ଗଛ ସହ ମିତ୍ରତା

ପ୍ରକୃତି ଚିନ୍ତନ - ହୃଷୀକେଶ ପାଢ଼ୀ

ଗଛର ଜୀବନ ଅଛି ବୋଲି କିଏ ନ ଜାଣେ? ଭାରତୀୟ ବୈଜ୍ଞାନିକ ସାର୍‌ ଜଗଦୀଶ ଚନ୍ଦ୍ର ବୋଷ ଏହା ଆବିଷ୍କାର କରିଥିଲେ। ଅ‌େନକ ବୈଜ୍ଞାନିକ ଏହା ମଧ୍ୟ କହନ୍ତି ଯେ ଗଛରୁ ଡାଳଟିଏ ଭାଙ୍ଗିଲେ ବା ପତ୍ର ଛିଣ୍ଡାଇଲେ ତାକୁ କଷ୍ଟ ହୁଏ। ଅବଶ୍ୟ ଆଉ ଥୋକେ ବୈଜ୍ଞାନିକ କହନ୍ତି ଯେ ଗଛର ମସ୍ତି‌ଷ୍କ ଓ ସ୍ନାୟୁ ମଣ୍ଡଳ ନ ଥିବାରୁ ଏଭଳି ହୋଇ ନ ଥାଏ। କିନ୍ତୁ ଏହା ତ ପ୍ରମାଣିତ ହେଲାଣି ଯେ ଗଛର ମନ ଖୁସି ଥିଲେ ସେ ଆମକୁ ଭଲ ଓ ବଡ଼ ଆକାରର ଫଳ ଦେଇଥାଏ। ଏକ ବିଜ୍ଞାନ ଭିତ୍ତିକ ଟେଲିଭିଜନ ସୋ ‘ମିଥ୍ ବଷ୍ଟର’ ଏହା ପ୍ରମାଣିତ କରିଥିଲା ଯେ ରକ୍‌ ବା ଜାଜ୍ ସଂଗୀତ ବଜାଇବା ଦ୍ବାରା ଗଛର ବୃଦ୍ଧି ଓ ତହିଁରୁ ଅମଳ ଅଧିକ ‌ହୋଇଥାଏ। ସେଥି ଲାଗି ତ ଡେନମାର୍କରେ ପରିବା ଚାଷୀମାନେ ଟମାଟୋ କିଆରିରେ ନିୟମିତ ସଂଗୀତ ପରିବେଷଣର ବ୍ୟବସ୍ଥା କରି ସୁଫଳ ପାଇଥିଲେ ବୋଲି କିଛି ବର୍ଷ ତଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ତେଣୁ ଗଛର ମସ୍ତିଷ୍କ ନ ଥିଲେ ବି ତାହା ଅନୁଭବ କରିପାରେ ବୋଲି ଭାବିଲେ ଭୁଲ ନାହିଁ। ତେଣୁ ଗଛଟିଏ କାଟିବା ପୂର୍ବରୁ ଆମେ ସମସ୍ତେ ଟିକିଏ ଅଟକି ଯାଇ କ୍ଷଣିଏ ବିଚାର କରିବା ଦରକାର ଯେ କଥା କହି ପାରୁ ନ ଥିବା ଏହି ନିରୀହ ପ୍ରାଣୀକୁ କଷ୍ଟ ଦେବା ଉଚିତ ହେବ ତ?

ଅନେକ ଜାଣିଥିବେ ଯେ ପ୍ରାୟ ୪୫୦ କୋଟି ବର୍ଷ ତଳେ ପୃଥିବୀ ଜନ୍ମ ନେଲା। ସେତିକି ବେଳେ ତାହା ଥିଲା ଏକ ଅର୍ଧ ତରଳ ଓ କାଦୁଅ ପିଣ୍ଡ। ସମୟ କ୍ରମେ ଏହା ଥଣ୍ଡା ଓ କଠିନ ହେଲା। ସେତେବେଳେ ପୃଥିବୀର ପ୍ରାୟ ସବୁଆଡ଼େ ସମୁଦ୍ର ଥିଲା। ପୃଥିବୀ ଭିତରର ଉତ୍ତାପ ଯୋଗୁଁ ଜଳଭାଗ (ସମୁଦ୍ର)ରୁ ବହୁତ ଜଳୀୟ ବାଷ୍ପ ସୃଷ୍ଟି ହେଉଥିଲା ଓ ପ୍ରବଳ ବର୍ଷା ଲାଗି ରହୁଥିଲା। ସେ ସମୟର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ, ଆମୋନିଆ ଭଳି ବିଷାକ୍ତ ଗ୍ୟାସ୍‌ ଭରି ରହିଥିଲେ। ମାତ୍ରାଧିକ ଉତ୍ତାପ, ଅତି ବାଇଗଣୀ ରଶ୍ମି ବା ‘ଅଲଟ୍ରା ଭାୟେଲେଟ୍‌ ରେ’, ଓ ବିଷାକ୍ତ ବାଷ୍ପ ମିଶି ପୃଥିବୀକୁ ସିନା ଏକ ବିପଦପୂର୍ଣ୍ଣ ଗ୍ରହରେ ପରିଣତ କରିଥିଲେ; କିନ୍ତୁ ସେତିକି ବେଳେ ଏମିତି କିଛି ପ୍ରକ୍ରିୟା ହେଲା ଯହିଁରୁ ସରଳ ଅଣୁ ସୃଷ୍ଟି ହେଲା। ପ୍ରାୟ ୩୫୦ରୁ ୪୦୦ କୋଟି ବର୍ଷ ତଳେ ଧୀରେ ଧୀରେ ଏହା ଜୀବକୋଷର ରୂପ ନେଲା। ପ୍ରାୟ ୨୫୦ କୋଟି ବର୍ଷ ତଳେ ଏହି ଜୀବକୋଷ ଭିତରୁ ଦଳେ ସୂର୍ଯ୍ୟଙ୍କ କିରଣ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କଲେ। ଏହାକୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଶୋଷିତ ହେବାକୁ ଲାଗିଲା ଏବଂ ଅମ୍ଳଜାନ ସୃଷ୍ଟି ହେଲା। ଫଳରେ ଅମ୍ଳଜାନର ପରିମାଣ ଧୀରେ ଧୀରେ ବଢ଼ିଲା। ଯେଉଁ ପ୍ରାଣୀମାନେ ଏହି ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କଲେ ସେମାନେ ହେଲେ ଉଦ୍ଭିଦମାନଙ୍କ ପୂର୍ବପୁରୁଷ। କ୍ରମେ ଉନ୍ନତ ଉଦ୍ଭିଦମାନେ ବଢ଼ିଲେ। ସମୟ କ୍ରମେ ବଡ଼ ଗଛ ଜାତ ହେଲେ ଓ ସେମାନଙ୍କ ସଂଖ୍ୟା ବଢ଼ିଲା। କ୍ରମେ ଅମ୍ଳଜାନର ପରିମାଣ ବର୍ତ୍ତମାନର ସ୍ଥିତିକୁ ଆସିପାରିଲା ଯହିଁରୁ ଏକ ବିଶାଳ ଜୀବ ଜଗତ୍‌ର ସୃଷ୍ଟି ହେଲା। ତେବେ, ଏଥିପାଇଁ ପୃଥିବୀକୁ ଲାଗିଛି କୋଟି କୋଟି ବର୍ଷ।

ତେଣୁ କହିବାକୁ ଗଲେ ଗଛ ହିଁ ପୃଥିବୀରେ ଜୀବନର ବିକାଶ ଘଟାଇଛି। ଏବଂ ଏହାକୁ ନିର୍ଦ୍ବନ୍ଦ୍ବରେ ସ୍ବୀକାର କରିବାକୁ ହେବ ଯେ ଏବେ ମଧ୍ୟ ଗଛ ସାରା ଜଗତ୍‌କୁ ଖାଦ୍ୟ, ବାସ, ବସ୍ତ୍ର, ଔଷଧ ପ୍ରଦାନ କରି ସୃଷ୍ଟି ସୁରକ୍ଷା ଓ ସଂରକ୍ଷଣର ମୁଖ୍ୟ ସୂତ୍ରଧର ପାଲଟିଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ନେଇ ଅମ୍ଳଜାନର ପରିମାଣ ବଢ଼ାଇବାରେ ଗଛ ସାହାଯ୍ୟ କରୁଛି; ମୃତ୍ତିକା କ୍ଷୟକୁ ରୋକି ମାଟିର ଉର୍ବରତାକୁ ବଜାୟ ରଖୁଛି; ବିଭିନ୍ନ ପ୍ରାଣୀପ୍ରଜାତିଙ୍କୁ ବାସ ସ୍ଥାନ ଯୋଗାଇ ଜୈବ ବିବିଧତାକୁ ବଜାୟ ରଖିଛି। କେବଳ ସେତିକି ନୁ‌େହଁ ଜଳବାୟୁ ଓ ପାଣିପାଗ ବା ମୋଟାମୋଟି ପରିବେଶ ସନ୍ତୁଳନ ପାଇଁ ଗଛର ଅବଦାନ ସର୍ବାଧିକ। ପରିବେଶ ସନ୍ତୁଳନ ଲାଗି ଗୋଟିଏ ଅଞ୍ଚଳର ଏକ ତୃତୀୟାଂଶରେ ଜଙ୍ଗଲ ରହିବା ଦରକାର। ଆଗେ ଭାରତ ଓ ଓଡ଼ିଶାର ବହୁ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଥିଲା। ଏବେ ଏହା ହ୍ରାସ ପାଇବାରେ ଲାଗିଛି। ଓଡ଼ିଶାରେ ଏହା ୧୫ ଭାଗରୁ କମି ଆସିଲାଣି। ଯାହା ବି ରହିଛି ତାହା ବିଶେଷ ସୁରକ୍ଷିତ ନୁହେଁ। ଜଙ୍ଗଲ ନଷ୍ଟ ହେଲେ ଆମ ପରିବେଶ ଉପରେ ଖରାପ ପ୍ରବାହ ପଡ଼ିବ।

ଗଛକୁ ଗୁରୁତ୍ବ ଦେଉ ନ ଥିବାରୁ ଆମେମାନେ କିଭଳି ପାରିବେଶିକ କ୍ଷତିର ସାମନା କରୁଛୁ, ତାହା ଆଉ କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ତେଣୁ ଗଛ ଲଗାଇବା, ତାକୁ ବଞ୍ଚାଇବା ଏବଂ ଦରକାର ପଡ଼ିଲେ ଗଛମାନଙ୍କ ସହିତ କଥାବାର୍ତ୍ତା କରି ମିତ୍ରତା ବାନ୍ଧିବାର ସମୟ ଉପନୀତ ବୋଲି କହିଲେ ଭୁଲ ହେବନାହିଁ।

ବୋଳକଣା, ବେରବୋଇ, ପୁରୀ

ସମ୍ବନ୍ଧିତ ଖବର