ବିଶ୍ୱାସ ଓ ସହିଷ୍ଣୁତା ହିଁ ଚାବିକାଠି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

୨୬ ଜାନୁଆରି ୨୦୨୧। ସାରା ଦେଶ ଆନନ୍ଦ ଉଲ୍ଲାସରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଲା। କିଛି ଆନ୍ଦୋଳନକାରୀ ଚାଷୀ ପୁଲିସ ବ୍ୟାରିକେଡ୍ ଭାଙ୍ଗି ସୁରକ୍ଷା କର୍ମୀଙ୍କ ସହିତ ମୁହାଁମୁହିଁ ହେଲେ ଏବଂ ଐତିହାସିକ ଲାଲକିଲ୍ଲାରେ ଚଢ଼ି ନିଜର ପତାକା ଉଡ଼ାଇଲେ। ଏଭଳି ଅଘଟଣ ସ୍ବାଧୀନ ଭାରତର ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ।  ‌େତବେ ପ୍ରଶ୍ନ ଉଠୁଛି ଯେ ଏଭଳି ଏକ ଘଟଣା ପାଇଁ ଦାୟୀ କିଏ? ସରକାର ନା ଚାଷୀ?

ପ୍ରଥମ କଥା ହେଲା, ଜାନୁଆରି ୨୬ ଭଳି ଏକ ଦିନରେ ଯେଉଁ ଦିନ ରାଜଧାନୀ ଦିଲ୍ଲୀ ଘଟଣାବହୁଳ ଓ ଚଳଚଞ୍ଚଳ ରହିଥାଏ, ସେହି ଦିନ ଏତେ ବଡ଼ ଧରଣର ଟ୍ରାକ୍ଟର ରାଲି ପାଇଁ ଆନ୍ଦୋଳନକାରୀ ଚାଷୀଙ୍କ ନିଷ୍ପତ୍ତି ଯେ କେତେ ଆତ୍ମଘାତୀ ଥିଲା, ତାହା ଏହି ହିଂସାକାଣ୍ଡ ପ୍ରମାଣ କରିଦେଇଛି। ତେବେ ଯାହା ବିସ୍ମୟକର ତାହା ହେଲା, ଦିଲ୍ଲୀ ପୁଲିସ ମଧ୍ୟ କେମିତି ଏଥିଲାଗି ଅନୁମତି ଦେଲା? ଗୁଇନ୍ଦା ବିଭାଗ କିପରି ଏହାର ପୂର୍ବ ସୂଚନା ଦେବାରେ ବିଫଳ ହେଲା? ସେହି କାରଣରୁ ରାଷ୍ଟ୍ରର ରାଜଧାନୀ ଅଶାନ୍ତ ହୋଇପଡ଼ିଲା ଏବଂ ଆମ ଜାତୀୟ ପତାକା ଘୋର ଅବମାନନାର ଶିକାର ହେଲା।

କୃଷି ବିଲ୍‌କୁ ନେଇ ଦୁଇ ମାସରୁ ଅଧିକ ସମୟ ଧରି କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇ ରହିଛନ୍ତି। ସେହି ଦୃଷ୍ଟିରୁ ଯଦି କୁହାଯାଏ ଯେ ଏହା ହିଁ ହେଉଛି ଏଭଳି ପରିସ୍ଥିତି ସୃଷ୍ଟି ହେବା ପଛରେ ଥିବା ଏକ ମୂଳ କାରଣ, ତେବେ ହୁଏ’ତ ଭୁଲ ହେବନାହିଁ। କାରଣ ଆନ୍ଦୋଳନ କ’ଣ ଏମିତି ମାସ ମାସ ଧରି ଚାଲିଥିବ? ଏହାର ସମାଧାନର ବାଟ କ’ଣ ନାହିଁ? ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ଏହା ଉପରେ ଆଲୋଚନା କରାଯିବାର ଆବଶ୍ୟକତା ଥିଲା। ସମ୍ବିଧାନ ହେଉଛି ଆମ ଗଣତନ୍ତ୍ରର ଧର୍ମଗ୍ରନ୍ଥ। ସମ୍ବିଧାନର ସାହାଯ୍ୟ ନେଇ କ’ଣ ସମାଧାନ ବାଟ ବାହାରି ପାରନ୍ତା ନାହିଁ?

ଦେଶବାସୀ ଶାନ୍ତି, ବିକାଶ ଓ ସମୃଦ୍ଧିର ସ୍ବପ୍ନ ନେଇ ସରକାରକୁ ନିର୍ବାଚିତ କରିଥାନ୍ତି। ଗୋଟିଏ ଦଳ ବା ମେଣ୍ଟ ନିର୍ବାଚିତ ହୋଇ ସରକାର ଗଠନ କଲା ମାତ୍ରକେ ଏହାର ଦାୟିତ୍ବ ବୃଦ୍ଧି ପାଏ। ଶାସକ ଦଳ ବା ମେଣ୍ଟ ଦଳୀୟ ସ୍ବାର୍ଥରୁ ଉପରକୁ ଉଠି ଦେଶର ସାମଗ୍ରିକ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ଜରୁରୀ ହୋଇପଡ଼େ। ସେହି ହିସାବରେ ସରକାରଙ୍କ ଦାୟିତ୍ବ ହେଉଛି ସାଧାରଣ ନାଗରିକଙ୍କ ସମସ୍ୟାର ସମାଧାନ କରିବା; ସମସ୍ୟାକୁ ଘନୀଭୂତ କରି ଏକ ସଙ୍କଟର ରୂପ ଦେବା ନୁହେଁ। କେନ୍ଦ୍ର ହେଉ କି ରାଜ୍ୟ; ଯେଉଁଠି ‌ଯେଉଁ ଦଳର ସରକାର ଆସନ୍ତୁ ନା କାହିଁକି ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ପ୍ରକାର ଆନ୍ଦୋଳନ ଦେଖାଦିଏ। ସୁତରାଂ, ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟ‌େରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ହେଉଛି ଏକ ଲୋକପ୍ରିୟ ନିର୍ବାଚିତ ସରକାରର ମୂଳ ଦାୟିତ୍ବ। ଏଥିଲାଗି ନିର୍ବାଚିତ ସରକାର ଅଙ୍ଗୀକାରବଦ୍ଧ।

ସେହି ଦୃଷ୍ଟିରୁ ବିଚାର କଲେ ଦୀର୍ଘ ୬୦ ଦିନରୁ ଅଧିକ ସମୟ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ ଚଳାଇ ଆସିଛନ୍ତି। ସେମାନଙ୍କ ଦାବି ଉପରେ ସରକାର ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ୯ ଥର ଆଲୋଚନା ହୋଇ ସାରିଲାଣି। ସୁପ୍ରିମ କୋର୍ଟ ମଧ୍ୟ ହସ୍ତକ୍ଷେପ କଲେଣି। ତଥାପି ସମାଧାନର ବାଟ ଏ ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। ଯାହାର ପରିଣାମ ଆମକୁ ପବିତ୍ର ସାଧାରଣତନ୍ତ୍ର ଦିବସ‌େରେ ଦେଖିବାକୁ ମିଳିଲା।

ସ୍ବୀକାର କରିବାକୁ ହେବ ଯେ ନାଗରିକମାନଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମ୍ବିଧାନରେ ଉପାୟ ରହିଛି। ତେବେ ଦେଶର ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରି ବିଭିନ୍ନ ସ୍ତରରେ ଆଲୋଚନା ଜରିଆରେ ସମାଧାନର ପଥ ବାହାର କରିବା ଜରୁରୀ। ଗଣତନ୍ତ୍ର ସଂଖ୍ୟାର ଖେଳ ହୋଇଥିଲେ ସୁଦ୍ଧା ଏହା ସଂଖ୍ୟାସର୍ବସ୍ବ ନୁହେଁ। ବିରୋଧୀଙ୍କ ସଂଖ୍ୟା ଯେତେ ସ୍ବଳ୍ପ ହେଲେ ମଧ୍ୟ ସୁଶାସନ କରିବା ଲାଗି ଅନେକ କ୍ଷେତ୍ରରେ ସହମତିର ଆବଶ୍ୟକତା ରହିଛି। ଏହା ସରକାର ହୃଦୟଙ୍ଗମ କରିବା ଉଚିତ।

ଏହି ପରିପ୍ରେକ୍ଷୀରେ ଲାଲକିଲ୍ଲାରେ ଘଟିଥିବା ଅଘଟଣ ସତ୍ତ୍ବେ ଆନ୍ଦୋଳନକାରୀ ଚାଷୀମାନଙ୍କ ସହିତ ସରକାର କଥାବାର୍ତ୍ତାର ମାର୍ଗ ଖୋଲା ରଖନ୍ତୁ। ଶାସକ ଦଳ ପକ୍ଷରେ ଯେତେ ଅଧିକ ସଂଖ୍ୟା ଥିଲେ ମଧ୍ୟ ସରକାର ବିଭିନ୍ନ ଦଳ, ବିଶେଷଜ୍ଞ ଏବଂ ଆନ୍ଦୋଳନକାରୀ ନେତାମାନଙ୍କ ସହିତ ଆଲୋଚନା କରନ୍ତୁ। ବିବାଦୀୟ କୃଷି ବିଲ୍‌କୁ ତରବରିଆ ଭାବେ ସଂସଦରେ ଗୃହୀତ କରାଇ ନିଆଯିବା ଏକ ଅପରିଣାମଦର୍ଶିତା ଥିଲା। ଏଭଳି କରାଯିବା ପରିବର୍ତ୍ତେ ସବୁ ରାଜ୍ୟ, ସବୁ ଦଳ ଓ ଚାଷୀ ସଂଗଠନ ସହିତ ବିଚାରବିମର୍ଶ କରି ଆଇନ କରାଯାଇଥିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ତେବେ ଏବେ ବି ସମୟ ଅଛି। ଏ ଦିଗରେ ବିରୋଧୀ ଦଳ ଏବଂ ଆନ୍ଦୋଳନକାରୀମାନଙ୍କର ମଧ୍ୟ ଗୁରୁ ଦାୟିତ୍ବ ରହିଛି। ନିଜ ସ୍ବାର୍ଥ ସହିତ ଦେଶର ସାମଗ୍ରିକ ସ୍ବାର୍ଥକୁ ସେମାନେ ମଧ୍ୟ ଗୁରୁତ୍ବ ଦିଅନ୍ତୁ। ଏ ପ୍ରକରଣରେ ସଂପୃକ୍ତ ସମସ୍ତ ପକ୍ଷ ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ। ସମସ୍ତ ପକ୍ଷ ପରସ୍ପର ପ୍ରତି ବିଶ୍ବାସ ପ୍ରକଟ କରି ଏକ ସକାରାତ୍ମକ ମନୋବୃତ୍ତି ରଖନ୍ତୁ। ସମସ୍ତ ନୀତିଗତ ଓ ଆଦର୍ଶଗତ ବିରୋଧ ସତ୍ତ୍ବେ ରାଜନୈତିକ ଓ ପ୍ରଶାସନିକ ସ୍ଥିରତା ଲାଗି ପାରସ୍ପରିକ ବିଶ୍ବାସ ଓ ସହିଷ୍ଣୁତା ହିଁ ସଂକଟ ମୋଚନର ଚାବିକାଠି। ତାହାଦ୍ବାରା ହିଁ ଏହି ସମସ୍ୟା ସମାଧାନର ବାଟ ଫିଟିବ।

ସମ୍ବନ୍ଧିତ ଖବର