ଗଣତନ୍ତ୍ର ଦିବସର ପ୍ରତ୍ୟକ୍ଷଦର୍ଶୀ ବିବରଣୀ

କୁମାର ପ୍ରଶାନ୍ତ

ସ୍ବାଧୀନତା ପରେ ଏହା ଥିଲା ପ୍ରଥମ ସାଧାରଣତନ୍ତ୍ର ଦିବସ, ଯେଉଁ ଦିନ ରାଜଧାନୀ ଦିଲ୍ଲୀରେ ଦୁଇ ଦୁଇଟି ପରେଡ୍‌ ଅନୁଷ୍ଠିତ ହେଲା। ପ୍ରତି ଥର ଭଳି ଗୋଟିଏ ସରକାରୀ ପରେଡ୍‌ ନିର୍ଦ୍ଧାରିତ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ଏବ˚ ଆଉ ଗୋଟିଏ ଦିଲ୍ଲୀର ଛାତି ଉପରେ ଅତ୍ୟନ୍ତ ଅବ୍ୟବସ୍ଥିତ ଭାବେ। କୃଷକ ସ˚ଗଠନଗୁଡ଼ିକ ଟ୍ରାକ୍‌ଟର‌୍‌ ମାଧ୍ୟମରେ ଏକ ସମାନ୍ତରାଳ ପରେଡ୍‌ ପାଇଁ ଘୋଷଣା କରିଥିଲେ। ଅତି ସାବଧାନତାର ସହ ସେଥି ପାଇଁ ବ୍ୟବସ୍ଥା ଓ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। କିନ୍ତୁ, ଆୟୋଜକମାନେ ଜାଣି ନ ଥିଲେ, କେତେ ସ˚ଖ୍ୟକ କୃଷକ, କେତେ ଟ୍ରାକ୍‌ଟର‌୍‌ ସହ ଆସିବେ। କୃଷକ ଆନ୍ଦୋଳନର ଜଡ଼ କେତେ ଗହୀରରେ ଅଛି, ସରକାରକୁ ସୁଦ୍ଧା ଅଜଣା ଥିଲା। ତେଣୁ, ସରକାର ପକ୍ଷରୁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ନ କରି, ଟ୍ରାକ୍‌ଟର‌୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେଇ ଦିଆଯାଇଥିଲା।

ସାଧାରଣତନ୍ତ୍ର ଦିବସ ସକାଳ ଆରମ୍ଭ ହେଉହେଉ ଦିଲ୍ଲୀ-ଗାଜୀପୁର ସୀମାରେ ଥିବା କୃଷକମାନେ ପୁଲିସ୍‌ ଦ୍ବାରା ନିର୍ମିତ ବାରିକେଡ୍‌ ଭାଙ୍ଗି ଆଗକୁ ବାହାରିଥିଲେ। ସେମାନେ ନିର୍ଦ୍ଧାରିତ ସମୟ ଓ ରାସ୍ତା ନିୟମ ପାଳନ କରି ନ ଥିଲେ। ଅଗ୍ରଣୀ ଦଳ ସିଧା ଦିଲ୍ଲୀ ଆଡ଼କୁ ମାଡ଼ିଚାଲିବାରୁ, ପଛରେ ଥିବା ଅନ୍ୟମାନେ ମଧ୍ୟ ତାହା କଲେ। ଏହାକୁ କହାଯାଏ, ଅନିୟନ୍ତ୍ରିତ ଭିଡ଼। ପୂର୍ବରୁ କେବେ କୃଷକ ବା ଦିଲ୍ଲୀ ପୁଲିସ୍‌ ବା ଅନ୍ୟ କେହି ଟ୍ରାକ୍‌ଟର‌୍‌ ଶୋଭାଯାତ୍ରା ଦେଖି ନ ଥିବେ! ସାଧାରଣତନ୍ତ୍ର ଦିବସରେ ସମସ୍ତେ ଦେଖିଲେ ହଜାର ହଜାର ଟ୍ରାକ୍‌ଟର‌୍‌। ସେଗୁଡ଼ିକ ସତେ ଯେପରି ମିନି ଟ୍ୟାଙ୍କ୍‌ ପାଲଟିଯାଇଥିଲା।

ରାସ୍ତାରେ ରଖାଯାଇଥିବା ଲୁହା ବାରିକେଡ୍‌ଗୁଡ଼ିକର ଅବସ୍ଥା ଯାହା ହେଲା, ସତେ ଯେପରି ତାସ ପତା! ମୋତେ ତ ଏ ଭଳି ବାରିକେଡ୍‌ ସର୍ବଦା ଅରୁଚିକର ମନେହୁଏ। ଏଗୁଡ଼ିକ କ୍ଷମତାର ଗର୍ବରେ ଚୁର‌୍‌ ଥିବା ଭଳି ଲାଗେ ଏବ˚ ସତେ ଯେପରି ଅପେକ୍ଷାରେ ଥାଏ, କିଏ ଏହାର ଦର୍ପ ଚୂର୍ଣ୍ଣ କରିବ! ଏଥରକ କୃଷକମାନେ ଏହାର ଆହ୍ବାନ ଗ୍ରହଣ କଲେ ଏବ˚ ସେଥି ସହ ପୁଲିସ୍‌ ପ୍ରଶାସନର ଭ୍ରମ ମଧ୍ୟ ଦୂର ହେଲା ଯେ, ଏହା ଦ୍ବାରା ସ୍ଥାପିତ ବାରିକେଡ୍‌ ଲ˚ଘନୀୟ।

ତେବେ, ଦିଲ୍ଲୀର କେନ୍ଦ୍ର ସ୍ଥଳୀ ଆଇଟିଓ ଏବ˚ ଲାଲକିଲ୍ଲାରେ କୃଷକମାନେ ଯାହା କଲେ, ତାହା ଲଜ୍ଜାଜନକ ଓ ବିପଜ୍ଜନକ ମଧ୍ୟ। ଶୃଙ୍ଖଳା ଦାୟିତ୍ବରେ ଥିବା ପୁଲିସ୍‌ କର୍ମଚାରୀଙ୍କ ସ˚ଖ୍ୟା ଓ ମନୋବଳ କମ୍‌ ଥିଲା। ଚାକିରି କରୁଥିବା ସିପାହି ଓ ଆନ୍ଦୋଳନରେ ସାମିଲ ହୋଇଥିବା ସିପାହିଙ୍କ ମନୋବଳ ଯେ ଭିନ୍ନ ଭିନ୍ନ ଏହା ସ୍ପଷ୍ଟ ବାରିହେଉଥିଲା। ଉପସ୍ଥିତ କମ୍‌ ସ˚ଖ୍ୟକ ପୁଲିସ୍‌ କର୍ମୀ ନିରବଦ୍ରଷ୍ଟା ସାଜିଲେ ଏବ˚ କୃଷକମାନେ ଯାହା ଇଚ୍ଛା କଲେ। ପୁଲିସ୍‌ ସ˚ଯମ ଅବଲମ୍ବନ ନ କରି ଯଦି ପ୍ରତିକ୍ରିୟାଶୀଳ ହୋଇଥାଆନ୍ତା, ଭୟଙ୍କର ରକ୍ତପାତର ଆଶଙ୍କାକୁ ଏଡ଼ାଇଦିଆଯାଇପାରି ନ ଥାଆନ୍ତା।

ଗତ ବର୍ଷ ଜୁନ୍‌ରୁ କୃଷକ ଆନ୍ଦୋଳନ ଦାନା ବାନ୍ଧିଲାଣି। ତେବେ, ଗତ ଷାଠିଏ ଦିନ ହେଲା ସେମାନଙ୍କ ଅସନ୍ତୋଷ ଚରମ ସୀମାରେ। ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ପଡ଼ିଥିବା ସମସ୍ତ ରାସ୍ତାରେ କୃଷକମାନେ ବହୁ ସ˚ଖ୍ୟାରେ ଜମା ହୋଇଛନ୍ତି; ଅସ୍ଥାୟୀ ବସତି ସ୍ଥାପନ କରିଛନ୍ତି। ସେମାନଙ୍କ ଦାବି ସ୍ପଷ୍ଟ- ତିନି ବିବାଦୀୟ କୃଷି ଆଇନ ଉଠାଇନିଅ, ଆମେ ଫେରିଯିବୁ। ତେବେ, ନା ସରକାର ସେମାନଙ୍କ ଦାବି ମାନୁଛି, ନା ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ କଥା ଶୁଣୁଛି। ସରକାରୀ ପ୍ରତିନିଧିମାନଙ୍କ ସହ ବୈଠକ ପରେ ବୈଠକର କୌଣସି ସୁଫଳ ଏ ପର୍ଯ୍ୟନ୍ତ ମିଳିନାହିଁ। ଉଭୟ ପକ୍ଷ ନିଜ ନିଜ ଜିଦିରେ ଅଟଳ। ସରକାର ନିଜକୁ କୃଷକଙ୍କ ଶୁଭଚିନ୍ତକ କହୁଛି; ଯାହାକୁ ମାନିବାକୁ କୃଷକ ପ୍ରସ୍ତୁତ ନାହାନ୍ତି।

ଛବିଶ ଜାନୁଆରିରେ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ସେଥି ପାଇଁ ସମୟ ଓ ରାସ୍ତା ଧାର୍ଯ୍ୟ ହୋଇଥିଲା। ପ୍ରଶାସନ ଓ କୃଷକ ସ˚ଗଠନ ସେଥିରେ ସମ୍ମତ ହୋଇଥିଲେ। ତାହା ସତ୍ତ୍ବେ ଅଘଟନ ଘଟିଗଲା। ଯୁବ କୃଷକ ଗୋଷ୍ଠୀ ଶୃଙ୍ଖଳା ଭାଙ୍ଗିଲେ। ଭିଡ଼ର ସୁଯୋଗ ନେଇ ଅଣ-କୃଷକ ପଶିଲେ। ପୁଲିସ୍‌ ଉପରେ ଆକ୍ରମଣ ହେଲା। ପରିଣାମ ସ୍ବରୂପ ପୁଲିସ୍‌ ପକ୍ଷରୁ ଲାଠି-ମାଡ଼ କରାଗଲା; ଲୁହ-ବୁହା ବାଷ୍ପ ପ୍ରୟୋଗ ହେଲା। ଏହା ନିଶ୍ଚିତ ଯେ କୌଣସି ପ୍ରକୃତ କୃଷକ, ପୁଲିସ୍‌ ଉପରେ ଆକ୍ରମଣ କରି ନ ଥିବେ। ଯଦି ଦିଲ୍ଲୀରେ ପଶିବା ପରେ ହି˚ସାକାଣ୍ତ ଘଟାଇବା ମୂଳ ଉଦ୍ଦେଶ୍ୟ ଥାଆନ୍ତା, କୃଷକମାନେ ପ୍ରସ୍ତୁତ ହୋଇ, ଯୋଜନାବଦ୍ଧ ଭାବେ ଆସିଥାଆନ୍ତେ ଏବ˚ ବଡ଼ ଧରଣର ହି˚ସାକାଣ୍ତ ଘଟିଥାଆନ୍ତା। ତେବେ, ସେ ଭଳି କିଛି ଘଟିନାହିଁ। ଯେଉଁମାନେ ଭଙ୍ଗା-ରୁଜା କରିବାକୁ ଉଦ୍ୟମ କରୁଥିଲେ, ବୟସ୍କ କୃଷକମାନେ ସେମାନଙ୍କୁ ରୋକୁଥିବା ଦେଖାଯାଇଥିଲା।

ଯେଉଁ ଅଘଟନ ଘଟିଗଲା, ସେଥି ପାଇଁ ଦାୟୀ କିଏ? କୃଷକମାନଙ୍କର ସତନାମ ସି˚ହ ପନ୍ନୁ ଓ ଦୀପ ସିଦ୍ଧୁ ଗୋଷ୍ଠୀ ତଥା ଆଉ ଦୁଇ-ଚାରିଟି ଛୋଟ-ବଡ଼ ଦଳ। ଏମାନେ ସମସ୍ତେ ଗାଜୀପୁରରେ ଡେରା ପକାଇଥିଲେ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଏହି ଛୋଟ ଛୋଟ ଗୋଷ୍ଠୀଗୁଡ଼ିକର ଲକ୍ଷ୍ୟ ଥିଲା। କୃଷକ ମୋର୍ଚା ଏ ବାବଦରେ ଜାଣିଥିଲା। ତେବେ, ପୁଲିସ୍‌କୁ ଏହି ଗୋଷ୍ଠୀଗୁଡ଼ିକ ବାବଦରେ କୌଣସି ସୂଚନା ଦିଆଯାଇ ନ ଥିଲା କି˚ବା ସେମାନଙ୍କୁ ମୂଳ ମୋର୍ଚାଠାରୁ ଅଲଗା କରାଯାଇ ନ ଥିଲା। ଏଠାରେ କୃଷକ ମୋର୍ଚା ଭୁଲ୍‌ କରିଥିଲା।

ସରକାର ଓ ପ୍ରଶାସନ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। କୌଣସି ଅଘଟନ ଘଟେଇ ନ ଦେବା ଲାଗି କୌଣସି ଯୋଜନା କରାଯାଇ ନ ଥିଲା। ଯଦି ପୁଲିସ୍‌ ପ୍ରଶାସନ ଶତ ପ୍ରତିଶତ ପ୍ରସ୍ତୁତ ଥାଆନ୍ତା, ଅଘଟନ ଘଟାଇବାକୁ ଚାହୁଁଥିବା ଗୋଷ୍ଠୀଗୁଡ଼ିକର ସଦସ୍ୟମାନଙ୍କୁ ପଚିଶ ଜାନୁଆରିରୁ ଗିରଫ କରାଯାଇପାରିଥାଆନ୍ତା ବା ଛବିଶ ଜାନୁଆରି ସକାଳୁ ଏମାନଙ୍କୁ ଅଟକା ଯାଇପାରିଥାଆନ୍ତା, ଯେମିତି କି ସେମାନେ ଶୋଭାଯାତ୍ରାରେ ବାହାରି ପାରି ନ ଥାଆନ୍ତେ। ପ୍ରଶାସନ ଏ ଭଳି କିଛି ପଦକ୍ଷେପ ନେଇ ନ ଥିଲା। କିନ୍ତୁ, କାହିଁକି? କ’ଣ କୌଣସି ସୂତ୍ର ସେମାନଙ୍କୁ ସରକାର ସହ ଯୋଡ଼ୁଥିଲା? ଆନ୍ଦୋଳନକାରୀ ନେତୃତ୍ବ ଭାବୁଥିଲା, ସେମାନେ ଅଛନ୍ତି ତ ଥାଆନ୍ତୁ; ହୁଏ ତ ସେମାନେ ରହିବାର ଲାଭ ଆନ୍ଦୋଳନ ପାଇବ! ସରକାର ବୋଧହୁଏ ଭାବୁଥିଲା, କୃଷକଙ୍କ ଲାଠିରେ ହିଁ ଆନ୍ଦୋଳନକୁ ପିଟା ଯାଇପାରେ! ଏହି ଦୁଇ ଦୁର୍ବଳ ଭାବନାର ପରିଣତି ଦେଶ ଦେଖିଲା। ଲୋକତନ୍ତ୍ରର ପର˚ପରା ହେଉଛି, ଯିଏ ଲୋକଙ୍କୁ ସଡ଼କକୁ ଆଣିବ, ଲୋକଙ୍କୁ ଅନୁଶାସିତ ରଖିବାର ଦାୟିତ୍ବ ତାହାର। ଆଉ ଏଠାରେ ଆନ୍ଦୋଳନର ନେତୃତ୍ବ ବିଫଳ ହେଲା। ଏହି ବିଫଳତା ପାଇଁ ଦେଶକୁ କ୍ଷମା ପ୍ରାର୍ଥନା କରିବା ସତ୍ୟାଗ୍ରହର ଧର୍ମ।

ଛବିଶ ଜାନୁଆରିରେ ସବୁ ଟେଲିଭିଜନ୍‌ ଚାନେଲ୍‌ କହିବା ଆରମ୍ଭ କଲେ ଏବ˚ ପର ଦିନ ସମସ୍ତ ଖବରକାଗଜ ଲେଖିଲେ, ଆନ୍ଦୋଳନ ଏବେ ପଥଭ୍ରଷ୍ଟ; ଏହାର ଅସଲ ରୂପ ପଦାକୁ ଆସିଯାଇଛି। କିନ୍ତୁ, କେହି କହିଲେନାହିଁ କି ଲେଖିଲେନାହିଁ, ସାରା ଦୁନିଆର କ୍ରାନ୍ତି ଏହି ପରି। ଫ୍ରାନ୍‌ସ ଓ ରୁଷିଆର ବିପ୍ଳବର ଗୌରବ ବିଶ୍ବ ଇତିହାସ ଗାନ କରେ। ସେଠାରେ କ’ଣ ଘଟିଥିଲା? ଗାନ୍ଧୀ ତ ପ୍ରଥମ ବ୍ୟକ୍ତି ଭାବେ ଆସି, ଆମକୁ ଶିଖାଇଥିଲେ, ବିପ୍ଳବର ନୂଆ ପନ୍ଥା ଅଛି। ତେଣୁ, କୃଷକ ଆନ୍ଦୋଳନର ଏହି ରୂପ ଆମକୁ ଭଲ ଲାଗିଲା ନାହିଁ। ତେବେ, ଯଦି ଗାନ୍ଧୀଙ୍କ ମାର୍ଗ ଆପଣଙ୍କର ପସନ୍ଦ, ତାହା ସରକାର ତଥା ପ୍ରଶାସନ ଉପରେ ମଧ୍ୟ ଲାଗୁ ହେବା ଦରକାର। କୃଷକମାନେ ଆଇଟିଓରେ ପୁଲିସ୍‌ ଉପରେ ଢେଲା-ପଥର ଫୋପାଡ଼ିଲେ, ଆକ୍ରମଣ କଲେ; ଏହାକୁ ନେଇ ଏତେ ହଟ୍ଟଗୋଳ। ତେବେ, ଗତ କିଛି ଦିନ ହେଲା ଦିଲ୍ଲୀ ଅଭିମୁଖେ ଆସୁଥିବା କୃଷକଙ୍କ ଉପରେ ପୁଲିସ୍‌ ପକ୍ଷରୁ ଯେଉଁ ବେଆଇନ ଓ ଅସାମ୍ବିଧାନିକ ଆକ୍ରମଣ ଚାଲିଛି, ସେହି ବିଷୟରେ ସମସ୍ତେ ନିରବ କାହିଁକି? ପ୍ରଶାସନ କୃଷକ ଆନ୍ଦୋଳନକୁ ଭଣ୍ତୁର କରିବା ପାଇଁ ବିଭିନ୍ନ ପ୍ରକାରେ ଉଦ୍ୟମ କରିଚାଲିଛି; ସଡ଼କ ବନ୍ଦ କରାଯାଇଛି, ଗଛ କଟାଯାଇଛି, ଲୁହା ଓ ସିମେଣ୍ଟରେ ଉଚ୍ଚ ଉଚ୍ଚ ଅବରୋଧ ଛିଡ଼ା କରାଯାଇଛି, ଚାହା-ଜଳଖିଆ ଦୋକାନ ବନ୍ଦ କରାଯାଇଛି; ଏସବୁ ଉପରେ କାହିଁକି, କେହି କିଛି କହୁନାହାନ୍ତି? ଯେଉଁ ପ୍ରକାରେ କୃଷି ଆଇନଗୁଡ଼ିକୁ କୃଷକଙ୍କ ଉପରେ ଲଦି ଦିଆଯାଇଛି, ତାହା ଉପରେ ସମସ୍ତେ ଚୁପ୍‌। କୃଷକମାନେ ପ୍ରଥମ ଦିନ ହିଁ ଏହି ତିନି ଆଇନକୁ ନେଇ ଅସହମତି ପ୍ରକାଶ କରିଥିଲେ। ତାହା ପରେ ବିରୋଧ କ୍ରମଶଃ ଆରମ୍ଭ ହୋଇଥିଲା। ସରକାର ଧ୍ୟାନ ଦେଲାନାହିଁ କି ଗମ୍ଭୀରତାର ସହ ନେଲାନାହିଁ। କୃଷକଙ୍କୁ ପ୍ରତିଟି ପଦକ୍ଷେପରେ ଧୋକା ଦେବାକୁ ଚାହିଁଲା। ତେଣୁ, ଶରଦ ପଵାର ଠିକ୍‌ କହିଛନ୍ତି- ଯାହା ଘଟିଲା, ସେଥି ପାଇଁ ସରକାର ଦାୟୀ।
ଗାନ୍ଧୀ ମଧ୍ୟ ଏକାଧିକ ଥର ଇ˚ରେଜଙ୍କୁ କହିଥିଲେ, ଜନତାକୁ ହି˚ସା କରିବାକୁ ଆପଣ ହିଁ ବାଧ୍ୟ କରୁଛନ୍ତି। ଏହି ସରକାରକୁ ମଧ୍ୟ ଏହା କହିବାକୁ ହେବ। ଗତ କିଛି ବର୍ଷ ହେଲା ସରକାର ମିଛ କହିଚାଲିଛି; ଜନତାକୁ ଭଣ୍ତାଯାଉଛି। ସମାଜକୁ ଭାଙ୍ଗିବା ଓ ଦିଗଭ୍ରଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି। ଏବେ ଯାହା ଘଟିଲା, ତାହାର ହିଁ ପରିଣତି। ଆପଣ ସମ୍ବିଧାନକୁ ସାକ୍ଷୀ ରଖି ଗୋପନୀୟତାର ଶପଥ ପାଠ କଲେ ଏବ˚ ଅର୍ଣ୍ଣବ ଗୋସ୍ବାମୀକୁ ସୁରକ୍ଷା ସମ୍ବନ୍ଧୀୟ ସ˚ବେଦନଶୀଳ ମାମଲାର ଖବର ଦେଇଦେଲେ। ତାହା ହେଲେ ଦେଶ ଆପଣଙ୍କୁ କେମିତି ବିଶ୍ବାସକୁ ନେବ? ଆପଣ କିପରି ଜନତାର ମନ ରଖିବେ? ଆପଣ ସ୍ବେଚ୍ଛାଚାର କରୁଛନ୍ତି। କାରଣ, ଆପଣଙ୍କ ପାଖରେ ସ˚ସଦୀୟ ବହୁମତ ବା ସ˚ଖ୍ୟାଗରିଷ୍ଠତା ଅଛି। ତାହା ହେଲେ ଯେଉଁ ଜନତା, ଆପଣଙ୍କୁ ବହୁମତ ଦେଇଛି, କାହିଁକି ସ୍ବେଚ୍ଛାଚାର କରିବନାହିଁ? ସରକାର ଉଦାର ଦୃଷ୍ଟିଭଙ୍ଗୀ ରଖିଲେ ବିଶ୍ବାସଭାଜନ ହୋଇପାରିବ; ସି˚ହାସନରେ ବସି ଫମ୍ପା ଉପଦେଶ ଦେଲେ, କିଛି ପାଇବନାହିଁ। ଏହା ବହୁତ କଷ୍ଟକର। ଜନତା କୌଣସି ଭିଡ଼ ନୁହେଁ। ତେବେ, ଏହାକୁ ଭିଡ଼ରେ ପରିଣତ କରିବାର ବିପଦ ସର୍ବଦା ରହିଛି। ଜନତାକୁ ଜାଗ୍ରତ ନାଗରିକ କରି ରଖିବାର କଳା ହେଉଛି ଲୋକତନ୍ତ୍ର। ଆପଣଙ୍କୁ ବା ସେମାନଙ୍କୁ ଏହି କଳା ଜଣା ଥାଉ ବା ନ ଥାଉ; କିନ୍ତୁ, ଜନତାକୁ ଭିଡ଼ରେ ପରିଣତ କରିବାର ଯେଉଁ ଗର୍ହିତ ଖେଳ ଖେଳାଗଲା, ତାହା ଅସ୍ବସ୍ତିକର। ଏହା ଲୋକତନ୍ତ୍ରକୁ ନିନ୍ଦିତ କଲା। ଗତ କିଛି ବର୍ଷ ହେଲା ବେଶ୍‌ ଯୋଜନାବଦ୍ଧ ଭାବେ ଏହି ଖେଳ ଖେଳାଯାଉଛି। ଏହା ଦ୍ବାରା ସମାଜ ଓ ଦେଶର ଅଶେଷ କ୍ଷତି ହେଉଛି।

କେହି ଜଣେ ଯୁବକ ପତାକା ସ୍ତମ୍ଭ ଉପରକୁ ଚଢ଼ି କୃଷକଙ୍କ ପତାକା ଲଗାଇବା ବଦଳରେ ଖାଲସାର ଝଣ୍ତା ଉଡ଼ାଇଲା। ଏହା ନିଶ୍ଚିତ ଭାବେ ଅଶୋଭନୀୟ। ମୁଁ ଏହାର ବିରୋଧ ଓ ନିନ୍ଦା କରୁଛି। ଏହା ସମାଜକୁ ବାଣ୍ଟିବାର ଖେଳ। କ୍ଷମତାଧାରୀ ଆଜିକାଲି ଧର୍ମ ଓ ସ˚ପ୍ରଦାୟକୁ ଛୁରି ଭଳି ବ୍ୟବହାର କରୁଛି। କୃଷକର ଝଣ୍ତା, ଦେଶର କୃଷିଜୀବୀ ଆତ୍ମାର ପ୍ରତୀକ। ତେବେ, ଉକ୍ତ କୁ-କାର୍ଯ୍ୟ କୌଣସି ମୂର୍ଖ ଯୁବକର କାଣ୍ତ ନା କୌଣସି ଚାଲର ଏକ ଅ˚ଶ, ଏହା ପୁଲିସ୍‌ କହିବ ବା କୃଷକ ଆନ୍ଦୋଳନ ଏ ସ˚ପର୍କରେ ସ୍ପଷ୍ଟୀକରଣ ଦେବ। ଏଥି ପାଇଁ କୃଷକ ଆନ୍ଦୋଳନ ଉପରେ ଆରୋପ ଲଗାଯାଇପାରିବନାହିଁ। ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ପ୍ରମାଣ ସହ ଦେଶକୁ ସତ୍ୟ ଜଣାଇଦିଆଯିବା ଦରକାର।

ଆମେ ଏହା ମଧ୍ୟ ଭୁଲିବାନାହିଁ ଯେ, କେବଳ ଗାଜୀପୁରରୁ ବାହାରିଥିବା କୃଷକଙ୍କ ଶୋଭାଯାତ୍ରା ଆଦର୍ଶରୁ ବିଚ୍ୟୁତ ହୋଇଥିଲା; ଅନ୍ୟ କୌଣସି ସ୍ଥାନରୁ ବାହାରିଥିବା ଶୋଭାଯାତ୍ରା ଉପରେ ଆଦର୍ଶ-ଚ୍ୟୁତ ହୋଇଥିବାର ଅାରୋପ ଲଗାଯାଇପାରିବନାହିଁ। ଅନ୍ୟମାନେ ନିର୍ଦ୍ଧାରିତ ସମୟରେ ବାହାରିଥିଲେ ଏବ˚ ନିର୍ଦ୍ଧାରିତ ମାର୍ଗରେ ଅନୁଶାସନର ସହ ଶୋଭାଯାତ୍ରା ସମାପ୍ତ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ଏକ ସମୟରେ କୃଷକମାନେ ଟ୍ରାକ୍‌ଟର‌୍‌ ଶୋଭାଯାତ୍ରା ବାହାରକରିଥିଲେ। କୌଣସିଠାରେ କୌଣସି ଧରଣର ଆଇନ-ଶୃଙ୍ଖଳା ପରିସ୍ଥିତି ଉପୁଜି ନ ଥିଲା। ସାରା ଦେଶରେ କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ମାର୍ଗରେ ଶୋଭାଯାତ୍ରା ସମାପନ ହେଲା। କୃଷକ ଆନ୍ଦୋଳନ କ’ଣ ଏହାର ଶ୍ରେୟ ପାଇବାକୁ ହକ୍‌ଦାର ନୁହେଁ। ଗାଜୀପୁର ଶୋଭାଯାତ୍ରା ପଥ-ଭ୍ରଷ୍ଟ ହୋଇଥିଲା। ଏଥି ପାଇଁ କୃଷକ ଆନ୍ଦୋଳନ ପକ୍ଷରୁ କ୍ଷମା ମଗାଯିବା ଆବଶ୍ୟକ। କ୍ଷମା ପ୍ରାର୍ଥନାର ଭାଷା ଓ ପଦ୍ଧତିରେ ସଚ୍ଚୋଟତା ପ୍ରତିଫଳିତ ହେବା ଦରକାର। ଆମକୁ ବି କୃଷକଙ୍କୁ ସାବାସୀ ଦେବାକୁ ହେବ। ପହଁରା ଶିଖିବାକୁ ପାଣିରେ ପଶିବାକୁ ହୁଏ; ଠିକ୍‌ ସେହି ପରି ଉତ୍ତେଜନାପୂର୍ଣ୍ଣ ସମୟରେ ଶାନ୍ତିର ପାଠ ପଢ଼ାଯାଇପାରେ। କୃଷକମାନେ ଏହି ପାଠ ପଢ଼ୁଛନ୍ତି; ଆମେ ବି ପଢ଼ିବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ)

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର