ସରକାର ଓ ଚାଷୀଙ୍କ ଭିତରେ ଅଦାଲତ କାହିଁକି?

ଦୃଶ୍ୟପଟ - କୁମାର ପ୍ରଶାନ୍ତ

ସରକାର ତଥା ଏହାର ପ୍ରଚାର ଉପରେ ଆନ୍ଦୋଳନକାରୀ କୃଷକମାନେ ଯେତିକି ବର୍ଷି ନାହାନ୍ତି, ତାହାଠାରୁ ଅଧିକ ବର୍ଷିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ- ସୁପ୍ରିମ୍‌ କୋର୍ଟ‌୍‌। ତାହା ଶୁଣିବା ପରେ ସରକାରକୁ କ’ଣ ଲାଗିଲା, ମୁଁ ଜାଣେନା; କିନ୍ତୁ, ମୋ’ ମୁହଁ ଲାଜରେ ପୋଡ଼ିଗଲା ପରି ଲାଗିଲା! ସର୍ବ-ଶକ୍ତିମାନ ସରକାରକୁ ଏମିତି କିଏ କହେ ଭଲା! କେନ୍ଦ୍ର ସରକାରର ଦୁଇ ନ˚ବର‌୍‌ ବଡ଼ ଆଇନ ପରାମର୍ଶଦାତା ତୁଷାର ମେହତାଙ୍କ କାନରେ ଯେତେ ବେଳେ ଅଦାଲତଙ୍କର ଏହି ଧିକ୍କାର ପଡ଼ିଲା, ବିଚରା ହଡ଼ବଡ଼େଇ ଗଲେ। ତାଙ୍କ ତୁଣ୍ତରୁ ବାହାରିଲା- ‘ସରକାର ବାହାଦୁରଙ୍କ ପ୍ରତି ଅଦାଲତ ବଡ଼ କଠୋର ଭାଷା ପ୍ରୟୋଗ କରୁଛନ୍ତି!’

ଅଦାଲତ ତ ଏମିତିରେ ଉତ୍‌କ୍ଷିପ୍ତ ଥିଲେ, ତୁଷାରବାବୁଙ୍କ କଥା ଶୁଣି, ଆହୁରି ବିଗିଡ଼ିଗଲେ- ‘ଯେଉଁ ସତ୍ୟ ଆମ ଆଖିକୁ ଜଳଜଳ ଦିଶୁଛି, ତାହା ଦେଖିବା ପରେ, ସରକାର ପ୍ରତି ଏହା ଠାରୁ ନିରୀହ-କୋମଳ ଦୃଷ୍ଟିଭଙ୍ଗୀ ରଖା ଯାଇପାରିବନାହିଁ। ବିଚରା ତୁଷାରବାବୁଙ୍କ ପାଟି ଅଠାଅଠା ହୋଇଗଲା। ଛିଡ଼ା ହୋଇ ରହିଲେ; ତାଙ୍କ ତୁଣ୍ତରୁ ଆଉ କିଛି ବାହାରିପାରିଲାନାହିଁ। ତାଙ୍କ ଅବସ୍ଥା ଦେଖି, ଆଗକୁ ବାହାରିଲେ କେନ୍ଦ୍ରର ଏକ ନ˚ବର‌୍‌ ଆଇନ ପରାମର୍ଶଦାତା, କେକେ ବେଣୁଗୋପାଳ- ‘ସରକାର ଦ୍ବାରା ବନାଯାଇଥିବା କୌଣସି ଆଇନ ଉପରେ ଆପଣ କିପରି ରହିତାଦେଶ ଦେଇପାରିବେ? ଆପଣଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। କାରଣ, କୃଷକ ସ˚ଗଠନଗୁଡ଼ିକ ସହ ସରକାରଙ୍କର ବାର୍ତ୍ତାଳାପ-ଆଲୋଚନା ଚାଲିଛି।’ ବେଣୁଗୋପାଳଙ୍କ ତୁଣ୍ତର କଥା ନ ସରୁଣୁ, ଅଦାଲତ ଗୁରୁ-ଗମ୍ଭୀର ସ୍ବରରେ କହିଲେ- ‘ଆମକୁ ଧୈର୍ଯ୍ୟ ଧରିବା ପାଇଁ ଉପଦେଶ ଦିଅନ୍ତୁନାହିଁ। ଆମେ ତ ପୂର୍ବରୁ ସ୍ପଷ୍ଟ କରିଥିଲୁ, ନୂଆ ଆଇନ ଲାଗୁ କରିବାରୁ ଯଦି ନ ଓହରିବେ, ଆମେ ରହିତାଦେଶ ଦେବୁ। ଆଇନଗୁଡ଼ିକ ବିବାଦୀୟ। ଆପଣ ଲାଗୁ ନ କରି, ପ୍ରଥମେ ଆଲୋଚନା କରନ୍ତୁ। ନ ହେଲେ ଆମେ କରିବୁ। ଆପଣ ଏହାର କୌଣସି ଉତ୍ତର ରଖିଲେ ନାହିଁ। ଆମେ ଏବେ ରକ୍ତପାତର ଆଶଙ୍କାକୁ ନେଇ ଚିନ୍ତିତ। ଅଦାଲତ ଉପରେ ରକ୍ତର ଛିଟା ପଡ଼ୁ, ଏହା ମଧ୍ୟ ଆମେ ଚାହୁଁନା।’ ଏତେ ସବୁ ଘଟିବା ପରେ ଅଦାଲତ ହଠାତ୍‌ ଶକ୍ତ ହୋଇଉଠିଛନ୍ତି।

କୃଷକମାନେ ଯେଉଁ ବିବାଦୀୟ ଆଇନଗୁଡ଼ିକର ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି, ଅଦାଲତ ସେଗୁଡ଼ିକ ଉପରେ ରହିତାଦେଶ ଜାରି କଲେ। ତେବେ, ଏହା ବୁଝିହେଉନାହିଁ, ରହିତାଦେଶ ପାଇଁ ପ୍ରାର୍ଥନା କିଏ କରିଥିଲା? କୃଷକମାନେ ତ କେବେ ଏହା ଚାହିଁ ନ ଥିଲେ କି ଏଥି ପାଇଁ ପ୍ରାର୍ଥନା କରି ନ ଥିଲେ। ସେମାନେ ତ ପ୍ରଥମରୁ ହିଁ ତିନି ଆଇନର ପ୍ରତ୍ୟାହାର ଦାବି କରିିଚାଲିଛନ୍ତି; ଏକା ଦାବି ନେଇ ଏ ପର୍ଯ୍ୟନ୍ତ ଜମା ହୋଇଛନ୍ତି। ସେମାନେ ସରକାରକୁ ମଧ୍ୟ ଏହା କହିସାରିଛନ୍ତି- ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଘରକୁ ଫେରିବୁ ନାହିଁ। ସରକାର ବି କେବେ କହିନାହିଁ ଯେ, ଏହା ଆଇନଗୁଡ଼ିକ ଲାଗୁ ନ କରିବା ପାଇଁ ଅଦାଲତଙ୍କ ଉପଦେଶ ଉପରେ ବିଚାର କରୁଛି। ଅର୍ଥାତ୍‌, ଅଦାଲତ ଯେଉଁ ରାୟ ଶୁଣାଇଛନ୍ତି, ତାହା ନିଜ ମରଜି ଅନୁଯାୟୀ। କେଉଁ ଅଧିକାର ବଳରେ ଅଦାଲତ ଏହା କରିଛନ୍ତି? କାଲି କ’ଣ କୌଣସି ଅଦାଲତ ଆଇନ ବନାଇବାର ଅଧିକାର ନିଜ ହାତକୁ ନେଇଯିବେ? ସରକାର ତିଆରି କରିଥିବା କୌଣସି ଆଇନର ସାମ୍ବିଧାନିକ ତର୍ଜମା କରିବା ଅଦାଲତଙ୍କ ଉପରେ ନ୍ୟସ୍ତ। ତର୍ଜମା ଓ ସମୀକ୍ଷା ବେଳେ ଯଦି ଅଦାଲତଙ୍କର କେତେ ବେଳେ ହୃଦ୍‌ବୋଧ ହୁଏ ଯେ, ସରକାର ସମ୍ବିଧାନର ଲକ୍ଷ୍ମଣ-ରେଖା ଅତିକ୍ରମ କରିଛନ୍ତି, ତାହା ହେଲେ ସେ ଉକ୍ତ ଆଇନକୁ ଖାରଜ କରିପାରିବେ। ଅଦାଲତଙ୍କୁ ଏହା ହିଁ କରିବାର ଥିଲା। ଆଇନଗୁଡ଼ିକର ସାମ୍ବିଧାନିକତା ଯାଞ୍ଚ ବେଳେ ନିଜ ନିଜର ପକ୍ଷ ରଖିବା ପାଇଁ ଉଭୟ ସରକାର ଏବ˚ କୃଷକମାନଙ୍କୁ ଆମନ୍ତ୍ରଣ କରାଯାଇଥାଆନ୍ତା। ଅନ୍ୟ ଇଚ୍ଛୁକ ପକ୍ଷମାନଙ୍କୁ ମଧ୍ୟ ଶୁଣାଯାଇଥାଆନ୍ତା ଏବ˚ ତାହା ପରେ ଅଦାଲତ ରାୟ ଦେଇଥାଆନ୍ତେ। ଅଦାଲତ ଏହା କରିଥିଲେ ସରକାର, କୃଷକ ତଥା ସାରା ଦେଶ ତାଙ୍କୁ ବିଶ୍ବାସକୁ ନେଇଥାଆନ୍ତା। ତାଙ୍କ ରାୟ ମଧ୍ୟ ଆଧାରହୀନ ହୋଇ ନ ଥାଆନ୍ତା, ଏବର ପରି। କୃଷକମାନଙ୍କର ଯେଉଁ କଲ୍ୟାଣ ପାଇଁ ସରକାର ଜିଦ୍‌ ଧରି ବସିଛନ୍ତି, କୃଷକମାନେ ସେହି ଭଳି କଲ୍ୟାଣ କେବେ ଦାବି କରିନାହାନ୍ତି। ଅଦାଲତ ମଧ୍ୟ କୃଷକମାନଙ୍କୁ ଯାହା ଦେବାକୁ ଚାହୁଛନ୍ତି, ତାହା କୃଷକମାନେ କେବେ ଚାହି ନାହାନ୍ତି। ଉଭୟ ଅହେତୁକ କୃପା କରିବା ପାଇଁ କାହିଁକି ଏତେ ଇଚ୍ଛୁକ?

ସରକାରକୁ ଭର୍ତ୍ସନା କରି ଅଦାଲତ କହିଲେ, ସେ ଏକ କମିଟି ତିଆରି କରିବେ, ଯାହାର ଅଧ୍ୟକ୍ଷତା କରିବେ ଜଣେ ପୂର୍ବତନ ମୁଖ୍ୟ ବିଚାରପତି। ଏହି କମିଟିରେ ରହିବେ କୃଷକମାନଙ୍କର ପ୍ରତିନିଧି ଓ ସରକାରର ପ୍ରତିନିଧି ତଥା ଖେତ-ବାଡ଼ି ଏବ˚ କୃଷି-କୃଷକଙ୍କ ଉପରେ ଗଭୀର ଜ୍ଞାନ ଥିବା କିଛି ସାର୍ବଜନୀନ ବିଶେଷଜ୍ଞ। ତେବେ, ଏ ଭଳି କମିଟି ପାଇଁ କିଏ ପ୍ରାର୍ଥନା କରିଥିଲା? ନା ସରକାର ପ୍ରାର୍ଥନା କରିଥି‌େଲ ନା କୃଷକ। ସରକାର ଓ କୃଷକଙ୍କ ଭିତରେ ଜମିଥିବା ବରଫ ଆସ୍ତରଣକୁ ତରଳାଇବା ପାଇଁ ଏହା ଥିଲା ଅଦାଲତୀ ଯୁକ୍ତି। ଯେମିତି କୁହାଗଲା, ସେହି ଭଳି ତିଆରି କରା ଯାଇଥିଲେ, ହୁଏ ତ ଏହା କାମ କରିଥାଆନ୍ତା। ହେଲେ, ଅଦାଲତ ଯେଉଁ କମିଟି ତିଆରି କରିଛନ୍ତି, ତାହା ମୂଲ୍ୟହୀନ ଓ ଅଯଥାର୍ଥ। ସେହି କମିଟିରେ ନା ଅଛନ୍ତି କୌଣସି ମୁଖ୍ୟ ନ୍ୟାୟାଧୀଶ ନା କୌଣସି କୃଷକ ପ୍ରତିନିଧି ନା ସରକାରର କୌଣସି ପ୍ରତିନିଧି। ଏଥିରେ କୌଣସି ନିର୍ବିବାଦୀୟ ସାର୍ବଜନୀନ ବିଶେଷଜ୍ଞ ମଧ୍ୟ ନାହାନ୍ତି। ଧର୍ମାବତାର, ଆପଣ ଯାହା କହିଲେ, ତାହା ତ କଲେନାହିଁ। ଏହି ସରକାର ମଧ୍ୟ ଏହି ଭଳି କରି ଆସିଛି। ଏହି ସରକାର ଯାହା କହେ, ତାହା କରେନାହିଁ। ଆପଣ ତିଆରି ଥିବା କମିଟିର ସଦସ୍ୟଙ୍କ ସ˚ପର୍କରେ ମୁଁ ବ୍ୟକ୍ତିଗତ ସ୍ତରର ଟିପ୍ପଣୀ ଦେବି ନାହିଁ। କେବଳ ଏତିକି କହିବି ଯେ ଆପଣ ଯେଉଁ କମିଟି ତିଆରି କରିଛନ୍ତି, ତାହାଠାରୁ ଫମ୍ପା ଓ ମୂଲ୍ୟହୀନ କିଛି ବି ଚିନ୍ତା କରାଯାଇ ନ ପାରେ। ଏଥିରେ ସେହି ସମସ୍ତଙ୍କୁ ନିଆଯାଇଛି, ଯେଉଁମାନେ କଥାର ଭାତ ଖାଆନ୍ତି ଏବ˚ କାଗଜ ଖେତରେ ଫସଲ ଅମଳ କରନ୍ତି।

ଧର୍ମାବତାର, ଆପଣ ନିଜର ଭୁଲ୍‌କୁ ଲୁଚାଇବା ନିମନ୍ତେ ଏହା ସଫେଇ ଦେଇଛନ୍ତି ଯେ ଏହି କମିଟି ନିଜର ଆବଶ୍ୟକତା ଓ ସହାୟତା ପାଇଁ ତିଆରି କରିଛନ୍ତି। ନିଜର ପରାମର୍ଶଦାତା ବାଛିବାର ଅଧିକାର ଓ ସ୍ବାଧୀନତା ତ ଆପଣଙ୍କର ଅଛି। ଶୁଣିଛି ଜଣଙ୍କର ବନ୍ଧୁ ମହଲରେ କେଉଁମାନେ ଅଛନ୍ତି, ସେଥିରୁ ତାଙ୍କର ଅସଲ ଚେହେରା ବୁଝାପଡ଼େ! ଠିକ୍‌ ସେହି ପରି ଜଣେ, କାହାର ବା କେଉଁମାନଙ୍କର ଉପଦେଶ ଦ୍ବାରା ପରିଚାଳିତ ସେଥିରୁ ତାଙ୍କର ଅସଲ ପରିଚୟ ଜଣାପଡ଼େ! ଆପଣ ସହାୟତା ତଥା ପରାମର୍ଶ ପାଇଁ ଯେଉଁମାନଙ୍କୁ ବାଛିଛନ୍ତି, ସେମାନଙ୍କ ସାହାଯ୍ୟ ଓ ପରାମର୍ଶ ଅବଶ୍ୟ ନିଅନ୍ତୁ। ତେବେ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯେ କୃଷକ, ସମାଜ ଓ ଗଣମାଧ୍ୟମ ଆଗକୁ ଆସିଯିବେ, ଏଭଳି ଆଶା କରନ୍ତୁନାହିଁ। ଯଦି ଅଦାଲତଙ୍କୁ କୃଷକ ଆନ୍ଦୋଳନର ଶକ୍ତି, ଏହାର ବିସ୍ତାର, ଏହାର ଶାନ୍ତିପୂର୍ଣ୍ଣ ଓ ଆଇନ-ସମ୍ମତ ଚରିତ୍ର, ଏହାର ଏକକ ଦାବି ଏବ˚ ସରକାରର ଜିଦି ବାବଦରେ ସାମାନ୍ୟତମ ଧାରଣା ଥାଆନ୍ତା, ସେ କ’ଣ ଏ ଭଳି ରାୟ ଶୁଣାଇଥାଆନ୍ତେ ନା ଏ ଭଳି କମିଟି ଗଠନ କରିଥାଆନ୍ତେ?

ଧର୍ମାବତାର, ଆପଣ ତ କହିଛନ୍ତି, କୃଷକମାନଙ୍କର ଏହି ଆନ୍ଦୋଳନରୁ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଝଲକ ମିଳୁଛି ବୋଲି। ହେଲେ, ଆପଣଙ୍କ ଠାରେ ଗାନ୍ଧୀ ମହାତ୍ମାଙ୍କର କୌଣସି ଝଲକ କାହିଁକି ଦେଖିବାକୁ ମିଳୁନାହିଁ? ଗାନ୍ଧୀଙ୍କର ଯଦି କୌଣସି ସକାରାତ୍ମକ ଅର୍ଥ ଅଛି, ଅଦାଲତ ତାହା ଠାରୁ ଏତେ ଦୂରରେ କାହିଁକି ଦିଶୁଛନ୍ତି? ଯେତେବେଳେ ଆଟର୍ନି ଜେନେରାଲ୍‌ ମହାଶୟ ଅଦାଲତରେ ଭିତ୍ତିହୀନ, କପୋଳ-କଳ୍ପିତ ମିଥ୍ୟା ଉପସ୍ଥାପନପୂର୍ବକ କହିଲେ ଯେ ଆନ୍ଦୋଳନ ଭିତରକୁ ଖଲିସ୍ତାନୀ ଆତଙ୍କବାଦୀ ପଶିଆସିଛନ୍ତି, ସେତେବେଳେ ଆପଣ ନିରବ ରହିଲେ କିପରି? ସେତେବେଳେ ତ ଗାନ୍ଧୀଜୀଙ୍କୁ ମନେ ପକାଇ ଆପଣ ଅତି କମ୍‌ରେ ଏତିକି ତ କହିପାରିଥାଆନ୍ତେ, ଆମ ଅଦାଲତରେ ଏ ଭଳି ମିଥ୍ୟା ଆରୋପର କୌଣସି ସ୍ଥାନ ନାହିଁ! ବେଣୁଗୋପାଳ ମହାଶୟ ଏହା ଭୁଲିଯିବା ଅନୁଚିତ ଯେ, ସେ ଯେଉଁ ସରକାର ପାଇଁ ଅଦାଲତରେ ଛିଡ଼ାହୋଇଛନ୍ତି, ସେଥିରେ ଭ୍ରଷ୍ଟାଚାରୀ ଅଛନ୍ତି ଏବ˚ ଅପରାଧୀ ବି। ସେଥିରେ ସା˚ପ୍ରଦାୟିକ ପ୍ରତିନିଧିମାନେ ସ˚ଖ୍ୟାଗରିଷ୍ଠ। ଦଳ ବଦଳକାରୀ ଅଛନ୍ତି; ଅଯୋଗ୍ୟ ଓ ଅପାରଗ ବି। ବେଣୁଗୋପାଳ ମହାଶୟ, ଆମେ ବା କୃଷକମାନେ ତ ଆପଣଙ୍କୁ ଅଯୋଗ୍ୟ କହୁନାହୁଁ। ଏହି କଦର୍ଯ୍ୟ ଖେଳ ରାଜନେତାମାନଙ୍କୁ ଖେଳିବାକୁ ଦିଅନ୍ତୁ। ଆପଣ, ଯେତିକି ଦରକାର, କେବଳ ସେତିକି କରନ୍ତୁ; ତାହା ହେଲେ ସମ୍ମାନରେ ଆଞ୍ଚ ଆସିବନାହିଁ। କୃଷକମାନଙ୍କୁ ଆତଙ୍କବାଦୀ, ଖଲିସ୍ତାନୀ, ଦେଶଦ୍ରୋହୀ ଆଦି କହିବା, ଆପଣଙ୍କ ପାଇଁ ଲଜ୍ଜାକର। କାରଣ, ସମସ୍ତେ ଏହା ଭଲ ଭାବେ ଜାଣନ୍ତି ଯେ, ଚାଲିଥିବା କୃଷକ ଆନ୍ଦୋଳନ ଶାନ୍ତି, ସହଯୋଗ, ସ˚ଯମ, ଗରିମା ଓ ଭାଇଚାରାର ଚଳନ୍ତି ପାଠଶାଳା।

କେନ୍ଦ୍ରର ବିଭିନ୍ନ ପେଞ୍ଚ ବଳରେ ହରିୟାଣା ସରକାର ଆଉ କିଛି ଦିନ ତିଷ୍ଠି ଯାଇପାରେ। ତେବେ, ଏହା ପୋଲା ହୋଇସାରିଲାଣି। କୃଷକମାନଙ୍କୁ ଆହ୍ବାନ ନ ଦେବାକୁ ଅଦାଲତ ଦେଶର ସମସ୍ତ ଖଟ୍ଟର ସାହେବମାନଙ୍କୁ ଏବ˚ ସେମାନଙ୍କର ତ୍ରାଣକର୍ତ୍ତା କେନ୍ଦ୍ର ସରକାରକୁ ଉପଦେଶ ଦେଲେ ଭଲ ହୁଅନ୍ତା। କର୍ନାଲରେ ଯାହା ଘଟିଲା, ତାହା ଏହାର ପରିଣାମ। ସମସ୍ତ କୃଷକ ତ ଆଉ ଗାନ୍ଧୀଙ୍କ ପରି ସ˚ଯମୀ ସତ୍ୟାଗ୍ରହୀ ନୁହନ୍ତି! ସେମାନଙ୍କୁ ତତାଇଲେ, ଅରାଜକତା ଉପୁଜିପାରେ। ଗାନ୍ଧୀ, ଏହି କଥା, ଗୋରା ଇ˚ରେଜମାନଙ୍କୁ କହିଥିଲେ। ଆଜି ତାଙ୍କ ଜୋତା ପିନ୍ଧି ଚାଲୁଥିବା ଲୋକଙ୍କୁ ଅଦାଲତଙ୍କର ଏହା କହିବାର ଥିଲା। କିନ୍ତୁ, ଅଦାଲତ ତାହା କରିନାହାନ୍ତି। ନ୍ୟାୟ ପ୍ରସଙ୍ଗରେ କହାଯାଏ, ବିଳମ୍ବିତ ନ୍ୟାୟ, ଅନ୍ୟାୟକୁ ବଦଳିଯାଏ। ଅଦାଲତଙ୍କୁ ମନେ ପକାଇ ଦେବାକୁ ଚାହୁଛୁ ଯେ, କୃଷକମାନେ ତଥା ଆମେମାନେ ଆଉ ତାଙ୍କୁ ବିଶ୍ବାସ କରିପାରୁନାହୁଁ। କାରଣ, ସା˚ପ୍ରଦାୟିକ ଦଙ୍ଗା ଓ ହତ୍ୟାକାଣ୍ତ ବେଳେ ଅଦାଲତ ନିରବଦ୍ରଷ୍ଟା ସାଜିଥିଲେ। କାଶ୍ମୀର ମାମଲାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି। ରାମ ମନ୍ଦିର ନିର୍ମାଣ ଓ ବାବ୍ରୀ ମସ୍‌ଜିଦ ଭଙ୍ଗ ପ୍ରସଙ୍ଗରେ ଅଦାଲତଙ୍କର ଭୂମିକା ଏକ ସଙ୍ଗେ ମୂକ, ବଧିର ଓ ଅନ୍ଧ ଭଳି ଥିଲା। ଆମେ ଆହୁରି ମଧ୍ୟ ଦେଖୁଛୁ, ମିଥ୍ୟା ଆରୋପ ଏବ˚ ଅସାମ୍ବିଧାନିକ ଆଇନ ବଳରେ କେମିତି କିଛି ସାମାଜିକ କର୍ମୀ ଓ ସକ୍ରିୟତାବାଦୀ ଲମ୍ବା ସମୟ ଧରି କାରାଗାରରେ ଅଟକ ଅଛନ୍ତି। ସେମାନଙ୍କ ମାମଲାର ନା ଶୁଣାଣି ହେଉଛି ନା ବିଚାର। ଭରସା ଓ ବିଶ୍ବସନୀୟତା ବଜାରରେ ବିକ୍ରି ହୁଏନାହିଁ। ନିରନ୍ତର ବିଚାରଶୀଳ କର୍ମ ଦ୍ବାରା ଏହା ଲାଭ କରାଯାଇପାରେ। ଏଣୁ କୃଷକମାନେ, ଅଦାଲତଙ୍କ ନିକଟକୁ ଯିବାକୁ ଚାହୁନାହାନ୍ତି। ସେମାନେ ସରକାର ପାଖକୁ ଯିବାକୁ ଚାହୁଛନ୍ତି; କାରଣ, ସେମାନେ ହିଁ ଏହି ସରକାର ଗଢ଼ିଛନ୍ତି। ଯେଉଁ ପର୍ଯ୍ୟନ୍ତ ଲୋକତନ୍ତ୍ର ଅଛି ଲୋକେ ହିଁ ସରକାର ଗଢ଼ିବେ, ଭାଙ୍ଗିବେ ଏବ˚ ବଦଳାଇବେ। ଅଦାଲତଙ୍କ ସହ ଲୋକଙ୍କର ଏ ଭଳି ସ˚ପର୍କ ନାହିଁ। ତେଣୁ, ଅଦାଲତ ସର୍ବଦା ସିଧା ଓ ସରଳ ରାସ୍ତାରେ ଅଗ୍ରସର ହେବା ଦରକାର, ଯେମିତି ଲୋକଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ।

(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର