କୋଣାର୍କ- ନୂଆ ବହି, ପୁରୁଣା ପାଠ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ପୁରୁଣାବର୍ଷ ୨୦୨୦ ଆମକୁ ଗୋଟିଏ ନୂଆ ଇଂରେଜୀ ବହି ଦେଇ ଯାଇଛି। ବହିଟିର ନାଆଁ ‘ଦି ରିୟଲ ହିଷ୍ଟ୍ରି ଅଫ୍ କୋଣାର୍କ’। ବହିଟିର ପ୍ରଚ୍ଛଦ ପୃଷ୍ଠାରେ ସୂଚିତ ହୋଇଛି ଯେ ‘କୃଷ୍ଣ ପାଗୋଡ଼ା’ କୋଣାର୍କକୁ ଏଥିରେ ନୂତନ ଆଲୋକରେ ଦେଖାଯିବା ସହିତ, ଓଡ଼ିଶାର ଆନୁଷଙ୍ଗିକ ଇତିହାସର ଆଲୋଚନା ମଧ୍ୟ ସେଇ ନୂତନ ଆଲୋକରେ କରାଯାଇଛି। ଏହା ଶ୍ରୀ ସାହିତ୍ୟ, ଭୁବନେଶ୍ୱର ପକ୍ଷରୁ କୃଷ୍ଣ ନାୟକଙ୍କ ଦ୍ୱାରା ପ୍ରକାଶିତ। ପୁସ୍ତକର ପ୍ରକାଶକୀୟରେ ମଧ୍ୟ ଶ୍ରୀ ନାୟକ କହିଛନ୍ତି- କୋଣାର୍କର ଏହି ‘ପ୍ରକୃତ ଇତିହାସ’ ନିଶ୍ଚିତ ଭାବରେ ଏକ ନୂତନ ଦିଗନ୍ତ ଉନ୍ମୋଚନ କରିବ ଏବଂ ଆମର ସମୃଦ୍ଧ ଅତୀତ ଓ ଐତିହ୍ୟ ପାଇଁ ଏକ ଦିଗବାରେଣୀ ହେବ। ଲେଖକ ସଂଜୟ କୁମାର ବରାଳ ମଧ୍ୟ ତାଙ୍କ ମୁଖବନ୍ଧରେ ସୂଚାଇଛନ୍ତି, ଯେ ଏହି ପୁସ୍ତକରେ ସେ କୋଣାର୍କର ସେଇ ସବୁ କଥାକୁ ନୂତନ ଆଲୋକରେ ଦେଖାଇଛନ୍ତି- ଯାହା ଏଯାଏ ଅସ୍ପଷ୍ଟ ଅଛି ବା ତାହାର ଅଧ୍ୟୟନ ‘ଡି-ନୋଭୋ’ ବା ନୂତନ ଭାବରେ କରାଯିବା ଆବଶ୍ୟକ ଥିଲା। ଏହାର ମୁଖବନ୍ଧ ଲେଖକ ଆଦିତ୍ୟ ମହାପାତ୍ରଙ୍କ ସମେତ, ଲେଖକ ଓ ପ୍ରକାଶକ ସମସ୍ତେ ସ୍ପଷ୍ଟ ଭାବେ ସୂଚାଇଛନ୍ତି ଯେ ପୁସ୍ତକଟି ଏକ ଦୀର୍ଘ ଗବେଷଣା ଓ ଅନୁଧ୍ୟାନର ନୂତନ ନିଷ୍କର୍ଷ।

ପ୍ରକାଶକଙ୍କ ସୂଚନା ଅନୁସାରେ, ‘ତିନି-ଚାରିମାସ ତଳେ’, ପୁରୁଣାବର୍ଷର ଶେଷ ଭାଗରେ, ପୁସ୍ତକଟି ପ୍ରକାଶ ପାଇଛି। କିନ୍ତୁ ଏଯାଏ ଏହା ଚର୍ଚ୍ଚାକୁ ଆସି ନଥିଲା। ଏବେ ଚର୍ଚ୍ଚାକୁ ଆସିଛି; କାରଣ, କଟକରୁ ପ୍ରକାଶିତ ଏକ ପୁରାତନ ଦୈନିକ ସମେତ ରାଜ୍ୟର ଅନ୍ୟ କେତୋଟି ଦୈନିକରେ ମଧ୍ୟ, ତାହାର ଆଧାରରେ ଗୋଟିଏ ସମ୍ବାଦ ପ୍ରକାଶ ପାଇଛି। ଲେଖକଙ୍କୁ ଜଣେ ‘ସ୍ଥାନୀୟ ଗବେଷକ’ ରୂପେ ସୂଚିତ କରି ଗୋଟିଏ ଦୈନିକରେ ସମ୍ବାଦଟିର ଶୀର୍ଷକ ରହିଛି, “କୋଣାର୍କ ସୂର୍ଯ୍ୟମନ୍ଦିର ତ୍ରୟୋଦଶ ଶତାବ୍ଦୀର ନୁହେଁ।” ଏ ସଂପର୍କରେ ପୁସ୍ତକର ନିର୍ଦ୍ଦିଷ୍ଟ ସୂଚନା ଦେଇ ସେଥିରେ କୁହାଯାଇଛି, “୧୩ଶ ଶତାବ୍ଦୀରେ ସମଗ୍ର ଉତ୍ତର ଭାରତ ମୁସଲମାନ ଶାସକଙ୍କ ଘନଘନ ଆକ୍ରମଣରେ ଥରହର ହେଉଥିବା ବେଳେ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ସବୁ କବଳିତ ହୋଇ ସାରିଥିଲା। ସେହି ସମୟରେ ରାଜ୍ୟର ଅଖଣ୍ଡତା ଓ ସୁରକ୍ଷା ହିଁ ପ୍ରସଙ୍ଗ ଥିଲା। ପ୍ରଥମ ନରସିଂହଦେବଙ୍କ ସମଗ୍ର ଶାସନକାଳ କେବଳ ଯୁଦ୍ଧ ପ୍ରସ୍ତୁତି ଓ ଯୁଦ୍ଧ କରିବାରେ ହିଁ ବିତିଯାଇଥିଲା। ଘର ଦ୍ୱାରଦେଶରେ ଶତ୍ରୁ ଆକ୍ରମଣ କରିବାକୁ ଠିଆ ହୋଇଥିବା ସମୟରେ, କୋଣାର୍କ ପରି ଏକ ବିଶାଳ ମନ୍ଦିର ଆଦୌ ସମ୍ଭବ ନୁହେଁ।”

ତା’ ହେଲେ ଲେଖକ ଶ୍ରୀ ବରାଳଙ୍କ ଅନୁସାରେ, କୋଣାର୍କ ସୂର୍ଯ୍ୟମନ୍ଦିରର ନିର୍ମାଣକାଳ କେବେ? ଏ ସଂପର୍କରେ ସେ କହିଛନ୍ତି, “ସୂର୍ଯ୍ୟମନ୍ଦିରର ନିର୍ମାଣକାଳ ନେଇ ଆବୁଲ ଫାଜଲଙ୍କ ‘ଆଇନ୍‌-ଇ-ଆକବରୀ’ ପୁସ୍ତକରେ ଥିବା ବର୍ଣ୍ଣନା ସତ୍ୟ ଏବଂ ଐତିହାସିକମାନେ ତାହାକୁ ବିଶେଷ ଗୁରୁତ୍ୱ ଦେଇ ବିଚାର କରି ନାହାନ୍ତି।” ଏ ସଂପର୍କରେ ଉଲ୍ଲେଖନୀୟ ଯେ “କୋଣାର୍କ ମନ୍ଦିର ନବମ ଶତାବ୍ଦୀରେ ଏବଂ ୮୫୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ନିର୍ମିତ” ବୋଲି ଆବୁଲ୍ ଫାଜଲ ଦେଇଥିବା ମତକୁ ଲେଖକ ସମର୍ଥନ କରିଯାଇଛନ୍ତି।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ଏ ଓଡ଼ିଆ ମହାଜାତି ଏକାଦଶ ଶତାବ୍ଦୀରେ ଭୁବନେଶ୍ୱରରେ କୃତ୍ତିବାସ ଶ୍ରୀଲିଙ୍ଗରାଜଙ୍କର ବିଶାଳ ମନ୍ଦିର, ଦ୍ୱାଦଶ ଶତାବ୍ଦୀରେ ପୁରୀରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ବିଶାଳ ମନ୍ଦିର ଏବଂ ତ୍ରୟୋଦଶ ଶତାବ୍ଦୀରେ କୋଣାର୍କରେ ଶ୍ରୀସୂର୍ଯ୍ୟଦେବଙ୍କର ବିଶାଳ ମନ୍ଦିର ନିର୍ମାଣ କରିଥିଲା। ଏହା ଗବେଷକ ଓ ଐତିହାସିକମାନଙ୍କ ଦ୍ୱାରା ପ୍ରତିପାଦିତ ଏବଂ ସର୍ବସ୍ୱୀକୃତ। ଅଥଚ କୋଣାର୍କ ମନ୍ଦିର ସଂପର୍କରେ, ଦୀର୍ଘ ପ୍ରାୟ ଦୁଇ ଦଶନ୍ଧିର ତଥାକଥିତ ‘ନିଉ ଲାଇଟ୍‌’ ଓ ‘ଡି-ନୋଭୋ’ ଗବେଷଣା ଓ ଆଲୋଚନାର ନିଷ୍କର୍ଷ ଆଧାରରେ ଲେଖକ କହିଛନ୍ତି, “ତତ୍‌କାଳୀନ ସାମାଜିକ, ଆର୍ଥିକ ଓ ରାଜନୈତିକ ଅବସ୍ଥା ପ୍ରକାଣ୍ଡ ଓ ନଭଶ୍ଚୁମ୍ବୀ ମନ୍ଦିର ନିର୍ମାଣ ପାଇଁ ଅନୁକୂଳ ନଥିଲା। ଗୋଟିଏ ରାଜ୍ୟ କ୍ରମାଗତ ଭାବେ ୧୧୦୦, ୧୨୦୦ ଓ ୧୩୦୦ ଶତାବ୍ଦୀରେ ଯଥାକ୍ରମେ ସୂର୍ଯ୍ୟମନ୍ଦିର ପରି ତିନିଗୋଟି ବଡ଼ ମନ୍ଦିର ନିର୍ମାଣ କରିବା ସମ୍ଭବ ନୁହେଁ।”

ଏ ସଂପର୍କରେ ଏଠାରେ ଅତି ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଲେଖକଙ୍କର ଏହି ନୂତନ ନିଷ୍କର୍ଷରେ, ପ୍ରକୃତରେ ନୂତନତା ବୋଲି କିଛି ନାହିଁ। ଏହା କେବଳ କୋଣାର୍କ ବାବଦରେ ପୁରୁଣା ପାଠର ପୁନରାବୃତ୍ତି। ସମ୍ଭବତଃ ସାଧାରଣରେ ହଟଚମଟ ସୃଷ୍ଟି କରିବାପାଇଁ, ଏହାକୁ ନେଇ ହୋଇଥିବା ପରବର୍ତ୍ତୀ ଆଲୋଚନାଗୁଡ଼ିକୁ ଲେଖକ ଗ୍ରହଣ କରିନାହାନ୍ତି।

କୋଣାର୍କ ମନ୍ଦିର ଯେ ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତି ନୁହେଁ, ଏହାର ପ୍ରବକ୍ତା ଥିଲେ ତିନିଜଣ; ୧. ଆବୁଲ ଫାଜଲ (୧୫୮୦), ୨. ଜେମ୍‌ସ ଫର୍ଗୁସନ (୧୮୩୭) ଓ ୩. ବିଶନ ସ୍ୱରୂପ (୧୯୧୦)। କିନ୍ତୁ ସେମାନଙ୍କର ମତକୁ ଆମ ଓଡ଼ିଶାର ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ଡକ୍ଟର କରୁଣାସାଗର ବେହେରାଙ୍କ ପରି ଐତିହାସିକ ଏବଂ ଡକ୍ଟର ଦେବଳା ମିତ୍ରଙ୍କ ପରି ପ୍ରତ୍ନତାତ୍ତ୍ୱିକ ଗଭୀର ଭାବରେ ଅନୁଧ୍ୟାନ କରିଛନ୍ତି ଏବଂ ପରିଶେଷରେ ଖଣ୍ଡନ ଓ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି।

ଏହା ଅବଶ୍ୟ ସତ୍ୟ ଯେ ଗୋଟିଏ ସମୟରେ ଆବୁଲ ଫାଜଲଙ୍କ ମତ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। କାରଣ, ସେ ଥିଲେ ସୁଲତାନ ଆକବରଙ୍କର ଦରବାରୀ ଐତିହାସିକ ଏବଂ କୋଣାର୍କକୁ ସେ କରିଥିବା ଉଚ୍ଛ୍ୱସିତ ପ୍ରଶଂସାରେ ଓଡ଼ିଶାବାସୀ ଅଭିଭୂତ ହୋଇଯାଇଥିଲେ। କିନ୍ତୁ ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସେ କୋଣାର୍କକୁ ତାହାର ପୂର୍ଣ୍ଣାଙ୍ଗ ବା ଭଗ୍ନ ରୂପରେ ମଧ୍ୟ ଦେଖି ନଥିଲେ। କୋଣାର୍କ ସଂପର୍କିତ ତାଙ୍କର ବର୍ଣ୍ଣନା ଆରମ୍ଭ ହୋଇଛି ଏହିପରି; “It is said somewhat over 730 years ago…।” ଏଥିରୁ ସୂଚିତ ଯେ ସେଦିନ ସେ ଯେଉଁ ଇତିହାସ ଲେଖିଥିଲେ, ତାହା ଶୁଣାକଥା ଉପରେ ହିଁ ପର୍ଯ୍ୟବସିତ ଥିଲା। ସେଥିପାଇଁ ସେ କରିଥିବା କେତେକ ବର୍ଣ୍ଣନା ଓ ସେ ଦେଇଥିବା କେତେକ ରୂପରେଖ, ବର୍ତ୍ତମାନର କୋଣାର୍କ ସହିତ ମେଳ ଖାଏ ନାହିଁ। ପଣ୍ଡିତ କୃପାସିନ୍ଧୁ ମିଶ୍ର ତାଙ୍କ ‘କୋଣାର୍କ’ ବହିର ପୃ-୧୪୨ରେ ତାହାର ଆଲୋଚନା କରି, ସେ ମତକୁ ଖଣ୍ଡନ କରିଛନ୍ତି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଲେଖକ ଶ୍ରୀ ବରାଳ ସମ୍ଭବତଃ ମତଟିକୁ ଠିକ୍ ଭାବରେ ପଢ଼ି ନାହାନ୍ତି। ସେଥିପାଇଁ ଆବୁଲ ଫାଜଲଙ୍କ “somewhat over 730 years ago…”କୁ ସେ ତାଙ୍କ ପୁସ୍ତକର ୩୧ ପୃଷ୍ଠାରେ “exactly 730 years ago…”ବୋଲି ଲେଖିଛନ୍ତି।

ଆବୁଲ ଫାଜଲ ଓ ‘ଆଇନ-ଇ-ଆକବରୀ’ ଆଧାରରେ ଶ୍ରୀ ବରାଳ ମଧ୍ୟ କୋଣାର୍କକୁ ତ୍ରୟୋଦଶ ଶତାବ୍ଦୀରୁ ନବମ ଶତାବ୍ଦୀ (୮୫୦ ଖ୍ରୀଷ୍ଟାବ୍ଦର ପୂର୍ବ)କୁ ନେଇଯାଇଛନ୍ତି। ଏପରିକି, ଆବୁଲ ଫାଜଲଙ୍କ ଉପରେ ପୂର୍ଣ୍ଣ ନିର୍ଭର କରି, ଅବିଚାରିତ ଭାବରେ, ନବମ ଶତାବ୍ଦୀର ଅନ୍ୟ ଜଣେ ନରସିଂହଦେବ କୋଣାର୍କର ନିର୍ମାତା ବୋଲି ସେ କହିଛନ୍ତି। ତାଙ୍କ ପୁସ୍ତକର ପୃ ୪୭-୪୮ରେ ସେ କହିଛନ୍ତି, “ନବମ ଶତାବ୍ଦୀର ଆଉ ଜଣେ ନରସିଂହ ଦେବ ଏହାର ନିର୍ମାତା।”

ଓଡ଼ିଶାର ଆଜିର ବିଶିଷ୍ଟ ଐତିହାସିକମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ‘ଆମ ଓଡ଼ିଶା’ଦ୍ୱାରା ପ୍ରକାଶିତ ‘ଓଡ଼ିଶା ଇତିହାସ’ କହେ- ଯଦିଓ କ୍ଷେମଙ୍କର ଦେବ (ଖ୍ରୀ.୭୩୬)ଙ୍କ ସମୟରୁ ଭୌମବଂଶର ଆରମ୍ଭ ହୋଇଥିଲା, ପ୍ରଥମ ଶିବକର ଦେବ (୭୫୬-୭୮୬) ଥିଲେ ଏହି ରାଜବଂଶର ପ୍ରକୃତ ପ୍ରତିଷ୍ଠାତା। ତାଙ୍କଠାରୁ ଆରମ୍ଭ କରି ବକୁଳ ମହାଦେବୀ (ଖ୍ରୀ. ୯୪୦) ଓ ଧର୍ମ ମହାଦେବୀଙ୍କ ପର୍ଯ୍ୟନ୍ତ, ଭୌମକର ଶାସନରେ ୧୭ ଜଣ ଶାସକ ଶାସିକା ଥିଲେ। ସେମାନଙ୍କ ମଧ୍ୟରେ ନରସିଂହ ଦେବ ନାମରେ କୌଣସି ଶାସକ ନଥିଲେ। ଏପରିକି, ନବମ ଶତାବ୍ଦୀର ମଧ୍ୟଭାଗ (ଖ୍ରୀ. ୮୫୦)ରୁ ଦ୍ୱାଦଶ ଶତାବ୍ଦୀର ଆରମ୍ଭ (୧୧୦୦-୧୧୧୦) ପର୍ଯ୍ୟନ୍ତ, ଓଡ଼ିଶାର ଶାସନରେ ଥିବା ସୋମବଂଶୀମାନଙ୍କ ମଧ୍ୟରେ ବି କେହି ନରସିଂହ ଦେବ ନଥିଲେ। ତା’ହେଲେ ଆବୁଲ ଫାଜଲ ଓ ସଂଜୟ ବରାଳଙ୍କ ଅନୁସାରେ ନବମ ଶତାବ୍ଦୀରେ କୋଣାର୍କ ମନ୍ଦିରର ନିର୍ମାଣ କରିଥିବା ଆଉ ଜଣେ ନରସିଂହ ଦେବ କିଏ? ସେ କେଉଁଠୁ ଆସିଲେ?

ଏବେ ଆସିବା ଜେମ୍‌ସ ଫର୍ଗୁସନଙ୍କ ପାଖକୁ। ଫର୍ଗୁସନ ଐତିହାସିକ ତଥ୍ୟ ଆଧାରରେ ନୁହେଁ; କଳା-ସ୍ଥାପତ୍ୟ ଆଧାରରେ କୋଣାର୍କକୁ ତ୍ରୟୋଦଶ ଶତାବ୍ଦୀର ପୂର୍ବକାଳକୁ ନେଇଯାଇଛନ୍ତି। ତାଙ୍କର ଯୁକ୍ତି ହେଉଛି- ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର କଳାସ୍ଥାପତ୍ୟର ଅପକର୍ଷ ଏତେ ଯେ ତାହାର ପର ଶତାବ୍ଦୀରେ କୋଣାର୍କ ମନ୍ଦିରରେ କଳାସ୍ଥାପତ୍ୟର ଏପରି ଉତ୍କର୍ଷ କଳ୍ପନାତୀତ। ତେଣୁ କୋଣାର୍କ ବହୁ ପୂର୍ବର କୀର୍ତ୍ତି। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଫର୍ଗୁସନଙ୍କ ସମୟ (୧୮୩୭)ର ପ୍ରାୟ ତିନିଶତାବ୍ଦୀ ପୂର୍ବରୁ, ଷୋଡ଼ଶ ଶତାବ୍ଦୀର ରାଜା ନରସିଂହଦେବଙ୍କ ସମୟରେ ଶ୍ରୀମନ୍ଦିରକୁ ସମୁଦ୍ରର ଲୁଣା ପବନରୁ ରକ୍ଷା କରିବା ପାଇଁ ଚୂନରେ ଆଚ୍ଛାଦିତ କରିଦିଆଯାଇଥିଲା। ତେଣୁ ଫର୍ଗୁସନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରକୃତ କାରୁକାର୍ଯ୍ୟ ଦେଖିପାରି ନଥିଲେ। ସେହି ଚୂନ ଛଡ଼ାଯାଇ, ପ୍ରକୃତ କାରୁକାର୍ଯ୍ୟ ଲୋକଲୋଚନକୁ ଆସିଲା ୧୯୭୫ ବେଳକୁ। କିନ୍ତୁ ତାହାର ପ୍ରାୟ ୯୦ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ପ୍ରକୃତରେ, ଏକାଦଶ ଶତାବ୍ଦୀର ଶ୍ରୀଲିଙ୍ଗରାଜ ମନ୍ଦିର, ଦ୍ୱାଦଶ ଶତାବ୍ଦୀର ଶ୍ରୀଜଗନ୍ନାଥ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀର କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ କଳାସ୍ଥାପତ୍ୟର କ୍ରମୋନ୍ନତିର ଏକ ଏକ ନିଦର୍ଶନ। ଏଣୁ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ଡକ୍ଟର କରୁଣାସାଗର ବେହେରା ଫର୍ଗୁସନଙ୍କ ଯୁକ୍ତିର ଆଲୋଚନା କରି ତାହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। କୋଣାର୍କର ଦକ୍ଷିଣ ଭାଗରେ, ଭିତ୍ତିରେ ଖୋଦିତ ଷଷ୍ଠ ଚକ୍ର ନିକଟରେ, ରାଜା ନରସିଂହଦେବ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରିବାର ସ୍ଥାପତ୍ୟ ମଧ୍ୟ ଏକ ବଳିଷ୍ଠ ପ୍ରମାଣ ଯେ କୋଣାର୍କ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରବର୍ତ୍ତୀ କାଳରେ ନିର୍ମିତ। ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ବିଶିଷ୍ଟ ଗବେଷକ ମନମୋହନ ଗାଙ୍ଗୁଲି ତାଙ୍କ ‘ଓରିସା ଆଣ୍ଡ ହର୍ ରିମେନ୍‌ସ’ (ପୃ. ୪୭୯-୮୦)ରେ ଏହା ଯୁକ୍ତିସମ୍ମତ ଭାବରେ ପ୍ରତିପାଦନ କରିଛନ୍ତି।

ଶେଷରେ ଆସିବା ବିଶନ ସୂରୂପଙ୍କ ପାଖକୁ। ‘ମାଦଳାପାଞ୍ଜି’ର ଆଧାରରେ ସେ ଯୁକ୍ତି ବାଢ଼ିଛନ୍ତି ଯେ କୋଣାର୍କର ପ୍ରଥମ ମନ୍ଦିର କେଶରୀ ବଂଶର ପୁରେନ୍ଦ୍ର କେଶରୀଙ୍କ ଦ୍ୱାରା ନିର୍ମିତ। ଅଥଚ, ତାଙ୍କ ପୁସ୍ତକରେ ଆରମ୍ଭରେ ସେ ମାଦଳାପାଞ୍ଜିକୁ ‘ଫେକ୍‌’ ଅର୍ଥାତ୍ ‘ମିଛ’ ବା ‘ନକଲି’ ବୋଲି କହିଛନ୍ତି। ଏ ପ୍ରସଙ୍ଗରେ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ସୋମବଂଶରେ ପୁରେନ୍ଦ୍ର କେଶରୀ ବୋଲି କେହି ରାଜା ନଥିଲେ।

ଶ୍ରୀ ବରାଳ ତାଙ୍କ ପୁସ୍ତକରେ (ପୃ.୩୬-୩୭) ଦାବି କରିଛନ୍ତି ଯେ ନରସିଂହ ଦେବଙ୍କ ଶାସନ କାଳରେ ଯୁଦ୍ଧର ଘନଘଟା ଲାଗି ରହିଥିବାରୁ, କୋଣାର୍କ ପରି ଏକ ନଭଶ୍ଚୁମ୍ବୀ କୀର୍ତ୍ତିର ନିର୍ମାଣ ସମ୍ଭବପର ନଥିଲା। ମାତ୍ର କୋଣାର୍କକୁ ନେଇ ଇଂରେଜୀରେ ସ୍ୱତନ୍ତ୍ର ଗବେଷଣା ଗ୍ରନ୍ଥ ଲେଖିଥିବା ବିଶିଷ୍ଟ ଐତିହାସିକ କରୁଣାସାଗର ବେହେରା ତାଙ୍କ ପୁସ୍ତକର ‘ଦି ବିଲ୍‌ଡର ଅଫ୍ ଦି କୋନାର୍କ ଟେମ୍ପଲ ଆଣ୍ଡ ହିଜ୍ ଟାଇମ୍‌ସ’, ଅଧ୍ୟାୟ, ପୃ.୨୩ରେ ସ୍ପଷ୍ଟ ଲେଖିଛନ୍ତି, “ସମଗ୍ର ତ୍ରୟୋଦଶ ଶତାବ୍ଦୀରେ ଓଡ଼ିଶା ଉପରେ ଆଉ ମୁସଲମାନ ଆକ୍ରମଣ ହୋଇ ନଥିଲା। … କାକତୀୟ ଗଣପତି ଓ ବଙ୍ଗଳାର ମୁସଲମାନ ଶାସକଙ୍କ ବିରୋଧରେ ସଫଳ ଯୁଦ୍ଧ ପରେ, ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଶାନ୍ତି ବିରାଜମାନ କଲା।… ଫଳରେ ଓଡ଼ିଶାର ଶକ୍ତିଶାଳୀ ଶାସକ ନରସିଂହଦେବ (ପ୍ରଥମ) ତାଙ୍କ ସମୟରେ ଭାରତର ମଧ୍ୟ ଜଣେ ପ୍ରସିଦ୍ଧ ରାଜା ହୋଇପାରିଥିଲେ। ତାଙ୍କର ଶାସନରେ କଳା, ସାହିତ୍ୟ ଓ ଧର୍ମର ପ୍ରଭୂତ ବିକାଶ ଘଟିଥିଲା।”

ଏଣୁ ଶ୍ରୀ ବରାଳଙ୍କ ପୁସ୍ତକର ପ୍ରତିପାଦନ ସଂପୂର୍ଣ୍ଣ ଭ୍ରାନ୍ତ ଓ ବିଭ୍ରାନ୍ତିକର ଯେ- କୋଣାର୍କ ନବମ ଶତାବ୍ଦୀର କୀର୍ତ୍ତି। କୋଣାର୍କ ଯେ ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତି, ଏହା ଅଭ୍ରାନ୍ତ ଓ ସର୍ବସ୍ୱୀକୃତ। ଏଣୁ ‘ନୂତନ ଗବେଷଣା’ ଓ ‘ନୂତନ ଆଲୋକ’ ନାମରେ, ଲେଖକ ନିଜେ ଆଉ ଅନ୍ଧାରରେ ନରହନ୍ତୁ। ରାଜ୍ୟବାସୀଙ୍କୁ ମଧ୍ୟ ଏପରି ଭାବରେ ଆଉ ବିଭ୍ରାନ୍ତ ନ କରନ୍ତୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର