ସ˚ସ୍କାରକ, ଦେଶପ୍ରେମୀ ଓ ଅନୁଷ୍ଠାନ ନିର୍ମାତା

ଗୋପାଳ ଚନ୍ଦ୍ର ଦାଶ

ଲାଲା ଲଜପତ ରାୟଙ୍କୁ ଆମେ କିଭଳି ଭାବେ ବର୍ଣ୍ଣି ପାରିବା? କାରଣ ସେ ଥିଲେ ଜଣେ ଜନନେତା, ସମାଜ ସ˚ସ୍କାରକ, ଅନୁଷ୍ଠାନ ପ୍ରତିଷ୍ଠାତା, ଦେଶପ୍ରେମୀ ଓ ଦିଗ୍‌ଦର୍ଶକ। ବାଲ୍ୟ କାଳରେ ସେ ଇସଲାମ ଦ୍ବାରା ପ୍ରଭାବିତ ହୋଇଥିଲେ; ଆଦ୍ୟ ଯୌବନରେ ବ୍ରାହ୍ମ ସମାଜର ଆଶ୍ରୟ ନେବାର ପ୍ରଚେଷ୍ଟା କରିଥିଲେ; ତା’ ପରେ ପ୍ରାଚୀନ ଆର୍ଯ୍ୟ ସଭ୍ୟତାରେ ଯୋଡ଼ି ହୋଇ ରାଷ୍ଟ୍ରଭକ୍ତ ପାଲଟି ଯାଇଥିଲେ। ଲଜପତ ରାୟଙ୍କର ଜନ୍ମ ୧୮୬୫ ମସିହା ଜାନୁଆରି ୨୮ ତାରିଖରେ ପଞ୍ଜାବ ପ୍ରଦେଶର ଫିରୋଜପୁର ଜିଲ୍ଲାର ଧୁଡ଼ିକେ ଗାଁରେ ଏକ ଦରିଦ୍ର ଅଗ୍ରଵାଲ ବଣିଆ ପରିବାରରେ ହୋଇଥିଲା। କିନ୍ତୁ ତାଙ୍କ ଖ୍ୟାତି ସେ ଛୋଟିଆ ଗାଁର ସରହଦ ଅତିକ୍ରମ କରି ସାରା ଦେଶରେ ବ୍ୟାପ୍ତି ଲାଭ କରିଥିଲା।

ବାଲ୍ୟ ଅବସ୍ଥାରେ ସେ ଥିଲେ ରୋଗଗ୍ରସ୍ତ; ଛାତ୍ର ଅବସ୍ଥାରେ ଦ୍ବିଧାଗ୍ରସ୍ତ ଓ ଯୌବନରେ ସ˚ଘର୍ଷମୟ ଜୀବନ ଦ୍ବାରା ଆକ୍ରାନ୍ତ। ୧୮୮୨ ମସିହା ଡିସେମ୍ବର ମାସରେ ସେ ସ୍ବାମୀ ଦୟାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜରେ ଯୋଗ ଦେଇଥିଲେ। ଏହା ଥିଲା ତାଙ୍କ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ପରେ ଆତ୍ମଜୀବନୀରେ ସେ ଲେଖିଛନ୍ତି, ‘ସ୍ବାମୀ ଦୟାନନ୍ଦ ମୋର ଗୁରୁ ଓ ଧର୍ମର ପିତା। ଆର୍ଯ୍ୟ ସମାଜ ମୋର ଧର୍ମର ମାତା। ଏହି ଦୁହିଙ୍କ କୋଳରେ ମୁଁ ପାଳିତ ହୋଇଛି। ମୁଁ ଯଦି ଆର୍ଯ୍ୟ ସମାଜରେ ପ୍ରବିଷ୍ଟ ହୋଇ ନଥାନ୍ତି, ତାହା ହେଲେ କ’ଣ ହୋଇ ଥାଆନ୍ତି, ତାହା ପରମାତ୍ମା ହିଁ ଜାଣନ୍ତି। ପରନ୍ତୁ ଏହା ଧ୍ରୁବ ସତ୍ୟ ଯେ ମୁଁ ଆଜି ଯାହା ହୋଇଛି, ତାହା କଦାପି ହୋଇ ନଥାନ୍ତି। ଯଦି ମୋର ଶରୀରର ପ୍ରତ୍ୟେକ ଲୋମ ଆର୍ଯ୍ୟ ସମାଜର ସେବା ପାଇଁ ଉତ୍ସର୍ଜିତ ହୁଏ, ତେବେ ସୁଦ୍ଧା ମୁଁ ତାହାର ଉପକାର ପରିଶୋଧ କରି ପାରିବି ନାହିଁ।’

ଜାତୀୟ କ˚ଗ୍ରେସର ଜଣେ ଦୁର୍ଦ୍ଧର୍ଷ ସିପାହି ବୋଲି ତାଙ୍କୁ ଅଭିହିତ କରାଯାଉଥିଲା। ତାଙ୍କର ସ˚ପୂର୍ଣ୍ଣ ଜୀବନ ଭାରତ ମାତାର ସେବାରେ ନିୟୋଜିତ କରିଥିଲେ। ପରିବାର ପୋଷଣ ପାଇଁ ଆଦରି ଥିବା ଓକିଲାତି ପେସା ଦେଶ ଓ ଦେଶବାସୀଙ୍କ ସେବାରେ ବାଧକ ହେବାରୁ ଏହାକୁ ପରିତ୍ୟାଗ କରି ସିଧାସଳଖ ଜନସେବାମୂଳକ କାର୍ଯ୍ୟ କରିବା ଲାଗି ବାହାରିଥିଲେ। ଭାରତର ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଅ˚ଶ ଗ୍ରହଣ କରି ବାଳ ଗଙ୍ଗାଧର ତିଳକ ଓ ବିପିନ ଚନ୍ଦ୍ର ପାଲଙ୍କ ସହିତ ମିଶି ଇ˚ରେଜ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେହି କାରଣରୁ ୧୯୦୭ ମସିହା ମେ ୯ ତାରିଖରେ ତାଙ୍କୁ ଗିରଫ କରାଗଲା। ତା’ପରେ ତାଙ୍କୁ ବର୍ମାର ମଣ୍ତାଲେ ଦୁର୍ଗରେ ନିର୍ବାସନ ଦଣ୍ତ ମିଳିଥିଲା। ବନ୍ଦୀ ଅବସ୍ଥାରେ ସେ ରଚନା କରିଥିଲେ ‘ମୋ ନିର୍ବାସନର କାହାଣୀ’ ନାମକ ଏକ ପୁସ୍ତକ।

ଲାଲାଜୀ ଥିଲେ ପ୍ରକୃତ ଅର୍ଥରେ ଜଣେ ଅନୁଷ୍ଠାନ ନିର୍ମାତା। ଶିକ୍ଷାର ପ୍ରସାର ପାଇଁ ଜଳନ୍ଧର ଠାରେ ‘ସାଇଁ ଦାଶ ଆ˚ଗ୍ଲୋ ସ˚ସ୍କୃତ ବିଦ୍ୟାଳୟ’ ଓ ପିତାଙ୍କ ନାମରେ ନିଜ ଗ୍ରାମ ଜଗରାଁବ ଠାରେ ‘ରାଧାକିଶନ ଉଚ୍ଚ ବିଦ୍ୟାଳୟ’ ସ୍ଥାପନ କରିଥିଲେ। ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ନିଜ ମାତାଙ୍କ ନାମରେ ଲାହୋର ଠାରେ ‘ଗୁଲାବ ଦେବୀ ଯକ୍ଷ୍ମା ଚିକିତ୍ସାଳୟ’ ନିର୍ମାଣ କରିଥିଲେ। ଦୁର୍ଭିକ୍ଷ ଓ ଭୂମିକ˚ପରେ ପୀଡ଼ିିତ ଅନାଥ ବାଳକ-ବାଳିକାମାନଙ୍କର ସ୍ଥାୟୀ ଥଇଥାନ ପାଇଁ ସେ ଲାହୋର, ହିସାର ଓ ପଞ୍ଜାବ ଠାରେ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ। ରାଷ୍ଟ୍ରର ଆର୍ଥିକ ବିକାଶ ପାଇଁ ପଞ୍ଜାବ ନେସନାଲ୍‌ ବ୍ୟାଙ୍କ୍‌ ଓ ଲକ୍ଷ୍ମୀ ବୀମା କ˚ପାନି ପ୍ରତିଷ୍ଠା କରିଥିଲେ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ‘ଟ୍ରେଡ୍‌ ୟୁନିୟନ କ˚ଗ୍ରେସ’ ଗଠନ କରି ଅନ୍ତଃ ରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିନିଧିତ୍ବ କରିଥିଲେ। ନିଃସ୍ବାର୍ଥପର ଦେଶ ସେବକ ନିର୍ମାଣ ପାଇଁ ୧୯୨୧ ମସିହାରେ ‘ଲୋକ ସେବକ ମଣ୍ତଳ’ର ସ୍ଥାପନା କରିଥିଲେ। ଗାନ୍ଧୀଜୀଙ୍କର ହରିଜନ ଆନ୍ଦୋଳନର ବହୁ ବର୍ଷ ପୂର୍ବରୁ ‘ଭାରତ ବର୍ଷୀୟ ଅଚ୍ଛୁତୋଦ୍ଧାର’ କମିଟି ଗଠନ କରି ଅସ୍ପୃଶ୍ୟତା ବିରୋଧରେ ସ˚ଗ୍ରାମ ଚଳାଇ ଥିଲେ।

ସେ ଥିଲେ ଜଣେ ସୁଲେଖକ, କୁଶଳୀ ପତ୍ରକାର ଓ ରାଜନୀତି ସମୀକ୍ଷକ। ଛାତ୍ର ଅବସ୍ଥାରେ ‘ଆର୍ଯ୍ୟ ଗେଜେଟ୍‌’ ପତ୍ରିକା ଓ ପରବର୍ତ୍ତୀ କାଳରେ ଇ˚ରେଜ ପତ୍ରିକା ‘ପିପଲ’ ଓ ‘ପଞ୍ଜାବୀ’, ତଥା ଉର୍ଦ୍ଦୁ ଭାଷାରେ ‘ବନ୍ଦେ ମାତରମ’ ଆଦି ପତ୍ରିକାଗୁଡ଼ିକର ପରିଚାଳନା କରିଥିଲେ। ଇ˚ଲଣ୍ତ, ଆମେରିକା ଓ ଜାପାନ ଗସ୍ତ କରି ଭାରତର ସ୍ବାଧୀନତା ପାଇଁ ଜନମତ ସୃଷ୍ଟି କରିଥିଲେ। ଇ˚ଲଣ୍ତ ରହଣି ସମୟରେ ‘ଆର୍ଯ୍ୟ ସମାଜ’ ନାମକ ଏକ ପୁସ୍ତକ ରଚନା କରିଥିଲେ। ମିସ୍‌ ମେୟୋଙ୍କ ଦ୍ବାରା ରଚିତ ‘ମଦର ଇଣ୍ତିଆ’ ପୁସ୍ତକ ଭାରତ ସ˚ସ୍କୃତିର ବିରୋଧ କରୁଥିବାରୁ ସେ ଏହାର ସମାଲୋଚନା କରି ‘ଅନ୍‌ହାପି ଇଣ୍ତିଆ’ ନାମକ ଏକ ପୁସ୍ତକ ରଚନା କରିଥିଲେ। ସେ କହୁଥିଲେ, ‘ଯେଉଁମାନେ ଦେଶ ଓ ଜାତିର ଇତିହାସ ପଢ଼ି ନାହାନ୍ତି, ସେମାନେ ଶିକ୍ଷିତ ବୋଲାଇବାର ଅଧିକାର ରଖନ୍ତି ନାହିଁ।’

ଲାହୋର ଠାରେ ‘ସାଇମନ କମିସନ’କୁ ବିରୋଧ କରି ବ୍ରିଟିସ୍‌ ସରକାରଙ୍କ ଦ୍ବାରା ପ୍ରବଳ ଲାଠିମାଡ଼ ଖାଇ ୧୯୨୮ ମସିହା ନଭେମ୍ବର ୧୭ ତାରିଖ ଦିନ ଲାଲା ଲଜପତ ରାୟଙ୍କ ମୃତ୍ୟୁ ହେଲା। ଯୁବାବସ୍ଥାରୁ ଦେଶସେବାକୁ ଧର୍ମ ରୂପେ ଗ୍ରହଣ କରି ନେଇଥିବା ରାଷ୍ଟ୍ରଭକ୍ତ ଲାଲାଜୀଙ୍କର ‌େଦଶପ୍ରୀତିରେ ସ˚କୀର୍ଣ୍ଣତାର ସ୍ଥାନ ନଥିଲା। ତାଙ୍କର ଦେଶପ୍ରୀତି ଓ ଆତ୍ମତ୍ୟାଗ ପାଇଁ ତାଙ୍କୁ ‘ପଞ୍ଜାବ କେଶରୀ’ ବୋଲି ସର୍ବତ୍ର ସମ୍ବୋଧନ କରାଯିବାରେ ଲାଗିଥିଲା। କୁହାଯାଏ ପ୍ରତିକୂଳ ପରିସ୍ଥିତି ମନୁଷ୍ୟକୁ ଅଧିକ ସମର୍ଥମାନ କରେ। ହୀରାକୁ ନ କାଟିଲେ ଓ ଘଷି ଚିକ୍କଣ ନ କଲେ ତାର ମୂଲ୍ୟ ବୃଦ୍ଧି ହୋଇ ନ ଥାଏ। ଲାଲାଜୀ ଥିଲେ ଗୋଟିଏ ହୀରା, ଯାହାକୁ ସ˚ଘର୍ଷ ଉଜ୍ଜ୍ବଳତା ପ୍ରଦାନ କରିଥିଲା, ଯେଉଁ କାରଣରୁ ସେ ଆଜି ପର୍ଯ୍ୟନ୍ତ ଏକ ଆଲୋକ ବର୍ତ୍ତିକା ସ୍ବରୂପ ରହି ଆସିଛନ୍ତିି।
(ଲାଲା ଲଜପତ ରାୟଙ୍କ ଜୟନ୍ତୀ ଅବସରରେ)

ମୋ- ୯୪୩୭୫୮୧୩୧୪

ସମ୍ବନ୍ଧିତ ଖବର