ସମଲେଇପଦରର ବହ୍ନିକନ୍ୟା- ‘ବାଏରୀ’

ଜନ୍ମ ଦିନ ସ୍ମରଣେ - ସୁଜିତ କୁମାର ପୃଷେଠ

୧୯୪୨ ଅଗଷ୍ଟ ବେଳକୁ ବରଗଡ଼, ସହର ପାଖରେ ଥିବା ଜୀରା ନଦୀ ବର୍ଷା ଜନିତ ବନ୍ୟାରେ ଫୁଲି ଉଠିଥାଏ। ସେତେବେଳକୁ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାର ଯାଦୁକରୀ ସ୍ପର୍ଶ ଜୀରା ନଦୀ ଆର ପଟରେ ଥିବା ସମଲେଇପଦର ତଥା ପାଣିମୋରାର ଯୁବ ଗୋଷ୍ଠୀଙ୍କ ମନ ମଧ୍ୟ ଉଦ୍‌ବେଳନ ସହ ଫୁଲି ଉଠିଥାଏ; ହୃଦୟରେ ଜଳି ଉଠିଥାଏ ଦେଶପ୍ରୀତିର ଲେଲିହାନ ଶିଖା। ଏହି ଯୁବଗୋଷ୍ଠୀରେ ଥିଲେ ସତର ବର୍ଷ ବୟସ୍କା ସମଲେଇପଦରର ଜଣେ ଯୁବତୀ। ଛୋଟ ବେଳୁ ନିଜର ବେପରୁଆ ମନୋଭାବ ଏବ˚ ଏକଜିଦିଆ ଗୁଣ ପାଇଁ ସମଲେଇପଦର‌ ଗାଁରେ ଲୋକେ ତାଙ୍କୁ ‘ବାଏରୀ’ ବୋଲି ଡାକୁଥିଲେ। ସମଲେଇପଦର ହେଉଛି ତତ୍କାଳୀନ ସମ୍ବଲପୁର ଏବ˚ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ପାଖରେ ଥିବା ଏକ ଛୋଟ ମଫସଲ ଗାଁ। ଗାନ୍ଧୀଜୀଙ୍କ ନିର୍ଦ୍ଦେଶକୁ ପାଥେୟ କରି ସେହି ସତର ବର୍ଷୀୟା ‘ବାଏରୀ’ ଜୀରା ନଦୀର ଉଛୁଳା ପାଣିକୁ ଭ୍ରୂକ୍ଷେପ ନ କରି ଧାଇଁଥିଲେ ବରଗଡ଼କୁ। ସେ ପହଞ୍ଚିଥିଲେ ତତ୍କାଳୀନ ବରଗଡ଼ର ଏସ୍‌.ଡିି.ଓ ବି. ମୁଖାର୍ଜୀଙ୍କ ଅଫିସ୍‌ରେ। ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଶାନ୍ତିପୂର୍ଣ୍ଣ ଓ ଅହି˚ସ ମାର୍ଗରେ ଅଥଚ ଅପରିମିତ ସାହସ ବଳରେ ଏସ୍‌.ଡି.ଓ ଅଫିସ୍‌କୁ ଏକରକମ ଦଖଲ କରି ନେଇଥିଲେ ‌େସ। ଏସ୍‌.ଡି.ଓଙ୍କ ଚୌକିରେ ବସି ନିଜକୁ ମହାତ୍ମା ଗାନ୍ଧୀଙ୍କ ସୈନିକ ଭାବରେ ପରିଚୟ ଦେଇ ତତ୍କାଳୀନ ଏସ୍‌.ଡି.ଓଙ୍କୁ ବାନ୍ଧି ଆଣିବାକୁ ଉପସ୍ଥିତ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ବ୍ରିଟିସ ସରକାରଙ୍କ ରାଜୁତି ସମୟରେ ସମଲେଇପଦରର ‘ବାଏରୀ’ଙ୍କ ଏଭଳି କାରନାମା ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଇତିହାସରେ ଏକ ଅପେକ୍ଷାକୃତ ଅନାଲୋଚିତ ଅଧୢାୟ ହୋଇ ରହି ଆସିଛି।

ସମଲେଇପଦର‌ର ସେହି ସତର ବର୍ଷୀୟା ‘ବାଏରୀ’ ଆଉ କେହି ନୁହନ୍ତି; ସେ ହେଉଛନ୍ତି ପାର୍ବତୀ ଗିରି। ବହ୍ନିକନ୍ୟା ପାର୍ବତୀ ଗିରି ଭାବେ ସେ ସାରା ଓଡ଼ିଶାରେ ପରିଚିତ ଥିଲେ। ବରଗଡ଼ ଏସ୍‌.ଡି.ଓ ଅଫିସ୍‌ ଦଖଲ କରିଥିବା କାରଣରୁ ପାର୍ବତୀ ଗିରି ଭୋଗିଥିଲେ ଦୁଇ ବର୍ଷ ପାଇଁ ଜେଲ ଦଣ୍ତ। ଜେଲରୁ ମୁକୁଳିବା ପରେ ୧୯୪୫ରୁ ୧୯୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଵାର୍ଦ୍ଧାସ୍ଥିତ ସେବାଗ୍ରାମରେ ରଚନାତ୍ମକ ସେବା ଏବ˚ କାର୍ଯ୍ୟର ତାଲିମ ପାଇଥିଲେ। ପୁଣି ୧୯୪୯ରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ପ୍ରୟାଗ ମହିଳା ବିଦ୍ୟାପୀଠରେ ଉଚ୍ଚ ଶିକ୍ଷା ଲାଗି ଯୋଗ ଦେଇଥିଲେ। ଏହି ସମୟରେ ହିନ୍ଦୀ ସାହିତ୍ୟର ମହନୀୟ କବି ମହାଦେବୀ ବର୍ମା, ପାର୍ବତୀ ଗିରିଙ୍କ ଅଦମ୍ୟ ସାହସରେ ପ୍ରଭାବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଗୋପବନ୍ଧୁ ଚୌଧୁରୀ ଏବ˚ ରମାଦେବୀଙ୍କ ପରାମର୍ଶରେ ସ୍ବାଧୀନତା ପରେ ସମାଜ ସେବା ଏବ˚ ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ।

୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନର ବହ୍ନିକନ୍ୟା ‘ବାଏରୀ’ ସ୍ବାଧୀନତୋତ୍ତର ଭାରତରେ ରୂପାନ୍ତରିତ ହୋଇଯାଇଥିଲେ ସ୍ନେହ ଓ ମମତାର ଏକ ଜୀବନ୍ତ ମୂର୍ତ୍ତିରେ। ଅସହାୟ ମହିଳା ଏବ˚ ଅନାଥ ଶିଶୁଙ୍କୁ ଆଶାର ଆଲୋକ ଦେଖାଇ ସେମାନଙ୍କୁ ମର୍ଯ୍ୟାଦାବନ୍ତ ଜୀବନ ଦେବାରେ ସେ ସମର୍ପିତ ହୋଇଥିଲେ। ନୃସି˚ହନାଥ ନିକଟସ୍ଥ ପାଇକମାଳରେ ସେ ପ୍ରତିଷ୍ଠା କରିଥିଲେ କସ୍ତୁରବା ମାତୃ ନିକେତନ। ଜଣେ ମମତାମୟୀ ମା’ ଭାବରେ ତାଙ୍କ ଅଯାଚିତ ଏବ˚ ହୃଦୟ ଖୋଲା ମମତା, ଅସହାୟ ମହିଳା ଏବ˚ ନିରାଶ୍ରୟ ଶିଶୁଙ୍କୁ ଜୀବନ ଜିଇବା‌େର ବଳିଷ୍ଠ ସହାୟତା ଦେଇଥିଲା।

ପାର୍ବତୀ ଗିରି ଛୋଟ ଦିନରୁ ଦେଖିଥିଲେ ଦାରିଦ୍ର୍ୟର ପ୍ରକୋପ। ତେଣୁ ଏକ ଅନ୍ତର୍ଚେତନାର ପ୍ରରୋଚନାରେ ସେ ଦୁର୍ଗତ ଏବ˚ ଦରିଦ୍ରଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ। ଗାନ୍ଧୀଜୀଙ୍କ ଵାର୍ଦ୍ଧାସ୍ଥିତ ସେବାଗ୍ରାମରେ ପାର୍ବତୀ ଗିରିଙ୍କ ଏହି ମହତ୍‌ ଅନ୍ତର୍ଚେତନାର ବିକଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ତାକୁ ବ୍ୟବହାରରେ ଲଗାଇଥିଲେ। ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ତ୍ୟାଗ ଏବ˚ ସେବା ଧର୍ମର ଅନ୍ୟ ଏକ ଦୃଷ୍ଟାନ୍ତ ମିଳେ ୧୯୫୪-୫୫ ମସିହାର ଏକ ଘଟଣାରୁ। ସେହି ସମୟରେ ପାର୍ବତୀ ଗିରି ବରପାଲି ପ୍ରୋଜେକ୍ଟସ୍‌ରେ ନର୍ସ ଭାବରେ ସେବା ପ୍ରଦାନ କରୁଥିଲେ। ଦିନେ ବନ୍ଧପାଲିର ଜଣେ ଆସନ୍ନ ପ୍ରସବା ମହିଳାଙ୍କ ପ୍ରସବ କରେଇବା ପାଇଁ ପାର୍ବତୀ ଗିରି ବନ୍ଧପାଲିରେ ବର୍ଷଣ ମୁଖର ସନ୍ଧ୍ୟାରେ ପହଞ୍ଚିଥିଲେ। ଘରେ ଜଳୁଥିବା ଡିବିରି ଆଲୋକରେ ଦେଖିଲେ ଆସନ୍ନ-ପ୍ରସବାଙ୍କ ଘରେ ଦାରିଦ୍ର୍ୟର କରାଳ ସ୍ପର୍ଶ। ପୁଣି ଦେଖିଲେ, ପ୍ରସବ ସମୟରେ ନିତାନ୍ତ ଭାବେ ଆବଶ୍ୟକ ପଡୁଥିବା କନା ତ ଦୂରର କଥା, ଛିଣ୍ତା କନାଟେ ମଧ୍ୟ ନାହିଁ। ପାର୍ବତୀ ଗିରି ନିଜେ ପିନ୍ଧିଥିବା ଶାଢ଼ିକୁ ଚିରି ଦୁଇ ଖଣ୍ତ କଲେ। ନିଜେ ଅଧାଚିରା ଶାଢ଼ି ଗୁଡ଼େଇ ହୋଇ ଅନ୍ୟ ଖଣ୍ତକୁ ସଦ୍ୟଜାତ ଶିଶୁ ଏବ˚ ମା’ର ବ୍ୟବହାର ପାଇଁ ଉପଯୋଗ କଲେ। ସେ ଦିନ ସେହି ଚିରା ଲୁଗାରେ କଷ୍ଟମଷ୍ଟରେ ଘୋଡ଼େଇ ହୋଇ ନିଜ ବସାକୁ ବର୍ଷାଭିଜା ଅନ୍ଧାର ରାତିରେ ଫେରିଲା ବେଳେ ଶୀର୍ଣ୍ଣ ତନୁ, ଶ୍ୟାମଳୀ ପାର୍ବତୀ ଗିରି ଦିଶୁଥିଲେ ମାନବିକତା, ତ୍ୟାଗ ଏବ˚ ନିଃସ୍ବାର୍ଥପର ସେବାର ଗୋଟିଏ ଉଜ୍ଜ୍ବଳ ଶିଖା ଭଳି।

ମୋ: ୯୮୬୮୭୬୬୭୦୫

ସମ୍ବନ୍ଧିତ ଖବର