ଖେଳରେ ମହିଳାଙ୍କ ସହଭାଗିତା ଭାରତକୁ କ୍ରୀଡା ମହାଶକ୍ତିରେ ପରିଣତ କରିବ

କିରେନ ରିଜେଜୁ

ଦେଶର ଯୁବବର୍ଗଙ୍କ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମନ୍ତ୍ର- ଖେଳିବ ଭାରତ, ହଲିବ ଭାରତ (ଖେଲେଗା ଇଣ୍ଡିଆ ତୋ ହିଲେଗା ଇଣ୍ଡିଆ)- ଏହି ଆହ୍ବାନ ଦେଶରେ ଗତ କିଛି ବର୍ଷ ମଧ୍ୟରେ ଖେଳ ପ୍ରତି ବିଚାର ବଦଳାଇବାର ମୁଖ୍ୟ କାରଣ ହୋଇଛି। କ୍ରୀଡା ପ୍ରତିଯୋଗିତାରେ ଗୋଟିଏ ସମୟରେ ଲୋକେ ବିଶେଷ ଧ୍ୟାନ ଦେଉ ନ ଥିଲେ। ପାଠପଢା ବ୍ୟତୀତ ଏହାକୁ ଏକ ମନୋରଂଜନର ଗତିବିଧିଭାବେ ବିଚାର କରୁଥିଲେ। ଏବେ କିନ୍ତୁ ସେ ଭାବନା ବଦଳିଛି ଏବଂ କ୍ରୀଡା ଲୋକଙ୍କ ବିଚାରର କେନ୍ଦ୍ରବିନ୍ଦୁ ପାଲଟିଛି। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଯୋଜନାଗୁଡିକରେ ଖେଳକୁଦ ଗୁରୁତ୍ୱ ପାଇଛି। ଖେଲୋ ଇଣ୍ଡିଆ, ଟାର୍ଗେଟ ଅଲିମ୍ପିକ୍‌ ପୋଡିଅମ ସ୍କିମ୍‌, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଆଦି ଯୋଜନାରେ କ୍ରୀଡାକୁ ପେସାରେ ପରିଣତ କରିବା ପାଇଁ ଯୁବ ସମାଜକୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହିସବୁ କାର୍ଯ୍ୟକ୍ରମ ଦ୍ୱାରା ଯୁବମାନସ ଖେଳ ଆଡକୁ ପ୍ରେରିତ ହେଉଛି। କ୍ରମଶଃ ଅଧିକରୁ ଅଧିକ ଯୁବକଯୁବତୀ କ୍ରୀଡା ଆଡକୁ ଆକର୍ଷିତ ହେଉଛିନ୍ତ। ବିଶେଷକରି ବାଳିକା କ୍ରୀଡାବିତ୍‌ଙ୍କ ପାଇଁ ‘ସମାନାଭୂତି ଏବଂ ସମାବେଶ’ ବ୍ୟବସ୍ଥା ପରିବର୍ତ୍ତନକାରୀ ତଥା ମହତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ଏବେ ଆମେ ଯେତେବେଳେ ରାଷ୍ଟ୍ରୀୟ ବାଳିକା ଦିବସ ପାଳନ କରୁଛୁ ସେତେବେଳେ ଏହା ଦେଖିବା ଜରୁରୀ ହୋଇଛି ଯେ ଆମ ସରକାର ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଲକ୍ଷ୍ୟ ନେଇ କି ପ୍ରକାର କାର୍ଯ୍ୟନୀତି ଗ୍ରହଣ କରିଛନ୍ତି ଯାହାର ପରିଣାମ ସ୍ବରୂପ ବାଳିକା ଏବଂ ମହିଳାମାନଙ୍କ ପ୍ରସଙ୍ଗ, ବିଶେଷକରି ଖେଳକୁଦରେ ସେମାନଙ୍କ ପାଇଁ କି ପ୍ରକାର ପରିର୍ବନ ଆସିଛି ତାହା ଦେଖିବାର ଅବକାଶ ଆସିଛି।

ବିଗତ କେଇ ବର୍ଷ ମଧ୍ୟରେ ଭାରତୀୟ କ୍ରୀଡାମଞ୍ଚରେ ଆମର ମହିଳା ଆଥ୍‌ଲେଟମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ସେମାନେ ବିଶ୍ୱକୁ ଏହି ଦୀକ୍ଷା ଦେଇଛନ୍ତି ଯେ ଭାରତର ମହିଳା ଆହ୍ବାନର ମୁକାବିଲା କରିବା ଓ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ମହିଳା କ୍ରୀଡାବିତ୍‌ମାନଙ୍କର ଏହି ଚମତ୍କାର ପ୍ରଦର୍ଶନ ତଥା ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ଦ୍ୱାରା ନିକଟରେ କରାଯାଇଥିବା ସୁଧାରର ଫଳସ୍ବରୂପ ଖେଳରେ ମହିଳାଙ୍କ ସମାବେଶିତା ବଢିଛି ଏବଂ ସେମାନଙ୍କ ଅଂଶଗ୍ରହଣ ଘେନି ଜାଗରଣ ସୃଷ୍ଟି ହୋଇଛିା ଏଥିରେ ଯୁବତୀମାନଙ୍କର ଏକ ପୁରା ପିଢିକୁ ଖେଳରେ ସକ୍ରିୟତାର ସହିତ ଭାଗ ନେବାକୁ ପ୍ରେରଣା ମିଳିଛି। ମୁଁ ଗର୍ବର ସହିତ କହୁଛି ଯେ ଆଗାମୀ ଟୋକିଓ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟ ଘୋଷିତ ସମସ୍ତ ଭାରତୀୟ ଆଥ୍‌ଲେଟଙ୍କ ମଧ୍ୟରେ ୪୩ ପ୍ରତିଶତ ମହିଳା ଅଛନ୍ତି।

ଭାରତକୁ ଖେଳ ବ୍ୟାପାରରେ ମହାଶକ୍ତିର ମାନ୍ୟତା ଦେବା ପାଇଁ ମହତ୍ୱପୂର୍ଣ୍ଣ ହେଲା ପ୍ରାରମ୍ଭିିକ ସ୍ତରରୁ ପିଲାମାନଙ୍କୁ ସାମିଲ କରିବାର ସୁଯୋଗ ବୃଦ୍ଧି କରିବା। ଏକ ବିସ୍ତୃତ ପ୍ରତିଯୋଗିତାର ଆଧାର ତିଆରି କରି ଏହାକୁ ସୁନିଶ୍ଚିତ କରାଯାଇପାରିବ। ଆହୁରି ମଧ୍ୟ କ୍ରୀଡାକୁ କ୍ୟାରିୟରରେ ପରିଣତ କରିବା ପାଇଁ ଏହି ବ୍ୟବସ୍ଥା ପିଲାମାନଙ୍କୁ ଅନୁପ୍ରେରଣା ଯୋଗାଇବ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରତିଯୋଗିତାର ଯେଉଁ ଆଧାର ସୃଷ୍ଟି କରିଛୁ ସେଥିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ରହିଛି। ଏଥିରେ ମହିଳାମାନେ ଯେପରି ପଛରେ ନ ପଡନ୍ତି ସେଥିପାଇଁ ସବୁ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଖେଲୋ ଇଣ୍ଡିଆ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ପ୍ରତିବନ୍ଧକ ଦୂର କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଫଳରେ ଖେଳକୁଦରେ ଭାଗ ନେବା ପାଇଁ ଝିଅ ଏବଂ ମହିଳାଙ୍କୁ ସୁଯୋଗ ମିଳୁଛି। ୨୦୧୮ରୁ ୨୦୨୦ ମଧ୍ୟରେ ଖେଲୋ ଇଣ୍ଡିଆ କାର୍ଯ୍ୟମରେ ମହିଳାଙ୍କ ଅଂଶଗ୍ରହଣ ୧୬୧ ପ୍ରତିଶତ ବଢିଛି। ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ୨୦୧୮ରେ ୬୫୭ ମହିଳା ଆଥ୍‌ଲେଟଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଏବେ ସେହି ସଂଖ୍ୟା ବଢି ୧୪୭୧ରେ ପହଞ୍ଚିଛି। ଏହି ଅଭିବୃଦ୍ଧି ହାର ୨୨୩ ଶତାଂଶ ହୋଇଛି। ଟାର୍ଗେଟ ଅଲିମ୍ପିକ୍‌ ପୋଡିଅମ ସ୍କିମ୍‌ ଅଧୀନରେ ଉଚ୍ଚମାନର ପ୍ରତିଯୋଗିତାମୂଳକ ଖେଳରେ ଆମେ ଏହି ଆଥ୍‌ଲେଟଙ୍କୁ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ, ବିଶ୍ୱସ୍ତରୀୟ ଶାରୀରିକ ଏବଂ ମାନସିକ ଦକ୍ଷତା, ବୈଜ୍ଞାନିକ ଗବେଷଣା, ଦୈନନ୍ଦିନ ପର୍ଯ୍ୟବେକ୍ଷଣ ଓ ପରାମର୍ଶ ତଥା ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛୁ। ଏହା ଅଲିମ୍ପିକ ସ୍ବର୍ଣ୍ଣପଦକ ଜିତିବାର ଦକ୍ଷତା ଓ ସାମର୍ଥ୍ୟ ରଖେ। ୨୦୧୮ ଡିସେମ୍ବରରେ ଟାର୍ଗେଟ ଅଲିମ୍ପିକ୍‌ ପୋଡିଅମ ଯୋଜନା ଅଧୀନରେ ୮୬ ମହିଳା ଆଥ୍‌ଲେଟଙ୍କୁ ସାମିଲ କରାଯାଇଥିଲା। ଏବେ ସେମାନଙ୍କ ସଂଖ୍ୟା ୧୯୦ରେ ପହଞ୍ଚଛି ଏବଂ ବୃଦ୍ଧିହାର ୨୨୦ ପ୍ରତିଶତ ହୋଇଛି। ଖେଳରେ ମହିଳାଙ୍କୁ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଆମକୁ ସାମାଜିକ ଦୃଷ୍ଟିକୋଣରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ପଡିବ। ଯୁବତୀମାନଙ୍କୁ ଘରୁ ବାହାରକୁ ଆଣିବା, ସେମାନଙ୍କୁ ସୁରକ୍ଷିତ ପରିବେଶ ଦେବା ଏବଂ ଶାରୀରିକ ଗତିବିଧିରେ ସାମିଲ ହେବାକୁ ଅନୁମତି ଦେବା ତଥା ସେମାନଙ୍କ ପାଇଁ ଉଚ୍ଚସ୍ତରୀୟ କୋଚିଂ ଏବଂ ସଂରଚନା ସୁବିଧା ଉପଲବ୍‌ଧ କରାଇବା ଆମ ସରକାର ଏବଂ ସମାଜ ଉଭୟଙ୍କ ସାମୂହିକ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିବ। ମୁଁ ଏହା ଦେଖି ସନ୍ତୁଷ୍ଟ ଯେ ଅନେକ ମହିଳା ଆଥ୍‌ଲେଟ ଚମ୍ପିଆନ ନିଜ ଖେଳରେ ଉଚ୍ଚତମ କୁଶଳତା ହାସଲ କରିବା ପରେ ନିଜ ଏକାଡେମୀ ସ୍ଥାପନ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏଭଳି ଅନେକ ଦିଗ ଓ କ୍ଷେତ୍ରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଖେଳ ବିକାଶ ନିଧି ମାଧ୍ୟମରେ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି। ଉଷା ସ୍କୁଲ ଅଫ୍‌ ଆଥ୍‌ଲେଟିକ, ମେରିକମ୍‌ ବକ୍ସିଂ ଫାଉଣ୍ଡେସନ, ଅଶ୍ୱିନୀ ସ୍ପୋଟର୍ସ ଫାଉଣ୍ଡେସନ, ସରିତା ବକ୍ସିଂ ଏକାଡେମୀ, କର୍ଣ୍ଣମ ମଲେଶ୍ୱରୀ ଫାଉଣ୍ଡେସନ, ଅଞ୍ଜୁ ବବି ଜର୍ଜ ସ୍ପୋଟର୍ସ ଫାଉଣ୍ଡେସନ ଆଦି ପ୍ରୟାସ ଏହାର ପ୍ରକୃଷ୍ଟ ଉଦାହରଣ। ଆମେ ନିୟମିତ ଏହିସବୁ କ୍ଷେତ୍ରରେ ନିବିଡଭାବେ ସଂପୃକ୍ତ ହୋଇ ମହିଳା ଆଥଲେଟଙ୍କ ନିଜସ୍ବ ବିଶେଷଜ୍ଞତା ଏବଂ ଅନୁଭବ ସହିତ କ୍ରୀଡା ମନ୍ତ୍ରଣାଳୟରେ ସାମିଲ ହୋଇ ଖେଳର ବିକାଶ ପାଇଁ କାମ କରୁଛି। ଖେଳରେ ଅଂଶଗ୍ରହଣ ଦ୍ୱାରା ଯୁବତୀ ଏବଂ ମହିଳାମାନଙ୍କ ଶାରୀରିକ ସ୍ବାସ୍ଥ୍ୟ ବୃଦ୍ଧି ଏବଂ ଚାରିତ୍ରିକ ନିର୍ମାଣ ଘଟିବ। ଆହୁରି ମଧ୍ୟ ସେମାନେ ସମାଜରେ ପରିବର୍ତ୍ତନ ଆଣିବା ଏବଂ ମାନବିକତାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଭାରତର ବିକାଶ ସଂପର୍କୀୟ ଦୃଷ୍ଟିକୋଣକୁ ଆଗକୁ ବଢାଇବାରେ ପ୍ରୟାସ କରି ଆମ ମନ୍ତ୍ରଣାଳୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସହିତ ରଣନୈତିକ ସହଯୋଗ ରକ୍ଷାକରି କାମ କରୁଛି।

ପ୍ରତିବର୍ଷ ଜାନୁୟାରୀ ୨୪କୁ ରାଷ୍ଟ୍ରୀୟ ବାଳିକା ଦିବସଭାବେ ପାଳନ କରାଯାଉଛି। ଜାତୀୟ ଲୋକାଚାର ଦୃଷ୍ଟିରୁ ଏହା ବେଶ୍‌ ପ୍ରାସଙ୍ଗିକ। ଆସନ୍ତୁ, ଆମେ ସବୁ ମିଳିମିଶି ଶପଥ ନେବା ଯେ ଆମ ଯୁବତୀମାନେ ଅଧିକରୁ ଅଧିକ ଖେଳକୁଦରେ ଯେପରି ସାମିଲ ହୁଅନ୍ତି ଏବଂ ଉଚ୍ଚପ୍ରଦର୍ଶନ କରନ୍ତି ସେଥିପାଇଁ ସହଯୋଗ ଯୋଗାଇଦେବା। ଅଲିମ୍ପିକର ଉଦ୍ଦେଶ୍ୟ ହେଲା ‘ସିଟିୟସ, ଅଲ୍‌ଟିୟସ, କୋଲଟିୟସ୍‌’। ଏହାର ଅର୍ଥ ତୀବ୍ର, ଉଚ୍ଚତର, ଅଧିକ ମଜଭୁତ। ଏହି ଆଦର୍ଶର ଅଧିକ ନିକଟବର୍ତ୍ତୀ ହେବା ପାଇଁ ଏକ ରାଷ୍ଟ୍ରଭାବରେ ଆସନ୍ତୁ ସମସ୍ତେ ମିଳିମିଶି କାମ କରିବା।

କେନ୍ଦ୍ର ଯୁବ ବ୍ୟାପାର ଏବଂ ଖେଳ ରାଷ୍ଟ୍ରମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ୱ)

ସମ୍ବନ୍ଧିତ ଖବର