ଯୁଦ୍ଧ ମଝିରେ ମଣିଷ

କହିବାର ଅଛି - ଦାଶ ବେନହୁର

ଆମେ ସମସ୍ତେ ସ˚ପ୍ରତି ବିଶ୍ବଯୁଦ୍ଧ ମଝିରେ।

ପ୍ରଥମ ବିଶ୍ବଯୁଦ୍ଧରେ ଯେତେ ଦେଶ ଓ ଜନସ˚ଖ୍ୟା ଜଡ଼ିତ ହୋଇପଡ଼ିଥିଲେ ତା’ଠାରୁ ଢେର ଅଧିକ ଦେଶ ଓ ଲୋକ ଯୋଡ଼ି ହୋଇଥିଲେ ଦ୍ବିତୀୟ ବିଶ୍ବଯୁଦ୍ଧରେ। ଏବେ କରୋନା ଭୂତାଣୁ ଓ ମଣିଷ ଭିତରେ ଯେଉଁ ବିଶ୍ବଯୁଦ୍ଧ ଆରମ୍ଭ ହୋଇଛି ସେଥିରେ ପୃଥିବୀ ପୃଷ୍ଠରେ ଥିବା ପ୍ରାୟ ସମସ୍ତ ଦେଶ ଆକ୍ରାନ୍ତ। ଏ ଯୁଦ୍ଧ ମଣିଷ ମଣିଷ ଭିତରେ ନୁହେଁ, ମଣିଷ ଓ ପ୍ରକୃତି ଭିତରେ। ପ୍ରକୃତିର ଏ ଅଦୃଶ୍ୟ ସୂକ୍ଷ୍ମ ରୂପ ଯେ ମଣିଷ ସମାଜକୁ ଦିନେ ଏଭଳି ବିପନ୍ନ କରିବ, ତାହା କାହା କଳ୍ପନାରେ ନ ଥିଲା। କେହି କେହି ବୈଜ୍ଞାନିକ, ମନୋବିଜ୍ଞାନୀ ବା ଲେଖକ ଯେ ଭୂତାଣୁ-ଜନିତ ଏକ ମହାବିପତ୍ତିର କଳ୍ପନା କରି ନଥିଲେ ସେ କଥା ନୁହେଁ, ହେଲେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅକଳ୍ପନୀୟ, ଅଭୂତପୂର୍ବ। କଳ୍ପନାଠାରୁ ବାସ୍ତବତା ଆହୁରି ଭୟାନକ।

ସାରା ପୃଥିବୀର ଅଧିବାସୀ ତଟସ୍ଥ। ଧନୀ ନିର୍ଧନ, ବିକଶିତ ଅବିକଶିତ ନିର୍ବିଶେଷରେ ସବୁ ଦେଶ ଭୟରେ ଜଡ଼ସଡ଼। ସବୁଠାରୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନର ପରିସ˚ଖ୍ୟାନ ଅନୁସାରେ ଏ ମହାମାରୀର ଅଧିକ ଶିକାର ହୋଇଛନ୍ତି ବିକଶିତ ଦେଶମାନେ। ଚୀନ୍‌ରୁ ଆରମ୍ଭ ହୋଇ ଏ ଭୂତାଣୁଜନିତ ମହାସ˚କ୍ରମଣ କୌଣସି ଗୋଟିଏ ବି ଇଲାକାକୁ ଛାଡ଼ିନାହିଁ। ଆମେରିକା, ଇଟାଲୀ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍‌ସ ଭଳି ଦେଶଗୁଡ଼ିକ ଉନ୍ନତ ସ୍ବାସ୍ଥ୍ୟ ସେବା ଥିବା ସତ୍ତ୍ବେ ଏହାର ଭୟାବହତାକୁ ରୋକିବାରେ ସମର୍ଥ ହୋଇପାରିନାହାନ୍ତି।

ଏ ସ˚କ୍ରମଣକୁ ବ୍ୟାହତ କରିବା ଲାଗି ସର୍ବଶ୍ରେଷ୍ଠ ଉପାୟ ହେଉଛି ଭୂତାଣୁ ଠାରୁ ଦୂରେଇ ରହିବା। ଅର୍ଥାତ୍‌ ସ˚କ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରୁ ନିଜକୁ ଦୂରରେ ରଖିବା। ଏହି ଶାରୀରିକ ଦୂରତାକୁ ସଫଳ କରିବା ଲାଗି ଦେଶ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି, ଲକ୍‌-ଆଉଟ୍‌ ଓ ସ˚ଗରୋଧ କାର୍ଯ୍ୟକ୍ରମ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଅଞ୍ଚଳ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇ ଅମାନିଆ ହେଲେ ଗୁଳି କରିଦିଆଯିବ ଭଳି ଚରମ ଚେତାବନୀ ମଧୢ କେତେକ ସ୍ଥାନରେ ଘୋଷଣା କରାଯାଇଛି।

ଏହା ଏକ ଯୁଦ୍ଧ। ଚିରାଚରିତ ଭାବେ ପକ୍ଷ ଓ ପ୍ରତିପକ୍ଷର ଲଢ଼େଇରେ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେଲେ ମଧୢ ସେମାନଙ୍କର ଭୂମିକା ଗୌଣ। ମାତ୍ର ବର୍ତ୍ତମାନର ଏ ଭୂତାଣୁ ଆକ୍ରମଣରେ ସାଧାରଣ ଲୋକ ହିଁ ଯୋଦ୍ଧା ଭଳି ଲଢ଼ିବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିର ହେୟ ମନୋଭାବ ତା’ ଅଞ୍ଚଳର ସମସ୍ତଙ୍କୁ ଯେ ବିପଦ ମୁହଁକୁ ଠେଲିଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଗୋଟାଏ ସମୟ ଥିଲା ଯେତେବେଳେ ସାଧାରଣ ମଣିଷ ପ୍ରାୟତଃ ସ୍ଥିର ଜୀବନ ଯାପନ କରୁଥିଲା। କୃଷିଭିତ୍ତିକ ଅର୍ଥନୀତି ତା’କୁ ଗୋଟିଏ ଇଲାକାରେ ବାନ୍ଧି ରଖୁଥିଲା। ହେଲେ ଆଜିର ଶିଳ୍ପ ଓ ସହରୀ-ଭିତ୍ତିକ ଜୀବନରେ ସେ ଅଧିକ ଗମନଶୀଳ। ପେଟ-ପାଟଣା, ବେପାର ବଣିଜ ଲାଗି ଲକ୍ଷ ଲକ୍ଷ ଲୋକ ନିତି ନିତି ଏ ଦେଶ ସେ ଦେଶ ହେଉଛନ୍ତି। ଏ ସହରରୁ ସେ ସହର, ଏ ଜନପଦରୁ ସେ ଜନପଦ ଘୂରି ବୁଲିବା ଏକ ସାଧାରଣ କଥା ପାଲଟିଛି। ଏହା ସଙ୍ଗକୁ ପର୍ଯ୍ୟଟନର ମାନସିକତା ଓ ଗମନାଗମନର ସୁବିଧା ସୁଯୋଗ ମଣିଷକୁ ବାହାର ଦୁନିଆ ସହିତ ଅଧିକ ସ˚ଯୋଜିତ କରିଛି। ମନେ ରଖିବା ଦରକାର ଯେ ସାଧାରଣ ମଣିଷଟି ସଭ୍ୟତାର ଆରମ୍ଭରୁ ଏମିତି ଏତେ ଅଧିକ ବିଚରଣଶୀଳ କେବେ ବି ନ ଥିଲା।

ହେଲେ ଆଜିର ବିଡ଼ମ୍ବନା ହେଲା ଏହି ବିଚରଣଶୀଳତା ହିଁ ତା’ ପାଇଁ କାଳ ସାଜିଛି। ହଠାତ୍‌ ବଦଳି ଯାଇଛି ଚିତ୍ର। ସମସ୍ତେ ନିଜ ଅଞ୍ଚଳ ନୁହେଁ ନିଜ ନିଜ ଘରେ ବନ୍ଦ ହୋଇ ରହିବାକୁ ବାଧୢ। ପଦାକୁ ବାହାରିଲେ ବିପଦ।

ମଣିଷ ଉପରେ ଭୂତାଣୁର ଆକ୍ରମଣ ଆଜିର କଥା ନୁହେଁ। ଯେବେଠାରୁ ସଭ୍ୟମଣିଷ ପ୍ରାକୃତିକ ଜୀବନଚକ୍ର ପ୍ରତି ହି˚ସ୍ର ମନୋଭାବ ପୋଷଣ କରିଛି ସେବେଠାରୁ ଏ ବିଡ଼ମ୍ବନାର ଆରମ୍ଭ। ଏପରି କି ଉନ୍ନତ ଦେଶମାନେ ଜୈବିକ ଅସ୍ତ୍ର ତିଆରି ଲାଗି ନାନା ଭୂତାଣୁର ଉପଯୋଗ ମଧୢ କରିଛନ୍ତି। ବିଜ୍ଞାନର ଦୁରୁପଯୋଗ ଓ ସରକାରୀ କଳଗୁଡ଼ିକର ଅହ˚କାର ବି ଭୂତାଣୁପ୍ରେରିତ ଦୁରାରୋଗ୍ୟର ପ୍ରଚ୍ଛନ୍ନ କାରଣ ବୋଲି ଅତୀତରେ ପ୍ରମାଣିତ ହୋଇଛି। ତା’ ସଙ୍ଗକୁ ଜୀବଜନ୍ତୁ, କୀଟପତଙ୍ଗ ଓ ଗଛଲତାଙ୍କ ପ୍ରତି ମଣିଷର ଅବିଚାରିତ ହି˚ସ୍ର ମନୋଭାବ ଏଭଳି ଦୁର୍ଭାଗ୍ୟକୁ ମୌଳିକ ଭାବେ ପ୍ରୋତ୍ସାହିତ କରିଛି।

ମଣିଷର ଅନ୍ତର୍ଦୃଷ୍ଟି ଏ ସମ୍ଭାବନାକୁ ଯେ ଆଗରୁ ଦେଖିପାରିନାହିଁ ସେ କଥା ନୁହେଁ। ଲେଖକ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଘଟଣା ଘଟିବାର ଅନେକ ପୂର୍ବରୁ ମଣିଷ ସମାଜକୁ ସାହିତ୍ୟ ଓ ଚଳଚ୍ଚିତ୍ର ମାଧୢମରେ ହୁସିଆର ବି କରିଛନ୍ତି। ହେଲେ ଏ ସବୁ ପ୍ରତି ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ଯାଏ କେହି ଧୢାନ ଦେଇନାହାନ୍ତି।

ଲେଖକ ଡାନିଏଲ୍‌ ଡେଫୋ ୧୭୨୨ ମସିହାରେ ‘‘ଏ ଜର୍ନାଲ୍‌ ଅଫ୍‌ ଦ ପ୍ଲେଗ୍‌’’ନାମକ ଏକ ପୁସ୍ତକ ରଚନା କରି ଭୂତାଣୁ ଜନିତ ଭୟାବହତାର ପୂର୍ବାନୁମାନ କେଉଁକାଳୁ କରିସାରିଥିଲେ। ସେଇଭଳି ନୋବେଲ୍‌ ପୁରସ୍କାର ବିଜେତା ସାହିତ୍ୟିକ ଆଲବେୟାର କାମୁଙ୍କର ୧୯୪୭ରେ ଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ ‘‘ଦ ପ୍ଲେଗ୍‌’’। ୧୯୪୪ରେ ମଧୢ ଭୂତାଣୁ ଭୟାବହତାକୁ ବିଷୟ କରି ରିଚାର୍ଡ ପ୍ରେଷ୍ଟନ୍‌ ଲେଖିଥିଲେ ‘‘ଦ ହଟ୍‌ ଜୋନ୍‌’’। ହେଲେ ସିଧାସଳଖ କରୋନା ଭୂତାଣୁର ଭୟାବହତାକୁ ଦର୍ଶାଇ ଯେ ପୁସ୍ତକ ରଚନା କରିଥିଲେ ସେ ହେଉଛନ୍ତି ଲେଖିକା ସିଲ୍‌ଭିଆ ବ୍ରାଉନ୍‌। ପୁସ୍ତକଟିର ନାଁ ହେଉଛି ‘‘ଏଣ୍ତ୍‌ ଅଫ୍‌ ଡେଜ୍‌’’। ପ୍ରକାଶ କାଳ ୨୦୦୮। ସେଇଭଳି ୧୯୮୧ରେ ଲିଖିତ ଡିନ୍‌ କୁ˚ଜ୍‌ଙ୍କ ପୁସ୍ତକ ‘‘ଦ ଆଇଜ୍‌ ଅଫ୍‌ ଡାର୍କନେସ୍‌’’। ବିଶେଷକରି ଏ ଶେଷ ଦୁଇଟିଯାକ ପୁସ୍ତକ କରୋନା ଭାଇରସ୍‌ ଯେ ଆସୁଛି ସେ କଥାର ଚେତାବନୀ ସାରା ବିଶ୍ବକୁ ଶୁଣାଇ ସାରିଥିଲେ। ସିଲ୍‌ଭିଆ ବ୍ରାଉନ୍‌ ତ ଜଣେଇ ସାରିଥିଲେ ଯେ ୨୦୨୦ ହେଉଛି କରୋନା ଆକ୍ରମଣର ବର୍ଷ। ହେଲେ କିଏ କ’ଣ ସେ କଥା ପ୍ରତି ଧୢାନ ଦେଲା?

ଅନୁରୂପ ଭାବେ ଭୂତାଣୁର ଭୟାବହତାକୁ ପୂର୍ବାନୁମାନ କରି ‘‘ଦ ଓମେଗା ମ୍ୟାନ୍‌’’ (୧୯୭୧) ଓ ‘‘ଦ ଆଣ୍ତ୍ରୋମେଡା ଷ୍ଟ୍ରେନ୍‌ (୧୯୭୧) ଭଳି ଚଳଚ୍ଚିତ୍ର ମଧୢ ନିର୍ମିତ ହୋଇଛି। ଏ ଦିଗରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚଳଚ୍ଚିତ୍ର ହେଉଛି ୨୦୧୧ରେ ନିର୍ମିତ ‘‘କଣ୍ଟାଜିଅନ୍‌’’। ଷ୍ଟିଭେନ୍‌ ସଦର‌୍‌ବର୍ଗଙ୍କ ନିର୍ଦ୍ଦେଶିତ ଓ ସ୍କଟ୍‌ ଜେ. ବର୍ଣ୍ଣସ୍‌ଙ୍କ ଲିଖିତ ଏ ଚଳଚ୍ଚିତ୍ର ନଅ ବର୍ଷ ପରେ ଆଜି ଘଟୁଥିବା ଘଟଣାବଳୀର ଏକ ନିଛକ ଉପସ୍ଥାପନା କରିଥିଲା। କାହାଣୀର ଆରମ୍ଭ ହୋଇଛି ଗୋଟିଏ ବୃକ୍ଷହତ୍ୟାରୁ। ଚୀନ୍‌ର ଚିରହରିତ୍‌ ବଣ (ରେନ୍‌ ଫରେଷ୍ଟ୍)ରେ ଗୋଟିଏ ବୁଲ୍‌ଡୋଜର‌୍‌ ପଶି ଏକ ବିରାଟ ବୃକ୍ଷକୁ ଭୂପତିତ କରିଛି। ସେଥିରେ ବାସ କରୁଥିଲେ ଅସ˚ଖ୍ୟ ବାଦୁଡ଼ି। ଛିନ୍‌ଛତ୍ର ହୋଇ ଉଡ଼ିଯାଇଥିବା ବାଦୁଡ଼ିିଗୁଡ଼ିକ ଭିତରୁ ଗୋଟିଏ ପ୍ରାଣ ବିକଳରେ ଆଶ୍ରୟ ନେଇଛି ଘୁଷୁରି ଫାର୍ମରେ। ସେଇଠି ପାଟିରେ ଧରିଥିବା କଦଳୀଟିକୁ ସେ ଖସେଇ ପକେଇଛି। ବାଦୁଡ଼ିଖିଆ କଦଳୀଟିକୁ ଖାଇଛି ଗୋଟିଏ ଘୁଷୁରି। ପରେ ନିର୍ଦ୍ଦିଷ୍ଟ ଘୁଷୁରିଟିର ମା˚ସ ଗୋଟିଏ କ୍ୟାସିନୋରେ ପହଞ୍ଚି ଖାଦ୍ୟ ପ୍ରସ୍ତୁତ ହୋଇଛି। ଖାଦ୍ୟ ଖାଇଛନ୍ତି ବର୍ଥ ଏମଫ୍‌ ନାମକ ଜଣେ ଭଦ୍ର ମହିଳା। ହ˚କ˚ରେ ତାଙ୍କର ବୈପାରିକ କାର୍ଯ୍ୟ ସାରି ସେ ଛୁଟି ମନେଇବାକୁ ଆସିଛନ୍ତି ଆମେରିକାର ସିକାଗୋ। ସେଠାରୁ ଯାଇଛନ୍ତି ନିଜ ସହର ମିନିଆପଲିସ୍‌। ସେଠି ସେ ହଠାତ୍‌ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛନ୍ତି। ସେଇ ସ˚କ୍ରମଣରେ ବାଳକ କ୍ଲାର୍କର ମୃତ୍ୟୁ ହୋଇଛି। ଦେଖିଲାବେଳକୁ ଏହା ଭୂତାଣୁ ଆକ୍ରମଣ। ହେଲେ ତାଙ୍କ ସ୍ବାମୀ ମିଚ୍‌ ନିଜ ଦେହର ରୋଗ ପ୍ରତିଷେଧକ ଶକ୍ତି ଯୋଗୁଁ ରକ୍ଷା ପାଇ ଯାଇଛନ୍ତି। ଭୂତାଣୁ ତା’ର ପରାକ୍ରମ ଜାରି ରଖିଛି। ମୃତ୍ୟୁର ବିଭୀଷିକା ସଙ୍ଗକୁ ସାମାଜିକ ସନ୍ତୁଳନ ବିଗିଡ଼ି ଯାଇ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ସାରା ଆମେରିକାରେ। କି ଭବିଷ୍ୟତ ଦୃଷ୍ଟି ସତରେ!

ମଣିଷ ଜାତିକୁ ତା’ର ଚିନ୍ତାଶୀଳ ନାଗରିକଙ୍କ ମାଧୢମରେ ଭବିଷ୍ୟତ ଦିଶିଥିଲେ ମଧୢ ଅନେକ ସମୟରେ ସେ ଅନ୍ଧ ଭଳି ବାଟ ଚାଲେ। ଏ କରୋନା ଭାଇରସ୍‌ ଆକ୍ରମଣ ତା’ର ଏକ ପ୍ରକୃଷ୍ଟ ଉଦାହରଣ।

ଭୂତାଣୁ ଯୁଦ୍ଧ ତ ଆରମ୍ଭ ହୋଇସାରିଛି। ଏ ଯୁଦ୍ଧରେ ଦେଶ, ସରକାର, ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ସବୁ ଅକାମି ହୋଇପଡ଼ିଛି। ଜି.ଡି.ପି., କୂଟନୀତି, ସାମରିକ ଚୁକ୍ତି, ପରମାଣୁ ବୋମା ଆଦି ଏ ବିଶ୍ବଯୁଦ୍ଧରେ କେତେ ଅଲୋଡ଼ା ତାହା ପ୍ରମାଣିତ ହୋଇସାରିଛି। ଶାସକମାନେ ସାଧାରଣ ଲୋକଙ୍କୁ ହାତ ଯୋଡୁଛନ୍ତି- ‘‘ସ˚ଯତ ହୁଅ, ନିଜ ନିଜ ଘର ଭିତରେ ଆପଣାକୁ ବାନ୍ଧି ରଖ। ଏହା ଭୂତାଣୁ ନୁହେଁ, ନିଆଁ ଝୁଲ। ସାମାନ୍ୟ ଅସତର୍କତା ସାରା ବିଶ୍ବ ପାଇଁ ବାଡ଼ବାନଳ ସୃଷ୍ଟି କରିବାକୁ ସକ୍ଷମ।’’

ଯୁଦ୍ଧ ମଝିରେ ଲଢ଼ିବା ପାଇଁ ସାଧାରଣ ମଣିଷ ଠିଆ ହୋଇଛି ଆଜି। ପ୍ରତିଟି ଦେଶରେ ଏଇ ନିହତା ମଣିଷଟିର ସହଯୋଗ ଲୋଡୁଛନ୍ତି ସରକାରମାନେ। ଧନୀ ଗରିବ ଏକାକାର। ଭୂତାଣୁ ବୁଲୁଛି। ନିଜକୁ ତା’ଠାରୁ ଦୂରେଇ ରଖ। ଜୀବନ ଖୋଜୁଛି ଭୂତାଣୁ, କାରଣ ବିନା ଜୀବକୋଷରେ ସେ ବଞ୍ଚିବା ଅସମ୍ଭବ। ଜୀବକୋଷରୁ ଜୀବକୋଷ ଡେଇଁ ସେ ସ˚ହାରଲୀଳା ଚଳାଇଛି। ତେଣୁ ତା’ର ବାହକ ହୁଅ ନାହିଁ। ବାହକ ହେବାକୁ ଦିଅ ନାହିଁ। ନିଜକୁ ସୁରକ୍ଷିତ ରଖ।

ସ୍ମରଣଯୋଗ୍ୟ କଥାଟି ହେଲା, ପ୍ରତିଟି ବିଶ୍ବଯୁଦ୍ଧ ପରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସେ। କଳା, ବିଜ୍ଞାନ, ଶିଳ୍ପ, ଗମନାଗମନ, ରାଜନୀତି, ଅର୍ଥନୀତିରେ ନୂଆ ନୂଆ ବାଟ ଫିଟେ।

ଅତୀତର ବିସ୍ତାରିତ ବିଶ୍ବକୁ ଆମେ ସ˚କୁଚିତ କରି ଏକ ଗାଆଁରେ ପରିଣତ କରିଥିଲୁ। ଜଗତ୍‌କରଣ, ବିଶ୍ବ ପର୍ଯ୍ୟଟନ, ବିଶ୍ବ ଅର୍ଥନୀତି ସଙ୍ଗକୁ ସବୁକଥାର ସମୂହକରଣରେ ମନ ଦେଇଥିଲୁ। ମେଗାସିଟି ବା ବିସ୍ତାରିତ ସହରମାନଙ୍କର ନକ୍‌ସା ଆଙ୍କିବା ସହ ଦ୍ରୁତ ଗମନାଗମନକୁ ମାତ୍ରାଧିକ ପ୍ରାଧାନ୍ୟ ଦେଉଥିଲୁ। ରାସ୍ତା ଓ ପାଇପ୍‌ରେ ଯୋଡ଼ିଦେଉଥିଲୁ ସାରା ଦେଶକୁ। ଯୋଗାଣ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରିଦେଉଥିଲୁ। ଏଣିକି ସେ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବ ହିଁ ଆସିବ। ପ୍ରତ୍ୟେକ ଦେଶ, ପ୍ରତ୍ୟେକ ଅଞ୍ଚଳ କେତେ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେ କଥାର ପର୍ଯ୍ୟାଲୋଚନା ହେବ। ପ୍ରକୃତି ପ୍ରତି, ଅଦରକାରୀ ଗବେଷଣା ପ୍ରତି ସାଧାରଣ ମଣିଷର ମନୋଭାବ ବଦଳିବ।

ଆମେ ଆଶା କରିବା ଏ ବିଶ୍ବଯୁଦ୍ଧ ଆମକୁ ଅଧିକ ଶିକ୍ଷିତ କରୁ। ସାଧାରଣ ମଣିଷ ତା’ର ପରାକାଷ୍ଠା ଦେଖାଉ। କାରଣ ସେ ହିଁ ଏ ଯୁଦ୍ଧରେ ସର୍ବ ଶକ୍ତିମାନ। ସ˚ଯମ ହିଁ ଶ୍ରେଷ୍ଠ ଅସ୍ତ୍ର।

[email protected]

ସମ୍ବନ୍ଧିତ ଖବର