବ˚ ସହଯୋଗ କରୁଥିଲା। ଏବେ ଏହା ଏକ ଅବହେଳିତ ପୀଠ। ଏହା ପୁଣି ଥରେ ନିଜକୁ ପରିବର୍ତ୍ତିତ କରିପାରିବ କି ନା ସ˚ଦେହ। ‘ଏନ୍‌ଏମ୍‌ଏମ୍‌ଏଲ୍‌’ ଯେତେବେଳେ ଉତ୍କର୍ଷର ଚରମ ସୀମାରେ ଥିଲା, ମୁଁ ଏହାକୁ ଜାଣିବାର ସୁଯୋଗ ପାଇଥିଲି। ତେଣୁ, ମୁଁ ନିଜକୁ ଭାଗ୍ୟବାନ ବୋଲି ମନେକରେ। ପୁଣି, ଯୁବ ଗବେଷକମାନେ ଏହି ଅନୁଷ୍ଠାନର ଲାଭ ପାଇବାରୁ ବଞ୍ଚିତ ହେବେ ଭାବି କଷ୍ଟ ଲାଗେ। ଯେଉଁମାନେ ଏ ଯାଏ ଜନ୍ମ ହୋଇନାହାନ୍ତି, ସେମାନେ କେବେ ହେଲେ ଏଠାରୁ ତାହା ପାଇପାରିବେନାହିଁ, ଯାହା ଏହି ମହାନ୍‌ ଅଭିଲେଖାଗାର ଏକଦା ମୋତେ ଦେଇଥିଲା ଏବ˚ ଯାହାକୁ ମାଧ୍ୟମ କରି ମୁଁ ଆଜୀବନ ଧାରଣକ୍ଷମ ହୋଇପାରିଛି।

ସମ୍ବନ୍ଧିତ ଖବର