‘ହେ ରାମ’ର ନ’ଘଣ୍ଟା ପୂର୍ବରୁ

ବିକଳ୍ପ ବିଶ୍ୱ - ଭଗବାନପ୍ରକାଶ

ମହାତ୍ମା ଗାନ୍ଧୀଙ୍କ ହତ୍ୟା (ଜାନୁଆରି ୩୦ ତାରିଖ ୧୯୪୮) ପରେ ସେହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ଅନେକ ଦସ୍ତାବିଜ୍‌, ପୁସ୍ତକ ଓ ଚଳଚ୍ଚିତ୍ର ପ୍ରକାଶିତ ହେଲାଣି। ସେଥିରୁ ଗୋଟିଏ ହେଲା-‘ନାଇନ୍‌ ଆଵାରସ୍‌ ଟୁ ରାମ’ ବା ‘ହେ ରାମ’ର ନ’ଘଣ୍ଟା ପୂର୍ବରୁ। ଅର୍ଥାତ୍‌ ଗାନ୍ଧୀ ହେ, ରାମ! କହି ଶେଷ ନିଃଶ୍ବାସ ତ୍ୟାଗ କରିବାର ନ’ଘଣ୍ଟା ପୂର୍ବରୁ କ’ଣ କ’ଣ ଘଟିଥିଲା ଏହି ଚଳଚ୍ଚିତ୍ରର ବର୍ଷକ ପୂର୍ବରୁ ଠିକ୍‌ ଏହି ନାମରେ ୧୯୬୨ ମସିହାରେ ଏକ ନଭେଲ୍‌ ଲେଖିଥିଲେ ଷ୍ଟାନ୍‌ଲେ ଉଲ୍‌ପର୍ଟ। ସେ ଥିଲେ ଉଭୟ ଲେଖକ ଓ ଐତିହାସିକ। ଏବ˚ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ, ଲସ୍‌ ଆଞ୍ଜେଲେସ୍‌ରେ ଅଧୢାପକ। ଗାନ୍ଧୀଙ୍କ ହତ୍ୟାରେ କେଉଁମାନେ ସାମିଲ ଥିଲେ ଓ ଷଡ଼୍‌ଯନ୍ତ୍ରରେ ସ˚ପୃକ୍ତ ଥିଲେ ବହିରେ ସେଇ ୯’ଘଣ୍ଟା ଭିତରେ କ’ଣ କ’ଣ ଘଟଣା ଘଟିଥିଲା ତା’ର ବିଶଦ୍‌ ବିବରଣୀ ଦେଇଛନ୍ତି ଷ୍ଟାନ୍‌ଲେ। ବହିଟି କଳ୍ପନା ଓ ବାସ୍ତବତାର ଏକ ସୃଜନଶୀଳ ସମ୍ମିଶ୍ରଣ ଓ ତେଣୁ ସୁଖପାଠ୍ୟ। ଏପର୍ଯ୍ୟନ୍ତ ନ’ଥର ଛପା ହେଇସାରିଲାଣି। ଗାନ୍ଧୀଙ୍କ ଜୀବନ ଓ ମୃତ୍ୟୁ ସହିତ ଜଡ଼ିତ ଘଟଣାବଳୀ ଏପରି ନାଟକୀୟ ଥିଲା ଯେ ତାଙ୍କୁ ନେଇ ରଚିତ କାହାଣୀ ଓ ଚଳଚ୍ଚିତ୍ର ସବୁ ବେଶ୍‌ ଲୋକପ୍ରିୟ ହୋଇଥିଲେ। ୧୯୮୨ ମସିହାରେ ଡାଇରେକ୍ଟର ରିଚାର୍ଡ ଆଟେନ୍‌ବର୍ଗଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ‘ଗାନ୍ଧୀ’ ବିଶ୍ବ ରେକର୍ଡ ଭାଙ୍ଗି ଦେଇଥିଲା। ଏକାଥରକେ ପାଇଥିଲା ଆଠଟି ଓସ୍କାର ଆଵାର୍ଡ। ଏହି ଚଳଚ୍ଚିତ୍ରର ଶେଷଦୃଶ୍ୟଟି ଏତେ ହୃଦୟସ୍ପର୍ଶୀ ଥିଲା ଯେ ଫିଲ୍ମ ସରିଲା ପରେ ବି ଦର୍ଶକମାନେ ଭାବବିହ୍ବଳ ହୋଇ ପ୍ରେକ୍ଷାଳୟରେ ବସି ରହୁଥିଲେ। ସେତେବେଳେ ବକ୍‌ସ ଅଫିସ ଆୟ ହୋଇଥିଲା ପ୍ରାୟ ହଜାରେ କୋଟି। ଏହି ସ˚ପର୍କରେ ଆଉ ଏକ ଅପ୍ରତ୍ୟାଶିତ ଓ ଐତିହାସିକ ଘଟଣା। ବାପୁଙ୍କ ମୃତ୍ୟୁ ପରେ ମିଳିତ ରାଷ୍ଟ୍ରସ˚ଘର ମୁଖ୍ୟାଳୟରେ ପ୍ରଥମ ଥର ପାଇଁ ପତାକା ଅର୍ଦ୍ଧନମିତ କରାଯାଇଥିଲା ଜଣେ ସାଧାରଣ ନାଗରିକଙ୍କ ସମ୍ମାନରେ। ଏହି ସମ୍ମାନ କେବଳ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ମିଳିଥାଏ।

୧୯୪୮ ମସିହା ଜାନୁଆରି ୩୦ ତାରିଖ ଶୁକ୍ରବାର। ଦିଲ୍ଲୀ ବିରଳା ଭବନ। କୁହୁଡ଼ି ଭରା ଆକାଶ। ଗାନ୍ଧୀ ସବୁଦିନ ଭଳି ପ୍ରାତଃ ୩ଟା୩୦ରେ ଉଠିପଡ଼ିଲେ। ୪ଟାରେ ପ୍ରାର୍ଥନା, ତଥାପି କିଛି ଅନ୍ତେବାସୀଙ୍କ ନିଦ ଭାଙ୍ଗି ନ ଥିଲା। ବିରକ୍ତ ହୋଇ ଗାନ୍ଧୀ କହିଲେ- ୟେ ସବ୍‌ କ୍ୟା ହୋରହା ହୈ? ଏହା ଦେଖିବାକୁ ମୁଁ ଆଉ ବଞ୍ଚି ରହିବାକୁ ଚାହୁଁ ନାହିଁ। ସେଇଦିନ ତାଙ୍କୁ ଭେଟିବା ପାଇଁ କିଛି ଲୋକ ଆସିଥିଲେ। ସେମାନଙ୍କ ସହ କଥା ହେଉ ହେଉ ସାନ୍ଧ୍ୟ ପ୍ରାର୍ଥନା ସଭା ପାଇଁ ସେ ନିଜେ ଆଠ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। ଅଳ୍ପ ଅଳ୍ପ ଖାସୁଥିଲେ। କିନ୍ତୁ ଔଷଧ ନେବାକୁ ମନା କରି ଦେଲେ। କହିଲେ ପ୍ରାର୍ଥନା ମୋ ପାଇଁ ଔଷଧ। ଆଉଜଣେ ପଚାରିଲେ ଆପଣ କେବେ ସେବାଗ୍ରାମ ଫେରିବେ? କହିଲେ- ସବୁ ଅନିଶ୍ଚିତ, କାଲି କ’ଣ ହେବ କିଏ ଜାଣିଚି? ତାହାହିଁ ସତ୍ୟ ପ୍ରମାଣିତ ହେଲା- ସେ ସେବାଗ୍ରାମ ପରିବର୍ତ୍ତେ ସ୍ବର୍ଗକୁ ଫେରିଗଲେ। ନେହରୁଙ୍କ ଭାଷାରେ ସବୁଦିନ ପାଇଁ ଆଲୋକ ଲିଭିଗଲା। ଝିଆରୀ ମନୁବେନ୍‌ ଗାନ୍ଧୀ, ତାଙ୍କ ରଚିତ ସ୍ମରଣ କାହାଣୀ- ‘‘ଲାଷ୍ଟ ଗ୍ଳିମ୍ପ୍‌ସେସ୍‌ ଅଫ୍‌ ବାପୁ’’ (୧୯୬୨)ରେ ଯାହା ଯାହା ଲେଖିଛନ୍ତି ତାହା ସ˚କ୍ଷେପରେ ଏହିପରି: ସେଦିନ ସକାଳ କଟିଥିଲା ଭଗବତ୍‌ ଗୀତା ପାଠରେ। ସାଙ୍ଗରେ ଥିଲେ ପ୍ୟାରେଲାଲ୍‌ ଓ ଅନ୍ୟ ସାଥୀମାନେ। ମାଲିସ ଓ ସ୍ନାନ ପରେ ତାଙ୍କ ଓଜନ ନିଆଗଲା। ବାରମ୍ବାର ଓ ଦୀର୍ଘଦିନ ଧରି ଅନଶନ ହେତୁ ତାଙ୍କ ଶରୀର କ୍ଷୀଣ ଓ ଦୁର୍ବଳ ହୋଇଯାଇଥିଲା, ଓଜନ ଥିଲା ୫୦ କେଜିରୁ କମ୍‌। ବୟସ ଚାଲିଥିଲା ୭୮ ବର୍ଷ। ମଧୢାହ୍ନ ଭୋଜନ ପରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲେ। ଉଠିଲା ପରେ ସର୍ଦ୍ଦାର ପଟେଲଙ୍କ ସହ ସା˚ପ୍ରଦାୟିକ ଦଙ୍ଗା ନିୟନ୍ତ୍ରଣ ଶାନ୍ତି ଏବ˚ ତାଙ୍କ ପ୍ରସ୍ତାବିତ ନୂଆଖାଲିରେ ଶାନ୍ତିଯାତ୍ରା ସ˚ପର୍କରେ ଆଲୋଚନା କରିଥିଲେ। ଏତିକି ବେଳେ କାଠିଆବାଡ୍‌ରୁ ଦୁଇଜଣ ନେତା ତାଙ୍କୁ ଭେଟିବାକୁ ଆସିଥିଲେ। ଉତ୍ତରରେ ଗାନ୍ଧୀ କହିଥିଲେ- ସେମାନଙ୍କୁ କହ ମୁଁ ବ˚ଚି ରହିଲେ ପ୍ରାର୍ଥନା ପରେ ଭେଟ ହେବ। ତା’ପରେ ମନୁ ଓ ଆଭାଙ୍କ କାନ୍ଧରେ ହାତ ରଖି ଗାନ୍ଧୀ ପ୍ରାର୍ଥନା ସ୍ଥଳକୁ ଚାଲିଲେ।

ଏତିକି ବେଳେ ଜଣେ ଖାକି ପୋଷାକ ପରିହିତ ଶକ୍ତିମାନ ଯୁବକ ଭିଡ଼କୁ ଠେସି, ପେଲି ଭିତରକୁ ପଶି ଆସି ହାତଯୋଡ଼ି ଗାନ୍ଧୀଙ୍କ ଚରଣ ସ୍ପର୍ଶ କରିବାକୁ ଚେଷ୍ଟା କଲେ। ମନୁବେନ୍‌ ତାଙ୍କୁ ହାତରେ ଠେଲି କହିଲେ ପ୍ରାର୍ଥନା ସଭା ଦଶ ମିନିଟ୍‌ ବିଳମ୍ବ ହେଇଗଲାଣି, ବାଟ ରୋକି ବାପୁଙ୍କୁ ହଇରାଣ କର ନାହିଁ। ଯୁବକ ମନୁବେନ୍‌ଙ୍କୁ ଆଉ ଥରେ ଠେସିି ଦେବାରୁ ସେ ତଳେ ପଡ଼ିଗଲେ। ତାଙ୍କ ଚଷମା, ରୋଜାରି ବା ମାଳି ଓ ନୋଟ୍‌ବୁକ୍‌ ତଳେ ଖସି ପଡ଼ିଲା। ସେସବୁକୁ ତଳୁ ଗୋଟାଇବା ବେଳେ ତାଙ୍କ କାନରେ ବାଜିଲା ଚାରିଥର ବନ୍ଧୁକ ଆବାଜ୍‌। ଚାରିଆଡ଼େ ଧୂଆଁ। ତା’ସଙ୍ଗେ ହାତଯୋଡ଼ି ଟଳି ପଡ଼ିଲେ ବାପୁ। ପାଟିରୁ ବାହାରିଲା ଦୁଇଟି ଶବ୍ଦ- ହେ ରାମ, ହେ ରା….। ସାରା ଘଟଣା ୩ ମିନିଟ୍‌ରେ ଶେଷ। ମନୁବେନ୍‌ଙ୍କ ଘଡ଼ିରେ ବାଜିଥିଲା ୫.୧୭। ଚାରିପଟେ ଥିବା ଲୋକଙ୍କ ଲୁଗାରେ ରକ୍ତ ଛିଟା। ରକ୍ତାକ୍ତ ଶରୀରକୁ ଉଠାଇ ନେଇ ପାଖ ଘରେ ରଖାଗଲା, ଠିକ୍‌ ସମୟରେ ଡାକ୍ତର ପହଞ୍ଚି ପାରିଲେ ନାହିଁ। ଫାଷ୍ଟଏଡ୍ ବକ୍‌ସରେ କ୍ଷତ ଜାଗାର ଚିକିତ୍ସା ପାଇଁ ଔଷଧ ନ ଥିଲା। ପ୍ରଥମ ଗୁଳି ବାଜିଥିଲା ପେଟ ଓ ନାଭି ସ୍ଥଳରେ। ତା’ ପାଖକୁ ବାଜିଥିଲା ୨ୟ ଗୁଳି ଏବ˚ ତୃତୀୟ ଗୁଳି ଛାତି ପାଖରେ। ବାରମ୍ବାର ଫୋନ୍‌ କରିବା ସତ୍ତ୍ବେ ପାଖ ଡାକ୍ତରଖାନାର କେହି ଫୋନ୍‌ ଉଠାଇଲେ ନାହିଁ। ମନୁବେନ୍‌ ଓ ସାଥୀମାନେ କ୍ଷତାକ୍ତ ଶରୀର ପାଖରେ ବସି ଗୀତା ପାଠ ଆରମ୍ଭ କଲେ। ଏତିକି ବେଳେ ଉଇଲିଙ୍ଗଡନ୍‌ ଡାକ୍ତରଖାନାରୁ କର୍ନେଲ୍‌ ଭାର୍ଗବ ଆସି ପହ˚ଚିଲେ ଓ ପରୀକ୍ଷା ପରେ ଘୋଷଣା କଲେ ଯେ ଗାନ୍ଧୀ ଆଉ ନାହାନ୍ତି। ପ୍ରାର୍ଥନା ସଭାସ୍ଥଳରେ ଉପସ୍ଥିତ ଥିଲେ ଆମେରିକାନ୍‌ ଦୂତାବାସର ଭାଇସ୍‌ କନ୍‌ସଲ୍‌ ହର୍ବଟ୍‌ ରେନର‌୍‌। ଅନ୍ୟମାନେ ସ୍ତବ୍‌ଧ ଅବସ୍ଥାରେ ଥିଲାବେଳେ ରେନର‌୍‌ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ପ୍ରଥମେ ଯାଇ ଧରିଲେ। ପରେ ପରେ ଅନ୍ୟମାନେ ଘେରିଯାଇ ଗଡ୍‌ସେଙ୍କୁ ମାରଧର କଲେ। କିନ୍ତୁ ଗଡ୍‌ସେ ପଳାଇଯିବାକୁ ବା ପ୍ରତିରୋଧ ପାଇଁ କୌଣସି ଉଦ୍ୟମ ନ କରି ଆତ୍ମସମର୍ପଣ କରିଥିଲେ। ଗୁଳି ଚଳାଇବା ପୂର୍ବରୁ ଗଡ୍‌ସେ ପ୍ରଥମେ ଗାନ୍ଧୀଙ୍କୁ ହାତଯୋଡ଼ି ନମସ୍କାର କରିଥିବା କଥା ସାରା ପୃଥିବୀ ଜାଣେ।

ଅବିବାହିତ, ନାଥୁରାମ ବିନାୟକ ଗଡ୍‌ସେ ଜଣେ ମହାରାଷ୍ଟ୍ରୀଆନ୍‌ (ପୁନେ) ଓ ହିନ୍ଦୁ ମହାସଭାର ସଦସ୍ୟ। ତାଙ୍କ ସହ ଆଉ ଆଠଜଣଙ୍କୁ ଗିରଫ କରାଯାଇଥିଲା। ମେ ମାସ ୨୭ ତାରିଖ (୧୯୪୮)ରୁ ବିଚାର ଆରମ୍ଭ ହେଲା। ସାକ୍ଷୀ ଥିଲେ ୧୪୯, କିନ୍ତୁ ଗଡ୍‌ସେଙ୍କ ସପକ୍ଷରେ ଜଣେ ବି ସାକ୍ଷୀ ନ ଥିଲେ। ସେ ନିଜ ସପକ୍ଷରେ ବୟାନ୍‌ ଦେଇ ବିଚାରପତିଙ୍କୁ କହିଥିଲେ ଗାନ୍ଧୀଙ୍କ ହତ୍ୟା ପାଇଁ ସେ ନିଜେ ଦାୟୀ, ଆଉ କେହି ନୁହେଁ। ଶୁଣାଣି ଚାଲିଲା ଆଠମାସ। ଗଡ୍‌ସେ ଓ ସାଥୀ ନାରାୟଣ ଆପ୍ତେଙ୍କୁ ମୃତ୍ୟୁଦଣ୍ତ ଆଦେଶ ମିଳିଥିଲା ନଭେମ୍ବର ୮ ତାରିଖ ଦିନ (୧୯୪୯)। ନାରାୟଣ ଆପ୍ତେ ଥିଲେ ବ୍ରିଟିସ ମିଲିଟାରି ସର୍ଭିସର ଜଣେ ଅବସରପ୍ରାପ୍ତ ଅଫିସର। ଗାନ୍ଧୀଙ୍କର ଦୁଇ ପୁତ୍ର ମଣିଲାଲ୍‌ ଗାନ୍ଧୀ ଓ ରାମଦାସ ଗାନ୍ଧୀ ଏହି ଦୁଇ ହତ୍ୟାକାରୀଙ୍କୁ ଖଲାସ କରିଦେବାକୁ ଆବେଦନ କରିଥିଲେ। କିନ୍ତୁ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲ ତଥା ଭାରତର ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ। ୧୫ ନଭେମ୍ବର (୧୯୪୯) ଦିନ ଅମ୍ବାଲା ଜେଲ୍‌ରେ ଉଭୟ ଗଡ୍‌ସେ ଓ ଆପ୍ତେଙ୍କୁ ଫାଶୀ ଦିଆଗଲା। ‘‘ବିଶ୍ବ ଅପରାଧ ପାଞ୍ଜି’’ ଅନୁସାରେ ଫାଶୀ ସମୟରେ ବେକହାଡ଼ ଭାଙ୍ଗିଯିବାରୁ ଆପ୍ତେଙ୍କର ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଫାଶୀ ଦଉଡ଼ିରେ ଝୁଲିଲା ବେଳେ ଗଳାରୁଦ୍ଧ ହୋଇ ଗଡ୍‌ସେଙ୍କ ମୃତ୍ୟୁ ଘଟିଥିଲା। ୧୫ ମିନିଟ୍‌ ଭିତରେ ଉଭୟ ଫାଶୀ କାମ ସରିଥିଲା। ସରକାର ସମଗ୍ର ବିଚାର ପ୍ରକ୍ରିୟାକୁ ସର୍ବସାଧାରଣ କରିଥିଲେ ଏବ˚ ସବୁ ଗଣମାଧୢମ ପାଇଁ ଖୋଲା ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ସପକ୍ଷରେ ଗଡ୍‌ସେଙ୍କ ବଳିଷ୍ଠ ଯୁକ୍ତି ଦ୍ବାରା ସାଧାରଣ ଲୋକେ ପ୍ରଭାବିତ ହେଉଥିବା ଦେଖି ଖୋଲା ଶୁଣାଣିକୁ ବନ୍ଦ କରି ଦିଆଯାଇଥିଲା। ୩୦ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରକାଶନ ବ୍ୟାନ୍‌ କରାଯାଇଥିଲା। ୧୯୭୭ ମସିହାରେ କ˚ଗ୍ରେସ ସରକାର ନିର୍ବାଚନ ହାରିଗଲା ପରେ ଏହା ଲୋକଲୋଚନକୁ ଆସିଥିଲା। ବିଚାରକମଣ୍ତଳୀର ଜଣେ ସଦସ୍ୟ ଜଷ୍ଟିସ୍‌ ଜି.ଡି.ଖୋସଲାଙ୍କ ମତରେ ଶୁଣାଣି ଚାଲିଥିବା ବେଳର ଅଡିଏନ୍‌ସକୁ ଯଦି ଜୁରି ବା ପ˚ଚାୟତର କ୍ଷମତା ଦେଇ ବିଚାର କରିବାକୁ କୁହାଯାଇଥାନ୍ତା, ତା’ହେଲେ ରାୟ ମିଳିଥାନ୍ତା ଗଡ୍‌ସେଙ୍କ ସପକ୍ଷରେ। ଆଉ ଜଣେ ଫ୍ରେଞ୍ଚ୍‌ ଗବେଷକ ପ୍ରଫେସର ମାର୍କୋଭିଟ୍‌ ୨୦୦୪ରେ ପ୍ରକାଶିତ ତାଙ୍କ ପୁସ୍ତକ- ଦି ଅନ୍‌ ଗାନ୍ଧୀଆନ୍‌ ଗାନ୍ଧୀ-ରେ ଲେଖିଛନ୍ତି ଯେ ରାଜନୈତିକ କାରଣରୁ ଶୁଣାଣି ସମୟକୁ ଜାଣିଶୁଣି କମେଇ ଦିଆଯାଇଥିଲା। କାରଣ ଗାନ୍ଧୀଙ୍କ ନିରାପତ୍ତା ପାଇଁ ସରକାରଙ୍କ ଅପାରଗତା ବିଷୟରେ ଅନେକ ପ୍ରଶ୍ନ ଓ ଅଭିଯୋଗ ଉଠିଥିଲା। ଜାନୁଆରି ୩୦ରେ ଗାନ୍ଧୀଙ୍କ ଉପରେ ଆକ୍ରମଣ ପ୍ରଥମ ନ ଥିଲା। ଏହା ପୂର୍ବରୁ ଏମିତି ସାତଥର ଆକ୍ରମଣ ହେଇଥିଲା। ଏହା ସତ୍ତ୍ବେ ସରକାର ଗାନ୍ଧୀଙ୍କ ନିରାପତ୍ତା ଉପରେ ଧୢାନ ଦେଇନଥିଲେ କାହିଁକି?

କାହିଁକି ଅହି˚ସାବାଦୀ ଗାନ୍ଧୀଙ୍କୁ ବାରମ୍ବାର ହି˚ସାତ୍ମକ ଆକ୍ରମଣ କରାଯାଉଥିଲା? ରାଷ୍ଟ୍ରବାଦୀ ଭାରତୀୟ ହିନ୍ଦୁମାନଙ୍କ ମଧୢରୁ ଏକ ଗୋଷ୍ଠୀ ଭାବୁଥିଲେ ଯେ ଦେଶ ବିଭାଜନ ପାଇଁ ଗାନ୍ଧୀ ଦାୟୀ। ସେ ପାକିସ୍ତାନକୁ ଧର୍ମଭିତ୍ତିକ ଓ ହିନ୍ଦୁସ୍ଥାନକୁ ଧର୍ମ ନିରପେକ୍ଷ ରାଷ୍ଟ୍ର କରାଇଥିଲେ। ପାକିସ୍ତାନ କାଶ୍ମୀର ଆକ୍ରମଣ କଲା ପରେ ସେ ପାକିସ୍ତାନକୁ ଭାରତ ରାଜକୋଷରୁ ଅର୍ଥଦାନ ପାଇଁ ଚାପ ସୃଷ୍ଟି କରି, ନ ଦେଲେ ଅନଶନ ଧମକ ଦେଇଥିଲେ, ସା˚ପ୍ରଦାୟିକ ଦଙ୍ଗା ଫସାଦ ପାଇଁ ସେ ସଦାବେଳେ ହିନ୍ଦୁମାନଙ୍କୁ ଦୋଷ ଦେଉଥିଲେ। କିନ୍ତୁ ମୁସଲିମ ସ˚ପ୍ରଦାୟ ତାଙ୍କୁ କହୁଥିଲେ ହିନ୍ଦୁଙ୍କ ନେତା ଓ ହିନ୍ଦୁମାନେ ଭାବୁଥିଲେ ସେ ମୁସଲିମ୍‌ ତୁଷ୍ଟୀକରଣ କରୁଛନ୍ତି। ସା˚ପ୍ରଦାୟିକ ସଦ୍‌ଭାବନା ପାଇଁ ସେ ମନ୍ଦିରରେ କୁରାନ ଓ ମସଜିଦ୍‌ରେ ଗୀତାପାଠ ପାଇଁ ଉପଦେଶ ଦେଇଥିଲେ। ହିନ୍ଦୁମାନେ ଏହାକୁ ମାନିଲେ, କିନ୍ତୁ ମୁସଲିମ୍‌ମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ବନ୍ଦେ ମାତରମ୍‌ ଗାଇବାକୁ ବି ମନା କରିଦେଇଥିଲେ। ଗାନ୍ଧୀ ଚୁପ୍‌ ରହିଥିଲେ। ଏହିପରି ଅନେକ କାରଣରୁ କଠୋରପନ୍ଥୀ ହିନ୍ଦୁ ଗୋଷ୍ଠୀ ଗାନ୍ଧୀ ବିରୋଧୀ ହେଇଯାଇଥିଲେ। ଦିଲ୍ଲୀ, ଢାକା, ପଞ୍ଜାବ, କଲିକତାରେ ରକ୍ତପାତ, ଦଙ୍ଗା ଓ ଜିନ୍ନାଙ୍କ ଡାଇରେକ୍‌ଟ ଆକ୍‌ସନ ଡେ’ ଡାକରା ପରିସ୍ଥିତିକୁ ଅଣାୟତ୍ତ କରିଦେଇଥିଲା। ଏହାରି ଦ୍ବାରା ପ୍ରଭାବିତ ହୋଇଥିଲା ଗଡ୍‌ସେଙ୍କ ବିଚାରଧାରା।

ଅମ୍ବାଲା ଜେଲ୍‌ରୁ ଲିଖିତ ନାଥୁରାମଙ୍କ ଉଇଲ୍‌ ବା ଇଚ୍ଛାପତ୍ରରେ ତାହାର ଏକ ଝଲକ୍‌ ମିଳେ। ଭାଇ ଦତ୍ତାତ୍ରେୟଙ୍କୁ ସେ ଇଚ୍ଛାପତ୍ରରେ ଲେଖିଥିଲେ: ଯଦି ତୁମକୁ ମୋର ଶେଷକୃତ୍ୟ ପାଇଁ ଅନୁମତି ମିଳେ, ତାହା ଅବଶ୍ୟ ସମାପନ କରିବ। କିନ୍ତୁ ମୁଁ ଏଠାରେ ଏକ ନିର୍ଦ୍ଦିଷ୍ଟ ଇଚ୍ଛା ପ୍ରକାଶ କରିବାକୁ ଚାହେଁ। ସିନ୍ଧୁ ନଦୀ କୂଳରେ ବସି ଆମ ଋଷିମାନେ ବେଦମନ୍ତ୍ର ରଚନା କରିଥିଲେ। ସ୍ବାଧୀନ ହିନ୍ଦୁସ୍ଥାନର ପତାକା ଯେତେବେଳେ ପୁନର୍ବାର ଏହି ପବିତ୍ର ସିନ୍ଧୁ ନଦୀ କୂଳରେ ଉଡ଼ିବ ଏବ˚ ଅଖଣ୍ତ ହିନ୍ଦୁସ୍ଥାନରେ ସ୍ବଚ୍ଛନ୍ଦରେ ପ୍ରବାହିତ ହେବ, ସେହିଦିନ ମୋର ଚିତାଭସ୍ମକୁ ସିନ୍ଧୁ ନଦୀରେ ବିସର୍ଜନ ଦେବ। ସେହି ଦିନଟି ଆମ ପାଇଁ ପବିତ୍ର ଦିନ ହେବ। ଏଥିପାଇଁ ମୋର ଚିତାଭସ୍ମ ଯେତେ ପୁରୁଷ ଅପେକ୍ଷା କରିବାକୁ ପଡ଼ିଲେ ଯାଏ ଆସେ ନାହିଁ। ସେ ପର୍ଯ୍ୟନ୍ତ ଚିତାଭସ୍ମକୁ ସାଇତି ରଖିବ। ତୁମ ଜୀବନ କାଳରେ ଏହା ସମ୍ଭବ ନହେଲେ ବ˚ଶଧରଙ୍କୁ ମୋର ଏହି ଅଭିଳାଷ ଜଣାଇ ତାଙ୍କ ହାତରେ ଏ ଚିତାଭସ୍ମ ଦେବ। ଏବ˚ କୋର୍ଟରେ ମୋ ଜମାନବନ୍ଦୀ ଉପରେ ଯେଉଁ ନିଷେଧାଜ୍ଞା ଅଛି ତାହା ଉଠିଗଲା ପରେ ତା’କୁ ପ୍ରକାଶ କରିବ। ତା’ହେଲେ ସାଧାରଣ ଲୋକେ ମୋର କାର୍ଯ୍ୟକୁ ନିରପେକ୍ଷ ଭାବରେ ବିଚାର କରିପାରିବେ। ଇତି- ନାଥୁରାମ ବିନାୟକ ଗଡ୍‌ସେ। ୧୫.୧୧.୧୯୪୯।

ଏହା ପୂର୍ବରୁ ଜୁନ୍‌ ମାସରେ ନାଥୁରାମ ରାମଦାସ ଗାନ୍ଧୀଙ୍କୁ ଲେଖିଥିଲେ ଆଉ ଏକ ଚିଠି। ସାରା˚ଶ: ଆପଣଙ୍କ ପରମ ପୂଜ୍ୟ ପିତାଙ୍କ ମୃତ୍ୟୁ ମୋର ଦ୍ବାରା ହୋଇଚି। ଏଥିପାଇଁ ଆପଣ ଓ ଆପଣଙ୍କ ଆତ୍ମୀୟମାନଙ୍କୁ ମାନସିିକ ଆଘାତ ସହିବାକୁ ପଡ଼ିଛି। ମୁଁ ଜଣେ ଦେଶଭକ୍ତ ଓ ଖୋଲା ହୃଦୟର ବ୍ୟକ୍ତି। ମୋ ଯୋଗୁଁ ଆପଣଙ୍କ ମନରେ ଯେଉଁ ବ୍ୟାଘାତ ଲାଗିଚି ସେଥିପାଇଁ ମୁଁ ପୁନର୍ବାର ଦୁଃଖ ପ୍ରକାଶ କରୁଛି।

[email protected]

ସମ୍ବନ୍ଧିତ ଖବର