ଗଣତନ୍ତ୍ରର ନାୟକ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଗଣତନ୍ତ୍ରର ପ୍ରତିଷ୍ଠା ସହିତ ବିଶ୍ବ ଏକ ନାୟକହୀନ ରାଜନୈତିକ ସମୟରେ ପ୍ରବେଶ କରିଚି। ବ୍ୟକ୍ତିର ନାୟକତ୍ବ ଗଣତନ୍ତ୍ରରେ ନା ସମ୍ଭବ ହୁଏ ନା ଲୋଡ଼ାଯାଏ। ଅଳ୍ପ ସମୟ ପାଇଁ ଆକାଶରେ ଉଦିତ ହୋଇ ଅସ˚ଖ୍ୟ ଅଜ୍ଞାତ ନକ୍ଷତ୍ର ଅଦୃଶ୍ୟ ହୋଇଗଲା ପରି, ବିପୁଳ ଲୋକକ୍ଷେତ୍ରରେ ଅସ˚ଖ୍ୟ ତାରକା ନାୟକ ଉଦିତ ହୁଅନ୍ତି ଓ ଅବଲୀଳାକ୍ରମେ ଲୋପ ପାଇଯା’ନ୍ତି, ତାଙ୍କର ସ୍ମୃତି ମଧୢ ଲୋକ ମାନସରେ ରହେ ନାହିଁ। ସ୍ମୃତି ରକ୍ଷା ପାଇଁ ଯେତେ ଉଦ୍ୟମ ହେଲେ ବି ଏହା ଅବିସମ୍ବାଦିତ ଯେ ଗଣତନ୍ତ୍ରରେ ନା ନେତା ନାୟକ, ନା କରିତ୍‌କର୍ମା ନାୟକ ନା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଓ ବରିଷ୍ଠମାନେ ନାୟକ। ମୋଟ ଉପରେ ସମୟର ନାୟକ ଉଦିତ ହେବାର ଓ ପ୍ରଭାମଣ୍ତଳ ବିସ୍ତାର କରି ଅବିସ୍ମରଣୀୟ ହୋଇ ରହିବାର ସମ୍ଭାବନାକୁ ଗଣତନ୍ତ୍ର ଉତ୍ପାଟିତ କରି ଦେଇଚି।

ବି˚ଶ ଶତାବ୍ଦୀରେ ଗଣତାନ୍ତ୍ରିିକ ରାଷ୍ଟ୍ରମାନଙ୍କର ସମ୍ବିଧାନରେ ନାୟକତ୍ବକୁ ପ୍ରତିହତ କରିବାର ବ୍ୟବସ୍ଥାଗତ ପ୍ରତିବନ୍ଧ ସୃଷ୍ଟି କରିବାରେ ଥିଲା ‘ସାମ୍ବିଧାନିକ ଚିନ୍ତନର ଉତ୍କର୍ଷ’! ବାବା ସାହେବ ଆମ୍ବେଦକର ମଧୢ ତାଙ୍କର ବହୁ ବକ୍ତବ୍ୟରେ ଗଣତନ୍ତ୍ରର ଏକମାତ୍ର ନାୟକ ଗଣସ˚କଳ୍ପ ଦ୍ବାରା ସୃଷ୍ଟ ‘ସମ୍ବିଧାନ’ ଓ କରିତ୍‌କର୍ମାମାନେ ଗଣତନ୍ତ୍ରର ନାୟକ ନୁହନ୍ତି ବୋଲି ତର୍କ ପ୍ରସ୍ତୁତ କରିଚନ୍ତି। ‘ଭକ୍ତି ଓ ଆନୁଗତ୍ୟ’କୁ ନେଇ ଚାଲିଥିବା ଭାରତୀୟ ଲୋକ ସମାଜ, କାଳେ କେବେ ରାଷ୍ଟ୍ର ଭିତରେ ଗୋଟିଏ ଈଶ୍ବର ଗଢ଼ି ବସିବ, ୟାକୁ ନେଇ ଆମ୍ବେଦକର ଚିନ୍ତିତ ଥିଲେ। ସେ ସମୟରେ ନାୟକ ଗାନ୍ଧୀ ଭାରତୀୟଙ୍କ ଅବିଶ୍ବସ୍ୟ ଭକ୍ତି ଓ ଅାନୁଗତ୍ୟ ହାସଲ କରିଥିଲେ। ସେ ଦେବ ପୁରୁଷ, ପୌରାଣିକ ପୁରୁଷ ଓ ଜଣେ ଧର୍ମ ପ୍ରତିଷ୍ଠାତାର ଐଶ୍ବରୀୟ ଆଭା ନେଇ ଭାରତୀୟ ଲୋକମାନସକୁ ଏକ ଅଦ୍ଭୁତ ବିଶ୍ବସନୀୟତାରେ ଓତପ୍ରୋତ ବିଜଡ଼ିତ କରି ରଖିଥିଲେ। ସମ୍ବିଧାନ ପ୍ରଣୟନ ସହିତ ଗଣତନ୍ତ୍ରରେ ଜଣେ ବ୍ୟକ୍ତିର ନିର୍ଣ୍ଣାୟକ ଭୂମିକା ନ ରହିବା ବିଷୟରେ ଆମ୍ବେଦକର ନିଶ୍ଚିତ ଥିଲେ। କିନ୍ତୁ, ତାଙ୍କର ଆଶଙ୍କା ଥିଲା ଯେ ଗଣତନ୍ତ୍ରରେ ସମ୍ବିଧାନର ନାୟକତ୍ବ, ‘ଭକ୍ତି ଓ ଆନୁଗତ୍ୟ’ ଅନୁପ୍ରାଣିତ ଭାରତୀୟଙ୍କ ପାଇଁ ସତରେ କ’ଣ ପାର˚ପରିକ ଶାସ୍ତ୍ରୀୟ, ଧର୍ମୀୟ ଓ ଆଧୢାତ୍ମିକ ନୈତିକତାର ସ୍ଥାନ ନେଇପାରିବ? ଆମ୍ବେଦକର ସମ୍ବିଧାନ ସଭାର ଡ୍ରାଫ୍‌ଟିଙ୍ଗ୍‌ କମିଟିର ଅଧୢକ୍ଷ ହେଲାବେଳକୁ (ଅଗଷ୍ଟ ୨୯,୧୯୪୭) ଗାନ୍ଧୀ ଜୀବିତ ଥିଲେ।

ଭାରତୀୟ ଗଣତନ୍ତ୍ରର ନିର୍ମାଣ କାଳରେ ଗାନ୍ଧୀଙ୍କ ପରମାର୍ଥିକ ନୈତିକତାର ସ୍ଥାନରେ ସାମ୍ବିଧାନିକ ନୈତିକତାର ଉପସ୍ଥାପନା ଓ ପ୍ରୟୋଗ ଏକ କ୍ରାନ୍ତିକାରୀ ଘଟନା ଥିଲା, ଯାହାର ଇଙ୍ଗିତ ଆମର ରାଜନୀତି-ପାଠରେ ଚର୍ଚ୍ଚିତ ନୁହେଁ, କିନ୍ତୁ ନାୟକହୀନ ସମୟରେ ୟାର ଚର୍ଚ୍ଚା ଭାରତୀୟ ଗଣତନ୍ତ୍ରର ଗଭୀର ସ˚ରଚନାକୁ ବୁଝିବାରେ ସହାୟକ ହୋଇପାରେ। ଭାରତର ନାୟକପ୍ରଧାନ ରାଜତନ୍ତ୍ରରୁ ନାୟକହୀନ ଗଣତନ୍ତ୍ରକୁ ଯାତ୍ରା ପଛରେ ବୌଦ୍ଧିକ ଭୂମି ନିର୍ମାଣର କାର୍ଯ୍ୟ ହୋଇନଥିଲା। ସମ୍ବିଧାନ ସଭାର ଆଲୋଚନାରେ ମଧୢ ନାୟକପ୍ରଧାନ ଭାରତରେ ପରମାର୍ଥିକ ନୈତିକତା ଓ ପାଶ୍ଚାତ୍ୟ ମଡେଲ୍‌ ଆଧାରିତ ସାମ୍ବିଧାନିକ ନୈତିକତା ଉପରେ ତର୍କ ହୋଇ ନଥିଲା। ୩୦ ଜାନୁଆରି ୧୯୪୮ରେ ଗାନ୍ଧୀଙ୍କ ତିରୋଧାନ ସହିତ ଭାରତୀୟ ରାଜନୈତିକ ପୃଷ୍ଠପଟରୁ ପରମାର୍ଥିକ ନୈତିକତାର ଶିଖର ପ୍ରବକ୍ତା ଓ ସ˚ଗ୍ରାମୀ ଭାରତର ନାୟକ ଗାନ୍ଧୀ ତିରୋହିତ ହୋଇଗଲେ। ଗାନ୍ଧୀଙ୍କ ପରେ ଗାନ୍ଧୀବାଦୀଙ୍କର ଗୋଟିଏ ବଡ଼ ସମୂହ ବଞ୍ଚିଥିଲା, କିନ୍ତୁ ସେ ସମୂହ ପାଖରେ ସମଗ୍ର ଭାରତ ପାଇଁ ଜଣେ କେହି ନାୟକ ନ ଥିଲେ। ନଭେମ୍ବର ୨୬, ୧୯୪୯ ଦିନ ସମ୍ବିଧାନ ସଭାର ଶେଷ ବୈଠକକୁ ଉଦ୍‌ବୋଧିତ କରି ଆମ୍ବେଦକର ଶଙ୍କା ବ୍ୟକ୍ତ କଲେ: କ’ଣ ହେବ ଭାରତର ଏ ଗଣତାନ୍ତ୍ରିକ ସମ୍ବିଧାନର? ସତରେ କ’ଣ ରାଜନେତାମାନେ ସାମ୍ବିଧାନିକ ବ୍ୟବସ୍ଥା ମାନି ଚଳିବେ, ସମସ୍ତ ଅସାମ୍ବିଧାନିକ କରିତ୍‌କର୍ମାପଣ ପରିତ୍ୟାଗ କରିବେ? ସତରେ କ’ଣ ଲୋକ ସାମ୍ବିଧାନିକ ନୈତିକତାର ଅଭ୍ୟାସ କରିବେ? ଆମ୍ବେଦକରଙ୍କ ଦୃଷ୍ଟିରେ ଥିଲା ଭାରତର ଭେଦ-ବିଭକ୍ତ ସମାଜ, ଗାନ୍ଧୀ-ଦୀକ୍ଷିତ ଗାନ୍ଧୀବାଦୀ ରାଜନୈତିକ ନେତୃତ୍ବ ଓ ସମତା-ସମାନତାର ନୂଆ ସାମ୍ବିଧାନିକ ସ˚କଳ୍ପ। ଏ ସ୍ଥିତିରେ ଗାନ୍ଧୀଙ୍କ ବଦଳରେ ଆଉ ଜଣେ ଗାନ୍ଧୀ ଖୋଜିବେନି ତ ଲୋକେ? ପରମାର୍ଥିକ ନୈତିକତାର ଆଦର୍ଶ, ସାମ୍ବିଧାନିକ ନୈତିକତାର ସ˚କଳ୍ପକୁ ସ୍ଥାନଚ୍ୟୁତ କରିଦେବନି ତ? ସ୍ମରଣରେ ରହୁ ଯେ ଆମ୍ବେଦକର ଏ ଚିନ୍ତା ବ୍ୟକ୍ତ କରୁଥିଲେ ଗାନ୍ଧୀ ବିରହିତ ଭାରତର ସମ୍ବିଧାନ ଡ୍ରାଫ୍‌ଟିଙ୍ଗ ସରିଲା ପରେ।

ଗଣତନ୍ତ୍ର ଏକାଧାରରେ ବିକଳ୍ପହୀନ, ପୁଣି ନାୟକହୀନତାର କାରଣ ଭାବରେ ଉଭୟ ସମ୍ମାନିତ ଓ ଅଭିଯୁକ୍ତ। ସମକାଳୀନ ରାଜନୀତି-ଚିନ୍ତକମାନେ ମନେ କରନ୍ତି ଯେ ଗଣତନ୍ତ୍ର ପୃଥିବୀକୁ ନାୟକଶୂନ୍ୟ କରି ଦେଇ ବଡ଼ କାମଟାଏ କରିଚି। କିନ୍ତୁ ବର୍ତ୍ତମାନ ବିଶ୍ବର ପ୍ରାଚୀନତମ ଉଦାରବାଦୀ ଗଣତନ୍ତ୍ର ଆମେରିକାରେ ରିପବ୍ଲିକାନ୍‌ମାନେ ଏକ ପ୍ରକାରର ଛଦ୍ମ-ରାଷ୍ଟ୍ରବାଦୀ ଗଣତନ୍ତ୍ରକୁ ସ୍ବର ଦେବା ସହିତ ଗଣତନ୍ତ୍ରରେ ନାୟକତ୍ବର ଭୂମିକା ଚର୍ଚ୍ଚାକୁ ଆସିଚି। ଆମେରିକାର ଭିଲାନୋଭା ବିଶ୍ବବିଦ୍ୟାଳୟରେ ନାୟକତ୍ବର ଉଦ୍‌ଗମ ସ˚ପର୍କରେ ଏ ନିଷ୍କର୍ଷରେ ସେମାନେ ପହଞ୍ଚିଛନ୍ତିି ଯେ ଗଣତନ୍ତ୍ରରେ କିଛି ଲୋକଙ୍କର ନାୟକ ହେବାର ଗୁଣ ଥାଏ, ତାଙ୍କର ବ୍ୟକ୍ତିତ୍ବର ନିର୍ମାଣରେ, ଆଉ କିଛି ଲୋକଙ୍କୁ ସମୟର ଆବଶ୍ୟକତା ଆବିଷ୍କାର କରେ। ଦେଶରେ ବା ବିଶ୍ବରେ ଏଭଳି ଲୋକ କ’ଣ ନାହାନ୍ତି? ଅଛନ୍ତି, କିନ୍ତୁ ରାଜନୀତି ତାଙ୍କୁ ଗଣନାୟକ ହେବାର ସୁଯୋଗ ଦିଏ ନାହିଁ କାହିଁକି? ନୂଆ ସମୟ କାହିଁକି ଜଣେ ନୂଆ ନାୟକ ଖୋଜି ବାହାର କରୁନାହିଁ?

ଗଣତାନ୍ତ୍ରିକ ରାଜନୀତିରେ ‘ଗଣ’ର ସାମର୍ଥ୍ୟ ବ୍ୟବହାର କରାଯିବ, ‘ଗଣ’ର ମଙ୍ଗଳ କରାଯିବ, କିନ୍ତୁ ଗଣନାୟକ ଆବିର୍ଭୂତ ହେବା ପାଇଁ ଅନୁକୂଳ ପରିବେଶ ରହିବ ନାହିଁ, ଏ କ’ଣ ଚିନ୍ତାର ବିଷୟ ନୁହେଁ? ଗଣନାୟକ ଆବିର୍ଭୂତ ନ ହେବାର ଗୋଟିଏ କାରଣର ସ˚କେତ ଆଗରୁ ଦେଇଚି। ରାଜନୀତି ‘ଗଣନାୟକ’ର ପ୍ରସ୍ତୁତି-ଭୂମିକୁ ଅକ୍ତିଆର କରିନେଇଚି। ନିର୍ବାଚନୀ ରାଜନୀତିରେ ନିର୍ବାଚିତ ଲୋକପ୍ରତିନିଧି ଗଣନାୟକ ନୁହନ୍ତି, କାରଣ ଗଣତନ୍ତ୍ରର ଚାଳିକା ଶକ୍ତି ବା କାଇନେଟିକ୍‌ସ ଏଭଳି ଯେ ତାହା ତାତ୍କାଳିକ ଠାରୁ ନେଇ ବାହ୍ୟ ପ୍ରଭାବ ଓ ସମ୍ବେଦନା ଦ୍ବାରା ପ୍ରଭାବିତ ହୋଇପାରେ। ଗଣତନ୍ତ୍ରର କଳ୍ପନା କରିଥିବା ମହାପୁରୁଷମାନେ ମାନବିକ ଅଧିକାର ଓ ସମତା ଉପରେ ଗଣତନ୍ତ୍ରର ପ୍ରାସାଦ ଠିଆ କରାଇ ଦେଲେ, କିନ୍ତୁ ‘ଗଣନାୟକ’ର ଆବିର୍ଭାବ କଥା କରିଲେ ନାହିଁ। ପରବର୍ତ୍ତୀ କାଳରେ ନାୟକହୀନ ସମୟର ତତ୍ତ୍ବ ଦେଖାଇ ବୌଦ୍ଧିକ ସ୍ତରରେ ପ୍ରମାଣ କରାଇ ଦିଆଗଲା ଯେ ସମୟ ନାୟକହୀନ, ତେଣୁ ସମକାଳୀନ ରାଷ୍ଟ୍ରଜୀବନ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ, ନାୟକ ଆସିବେ ନାହିଁ। ଗାନ୍ଧୀଙ୍କ ଉଦାହରଣ ଦିଆଗଲା ଓ କୁହାଗଲା ଆମର ଏ ସମୟରେ ‘ଗାନ୍ଧୀ’ ଆଉ ସମ୍ଭବ ନୁହେଁ। ଭିଲାନୋଭାର ନାୟକ ଚର୍ଚ୍ଚାରେ ବିଦ୍ବାନମାନଙ୍କର ବିଚାର ଥିଲା ‘ନାୟକ’କୁ ସମୟର ଆବଶ୍ୟକତା ଆବିଷ୍କାର କରେ। କିନ୍ତୁ କ’ଣ ହେବ ଯଦି ଗଣତନ୍ତ୍ରର ରାଜନୈତିକ ବ୍ୟବସ୍ଥା କେବଳ ପ୍ରତିନିଧି ସୃଷ୍ଟି କରେ ଓ ଗଣନାୟକ ସୃଷ୍ଟି କରିବାର ପଥରୋଧ କରିଦିଏ? ପ୍ରତିନିଧି ନାୟକ ନୁହନ୍ତି। ସମୟକୁ ପ୍ରଭାବିତ କରିବାର ସାମର୍ଥ୍ୟ ଯାହାର ଥାଏ ସେହି ବ୍ୟକ୍ତି ‘ସମୟର ନାୟକ’। ଆମର ଚଳନ୍ତି ସମୟରେ କ’ଣ ଆମେ ଅନୁଭବ କରୁନାହେଁ ଯେ ଆମର ଗଣତାନ୍ତ୍ରିକ ନାୟକ ଦରକାର? ଲୋକ ପ୍ରତିନିଧିତ୍ବର ସର୍ବୋଚ୍ଚ ଶିଖରରେ ବସିଥିବା ପ୍ରଧାନମନ୍ତ୍ରୀ ଜଣେ ଲୋକ ପ୍ରତିନିଧି ଓ ଦଳୀୟ ନେତା। ତାଙ୍କ ଭିତରେ ସମୟର ନାୟକତ୍ବକୁ ବିକଶିତ କରିବାର ସାମର୍ଥ୍ୟ ଆମେ ଦେଖି ମଧୢ ଦେଖିନାହେଁ; ଯେବେ ଯେବେ ସେ ସ୍ତର ସେ ସ୍ପର୍ଶ କରିଚନ୍ତି, ସେବେ ସେବେ ରାଜନୀତି ତାଙ୍କୁ ଘେରିଯାଇଚି ବା ତାଙ୍କର ପଥରୋଧ କରି ଠିଆ ହୋଇଚି। ଏ ଘେରାବନ୍ଦୀରେ ସମସ୍ତେ ସାମିଲ। ଦଳର ମହତ୍ତ୍ବାକା˚କ୍ଷୀ ସହକର୍ମୀ, ବିରୋଧୀଙ୍କ ଆକ୍ରୋଶ ଓ ରାଜନୈତିକ ବ୍ୟବସ୍ଥାର ନିୟମ ତାଙ୍କୁ ଗଣନାୟକ ହେବାର ରାସ୍ତାରେ ଅଟକେଇ ରଖିଚନ୍ତି। ବୁଦ୍ଧିଜୀବୀଙ୍କ ତର୍କ ଏହି ଯେ ଗଣତନ୍ତ୍ର ଜଣେ ଗଣନାୟକଙ୍କୁ ପାଇଲେ ସ୍ବେଚ୍ଛାଚାରୀ-ଶାସନରେ ପରିଣତ ହେବ। ତର୍କ ଆପାତତଃ ଯୁକ୍ତି ସ˚ଗତ ହୋଇପାରେ, କିନ୍ତୁ ଯୁକ୍ତି-ସିଦ୍ଧ ନୁହେଁ। ଗଣତନ୍ତ୍ରରେ ଜଣେ ‘ବଡ଼ ମଣିଷ’ ସର୍ବୋଚ୍ଚ ଆସନରେ ବସିପାରିବ ନାହିଁ? ସେଭଳି ଲୋକଙ୍କୁ ରାଜନୀତି ଭିତରକୁ ଅଣାଯାଉନାହିଁ କାହିଁକି? ରାଷ୍ଟ୍ରୀୟ ସମ୍ମାନରେ ଅଭିଷିକ୍ତ କଲା ପରେ ‘ଜିନିିଅସ୍‌’ ପ୍ରତି ଗଣତନ୍ତ୍ରର ଦାୟିତ୍ବ ଶେଷ ହୋଇଗଲା? ସମସ୍ତେ ନ ହେଲେ ବି କିଛି ତ ଅଛନ୍ତି ଏ ବିଶିଷ୍ଟମାନଙ୍କ ମଧୢରେ, ଯେଉଁମାନେ ରାଜନୀତିର ପରିବେଶ ପାଇଲେ ତାଙ୍କର ମହିମାରେ ବ୍ୟବସ୍ଥାକୁ ନୂଆ କରି ଗଢ଼ନ୍ତେ ବା ଚଳାନ୍ତେ। ଗଣତନ୍ତ୍ରର ରାଜନୀତି, ନା ରାଜନେତାଙ୍କୁ ନା ସମାଜର ଉତ୍କୃଷ୍ଟତମ ପ୍ରତିଭାକୁ ନାୟକ ଭୂମିକାରେ ଦେଖିବାକୁ ଚାହେଁ। ୟାକୁ ଗଣତନ୍ତ୍ର ଭିତରେ ଲୁକ୍କାୟିତ ଏକ ଅନ୍ତର୍ଘାତୀ ବିପଦ ବୋଲି କୁହାଯାଇପାରେ। ୟାର ପରିଣତି ଏଇଆ ଯେ ଆମେ ଏକ ‘ମେଡିଓକର’ ବା ମଧୢବେଧି ସମାଜର ନିର୍ମାଣ କରୁଚେ। ରାଜନେତା ନୁହେଁ ରାଜନୀତି ନିଜେ ତା’ର ନାୟକ।

ରାଜନୀତିରେ ସମସ୍ତଙ୍କ ପାଇଁ କରତାଳି, ସମସ୍ତେ ବିଶିଷ୍ଟ, ସମସ୍ତେ ଶ୍ରେଷ୍ଠ! ଇଏ କି ସମାଜ ଗଢ଼ିବ? ଏ ଭିତରେ ସମକାଳୀନ ବିଶ୍ବରେ ସୂଚନା ବିପ୍ଳବ ‘ମେଡିଓକ୍ରିଟି’କୁ ଲୋକଧର୍ମ, ରାଜଧର୍ମ, ସୃଜନଧର୍ମ ଓ ଚିନ୍ତନଧର୍ମରେ ପରିଣତ କରି ସାରିଲାଣି। ମୌଳିକ ଚିନ୍ତନର ଆଗ୍ରହ ନାହିଁ କି ଆବଶ୍ୟକତା ନାହିଁ। ଯାହା ପୂର୍ବ ଚିନ୍ତିତ, କମ୍ପ୍ୟୁଟରଗତ ଓ ନେଟ୍‌ପ୍ରାପ୍ତ ତାହା ହିଁ ଜ୍ଞାନ। ମୌଳିକ ଚିନ୍ତନର ସନ୍ଦୀପନ ନେଟ୍‌ର ସୁପ୍ତ ସୂଚନା ମୂର୍ତ୍ତିକୁ ଅତିକାୟ ଓ ଉତ୍କୃଷ୍ଟ ସହାୟକ ଭାବରେ ଗଢ଼ି ପାରନ୍ତା, କିନ୍ତୁ ତାହା ଜରୁରୀ ନୁହେଁ ତ ହେବ କି ପାଇଁ? ସୂଚନା ବିପ୍ଳବର ପ୍ରଥମ ତରଙ୍ଗ ଥିଲା ସୂଚନା ସେବା, ଦ୍ବିତୀୟ ତରଙ୍ଗ ହେଲା ବଜାର ସେବା, ତୃତୀୟ ତରଙ୍ଗ ଆରମ୍ଭ ହେଇଚି ଠିକ୍‌ କରୋନା ମହାମାରୀ ପୂର୍ବରୁ ବିଶ୍ବସ୍ଥାନୀୟ ସେବା (ଗ୍ଲୋବାଲ୍‌-ଲୋକାଲ୍‌ ସର୍ଭିସେସ୍‌)। ଏସବୁ ସେବା। ରାଜନୀତି ବି ସେବା, ବ୍ୟବସ୍ଥା ବି ସେବା! କିଏ କହିଲା ଗଣତନ୍ତ୍ର ସେବାରେ ଚାଲିବ? ନାୟକ ନ ଥାଇ ସେବାକାରୀମାନେ ଦିନକୁ ଦିନ ଅଧିକରୁ ଅଧିକ ନଇଁ ନଇଁ ଚାଲିବେ, ନଇଁଥିବା ପିଠି ଉପରେ ଲୋକେ ସବାର‌୍‌ ହେବେ? ଗୁଣ ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ଓ ସ˚ଭ୍ରମ, ଏସବୁ ଜରୁରୀ ନୁହେଁ? ‘ବିକାଶ’ ନାଁରେ ପ୍ରତିଶ୍ରୁତି ଓ ‘ସେବା’ ନାଁରେ ସେବିତର ଆନୁଗତ୍ୟ ହାସଲ, ଗଣତନ୍ତ୍ରକୁ ଏତେ ନମନୀୟ କରି ସାରିଲେଣି ଯେ ଦେଶ ଓ ରାଷ୍ଟ୍ରର ପରିକଳ୍ପନା କ୍ରମେ ଧୂମାଭ ହୋଇଆସୁଛି। ଜାନୁଆରି ୨୬ ତାରିଖରେ ଟ୍ରାକ୍ଟରବାହିନୀର ଲାଲ୍‌କିଲ୍ଲା ଦଖଲ ଓ ରାଷ୍ଟ୍ରଧ୍ବଜକୁ ଭୂଲୁଣ୍ଠିତ କରି ଆନ୍ଦୋଳନକାରୀ କୃଷକଙ୍କ ମୋର୍ଚ୍ଚାର ପତାକା ଉତ୍ତୋଳନ କି ଲଜ୍ଜାକର! ଲୋକେ ଜାଣିବା ଉଚିତ୍‌ ଯେ ଟ୍ରାକ୍ଟରବାହିନୀ ନିରୀହ ଓ ପରିଶ୍ରମୀ କ୍ଷୁଦ୍ର କୃଷକଙ୍କ ଶକ୍ତି ପ୍ରଦର୍ଶନ ନୁହେଁ। ଭାରତ କ’ଣ ବିଶ୍ବର କୃଷି, ଆଉ ପ୍ରକୃତ କୃଷକଙ୍କ ଲଙ୍ଗଳମୁଠି ଧରା ବିଣ୍ତିବସା ହାତରେ ନାହିଁ, ଇଏ ଏବେ କୃଷି-ପୁଞ୍ଜିପତିଙ୍କ ହାତରେ। ମାର୍କ‌୍‌ସ୍‌ ଏଭଳି ଏକ ସ୍ଥିତିର କଳ୍ପନା କରିନଥିଲେ। ଦା’ ଆଉ ହାତୁଡ଼ିର ପ୍ରତୀକ ଲିଭି ଆସୁଚି, କାରଣ ଉଦାରବାଦୀ ଗଣତନ୍ତ୍ରର ପୁଞ୍ଜିତତ୍ତ୍ବ ‘ଥିଓରି ଓ ପ୍ରାକ୍ସିସ୍‌’ ଉଭୟଙ୍କୁ କବଳିତ କରିଚି। ଭାରତର ନୂଆ କୃଷିନୀତିରେ କିଛି ଭୁଲ୍‌ ନାହିଁ, ବର˚ କୃଷି-ପୁଞ୍ଜିପତିମାନେଆତଙ୍କିତ ଯେ ତାଙ୍କୁ ବର୍ତ୍ତମାନ ବିପୁଳାୟତନ ଶିଳ୍ପ ପୁଞ୍ଜି-କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଏଥିରେ ଭବିଷ୍ୟତ-ଦୃଷ୍ଟି ନାହିଁ। ଏଥିରେ ରାଜନୀତି ନାୟକ, କୃଷକ ବା ନାଗରିକ ନୁହେଁ। ଇଏ ଗଣନାୟକ ନୁହନ୍ତି, ଗୋଷ୍ଠୀ-ନାୟକ।

ହେଗେଲ କହିଲେ: ସମାଜର ନାୟକ ନିଜେ ଐତିହାସିକ ବାସ୍ତବତାର ନିର୍ମାଣ କରେ ନାହିଁ, ସେ କେବଳ ଅବଶ୍ୟମ୍ଭାବୀ ଭବିଷ୍ୟତର ଉନ୍ମୋଚନ କରେ। ତାହାହିଁ ହେଉ। ହୁଏତ ଗଣତନ୍ତ୍ର ଗଣନାୟକ ଏହିଭଳି ଜଣେ ବ୍ୟକ୍ତି ଯିଏ ଅବଶ୍ୟମ୍ଭାବୀ ଭବିଷ୍ୟତର ଉନ୍ମୋଚନ କରିବେ। ଏ ନାୟକ ସବୁବେଳେ ରାଜନୀତିରେ ମିଳିବେ ନାହିଁ। ଏଥିପାଇଁ ରାଜନୀତି ଲୋକକ୍ଷେତ୍ରରୁ ନାୟକତ୍ବର ସନ୍ଧାନ କରିବ ଓ ଏଭଳି ଲୋକ ଦିଶିଗଲେ ତାକୁ ରାଜନୀତିରେ ପ୍ରବେଶ କରାଇବାର ମାର୍ଗ ଖୋଜିବ। ପ୍ରତିଦ୍ବନ୍ଦ୍ବୀ ଭାବି ତାକୁ ମୂଳରୁ କଳଙ୍କିତ କରି ମାରି ଦେବ ନାହିଁ। ରାଜନେତାମାନେ ନିଜକୁ ନାୟକ ନ ଭାବି, ସମୟର ନାୟକ ଖୋଜନ୍ତୁ, ଆମ ସମୟ ନାୟକ ଅପେକ୍ଷାରେ! ବିଶ୍ବାସ କରନ୍ତୁ, ନାୟକହୀନ ସମୟ ମାନବୀୟ ଉତ୍କର୍ଷର ଅବମୂଲ୍ୟାୟନର ସମୟ। ବିଶ୍ବାସ କରନ୍ତୁ ଗଣତନ୍ତ୍ରର ନାୟକତ୍ବ-ହନନ ଏକ ଅନ୍ତର୍ବିରୋଧ। ୟାକୁ ଦୂର କରିବାକୁ ହେବ। ଗଣତନ୍ତ୍ର ପାଖରେ ‘ଅସାଧାରଣ’କୁ ଜନ୍ମ ଦେବାର ଶକ୍ତି ଅଛି, ତାର ଆବିଷ୍କାର ଓ କ୍ରିୟାନ୍ବୟନ ରାଜନୀତି ହିଁ କରାଇପାରିବ। ଆମର ନାୟକ ଦରକାର ସବୁ କ୍ଷେତ୍ରରେ, ବରିଷ୍ଠ ନୁହେଁ, କି ଗରିଷ୍ଠ ନୁହେଁ କି ଟପର‌୍‌ ନୁହେଁ! ସହସ୍ର ସାଧାରଣଙ୍କୁ ଏକାଠି କରି ଗୋଟିଏ ଅସାଧାରଣ ଜନ୍ମ ନେବ ନାହିଁ, ସହସ୍ର ସାଧାରଣ ବୈଜ୍ଞାନିକଙ୍କୁ ଏକାଠି କରି ଆଇନ୍‌ଷ୍ଟାଇନ୍‌ ପାଇହେବ ନାହିଁ କି ସହସ୍ର ଗାନ୍ଧୀବାଦୀ ମିଶି ଗୋଟିଏ ଗାନ୍ଧୀ ସୃଷ୍ଟି କରିପାରିବେ ନାହିଁ! ନାୟକ ଜଣେ ଅନନ୍ୟ ବ୍ୟକ୍ତି। ଗଣତନ୍ତ୍ରର ସେହି ଅନନ୍ୟ ବ୍ୟକ୍ତି ସୃଷ୍ଟି କରିବାର କ୍ଷମତା ନାହିଁ ବୋଲି କିଏ କହିଲା, ଅଛି! ସମ୍ଭାବନାକୁ ଦେଖିପାରିଲେ ହେଲା। ତାହା ସମ୍ଭବ ହେବ ଯଦି ରାଜନୀତି ନିଜେ ନାୟକତ୍ବର ଭୂମିକାରେ ନରହି ଲୋକକ୍ଷେତ୍ରରେ ନାୟକ-ନିର୍ମାଣ ବା ନାୟକ-ଆବିଷ୍କାର ପାଇଁ ସ˚କଳ୍ପ କରେ। ଗଣତନ୍ତ୍ରର ରାଜନୀତି ସମୟର ଆବଶ୍ୟକତାକୁ ଲୋକକ୍ଷେତ୍ରରେ ବିକଶିତ ହେବାକୁ ଦେବ ନା ନିଜକୁ ଗଣନାୟକ ଭାବରେ ଉପସ୍ଥାପିତ କରି ବ୍ୟବସ୍ଥା ବା ତନ୍ତ୍ରକୁ ମଣିଷଠାରୁ ବଡ଼ କରିଦେବ, ତାହା ଏକବି˚ଶ ଶତାବ୍ଦୀର ସବୁଠୁ ବଡ଼ ପ୍ରଶ୍ନ।

ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର