ଓଡ଼ିଶା ଚାଷୀଙ୍କ କିଛି ସମସ୍ୟା ଓ ସମାଧାନ

ସ˚ବିତ୍‌ ଦାସ

‘ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆ’ ଅଧ୍ୟୟନ

ଓଡ଼ିଶାର କୃଷି ଉପରେ ‘ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆ’ର ‘ସେଣ୍ଟର‌୍‌ ଫର‌୍‌ ଦ ଆଡ୍‌ଭାନ୍‌ସଡ ଷ୍ଟଡି ଅଫ୍‌ ଇ˚ଡିଆ’(ସିଏଏସ୍‌ଆଇ)ର ଅଧ୍ୟୟନ ଆଧାରରେ ପ୍ରସ୍ତୁତ ଏହି ନିବନ୍ଧ‌େର ଆମେ ଜମି, ନିବେଶ ବ୍ୟୟ, କୃଷି ସହ ଜଳସେଚନର ସ˚ପର୍କ ଏବ˚ ଏଥି ଜନିତ ସମସ୍ୟା ଆଦି ବାବଦରେ ଆଲୋଚନା କରିବା।

ଓଡ଼ିଶାର ୭୫% କୃଷକଙ୍କ ଜମିର ପରିମାଣ ଏକ ହେକ୍‌ଟର‌୍‌ରୁ କମ୍‌। ୨୦୧୫-୧୬ର କୃଷି ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାର ୯୩% ଜମି ବା ଭୂ-ସ୍ବତ୍ବ କ୍ଷୁଦ୍ର ଓ ମଧ୍ୟମ ଧରଣର ଏବ˚ ଅନୌପଚାରିକ ଗଣନା ଅନୁଯାୟୀ ଭୂମିହୀନ ଚାଷୀଙ୍କ ସ˚ଖ୍ୟା ଯଥେଷ୍ଟ ଅଧିକ। ଓଡ଼ିଶାରେ ୧୯୪୭ରେ ଭୂ ସ˚ସ୍କାର ଆଇନ (ଓଡ଼ିଶା ଲାଣ୍ତ୍‌ ରିଫର୍ମ‌୍‌ ଆକ୍‌ଟ,୧୯୪୭) ଲାଗୁ ହୋଇଥିଲା। ଅନ୍ୟର ଜମିରେ ଖଟୁଥିବା କୃଷକଙ୍କୁ ଶୋଷଣରୁ ମୁକ୍ତି ଦେବା ଥିଲା ଏହି ଆଇନର ମୂଳ ଲକ୍ଷ୍ୟ। ଉପନିବେଶ କାଳରୁ ଚାଷୀ ଅନ୍ୟର ଜମିରେ ଖଟିଆସିଛି। ତେବେ, ସାର୍ବଜନୀନ ନୀତି ଲାଗୁ କରିବାରେ ବିଫଳତା ଯୋଗୁଁ ଏହି ପ୍ରଥା ଏବେ ବି ଚାଲିଛି। ରାଜ୍ୟର ସି˚ହ-ଭାଗ ଜମିରେ ଭାଗ-ଚାଷ ଚାଲିଛି। ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ଶୋଷଣ ବନ୍ଦ ହୋଇନାହିଁ। ଆମ ରାଜ୍ୟରେ ଭାଗ-ଚାଷୀମାନେ ଶୋଷଣ-ଅବହେଳାର ଶିକାର। ସେମାନେ କାଗଜପତ୍ରରେ ନିଜକୁ କୃଷିଜୀବୀ ପ୍ରମାଣିତ କରିପାରୁନାହାନ୍ତି। ତେଣୁ, ‘କାଳିଆ’ ଭଳି ଯୋଜନାରୁ ଲାଭ ଉଠାଇପାରୁନାହାନ୍ତି। ବିକେନ୍ଦ୍ରିତ ଶସ୍ୟ ସ˚ଗ୍ରହ ବ୍ୟବସ୍ଥାରେ ଜମି ମାଲିକ ବୋଲି ପ୍ରମାଣ ଲୋଡ଼ା। ଏହା ଅଭାବରୁ ସେମାନେ ଭୋଗୁଛନ୍ତି। ବିଭିନ୍ନ ଯୋଜନା, ଆନୁଷ୍ଠାନିକ ଋଣ ଆଦିର ସୁବିଧା ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଜମିକୁ ପ୍ରକୃତରେ ଚାଷ କରୁଥିବା ଲୋକଙ୍କ ପାଇଁ ଅନେକ କିଛି କରାଯିବା ଦରକାର।

ଏହି ଅଧ୍ୟୟନରେ ମଧ୍ୟସ୍ଥିଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏକ ଦୃଷ୍ଟାନ୍ତ: ସମ୍ବଲପୁରର ଉତ୍ତରାଞ୍ଚଳରେ ଲାଲ ଲଙ୍କା ଚାଷ ହୁଏ। ‘କୁଚିଣ୍ତା ନିୟନ୍ତ୍ରିତ ବଜାର କମିଟି’ର ଉଦ୍ୟମ ସତ୍ତ୍ବେ ଇଏନ୍‌ଏଏମ୍‌ (eNAM) ମାଧ୍ୟମରେ ବ୍ୟବସାୟ ହୋଇପାରୁନାହିଁ। ଏହା ମାଧ୍ୟମରେ ବିକ୍ରିରେ ପ୍ରତିବନ୍ଧ ସାଜୁଛି ଅମଲାତନ୍ତ୍ର। ମଧ୍ୟସ୍ଥିମାନଙ୍କର ଚାପ ମଧ୍ୟ ରହୁଛି। ଯୋଜନା ବିଫଳ ହେବାର ଆଉ ଏକ କାରଣ ନୀଚା ମୂଲ୍ୟ।
ସେହିଭଳି ଓଡ଼ିଶାରେ କୃଷକର ଦୁର୍ଦଶାର ଏକ ମୁଖ୍ୟ କାରଣ ହେଲା ଜଳସେଚନ। ଖରିଫ୍‌ ଋତୁରେ ଚାଷ ହେଉଥିବା ଜମିର ମାତ୍ର ୨୦-୩୦%ରେ ରବି ଚାଷ ହୁଏ। ଅର୍ଥାତ୍‌, ଜଳାଭାବ ଯୋଗୁଁ ଜମି ପଡ଼ିଆ ପଡ଼ୁଥିବା ସ୍ପଷ୍ଟ ଦୃଶ୍ୟମାନ।

କୃଷକ ଆନ୍ଦୋଳନ ପରେ ଲୋକପ୍ରିୟ ଗଣମାଧ୍ୟମଗୁଡ଼ିକରେ ଫସଲର ବିବିଧତା ଉପରେ ରୋଚକ ଆଲୋଚନା ହୋଇଛି। ଓଡ଼ିଶାରେ ଖରିଫ୍‌ ଋତୁର ମୁଖ୍ୟ ଫସଲ ଧାନ। ଏହା ଜୁଲାଇରେ ବୁଣାଯାଏ। ଏହି ଋତୁରେ ମାତ୍ର ୧୦% ପନିପରିବା ଚାଷ କରନ୍ତି। ରବି ଋତୁରେ ଦୃଶ୍ୟ ବଦଳିଯାଏ। ବୁଣାବୁଣି ଆରମ୍ଭ ହୁଏ ଜାନୁଆରି-ଫେବ୍ରୁଆରିରେ। ଆମ ରାଜ୍ୟରେ ଜଳସେଚନ ଅଭାବରୁ ଅଳ୍ପ ସ˚ଖ୍ୟକ ଚାଷୀ ଏହି ଋତୁରେ ଚାଷ କରନ୍ତି। ଯେଉଁ ଅଞ୍ଚଳର ଚାଷୀ ଜଳସେଚନର ସୁବିଧା ପାଉଛନ୍ତି, ସେମାନଙ୍କ ମୋଟ ସ˚ଖ୍ୟାର ଅଧାରୁ ଅଳ୍ପ ଅଧିକ ପନିପରିବା ଚାଷ କରନ୍ତି। ଅର୍ଥାତ୍‌, ଫସଲ ବିବିଧତା କେବଳ ରବି ଋତୁରେ ଦେଖିବାକୁ ମିଳେ। ତେଣୁ, କେବଳ ଜଳସେଚନର ବିକାଶ ଦ୍ବାରା ଫସଲ ବିବିଧତା ଓ ଅମଳ ପରିମାଣରେ ଉନ୍ନତି ସ˚ଭବ।

ବାଲେଶ୍ବରର ଚିଙ୍ଗୁଡ଼ି ଚାଷ ଉପରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏହି ଚାଷରେ ବାର୍ଷିକ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ବାର୍ଷିକ ୪୦୦ ହେକ୍‌ଟର‌୍‌ରୁ ଅଧିକ ଜମି, ଚିଙ୍ଗୁଡ଼ି ଚାଷରେ ଲଗାଯାଉଛି। ଏହା ସ୍ବାଗତଯୋଗ୍ୟ ଏବ˚ ଏଥି ପାଇଁ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ଆବଶ୍ୟକ। ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଚିଙ୍ଗୁଡ଼ି ଚାଷ ବଢ଼ିଲେ, ଅଧିକରୁ ଅଧିକ ନିଯୁକ୍ତି ଓ ରୋଜଗାରର ବାଟ ଖୋଲିବ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିବେଶ ବା ଉତ୍ପାଦନ ବ୍ୟୟ। ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାରେ କୃଷିଜ ଉତ୍ପାଦନ ବ୍ୟୟ ଜାତୀୟ ହାରାହାରି ଠାରୁ ଯଥେଷ୍ଟ କମ୍‌। ଏକ ଦୃଷ୍ଟାନ୍ତ: ୨୦୧୬-୧୭ରେ ସାର ବ୍ୟବହାରରେ ଜାତୀୟ ହାରାହାରି ଥିଲା ହେକ୍‌ଟର‌୍‌ ପିଛା ୧୨୩ କିଲୋଗ୍ରାମ୍‌; ଏହି ସମୟରେ ଓଡ଼ିଶାର ଚାଷୀ ହେକ୍‌ଟର‌୍‌ ପିଛା ମାତ୍ର ୫୭ କିଲୋଗ୍ରାମ୍‌ ସାର ବ୍ୟବହାର କରିଥିଲେ। ଏହି କାରଣରୁ ଅମଳ ମଧ୍ୟ କମୁଛି। ଓଡ଼ିଶାର ଚାଷୀମାନେ ପୂର୍ବ ବର୍ଷ ସ˚ଚୟ କରିଥିବା ଶସ୍ୟକୁ ବିହନ ଭାବେ ବ୍ୟବହାର କରୁଥିବା ବେଳେ ଅନ୍ୟତ୍ର ସ୍ଥାନୀୟ ନିବେଶ ବିଶେଷଜ୍ଞଙ୍କ ମାଧ୍ୟମରେ ବିହନ ଖରଦି କରାଯାଏ। ଏମାନେ ମଧ୍ୟ ଚାଷ ସମ୍ବନ୍ଧୀୟ ନୂତନ ପ୍ରଯୁକ୍ତି କୌଶଳ, ଅଧିକ ଅମଳକ୍ଷମ ବିହନ କିସମ ଆଦି ବାବଦରେ ସୂଚନା ଯୋଗାନ୍ତି।

ନିବେଶ କଥା ଉଠିଲେ ପ୍ରଥମେ ଆସେ- ଋଣ। ଏହା ନିବେଶ ପାଇଁ ମହତ୍ତ୍ବପୂର୍ଣ୍ଣ। ତେବେ, କୃଷି ପାଇଁ ଋଣ ଅନେକ ସମୟରେ ବିପଦପୂର୍ଣ୍ଣ। ‘ଏନ୍‌ଏସ୍‌ଏସ୍‌ଓ-୧୩’ ପ୍ରଦତ୍ତ ଡାଟା ଅନୁଯାୟୀ ଓଡ଼ିଶାର ୫୭.୫% କୃଷକ ପରିବାର ଉପରେ ଋଣ ଗଡ଼ୁଛି। ମୁଖ୍ୟତଃ ବ୍ୟାଙ୍କ୍‌ ଓ ସମବାୟ ସମିତିରୁ ଆନୁଷ୍ଠାନିକ ଋଣ ନିଆଯାଏ। ଯଦିଓ ବୃହତ୍‌ ଚାଷୀମାନେ ସର୍ବାଧିକ ଋଣ ସୁବିଧା ପାଆନ୍ତି ବୋଲି ବିଶ୍ବାସ କରାଯାଏ, କ୍ଷୁଦ୍ର ଚାଷୀ ମଧ୍ୟ ଏହି ସୁବିଧା ପାଉଛନ୍ତି। ଉଭୟ ଚାଷୀ ଅନୌପଚାରିକ ସୂତ୍ରରୁ ଋଣ କରୁଛନ୍ତି। ଶେଷରେ ବିପୁଳ ସୁଧ ଦେଇଦେଇ ହନ୍ତସନ୍ତ ହେଉଛନ୍ତି।

ଏହି ଅଧ୍ୟୟନର ବାର୍ତ୍ତା ସ୍ପଷ୍ଟ। ଆମ ରାଜ୍ୟରେ ଜଳସେଚନ ବିଶେଷ ସ˚ପ୍ରସାରିତ ହୋଇପାରିନାହିଁ କି ସ˚ଖ୍ୟାଗରିଷ୍ଠ ଚାଷୀ ଏହାର ସୁବିଧା ପାଇପାରୁନାହାନ୍ତି। ଏହା ଏକ ଗମ୍ଭୀର ପ୍ରସଙ୍ଗ। ସରକାର ଏହା ଉପରେ ପ୍ରାଥମିକତା ଦେଇ ଆସିଥିଲେ ହେଁ ବିଭାଗୀୟ ଦୁର୍ନୀତି ଯୋଗୁଁ ଏହାର ସେ ଭଳି କୌଣସି ଆଖିଦୃଶିଆ ବିସ୍ତାର ହୋଇପାରିନାହିଁ। ରବି ଋତୁରେ ଅମଳ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯିବା ଆବଶ୍ୟକ। ଆମ ରାଜ୍ୟରେ ଚାଷୀ ଜାତୀୟ ହାରାହାରିଠାରୁ କାହିଁକି କମ୍‌ ପରିମାଣର ସାର ବ୍ୟବହାର କରୁଛନ୍ତି, ଏହାର ବିଶ୍ଳେଷଣ ମଧ୍ୟ ଆବଶ୍ୟକ। କେବଳ ପାର˚ପରିକ ଚାଷ ମାଧ୍ୟମରେ ହେଉଥିବା ଅମଳ ଦ୍ବାରା ଯଦି ଆମେ ସନ୍ତୁଷ୍ଟ ରହିବା, ତେବେ ହୁଏ’ତ ଏହା ବିଶେଷ ଚିନ୍ତାର କାରଣ ହେବନାହିଁ। ହେଲେ, ପାର˚ପରିକ ପଦ୍ଧତିରେ ଅମଳ ଆଶା ଅନୁରୂପ ହେଉ ନ ଥିବାରୁ, ଆମେ ସାରର ବ୍ୟବହାରକୁ ଅଗ୍ରାଧିକାର ଦେବା ଉଚିତ। ଚାଷୀମାନେ ଏ ବାବଦରେ ପର୍ଯ୍ୟାପ୍ତ ସହାୟତା ପାଉନାହାନ୍ତି। ସରକାର ତୃଣମୂଳ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଆବଶ୍ୟକ। ଅନାବଶ୍ୟକ ଅମଲାତାନ୍ତ୍ରିକ ହସ୍ତକ୍ଷେପ ଏବ˚ ମାତ୍ରାଧିକ କାଗଜ ଚାଷର କୁପରିଣାମ ଛୋଟ ଓ ମଧ୍ୟମ ଧରଣର ଚାଷୀ ଭୋଗୁଛନ୍ତି। ସେମାନଙ୍କର ପୂର୍ଣ୍ଣ କ୍ଷମତାର ଉପଯୋଗ ହୋଇପାରୁନାହିଁ ଏବ˚ ସେମାନେ ଯାହା ପାଇବା କଥା, ପାଇପାରୁନାହାନ୍ତି। ତେଣୁ, ଏହି ସବୁ ମାମଲାରେ ନୂତନ ନୀତି ନିର୍ଦ୍ଧାରଣ ଗୁରୁତ୍ବପୂର୍ଣ୍ଣ।

ଶେଷରେ ଏହି କ୍ଷେତ୍ରରେ ପଦ୍ଧତିଭିତ୍ତିକ ଅଧିକ ଅଧ୍ୟୟନ ଆବଶ୍ୟକ; ଯେପରିକି ନୀତି ନିର୍ଦ୍ଧାରକମାନେ ପର୍ଯ୍ୟାପ୍ତ ସୂଚନା ପାଇପାରିବେ। ଠିକ୍‌ ନୀତି ନିର୍ଦ୍ଧାରଣ ଦ୍ବାରା ଓଡ଼ିଶାର କୃଷକମାନଙ୍କର ଆୟ ବଢ଼ିବ ଏବ˚ ସେମାନେ ବିଶେଷ ଭାବେ ଉପକୃତ ହେବେ।

[email protected]

ସମ୍ବନ୍ଧିତ ଖବର