କାଲି ଆମ ଛାତ ଉପରେ ପେଚାଟିଏ ରାତି ସାରା ବସି ରହିଥିଲା। କିଛି ଅଶୁଭ ଘଟଣା ଘଟିବ ଭାବି ମନସ୍ତାପ କଲା ବେଳକୁ ଖବରକାଗଜର ସମାଚାରଗୁଡ଼ିକ ଉପରେ ନଜର ପଡ଼ିଲା। କେହି ଜଣେ ସରକାରୀ କର୍ମଚାରୀ ରାତାରାତି କୋଟିପତି ହେଲାଣି ତ କିଏ ଜଣେ ରାଜନେତା ବର୍ଷ ଦୁଇଟାରେ ଅଶୀ କୋଟିର ମାଲିକ ହେଲାଣି। ପୁଣି କେଉଁ ଏକ ଧନବାନର ସମ୍ପତ୍ତି କୋଡ଼ିଏ ଗୁଣ ବଢ଼ିଗଲାଣି। ଏସବୁ ଈର୍ଷଣୀୟ ଖବର ସାଙ୍ଗକୁ ତେଣେ ଘର ଉପରେ ପେଚାର ଉପସ୍ଥିତି। ସବୁକୁ ମିଶାଇ ଗୋଳାଇ ଗଭୀର ଚିନ୍ତନ ପରେ ଆମେ ଯେଉଁ ଦିବ୍ୟ ଜ୍ଞାନର ଅଧିକାରୀ ହେଲୁ, ତାହା ସଂକ୍ଷେପରେ ହେଉଛି ‘ପେଚକ ତତ୍ତ୍ବ’। ପେଚା ସହିତ ଏସବୁ ଘଟଣାର ଗୂଢ଼ ସମ୍ପର୍କ ରହିଛି।

Advertisment

ପେଚା ଦିନରେ ଅଦୃଶ୍ୟ ଥାଏ। ରାତି ହୋଇଗଲେ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପିଠିରେ ବସାଇ ବାହାରି ପଡ଼େ। ଲକ୍ଷ୍ମୀ ମଧ୍ୟ ଅନ୍ଧାରରେ ବୁଲି ବୁଲି ଧନଦାନ କରିବାକୁ ଭଲପାଆନ୍ତି। ବାହନ ଓ ଚାଳକ ଉଭୟ ଭୂମିକାରେ ଥିବାରୁ ପେଚା ପାଖରେ ଲକ୍ଷ୍ମୀଙ୍କ ଧନସମ୍ପତ୍ତି, ତାଙ୍କ ମିଞ୍ଜାସ, ସବୁର ହିସାବ ଟିକିନିଖି ରହିଥାଏ। ତେଣୁ ଲକ୍ଷ୍ମୀଙ୍କର ଧନ ବିତରଣ କାର୍ଯ୍ୟରେ ପେଚାର ସକ୍ରିୟ ଭୂମିକା ନିଶ୍ଚୟ ଥାଏ। ସୁଯୋଗ ଦେଖି ରାତ୍ରିର ଅନ୍ଧାର ଭିତରେ ସେ ନିଜ ପସନ୍ଦର ବଛା ବଛା ମନୁଷ୍ୟଙ୍କ ନିକଟରେ ଲକ୍ଷ୍ମୀଙ୍କୁ ଉପଲବ୍‌ଧ କରାଇଦିଏ। ପେଚାର କରୁଣାରୁ ସେଇ ଲୋକମାନଙ୍କର ଅନ୍ଧାରି ସମ୍ପତ୍ତିର ବୃଦ୍ଧି ଘଟେ। ଧଳା ଧନ ଦିନରେ କମାଇଲେ ତ ସମୁଦ୍ରକୁ ଶଙ୍ଖେ। ପେଚାର ମଧ୍ୟସ୍ଥିରେ ରାତ୍ରିର କଳାଧନ ହିଁ ଜଣକୁ ଧନ, ପ୍ରତିଷ୍ଠା ଓ ପ୍ରତିପତ୍ତି ଆଣିଦିଏ। ବୃଷଭଙ୍କୁ ପୂଜା କଲେ ଶିବ ମିଳିବା ପରି ଏଇ ଲୋକମାନେ ଆମ ଅଲକ୍ଷ୍ୟରେ ପେଚାକୁ ଗୁରୁ ବନାଇ ନଥିବେ ବୋଲି କିଏ କହିବ!

ପେଚା ରାତିରେ ଦେଖିପାରେ। ଏଇ ଲୋକମାନେ ରାତିରେ ହିଁ ଧନର ଉତ୍ସକୁ ଦେଖିପାରନ୍ତି। ସବୁ ପକ୍ଷୀ ରାତିରେ ଶୋଇଥିବାବେଳେ ପେଚା ଉଡୁଥାଏ। ଆମେ ସମସ୍ତେ ରାତିରେ ନିଦ୍ରା ଗଲା ବେଳେ ଉପରୋକ୍ତ ଶ୍ରେଣୀର ଲୋକସବୁ ଚେଇଁଥାନ୍ତି, ବ୍ୟାପାର ଚାଲିଥାଏ। ପେଚା କୁଆଡ଼େ ଅଦୃଶ୍ୟକୁ ଦେଖିପାରେ, ଅଶ୍ରାବ୍ୟକୁ ଶୁଣିପାରେ। ସେଥିପାଇଁ ଆଖି ତାର ଗୋଲ ଓ କାନ ବକ୍ର ରେଖାରେ ଥାଏ। ଏଇ ଲୋକମାନଙ୍କୁ ସେମିତି ଧନର ସନ୍ଧାନ ପାଇଁ ଆଖି ଓ କାନକୁ ସଦା ସଜାଗ ରଖିବାକୁ ପଡ଼େ। ପେଚା ତା’ ମୁଣ୍ଡକୁ ଆଗରୁ ପଛକୁ ବୁଲେଇ ଦେଖିପାରେ, ଆମର ଏଇ ମନୁଷ୍ୟମାନେ ମଧ୍ୟ ସର୍ବଦା ଆଗ ପଛର ନଜର ରଖିଥାନ୍ତି, କାରଣ ରାତ୍ରିର କାରବାରରେ ସତର୍କତା ନିହାତି ଜରୁରୀ। ପେଚାର ଶତ୍ରୁ ସଂଖ୍ୟା ନଗଣ୍ୟ। କାରଣ ସିଏ ହିଁ ଏକୁଟିଆ ରାତ୍ରିଚର। ରାତି ବ୍ୟବସାୟରେ ମଧ୍ୟ ଶତ୍ରୁ ସଂଖ୍ୟା ଦିନ ବ୍ୟବସାୟ ଅପେକ୍ଷା ବହୁତ କମ୍। ଦିନ ବେଳେ ଏକ ନମ୍ବର ଧଳା ବ୍ୟବସାୟଟିଏ କଲେ ସଙ୍ଗେ ସଙ୍ଗେ ପ୍ରତିଯୋଗୀ ବାହାରି ପଡ଼ିବେ। ରାତିରେ ଯାହାର ଧନ୍ଦା ଯାହା, ସିଏ ପେଚା ପରି ଚୁପଚାପ କରୁଥିବ। ପେଚା ହେଲିକପ୍ଟର ପରି ସିଧା ଉପରକୁ ଉଠି ଉଡ଼ିଯାଏ। ଅନ୍ୟ ପକ୍ଷୀମାନେ ସମାନ୍ତରାଳ ଭାବରେ ଉଡ଼ି ଉପରକୁ ଉଠନ୍ତି। ଏଇଟା ମଧ୍ୟ ପେଚାଠାରୁ ଆମ ଲୋକେ ଶିଖିଛନ୍ତି। ନହେଲେ ଟେର ପାଇବା ଆଗରୁ ଫୁରକିନା ଉପରକୁ ଉଠି ବିଦେଶରେ ପହଞ୍ଚି ଯାଉ ନ ଥାନ୍ତେ। ପେଚା ଏକ ନିରବ ଘାତକ। ଶତ୍ରୁ ତା’ ଆକ୍ରମଣର ଟେର ପାଏନାହିଁ। ଆମର ଏ ଲୋକଗୁଡ଼ିକ ମଧ୍ୟ ଶତ୍ରୁର ଚେର ଚୁପଚାପ କାଟିଦିଅନ୍ତି। ଆଉ ଗୋଟେ କଥା ଦେଖନ୍ତୁ। ଗୋଷ୍ଠୀଭୂତ ନହୋଇ ପେଚା ତାର ପରିବାରକୁ ନେଇ ଏକା ରହେ। ପୂରାପୂରି ଆତ୍ମକୈନ୍ଦ୍ରିକ। ଆମର ଏଇ ଲୋକମାନେ ମଧ୍ୟ ସେଇଆ କରନ୍ତିନି କି? ନିଜ ପରିବାରର ପେଟଟିମାନ ଫୁଲି ଚାଲିଥାଏ, ପଡ଼ିଶା ଘର ଲୋକଙ୍କ ପେଟ ପିଠିକୁ ଲାଗିଲେ ଏହାଙ୍କର କିଛି ଯାଏଆସେ ନାହିଁ। କଳାଧନ୍ଦା ପାଇଁ ଦୂରଦୃଷ୍ଟି ଓ ନିରବତା ଏକାନ୍ତ ଜରୁରୀ ଓ ତାହା ମଧ୍ୟ ଏମାନେ ପେଚାଠାରୁ ଶିଖିଛନ୍ତି।

ପେଚାକୁ ଲୋକେ ଭୟ କରନ୍ତି। ମୃତ୍ୟୁର ଦୂତ, ଅଶୁଭ ଘଟଣାର ବାର୍ତ୍ତାବହ କୁହନ୍ତି। ଏ ଲୋକଗୁଡ଼ିକୁ ମଧ୍ୟ ଆମେ ଭୟ କରୁ। ଲାଗୁଛି ଏଇ ଗୋଷ୍ଠୀର କିଛି ଚତୁର ବ୍ୟକ୍ତି ଆମ ମନରେ ପେଚା ପ୍ରତି ଜାଣିଶୁଣି ଏପରି ଅହେତୁକ ଭୟ ସୃଷ୍ଟି କରାଇଛନ୍ତି। ସିନେମାରେ ଦେଖିନାହାନ୍ତି, ଗୋଟିଏ ପରିତ୍ୟକ୍ତ ଘରେ ଭୂତ ଥିବାର ଭୟ ସାଧାରଣରେ ସୃଷ୍ଟି କରାଇ ଭିତରେ ଅପରାଧର ସାମ୍ରାଜ୍ୟ ଚାଲିଥିବ। ପେଚା ଆପଣଙ୍କ ପାଖକୁ ଲକ୍ଷ୍ମୀଙ୍କୁ ଧରି ନଆସୁ, ଆପଣଙ୍କ ଉପରେ ଐଶ୍ବର୍ଯ୍ୟର ଛିଟା ଟିକିଏ ବି ନପଡୁ, ପେଚା ମାଧ୍ୟମରେ ଲକ୍ଷ୍ମୀଙ୍କ କୃପାର ସେଇମାନେ ଏକା ହିଁ ହକଦାର ରୁହନ୍ତୁ। କୁହନ୍ତୁ ତ, ଆମେ ହୁଳହୁଳି ପକେଇଲେ ସେଇଟା ଶୁଭଙ୍କର, ପେଚା ଯଦି କେବେ କେମିତି ହୁଳହୁଳି ଟିକିଏ ପକେଇ ଦେଲା, ଅଶୁଭ କାହିଁକି ହେବ? ପେଚାକୁ ଆମେ ଘୃଣା କରୁ, ଏମାନଙ୍କୁ କେଉଁ ଶ୍ରଦ୍ଧା କରୁ କି? କଳାବଜାରୀ, ପୁଞ୍ଜିବାଦର ଦଲାଲ କହି ଗାଳିଦେଉ।

ଆମେ ପେଚାକୁ ବୋକା ଭାବୁ ବା ଆମକୁ ସେଇଆ ଭାବିବାକୁ ବାଧ୍ୟ କରାଯାଇଛି। ଆମେ ହିଁ ସବୁ ଓଲୁ। ବିଦେଶରେ ଦେଖିଲେ, ପେଚାକୁ ସେଠି କେତେ ସମ୍ମାନ ମିଳୁଛି। ସିଏ ସେଠାରେ ଶୁଭଙ୍କର, ଜ୍ଞାନର ଭଣ୍ଡାର ଓ ସମ୍ମାନର ଅଧିକାରୀ। ଆମ ଏଠି ତାର ଗୁଣ କେବଳ ଲକ୍ଷ୍ମୀ ହିଁ ଜାଣନ୍ତି। ବିଦେଶ ଗ୍ରୀସ୍‌ରେ ଜ୍ଞାନ ଓ ଐଶ୍ବର୍ଯ୍ୟର ଦେବୀ ଏଥେନା ଓ ରୋମରେ ଜ୍ଞାନର ଦେବୀ ମିନର୍ଭାଙ୍କ କାନ୍ଧରେ ସର୍ବଦା ପେଚା ବସିରହିଥାଏ। ଦାର୍ଶନିକ ହେଗେଲ୍ ତାଙ୍କ ପୁସ୍ତକ ‘ଫିଲୋସଫି ଅଫ୍ ରାଇଟ୍’ର ମୁଖବନ୍ଧ ଶେଷରେ ଲେଖିଛନ୍ତି: ଦ ୱଲ ଅଫ୍ ମିନର୍ଭା ସ୍ପ୍ରେଡସ୍ ଇଟ୍‌ସ୍ ୱିଙ୍ଗ୍‌ସ ଓନ୍ଲି ୱିଥ୍‌ ଦ କମିଙ୍ଗ ଅଫ୍ ଦ ଡସ୍କ”। କେତେବଡ଼ ତତ୍ତ୍ବର କଥାଟି କହିଲେ? ବୟସର ଅପରାହ୍‌ଣରେ ହିଁ ଜ୍ଞାନର ପରିପକ୍ବତା ଆସେ। ମିନର୍ଭାଙ୍କ ପେଚା ଏଠାରେ ଜ୍ଞାନର ପ୍ରତୀକ।

ଆମର କଥାଟିଏ ଅଛି, ସଅଳ ଶୋଇ ସଅଳ ଉଠିଲେ ଜଣେ ସ୍ବାସ୍ଥ୍ୟବାନ, ଧନବାନ ଓ ବୁଦ୍ଧିମାନ ହୋଇପାରିବ। କିନ୍ତୁ କଥାଟା ଏବେ ଭୁଲ ପ୍ରମାଣିତ ହେଲାଣି ଏ ପେଚା ଯୋଗୁଁ। ରାତିରେ ଚେଇଁ ଦିନରେ ଶୋଇ ସେ ତ ବିଜ୍ଞ, ନାରଦଙ୍କର ସଙ୍ଗୀତ ଶିକ୍ଷକ ଓ ଧନଦେବୀଙ୍କ ପ୍ରିୟପାତ୍ର ହୋଇ ପାରିଛି। ‘ପର୍ସନାଲିଟି ଏଣ୍ଡ ଇଣ୍ଡିଭିଜୁଆଲ ଡିଫରେନସ୍’ ପତ୍ରିକାରେ ସିଡନି ୟୁନିଭର୍‌ସିଟିର ଗବେଷକ ରିଚାର୍ଡ ଡି. ରବର୍ଟସଙ୍କର ଏକ ଗବେଷଣାଲବ୍‌ଧ ନିବନ୍ଧରେ ସେ ସିଦ୍ଧ କରିଛନ୍ତି ଯେ, ରାତିରେ ଚେଇଁ ଦିନରେ ଶୋଉଥିବା ବ୍ୟକ୍ତି ଅଧିକ ସ୍ବାସ୍ଥ୍ୟବାନ, ଧନବାନ ଓ ବୁଦ୍ଧିମାନ ହୋଇଥାଏ।

ଏ ସବୁ ପେଚା ତତ୍ତ୍ବରୁ ଆମର ଏଇଆ ଜ୍ଞାନୋପଲବ୍‌ଧ ହେଲା ଯେ, ଆମର ଏଠାରେ ଲକ୍ଷ୍ମୀଙ୍କୁ ପାଇବାକୁ ହେଲେ ପେଚା ପରି ତତ୍ପର ଓ ରଣନୀତିକାର ହେବାକୁ ପଡ଼ିବ। ସର୍ବଦା ଅନ୍ଧାରି କାର୍ଯ୍ୟ ଜଣକୁ ଧନବାନ, ସ୍ବାସ୍ଥ୍ୟବାନ ଓ ବୁଦ୍ଧିମାନ ଇତ୍ୟାଦି କରାଇ ସମାଜର ଉଚ୍ଚ ବର୍ଗରେ ପହଞ୍ଚାଇ ପାରିବ। ଚାହୁଁଛନ୍ତି ଯଦି ଏହି ନୂତନ ପେଚକ ତତ୍ତ୍ବ ଥରଟିଏ ପ୍ରୟୋଗ କରି ଦେଖନ୍ତୁ। ଯଦି ଆମ କଥା ମିଛ ହୁଏ, ଆମ ନାମରେ ଏକ ପେଚା ପାଳିବେ।

ମୋ: ୯୩୩୭୬୪୮୬୩୮