ବସନ୍ତ ଋତୁ ଆସିଛି। ବର୍ତ୍ତମାନ କରୋନା ଭୂତାଣୁର ମହା ପ୍ରକୋପ ଭିତରେ ଅନେକ ଭୁଲିଯାଉଛନ୍ତି ବସନ୍ତ ଋତୁ ସମୟରେ ହିଁ ଅନେକ ପ୍ରକାର ଭୂତାଣୁ ସଂକ୍ରମିତ ଥର୍ଡା ଜ୍ବର ଏବଂ ହାଡ଼ଫୁଟି ଆଦିର ପ୍ରାର୍ଦୁଭାବ ବଢ଼ିଥାଏ। ଦିନ ଥିଲା ଯେତେବେଳେ ବସନ୍ତ ରୋଗକୁ ଭୟରେ ‘ଠାକୁରାଣୀ’ ବୋଲି କୁହାଯାଇଥିଲା। ଚିକିତ୍ସା ନଥିବାରୁ ନିରୁପାୟ ହୋଇ ରୋଗୀ ଦେହରେ ଠାକୁରାଣୀ ବିଜେ ହୋଇଛନ୍ତି ବୋଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ନିଷ୍ଫଳ ଉପଚାର କରାଯାଇଥିଲା। ଗୋବଜୀ ଟୀକାର ଉଦ୍ଭାବନ ପରେ ବିଶ୍ବବ୍ୟାପୀ ଟୀକାଦାନ ଅଭିଯାନ ଦ୍ବାରା କ୍ରମେ ବସନ୍ତ ଭୂତାଣ୍ଡକୁ ପରାହତ କରାଯାଇ ପାରିଛି। ଚିକିତ୍ସା ଜଗତ୍ରେ ଭାରତ ଲାଗି ଏହା ଏକ ଉଜ୍ଜ୍ବଳ ସଫଳତାର କାହାଣୀ। ଆଜି ଯେତେବେଳେ ପ୍ରଶ୍ନ କରାଯାଉଛି ଯେ କରୋନା ପ୍ରତିହତ କରିବାରେ ଭାରତ କେତେ ସଫଳ ହେବ? ଅନେକ ବିଶ୍ବ ସ୍ତରୀୟ ଚିକିତ୍ସା ବିଜ୍ଞାନୀ ଭାରତର ବସନ୍ତ ବିରୋଧରେ ବିଜୟର ଦୃଷ୍ଟାନ୍ତ ଦେଇ କହୁଥିବା ଦେଖାଯାଉଛି ଯେ ଭାରତ କରୋନାର ମୁକାବିଲା କରିପାରିବ।
ତେବେ, ବିଡ଼ମ୍ବନାଟି ହେଉଛି ଭାରତ ଲାଗି ଏଭଳି ଆଶ୍ବାସନାମୂଳକ କେଥା ଶୁଣିବାକୁ ମିଳୁଥିବା ବେଳେ ଦେଖାଯାଉଛି ଯେ ବସନ୍ତର ଦୁଇଟି ଦୁର୍ବଳ ସମଗୋତ୍ରୀୟ ଭୂତାଣୁ ବାହିତ ରୋଗ ହାଡ଼ଫୁଟି ଓ ମିଳିମିଳାର ନିରାକରଣ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ତେବେ, ଏ ଦୁଇଟି ମଧ୍ୟରୁ ମିଳିମିଳା ଶିଶୁମାନଙ୍କୁ ମୁଖ୍ୟତଃ ଆକ୍ରାନ୍ତ କରିଥିବାରୁ ଆଜି ଏଠାରେ କେବଳ ମିଳିମିଳାର ଆଲୋଚନା କରିବା।
ମିଳିମିଳାର ମଧ୍ୟ ବିଶେଷ ଚିକିତ୍ସା ନଥିବାରୁ ଏହାକୁ ବି ଏକ ଦେବୀଙ୍କ ଆବିର୍ଭାବ ରୂପେ ବିଚାର କରାଯାଇଥିଲା। ଏବେ ବି ଏହାକୁ କେହି କେହି “ଶୀତଳା’’ ନାମରେ କହିଥାନ୍ତି। ବସନ୍ତ ଭଳି ଭୟାନକ କିମ୍ବା ହାଡ଼ଫୁଟି ଭଳି କଷ୍ଟଦାୟକ ହୋଇନଥିଲେ ହେଁ ମିଳିମିଳାର ଖୁବ୍ ଦ୍ରୁତ ସଂକ୍ରମଣ ଘଟିଥାଏ ଏବଂ କେତେକ କ୍ଷେତ୍ରରେ ଏଥିରୁ ନିମୋନିଆ, ବଧିରତା ଏବଂ ମସ୍ତିଷ୍କ ଜ୍ବର ସୃଷ୍ଟି ହୋଇଥାଏ। ଶିଶୁ ମୃତ୍ୟୁର ଏହା ଏକ ଅନ୍ୟତମ ମୁଖ୍ୟ କାରଣ। ତେଣୁ ସୁଖର କଥା ଛୋଟ ପିଲାଙ୍କୁ ମିଳିମିଳାରୁ ରକ୍ଷା କରିବା ପାଇଁ ଏବେ ଟୀକା ଉପଲବ୍ଧ ଏବଂ ବସନ୍ତ ଭଳି ମିଳିମିଳାକୁ ମଧ୍ୟ ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ବିଶ୍ବବ୍ୟାପୀ ଉଦ୍ୟମ ଚାଲିଛି।
କେବଳ ଦୁଇ ପାନ ଟୀକା ନେବା ଦ୍ବାରା ଏହି ରୋଗକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯାଇପାରେ। ଏହାଠାରୁ ସହଜ ଆଉ କ’ଣ ହୋଇପାରେ? ୧୯୮୫ରେ ଯେତେବେଳେ ‘ୟୁନିଭର୍ସାଲ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ’ (ସାର୍ବଜନୀନ ଟୀକାଦାନ କାର୍ଯ୍ୟକ୍ରମ) ଆରମ୍ଭ ହେଲା ଏଥିରେ ମିଳିମିଳା ଟୀକାଦାନ ଅନ୍ତର୍ଭୁକ୍ତ ହୋଇଥିଲା। କିନ୍ତୁ ଦୁଃଖର ବିଷୟ, ଏତେ ବର୍ଷ ପରେ ମଧ୍ୟ ଭାରତର ସବୁ ପିଲାଙ୍କୁ ଏହି ଟୀକାଦାନ କରାଯାଇ ପାରିନାହିଁ। ତଥ୍ୟ ଅନୁସାରେ ଦେଶର ମାତ୍ର ୫୪ ପ୍ରତିଶତ ପିଲାଙ୍କୁ ସମ୍ପୂର୍ଣ୍ଣ ଭାବେ ଟୀକାଦାନ କରାଯାଇପାରିଛି। ଭାରତରେ ସବୁ ଟୀକାକୁ ମିଶାଇଲେ ୧୭କୋଟି ପାନ ବା ‘ଡୋଜ୍’ ଟୀକାର ଅଭାବ ରହିଛି। କେବଳ ମିଳିମିଳା ଟୀକାର ଅଭାବ ହେଉଛି ୯୦ ଲକ୍ଷ ପାନ।
ଔଷଧ ଶିଳ୍ପରେ ଭାରତ କ୍ରମେ ଏକ ଅଗ୍ରଣୀ ଦେଶରେ ପରିଣତ ହେବାକୁ ଯାଉଥିବା ବେଳେ ଏଠାରେ ଟୀକାର ଅଭାବକୁ ଏକ ବିଡ଼ମ୍ବନା ବୋଲି କୁହାଯାଇପାରେ। ଦୁଇ-ପାନ ମିଳିମିଳା ଟୀକାଦାନ ନିଶ୍ଚିତ କରିବା ପାଇଁ ଏକ ନିଭୁର୍ଲ ନିୟନ୍ତ୍ରଣ ବ୍ୟବସ୍ଥା ବାହାର କରିବା ଜରୁରୀ। ତା’ସହିତ ଟୀକା ଗ୍ରହଣ ପାଇଁ ପିତାମାତାଙ୍କ ମଧ୍ୟରେ ଏକ ବ୍ୟାପକ ସଚେତନତା ସୃଷ୍ଟି ମଧ୍ୟ ଅନୁରୂପ ଜରୁରୀ। ଦୁର୍ଭାଗ୍ୟବଶତଃ ଗତ ବର୍ଷ ଘଟିଥିବା ଏକ ଘଟଣା ଏହି ସଚେତନତା ପ୍ରତି ଏକ ନକାରାତ୍ମକ ଧକ୍କା ପହଞ୍ଚାଇଛି। ଗତ ବର୍ଷ ଏପ୍ରିଲରେ ମିଳିମିଳା ଟୀକା ନେବା ପରେ ବିଷାକ୍ତ ପ୍ରତିକ୍ରିୟା ଘଟି ଚାରି ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ପରେ ସରକାର ଚାରି ନିୟୁତରୁ ଅଧିକ ପାନ ଟୀକା ପ୍ରତ୍ୟାହାର କରି ନେଇଥିଲେ।
ଅନେକ ସଚେତନ ପିତାମାତା ଏହାପରେ ପିଲାକୁ ମିଳିମିଳା ଟୀକା ଦେବା ନେଇ ଶଙ୍କାରେ ପଡ଼ିଯାଇଛନ୍ତି। ପୂର୍ବରୁ ମିଳିମିଳା ପ୍ରତି ଦିଆଯାଉଥିବା ଅପେକ୍ଷାକୃତ କମ୍ ଗୁରୁତ୍ବ ଏହା ଦ୍ବାରା ପୁଣି ମୁଣ୍ଡ ଟେକୁଛି। ନିରାକରଣ ସମ୍ଭବ ହୋଇ ପାରୁଥିବା ରୋଗ ସବୁ ପାଇଁ ଟୀକା ଦାନରେ ଯେ ଅତ୍ୟନ୍ତ ସାବଧାନତା ଅବଲୟନ କରାଯିବା ଉଚିତ, ତାହା କହିବା ବାହୁଲ୍ୟ ମାତ୍ର। ନଚେତ୍ ସାରା ଯୋଜନା ଭଣ୍ଡୁର ହୋଇଯିବ। ଅଭିଯୋଗ ହୋଇଥାଏ ଯେ, ଡାକ୍ତରଙ୍କ ବିନା ଉପସ୍ଥିତିରେ ପାରାମେଡ଼ିକ୍ ବା ଏଏନ୍ଏମ୍ ଶିଶୁମାନଙ୍କୁ ମିଳିମିଳା ଇଞ୍ଜେକ୍ସନ୍ ଦେଉଛନ୍ତି; ପ୍ରତିକ୍ରିୟା ଘଟିଲେ ତା’ର ଚିକିତ୍ସା କରିବା ଦକ୍ଷତା ଏମାନଙ୍କର ନଥାଏ। ତେଣୁ କେବଳ ସଂଖ୍ୟା ବା ପରିମାଣ ଦୃଷ୍ଟିରୁ ନୁହେଁ, ଗୁଣାତ୍ମକ ଦୃଷ୍ଟିରୁ ମଧ୍ୟ ଭାରତକୁ ମିଳିମିଳା ବିରୋଧରେ ସଂଗ୍ରାମକୁ ବହୁ ଅଧିକ ଶକ୍ତିଶାଳୀ କରିବାକୁ ହେବ। ଏବେ କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ‘‘ଠାକୁରାଣୀ’’(ବସନ୍ତ)ଙ୍କୁ ଦୂର କରି ପାରିଥିବା ଭାରତ ଯେ ନିଶ୍ଚିତ ‘କରୋନା’ ବିରୋଧରେ ତାର ସଂଗ୍ରାମରେ ବିଜୟୀ ହେବ, ଏ ବିଶ୍ବାସ ରହିଛି। କିନ୍ତୁ ଏଭଳି ବୃହଦାକାୟ ଉପଲବ୍ଧି ମଧ୍ୟରେ ଭୁଲିଯିବା ଉଚିତ ନୁହେଁ ଯେ ତଥାପି ଆମ ଭିତରେ ମିଳିମିଳା ରହିଛି; ଅଦୃଶ୍ୟ ହୋଇନାରିନାହିଁ।
ସହଯୋଗୀ ପ୍ରଫେସର, ଶିଶୁ ବିଭାଗ, ଶିଶୁଭବନ, କଟକ,
ଦୂରଭାଷ : ୯୪୩୭୧୨୪୦୭୪