ଗାନ୍ଧୀଙ୍କ ଗାନ୍ଧୀ ହେବାର ଯାତ୍ରା

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

‘ଦ ଲାଇଫ୍‌ ଅଫ୍‌ ମହାତ୍ମା ଗାନ୍ଧୀ’ ପୁସ୍ତକ ପାଇଁ ମାର୍କିନ୍‌ ଲେଖକ ଲୁଇ ଫିସର‌୍‌ ସୁପରିଚିତ। ତାଙ୍କର ପୁସ୍ତକ ଆଧାରରେ ରିଚାର୍ଡ‌୍‌ ଆଟେନ୍‌ବରୋ ୧୯୮୨ରେ ନିଜର ପ୍ରସିଦ୍ଧ ପୁରସ୍କାର-ବିଜୟୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଗାନ୍ଧୀଙ୍କ ହତ୍ୟାର ଏକ ବର୍ଷ ପରେ ୧୯୪୯ରେ ଲୁଇଙ୍କ ପୁସ୍ତକ ପ୍ରକାଶ ପାଇଥିଲା। ଏହାର ସାତ ବର୍ଷ ପୂର୍ବରୁ ସେ ‘ଏ ଉଇକ୍‌ ଉଇଥ୍‌ ଗାନ୍ଧୀ’ ନାମକ ନାତିସ୍ଥୂଳ ପୁସ୍ତକ ରଚନା କରିଥିଲେ, ଯେଉଁଟି ଆଜିକାଲି ବିଶେଷ ଜଣାଶୁଣା ନୁହେଁ। ୧୯୪୨ ଗ୍ରୀଷ୍ମରେ ସେ ଭାରତ ଭ୍ରମଣରେ ଆସିଥିଲେ। ପ୍ରଥମେ ବମ୍ବେରେ ଆମ୍ବେଦକର, ସାଵରକର ଓ ଜିନ୍ନାଙ୍କ ସହ ଆଲୋଚନା ହୋଇଥିଲା। ତାହା ପରେ ସେବାଗ୍ରାମ ଯାତ୍ରା କରିଥିଲେ ଏବ˚ ସେଠାକାର ସବୁଠାରୁ ପ୍ରସିଦ୍ଧ ବାସିନ୍ଦାଙ୍କୁ ଭେଟି ଆଲୋଚନା କରିଥିଲେ। ଉକ୍ତ ସାକ୍ଷାତ୍‌ଗୁଡ଼ିକ ଉପରେ ତାଙ୍କର ପୁସ୍ତକ ଆଧାରିତ। ଏହି ପୁସ୍ତକରେ ଠାଏ ସେ ଲେଖିଛନ୍ତି:

‘ଜିନ୍ନା, ମୋ ସହ କଥା ହୋଇଥିଲେ ଏବ˚ ମୋତେ ବିଶ୍ବାସ ଦେବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଯେତେ ବେଳେ ଗୋଟିଏ ପ୍ରଶ୍ନ ପଚାରିଲି, ତାଙ୍କ ଉତ୍ତର ଏକ ଫୋନୋଗ୍ରାଫ୍‌ ରେକର୍ଡ‌୍‌ ବଜାଇବା ଭଳି ମୋତେ ଲାଗିଲା। ସେ ଯାହା କହିଲେ, ପୂର୍ବରୁ ଶୁଣିଥିଲି। ସେ ଯଦି କିଛି ଲିଖିତ ଦେଇଥାଆନ୍ତେ, ତାହା ପଢ଼ିପାରିଥାଆନ୍ତି। କିନ୍ତୁ, ଯେତେବେଳେ ଗାନ୍ଧୀଙ୍କୁ କିଛି ପଚାରିଲି, ଏକ ସର୍ଜନାତ୍ମକ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭଳି ମତେ ଲାଗିଲା। ତାଙ୍କ ଚିତ୍ତ କାମ କରୁଥିବା ମୁଁ ଶୁଣି ଓ ଦେଖି ପାରୁଥିଲି। ଜିନ୍ନାଙ୍କ ସହ ଥିବା ବେଳେ କେବଳ ଫୋନୋଗ୍ରାଫ୍‌ ରେକର୍ଡ‌୍‌ରେ ପିନ୍‌ ଘଷି ହେଉଥିବା ଶୁଣି ପାରିଥିଲି। ଗାନ୍ଧୀ ଯେତେବେଳେ ଏକ ସିଦ୍ଧାନ୍ତ ପାଖରେ ଉପନୀତ ହେଲେ, ତାଙ୍କୁ ବୁଝିପାରୁଥିଲି। ତେଣୁ, ଜଣେ ସାକ୍ଷାତ୍‌କର୍ତ୍ତା ପାଇଁ ଜିନ୍ନାଙ୍କ ତୁଳନାରେ ସେ ଅଧିକ ଆଗ୍ରହ ଉଦ୍ଦୀପକ। ଯଦି ତୁମେ ଗାନ୍ଧୀଙ୍କୁ ଠିକ୍‌ ଭାବେ ଧରିପାରିବ, ନୂତନ ଚିନ୍ତାଧାରାର ଅଧ୍ୟାୟ ଉନ୍ମୋଚିତ ହେବ। ତାଙ୍କ ସହ ଏକ ସାକ୍ଷାତ୍‌କାର, କିଛି ଆବିଷ୍କାର ପାଇଁ ମହାଯାତ୍ରା ଏବ˚ ସେ ନିଜ ବୟାନକୁ ନେଇ ସ୍ବୟ˚ ବେଳେ ବେଳେ ବିସ୍ମିତ ହୁଅନ୍ତି।’

ଶୁଣିବା ଓ ଶିଖିବାର ଏହି ସାମର୍ଥ୍ୟ; ଯଦି କିଛି ବିପରୀତ ପ୍ରମାଣ ମିଳେ, ନିଜର ଦୃଷ୍ଟିକୋଣ ପରିବର୍ତ୍ତନ କରିବାର ଇଚ୍ଛା-ଶକ୍ତି; ଗାନ୍ଧୀଙ୍କୁ ତାଙ୍କ ସମୟର ଅନ୍ୟ ରାଜନେତା ତଥା ଆମ ରାଜନେତାଙ୍କଠାରୁ ମଧ୍ୟ ଅଲଗା କରିରଖିଛି। ନିଜର ସାଥୀ ଓ ବିରୋଧୀଙ୍କ ସହ କ୍ରମାଗତ ଆଲୋଚନା ବେଳେ ସେ କ୍ରମାଗତ ଭାବେ ନିଜର ସ୍ଥିତିକୁ ପ୍ରଶ୍ନ କରୁଥିଲେ। ଏହି ପ୍ରସଙ୍ଗରେ ଜାତି, ସ˚ପ୍ରଦାୟ, ବର୍ଣ୍ଣ ଓ ଲିଙ୍ଗ ବାବଦରେ ଗାନ୍ଧୀଙ୍କ ଦୃଷ୍ଟିକୋଣର ବିଚାର କରାଯାଇପାରେ। ଏହିସବୁ କ୍ଷେତ୍ରରେ ଗାନ୍ଧୀ ଆଜୀବନ ନିଜ ଦୃଷ୍ଟିକୋଣରେ ସର୍ବଦା ପରିବର୍ତ୍ତନ ଆଣିଥିଲେ; ନିଜ ଭିତରେ ଥିବା ପ୍ରତିକ୍ରିୟାଶୀଳ ଭ୍ରାନ୍ତି ତ୍ୟାଗ କରିଥିଲେ ଏବ˚ ଅଧିକ ସମତାବାଦୀ ଚିନ୍ତାଧାରାକୁ ଗ୍ରହଣ କରିଥିଲେ।

ଭାରତୀୟ ସାମାଜିକ ସ˚ସ୍କୃତିରେ ବର୍ଣ୍ଣବାଦର ଚେର ବେଶ୍‌ ଗଭୀରକୁ ଯାଇଛି। ଏହି ଅରୁଚିକର ମାନସିକତା କବଳରୁ ପୁରୁଷମାନେ ଏ ପର୍ଯ୍ୟନ୍ତ ମୁକ୍ତି ପାଇପାରିନାହାନ୍ତି; ତେଣୁ, ସର୍ବଦା ଗୋରୀ କନ୍ୟା ଖୋଜନ୍ତି। କାଠିୟାଵାଡ଼ରେ ବଢ଼ିଥିବା ଗାନ୍ଧୀ ମଧ୍ୟ ଜୀବନର ଆଦ୍ୟ ଭାଗରେ ଏହି ମାନସିକତାରୁ ମୁକ୍ତ ନ ଥିଲେ। ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ରହଣି କାଳରେ ଆଫ୍ରିକାନ୍‌ଙ୍କ ବିରୋଧରେ ମର୍ଯ୍ୟାଦାହାନିକର ମନ୍ତବ୍ୟ ଦେଇଥିଲେ। ତାଙ୍କ ଦୃଷ୍ଟିରେ ଆଫ୍ରିକାନ୍‌ମାନେ ଭାରତୀୟଙ୍କ ତୁଳନାରେ ନିକୃଷ୍ଟ ଥିଲେ। ତେବେ, ସମୟ କ୍ରମେ ତାଙ୍କର ଏହି ଚିନ୍ତାଧାରା ବଦଳିଥିଲା। ସେ କ୍ରମଶଃ ଆଫ୍ରିକାନ୍‌ମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ୧୯୦୮ରେ ସେ ଜୋହାନ୍‌ସବର୍ଗ‌୍‌ରେ ଦେଇଥିବା ଭାଷଣ ମହତ୍ତ୍ବପୂର୍ଣ୍ଣ। ସେ କହିଥିଲେ- ସମସ୍ତ ଭିନ୍ନ ଭିନ୍ନ ବର୍ଣ୍ଣ ଓ ସ˚ପ୍ରଦାୟର ଲୋକେ ଏକତ୍ର ଏ ଭଳି ଏକ ସଭ୍ୟତା ଗଢ଼ିବା, ଯାହା ବିଶ୍ବ ସ˚ଭବତଃ ପୂର୍ବରୁ କେବେ ଦେଖି ନ ଥିବ।

ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକା ଅବସ୍ଥାନ ଶେଷ ହେବା ବେଳକୁ ସେ ବର୍ଣ୍ଣବୈଷମ୍ୟବାଦୀରୁ ଅଣ-ବର୍ଣ୍ଣବୈଷମ୍ୟବାଦୀକୁ ରୂପାନ୍ତରିତ ହୋଇ ସାରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦୃଷ୍ଟିକୋଣରେ ଆହୁରି ପରିବର୍ତ୍ତନ ଆସିଥିଲା। ଜୀବନର ଶେଷ ଦଶନ୍ଧିଗୁଡ଼ିକରେ ସେ ନୀତି-ନିଷ୍ଠ ଅଣ-ବର୍ଣ୍ଣବୈଷମ୍ୟବାଦୀ ଥିଲେ। ଆଫ୍ରିକାନ୍‌-ଆମେରିକାନ୍‌ ସକ୍ରିୟତାବାଦୀଙ୍କ ସହ ଯୋଗାଯୋଗରେ ଥିଲେ। ସେବାଗ୍ରାମ ଆଶ୍ରମରେ ସେମାନଙ୍କୁ ଆତିଥ୍ୟ ଦେଉଥିଲେ। ନିଜ ଦେଶରେ ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଅହି˚ସାତ୍ମକ ସତ୍ୟାଗ୍ରହ ମାଧ୍ୟମରେ ଲଢ଼ିବା ପାଇଁ ସେମାନଙ୍କୁ ପ୍ରେରଣା ଦେଉଥିଲେ। ପ୍ରକୃତ ପକ୍ଷେ ସେମାନେ ଗାନ୍ଧୀ ପ୍ରଦର୍ଶିତ ମାର୍ଗରେ ହିଁ ଚାଲିଥିଲେ। ଦକ୍ଷିଣ ଆଫ୍ରିକା ଅବସ୍ଥାନ କାଳରେ ଗାନ୍ଧୀ, ଭାରତୀୟଙ୍କର ସ˚ଘର୍ଷକୁ ଆଫ୍ରିକାନ୍‌ମାନଙ୍କଠାରୁ ଅଲଗା କରି ରଖିଥିଲେ। ତେବେ, ତାହା ଯେ ମୂର୍ଖତା ଥିଲା ସେ କଥା ସେ ପଛରେ ବୁଝିପାରିଥିଲେ। ୧୯୪୬ରେ ଯେତେ ବେଳେ ଦକ୍ଷିଣ ଆଫ୍ରିକାର ଭାରତୀୟ ପ୍ରତିନିଧି ଦଳ ତାଙ୍କୁ ଭେଟିବାକୁ ଆସିଥିଲେ, ‘ଜୁଲୁ’ ଓ ‘ବାନ୍‌ଟୁ’ମାନଙ୍କୁ ନିଜ ସହ ରଖିବା ପାଇଁ ଗାନ୍ଧୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ- ଏସିଆ କେବଳ ଏସୀୟମାନଙ୍କର ଏବ˚ ଆଫ୍ରିକା କେବଳ ଆଫ୍ରିକୀୟମାନଙ୍କର ବୋଲି ଭାବନା ଆଉ ସମୟ ଉପଯୋଗୀ ନୁହେଁ। ବିଶ୍ବର ସମସ୍ତ ନିର୍ଯାତିତ ବର୍ଣ୍ଣ ଓ ସ˚ପ୍ରଦାୟର ଏକତା ଏବର ସ୍ଲୋଗାନ୍‌ ହେବା ଉଚିତ।

ଗାନ୍ଧୀ ନିଜ ଆତ୍ମଚରିତରେ ଲେଖିଛନ୍ତି, ସମୁଦ୍ର-ଯାତ୍ରା କରି ବିଦେଶ ଯିବା ପାଇଁ ସେ ନିଜର ‘ମୋଢ଼ ବନିୟା’ ସ˚ପ୍ରଦାୟକୁ ଅମାନ୍ୟ କରିଥିଲେ। ଦକ୍ଷିଣ ଆଫ୍ରିକା ରହଣି କାଳରେ ଦଳିତଙ୍କୁ ଯେଉଁ ଭଳି ଭାବେ ଖରାପ ବ୍ୟବହାର କରାଯାଉଥିଲା, ତାହା ଦେଖି ବ୍ୟଥିତ ହୋଇଥିଲେ। ସେ ଅସ୍ପୃଶ୍ୟତାକୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ। ତେବେ, ସିଧା-ସଳଖ ଜାତି ବ୍ୟବସ୍ଥାର ମୁକାବିଲା ପାଇଁ ସାହସ ଜୁଟାଇ ପାରି ନ ଥିଲେ। ୧୯୧୫ରେ ଭାରତ ଫେରିବା ପରେ ହିଁ ସେ ଜାତିବାଦ ବିରୋଧରେ ନିଜର ସ୍ବର ଦୃଢ଼ ଓ ତୀବ୍ର କରିଥିଲେ। ୧୯୨୦ରେ ସମାଜ ସ˚ସ୍କାରକ ନାରାୟଣ ଗୁରୁଙ୍କ ଅନୁଗାମୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଗାନ୍ଧୀ ଦଳିତଙ୍କ ମନ୍ଦିର-ପ୍ରବେଶ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯୩୦ରେ ଦଳିତଙ୍କ ତ୍ରାଣକର୍ତ୍ତା ଆମ୍ବେଦକରଙ୍କ ଆହ୍ବାନର ସମ୍ମୁଖୀନ ହୋଇ ନିଜର ଜାତିବାଦ-ବିରୋଧୀ ଦୃଷ୍ଟିଭଙ୍ଗୀକୁ ଆହୁରି ବ୍ୟାପକ କରିଥିଲେ। ଏତେ ବେଳକୁ ସେ ସକାରାତ୍ମକ ପଦକ୍ଷେପମାନ ନେବା ଆରମ୍ଭ କରିସାରିଥିଲେ; ଯଥା- ଦଳିତଙ୍କ ସହ ଏକତ୍ର ଭୋଜନ ଏବ˚ ଶେଷରେ ସବର୍ଣ୍ଣ ଓ ଦଳିତଙ୍କ ମଧ୍ୟରେ ବିବାହ। ମଣିଷଠାରୁ ମଣିଷକୁ ଭିନ୍ନ କରୁଥିବା, ବୈଷମ୍ୟକୁ ପୋତ୍ସାହନ ଦେଉଥିବା ଏକ ଜାତି ବ୍ୟବସ୍ଥା ନ ରହିବା ଉଚିତ ବୋଲି ନିଜ ଅଭିଜ୍ଞତା, ବିବେକ ଓ ବିଚାରବୋଧ ତଥା ସମାଲୋଚକଙ୍କ ସହ ବିତର୍କରୁ ତାଙ୍କର ହୃଦ୍‌ବୋଧ ହୋଇଥିଲା।

ଯୌବନରେ ଜାତି ଓ ବର୍ଣ୍ଣକୁ ନେଇ ନିଜ ଭିତରେ ରହିଥିବା ଭ୍ରାନ୍ତିକୁ ପରବର୍ତ୍ତୀ କାଳରେ ଗାନ୍ଧୀ ସ˚ପୂର୍ଣ୍ଣ ପରିତ୍ୟାଗ କରିଥିଲେ। ଲିଙ୍ଗକୁ ନେଇ ତାଙ୍କର ନୈତିକ ବିବର୍ତ୍ତନ ଯଦିଓ ପୂର୍ଣ୍ଣ ସ୍ବରୂପ ନେଇପାରି ନ ଥିଲା; ତଥାପି ତାହାକୁ ଉଲ୍ଲେଖନୀୟ ବୋଲି କହିପାରିବା। ଘରୋଇ ପାରିବାରିକ ଜୀବନରେ ଗାନ୍ଧୀ ଥିଲେ ହିନ୍ଦୁ ପିତୃବାଦୀ। ଦକ୍ଷିଣ ଆଫ୍ରିକାରେ ସ୍ବାଧୀନ ଚିନ୍ତାଧାରା ସ˚ପନ୍ନ ଦୁଇ ଜଣ ଇଉରୋପୀୟ ମହିଳାଙ୍କ ସ˚ସ୍ପର୍ଶରେ ଆସି ନ ଥିଲେ ହୁଏ’ତ ସାର୍ବଜନୀନ ଜୀବନରେ ବି ସେହି ଭଳି ରହିଥାଆନ୍ତେ। ସେ ଦୁଇ ଜଣ ଥିଲେ- ମେଲି ଗ୍ରାହାମ୍‌, ଗାନ୍ଧୀଙ୍କ ବନ୍ଧୁ ତଥା ଗୃହସାଥୀ (ହାଉସ୍‌ମେଟ୍‌) ହେନ୍‌ରି ପୋଲକ୍‌ଙ୍କ ପତ୍ନୀ ଏବ˚ ସୋନିଆ ସ୍ଲାସେନ୍‌, ଯିଏ ଗାନ୍ଧୀଙ୍କ ସହକର୍ମୀ ଥିଲେ, ତାଙ୍କ ଆଇନ କାର୍ଯ୍ୟାଳୟରେ କାମ କରୁଥିଲେ। ସେମାନଙ୍କୁ ଭେଟିବା ପୂର୍ବରୁ ଗାନ୍ଧୀ କେବଳ ବିନୀତ, ଆଜ୍ଞାଧୀନ ଓ ଅଧସ୍ତନ ମହିଳାଙ୍କୁ ଦେଖିଥିଲେ। ମେଲିଙ୍କ ସହ ଗୋଟିଏ ଘରେ ବାସ ଏବ˚ ସୋନିଆଙ୍କ ସହ ଗୋଟିଏ କାର୍ଯ୍ୟାଳୟରେ କର୍ମ ଯୋଗୁଁ ଗାନ୍ଧୀ ଦୁହିଁଙ୍କୁ ଭଲ ଭାବେ ଜାଣିବା ପାଇଁ ସୁଯୋଗ ପାଇଥିଲେ। ଦୁହେଁ ଥିଲେ ନୀତିମତୀ, ସ୍ବାଧୀନଚେତା ଏବ˚ ସାମାଜିକ ପ୍ରତିନିଧି। ଦୁହିଁଙ୍କ ସହ ତାଙ୍କର ମିଳା-ମିଶା ଅଭିଜ୍ଞତାର ସୁଫଳ ଦେଖିବାକୁ ମିଳିଥିଲା, ୧୯୧୩ରେ ହୋଇଥିବା ଏକ ମୁଖ୍ୟ ସତ୍ୟାଗ୍ରହରେ। କସ୍ତୁରବାଙ୍କ ସମେତ ବହୁ ଭାରତୀୟ ମହିଳା ଉକ୍ତ ସତ୍ୟାଗ୍ରହରେ ଯୋଗ ଦେଇଥିଲେ।

ଭାରତ ଫେରିବା ପରେ ଗାନ୍ଧୀ ପ୍ରଥମେ ଜାତୀୟ ରାଜନୀତିରୁ ମହିଳାଙ୍କୁ ଦୂରେଇ ରଖିବାକୁ ଚାହୁଁଥିଲେ। ପୁରୁଷ ଓ ମହିଳା ଏକତ୍ର ସାର୍ବଜନୀନ ସ୍ତରୀୟ ସଭା-ସମିତିରେ ଏକତ୍ର ହେଲେ, ଏକ ରକ୍ଷଣଶୀଳ ସମାଜ କାଳେ ତୀବ୍ର ପ୍ରତିକ୍ରିୟା ଓ ବଇରୀ ଭାବ ପ୍ରକାଶ କରିବ, ଏହାକୁ ନେଇ ସେ ଚିନ୍ତିତ ଥିଲେ। ସେହି ସମୟରେ ପୁଣି ଥରେ ଦୁଇ ଜଣ ନେତୃସ୍ଥାନୀୟା ଆଗକୁ ଆସିଥିଲେ ଏବ˚ ଅଧିକ ପ୍ରଗତିଶୀଳ ହେବା ପାଇଁ ତାଙ୍କୁ ଉତ୍ସାହିତ କରିଥିଲେ। ସେ ଦୁହେଁ ଥିଲେ- ସରୋଜିନୀ ନାଇଡୁ ଓ କମଲାଦେବୀ ଚଟ୍ଟୋପାଧ୍ୟାୟ। ଏପରିକି ଇଉରୋପ ଓ ଉତ୍ତର ଆମେରିକାରେ ଯେଉଁ ସମୟରେ କୌଣସି ରାଜନୈତିକ ଦଳର ନେତୃତ୍ବ ନେବାକୁ ମହିଳା ନ ଥିଲେ, ସେହି ସମୟରେ ୧୯୨୫ରେ ସରୋଜିନୀ ‘ଭାରତୀୟ ଜାତୀୟ କ˚ଗ୍ରେସ୍‌’ର ସଭାନେତ୍ରୀ ହୋଇପାରିଥିଲେ। ‘ଲବଣ ସତ୍ୟାଗ୍ରହ’ ବେଳେ କମଲାଦେବୀ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରେ ୧୯୪୨ରେ ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ ଶତାଧିକ ମହିଳା ସକ୍ରିୟତାବାଦୀ ଆଗକୁ ବାହାରି ନେତୃତ୍ବ ନେଇଥିଲେ। ସେମାନେ ଆନ୍ଦୋଳନ ଓ ଧର୍ମଘଟ କରିଥିଲେ; ଆଇନ ଅମାନ୍ୟ କରି କାରାଦଣ୍ତ ଭୋଗିଥିଲେ। ଗାନ୍ଧୀଙ୍କ ଆନ୍ଦୋଳନରେ ମହିଳାମାନେ ଯେଉଁ ଭଳି ଭାବେ ଏବ˚ ଯେପରି ବଡ଼ ସ˚ଖ୍ୟାରେ ଭାଗ ନେଇଥିଲେ, ଏସିଆ ବା ଆଫ୍ରିକାର ଅନ୍ୟ କୌଣସି ଉପନିବେଶବାଦ ବିରୋଧୀ ଆନ୍ଦୋଳନରେ ସେହି ଭଳି ଘଟି ନ ଥିଲା।

ସାମାଜିକ ପକ୍ଷପାତିତା ଓ ବୈଷମ୍ୟର ତିନିଟି ମୁଖ୍ୟ ବିଷୟ ହେଲା- ବର୍ଣ୍ଣ, ଜାତି ଓ ଲିଙ୍ଗ। ତେଣୁ, ଏଠାରେ ମୁଁ ସେଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ଏବ˚ ଏହି ପ୍ରସଙ୍ଗରେ ଗାନ୍ଧୀଙ୍କ ବିବର୍ତ୍ତିତ ଦୃଷ୍ଟିକୋଣ ଦର୍ଶାଇଛି। ତେବେ, ଗାନ୍ଧୀ ଏସବୁ ବାହାରେ ମଧ୍ୟ ଅନ୍ୟ ବିଷୟରେ କ୍ରମାଗତ ଭାବେ ବିଚାରବିମର୍ଶ କରୁଥିଲେ। ଦୃଷ୍ଟାନ୍ତ ସ୍ବରୂପ, ବିଜ୍ଞାନ ଓ କାରିଗରୀ କୌଶଳ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ। ୧୯୦୯ରେ ସେ ରଚନା କରିଥିଲେ- ‘ହିନ୍ଦ ସ୍ବରାଜ’। ଏଥିରେ ସେ ସମକାଳୀନ କାରିଗରୀ ଜ୍ଞାନ କୌଶଳକୁ ଭୟ କରୁଥିବା ସ୍ପଷ୍ଟ ବାରି ହୁଏ। ହେଲେ, ପରବର୍ତ୍ତୀ ସମୟରେ ସେ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲେ। ଜଣେ ଭାରତୀୟ ଓ ଜଣେ ଇଉରୋପୀୟ ଶଲ୍ୟ ଚିକିତ୍ସକଙ୍କ ଦ୍ବାରା ଦୁଇ ଦୁଇ ଥର ଅସ୍ତ୍ରୋପଚାର ପରେ, ଆଧୁନିକ ଭେଷଜ ଚିକିତ୍ସା ପ୍ରତି ତାଙ୍କ ମନରେ ଥିବା ଭୟ ଓ ଶତ୍ରୁଭାବ ଦୂର ହୋଇଥିଲା। ସିଭି ରମଣଙ୍କ ପରି ବିଜ୍ଞାନୀଙ୍କ ସ˚ସ୍ପର୍ଶରେ ଆସି, ଆଧୁନିକ ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ ନିଜର ଆତ୍ମଚରିତକୁ ‘ଦ ଷ୍ଟୋରି ଅଫ୍‌ ମାଇ ଏକ୍‌ସପେରିମେନ୍‌ଟସ ଵିଥ୍‌ ଟ୍ରୁଥ୍‌’ ଭାବେ ନାମିତ କରିବା ନିଶ୍ଚିତ ଭାବେ ଏକ ଆକସ୍ମିକତା ନ ଥିଲା।

ଗାନ୍ଧୀ ରେଳରେ ଭ୍ରମଣ କରୁଥିବା ବେଳେ, ଆଶ୍ରମରେ ଥିବା ବେଳେ, ଏକାନ୍ତରେ ତଥା ଲୋକଙ୍କ ମେଳରେ ଥିବା ବେଳେ ସର୍ବଦା ସତ୍ୟ ସହ ପରୀକ୍ଷା-ନିରୀକ୍ଷା କରୁଥିଲେ। ଲୁଇ ଫିସର‌୍‌ ୧୯୪୨ରେ ଲେଖିଥିଲେ- ଗାନ୍ଧୀଙ୍କର ଆତ୍ମ-ପରୀକ୍ଷା ଏବ˚ ଆତ୍ମ-ସମାଲୋଚନା ଗୁଣ ଦୁଇଟି ତାଙ୍କର ସ˚ପୂର୍ଣ୍ଣ ନିଜସ୍ବ, ଯାହା ତାଙ୍କର ସାଥୀ ଗୁଜରାଟୀ ମହମ୍ମଦ ଅଲୀ ଜିନ୍ନାଙ୍କଠାରେ ଆଦୌ ନ ଥିଲା। ଏବେ ୨୦୨୧ରେ ମୁଁ କହିବି, ଏବର ସବୁଠାରୁ କ୍ଷମତାଶାଳୀ ଗୁଜରାଟୀ ନରେନ୍ଦ୍ର ମୋଦୀଙ୍କଠାରେ ମଧ୍ୟ ଗାନ୍ଧୀଙ୍କର ଉକ୍ତ ଦୁଇଟି ମହାନ୍‌ ଗୁଣର କାଣିଚାଏ ସୁଦ୍ଧା ନାହିଁ।

୧୯୪୨ରେ ନିଜର ନାତିସ୍ଥୂଳ ପୁସ୍ତକରେ ଲୁଇ ଆହୁରି ମଧ୍ୟ ଲେଖିଥିଲେ ଯେ ଗାନ୍ଧୀଙ୍କୁ ଭେଟିବା, ତାଙ୍କର ସାକ୍ଷାତ୍‌କାର ନେବା, ତାଙ୍କ ସହ ଆଲୋଚନା କରିବା, ଏକ ସୁଖକର ଅନୁଭବ। କାରଣ, ସେ ନିଜକୁ ସ˚ପୂର୍ଣ୍ଣ ଉନ୍ମୁକ୍ତ କରିଦିଅନ୍ତି, ଯେମିତି ଯିଏ ଚାହିଁବ, ସବୁ କିଛି ସ୍ପଷ୍ଟ ଭାବେ ଦେଖିପାରିବ। ଏହି ଦୃଷ୍ଟିରୁ ଗାନ୍ଧୀ, ଅନ୍ୟ ଭାରତୀୟ ରାଜନେତାଙ୍କଠାରୁ ସ˚ପୂର୍ଣ୍ଣ ଭିନ୍ନ। ଅନ୍ୟ ନେତାମାନେ ନିଜର ଚିନ୍ତାଧାରାକୁ ପ୍ରକାଶ କରିବା ପୂର୍ବରୁ ଏକ ଚୂଡ଼ାନ୍ତ ରୂପ ଦେଇଥାଆନ୍ତି, ଯେମିତି ବିରୋଧର ସାମନା କରିବାର ଆଶଙ୍କା କମ୍‌ ରହିବ। ଗାନ୍ଧୀ ସେହି ପରି ନ ଥିଲେ। ଲୁଇ ଜଣେ ସାମ୍ବାଦିକ ଭାବେ ପୁସ୍ତକଟି ରଚନା କରିଥିଲେ। ସେ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟିଥିଲେ। ତେବେ, ଐତିହାସିକମାନେ ଭିନ୍ନ। ଅନ୍ୟମାନଙ୍କର ସାକ୍ଷାତ୍‌କାର, ଆଲୋଚନା, ପ୍ରତ୍ୟକ୍ଷଦର୍ଶୀ ବିବରଣୀ (ଉଭୟ ପ୍ରକାଶିତ ଓ ଅପ୍ରକାଶିତ) ଆଦିକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରି, ଐତିହାସିକ ଲେଖିଥାଏ। ଆଉ ଏ କ୍ଷେତ୍ରରେ ଗାନ୍ଧୀଙ୍କ ଉପରେ ଲେଖାଯାଇଥିବା ରଚନା ପାଠ କରିବା, ଏକ ସୁଖଦ ଅନୁଭବ। ସେ ନିଜର ଭାଷା ଓ କାର୍ଯ୍ୟରେ ପ୍ରଚାର-ପ୍ରିୟ ନ ଥିଲେ। କିଛି ଲୁଚାଉ ନ ଥିଲେ କି ଘୋଡ଼ାଉ ନ ଥିଲେ। ମାପି-ଚୁପି କହୁ ନ ଥିଲେ କି କୌଣସି ମାମଲାକୁ ମୋଡ଼ୁ ନ ଥିଲେ। ନିଜକୁ ମହିମାମୟ ଭାବେ ମଧ୍ୟ ଉପସ୍ଥାପନ କରୁ ନ ଥିଲେ। ଗାନ୍ଧୀଙ୍କୁ ପଢ଼ିବା ଏବ˚ ତାଙ୍କ ଉପରେ ଗବେଷଣା କରିବାର ଅର୍ଥ ଏ ଭଳି ଜଣେ ମହାମାନବଙ୍କ ସ˚ସ୍ପର୍ଶରେ ଆସିବା, ଯାହାଙ୍କୁ ତାଙ୍କ ଅନୁଗାମୀମାନେ ଶତ ପ୍ରତିଶତ ଶୁଦ୍ଧ ଓ ନିଖୁଣ, ଏପରିକି ଜଣେ ମହାତ୍ମା ଭାବେ ଗ୍ରହଣ କରିଥିଲେ, ଯେଉଁ ମହାତ୍ମା ଏହା ଭଲ ଭାବେ ଜାଣିଥିଲେ ଯେ, ସେ ମଧ୍ୟ ତ୍ରୁଟିହୀନ ନୁହନ୍ତି ଏବ˚ ତାଙ୍କ ଦ୍ବାରା ମଧ୍ୟ ଭୁଲ୍‌ ହୋଇପାରେ।

(ଲେଖକଙ୍କ ମତାମତ ନିଜସ୍ବ)

ସମ୍ବନ୍ଧିତ ଖବର