ଅଷ୍ଟାବକ୍ର ଗୀତା

ଆମରି କଥା - ନାରାୟଣ ମିଶ୍ର

ମହର୍ଷି ଉଦ୍ଦାଳକ ନିଜ ପ୍ରିୟ ଶିଷ୍ୟ କହୋଡ଼ଙ୍କ ସହ ନିଜ କନ୍ୟା ସୁଜାତାଙ୍କୁ ବିବାହ କରିଦେବା ପରେ କହୋଡ଼ଙ୍କ ଔରସରୁ ସୁଜାତାଙ୍କ ଗର୍ଭରୁ ବ୍ରହ୍ମଜ୍ଞାନୀ ଅଷ୍ଟ ବକ୍ର ଜନ୍ମ ନେଇଥିଲେ। ମା’ଙ୍କ ଗର୍ଭରେ ଥିବା ବେଳେ ପିତାଙ୍କର ଅଶୁଦ୍ଧ ବେଦ ଉଚ୍ଚାରଣକୁ ବାରି ଦେବାରୁ ପିତାଙ୍କ ଅଭିଶାପରେ ସେ ଶରୀରର ଆଠଟି ଜାଗାରେ ବଙ୍କା ହୋଇ ଜନ୍ମ ନେଲେ; ତେଣୁ ତାଙ୍କ ନାମ ଅଷ୍ଟାବକ୍ର ହୋଇଥିଲା। ଶିଶୁର ଲାଳନପାଳନ ପାଇଁ ଅର୍ଥ ଭିକ୍ଷା ଉଦ୍ଦେଶ୍ୟରେ ମହର୍ଷି କହୋଡ଼ ରାଜା ଜନକଙ୍କ ଦରବାରରେ ଶାସ୍ତ୍ରାର୍ଥୀ ପଣ୍ତିତ ବନ୍ଦୀଙ୍କ ସହ ତର୍କଶାସ୍ତ୍ରରେ ହାରି ଜଳବନ୍ଦୀ ହୋଇ ମୃତ୍ୟୁବରଣ କଲେ। ପଣ୍ତିତ ବନ୍ଦୀଙ୍କୁ ହରାଇ ନ ପାରି ଅନେକ ଶାସ୍ତ୍ରଜ୍ଞଙ୍କୁ ଜଳରେ ବୁଡ଼ାଇ ମାରିଦେବାର ସର୍ତ୍ତ ମାନିବାକୁ ବାଧୢ କରାଯାଇଥିଲା। ଅଷ୍ଟାବକ୍ର ଜନ୍ମରୁ ନିଜ ଅଜା ଉଦ୍ଦାଳକଙ୍କୁ ‘ବାପା’ ଡାକୁଥିଲେ ଓ ତାଙ୍କରି କୋଳରେ ବଢ଼ୁଥିଲେ। ତାଙ୍କୁ ବାର ବର୍ଷ ବୟସରେ ସେ ପ୍ରଥମେ ଜାଣିଲେ ଯେ ତାଙ୍କ ବାପା ଶାସ୍ତ୍ରଜ୍ଞାନରେ ପରାସ୍ତ ହୋଇ ଜଳସମାଧି ନେଇଛନ୍ତି। ଜନକଙ୍କ ଦରବାରରେ ଶାସ୍ତ୍ରଜ୍ଞ ବନ୍ଦୀଙ୍କୁ ପରାସ୍ତ କରିବାକୁ ଯିବା କଥା କହିଲେ ଅଜା ଉଦ୍ଦାଳକ ଓ ମାତା ସୁଜାତା ଆଦୌ ରାଜି ହେବେନି ଜାଣି ଅଷ୍ଟାବକ୍ର ନିଜ ସମବୟସ୍କ ମାମୁଁ ଶ୍ବେତକେତୁଙ୍କ ସହ ଜନକଙ୍କ ସଭା ଦେଖିବାକୁ ଓ ସେଠାରୁ କିଛି ଜ୍ଞାନ ଆହରଣ କରିବାକୁ ଇଚ୍ଛା ପ୍ରକାଶ କଲେ। କୌଣସି ଆପତ୍ତି ନ କରି ଉଦ୍ଦାଳକ ଓ ସୁଜାତା ଏଥିପାଇଁ ଅନୁମତି ଦେଇଦେଲେ। ଆଜନ୍ମ ବ୍ରହ୍ମଜ୍ଞାନୀ ଅଷ୍ଟାବକ୍ରଙ୍କୁ ମାତ୍ର ବାରବର୍ଷ ହୋଇଥିବାରୁ ଜନକଙ୍କ ରାଜସଭାର ଦ୍ବାରପାଳ ତାଙ୍କୁ ବହୁ ଯୁକ୍ତିତର୍କ ପରେ ମଧୢ ଭିତରକୁ ଯିବାକୁ ଅନୁମତି ଦେଲା ନାହିଁ। ବହୁ ସମୟ ପରେ ନିଜେ ରାଜା ଜନକ ଅଷ୍ଟାବକ୍ରଙ୍କୁ ଦେଖିବା ମାତ୍ରେ ଭିତରକୁ ଆସିବାକୁ ଅନୁମତି ଦେଲେ। ଜନକଙ୍କ ବାରମ୍ବାର ବାରଣ ସତ୍ତ୍ବେ ବାର ବର୍ଷର ବାଳକ ‘ଅଷ୍ଟାବକ୍ର’ ଜ୍ଞାନାଭିମାନୀ ବନ୍ଦୀଙ୍କ ସହ ଶାସ୍ତ୍ରଜ୍ଞାନରେ ଯୁକ୍ତି କରିବାକୁ ଏବ˚ ଏଥିପାଇଁ ବିନା ବିଳମ୍ବରେ ‘ବନ୍ଦୀ’ଙ୍କୁ ତାଙ୍କ ସାମନାକୁ ଆଣିବାକୁ କହିଲେ।

ବନ୍ଦୀଙ୍କୁ ଦେଖିବା ମାତ୍ରେ ତାଙ୍କ ଉପରେ କ୍ରୋଧିତ ହୋଇ ଅଷ୍ଟାବକ୍ର କହିଲେ- ‘ଆତ୍ମଭିମାନୀ ବନ୍ଦୀ, ଶାସ୍ତ୍ରଜ୍ଞାନରେ ହରାଇ ଅନେକ ପଣ୍ତିତଙ୍କୁ ତୁମେ ଜଳସମାଧି ଦେଇଛ। ଏବେ ମୋ ସହ ଯେ କୌଣସି ଶାସ୍ତ୍ର ସମ୍ବନ୍ଧରେ ତୁମେ ଯୁକ୍ତି କର, ମୁଁ ପ୍ରଶ୍ନ ପଚାରିବି, ତୁମେ ଉତ୍ତର ଦେବ ଏବ˚ ତୁମେ ପ୍ରଶ୍ନ କଲେ ମୁଁ ଉତ୍ତର ଦେବି। ମୁଁ ଆଗରୁ କହି ରଖୁଛି ଯେ ତୁମକୁ ଶାସ୍ତ୍ରଜ୍ଞାନରେ ହରାଇ ଜଳସମାଧି ନ ଦେବା ପର୍ଯ୍ୟନ୍ତ ମୁଁ ଚୁପ୍‌ ହେବି ନାହିଁ।’

ବନ୍ଦୀ କହିଲେ- ଅଗ୍ନି ଏକ, ସୂର୍ଯ୍ୟ ଏକ, ଇନ୍ଦ୍ର ଏକ ଏବ˚ ଯମ ମଧୢ ଏକ। ତୁମେ ଦୁଇ କିଏ କୁହ। ଅଷ୍ଟାବକ୍ର କହିଲେ- ଇନ୍ଦ୍ର ଓ ଅଗ୍ନି ମିତ୍ର ଦୁଇ, ନାରଦ ଓ ପର୍ବତ ଉଭୟ ସ୍ଥିର, ଅଶ୍ବିନୀକୁମାର ଦୁଇ, ରଥ ଚକ ଦୁଇ। ବନ୍ଦୀ କହିଲେ- ପ୍ରାତଃ, ମଧୢାହ୍ନ ଓ ସନ୍ଧ୍ୟା ତିନି, ସ୍ବର୍ଗ, ମୃତ୍ୟୁ ଓ ନର୍କ ତିନି ଏବ˚ ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ତିନି ପ୍ରକାଶ। ଅଷ୍ଟାବକ୍ର କହିଲେ- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ ଚାରି ଆଶ୍ରମ; ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଚାରି ଜାତି; ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଚାରି ଦିଗ ଇତ୍ୟାଦି। ବନ୍ଦୀ କହିଲେ- ଯଜ୍ଞର ଅଗ୍ନି ଗାର୍ହପତ୍ୟ, ଦକ୍ଷିଣାଗ୍ନି ଆହବନୀୟ, ସଭ୍ୟ ଓ ଆବସଥ୍ୟ ପାଞ୍ଚପ୍ରକାର, ଦେବଯଜ୍ଞ, ପିତୃଯଜ୍ଞ, ଋଷିଯଜ୍ଞ, ଭୂତଯଜ୍ଞ ଓ ମନୁଷ୍ୟ ଯଜ୍ଞ ପାଞ୍ଚ, ଇନ୍ଦ୍ରିୟ ମଧୢ ପାଞ୍ଚ ଇତ୍ୟାଦି। ଅଷ୍ଟାବକ୍ର ଛଅ ଋତୁ, ଛଅ ଜ୍ଞାନେନ୍ଦ୍ରିୟ (ମନ ସହିତ) ଓ ଛଅ କୃତ୍ତିକା କଥା କହିଲେ। ଏମିତି ଯୁକ୍ତି ବହୁ ସମୟ ଚାଲିଲା। ଅଷ୍ଟାବକ୍ର ବାର ମାସ, ବାର ଆଦିତ୍ୟ ଇତ୍ୟାଦି କହିବା ପରେ ବନ୍ଦୀ ପୃଥିବୀ ତେର ଦ୍ବୀପରେ ଯୁକ୍ତ ଓ ତ୍ରୟୋଦଶ ତିଥି ଉତ୍ତମ ତିଥି- ଏତିକି କହି ଚୁପ୍‌ ହୋଇଗଲେ।

ଅଷ୍ଟାବକ୍ର ପଚାରିଲେ- ବନ୍ଦୀ ଆଉ ତେର କ’ଣ ଅଛି କହିବ ନା ମୁଁ କହିବି। ବନ୍ଦୀ ନିରୁତ୍ତର ରହିବାରୁ ଅଷ୍ଟାବକ୍ର କହିଲେ- କେଶୀ ନାମକ ଦୈତ୍ୟ ଭଗବାନ ବିଷ୍ଣୁଙ୍କ ସହ ତେର ଦିନ ଯୁଦ୍ଧ କରିଥିଲା ଏବ˚ ବେଦର ଅତିଜଗତି ଛନ୍ଦର ଏକ ପାଦ ତେର ଅକ୍ଷର ବିଶିଷ୍ଟ।

ବନ୍ଦୀ ନିଜେ ହାରିଯାଇଥିବା ମାନି ଚୁପ୍‌ ହୋଇଗଲେ। ଜନକଙ୍କ ରାଜସଭାର ସମସ୍ତ ବ୍ରାହ୍ମଣ ହାତଯୋଡ଼ି ବାର ବର୍ଷୀୟ ବାଳକ ଅଷ୍ଟାବକ୍ରଙ୍କୁ ପୂଜା କଲେ। ଅଷ୍ଟାବକ୍ର କହିଲେ- ଶହ ଶହ ଶାସ୍ତ୍ରଜ୍ଞଙ୍କୁ ଯୁକ୍ତିତର୍କରେ ହରାଇ ଜଳରେ ବୁଡ଼ାଇ ମାରିଥିବା ଏଇ ଆତ୍ମଭିମାନୀ ବନ୍ଦୀଙ୍କୁ ଏବେ ଜଳସମାଧି ନେବାକୁ ରାଜା ଆଦେଶ କରନ୍ତୁ। ବନ୍ଦୀ କହିଲେ- ହେ ଆତ୍ମଜ୍ଞାନୀ ପୂଜନୀୟ ବ୍ରହ୍ମନିଷ୍ଠ ବ୍ରାହ୍ମଣ ଅଷ୍ଟାବକ୍ର ମୁନି; ମୁଁ ବରୁଣଙ୍କ ନିଜ ପୁଅ। ଶାସ୍ତ୍ରରେ ହାରିଯାଇଥିବା ଓ ଜଳ ସମାଧି ନେଇଥିବା ସମସ୍ତ ଶାସ୍ତ୍ରଜ୍ଞ ମୋ ପିତା ବରୁଣଙ୍କ ରାଜସଭାରେ ହେଉଥିବା ଯଜ୍ଞ ଦେଖୁଛନ୍ତି। ମୁଁ ଏବେ ସେ ସମସ୍ତଙ୍କୁ ଏଠାରେ ଉପସ୍ଥିତ କରାଉଛି। ତାହା ହିଁ ହେଲା। ସେମାନଙ୍କ ମଧୢରେ ଥିବା ଅଷ୍ଟାବକ୍ରଙ୍କ ପିତା ମହର୍ଷି କହୋଡ଼ ନିଜ ପୁଅ ପାଇଁ ଗର୍ବିତ ବୋଲି କହିଲେ। ବନ୍ଦୀ ସମସ୍ତଙ୍କ ଠାରୁ ବିଦାୟ ନେଇ ଅଷ୍ଟାବକ୍ରଙ୍କୁ ପ୍ରଣାମ କରି ଜଳସମାଧି ନେଲେ। ପିତା କହୋଡ଼ ମହର୍ଷି ଅଷ୍ଟାବକ୍ରଙ୍କୁ କହିଲେ- ପୁତ୍ର, ତୁମେ ଶୀଘ୍ର ଏଇ ‘ସମଙ୍ଗା’ ନଦୀରେ ସ୍ନାନ କର। ଅଷ୍ଟାବକ୍ର ସ୍ନାନ କରିବା ପରେ ତାଙ୍କ ଅଷ୍ଟବକ୍ର ଶରୀର ସିଧା ହୋଇଗଲା।

ରାଜା ଜନକ ଅଷ୍ଟାବକ୍ରଙ୍କୁ ନିଜ ଗୁରୁ ବୋଲି ମାନି ତାଙ୍କ ନିକଟରୁ ଆତ୍ମଜ୍ଞାନ ଶିକ୍ଷା କରିବାକୁ ଅନୁରୋଧ କଲେ। ସିଦ୍ଧପୁରୁଷ ଅଷ୍ଟାବକ୍ର ରାଜା ଜନକଙ୍କୁ ଯେଉଁ ଉପଦେଶ ଓ ଜ୍ଞାନ ପ୍ରଦାନ କଲେ, ତାହା ହିଁ ‘ଅଷ୍ଟାବକ୍ର ଗୀତା’ ନାମରେ ପ୍ରସିଦ୍ଧି ଲାଭ କରିଛି। ଅଷ୍ଟାବକ୍ର ପ୍ରଥମେ ରାଜା ଜନକଙ୍କୁ ପରୀକ୍ଷା କଲେ ଏବ˚ ଜାଣିପାରିଲେ ଯେ ଜନକ ମାୟାମୁକ୍ତ। ରାଜ୍ୟ, ଧନସ˚ପତ୍ତି, ରାଣୀମହଲ ଥାଇ ବି ସେ ସା˚ସାରିକ ମାୟାରୁ ଊର୍ଦ୍ଧ୍ବରେ। ଶୁକମୁନି ପରିକ୍ଷିତଙ୍କ ପରି ଶିଷ୍ୟ, ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ପରି ଶିଷ୍ୟ ଓ ରାମକୃଷ୍ଣ ପରମହ˚ସ ବିବେକାନନ୍ଦଙ୍କ ପରି ଶିଷ୍ୟ ପାଇ ଯଥାକ୍ରମେ ଭାଗବତ, ଗୀତାଜ୍ଞାନ ଓ ସ˚ସାର ଜ୍ଞାନ ଦେବା ପରି ଅଷ୍ଟାବକ୍ର ରାଜା ଜନକଙ୍କ ପରି ଯୋଗ୍ୟ ଶିଷ୍ୟଙ୍କୁ ଆତ୍ମଜ୍ଞାନ ପ୍ରଦାନ କଲେ, ଯାହା ଅଷ୍ଟାବକ୍ର ଗୀତା। ଏହାର ସାରା˚ଶ ଉଲ୍ଲେଖ କରିବା ଅସମ୍ଭବ; ତଥାପି ଅତି ସ˚କ୍ଷେପରେ ଏହାର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉଲ୍ଲେଖ କରାଯାଇପାରେ।

ଅଷ୍ଟାବକ୍ରଙ୍କ ମତରେ- ଆତ୍ମା ଓ ବ୍ରହ୍ମ ଅଭିନ୍ନ। ଅହଙ୍କାର ଓ ‘ମୁଁ’ତ୍ବକୁ ତ୍ୟାଗ କରି ଯୋଗ୍ୟ ଶିଷ୍ୟ ହେବାକୁ ହେବ ଏବ˚ ଗୁରୁଙ୍କ ଠାରୁ ଆତ୍ମଜ୍ଞାନ ଆହରଣ କରିବାକୁ ହେବ। ଉତ୍ତମ ଶିଷ୍ୟ ହେବାକୁ ହେଲେ ମୁମୁକ୍ଷା, ପ୍ରଖର ପ୍ରଜ୍ଞା, ଶ୍ରଦ୍ଧା, ସମର୍ପଣ ଭାବ, ନମ୍ରତା ଓ ପୂର୍ବଜନ୍ମର ଅର୍ଜିତ ଜ୍ଞାନ ଆହରଣ କରିବାକୁ ହେବ। ‘‘ମୁଁ’’ ଅଥବା ଅହଙ୍କାର ଅନନ୍ତ ଭିକ୍ଷାର୍ଥୀ। ଏହାକୁ ଯେତେ ପୂରଣ କଲେ ମଧୢ ଏହା ଶୂନ୍ୟ ହିଁ ରହେ। ବିଷୟ ବାସନାର ମୃଗତୃଷ୍ଣା ହିଁ ଆମକୁ ଦୁଃଖ ଦେଇ ଚାଲିଛି। ଧନ ଏକତ୍ର କରିବାର ଉଦ୍ଦେଶ୍ୟ ମଧୢରେ ଶୋଷଣ ଓ ଭ୍ରଷ୍ଟାଚାର ଅନ୍ତର୍ନିହିତ ହୋଇ ରହିଥାଏ। ଶରୀର ବନ୍ଧନ ନୁହେଁ, ତା’ର କର୍ମ ମଧୢ ବନ୍ଧନ ନୁହେଁ, ମନ ବନ୍ଧନ ନୁହେଁ କିମ୍ବା ତା’ର ବିଚାର ମଧୢ ବନ୍ଧନ ନୁହେଁ- କେବଳ ବାସନା ହିଁ ବନ୍ଧନ। ଯାହା ପାଖରେ କିଛି ନାହିଁ ସେ ଦୀନ ନୁହେଁ, ବର˚ ଯିଏ ନିରନ୍ତର ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରୁଛି ସେଇ ବ୍ୟକ୍ତି ହିଁ ଦୀନ। ତେଣୁ ଇଚ୍ଛା ହିଁ ଦୀନତାର କାରଣ। ଯାହା କିଛି ବି ହେଉଛି ସେ ସବୁ ଠିକ୍‌ ହେଉଛି ବୋଲି ସ୍ବୀକାର କରି ଶାନ୍ତ ରହିବା ହିଁ ପ୍ରକୃତ ଜ୍ଞାନ।

ଅଷ୍ଟାବକ୍ର ଓ ଜନକ ଉଭୟ ମହାଜ୍ଞାନୀ, ସ୍ଥିତପ୍ରଜ୍ଞ ଓ ସିଦ୍ଧପୁରୁଷ- ତେଣୁ ଏମାନଙ୍କ କଥୋପକଥନ ଲିପିବଦ୍ଧ ହୋଇଥିବା ଶାସ୍ତ୍ର ‘‘ଅଷ୍ଟାବକ୍ର ଗୀତା’’ ଆମ ସମସ୍ତଙ୍କର ପଠନଯୋଗ୍ୟ ଗ୍ରନ୍ଥ।

[email protected]

ସମ୍ବନ୍ଧିତ ଖବର