ସେ କାଳର ଚାନ୍ଦବାଲି ବନ୍ଦର

ଇତିହାସର ଅଳିନ୍ଦ - ବାବାଜୀ ଚରଣ ଦାସ

ଐତିହାସିକ ତଥ୍ୟ ଅନୁସାରେ ସୋମ ଓ ଗଙ୍ଗବଂଶ ରାଜତ୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ସମୃଦ୍ଧି ଲାଭ କରିଥିଲା। ବାଲେଶ୍ବର, ଚାନ୍ଦବାଲି, ବୋଇତିକୁଦ, ଅସ୍ତରଙ୍ଗରେ ନୌକା ନିର୍ମିତ ହେଉଥିଲା। ପ୍ରାଚୀ ମାହାତ୍ମ୍ୟ, ତୀର୍ଥ ଚିନ୍ତାମଣି ଇତ୍ୟାଦିରୁ ନୌବାଣିଜ୍ୟ ବିଷୟରେ ଅନେକ ତଥ୍ୟ ମିଳେ। ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଦୃଶ୍ୟମାନ ଏକ ସୁନ୍ଦର ବୃହତ ନୌକାର ଚିତ୍ର ଉତ୍କଳୀୟ ନୌବାଣିଜ୍ୟର ପ୍ରତୀକ ସ୍ବରୂପ।

ଚିରସ୍ରୋତା ବୈତରଣୀ କୂଳରେ ଅବସ୍ଥିତ ଚାନ୍ଦବାଲି ସହର ବୈତରଣୀର ଦାନ। ଅନ୍ତଃ ବାଣିଜ୍ୟ ଦୃଷ୍ଟିରୁ ଚାନ୍ଦବାଲି ଏକ ସମୃଦ୍ଧ ବାଣିଜ୍ୟ ନଗରୀ ଥିଲା। ଏଠାକୁ କଲିକତାରୁ ଛୋଟ ଛୋଟ ଜାହାଜ ଆସୁଥିଲା ଓ ଷ୍ଟିମର ଯୋଗେ କଟକ ଯାଇ ହେଉଥିଲା। ଆଗରୁ ରାସ୍ତାଘାଟର ବିଶେଷ ସୁବିଧା ନଥିଲା। ବହୁତ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରୁ ଆସି ଚାନ୍ଦବାଲିରୁ ପୁରୀ ଯାତ୍ରା କରିଥିଲେ। ପ୍ରାଚୀନ ଚାନ୍ଦବାଲି ବନ୍ଦର ଏକ ମୁଖ୍ୟ ପ୍ରବେଶ ପଥ ଭାବେ ଗଣ୍ୟ ହେଉଥିଲା। ୧୦୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ସୌଦାଗର ଧନେଶ୍ୱର ନରେନ୍ଦ୍ରଙ୍କ ପତ୍ନୀ ଚନ୍ଦ୍ରାବତୀଙ୍କ ନାମାନୁସାରେ ଏହି ବନ୍ଦର ଓ ସହରର ନାମକରଣ ହୋଇଥିବାର ଅନୁମାନ କରାଯାଏ। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲିରେ ଥିବା ଇଂରେଜ ଅମଳର ଅନେକ ସ୍ମାରକୀ ଏହାର ଗୌରବମୟ ଗାଥା ବହନ କରୁଛି। ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଚାନ୍ଦବାଲିର ଜନ ଆନ୍ଦୋଳନ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାରର ସ୍ମୃତି ସ୍ୱରୂପ ବ୍ୟବହୃତ ତୋପ ଏବେବି ପଡ଼ିରହିଛି ଚାନ୍ଦବାଲିର ବୈତରଣୀ ନଦୀ କୂଳରେ ଅବସ୍ଥିତ ଆରଡ଼ି ଘାଟରେ। ପୂର୍ବରୁ ଚାନ୍ଦବାଲିକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଚଟି ଘର ନିର୍ମାଣ କରାଯାଇଥିଲା। ସେ ସମୟରେ ହଇଜା ଓ ପ୍ଲେଗ୍ ଆଦି ରୋଗରେ ଆକ୍ରାନ୍ତ ତୀର୍ଥଯାତ୍ରୀମାନଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ଏହାର ନାମ ପଲିଗ୍ରୀମ୍ ହସ୍‌ପିଟାଲ। ଇଂରେଜ ଅମଳର ଏହି ଡାକ୍ତରଖାନାରୁ ମିଳିଥିବା କିଛି ତଥ୍ୟ ଅନୁସାରେ ୧୯୩୭ ମସିହା ବେଳକୁ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଏହାର ଭିତ୍ତିଭୂମି ଉପରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା।

୧୬୩୪ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ପ୍ରଥମେ ବାଲେଶ୍ବରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ। ୧୮୭୨ ଖ୍ରୀଷ୍ଟାବ୍ଦରୁ ଚାନ୍ଦବାଲି ବନ୍ଦର କାର୍ଯ୍ୟକ୍ଷମ ହେଲା ବୋଲି କେତେକ ଐତିହାସିକ ମତ ଦିଅନ୍ତି। ୧୮୬୬ ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାକୁ ଖାଦ୍ୟଦ୍ରବ୍ୟ ପଠାଇବା ପାଇଁ ଓଡ଼ିଶା ବଙ୍ଗଳା ଜଳପଥ ସ୍ଥାପିତ ହୋଇଥିଲା। ୧୮୭୦ରେ ଜାହାଜ ଚଳାଚଳ ଆରମ୍ଭ କରିଥିଲା। ଧାମରା ମୁହାଣ ଓ ବୈତରଣୀ ନଦୀର ମାପଚୁପ ଠିକ୍ ହୋଇ ନ ପାରିବାରୁ ପଣ୍ୟବାହୀ ଜାହାଜଗୁଡ଼ିକ ପ୍ରଥମେ ଚାନ୍ଦବାଲି ପର୍ଯ୍ୟନ୍ତ ଆସି ନପାରି ଧାମରା ମୁହାଣ ଠାରୁ ଆଠ ମାଇଲ୍ ଦୂର ସର୍ଟ ଦ୍ବୀପ ନିକଟରେ ରହୁଥିଲା। ସେଠାରୁ ଅନ୍ୟାନ୍ୟ ପରିବହନ ମାଧ୍ୟମରେ ଜିନିଷପତ୍ରକୁ ଚାନ୍ଦବାଲିକୁ ଅଣାଯାଉଥିଲା। ଏଭଳି ବ୍ୟୟସାପେକ୍ଷ ପରିବହନକୁ ଏଡ଼ାଇବା ପାଇଁ କ୍ୟାପ୍‌ଟେନ ମ୍ୟାକ୍‌ନିଲ୍ ଚାନ୍ଦବାଲିରେ ବନ୍ଦର ସ୍ଥାପନା ପାଇଁ ନିଷ୍ପତ୍ତି ନେଲେ। ୧୮୮୧ ମସିହା ମାର୍ଚ୍ଚ ୨୮ ତାରିଖରେ ଚାନ୍ଦବାଲିକୁ ବନ୍ଦର ଭାବରେ ଘୋଷଣା କରାଯାଇଥିଲା। କ୍ୟାପ୍‌ଟେନ ମ୍ୟାକ୍‌ନିଲ୍ ଚାନ୍ଦବାଲିରେ ବନ୍ଦର ସ୍ଥାପନା ପାଇଁ ତତ୍କାଳୀନ ଜମିଦାରଙ୍କଠାରୁ ୧୭୬ ଏକର ଜମି ଆଣିଥିଲେ ଓ ସେଥିରୁ କିଛି ଜମି ସେ ଜାହାଜ କମ୍ପାନିକୁ ଦେଇଥିଲେ। ଏହାକୁ ଖାସ୍ ମାହାଲ୍ କୁହାଯାଏ। ସେତେବେଳେ ଯେଉଁ କେତୋଟି ଜାହାଜ ଚଳାଚଳ କରୁଥିଲା, ସେଗୁଡ଼ିକ ମଧ୍ୟରେ ସାବିତ୍ରୀ, କଲ୍ୟାଣୀ, ରାମ ରାଜା, ଚାନ୍ଦବାଲି, ସୟଦ୍, ନୀଳାମ୍ବୁ ଓ ବୈତରଣୀ ପ୍ରଧାନ। ଜାହାଜରେ ସାମଗ୍ରୀ ଲଦିବା ଏବଂ ଉତାରିବା ପାଇଁ କମ୍ପାନି ଆନ୍ଧ୍ରପ୍ରଦେଶ ଓ ମାନ୍ଦ୍ରାଜରୁ ଶ୍ରମିକ ଆଣିଥିଲା। ଏମାନେ ଏବଂ ଏମାନଙ୍କ ବଂଶଧରମାନେ ଏଠାରେ ବସତି ସ୍ଥାପନ କରି ରହିଛନ୍ତି। ଓଡ଼ିଶାର ପ୍ରବେଶ ପଥ ଚାନ୍ଦବାଲି ଓ ଧାମରା। ଅବିଭକ୍ତ ବାଲେଶ୍ୱର ଓ କଟକ ଜିଲ୍ଲାରେ ପ୍ରଚୁର ଶାରଦ ଓ ଡାଳୁଅ ଧାନ ଉତ୍ପାଦିତ ହେଇଥାଏ। ସେତେବେଳେ ଚାନ୍ଦବାଲିରେ ୯ ଗୋଟି ଚାଉଳ କଳ ଗଢ଼ି ଉଠିଥିଲା। ଚାଉଳ ରପ୍ତାନିରେ ଚାନ୍ଦବାଲି, ଓଡ଼ିଶାର ପ୍ରସିଦ୍ଧ ବନ୍ଦର ଥିଲା।

କଲିକତା, ପୁରୀ, କୋଣାର୍କ, କଟକ ଯିବାଆସିବା ପାଇଁ ଏହା ଏକ ମୁଖ୍ୟ ପ୍ରବେଶ ପଥ ଥିବାରୁ ଚାନ୍ଦବାଲିକୁ ଭାରତର ଅନେକ ଦେଶଭକ୍ତ ପୁଣ୍ୟାତ୍ମାମାନଙ୍କ ଆଗମନ ହୋଇଥିଲା। ଏମାନଙ୍କ ମଧ୍ୟରେ ମା’ ସାରଦା ଦେବୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିବର ରାଧାନାଥ ରାୟ, କର୍ମବୀର ଗୌରୀଶଙ୍କର ରାୟ, ଜାନକୀନାଥ ବୋଷ ଚିରସ୍ମରଣୀୟ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟ ୧୯୩୯ ମସିହା ଠାରୁ ୧୯୪୫ ମସିହା ପର୍ଯ୍ୟନ୍ତ ଦୀର୍ଘ ସାତବର୍ଷ କାଳ ଚାନ୍ଦବାଲିକୁ ଆସୁଥିବା ଜାହାଜର ସଂଖ୍ୟା କ୍ରମେ କମିକମି ଗଲା। ୧୯୪୩-୪୪ରେ ଭଦ୍ରକରୁ ଚାନ୍ଦବାଲି ପକ୍କା ସଡ଼କ ତିଆରି ହେଲା। ବିଭିନ୍ନ ଆଳରେ ଇଂରେଜ ସରକାର ଅମଳରେ ଚାନ୍ଦବାଲି ବନ୍ଦରକୁ ଅବହେଳା କରାଯାଇଥିଲା। ପୁରାତନ ବନ୍ଦରର ସ୍ମୃତି ସ୍ୱରୂପ ବିଶାଳ ଲଙ୍ଗର ଏବେ ବି ଚାନ୍ଦବାଲିର ଗୌରବମୟ ଇତିହାସ ବର୍ଣ୍ଣନା କରେ।

ପଞ୍ଚସଖା ନଗର, ଡୁମୁଡୁମା,
ଭୁବନେଶ୍ୱର-୧୯
ମୋ- ୮୮୯୫୪୮୪୨୨୩

ସମ୍ବନ୍ଧିତ ଖବର