ଐତିହାସିକ କଟକ ନଗର ତ କାଳେକାଳେ ବିଖ୍ୟାତ, କିନ୍ତୁ ଆଧୁନିକ କଟକ ନେତାଜୀ ସୁଭାଷଙ୍କ ଜନ୍ମସ୍ଥାନ ଭାବରେ ବିଶ୍ବବିଦିତ। ୧୮୯୭ ମସିହା ଜାନୁଆରି ମାସ ୨୩ ତାରିଖ ଦିନ କଟକ ଓଡ଼ିଆ ବଜାରରେ ଭୂମିଷ୍ଠ ହୋଇଥିଲେ ସୁଭାଷ। କଟକର ବିଶିଷ୍ଟ ଆଇନ୍ଜୀବୀ ଜାନକୀନାଥ ବସୁ ଓ ପ୍ରଭାଦେବୀଙ୍କର ସେ ଥିଲେ ନବମ ସନ୍ତାନ, ଷଷ୍ଠ ପୁତ୍ର। କଟକର ମାଟି, ପାଣି, ପବନ, ଶୀତକାକର, ଧୂଆଁଧୂଳିରେ ଗଢ଼ା ତାଙ୍କ ଦେହ। ମହାନଦୀର ବିଶାଳ ବକ୍ଷ, କାଠଯୋଡ଼ିର ସୁଗମ ସଙ୍ଗୀତ, ଅଦୂର ପାହାଡ଼ ଓ ବିସ୍ତୃତ ଶସ୍ୟକେଦାର ତାଙ୍କ ଶୈଶବକୁ ସୁଲଳିତ କରିଥିବ ନିଶ୍ଚୟ। ଅସୀମ ବୀରତ୍ବ ଭରି ଦେଇଥିବ ତାଙ୍କ ମନ ମଞ୍ଜୁଷାରେ ଦୁର୍ଗ ବାରବାଟୀ। ବିମୋହିତ କରିଥିବ ତାଙ୍କୁ ଓଡ଼ିଶାର ଶିଳା ଶତଦଳ, ଜଗନ୍ନାଥଙ୍କ ମହିମା, କଟକର ତାରକସି, ପୁରୀର ପଟଚିତ୍ର ପୁଣି ପଶ୍ଚିମା ବାନ୍ଧକଳାର ଐଶ୍ବର୍ଯ୍ୟ। ସମ୍ରାଟ ଖାରବେଳ, ଗଜପତି କପିଳେନ୍ଦ୍ର, ବକ୍ସି ଜଗବନ୍ଧୁ ଏବ˚ ବୀର ସୁରେନ୍ଦ୍ର ସାଏଙ୍କ କଥା ଓ ଗାଥା ତାଙ୍କୁ କମ୍ ଉଦ୍ଦୀପିତ କରି ନ ଥିବ।
ସତରେ, କିଶୋର ସୁଭାଷଙ୍କ ଉପରେ ଓଡ଼ିଶା ବିଶେଷ କରି କଟକର ପ୍ରଭାବ ଥିଲା ପ୍ରଖର। ‘ଭାରତ ପଥିକ’ ପୁସ୍ତକରେ ନେତାଜୀଙ୍କ ସ୍ମୃତିଚାରଣ ଅଦ୍ଭୁତ ଓ ଆକର୍ଷଣୀୟ: ‘‘କଟକ ସହର ଖୁବ୍ ବଡ଼ ନୁହେଁ, କୋଡ଼ିଏ ହଜାର ଲୋକ ସେଠାରେ ବାସ କରୁଥିଲେ। କେତେକ ବିଶେଷତ୍ବ ପାଇଁ କଟକ ଭାରତବର୍ଷର ଗୋଟିଏ ପ୍ରଧାନ ସହର। କଳିଙ୍ଗର ହିନ୍ଦୁ ରାଜାମାନଙ୍କ ଅମଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କଟକର ଇତିହାସ ଏକ ଅବିଚ୍ଛିନ୍ନ ମର୍ଯ୍ୟାଦା ଦାବି କରେ। ପ୍ରକୃତରେ କଟକ ଥିଲା ଓଡ଼ିଶାର ରାଜଧାନୀ ଏବ˚ ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ, ଭୁବନେଶ୍ବର ଓ ଖଣ୍ତଗିରିର ଜଗତ୍ ବିଖ୍ୟାତ କଳା ନିଦର୍ଶନ କଟକର ଅବଦାନ। କଟକ ଯେ କେବଳ ଓଡ଼ିଶାର ବ୍ରିଟିସ ସରକାରର ମୁଖ୍ୟ ଦପ୍ତର ଥିଲା ତା’ ନୁହେଁ, ଓଡ଼ିଶାର ବହୁ ସାମନ୍ତ ରାଜାଙ୍କର ଶାସନ କେନ୍ଦ୍ର ମଧ୍ୟ ଥିଲା। ସବୁମିଶି ଏଠାରେ ପରିବେଶ ଶିଶୁମନ ସୁସ୍ଥସବଳ ହୋଇ ଗଢ଼ି ଉଠିବାର ଅନୁକୂଳ ଥିଲା।’’
୧୯୦୨ ମସିହାରେ ଜାନକୀବାବୁ କଟକର ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ୍ ସ୍କୁଲ୍ରେ ପୁତ୍ର ସୁଭାଷଙ୍କ ନାମ ଲେଖାଇଥିଲେ। ସୁଭାଷଙ୍କର ପ୍ରାଥମିକ ଶିକ୍ଷା ସମାପିତ ହୋଇଥିଲା ସେହି ସ୍କୁଲ୍ରୁ। ୧୯୦୯ ମସିହାରେ ସେ କଲେଜିଏଟ୍ ସ୍କୁଲ୍ରେ ପାଠପଢ଼ା ଆରମ୍ଭ କରିଥିଲେ। ଏହି ସୁଖ୍ୟାତ ଶିକ୍ଷାନୁଷ୍ଠାନ ଥିଲା ସୁଭାଷଙ୍କ ଆଦ୍ୟ ଉତ୍ତରଣର ଦିବ୍ୟଭୂମି ଏବ˚ ସେଠାକାର ଶିକ୍ଷକମାନେ ଥିଲେ ତାଙ୍କ ପାଇଁ ପ୍ରେରଣାର ଚିରନ୍ତନୀ ଉତ୍ସ। ଏହି ସମୟ ମଧ୍ୟରେ ଦୁଇଜଣ ପ୍ରେରଣାଦାୟୀ ପ୍ରଧାନ ଶିକ୍ଷକଙ୍କ ସ˚ସ୍ପର୍ଶରେ ଆସିଥିଲେ ସୁଭାଷ ଚନ୍ଦ୍ର- ବେଣୀ ମାଧବ ଦାସ ଓ ନାରାୟଣ ପ୍ରସାଦ ମହାନ୍ତି। ବେଣୀ ମାଧବଙ୍କ ଆଦର୍ଶ ଏବ˚ ନାରାୟଣ ପ୍ରସାଦଙ୍କ ଶୃଙ୍ଖଳା ତାଙ୍କୁ ଆକର୍ଷିତ କରିଥିଲା।
ସୁଭାଷ ଥିଲେ ଆଜନ୍ମ ମେଧାବୀ। ସୁଭାଷଙ୍କ ଅସାଧାରଣ ମେଧାର ସ˚କ୍ଷିପ୍ତ ପରିଚୟ ପ୍ରଦାନ କରିଛନ୍ତି ପଣ୍ତିତ ଗୋଦାବରୀଶ ମିଶ୍ର ତାଙ୍କ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଆତ୍ମକଥାରେ। ଅଧ୍ୟାପକ ଗୋପାଳ ଚନ୍ଦ୍ର ଗାଙ୍ଗୁଲିଙ୍କ ପୁଅ ଚାରୁକୁ ଗୋଦାବରୀଶ ଟ୍ୟୁସନ୍ କରୁଥିଲେ। ଚାରୁର ଅଭିଯୋଗ ଥିଲା ଯେ ସୁଭାଷ ନାମକ ପିଲାଟି ଶ୍ରେଣୀରେ ସର୍ବଦା ପ୍ରଥମ ହେଉଥିଲା ବେଳେ ସେ ଦ୍ବିତୀୟ ହେଉଛି। ଚାରୁ ନିଜ ପ୍ରବନ୍ଧ ସହିତ ସୁଭାଷ ଦ୍ବାରା ଲିଖିତ ପ୍ରବନ୍ଧ ଆଣି ଗୋଦାବରୀଶ ମିଶ୍ରଙ୍କୁ ଦେଖାଏ। ପଣ୍ତିତ ମିଶ୍ର ଦୁଇଜଣଙ୍କ ଲେଖାକୁ ତୁଳନା କରି ସୁଭାଷ ଅଧିକ ଦୁଇଚାରି ନମ୍ବର ପାଇବାକୁ ଯୋଗ୍ୟ ବୋଲି ଚାରୁକୁ କହନ୍ତି। ସୁଭାଷଙ୍କ ବିଷୟରେ ପଣ୍ତିତ ମିଶ୍ରଙ୍କ ଉକ୍ତି ଏହିପରି : ‘ସେ ତ ଯଥାକାଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହୋଇ ଜନ ନେତ୍ରରେ ବହୁତ ଉଚ୍ଚକୁ ଉଠିଗଲା ଏବ˚ ଏବେ ବୋଧହୁଏ ମନୁଷ୍ୟଙ୍କର ସ୍ପର୍ଶସୀମାରୁ ଦୂରକୁ ଚାଲି ଯାଇଛି। ସେତେବେଳେ ସେ ମୋତେ ନମସ୍କାର କରୁଥିଲା, ଏବେ ମୋ ନମସ୍ୟ ସେ।’
କେବଳ ମେଧା ନୁହେଁ, ବିପ୍ଳବ ଥିଲା ସୁଭାଷଙ୍କର ସହଜାତ। ପୁଣି ମାଟିର ମନୀଷୀମାନଙ୍କ ପ୍ରତି ତାଙ୍କ ହୃଦୟରେ ଥିଲା ଅମିତ ଆଦର। ଇ˚ରେଜ କମିସନର୍ଙ୍କ ପରିବର୍ତ୍ତେ ସ୍କୁଲ୍ର ସ୍ବନକ୍ଷତ୍ର ଉତ୍ସବରେ ମଧୁବାବୁଙ୍କୁ ଅତିଥି କରିବା ପାଇଁ ସେ ହେଡ୍ମାଷ୍ଟରଙ୍କ ପାଖରେ ଜିଦ୍ କରିଥିଲେ। ‘ପଗଡ଼ି ପୁରୁଷ’ ବହିରେ ଏହା ବର୍ଣ୍ଣନା କରିଛନ୍ତି ଦାଶ ବେନହୁର- ‘ନାରାୟଣ ବାବୁ ଆରମ୍ଭ କଲେ, ଆଜ୍ଞା ପ୍ରତିବର୍ଷ ଆମ ସ୍କୁଲ୍ର ପ୍ରତିଷ୍ଠା ଦିବସ ପାଳନ ଲାଗି ଇ˚ରେଜ କମିସନର୍ଙ୍କୁ ମୁଖ୍ୟ ଅତିଥି ଭାବରେ ଡକାଯାଏ। x x ମାତ୍ର ସୁଭାଷ ତା’ର ସାଙ୍ଗସାଥୀମାନଙ୍କୁ ଧରି କହୁଛି, ଆପଣଙ୍କୁ ଡାକିବାକୁ। କହୁଛି ସ୍କୁଲ୍ରେ ଇ˚ରେଜ କମିସନର୍ଙ୍କ କ’ଣ କାମ? ମଧୁସୂଦନ ଦାସ ଆମ ସ୍କୁଲ୍ର ପୁରାତନ ଛାତ୍ର, ଶ୍ରେଷ୍ଠ ଓଡ଼ିଆ, ଶ୍ରେଷ୍ଠ ଜନନେତା, ତାଙ୍କୁ ଡକାଯାଉ। ନଚେତ ଆମେ କେହି ସଭାରେ ରହିବୁ ନାହିଁ।’ ନିଜ ପିତାଙ୍କ ସମଧର୍ମା ତଥା ଓଡ଼ିଶାର କୁଳବୃଦ୍ଧ ଭାବରେ ଖ୍ୟାତ ମଧୁସୂଦନଙ୍କୁ ସେ ପିତୃତୁଲ୍ୟ ସମ୍ମାନ କରୁଥିଲେ ଏବ˚ ମଧୁସୂଦନ କିଶୋର ସୁଭାଷଙ୍କ ଠାରେ ଦେଖୁଥିଲେ ଅଗ୍ନିର ସ୍ଫୁଲିଙ୍ଗ।
କଟକ ମାଟିରେ ଡାଳପତ୍ର ମେଲାଇଥିବା ଛୋଟ ଗଛଟି କଲିକତା ମହାନଗରୀରେ ମହାଦ୍ରୁମରେ ପରିଣତ ହୋଇଥିଲା। ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ୧୯୧୩ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ କଲିକତା ଯାଇଥିଲେ ସୁଭାଷ। କଲିକତାର ପ୍ରେସିଡେନ୍ସି କଲେଜ ଓ ସ୍କଟିସ୍ ଚର୍ଚ୍ଚ କଲେଜରେ ପାଠପଢ଼ା ପରେ ଆଇ.ସି.ଏସ୍. ପରୀକ୍ଷାର ପ୍ରସ୍ତୁତି ପାଇଁ ସେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟକୁ ମଧ୍ୟ ଯାଇଥିଲେ। ତାହା ପରେ ଆଇ.ସି.ଏସ୍. ପରୀକ୍ଷାରେ ସଫଳତା, ବ୍ରିଟିସ୍ ସରକାର ଅଧୀନସ୍ଥ ଚାକିରିକୁ ପ୍ରତ୍ୟାଖ୍ୟାନ, ସାମାଜିକ ଓ ରାଜନୈତିକ କାର୍ଯ୍ୟର ନେତୃତ୍ବ, ବଙ୍ଗ ପ୍ରଦେଶ କ˚ଗ୍ରେସ କମିଟିର ସଭାପତି, ବନ୍ଦୀ ଅବସ୍ଥାରେ କଲିକତା ମହାନଗର ନିଗମର ମେୟର ପଦ ପାଇଁ ବିଜୟ ଲାଭ ଆଦି ଖ୍ୟାତି ଓ ଉପଲବ୍ଧି ସେ ଲାଭ କରିଥିଲେ ବଙ୍ଗଭୂମିରେ। ୧୯୩୮ ମସିହାରେ କ˚ଗ୍ରେସ ସଭାପତି ଭାବରେ ନିର୍ବାଚିତ ହୋଇ ସେ ହରିପୁରା କ˚ଗ୍ରେସ ଅଧିବେଶନରେ ପୌରୋହିତ୍ୟ କରିଥିଲେ। ତା’ ପର ବର୍ଷ କ˚ଗ୍ରେସର ତ୍ରିପୁରୀ ଅଧିବେଶନରେ ପଟ୍ଟାଭି ସୀତାରାମାୟାଙ୍କୁ ପରାସ୍ତ କରି ସେ ପୁନର୍ବାର କ˚ଗ୍ରେସର ସଭାପତି ହୋଇଥିଲେ ଏବ˚ ପରେ ପରେ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ଅଧ୍ୟୟନ, ଅଧ୍ୟବସାୟ ଓ ସାଙ୍ଗଠନିକ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ସେ ଓଡ଼ିଶା ସହିତ ସ˚ପର୍କ ଅବ୍ୟାହତ ରଖିଥିଲେ।
ସୁଭାଷ ଚନ୍ଦ୍ର କଲିକତାରେ ରହୁଥିବା ସମୟରେ ଉତ୍କଳମଣି ଗୋପବନ୍ଧୁ ତାଙ୍କୁ ଏକାଧିକବାର ସାକ୍ଷାତ କରିଥିଲେ। କଲିକତାର ପ୍ରବାସୀ ଓଡ଼ିଆ ଶ୍ରମଜୀବୀ ସ˚ଗଠନ ସହିତ ଗୋପବନ୍ଧୁ ସ˚ପୃକ୍ତ ଥିଲେ ଏବ˚ କଲିକତାରେ ରହୁଥିବା ଓଡ଼ିଆମାନଙ୍କ ସମସ୍ୟା ବିଷୟରେ ସଚେତନ ଥିବା ନେତାଜୀଙ୍କ ସହିତ ସେ ଶ୍ରମିକମାନଙ୍କ ଦାବିଦୁବା, ଆପତ୍ତିଅଭିଯୋଗ ବିଷୟରେ ଆଲୋଚନା କରିଥିଲେ। ଏହା ୧୯୨୪ ମସିହାର କଥା। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଯଥାକ୍ରମେ ନେତାଜୀଙ୍କ ବାସଭବନ ଓ ହାରିଶ୍ ପାର୍କଠାରେ ଅନୁଷ୍ଠିତ ସଭାରେ ପ୍ରବାସୀ ଓଡ଼ିଆମାନଙ୍କୁ ସୁଭାଷ ଚନ୍ଦ୍ର ମାର୍ଗଦର୍ଶନ କରାଇଥିଲେ। ଗୋପବନ୍ଧୁଙ୍କ ଠାରୁ ବର୍ଣ୍ଣବୋଧ, ଶିଶୁବୋଧ, ପିଲାଙ୍କ ରାମାୟଣ ଆଦି ଓଡ଼ିଆ ବହି ଉପହାର ପାଇ ବେଶ୍ ଖୁସି ହୋଇଥିଲେ ନେତାଜୀ ସୁଭାଷ। ଗୋପବନ୍ଧୁଙ୍କ ପ୍ରତି ତାଙ୍କର ଅକୃତ୍ରିମ ଶ୍ରଦ୍ଧା ଥିଲା। ୧୯୩୮ ମସିହାରେ କ˚ଗ୍ରେସ ସଭାପତି ହେବା ପରେ ସେ ଓଡ଼ିଶାକୁ ତା’ର ନ୍ୟାଯ୍ୟ ପ୍ରଦାନ କରିଥିଲେ। କ˚ଗ୍ରେସ କାର୍ଯ୍ୟକାରୀ କମିଟିରେ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ନେତା ହରେକୃଷ୍ଣ ମହତାବ ସ୍ଥାନ ପାଇଥିଲେ। ସେହିବର୍ଷ କଲିକତା-ବମ୍ବେ ମେଲ୍ଗାଡ଼ିରେ ଯିବା ସମୟରେ ସେ ଝାରସୁଗୁଡ଼ା ରେଳଷ୍ଟେସନରେ ସମ୍ବଲପୁର ଜିଲ୍ଲା କ˚ଗ୍ରେସ୍ କମିଟିର ସେକ୍ରେଟାରି ଭାନୁଶଙ୍କର ମୋହନଲାଲ୍ ଯୋଶୀ ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶାର ସାଙ୍ଗଠନିକ ଓ ସା˚ସ୍କୃତିକ କାର୍ଯ୍ୟ ସହିତ ସାମିଲ ହେବା ପାଇଁ ନେତାଜୀ ଥିଲେ ସଦା ତତ୍ପର।
ଓଡ଼ିଶା ମାଟିରେ ଜୀବନର ଷୋହଳଟି ଗୁରୁତ୍ବପୂର୍ଣ୍ଣ ବସନ୍ତ ବିତାଇଥିବା ନେତାଜୀଙ୍କର ଓଡ଼ିଶାର ମାଟିମଟାଳ ପ୍ରତି ମୋହ ଥିଲା। ଦୁର୍ବଳତା ଥିଲା ଓଡ଼ିଶାର ଭାଷା ଓ ଭୂଗୋଳ ପ୍ରତି। ଏହା ସ୍ବାଭାବିକ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ସେ ତେଣୁ ସମର୍ଥନ କରୁଥିଲେ। ଓଡ଼ିଶାରେ କୃଷି ଓ ଶିଳ୍ପର ବିକାଶ ବିଷୟରେ ବିଶେଷତଃ ମଧୁବାବୁଙ୍କ ଉତ୍କଳ ଟ୍ୟାନେରି ସ˚ପର୍କରେ ଜାଣିବାକୁ ସେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ। ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ପ୍ରତି ମଧ୍ୟ ସେ ଥିଲେ ବେଶ୍ ସମ୍ବେଦନଶୀଳ। କଲିକତାରେ ଓଡ଼ିଆ ବନ୍ଧୁମାନଙ୍କ ସହିତ ସ୍ବଚ୍ଛନ୍ଦରେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ। କଲିକତା ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ସମୟରେ (୧୯୪୦), ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ନେତାଜୀଙ୍କୁ ତାଙ୍କ ଏଲ୍ଗିନ୍ ରୋଡ୍ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ ଏବ˚ ନେତାଜୀ ତାଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା କରିଥିଲେ। ‘ସ୍ମୃତି ଓ ଅନୁଭୂତି’ରେ ରାଉତରାୟ ଲେଖିଛନ୍ତି, ‘‘x x ମୁଁ କଟକର ଛାତ୍ର ବୋଲି ଜାଣିଲା କ୍ଷଣି ସେ ସାଙ୍ଗେ ସାଙ୍ଗେ ଦେଖା କରିବାକୁ ଡାକିଥିଲେ। ରାଜନୀତିରେ ମୋର ଆଗ୍ରହ କଥା ଜାଣି ଖୁସି ହୋଇଥିଲେ। କଟକର ରାସ୍ତାଘାଟ, ଗଳିକନ୍ଦି, କଲେଜିଏଟ୍ ସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବିଷୟରେ ମୋତେ ଅନେକ କଥା ପଚାରିଥିଲେ। x x ମୋ ସହିତ ଓଡ଼ିଆରେ କଥାବାର୍ତ୍ତା କରିଥିଲେ। x x x ସୁଭାଷ ବୋଷଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା ହେଲାବେଳେ ମୋ ମନରେ ଏକରକମର ଶିହରଣ ସୃଷ୍ଟି ହୋଇଥିଲା। ସେତେବେଳକୁ ସୁଭାଷବାବୁ ଜାତୀୟ ଆନ୍ଦୋଳନ କ୍ଷେତ୍ରରେ ଯୁବଶକ୍ତିର ଜଣେ ଦୃପ୍ତ ପ୍ରତୀକ ରୂପେ ଚାରିଆଡ଼େ ଚହଳ ସୃଷ୍ଟି କରିଥିଲେ।’’
୧୯୩୯ ମସିହା ମାର୍ଚ୍ଚ ମାସରେ କ˚ଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ହେଁ ପର ମାସ ସେ ସେହି ପଦରୁ ଇସ୍ତଫା ଦେଇଥିଲେ ଏବ˚ ସେହି ବର୍ଷ ଜୁନ୍ ମାସ ୨୨ ତାରିଖରେ ଫରୱାର୍ଡ ବ୍ଲକ୍ ଗଠନ କରିଥିଲେ। ତା’ର ମାତ୍ର ମାସକ ପରେ ଅର୍ଥାତ୍ ଅଗଷ୍ଟ ମାସରେ (୫ରୁ ୯ ତାରିଖ) ପ୍ରାଦେଶିକ ଯୁବ ସମ୍ମିଳନୀର ଅନୁରୋଧ କ୍ରମେ ସେ ଓଡ଼ିଶା ଆସିଥିଲେ। ‘ଜୀବନଯାତ୍ରା ପଥରେ’ ବିବୁଧେନ୍ଦୁ ମିଶ୍ର ଉଲ୍ଲେଖ କରିଛନ୍ତି, ‘‘ଅଭ୍ୟର୍ଥନା ସମିତିର ଚେୟାରମ୍ୟାନ୍ ଥିଲେ ଯଦୁମଣି ମଙ୍ଗରାଜ। ସମ୍ମିଳନୀ ଅନୁଷ୍ଠିତ ହେଲା। ସମ୍ମିଳନୀକୁ ଉଦ୍ବୋଧନ ଦେବାପାଇଁ ଆମନ୍ତ୍ରିତ ହୋଇ ସୁଭାଷବାବୁ କଟକରେ ପହଞ୍ଚିଲେ। ସେଦିନ ସକାଳେ ତାଙ୍କ ସମ୍ବର୍ଦ୍ଧନା ନିମନ୍ତେ କଟକ ରେଳଷ୍ଟେସନରେ ପ୍ରବଳ ଜନଗହଳି ହୋଇଥିଲା।’’ ସେହିପରି ପ˚ଡିତ ନୀଳକ˚ଠ ତାଙ୍କ ‘ଆତ୍ମ ଜୀବନୀ’ରେ ଲେଖିଛନ୍ତି, ‘‘x x ପ୍ରଦେଶ କ˚ଗ୍ରେସ କମିଟିର ସଭାପତି ଭାବରେ ମୁଁ ତାଙ୍କୁ ହାତୀ ଉପରେ ଧରି କଟକ ତମାମ ବୁଲିଥିଲି। ସେ ଯେଉଁଠାରେ ଥିଲେ ମୁଁ ବସା କରି ରହିଲି। ସେ ପ୍ରତ୍ୟେକ କଥା ମୋତେ ପଚାରି କରୁଥିଲେ।’’ ସେହି ଗସ୍ତ କାଳରେ ସୁଭାଷ ତାଙ୍କ ପ୍ରିୟ କଲେଜିଏଟ୍ ସ୍କୁଲ୍ ଓ ଛାତ୍ରାବାସ ବୁଲି ଦେଖିଥିଲେ ଏବ˚ ମ୍ୟୁନିସିପାଲିଟି ପଡ଼ିଆ, ରେଭେନ୍ସା କଲେଜ ଏବ˚ କଲେଜିଏଟ୍ ସ୍କୁଲ୍ରେ ଭାଷଣ ଦେଇଥିଲେ। ସେ ମଧ୍ୟ ପୁରୀ, ଖୋର୍ଦ୍ଧା, ବାଲେଶ୍ବର ଓ ବ୍ରହ୍ମପୁର ଗସ୍ତ କରିଥିଲେ। ଓଡ଼ିଶାରେ ଫରୱାର୍ଡ ବ୍ଲକ୍ର ଏକ ଶାଖା ମଧ୍ୟ ଗଠିତ ହୋଇଥିଲା।
ଓଡ଼ିଶାର ଅନେକ ଯୁବନେତା ଥିଲେ ନେତାଜୀଙ୍କ ଆଦର୍ଶର ଅନୁଗାମୀ ଏବ˚ ଆଜାଦ ହିନ୍ଦ ଫୌଜର ସମର୍ଥକ ଓ ସେନାନୀ। ଆଜାଦ ହିନ୍ଦ ଫୌଜର ରେଙ୍ଗୁନ୍ରେ ଥିବା ଓଡ଼ିଆ କ୍ୟାମ୍ପ୍ର କମାଣ୍ତି˚ ଇନ୍ଚାର୍ଜ ଥିଲେ କର୍ନେଲ ବ୍ରଜମୋହନ ପଟ୍ଟନାୟକ ଏବ˚ କ୍ଷେତ୍ରପ୍ରଚାର ଦାୟିତ୍ବରେ ଥିଲେ ପଣ୍ତିତ କୃଷ୍ଣଚନ୍ଦ୍ର ତ୍ରିପାଠୀ। ଓଡ଼ିଶାରୁ ପ୍ରାୟ ଦେଢ଼ ହଜାର ସୈନ୍ୟ ଆଇ.ଏନ୍.ଏ.ରେ କାର୍ଯ୍ୟରତ ଥିଲେ ଏବ˚ ସେମାନଙ୍କ ମଧ୍ୟରୁ ଅନେକ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରି ସହିଦତ୍ବ ପ୍ରାପ୍ତ ହୋଇଥିଲେ। ପୁନଶ୍ଚ ଆଇ.ଏନ୍.ଏ.ର ପ୍ରଚାରପତ୍ର ବଣ୍ଟନରେ ଲିପ୍ତ ଥିଲେ ଅସୀମ ସାହସୀ ବୈମାନିକ ତଥା ଯୁବ ବିପ୍ଳବୀ ବିଜୁ ପଟ୍ଟନାୟକ। ଓଡ଼ିଶା ଉପକୂଳକୁ ଆଇ.ଏନ୍.ଏ.ର ଏକ ଆଗୁଆଦଳ ପଠାଇବାକୁ ଭୁଲି ନଥିଲେ ନେତାଜୀ। ତେବେ ପ୍ରାକ୍ ଯୋଜନା ମୁତାବକ ପୁରୀରେ ପହଞ୍ଚିବା ପରିବର୍ତ୍ତେ କୋଣାର୍କ ନିକଟରେ ପହଞ୍ଚିଥିଲା ସେହି ଆଗୁଆଦଳ।
ଜନ୍ମମାଟି ଓଡ଼ିଶା ପ୍ରତି ନେତାଜୀଙ୍କ ହୃଦୟରେ ଥିଲା ନିର୍ମଳ ଆତ୍ମୀୟତା। ବ୍ୟସ୍ତ ଜୀବନ ଭିତରେ କଦବା କେଉଁ ଅଳସ ଅପରାହ୍ଣରେ ପଛକୁ ଫେରି ଚାହିଁବାର ଅଭୀପ୍ସା ଭିତରେ ତାଙ୍କ ମନଶ୍ଚକ୍ଷୁ ଆଗରେ ନାଚି ଉଠୁଥିଲା ଓଡ଼ିଶାର କାନ୍ତି, କୀର୍ତ୍ତି, କଳା, କାରିଗରି, ନଈ ଓ ନିର୍ମାଲ୍ୟର ଚିତ୍ର। ଭୂମିସୁତ ଭୂମିର ବାସ୍ନାଠାରୁ ଦୂରେଇ ରହିପାରନ୍ତେ କି? ନୀଳକ˚ଠଙ୍କୁ ପ୍ରେରିତ ଚିଠିରେ ନେତାଜୀଙ୍କ ଓଡ଼ିଶା ପ୍ରୀତି ଇଂରେଜୀରେ ଯେମିତି ବର୍ଣ୍ଣିତ ହୋଇଥିଲା, ତାର ଓଡ଼ିଆ ଭାଷାନ୍ତର ଏହିଭଳି: ‘ମୁଁ ଯେଉଁ ଓଡ଼ିଶା ମାଟିରେ ଜନ୍ମଲାଭ କରି ବଡ଼ ହୋଇଛି, ସେହି ମାଟି ପ୍ରତିି ମୁଁ ଆବେଗିକ ଭାବେ ଅଙ୍ଗୀକାରବଦ୍ଧ।’
ଭି-ଏ, ୯/୨, ୟୁନିଟ୍-୨, ଭୁବନେଶ୍ବର-୭୫୧୦୦୯
[email protected]