ଆଜି ସାରା ଭାରତ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ପଛକୁ ଫେରି ଚାହିଁଲେ ଗତ ସାତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, କୃଷି ଆଦି ସବୁ କ୍ଷେତ୍ରରେ ବ୍ୟାପକ ପ୍ରଗତି ହୋଇଛି। କିନ୍ତୁ ସର୍ବଦା ଏକ ଅଭିଯୋଗ ଲାଗି ରହିଛି ଯେ ଭାରତରେ ବିକାଶ ଏକ ଅନ୍ତର୍ଭୁକ୍ତୀ ବିକାଶ ସୃଷ୍ଟି କରିପାରିନାହିଁ। ଭାରତରେ ଅସଂଖ୍ୟ ନବ୍ୟ ଧନିକ ସୃଷ୍ଟି ହୋଇଛନ୍ତି; କିନ୍ତୁ ଏଣେ ଗରିବମାନେ ଅଧିକରୁ ଅଧିକ ଗରିବ ହୋଇ ଚାଲିଛନ୍ତି। ତେବେ ଗତ ବର୍ଷ କରୋନା କାଳୀନ ଲକ୍ଡାଉନ୍ କାରଣରୁ ଏହି ଧନୀ-ଦରିଦ୍ର ବୈଷମ୍ୟ ଅତ୍ୟନ୍ତ ଗଭୀର ହୋଇଛି।
ଏହି ସଂଦର୍ଭରେ ଡାଭୋସ୍ରେ ଆୟୋଜିତ ‘ଵାର୍ଲଡ୍ ଇକୋନୋମିକ୍ ଫୋରମ୍’ରେ ‘ଅକ୍ସଫାମ୍’ ଦାଖଲ କରିଥିବା ‘ଇନ୍ଇକ୍ବାଲିଟି ଭାଇରସ୍ ରିପୋର୍ଟ’ ଏକ ଉଦ୍ବେଗଜନକ ଚିତ୍ର ଉପସ୍ଥାପିତ କରିଛି। ଏହି ରିପୋର୍ଟ ଅନୁଯାୟୀ ଲକ୍ଡାଉନ୍ କାଳରେ କୋଟି କୋଟି ଭାରତୀୟ ନିଜର ଚାକିରି ହରାଉଥିବା କାଳରେ ବିଲିୟନେର ବା ଅର୍ବପତିଙ୍କ ସମ୍ପତ୍ତି ୩୫% ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ଲକ୍ଡାଉନ୍ ଲାଗୁ ହେବା ଦିନ ଠାରୁ ଶୀର୍ଷ ୧୦୦ ବିଲିୟନେର୍ଙ୍କ ସମ୍ପତ୍ତି ବୃଦ୍ଧିର ପରିମାଣକୁ ଭାରତ ୧୩୮ କୋଟି ନାଗରିକଙ୍କ ମଧ୍ୟରେ ବାଣ୍ଟିଲେ ମୁଣ୍ଡପିଛା ୯୪, ୦୪୫ ଟଙ୍କା ହେବ, ଯେତେବେଳେ କି ଏହି କାଳରେ ଦେଶର ୨୪% ଜନସଂଖ୍ୟାଙ୍କ ହାରାହାରି ମାସିକ ରୋଜଗାର ଥିଲା ମାତ୍ର ୩୦୦୦ ଟଙ୍କା। ଭାରତ ତଥା ଏସିଆର ସବୁଠାରୁ ବିତ୍ତଶାଳୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏହି ଲକ୍ଡାଉନ୍ କାଳରେ ଘଣ୍ଟାକୁ ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି।
ସାରା ବିଶ୍ବରେ କରୋନା କାଳୀନ ପ୍ରାଦୁର୍ଭାବ ହେତୁ ଏ ପ୍ରକାର ଅର୍ଥନୈତିକ ଅସମାନତା ବୃଦ୍ଧି ପାଇଥିବା ପରିଦୃଷ୍ଟ ହୋଇଛି। ତେବେ ଭାରତରେ ଏ ପ୍ରକାର ଅସମାନତା ବା ବୈଷମ୍ୟ ଚିନ୍ତାଜନକ। ସୁତରାଂ, ଅନ୍ତର୍ଭୁକ୍ତୀ ବିକାଶର ମଡେଲ ନିର୍ମାଣ କରାଯିବା ଦିଗରେ ଦୃଷ୍ଟି ଦିଆଯିବା ଉଚିତ।