ଶଙ୍ଖ ଓ ତାର ପବିତ୍ର ନାଦ

ଦୀନବନ୍ଧୁ ନାୟକ

ଶଙ୍ଖ ଧ୍ବନି ପବିତ୍ର ନାଦ। ଏହା କର୍ଣ୍ଣକୁହରରେ ପ୍ରବେଶ କରିବା ମାତ୍ରେ ସମସ୍ତ ନକାରାତ୍ମକ ଭାବନା ଦୂର ହୋଇ ମନରେ ସକାରାତ୍ମକତା ଭରି ଉଠେ। ମନେହୁଏ, ଏହାର ଏକ ସୂକ୍ଷ୍ମ କାରଣ ରହିଛି। ଯେଉଁ ପଞ୍ଚ ମହାଭୂତରୁ ଶରୀରର ସୃଷ୍ଟି, ତନ୍ମଧୢରୁ ସୂକ୍ଷ୍ମତମ ମହାଭୂତ ହେଉଛି ବ୍ୟୋମ ବା ଆକାଶ। ଏହାର ଏକମାତ୍ର ବିଭାବ ହେଉଛି ଶଦ୍ଦ ବା ଧ୍ବନି। ଏହା ମୁନଷ୍ୟ ଶରୀରରେ ସର୍ବବ୍ୟାପି ହୋଇ ରହିଥାଏ। ସୁତରା˚, କୌଣସି ଧ୍ବନିକୁ ମନୁଷ୍ୟ ତାର ପ୍ରଥମ ଜ୍ଞାନେନ୍ଦ୍ରିୟ କର୍ଣ୍ଣ ଦ୍ବାରା ଗ୍ରହଣ କରିବା ମାତ୍ରେ ତାହା ସାରା ଶରୀରରେ ସ˚ଚରିତ ହୋଇଯାଇଥାଏ। ତେବେ, ଶଙ୍ଖ ଧ୍ବନି କିଛି ସାଧାରଣ ଶବ୍ଦ ମାତ୍ର ନୁହେଁ। ଶଙ୍ଖରୁ ଉତ୍ପନ୍ନ ହେଉଥିବା ଧ୍ବନିର ଗୁଣ ହେଲା ଏହା ଶରୀରର ପ୍ରଧାନ ସ୍ନାୟୁକେନ୍ଦ୍ରକୁ ଏଭଳି ସ୍ପର୍ଶ କରେ ଯଦ୍ଦ୍ବାରା ମନରେ ଏକ ପବିତ୍ର ଭାବନା ଜାଗ୍ରତ ହୋଇଥାଏ।

ଆମ ସ˚ସ୍କୃତିରେ ନାଦ ବା ଧ୍ବନିକୁ ‘ନାଦବ୍ରହ୍ମ’ ବୋଲି ଆଖ୍ୟା ଦିଆଯାଇଛି। ମନ୍ତ୍ର ବା ଶ୍ଳୋକର ଉଚ୍ଚାରଣ ଠାରୁ ଆରମ୍ଭ କରି ସ˚ଗୀତ ପର୍ଯ୍ୟନ୍ତରେ ବିଭିନ୍ନ ସ˚ଦର୍ଭରେ ଆମେମାନେ ଧ୍ବନି ବା ନାଦର ପବିତ୍ରତାର ସ˚ସ୍ପର୍ଶରେ ଆସୁ। ବିଭିନ୍ନ ବାଦ୍ୟଯନ୍ତ୍ରଗୁଡ଼ିକ ମଧୢ ନାଦବ୍ରହ୍ମର ସୃଷ୍ଟିକାରୀ। କିନ୍ତୁ ଶଙ୍ଖ ଏକ ବାଦ୍ୟଯନ୍ତ୍ର ନୁହେଁ। ଏହା ଏକ ତାନରେ ନିନାଦିତ ହୋଇଥାଏ। ଅଥଚ, ଏହାର ଧ୍ବନି ମନରେ ଶୁଦ୍ଧତା ଓ ସାତ୍ତ୍ବିକତା ଭରି ଦେଇଥାଏ।

ଧର୍ମ କ୍ଷେତ୍ର କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ‘ପା˚ଚଜନ୍ୟ’ ଶଙ୍ଖ ବିଶେଷ ଭାବେ ଗୁରୁତ୍ବ ବହନ କରିଥିଲା। ସେହିଭଳି ଧନଞ୍ଜୟଙ୍କ ‘ଦେବଦତ୍ତ’ ଶଙ୍ଖ, ଭୀମଙ୍କର ‘ପୌଣ୍ତ’ ଶଙ୍ଖ, ଯୁଧିଷ୍ଠିରଙ୍କର ‘ଅନନ୍ତବିଜୟ’ ଶଙ୍ଖ, ନକୁଳଙ୍କର ‘ସୁଘୋଷ’ ଶଙ୍ଖ ଓ ସହଦେବଙ୍କର ‘ମଣିପୁଷ୍ପକ’ ଶଙ୍ଖର ମାହାତ୍ମ୍ୟ ମଧୢ କୁରୁ ଯୁଦ୍ଧ କାଳରେ ଦେଖିବାକୁ ମିଳିଥିଲା। ମହାଭାରତ ଓ ପୁରାଣରେ ବର୍ଣ୍ଣିତ ଥିବା ଭଳି ଯୁଦ୍ଧରେ ବିଜୟର ସୂଚନା ଦେବା ଲାଗି ଶଙ୍ଖଗୁଡ଼ିକ ସମ୍ମିଳିତ ଭାବେ ବାଜି ଉଠୁଥିଲା। ସେହିଭଳି ମହାଭାରତ ଯୁଦ୍ଧର ଆରମ୍ଭ ଓ ସମାପ୍ତି ଶଙ୍ଖ ନାଦ ସହିତ ହେଉଥିଲା।

ଆମ ରାଜ୍ୟରେ ପୂଜା-ପର୍ବରେ ଶଙ୍ଖ ଧ୍ବନିର ମହତ୍ତ୍ବ ସର୍ବାପରି। ତା’ ସହିତ ନାରୀମାନଙ୍କର ମୁଖ ନିଃସୃତ ‘ହୁଳହୁଳି’ ସମ୍ମିଳିତ ହୋଇ ଏକ ଅତ୍ୟନ୍ତ ପବିତ୍ର ବାତାବରଣ ସୃଷ୍ଟି କରିଥାଏ।

ତରାପୁର, ଲକ୍ଷ୍ମୀନଗର, ଯାଜପୁର
ମୋ: ୯୯୩୭୫୯୩୪୯୩

ସମ୍ବନ୍ଧିତ ଖବର