ଚୟନ, ମନୋନୟନ ଓ ନିଯୁକ୍ତିର କଥା

କହିବାର ଅଛି - ଦାଶ ବେନହୁର

କୌଣସି କାର୍ଯ୍ୟ ପାଇଁ ଜଣଙ୍କୁ ବାଛିଲାବେଳେ ଆମେ ସେ କାମରେ ଯୋଗ୍ୟତମ ଲୋକଟିକୁ ହିଁ ବାଛିବା ଆବଶ୍ୟକ। ଏ ବାଛିବା କଥା ଏତେ ଗୋଳମାଳିଆ ଯେ ଅନେକ ସମୟରେ ଯୋଗ୍ୟ ଲୋକ ଥାଉ ଥାଉ ଅଯୋଗ୍ୟ ଲୋକ ଯାଇ ଆସନ ମାଡ଼ି ବସେ। ଚାକିରିରେ ଖାଲି ଏମିତି ଘଟେ, ସେ କଥା ନୁହେଁ। ସାମାଜିକ କ୍ଷେତ୍ରରେ ପାରିବାରିକ ଜୀବନଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ପଦ ପଦବିରେ ମଧୢ ଏ ଭଳି ବିଲକ୍ଷଣ ଦେଖିବାକୁ ମିଳେ। ଫଳରେ ଏଇଆ ହୁଏ ଯେ ପଦ ମାଡ଼ି ବସିଥିବା ଲୋକଟିର ଉପକାର ହେଲାବେଳେ ପଦର ମର୍ଯ୍ୟାଦା କମେ, କାର୍ଯ୍ୟାନ୍ବୟନ ବିଫଳ ହୁଏ ଏବ˚ ଶେଷକୁ ବ୍ୟବସ୍ଥା ଭୁଶୁଡ଼େ।

ଗଣରୁ ଜଣକୁ ବାଛିବା ପ୍ରକ୍ରିୟା ଆମ ସଭ୍ୟତା ଆରମ୍ଭରୁ ଚଳି ଆସିଛି। ଏହା ଯେ କେବଳ ମଣିଷମାନଙ୍କ ମେଳରେ ଘଟେ ସେ କଥା ନୁହେଁ। ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତେ ଏହି ବାଛିବା ପ୍ରକ୍ରିୟାରେ ସାମିଲ। ବିଶେଷ କରି ଜୀବନାୟନରେ ସଙ୍ଗୀ ବାଛିବା ଦରକାର ପଡ଼େ। ଏଇ ସଙ୍ଗୀ ବାଛିବା ମଧୢ ଏକ ଚୟନ। ମଣିଷ ଛଡ଼ା ଆଉ କୌଣସି ପ୍ରାଣୀ ସଙ୍ଗୀ ବାଛିବା ବେଳେ ବଳାତ୍କାର କରନ୍ତି ନାହିଁ। ଅତଏବ ଭାରତୀୟ ପରମ୍ପରାରେ ବିବାହ ଲାଗି ଯେ ଆଠ ପ୍ରକାରର ବାଟ ଅଛି ସେ ଭିତରୁ ଅସୁର ଓ ରାକ୍ଷସ ପଦ୍ଧତି ଏଇ ବଳାତ୍କାରର ଦୁଇଟି ଜ୍ବଳନ୍ତ ଦୃଷ୍ଟାନ୍ତ। ସେଥିରେ ପୁଣି ପ୍ରାଣୀ ଜଗତରେ ସଚରାଚର ନାରୀ ତା’ର ପୁରୁଷକୁ ବାଛେ।

ନେତୃତ୍ବ କ୍ଷେତ୍ରରେ ମଧ୍ୟ ଦୁଇଟି ଭିନ୍ନ ଅନୁଭବ ଆମ ଆଖି ଆଗକୁ ଆସେ। ସାଧାରଣତଃ ଦଳ ଭିତରେ ଥିବା ବଳବାନ ପ୍ରାଣୀଟି ନିଜର ଆଧିପତ୍ୟ ବିସ୍ତାର କରି ଦଳପତି ସାଜିଥାଏ। ନ ତୁବା ତା’ର ପରାକ୍ରମ ଓ ଅନ୍ୟକୁ ସୁରକ୍ଷା ଦେଇପାରିବାର କ୍ଷମତା ଆକଳନ ଆଧାରରେ ଗୋଷ୍ଠୀର ଅନ୍ୟମାନେ ସେ ଭଳି ବଳଶାଳୀ ସଦସ୍ୟଟିକୁ ନେତା ଭାବରେ ବାଛି ନିଅନ୍ତି। ପକ୍ଷୀ କୁଳରେ ଜଳବାୟୁ ପରିବର୍ତ୍ତନ କାରଣରୁ ଯେଉଁମାନେ ସ୍ଥାନ ପରିବର୍ତ୍ତନ କରି ହଜାର ହଜାର ମାଇଲ୍‌ ଦୂରକୁ ଯାଆନ୍ତି ସେ ପ୍ରସଙ୍ଗରେ ନେତୃତ୍ବର ଏ ଚୟନ ବିଧିଟି ବଡ଼ ଚମତ୍କାର। ସବୁଠାରୁ ଅଧିକ କୁଶଳ ଓ ବୁଦ୍ଧିମାନ ପକ୍ଷୀଟି ହିଁ ସାରା ଦଳକୁ ରାହା ଦେଖାଇ ଆକାଶପଥରେ ଉଡ଼ାଇ ନିଏ। ଅଦ୍ଭୁତ। ହଜାର ହଜାର ସ˚ଖ୍ୟକ ପକ୍ଷୀ। ମାତ୍ର ଉଡ଼ିଲାବେଳେ ଜଣେ ଥାଏ ଆଗରେ। ସୁଦୂର ସାଇବେରିଆରୁ ଚିଲିକା, ପୁଣି ଚିଲିକାରୁ ସାଇବେରିଆ। ଜଣେ ଥାଏ ଆଗରେ। ତ୍ରିଭୁଜ ଭଳି ଉଡ଼ାଣ। ଏହା ଗୋଟିଏ ଉଦାହରଣ ମାତ୍ର।

ହେଲେ ଏ ଚୟନ ପ୍ରକ୍ରିୟା କିପରି ହୁଏ ସେ କଥା ମଣିଷ କଳ୍ପନା କରିବା ସାଧୢାତୀତ ନିଶ୍ଚୟ।

ମଣିଷମାନଙ୍କ କ୍ଷେତ୍ରରେ ଏ ଚୟନ ପ୍ରକ୍ରିୟା ଠିକ୍‌ ଅନ୍ୟ ପଶୁପକ୍ଷୀଙ୍କ ଭଳି ଆଦିମ କାଳରୁ ଆରମ୍ଭ ହୋଇଥିଲା। ସର୍ବାଦୌ ଅଧିକ କୁଶଳ ବା ବଳଶାଳୀ ବ୍ୟକ୍ତି ହିଁ ସାଜୁଥିଲା ଦଳପତି। ମାତ୍ର ଧୀରେ ଧୀରେ ତାହା ବଦଳିଗଲା। ବିଭିନ୍ନ କାର୍ଯ୍ୟବିଧିର ନିୟାମକମାନଙ୍କୁ ବ˚ଶ ଆଧାରରେ ସମାଜ ଚୟନ କଲା। ଏଠାରେ ଚୟନ ଅର୍ଥ ସମାଜ ସ୍ବୀକୃତି ଦେଲା। କର୍ମ ପାଲଟି ଗଲା ଜାତି। ତେଣିକି ଜାତି, ସାଙ୍ଗିଆ ପାଲଟି କର୍ମକୁ ନିୟନ୍ତ୍ରିତ କଲା। ପାରମ୍ପରିକ ମନୋନୟନ ଓ ନିଯୁକ୍ତି ଆପେ ଧାରାବାହିକତାରେ ପରିଣତ ହେଲା। ରାଜାର ପୁଅ ହେଲା ରାଜା, ପୁରୋହିତର ପୁଅ ହେଲା ପୁରୋହିତ, ମେହେନ୍ତରର ପୁଅ ଯେତେ କୁଶଳ ଓ ବୁଦ୍ଧିମାନ ହେଲେ ବି ପାଲଟିଲା ମେହେନ୍ତର।

ଏମିତି ଚାଲିଲା ଅନନ୍ତ କାଳ। ହଠାତ୍‌ ପ୍ରତେ ହେଲା ଯେ ମଣିଷ ବ˚ଶ ଆଧାରରେ ବା ଗୁଣସୂତ୍ର ବାଟେ ଯେଉଁ କୌଶଳ ବା ଦକ୍ଷତା ହାସଲ କରିଥାଏ ତାହା ପ୍ରକୃତରେ କ୍ଷୀଣ ଓ ଭ୍ରମାତ୍ମକ। ତେଣିକି ବ˚ଶ, ପରମ୍ପରା ଅପେକ୍ଷା ବ୍ୟକ୍ତିଗତ ଶିକ୍ଷା, ତାଲିମ ଓ ବୁଦ୍ଧିମତ୍ତାକୁ ଦକ୍ଷତାର ମାପକାଠି ଭାବରେ ଗ୍ରହଣ କରାଗଲା। ବ୍ୟକ୍ତି-ସ୍ବାତନ୍ତ୍ର୍ୟ, ସ୍ବାଧୀନତା, ସମାନତା ଭଳି ପ୍ରଶ୍ନଗୁଡ଼ିକ ସାରା ପୃଥିବୀର ସାମାଜିକ ନିୟମକୁ ବଦଳେଇଦେଲା। ଆଉ ବ˚ଶବାଦ ଆଧାରରେ ଚୟନ, ମନୋନୟନ ଓ ନିଯୁକ୍ତିର କଥା ବଳବତ୍ତର ହୋଇ ରହିଲା ନାହିଁ।

ରାଜତନ୍ତ୍ର ଗଲା। ଅଭିଜାତତନ୍ତ୍ର ହଜିଗଲା କୁଆଡ଼େ। ସମାଜରେ ଯେ କୌଣସି ବର୍ଗରୁ ଯେ କୌଣସି ଲୋକ ଶ୍ରେଷ୍ଠତ୍ବ ହାସଲ କରିପାରେ ବୋଲି ବହୁ ବହୁ ଉଦାହରଣ ସାମନାକୁ ଆସିଲା। ସମାଜରେ, ଶାସନରେ, ପାଣ୍ତିତ୍ୟରେ, ବୀରତ୍ବରେ ବ˚ଶାନୁକ୍ରମିକତା ଯେ ଧୂଆଁବାଣ ତାହା ସହଜରେ ଜଣାପଡ଼ିଗଲା। ସାମାଜିକ ଜୀବନରେ କେବଳ କାହିଁକି ଶାସନ କ୍ଷେତ୍ରରେ ବି ଶ୍ରେଷ୍ଠତ୍ବ ଗତିଶୀଳ। ଆଜି କ୍ଷମତା ୟାଙ୍କ ପାଖରେ ଅଛି ତ କାଲି ତାଙ୍କ ପାଖକୁ ଯାଇ ଆହୁରି ଅଧିକତର ଉପଯୋଗିତା ଦେଖାଇପାରେ। ନେତାର ସନ୍ତାନ ଯେ ନେତା ହେବ ସେମିତି କିଛି କଥା ନାହିଁ। ଜୋତା ସିଲେଇ କରୁଥିବା ଲୋକର ପୁଅ ବି ଅଦ୍‌ଭୁତ ପ୍ରଶାସନିକ ପାରଦର୍ଶିତା ଦେଖାଇପାରେ। ଏଲିଟ୍‌ ବା ଶ୍ରେଷ୍ଠୀ, ଜାତି ଭେଦରେ ନ ଥାଏ, ମଣିଷ ଭେଦରେ ଥାଏ। ଶ୍ରେଷ୍ଠୀପଣ ବଦଳେ।

ବ୍ୟକ୍ତିର ଉତ୍କର୍ଷ, ଦକ୍ଷତା ସଙ୍ଗକୁ ସ୍ବାତନ୍ତ୍ର୍ୟ, ସମାନତା ଓ ସ୍ବାଧୀନତା ଗଣତନ୍ତ୍ର ଶାସନକୁ ଏତେ ଲୋକପ୍ରିୟ କଲା ଯେ ହଜାର ହଜାର ବର୍ଷର ଚୟନ, ମନୋନୟନ ଓ ନିଯୁକ୍ତି ପ୍ରକ୍ରିୟା କୁଆଡ଼େ ଉଭେଇଗଲା। ରାଜତନ୍ତ୍ର ହଟିଲା। ରାଜବ˚ଶଗୁଡ଼ିକ ଟଳିପଡ଼ିଲେ। ଲୋକେ ନିଜ ପସନ୍ଦର ଲୋକଙ୍କୁ ବାଛିଲେ ନେତୃତ୍ବ ଦେବା ପାଇଁ। ବ˚ଶବାଦ ଆଧାରରେ ଦାବି ତା’ର ଗୁରୁତ୍ବ ହରାଇଲା।

ଆଜି ପ୍ରାୟ ଅଧିକା˚ଶ ଦେଶରେ ଗଣତନ୍ତ୍ରର ଶାସନ। ଏ ପରିକି ନିଜ ବ୍ୟବସ୍ଥାକୁ ଗଣତନ୍ତ୍ରିକ ବୋଲି କହିବା ପାଇଁ ଏକଛତ୍ରବାଦୀମାନେ ସୁଦ୍ଧା ଗଣତନ୍ତ୍ରର ଚୟନ ପ୍ରକ୍ରିୟାକୁ ମିଛ ସତ କରି ଲାଗୁ କରାଇବାରେ ଆଗ୍ରହୀ। ଏ ବ୍ୟବସ୍ଥା ଏବେ ବି ଅନେକ ଦେଶରେ ବଳବତ୍ତର। ଗଣତନ୍ତ୍ର ମାତ୍ରେ ଦାୟିତ୍ବମୂଳକ ବା ଉତ୍ତରଦାୟୀ ଶାସନ। ତା’ର ଅର୍ଥ ଯିଏ ଶାସକ ସେ ତା’ର କାର୍ଯ୍ୟକଳାପ ଲାଗି ଲୋକଙ୍କୁ ସବୁ କଥାରେ ଉତ୍ତର ଦେବାକୁ ବାଧୢ। ଏଇ ଉତ୍ତରର ଗ୍ରହୀତା ଭାବରେ ସେଥିପାଇଁ ସବୁ ସଫଳ ଗଣତନ୍ତ୍ରରେ ଶାସକ ଦଳ ସହ ଥାଏ ଏକ ବିରୋଧୀ ଦଳ। ବିରୋଧୀ ଦଳଟିଏ ଶାସନ ସହ ନାହିଁ ଅର୍ଥ ସେ ସରକାର ନିଜ ଅଜାଣତରେ ବି ସ୍ବେଚ୍ଛାଚାରୀ ପାଲଟି ଯିବାର ସମ୍ଭାବନା ଅଧିକ। ଗୋଟାଏ ବେଗବାନ୍‌ ଗାଡ଼ି ବେଗ ନିୟନ୍ତ୍ରକ ଅଭାବରେ ଦୁର୍ଘଟଣା ଘଟାଇବା ସ୍ବାଭାବିକ। ବିନା ବିରୋଧରେ ଯେ କୌଣସି ଗଣତନ୍ତ୍ର ସ୍ବେଚ୍ଛାଚାରୀ-ଦୁର୍ଘଟଣାର ସମ୍ମୁଖୀନ ହେବାକୁ ବାଧୢ।

ସେଥିପାଇଁ ଚୟନ, ମନୋନୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ନିରପେକ୍ଷ, ସ୍ବଚ୍ଛ ତଥା ଆଇନକାନୁନ ଆଧାରିତ କରି ରଖିବା ନିହାତି ଆବଶ୍ୟକ। ଗଣତନ୍ତ୍ରର ଯେ ପ୍ରଧାନ ନିୟନ୍ତ୍ରକ ତାହା ହେଉଛି ନିର୍ବାଚନ। ନିର୍ବାଚନ ଏକ ବିଧି ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା। ଏହାରି ମାଧୢମରେ ଲୋକେ ମଣ୍ତଳ ଗଠନ କରି ବା କରାଇ ପ୍ରତିନିଧି ବାଛନ୍ତି। ସେଥିରେ କେତେଜଣଙ୍କ ଭିତରୁ ଜଣେ ହିଁ ମତବହୁଳତା ବାଟେ ଯୋଗ୍ୟ ବିବେଚିତ ହୁଏ। ହେଲେ ଏହି ମତବହୁଳତା ହାସଲ କରିବା ସକାଶେ ଯେତେ ସବୁ ନୀତି ନିୟମ ଅଛି ତାହା କଡ଼ାକଡ଼ି ପାଳିତ ନହେଲେ ଚୟନ ପ୍ରକ୍ରିୟା କଳୁଷିତ ହୋଇଯାଏ ଏବ˚ ଅଯୋଗ୍ୟ ଲୋକଟି ନିଜକୁ ଯୋଗ୍ୟ ଘୋଷଣା କରିବାର ସୁଯୋଗ ପାଏ। ତେଣୁ ଚୟନ ବା ନିର୍ବାଚନ-ପୂଜାବିଧିର ଅସଲ ମନ୍ତ୍ର ହେଉଛି ନୀତି ନିୟମରେ ସଙ୍ଗତି।

ଅପର ପକ୍ଷରେ ମନୋନୟନର କ୍ଷେତ୍ରଟି ଚୟନ ବା ନିର୍ବାଚନ ଭଳି ଏତେ ବିସ୍ତାରିତ ନୁହେଁ। ପ୍ରକାରାନ୍ତରେ ଗୋଟାଏ ଗୋଷ୍ଠୀ ବା ଜଣେ ବ୍ୟକ୍ତି ଏ ମନୋନୟନ କରିପାରନ୍ତି। ହେଲେ ଏ ମନୋନୟନ ବ୍ୟକ୍ତିଗତ ରୁଚି, ଭାବାବେଗ ବା ପ୍ରିୟାପ୍ରୀତି ତୋଷଣ ମାଧୢମରେ ସ˚ଘଟିତ ହେବା ଅତ୍ୟନ୍ତ ଦୂଷଣୀୟ। ସେ ସକାଶେ ଅନେକ ସମୟରେ ମନୋନୟନ ପ୍ରକ୍ରିୟା ସହିତ କଡ଼ାକଡ଼ି ନିୟମର ଅନୁପାଳନ ଆବଶ୍ୟକ। ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଯେ ରାଜ୍ୟପାଳମାନଙ୍କୁ ବା ବିଚାରପତିମାନଙ୍କୁ ନିଯୁକ୍ତି ଦିଅନ୍ତି ସେ ସବୁ ପ୍ରକୃତରେ ମନୋନୟନ। ଯେଉଁମାନେ ଏ ସବୁ ବଡ଼ ବଡ଼ ସାମ୍ବିଧାନିକ ପଦ ପାଇଁ ମନୋନୀତ ହୋଇ ନିଯୁକ୍ତ ହୁଅନ୍ତି ସେମାନଙ୍କ କ୍ଷେତ୍ରରେ ଦକ୍ଷତାକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ। ମାତ୍ର ଦୁଃଖର କଥା ଅନେକ କ୍ଷେତ୍ରରେ ଶାସନକୁ ଆସିଥିବା ରାଜନୈତିକ ଦଳ ନିଜ ସହଯୋଗୀମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଏ ମନୋନୟନ କାର୍ଯ୍ୟଟିକୁ କଳୁଷିତ କରିଦିଅନ୍ତି। ଫଳରେ ଅଯୋଗ୍ୟ ଲୋକଟି ଆସନରେ ବସେ ଓ ସାରା ଦେଶ ତଥା ସମୂହ ଲୋକସମୁଦାୟ କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ଯେ କୌଣସି ମନୋନୟନ ସକାଶେ ଆଇନର କଠୋର ବ୍ୟବସ୍ଥା ନ ଥିଲେ ମଧୢ ଦକ୍ଷତାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ।

ଶେଷରେ ନିଯୁକ୍ତିର କଥା। ଏ ନିଯୁକ୍ତି ବ୍ୟବସ୍ଥା, ଉପରୁ ତଳଯାଏ ପରିବ୍ୟାପ୍ତ। ଭାରତୀୟ ସମ୍ବିଧାନର ଭାଷା ଅନୁସାରେ ପ୍ରଧାନମନ୍ତ୍ରୀ ମଧୢ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ହୁଅନ୍ତି। ଏଥିରେ ତାଙ୍କର ବ୍ୟକ୍ତିଗତ କ୍ଷମତା ପ୍ରାୟ କିଛି ନ ଥିଲେ ମଧୢ ଏହା ଯେ କୌଣସି ନିଯୁକ୍ତି ଭଳି ଏକ ନିଯୁକ୍ତି ମାତ୍ର। ବିଚାରପତିମାନଙ୍କ କ୍ଷେତ୍ରରେ ମଧୢ ସେଇ ଏକା କଥା। ଏଠାରେ ମନେରଖିବା ଆବଶ୍ୟକ ଯେ ନିଯୁକ୍ତି ମାତ୍ରେ ସେଥିପାଇଁ ପାରିଶ୍ରମିକ ଓ ନିଯୁକ୍ତି ସମ୍ବନ୍ଧୀୟ କଟକଣା ମଧୢ ରହିଥାଏ। ଯେମିତି ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ସ˚ଖ୍ୟାଗରିଷ୍ଠ ଦଳର ନେତାପଣ ହରାଇବା ଓ ନ୍ୟାୟମୂର୍ତ୍ତିଙ୍କ କ୍ଷେତ୍ରରେ ପ୍ରମାଣିତ ଅପାରଗତା ତଥା ଦୁର୍ବ୍ୟବହାରର ପ୍ରମାଣ ଆଧାରରେ ବହିଷ୍କାର। ସରକାରୀ ବା ବେସରକାରୀ ସ୍ତରରେ ଯେତେ ଯେତେ ନିଯୁକ୍ତି ଅଛି ତହିଁରେ କାର୍ଯ୍ୟଦକ୍ଷତା, ସାଧୁତା ଓ ତତ୍‌ସ˚ଲଗ୍ନ ନିୟମ ଅନୁପାଳନକାରିତାକୁ ହିଁ ମୂଳ କରି ଧରିନିଆଯାଏ। ଯେଉଁ କର୍ମ ଲାଗି ଜଣେ ନିଯୁକ୍ତ ସେଥିରେ ସେ ଅଯୋଗ୍ୟ, ଅକୁଶଳ ବା ଅସାଧୁ ବୋଲି ପ୍ରମାଣିତ ହେଲେ କିଏ କାହିଁକି ତାଙ୍କୁ ବୃତ୍ତିରେ ରଖିବ? ଅତଏବ ସବୁ ନିଯୁକ୍ତି ସହ ନିଲମ୍ବନ ଓ ବହିଷ୍କାର ଏକ ସ୍ବାଭାବିକ ପରିଣତି ଭାବରେ ଲାଗି ରହିଥାଏ।

ଏବେ ଆମେ ଚୟନ, ମନୋନୟନ ଓ ନିଯୁକ୍ତି କ୍ଷେତ୍ରରେ ଥିବା ଗୋଟିଏ ବିଶେଷ ଦିଗ ପ୍ରତି ଦୃଷ୍ଟି ଦେବା। ଆମ ବ୍ୟବସ୍ଥାରେ ବଡ଼ ବଡ଼ ସାହିତ୍ୟିକ ପଦ, ଉପାଧି ଓ କୁଳପତି ପଦ ଲାଗି ମନୋନୟନ ଏକ ସମ୍ଭ୍ରାନ୍ତ ଆଧାର ଭାବରେ ପରିଗଣିତ ହୋଇ ଆସିଛି। କଳା, ସ˚ସ୍କୃତି ଆଦି ବିଷୟରେ ଉପାଧି, ପୁରସ୍କାର ଓ ପଦ ଲାଗି ମନୋନୟନ ସମ୍ପର୍କିତ ନିୟମ ଅନୁସାରେ ପାଳନ କରାଯାଏ। ଅଥଚ ସାମ୍ପ୍ରତିକ କାଳରେ ପୁରସ୍କାର ଓ ପଦ ଲାଗି ଦରଖାସ୍ତ ଆହ୍ବାନ କରାଯାଉଛି। ସାଧାରଣତଃ ନିଯୁକ୍ତି ଲାଗି ଦରଖାସ୍ତ ଆହ୍ବାନ କରାଯାଇଥାଏ। ଦରଖାସ୍ତ ଅର୍ଥ ମାଗୁଣି। ରାଜନୈତିକ ପ୍ରକ୍ରିୟାରେ ସେଥିପାଇଁ ପ୍ରତିନିଧିତ୍ବ ସକାଶେ ପ୍ରାର୍ଥୀ ହେବାଲାଗି ସମ୍ବିଧାନକାରମାନେ ଆପ୍ଲିକେସନ୍‌ ବା ଦରଖାସ୍ତ ଶବ୍ଦ ବ୍ୟବହାର ନକରି ନୋମିନେସନ୍‌ ବା ମନୋନୟନ ଶବ୍ଦଟିକୁ ବ୍ୟବହାର କରିଛନ୍ତି।

ଯୋଗ୍ୟ ବିଦ୍ବାନମାନଙ୍କୁ ବିଚାର କରି ସରକାର ନିଜ ଆଡୁ ବିଶ୍ବବିଦ୍ୟାଳୟ ସକାଶେ ଯେମିତି ବାଛନ୍ତି ସେମିତି ବିଭିନ୍ନ ଏକାଡେମି ଓ ନାନାବିଧ ପୁରସ୍କାର ତଥା ଉପାଧି ସକାଶେ ଦକ୍ଷତା ଓ ଅବଦାନକୁ ବିଚାର କରି ସମ୍ଭ୍ରାନ୍ତଗଣଙ୍କୁ ଚୟନ କରନ୍ତି। ଏଠାରେ ମନେ ରଖିବା ଆବଶ୍ୟକ ଯେ ଦରଖାସ୍ତ ବ୍ୟବସ୍ଥା ଏକ ନିମ୍ନ ଧରଣର ଚୟନ ପ୍ରକ୍ରିୟା। କଳା, ସାହିତ୍ୟ ଓ ସ˚ସ୍କୃତି ସହ ଯେଉଁ ସ୍ବାଭିମାନ ଶବ୍ଦଟି ଯୋଡ଼ା ସେ କଥା ବିଚାରକୁ ନେଲେ କୌଣସି ଦକ୍ଷ ବା କୁଶଳ ଲୋକ ଦରଖାସ୍ତ ଲେଖି ନିଯୁକ୍ତି ବା ପୁରସ୍କାର କି ଉପାଧି ମାଗିବା ଲାଗି କେବେ ଆଗ୍ରହୀ ହେବେ ନାହିଁ। ପ୍ରଧାନମନ୍ତ୍ରୀ ସୁଦ୍ଧା ନିଯୁକ୍ତି ମାଗନ୍ତି ନାହିଁ। ସେ ମନୋନୟନ ଦାବି କରନ୍ତି। ଗୁଣବନ୍ତ ଲୋକ କୃପାପ୍ରାର୍ଥୀ ହେବା ଲାଗି ଦରଖାସ୍ତ କରିବା ଅବିଧି ଓ ଅସୁନ୍ଦର।

କହିବାର ଅଛି, ଯେଉଁ ଦେଶରେ ସମ୍ଭ୍ରାନ୍ତ ଉପାଧି, ପଦ ଓ ପୁରସ୍କାର ପାଇଁ ଦରଖାସ୍ତ ଦେବାକୁ ପଡ଼େ ସେ ଦେଶ ଯେତେ ଉନ୍ନତ ହେଲେ ମଧୢ ସାମ୍ଭ୍ରାନ୍ତ୍ୟ ଦିଗରୁ ନିଶ୍ଚିତରେ ଅନୁନ୍ନତ।

[email protected]

ସମ୍ବନ୍ଧିତ ଖବର