ସୀମାହୀନ ସ˚ଗ୍ରାମର ସ˚କେତ

ପ୍ରଫେସର ମଣୀନ୍ଦ୍ର କୁମାର ମେହେର

ଆଜି ବି ବୀର ସୁରେନ୍ଦ୍ର ସାଏ ଦେଶପ୍ରେମୀ ମଣିଷର ହୃଦୟକୁ ତୀବ୍ର ଭାବରେ ସ୍ପନ୍ଦିତ କରନ୍ତି। ନିଜ ଜୀବନର ସମସ୍ତ ସୁଖଶାନ୍ତିର ଆଶା ଓ ଅଭିଳାଷ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରି ଜନ୍ମଭୂମିର ମୁକ୍ତି ନିମିତ୍ତ ସେ ଯେପରି ଅସହ୍ୟ ଦୁଃଖ ଓ ନିର୍ଯାତନା ବରଣ କଲେ ତାହା କ’ଣ ମହାକାଳ କେବେହେଲେ ଲିଭାଇ ଦେବା ସମ୍ଭବ? ଯେଉଁମାନେ ନିଜର ବ୍ୟକ୍ତିଗତ ସ୍ବାର୍ଥ ସକାଶେ ବଞ୍ଚି ରହନ୍ତି ସେମାନଙ୍କୁ ସମୟର ସ୍ରୋତ ଭସାଇ ନିଏ ବିସ୍ମୃତିର ଗର୍ଭକୁ। ମାତ୍ର ମାତୃଭୂମିର କ୍ରନ୍ଦନ ଶୁଣିପାରୁଥିବା ଓ ତାହାର ମୁକ୍ତି ସକାଶେ ପ୍ରାଣଦାନ କରିଥିବା ସ˚ଗ୍ରାମୀଙ୍କ ସ୍ମୃତି ଚିର କାଳ ରହେ ଏକ ବଳିଷ୍ଠ ସ˚କେତ ହୋଇ। ପଶ୍ଚିମ ଓଡ଼ିଶାରେ ସୁରେନ୍ଦ୍ର ସାଏ ଯେଉଁ ଅସାଧାରଣ ବୀରତ୍ବ ପ୍ରଦର୍ଶନ କରି ବ୍ରିଟିସ୍‌ ସରକାରକୁ କରିପାରିଥିଲେ ଭୟଭୀତ ଓ ବିପର୍ଯ୍ୟସ୍ତ, ତାହା କେବଳ ଇତିହାସରେ ନୁହେଁ ଜାତୀୟତାବାଦୀ ମଣିଷର ଅନ୍ତରରେ ଉଷ୍ମ ଅଶ୍ରୁର ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ସମ୍ବଲପୁରର ସ୍ବାଧୀନତା ନିମିତ୍ତ ସ˚ଗ୍ରାମ କରିବା ଏକ ସାଙ୍କେତିକ ଅଭିବ୍ୟକ୍ତି। ଇ˚ରେଜ ସରକାରକୁ ବିତାଡ଼ିତ କରିବା ପାଇଁ ଯେଉଁ ବିଦ୍ରୋହର ଅଗ୍ନି ପ୍ରଜ୍ଜ୍ବଳିତ କଲେ ସୁରେନ୍ଦ୍ର ସାଏ ସହସ୍ର ସହସ୍ର ଆଦିବାସୀଙ୍କ ହୃଦୟରେ, ତାହା କଳ୍ପନା କରିବା ମାତ୍ରକେ ଯେ କେହି ବିସ୍ମିତ ହେବା ସ୍ବାଭାବିକ। ଏତେ ଅଦ୍ଭୁତ ଶକ୍ତି ଓ ସାମର୍ଥ୍ୟ ସୁରେନ୍ଦ୍ରଙ୍କ ଅନ୍ତରରେ ଉତ୍ପନ୍ନ କରିଥିଲା କିଏ? ଏହା ମାତୃଭୂମିର ବଳିଷ୍ଠ ଆହ୍ବାନର ବହ୍ନିମାନ ଶିଖା। ୧୮୫୭ ମସିହାର ବହୁ ପୂର୍ବରୁ ଅସ୍ତ୍ରଧାରଣ କରିଥିବା ସୁରେନ୍ଦ୍ରଙ୍କ ସ˚ଗ୍ରାମୀ ଜୀବନ ଯେ କେତେ ସ˚ଘର୍ଷମୟ ତାହା କଳ୍ପନା କରିବା ମାତ୍ରକେ ରୋମାଞ୍ଚିତ ହୋଇଉଠେ ପ୍ରତିଟି ଲୋମକୂପ। କେବଳ ନିଜେ ନୁହେଁ ତାଙ୍କର ପରିବାରର ପଞ୍ଚଭ୍ରାତା ଏବ˚ ତାଙ୍କର ପ୍ରିୟପୁତ୍ର ମଧୢ ଏହି ବିଦ୍ରୋହରେ ଝାସ ଦେଇଥିଲେ ଅପୂର୍ବ ସାହସିକତା ପ୍ରଦର୍ଶନ କରି। ସୁରେନ୍ଦ୍ର ସାଏ କ’ଣ ଜାଣିପାରୁନଥିଲେ ଯେ, ମହାଶକ୍ତିଶାଳୀ ବ୍ରିଟିସ୍‌ ସରକାରକୁ ପରାସ୍ତ କରିବା ଅସମ୍ଭବ ବୋଲି? ଯେତେବେଳେ ଜଣେ ସ˚ଗ୍ରାମୀ ଅସ୍ତ୍ର ଉତ୍ତୋଳନ କରେ ସେତେବେଳେ ବିଜୟ ବା ପରାଜୟ କୌଣସି ଭାବନା ତାହାକୁ ସ୍ପର୍ଶ କରିପାରେନାହିଁ। ତା’ ଆଖି ଆଗରେ କେବଳ ଉଦ୍‌ଭାସିତ ହୁଏ ନିର୍ଯାତିତା ମାତୃଭୂମିର ଦୁଃସହ ବେଦନା। ସେହି ମାତୃ-ବେଦନା ଜର୍ଜରିତ ସୁରେନ୍ଦ୍ର ସମସ୍ତ ପ୍ରକାରର ଆଗତ ଭବିଷ୍ୟତ ସ˚ପର୍କରେ ଆଦୌ ଚିନ୍ତିତ ନ ହୋଇ ଅପରାଜେୟ ଇ˚ରେଜ ଶକ୍ତିକୁ ତିଳେ ମାତ୍ର ଭ୍ରୂକ୍ଷେପ ନ କରି ଯେପରି ଅସାମାନ୍ୟ ବୀରତ୍ବର ପରିଚୟ ଦେଲେ, ତାହା ଯେ କୌଣସି କାଳରେ ଦେଶଭକ୍ତର ହୃଦୟକୁ କରି ଦେଇପାରେ ଉଦ୍‌ବେଳିତ। କୋହ୍ଲ, ବିଞ୍ଝାଲ, ଗଣ୍ତ, ଶବର ଆଦି ସରଳ ଆଦିବାସୀମାନଙ୍କ ମଧୢରେ ବିଜୁଳିର ଚମକ ସୃଷ୍ଟି କରିପାରିଥିବା ଏହି ମହାନ୍‌ ବିପ୍ଳବୀଙ୍କ ନିରବଚ୍ଛିନ୍ନ ବିଦ୍ରୋହର ବାସ୍ତବିକ ତୁଳନା କାହିଁ? ୧୮୫୮ ମସିହାରେ ସର୍ବପ୍ରଥମ ସ୍ବାଧୀନତା ସ˚ଗ୍ରାମକୁ ଦମନ କରିବାରେ ଇ˚ରେଜ ସରକାର ସଫଳ ହୋଇଥିଲେ ମଧୢ ସମ୍ବଲପୁର ମାଟିରେ ୧୮୬୨ ମସିହା ପର୍ଯ୍ୟନ୍ତ ଏହି ସ˚ଗ୍ରାମର ଦୀପ୍ତ ଶିଖା ପ୍ରଜ୍ଜ୍ବଳିତ ହୋଇ ରହିଥିଲା ତ୍ୟାଗପୂତ ତୈଳଦାନରେ। ସୁରେନ୍ଦ୍ର ସାଏଙ୍କ ଯୁଦ୍ଧ କୌଶଳ ଇ˚ରେଜ ସରକାରକୁ କରିଥିଲା ହତଚକିତ। ବିଦ୍ରୋହୀମାନଙ୍କୁ କରାୟତ୍ତ କରିବା ପାଇଁ ବ୍ରିଟିସ ସରକାର ଯେପରି କଠୋର ପଦକ୍ଷେପ ନେଇଥିଲେ ଓ ସୁରେନ୍ଦ୍ରଙ୍କ ଭାଇ ଉଜ୍ଜ୍ବଳ ସାଏଙ୍କୁ ବିନା ବିଚାରରେ ଦେଇଥିଲେ ଫାଶୀ, ତାହା ଥିଲା ବର୍ବରତାର ପରିଚୟ। ଏକାଧିକ ବିଦ୍ରୋହୀଙ୍କୁ ହତ୍ୟା କରିବା, ଫାଶୀ ଦଣ୍ତାଦେଶ ଦେବା ଦ୍ବାରା ବ୍ରିଟିସ-ଶକ୍ତି ଯେଉଁ ଅମାନୁଷିକ ଦମନ ଲୀଳା ରଚନା କରିଥିଲେ ତାହା ତଥାପି ବ୍ୟର୍ଥ ହିଁ ହୋଇଥିଲା ସୁରେନ୍ଦ୍ରଙ୍କ ବୀରତ୍ବ ଯୋଗୁଁ।

ଯେତେବେଳେ ମେଜର ଇମ୍ଫେଙ୍କ ଆଗମନ ଘଟିଲା, ସେତେବେଳେ ପ୍ରତ୍ୟକ୍ଷ ଭାବରେ ବିଦ୍ରୋହ ଦମନର ଶୈଳୀ ପରିବର୍ତ୍ତିତ ହୋଇ ଉଦାରତାର ଉହାଡ଼ରେ ଚତୁରତାର ପ୍ରୟୋଗ କରାଗଲା। ସୁରେନ୍ଦ୍ର ନିଜସ୍ବ ନିର୍ମଳ ହୃଦୟ ଦ୍ବାରା ଇମ୍ଫେଙ୍କ ପ୍ରତି ଆସ୍ଥା ସ୍ଥାପନ କରି ବିଦ୍ରୋହରେ ବିରାମ ଦେଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଆସନ୍ତି ‘କମ୍ବରଲିଜ’ ସେତେବେଳେ ସୁରେନ୍ଦ୍ରଙ୍କ ସହ ତାଙ୍କ ସାଥୀ ସହୋଦର ଆତ୍ମୀୟ ସ୍ବଜନଙ୍କୁ ବନ୍ଦୀ କରି ଅଣାଯିବା ଘଟଣା ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲା। ବ୍ରିଟିସ୍‌ ସାମ୍ରାଜ୍ୟର ଶାସକଙ୍କ ଅମାନବିକତା ଥିଲା ଅବର୍ଣ୍ଣନୀୟ। ସୁରେନ୍ଦ୍ର ଅନ୍ତିମ ଜୀବନ ପର୍ଯ୍ୟନ୍ତ ଯେପରି କାରାରୁଦ୍ଧ ହୋଇ ରହିଲେ ତାହା ଭାବିବା ମାତ୍ରକେ ତାଙ୍କ ଦୁଃଖ ଜର୍ଜରିତ ହୃଦୟର ବିଳାପ ଶୁଣିହୁଏ ଅନ୍ତର ତଳେ। ଅସିରଗଡ଼ ଜେଲ୍‌ରେ ବନ୍ଦୀ ହୋଇ ସେ ମାତୃଭୂମିର ମୁକ୍ତି ନିମନ୍ତେ କିଛି କରିପାରିନଥିବାରୁ ମନେ ମନେ ଯେପରି ଦାରୁଣ ଯନ୍ତ୍ରଣା ଅନୁଭବ କରୁଥିଲେ, ତାହା ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ ପରେ ବି ରହିଛି ଯେକୌଣସି ଦେଶପ୍ରେମୀର ବକ୍ଷସ୍ଥଳକୁ ବିଦାରିତ କରି ଦେବା ପରି ଅସୀମ ଶକ୍ତି ନେଇ। ଭାରତର ପ୍ରଥମ ସ୍ବାଧୀନତା ସ˚ଗ୍ରାମର ଏହି ମହାନ ସ˚ଗ୍ରାମୀ ଜାତୀୟ ବୀର ରୂପରେ ସମ୍ମାନିତ। ଜଣେ ବଳିଷ୍ଠ ବିଦ୍ରୋହୀ ଭାବରେ ବ୍ରିଟିସ ବିରୁଦ୍ଧରେ ପ୍ରଥମ ଅଗ୍ନିଶିଖା ପ୍ରଜ୍ଜ୍ବଳିତ କରିଥିବା ହେତୁ ସେ ଚିରକାଳ ପାଇଁ ସୀମାହୀନ ସ˚ଗ୍ରାମର ଏ ସ˚କେତରେ ପରିଣତ ହୋଇଯାଇଛନ୍ତି ଦେଶବାସୀଙ୍କ ପାଇଁ।

ପ୍ରକୃତ ସ˚ଗ୍ରାମ କେବେ ହେଲେ ସମାପ୍ତ ହୋଇଯାଏ ନାହିଁ। ପ୍ରତିଟି ଯୁଗରେ ବିଭିନ୍ନ ପ୍ରକାରର ପରିସ୍ଥିତି ସ˚ଗ୍ରାମୀ-ଚେତନାକୁ ଜାଗ୍ରତ କରି ରଖିଥାଏ ନିରବଚ୍ଛିନ୍ନ ଭାବରେ। ସୁରେନ୍ଦ୍ର ସାଏ ବ୍ୟର୍ଥତାର, ଗ୍ଳାନିବୋଧର ଅସହ୍ୟ ବେଦନାରେ ଅତିଷ୍ଠ ହୋଇ ଅତ୍ୟନ୍ତ ଅସହାୟ ଭାବରେ ଯେପରି ପ୍ରାଣ ବିସର୍ଜନ କଲେ, ତାହା ଏହି ଉଦାତ୍ତ ସତ୍ୟ ଉଦ୍‌ଘୋଷିତ କରେ ଯେ- ସ˚ଗ୍ରାମୀର ଚେତନା ଜୟ-ପରାଜୟର ଅନେକ ଊର୍ଦ୍ଧ୍ବରେ। ସେ କୌଣସି ବିଚାର-ବିମର୍ଶ ନ କରି ମୁକ୍ତି ସ˚ଗ୍ରାମର ଲେଲିହାନ ଶିଖା ମଧୢକୁ ଲମ୍ଫ ପ୍ରଦାନ କରେ। ଭାରତବର୍ଷ ଆଜି ସ୍ବାଧୀନ। ଏହି ମୁକ୍ତ ବାତାବରଣରେ ସୁରେନ୍ଦ୍ର ସାଏଙ୍କ ଭଳି ମୁକ୍ତିଦାତାଙ୍କର ଯଥାର୍ଥ ଅର୍ଚ୍ଚନା କରିପାରିବା ଏକ ଭାବପୂର୍ଣ୍ଣ ଆହ୍ବାନ। ସେ ସମୟରେ ଯେଉଁ ବୀରତ୍ବ ସେ ପ୍ରଦର୍ଶନ କରିଛନ୍ତି ବୈରତା ବିରୁଦ୍ଧରେ, ତାହାର ପୁଞ୍ଜିଭୂତ କୋହ ଅଶ୍ରୁସ˚ଚାର କରିବାରେ ଏକାନ୍ତ ସକ୍ଷମ। ସାରା ଜୀବନ ସୁଖ ବା ଆନନ୍ଦର ସ୍ବାଦ ଆସ୍ବାଦନ କରିନଥିବା ଓ ନିଜ ଜୀବନକୁ ତିଳତିଳ କରି ଜନ୍ମମାଟିର ମୁକ୍ତି ସକାଶେ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଥିବା ଏହି ଅପରାଜିତ ସ˚ଗ୍ରାମୀ ଏପରି ଏକ ଅକଳନ୍ତି ପ୍ରେରଣାର ମହାନ ସ୍ରୋତ, ଯାହା ଚିର ପ୍ରବାହିତ ହୋଇ ରହିବ କାଳକାଳକୁ।

ବିଭାଗ ମୁଖ୍ୟ ଓ ପ୍ରଫେସର
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ବବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ବର-୮୯

ସମ୍ବନ୍ଧିତ ଖବର