ନିଜ ପାଇଁ ନିଜ ବାଟ

ଧୀରେନ୍ଦ୍ର କର

ଆମ ରାଜ୍ୟ ଜନସଂଖ୍ୟାର ଷାଠିଏରୁ ପଞ୍ଚଷଠି ଭାଗ ହେଲେ ଯୁବକ। ଅର୍ଥାତ୍‌ ଓଡ଼ିଶା ଯୌବନରେ ଭରପୂର ଏକ ଯୁବକ ରାଜ୍ୟ। ଯୌବନ ହେଲା ଜୀବନର ସର୍ବଶ୍ରେଷ୍ଠ ଅବସ୍ଥା। ସାହସ, ସାମର୍ଥ୍ୟ ଓ ଇଚ୍ଛାଶକ୍ତିର ସମୟ। ବାଲ୍ୟ ଅଜ୍ଞାନତାର ସମୟ ହୋଇଥିବା ବେଳେ ବାର୍ଦ୍ଧକ୍ୟ ସ୍ମୃତିଶକ୍ତି ହରାଇବାର ବୟସ। ତେଣୁ ପୃଥିବୀର ସମସ୍ତ ଦେଶ ଯୁବକମାନଙ୍କୁ ନିଜର ସମ୍ପତ୍ତି ବୋଲି ବିଚାର କରିଥାନ୍ତି ଓ ସର୍ବଦା ସେମାନଙ୍କ ଉପରେ ଭରସା ମଧ୍ୟ କରିଥାନ୍ତି।

ଭାରତର ଇତିହାସ ଓ ପୁରାଣମାନ ଯୁବକମାନଙ୍କ ଜ୍ଞାନ, ସାହସ ଓ ପରାକ୍ରମର କଥା ଓ କାହାଣୀରେ ଭରପୂର। ଆଦି ଶଙ୍କରାଚାର୍ଯ୍ୟ ବା ସ୍ୱାମୀ ବିବେକାନନ୍ଦ ଅଥବା ଭଗତ ସିଂହଙ୍କ ଭଳି ଭାରତୀୟଙ୍କ ଯୌବନର ଜୟଗାନରେ ଇତିହାସର ପ୍ରତ୍ୟେକ ପୃଷ୍ଠା ଭରି ରହିଛି।

ସେଦିନର ପୁରୁଣା ସମୟରୁ ଆମେ ବହୁତ ଆଗକୁ ଚାଲି ଆସିଲେଣି। ଉନ୍ନତି ଓ ପ୍ରଗତି କଲେଣି। ଏବେ ଶିକ୍ଷା ସମସ୍ତଙ୍କ ପାଇଁ ସହଜଲଭ୍ୟ ହେଲାଣି। ଶିକ୍ଷା ଉନ୍ନତ ମାନର ହେଲାଣି। କିନ୍ତୁ ଉନ୍ନତ ସମୟର ଯୁବକମାନେ ସମୟ ସହିତ ଅଗ୍ରଗତି କରିବା ବଦଳରେ ଓଲଟା ପଛକୁ ଫେରି ଯାଇଥିବା ଭଳି ଅଥବା ସେହି ପୁରୁଣା ଅନ୍ଧାରି ସମୟରେ ଅଟକି ଯାଇଥିବା ଭଳି ଲାଗୁଛି।

ବର୍ତ୍ତମାନର ଯୁବକମାନଙ୍କ ମଧ୍ୟରୁ ଅନେକ ରାଜ୍ୟର ଭରସା ହେବା ବଦଳରେ ବୋଝ ହୋଇ ଯାଇଛନ୍ତି। ସେମାନଙ୍କଠାରୁ କିଛି ଗଠନମୂଳକ କାମ ଆଶା କରାଯାଇ ପାରୁନାହିଁ। ଆଳସ୍ୟ ଓ ଆମୋଦପ୍ରମୋଦ ହିଁ ସେମାନଙ୍କର ଜୀବନ ହୋଇ ଯାଇଛି।

କୌଣସି ଏକ ନିର୍ବାଚନ ସମୟର ପରିସ୍ଥିତିକୁ ଲକ୍ଷ୍ୟ କଲେ ଏ କଥା ସହଜରେ ଅନୁମାନ କରିହୁଏ। ଦେଖାଯାଏ ଅନେକ ଯୁବକ ମାସ ମାସ ଧରି ଉନ୍ମତ୍ତ ହୋଇ ନିର୍ବାଚନ ପ୍ରଚାରରେ ଲାଗିଥାନ୍ତି, ଯେଉଁମାନଙ୍କୁ ହାତରେ ରଖିବା ଲାଗି ରାଜନୈତିକ ଦଳଗୁଡ଼ିକ ମଦ, ମାଂସ ଓ କିଛି ଟଙ୍କାର ସାହାଯ୍ୟ ନିଅନ୍ତି। ଏହା ପ୍ରାଣୋଚ୍ଛ୍ବଳ ଯୁବ ଶକ୍ତିର ଏକ ଅଧୋଗତିର ସୂଚକ ନୁହେଁ କି? ପୁଣି ଏଭଳି ଯୁବକମାନଙ୍କ ଲକ୍ଷ୍ୟ କ’ଣ ଦେଖନ୍ତୁ। ତାହା ହେଲା, ସେମାନଙ୍କ ନେତା ନିର୍ବାଚନରେ ଜୟଯୁକ୍ତ ହେଲେ ତାଙ୍କ ଜରିଆରେ କିଛି ଛୋଟମୋଟ ଠିକାଦାରି ହାସଲ କରିବା। ଯୁବକମାନେ ଏଭଳି ମାମୁଲି ଲକ୍ଷ୍ୟ ରଖିବା ଯୁବଶକ୍ତିର ଏକ ପରାଜୟ ନୁହେଁ କି?

କୁହାଯାଉଛି ଯେ ଶିକ୍ଷିତ ଯୁବକଙ୍କ ଲାଗି ଚାକିରି ନ ଥିବାରୁ ସେମାନେ ଏଭଳି ବାଟବଣା ହେଉଛନ୍ତି। କିନ୍ତୁ ଆମ ରାଜ୍ୟର ଯୁବଶକ୍ତିଙ୍କ ପାଖରେ ଉତ୍ତରାଧିକାର ସୂତ୍ରରେ ପ୍ରଚୁର ସମ୍ପତ୍ତି ଅଛି। ଆମ ଜଳବାୟୁ ବର୍ଷ ସାରାର କୃଷି ପାଇଁ ଖୁବ୍‌ ଅନୁକୂଳ। ତେବେ ବି ଆମର ଏଠି ଜମି ଚାଷ ବିନା ପଡ଼ି ରହୁଛି। ଏଣେ ପାଞ୍ଚରୁ ଦଶ ଏକର ପର୍ଯ୍ୟନ୍ତ ଜମିର ମାଲିକ ହୋଇଥିବା ଯୁବକ ନିଜକୁ ବେକାର ବୋଲି କହିବାକୁ ପସନ୍ଦ କରୁଛି। ଚାଷକୁ ସେ ନିମ୍ନ ମାନର ବୃତ୍ତି ବୋଲି କହି ସେଥିରୁ ଦୂରେଇ ଯାଉଛି। ପାଠ ପଢ଼ିଥିବାରୁ ଚାକିରି ଖୋଜୁଛି। ଅତି ନିମ୍ନ ସ୍ତରୀୟ ଚାକିରି ହେଲେ ବି ଚଳିବ, କିନ୍ତୁ ଚାଷକୁ ସେ ଘୃଣା କରୁଛି। ଯେଉଁ ଦେଶ ବା ରାଜ୍ୟରେ ଶିକ୍ଷିତମାନେ କୃଷକ ହେଲେଣି ସେଠାରେ ଚାଷବାସ ଏକ ଲାଭଜନକ ବୃତ୍ତିରେ ପରିଣତ ହୋଇଛି। ଆମ ରାଜ୍ୟରେ ମଧ୍ୟ ତାହା ହୋଇପାରିବ। ଆମ ଓଡ଼ିଶାରେ ଏଭଳି ଅନେକ ସଫଳ କୃଷକ ଅଛନ୍ତି ଯେଉଁମାନେ ଏକ ଏକର ଜମିରେ ପରିବା ଚାଷ କରି ବର୍ଷକୁ ଦଶଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରି ପାରୁଛନ୍ତି। ଶିକ୍ଷିତ ଯୁବକମାନେ ଏ ନେଇ ସଚେତନ ହେବା ଉଚିତ।

ଯୁବକର ଶକ୍ତି କେବଳ ସ୍ଲୋଗାନ୍‌ ଦେବାରେ ସୀମିତ ନ ରହୁ। ଏହା ସତ, ଯୁବକମାନେ ହେଉଛନ୍ତି ପରିବର୍ତ୍ତନର ଦ୍ୟୋତକ। ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ ମଧ୍ୟ। କିନ୍ତୁ ମୂଳ କଥା ହେଉଛି ‌େସମାନେ ଯାହା ବି କରନ୍ତୁ ସେଠାରେ ଯୌବନର ପ୍ରାଣଶକ୍ତିର ଉପସ୍ଥିତି ଦୃଶ୍ୟମାନ ହେବା ଆବଶ୍ୟକ। ଚାକିରି ହେଉ ବା ଚାଷ ଅଥବା ରାଜନୀତି ହେଉ କି ସମାଜ ସଂସ୍କାର; ସବୁଠି ଯୁବକମାନେ ହିଁ ଆଗରେ ରହିବେ। କିନ୍ତୁ ସେମାନଙ୍କ ଲକ୍ଷ୍ୟ ସର୍ବଦା ଉଚ୍ଚ ସ୍ଥାନୀୟ ହେଉ। ଶସ୍ତା ଓ ସୁବିଧାରେ କିଛି ସୁଯୋଗ ହାସଲ କରିବା ସେମାନଙ୍କ ଧ୍ୟେୟ ନ ହେଉ।

ଏବେ ବିଭିନ୍ନ କୁକାର୍ଯ୍ୟରେ ଶିକ୍ଷିତ ଯୁବକମାନେ ଜଡ଼ିତ ହୋଇ ପଡୁଥିବା ଦେଖିବାକୁ ମିଳୁଛି। ଏହାର କାରଣ କ’ଣ ହୋଇପାରେ? ଏହାର ଏକ ବଡ଼ କାରଣ ହେଉଛି ସେମାନଙ୍କ ଠାରେ ଲକ୍ଷ୍ୟର ଅଭାବ। ଯେହେତୁ ଶିକ୍ଷା ଲାଭ କଲା ବେଳେ କେବଳ ଚାକିରି କରିବା ସେମାନଙ୍କର ଲକ୍ଷ୍ୟ ହେଉଛି, ଚାକିରି ନ ପାଇଲେ ସବୁ ଶିକ୍ଷା ବେକାର ଗଲା ବୋଲି ସେମାନଙ୍କ ମନ‌େର ଧାରଣା ଜାତ ହେଉଛି। ଶିକ୍ଷା ସେମାନଙ୍କୁ ଯେଉଁ ସାମର୍ଥ୍ୟ ପ୍ରଦାନ କରିଛି, ସେ କଥାକୁ ସେମାନେ ଦେଖି ପାରୁ ନାହାନ୍ତି। ତେଣୁ ଲକ୍ଷ୍ୟହୀନ ଓ ଦିଗଭ୍ରଷ୍ଟ ହେଉଥିବା ଯୁବକମାନେ ଅସତର୍କ କ୍ଷଣରେ ଅପକର୍ମ ପ୍ରତି ଆକୃଷ୍ଟ ହୋଇ ପଡ଼ିବାରେ ବିସ୍ମିତ ହେବାର କୌଣସି କାରଣ ନାହିଁ। କିନ୍ତୁ ଶିକ୍ଷିତ ଯୁବକମାନଙ୍କୁ ସେମାନଙ୍କ ସାମର୍ଥ୍ୟ ବାବଦରେ ସଚେତନ କରିବ କିଏ?

କହିବା ବାହୁଲ୍ୟ ଯେ ସେହି ସାମର୍ଥ୍ୟ ଯୁବକମାନଙ୍କୁ ପ୍ରଦାନ କରିବ ସେହି ଶିକ୍ଷା ଓ ଶିକ୍ଷକ ସମାଜ। ଆମ ଶିକ୍ଷା ଏଭଳି ହେବା ଉଚିତ ଯାହା ଯୁବକମାନଙ୍କୁ ଚାକିରି ସର୍ବସ୍ବ କରି ଗଢ଼ିବ ନାହିଁ ଏବଂ ଶିକ୍ଷକମାନେ ଛାତ୍ରଛା‌ତ୍ରୀମାନଙ୍କୁ ଯେଉଁ ସ୍ବପ୍ନ ଦେଖାଇବେ ତାହା ଯେମିତି ସେମାନଙ୍କୁ କହିବ ଯେ ଚାକିରି ନୁହେଁ, ନିଜ ସାମର୍ଥ୍ୟକୁ ପ୍ରତିପାଦନ କରିବା ଲାଗି ଅନେକ ମାର୍ଗ ଅଛି ଏବଂ ଶିକ୍ଷା ରୂପକ ଆୟୁଧ ଧରି ସେହି ମାର୍ଗକୁ ଉନ୍ମୋ‌ଚନ କରି ହେବ।

ସୁତରାଂ, ଯୁବକମାନେ ସେମାନଙ୍କ ମାର୍ଗ ନିଜେ ‌ଖୋଲିବେ। ଶିକ୍ଷା ସେମାନଙ୍କ ଲାଗି ଉଭୟ ଆଲୋକ ବର୍ତ୍ତିକା ଏବଂ ବାଟ ସଫା କରିବାର ଅସ୍ତ୍ର ହେବ। ସେମାନେ ତେଣିକି ରାଜନୀତି କରନ୍ତୁ କି ଠିକାଦାରି ଅଥବା ଚାକିରି ଅଥବା ଚାଷ; ସବୁଥିରେ ସେମାନଙ୍କ ଶ୍ରେଷ୍ଠତା ଦୃଷ୍ଟିଗୋଚର ହେବ।

[email protected]

ସମ୍ବନ୍ଧିତ ଖବର