ସଂପ୍ରତି ରାଜନୈତିକ ରୂପରେ ଅତ୍ୟନ୍ତ ଅପ୍ରଭାବୀ, ସାମାଜିକ ଭାବେ ବହୁତ ବିଚ୍ଛିନ୍ନ ଏବ˚ ଆର୍ଥିକ ଦୃଷ୍ଟିରୁ ଅସ୍ଥିର ଯୁକ୍ତରାଷ୍ଟ୍ର ଆମେରିକାର ଛୟାଳିଶତମ ରାଷ୍ଟ୍ରପତି ହେବା ପରେ କ୍ୟାପିଟଲ୍‌ ହିଲ୍‌ର ଐତିହାସିକ ସୋପାନ ଶ୍ରେଣୀ ଉପରେ ଛିଡ଼ାହୋଇ ଜୋ ବାଇଡେନ୍‌ ଯାହା କହିଲେ, ତାହା ଐତିହାସିକ ମହତ୍ତ୍ବ ବହନ କରୁଛି। ତେବେ, କାହିଁକି? ଏଥି ପାଇଁ ଯେ, ଆମେରିକାର ଇତିହାସରେ ଟ୍ର˚ପ୍‌ କାଳର ଅନ୍ତ ପରେ ବାଇଡେନ୍‌ ଯାହା ବି କହିବେ, ତାହା କେବଳ ଆମେରିକା ପାଇଁ; ତାହାକୁ ଐତିହାସିକ କହାଯିବ ଏବ˚ ତାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ଯେତେ ବେଳେ ଇତିହାସର କଳା ପୃଷ୍ଠା ଲେଉଟାଯାଏ, ନୂଆ ପୃଷ୍ଠା ସାଧାରଣତଃ ପୂର୍ଣ୍ଣମୀ ଜହ୍ନ ପରି ଝଲସୁଥିବା ଦେଖାଯାଏ। ତେଣୁ, ଯେତେବେଳେ ବାଇଡେନ୍‌ କହିଲେ, ଏହା ଆମେରିକାର ଏବ˚ ଲୋକତନ୍ତ୍ରର ଦିନ, ଖୁବ୍‌ ତାଳି ବାଜିଥିଲା। ଏମିତି ଦେଖିଲେ, ଏହା ଏକ ସାଧାରଣ ବାକ୍ୟ ମାତ୍ର ଥିଲା! କିନ୍ତୁ, ଏଥିପାଇଁ ଐତିହାସିକ ଲାଗିଲା, ଯେହେତୁ ଗତ ପାଞ୍ଚ ବର୍ଷରେ ଆମେରିକା ଏହି ବାକ୍ୟ ଶୁଣିବା ଓ କହିବା ଭୁଲିଯାଇଥିଲା। ଏହି ବାକ୍ୟ ପଦକ ଆମେରିକାର ଆହତ ମନର କଷ୍ଟ ଲାଘବ କଲା। ଏହା ସେହି ସମସ୍ତଙ୍କୁ ସାନ୍ତ୍ବନା ଦେଲା, ଯେଉଁମାନେ ବାଇଡେନ୍‌ଙ୍କ ସପକ୍ଷରେ ମତ ଦେଇଥିଲେ। ସେହିମାନଙ୍କୁ ମଧ୍ୟ ଯେଉଁମାନେ ଗତ ପାଞ୍ଚ ବର୍ଷ ହେଲା ନିରବ ରହିଥିଲେ ବା ଯଦି କେବେ ପାଟି ଖୋଲିଥିଲେ, ଯାହା କହିବା କଥା ନୁହେଁ, ତାହା କହିଥିଲେ; ଏବଂ ଯାହାର ଅର୍ଥ ସୁଦ୍ଧା ସେମାନଙ୍କୁ ଜଣା ନ ଥିଲା! ଯେଉଁମାନେ ଟ୍ର˚ପ୍‌ଙ୍କ ଦ୍ବାରା ଉନ୍ମତ୍ତ ହୋଇ ସ˚ସଦ ଭିତରକୁ ଧସେଇ ପଶି, ଅରାଜକତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ, ଲୋକତନ୍ତ୍ରର ନୂଆ ପବନରେ ପ୍ରଶ୍ବାସ ନେବାର ସନ୍ତୋଷ ସେମାନଙ୍କୁ ମଧ୍ୟ ମିଳିଥିବ! ଲୋକତନ୍ତ୍ରର ଶକ୍ତି ଅସୁମାର। ଏହା ମନ୍ଦ ଶକ୍ତିକୁ ଦମନ କରିବା ସହ ଭଲ ଶକ୍ତିକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦିଏ; ଯଦିଓ ସାରା ଦୁନିଆରେ କ୍ଷମତାର କ୍ଷୁଧା ଏବେ ଲୋକତନ୍ତ୍ରକୁ ଏ ଭଳି ଆଚ୍ଛାଦିତ କରିରଖିଛି ଯେ, ଏହା ଶାନ୍ତି ଓ ସ୍ବାଧୀନତାର ସହ ପ୍ରଶ୍ବାସ ନେଇପାରୁନାହିଁ। ତନ୍ତ୍ର ଏହାର ଗଳା ଚିପିଧରିଛି।

Advertisment

ବାରାକ୍‌ ଓବାମାଙ୍କ ସହ ବାଇଡେନ୍‌ଙ୍କୁ ତୁଳନା କରିପାରିବାନାହିଁ। ଓବାମାଙ୍କ ବାଗ୍ମିତାପୂର୍ଣ୍ଣ ବୌଦ୍ଧିକତା ସହ ବାଇଡେନ୍‌ ତୁଳନୀୟ ନୁହନ୍ତି। ଓବାମାଙ୍କ ପରି ସେ ନିଜର ଭାଷଣ ଦ୍ବାରା ଶ୍ରୋତାଙ୍କୁ ମନ୍ତ୍ର-ମୁଗ୍‌ଧ କରିରଖିପାରିବେନାହିଁ। ତେବେ, ବାଇଡେନ୍‌ ଜଣେ ପରିଶ୍ରମୀ ରାଜନୀତିଜ୍ଞ। ଅନେକ ପ୍ରଚେଷ୍ଟା କରି ସେ ରାଷ୍ଟ୍ରପତି ହୋଇପାରିଛନ୍ତି। ତାହା ମଧ୍ୟ ବୋଧହୁଏ ଏଥିପାଇଁ ଯେ, ଆମେରିକାବାସୀ ଟ୍ର˚ପ୍‌ଙ୍କ ଠାରୁ ମୁକ୍ତି ଚାହୁଁଥିଲେ। ଲୋକତାନ୍ତ୍ରିକ ଇତିହାସର ଏକ ଘଡ଼ି-ସନ୍ଧି ମୁହୂର୍ତ୍ତରେ ମାର୍କିନ୍‌ ମତଦାତା ବାଇଡେନ୍‌ଙ୍କୁ ବାଛିଲେ, ତାଙ୍କୁ ବିଶ୍ବାସକୁ ନେଲେ ଏବ˚ ଦେଶର ଦାୟିତ୍ବ ଦେଲେ। ଟ୍ର˚ପ୍‌ଙ୍କ ପୂରା ଶାସନ କାଳରେ ଆମେରିକା ସତେ ଯେପରି ସଇତାନର ଆବେଶରେ ଥିଲା। ତାଙ୍କ ସମୟ ଥିଲା, ସଇତାନୀ ଆତ୍ମାର ଶାପିତ କାଳ। ଆମେରିକା ଭଳି ଏକ ପ୍ରବୁଦ୍ଧ ରାଷ୍ଟ୍ରକୁ ସେ ଯେଉଁ ସ୍ତରକୁ ନେଇଆସିଲେ, ସେ ଭଳି ପୂର୍ବରୁ କେବେ ଘଟି ନ ଥିଲା। ଆମେରିକାର ଲୋକତାନ୍ତ୍ରିକ ଇତିହାସରେ ଟ୍ର˚ପ୍‌ ହିଁ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଏକ ଶାସନ କାଳରେ ଦୁଇ ଦୁଇ ଥର ମହାଭିଯୋଗ ଆସିଛି। ବୌଦ୍ଧିକତା ସହ ଟ୍ର˚ପ୍‌ଙ୍କର ଦୂର ଦୂର ପର୍ଯ୍ୟନ୍ତ କୌଣସି ସ˚ପର୍କ ନାହିଁ। ସେ ନିଜ ଦେଶର ସା˚ସ୍କୃତିକ ଓ ରାଜନୈତିକ ବିଭବ ବୁଝନ୍ତିନାହିଁ କି ସେ ବିଷୟରେ ଜାଣିବାକୁ ଚାହଁାନ୍ତିନାହିଁ। ସେ କେବଳ ଏତିକି ବୁଝିଥିଲେ ଓ ଜାଣିଥିଲେ, ସେ ରାଷ୍ଟ୍ରପତି ଏବ˚ ଦେଶ ପାଇଁ ନୀତି ନିର୍ଦ୍ଧାରଣ କରିବାର ଅଧିକାର ତାଙ୍କୁ ମିଳିଛି ଏବ˚ ସେ ଯାହା ଚାହିଁବେ, କରିପାରିବେ। କିନ୍ତୁ ଦେଶ, ସମ୍ବିଧାନ ଓ ଜନତା ପ୍ରତି ତାଙ୍କର କର୍ତ୍ତବ୍ୟ ଏବ˚ ଦାୟିତ୍ବ କ’ଣ, ଏହା ସେ ବୁଝିବାକୁ ଚେଷ୍ଟା ମଧ୍ୟ କରି ନ ଥିଲେ। ସେ ବିଶ୍ବର ଏହି ଭଳି ଏକ ମାତ୍ର ଶାସକ ନୁହନ୍ତି। ଆବର୍ଜନା ଘାଣ୍ଟିଲେ, ତାଙ୍କ ଭଳି ଅନେକ ମିଳିବେ।

ବାଇଡେନ୍‌ ଅବଶିଷ୍ଟ ଦୁନିଆକୁ କିଛି ବି କହି ନ ଥିଲେ ଏବ˚ ଏହା ଥିଲା ତାଙ୍କ ଭାଷଣର ସବୁଠାରୁ ବିବେକପୂର୍ଣ୍ଣ ଅ˚ଶ। ଆମେରିକାର ଭାରତୀୟ ବ˚ଶୋଦ୍ଭବ ବିନୟ ରେଡ଼ୀ ଓ ତାଙ୍କ ସାଥୀମାନେ ବାଇଡେନ୍‌ ତଥା କମଳା ହାରିସ୍‌ଙ୍କ ଭାଷଣ ଲେଖିଥିଲେ। ସେମାନେ ଏହା ପୂର୍ବରୁ ଓବାମାଙ୍କ ଭାଷଣ ମଧ୍ୟ ଲେଖିଥିଲେ। ତେଣୁ, ସେମାନେ ବିଶେଷ ଧନ୍ୟବାଦର ପାତ୍ର। ଶପଥ ଗ୍ରହଣ ପରେ ସଙ୍ଗେସଙ୍ଗେ ରାଷ୍ଟ୍ରକୁ ସମ୍ବୋଧିତ କରିବା, ଏକ ପ୍ରାଚୀନ ମାର୍କିନ୍‌ ପରମ୍ପରା। ୩୦ ଏପ୍ରିଲ୍‌ ୧୭୮୯ରେ ଏହା ଆରମ୍ଭ କରିଥିଲେ ସେଠାକାର ପ୍ରଥମ ରାଷ୍ଟ୍ରପତି ଜର୍ଜ‌୍‌ ଵାସି˚ଟନ୍‌। ସେ ସ୍ବାଧୀନତାର ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ଶପଥ ପାଠ କରିଥିଲେ ଏବ˚ ଏକ ନୂତନ ସ୍ବତନ୍ତ୍ର ଆଭିମୁଖ୍ୟର ସରକାରର ପ୍ରତିଶ୍ରୁତି ଦେଇଥିଲେ। ନିଜର ଦ୍ବିତୀୟ କାର୍ଯ୍ୟକାଳରେ ସେ ଦେଇଥିବା ଭାଷଣ ଅଦ୍ୟାବଧି ସବୁଠାରୁ କ୍ଷୁଦ୍ର ହୋଇ ରହିଛି। ତାହା ଥିଲା ମାତ୍ର ଶହେ ପଞ୍ଚତିରିଶଟି ଶବ୍ଦର ଭାଷଣ। ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ ଵିଲିଅମ୍‌ ହେନ୍‌ରି ହାରିସନ୍‌। ଉକ୍ତ ଐତିହାସିକ ଭାଷଣ ଦୁଇ ଘଣ୍ଟା ଚାଲିଥିଲା ଏବ˚ ସେଥିରେ ଥିଲା ଆଠ ହଜାର ଚାରି ଶହ ପଞ୍ଚାବନଟି ଶବ୍ଦ। ଉକ୍ତ ରାଜନୈତିକ ପରମ୍ପରା କ୍ରମେ ଆମେରିକାର ସା˚ସ୍କୃତିକ ପରମ୍ପରା ବନିଯାଇଛି। ଆମେରିକା ଏବେ ବି ମନେପକାଏ କେନେଡିଙ୍କର ସେହି ଐତିହାସିକ ଭାଷଣ, ଯାହା ଆମେରିକାର ଆତ୍ମାକୁ ସ୍ପର୍ଶ କରିପାରିଥିଲା। ସେ କହିଥିଲେ- ‘ହେ ମୋର ମାର୍କିନ୍‌ ବନ୍ଧୁଗଣ, ଏହା ପଚାରନ୍ତୁନାହିଁ ଯେ, ଆମେରିକା ଆପଣମାନଙ୍କ ପାଇଁ କ’ଣ କରିବ; ବର˚ କହନ୍ତୁ, ଆପଣମାନେ ଆମେରିକା ନିମନ୍ତେ କ’ଣ କରିପାରିବେ?’ ୧୯୩୩ରେ ଭୟଙ୍କର ଆର୍ଥିକ ଦୁର୍ଗତି ମଧ୍ୟରେ ଆମେରିକା ବୁଡ଼ିରହିଥିବା ବେଳେ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ କହିଥିଲେ- ‘ଆଜି ଆମେ କେବଳ ଗୋଟିଏ କଥା ପ୍ରତି ଭୟଭୀତ ରହିିବା ଏବ˚ ତାହା ହେଉଛି ଭୟ।’ ୧୯୬୧ରେ ଭୟାବହ ଗୃହ ଯୁଦ୍ଧରେ ମାତିଥାଏ ସାରା ଆମେରିକା। ସେତେବେଳେ ରାଷ୍ଟ୍ରପତି ଆବ୍ରାହମ୍‌ ଲି˚କନ୍‌ ଭାଷଣରେ କହିଥିଲେ- ‘ହେ ମୋର ଅସନ୍ତୁଷ୍ଟ ଦେଶବାସୀ, ଆପଣମାନଙ୍କୁ କେବଳ ଏତିକି ଅନୁରୋଧ କରିବି, ପରସ୍ପରର ବନ୍ଧୁ ହୁଅ, ଶତ୍ରୁ ନୁହେଁ।’ ୨୦୦୯ରେ ଓବାମା ନିଜର ଆମେରିକାକୁ କହିଥିଲେ- ‘ଏବେ ନୂଆ ଭାର ଉଠାଇବାର ସମୟ। ଆମକୁ ନିଜ ପ୍ରତି ନିଜର କର୍ତ୍ତବ୍ୟ ତୁଲାଇବାକୁ ହେବ; ତା’ ସହ ଦେଶ ଓ ଦୁନିଆ ପ୍ରତି ନିଜର ଦାୟିତ୍ବ ସ˚ପାଦନ କରିବାକୁ ହେବ; ଏବ˚ ଏସବୁ ମୁହଁ ଛିଞ୍ଚାଡ଼ି ବାଧ୍ୟବାଧକତାରେ ନୁହେଁ, ସ୍ବ-ଇଚ୍ଛାରେ ହସିହସି କରିବାକୁ ହେବ।’

ଏସବୁ ଭାଷଣ କିଛି ନୁହେଁ; କେବଳ ଶ୍ରଦ୍ଧାଜ୍ଞାପନ ଏବ˚ ରାଷ୍ଟ୍ରକୁ ନିଜର ବନେଇବା ପାଇଁ ପ୍ରଚେଷ୍ଟା ମାତ୍ର। ବାଇଡେନ୍‌ ଯେତେବେଳେ କହୁଛନ୍ତି, ‘ଆମେ ଏକ ମହାନ୍‌ ରାଷ୍ଟ୍ର, ଆମେ ଭଲ ଲୋକ; ଏହା କହି ସେ ଟ୍ର˚ପ୍‌କାଳୀନ ସ˚କୀର୍ଣ୍ଣତା ମଧ୍ୟରୁ ଆମେରିକାକୁ ବାହାରକରିବାକୁ ଚେଷ୍ଟା କରୁଛନ୍ତି। ସେ ପୁଣି କହୁଛନ୍ତି, ସେ କିଛି ଲୋକଙ୍କର ନୁହେଁ, ସାରା ଆମେରିକାର ରାଷ୍ଟ୍ରପତି; ସମସ୍ତେ, ସମସ୍ତଙ୍କୁ ସମ୍ମାନ କରିବା ଉଚିତ; ଶାସନ ବ୍ୟବସ୍ଥା ସବୁ କିଛିକୁ ପୋଡ଼ି ଛାରଖାର କରିଦେବା ଭଳି ନିଅଁା ନ ବନୁ।’ ଏସବୁ କହିବା ଦ୍ବାରା ସେ ଖଣ୍ତ-ବିଖଣ୍ତିତ ହୋଇଯାଇଥିବା ଆମେରିକାନ୍‌ ସମାଜକୁ ଏକତ୍ର କରିବା ପାଇଁ ଉଦ୍ୟମ କରୁଛନ୍ତି ଏବ˚ ମାର୍କିନ୍‌ମାନଙ୍କୁ ସରକାର ଓ ରାଜନୀତିର ମର୍ଯ୍ୟାଦା ମଧ୍ୟ ବୁଝାଉଛନ୍ତି। ଅବଶିଷ୍ଟ ଦୁନିଆ ପ୍ରତି ସେ କେବଳ ଏତିକି କହିଛନ୍ତି- ‘ଆମକୁ ଭବିଷ୍ୟତ୍‌ ସହ ଏବର ଆହ୍ବାନ ପାଇଁ ମଧ୍ୟ ସାମନା କରିବାକୁ ପଡ଼ିବ।’ ତାଙ୍କ ପୂର୍ବ ସୂରୀ ଟ୍ର˚ପ୍‌ଙ୍କ କଥା ନ କହିବା ଭଲ। ସେ ଭବିଷ୍ୟତ୍‌ କଥା ଛାଡ଼, ଏବକୁ ମଧ୍ୟ ବିଦ୍ରୂପ କରିବାକୁ ପଛେଇନାହାନ୍ତି।

ବାଇଡେନ୍‌ଙ୍କ ଏହି ସାଧାରଣ ଭାଷଣକୁ ଅସାଧାରଣ କହାଯାଇପାରେ। କାରଣ ଏଥିରୁ ତାଙ୍କର ଉଦାର ଓ ସଚ୍ଚୋଟ ଚିନ୍ତାଧାରା ସ୍ପଷ୍ଟ ବାରିହୋଇଯାଉଛି। ସେ ବୟସ୍କ ଏବ˚ ଅଭିଜ୍ଞ। ସେ ଯାହା କହୁଛନ୍ତି, ମନରୁ କହୁଛନ୍ତି ଏବ˚ ନିଜ ମନକୁ ସାରା ଆମେରିକାର ମନ ସହ ମିଳାଇବାକୁ ଚାହୁଁଛନ୍ତି। ସେଠାରେ ଏକଦା ଥିଲା ଶାନ୍ତି ଓ ସହନଶୀଳତାର ବାତାବରଣ; ଯାହା ଟ୍ର˚ପ୍‌ଙ୍କ ସମୟରେ ନଷ୍ଟ ହୋଇଥିଲା। ତେବେ, ବାଇଡେନ୍‌ ନିଜ ଭାଷଣରେ ତାଙ୍କ ନାମ ନେଇ ନ ଥିଲେ। ବୋଧହୁଏ ସେ ଇତିହାସର ସେହି କରାଳ କାଳକୁ ଭୁଲିଯିବାକୁ ଏବ˚ ପୋଛିଦେବାକୁ ଚାହୁଁଥିଲେ। ସେ ଅଯଥା ବୟାନବାଜି, ଆସ୍ଫାଳନ ଚାହଁାନ୍ତିନାହିଁ। କେତେ ଭିନ୍ନ ସେ! ଆମଠାରୁ ମଧ୍ୟ କେତେ ଅଲଗା! ତାଙ୍କର ଶପଥ ଗ୍ରହଣ ଓ ଭାଷଣରୁ ଏକ ଉତ୍ତମ ପ୍ରାରମ୍ଭର ସୂଚନା ମିଳୁଛି। ହେଲେ, କେବଳ ଭାଷଣ ଯଥେଷ୍ଟ ନୁହେଁ। ଏବେ ସେ ରାଷ୍ଟ୍ରପତି ଏବ˚ ତାଙ୍କୁ ଅନେକ କଠୋର ସତ୍ୟର ସାମନା କରିବାକୁ ହେବ। ସେ ଚାହିଁଲେ ବି ସବୁ କିଛି ଭୁଲିପାରିବେନାହିଁ କି ଜନତା ତାଙ୍କୁ ଭୁଲିବାକୁ ଦେବନାହିଁ। ସେ କେଉଁ ପରି ସତ୍ୟର ସାମନା କରିବେ, ଆମେରିକାରେ ଏକ ନୂଆ ଯୁଗର ଆରମ୍ଭ କରିବେ, ଏହା ଆମେ ତଥା ସାରା ଦୁନିଆ ଦେଖିବାକୁ ଅପେକ୍ଷା କରିଛି। ଆମେ ବି ତାଙ୍କ ସ୍ବର ସହ ସ୍ବର ମିଳାଇ କହିବା- ‘ଈଶ୍ବର ଆମକୁ ରାସ୍ତା ଦେଖାନ୍ତୁ ଏବ˚ ଆମକୁ ଉଦ୍ଧାର କରନ୍ତୁ।’

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ