ଆର୍ଦ୍ରଭୂମିର ଭୂମିକା

ପରିବେଶ ଚିନ୍ତନ - ପ୍ରଦୀପ ନାୟକ

ପୃଥିବୀ ପୃଷ୍ଠରେ ମାନବ ସୃଷ୍ଟିର ତତ୍ତ୍ବକୁ ବୈଜ୍ଞାନିକମାନେ ଭିନ୍ନଭିନ୍ନ ଭାବେ ପ୍ରକାଶ କରିଛନ୍ତି, ସେଥିମଧ୍ୟରୁ ବିବର୍ତ୍ତନବାଦ ଅନ୍ୟତମ। ଆହୁରି ମଧ୍ୟ ଜୀବର ସୃଷ୍ଟି ଏକ ଶୈବାଳରୁ; ଏକଥା ମଧ୍ୟ ସ୍ବୀକାର କରାଯାଇଛି। ସେହିପରି ପୃଥିବୀ ପୃଷ୍ଠରେ ଜୀବଜଗତ୍‌ ବିକାଶର ମଧ୍ୟ ଲମ୍ବା ତଥା ଭିନ୍ନଭିନ୍ନ ତଥ୍ୟ ରହିଛି। ତେବେ ଏହି ଶୈବାଳର ଜନ୍ମ ନିଶ୍ଚୟ କେଉଁ ଶୁଷ୍କ, ନିରସ ଭୂମିରୁ ଯେ ହୋଇ ନ ଥିବ, ଏ କଥା ଯେ କେହି ଅନୁମାନ କରିପାରିବ। ମଣିଷର ବା ଜୀବଜଗତ୍‌ର ଅନ୍ତୁଡ଼ିଶାଳ ଏକ ଏପରି‌ ଭୂମିରୁ ହୋଇଛି ଯାହା ଅଗଭୀର ଜଳଭାଗ ବା ସନ୍ତସନ୍ତିଆ, ଆର୍ଦ୍ର ଭୂ-ଭାଗ ଅଟେ। ତେବେ ଆର୍ଦ୍ରଭୂମିଟି କ’ଣ ଓ କାହାକୁ କୁହାଯାଏ?

ଆର୍ଦ୍ରଭୂମି କହିଲେ ଆମେ ଓଦା ଭୂମିକୁ ବୁଝିଥାଉ। ଜଳ ଧାରଣ କ୍ଷମତା ବିଶିଷ୍ଟ ଅଳ୍ପ ଗଭୀର ଯେଉଁ ନିମ୍ନ ଭୂମିକୁ ଆମେ ବୁଝିଥାଉ, ତାହା ଜୀବ ପରିସଂସ୍ଥାନରେ ଏକ ପ୍ରମୁଖ ଭୂମିକା‌ ଗ୍ରହଣ କରିଥାଏ। ତେବେ, ପାଣିର ଭଟ୍ଟା ସମୟରେ ଯେଉଁ ଅଞ୍ଚଳରେ ଛ’ ମିଟରରୁ କମ୍ ଗଭୀରତାର ଜଳ ସଞ୍ଚିତ ରହେ ତାହାକୁ ଆର୍ଦ୍ରଭୂମି କୁହାଯାଏ। ଯାହାକୁ ନା ସମ୍ପୂର୍ଣ୍ଣ ମାଟି ନା ସମ୍ପୂର୍ଣ୍ଣ ଜଳଭାଗ ବୋଲି କହିହେବ। ଭାରତ ଭୂଖଣ୍ଡରେ ଏହି ଆର୍ଦ୍ରଭୂମିର ସଂଖ୍ୟା ମାତ୍ର ୪୨; ଏ ସବୁ ସମୁଦ୍ର, ନଦୀ ଉପତ୍ୟକାଠୁ ଅଳ୍ପ ଦୂର ଓ ଆବଦ୍ଧ ଜଳାଶ୍ରୟ ଅଞ୍ଚଳ: ଉପସାଗରୀୟ ଅଞ୍ଚଳ, ଖୋଦିତ ନାଳ ଏପରି କି ବୃହତ ଜଳାଶୟକୁ ମଧ୍ୟ ଏହା ବୋଲି କୁହାଯାଇପାରିବ। ଏତିକି କହିଲେ ଆହୁରି ସ୍ପଷ୍ଟ ହେବ ଯେ ଏହା ଏପରି ଏକ ଭୂମି ଯିଏ ଉଭୟ ଜଳ ଓ ସ୍ଥଳକୁ ଆବୋରି ରହିଥାଏ। ଭାରତର ପରିସୀମା ଓ ଜନସଂଖ୍ୟା, ପ୍ରାଣୀ, ଉଦ୍ଭିଦ ସୁସ୍ଥ ପରିସଂସ୍ଥାନ ଦୃଷ୍ଟିରୁ ଏହି ଆର୍ଦ୍ରଭୂମି ଅଞ୍ଚଳ ବହୁତ କମ୍; ଯାହା କି ୪.୭% ଅଟେ। ଏହା ପଛରେ ଜନସଂଖ୍ୟା ବୃଦ୍ଧି, କଳକାରଖାନା ସ୍ଥାପନ ପରି ଅନେକ କାରଣ ରହିଛି ଏବଂ ଏହାର ସଂରକ୍ଷଣ ଓ ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ କାମ ମଧ୍ୟ କରୁଛି।

ପ୍ରଥମ କରି କିଛି ପରିବେଶ ଚିନ୍ତକ ୧୯୭୧ ମସିହାରେ ଇରାନର କାସ୍ପିଆନ ସମୁଦ୍ର କୂଳରେ ଏକାଠି ହୋଇ ଆନ୍ତର୍ଜାତିକ ଚୁକ୍ତିନାମାରେ ସ୍ବାକ୍ଷର କରି କ୍ରମ ବିଲୁପ୍ତ ଆର୍ଦ୍ରଭୂମିର ଉପାଦେୟତା ଓ ମହତ୍ତ୍ବ ବିଷୟରେ ସମସ୍ତଙ୍କୁ ଅବଗତ କରିବା ପାଇଁ ସମ୍ମତି ରଖିଥିଲେ। ଏଥି ସହିତ ଏହାର ସଂରକ୍ଷଣ, ଉପଯୋଗିତା ଓ ଆବଶ୍ୟକତା ବିଷୟରେ ବିଶ୍ବ ସ୍ତରୀୟ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ। ପରେ ପରେ ଆର୍ଦ୍ରଭୂମି ଭୂମିକାର ବ୍ୟାପକତା ବିଷୟରେ ପରିବେଶବିତ୍‌ଙ୍କ ଆଖି ଖୋଲି ଯାଇଥିଲା। ୧୯୯୭ରୁ‌ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରରେ ଫେବ୍ରୁଆରି ୨କୁ ବିଶ୍ବ
ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଇ ଆସୁଛି। ସମଗ୍ର ବିଶ୍ବ ଭୂ-ଭାଗର ୧୮% ଆର୍ଦ୍ରଭୂମି ରହିଥିବା କଥା ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ତାହାର ବାସ୍ତବିକତା ବିଷୟରେ ଠିକ୍ କୁହାଯାଇ ପାରିବ ନାହିଁ। ସମୁଦାୟ ପ୍ରାଣୀ ଜଗତ୍‌ ପାଇଁ ଏହି ଆର୍ଦ୍ରଭୂମି ବିଶେଷ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ମଣିଷ ସମାଜର ଅପରିଣାମଦର୍ଶିତା ଯୋଗୁଁ ଜୀବ ପ୍ରଜନନ ଓ ପରିସଂସ୍ଥାନର ଅନୁକୂଳ ଏହି ଆର୍ଦ୍ର ଭୂମି ଅଞ୍ଚଳ ଏବେ ସଙ୍କୁଚିତ ହେବାରେ ଲାଗିଛି।

ଏବେ ସମୟ ଆସିଛି ଆର୍ଦ୍ରଭୂମିର ଉପାଦେୟତା ସମ୍ପର୍କରେ ବୁଝିବା। ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ, ଜଳ ବିଶୋଧନ, ହେନ୍ତାଳ ଜଙ୍ଗଲ ସୃଷ୍ଟି, ମତ୍ସ୍ୟ ସମ୍ପଦର ସଂରକ୍ଷଣ ସର୍ବୋପରି ସୁସ୍ଥ ଜୀବନ ଧାରଣର ସମସ୍ତ ତତ୍ତ୍ବ ଏହି ଆର୍ଦ୍ର ଭୂମି ସଂରକ୍ଷଣରେ ଯେ ନିହିତ, ତାକୁ ହୃଦୟଙ୍ଗମ କରାଯିବା ଉଚିତ।

ଓଡ଼ିଶାର ଯେଉଁ ଦୁଇଟି ପ୍ରମୁଖ ଓ ବିସ୍ତୃତ ଅଞ୍ଚଳରେ ଏହି ଆର୍ଦ୍ର ଭୂମି ତିଷ୍ଠି ରହିଛି, ସେ ଗୁଡିକ ହେଲା ଚିଲିକା ଓ ଭିତରକନିକା। ଏହା ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକ ଗୈାଣ। ଏହି ଅଞ୍ଚଳରେ ବିସ୍ତୀର୍ଣ୍ଣ ‌ଆର୍ଦ୍ର ଭୂମି ରହିଥିବାରୁ ତାହା ଯେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିଛି, ତାହା ନୁହଁ ବରଂ ପାରିବେଶିକ ସନ୍ତୁଳନକୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଚିଲିକାର ନଳବଣକୁ ୨୦୦୨ ମସିହାରେ ଓଡ଼ିଶାର ପ୍ରଥମ ‘ରାମସର୍ ସାଇଟ୍’ ମାନ୍ୟତା ମିଳିଛି। ବନ୍ୟା ବିଭୀଷିକା ଅଟକାଇବା, ଉଦ୍‌ବୃତ୍ତ ବର୍ଷାଜଳକୁ ଧାରଣ କରିବା ସହ ଏହା ବିଭିନ୍ନ ପ୍ରଜାତିର ଜଳଜ ଉଦ୍ଭିଦ, ହେନ୍ତାଳ, ତୃଣ, ପ୍ରବାଳ, ଫୁଲ, ମତ୍ସ୍ୟ, ପକ୍ଷୀ, ବେଙ୍ଗ, କଇଁଛ, କୀଟପତଙ୍ଗର ଅନ୍ତୁଡ଼ିଶାଳ ହୋଇ ରହିଛି। ଏହାର ସ୍ଥିର ଓ ଅଗଭୀର ଜଳ କାରଣରୁ ଅନେକ ମାଛ, ପକ୍ଷୀ, କୀଟ, ସରୀସୃପଙ୍କର ଅଣ୍ଡା ଦେବା ଓ ଛୁଆମାନଙ୍କୁ ପାଳନ କରିବାର ଉପଯୁକ୍ତ ପରିବେଶ‌ ମିଳି ପାରୁଛି। ଆହୁରି ‌ମଧ୍ୟ ବିଦେଶାଗତ ପକ୍ଷୀମାନେ ଏହି ଭୂମିର ଆକର୍ଷଣରେ ଚାଲି ଆସିଥାନ୍ତି। ଏହା ବାଦ୍ ଅନେକ ପ୍ରଜାତି ଔଷଧୀୟ ବୃକ୍ଷ, ତୃଣ ମଧ୍ୟ ବଞ୍ଚି ରହିପାରୁଛି।

୨୦୨୦ ମସିହାରେ ଆମ ଦେଶରେ ଏହି ଆର୍ଦ୍ରଭୂମି ସଂଖ୍ୟାରେ ନୂଆ ୧୦ଟି ସ୍ଥାନକୁ ନିଆଯାଇଛି , ଯାହା ଫଳରେ ଏହି ସଂଖ୍ୟା ୫୨ରେ ପହଞ୍ଚିଛି। ଏବେ ସମୁଦାୟ ଭାରତ ଭୂମିର ୪.୭ ଭାଗରେ ଆର୍ଦ୍ରଭୂମି ରହିଛି। ସୁନ୍ଦରବନ ଏ କ୍ଷେତ୍ରରେ ବିଶ୍ବର ସବୁଠାରୁ ବଡ଼ ଆର୍ଦ୍ରଭୂମିର ମାନ୍ୟତା ଲାଭ କରିଅଛି।

ଏହା ଜୀବଜନ୍ତୁ, ପଶୁପକ୍ଷୀ, ସରୀସୃପ ଏବଂ ମଣିଷର ଖାଦ୍ୟ ଶୃଙ୍ଖଳା ନିର୍ମାଣ କରୁଥିବାରୁ ଆର୍ଦ୍ରଭୂମିକୁ ଇଂରେଜୀରେ ‘Food Webs’ ଏବଂ ଏହା ଜଳ ବିଶୋଧନ କରୁଥିବାରୁ ଓ ଜଳ ଚକ୍ରରେ ସହାୟତା‌ କରୁଥିବାରୁ ଏହାକୁ ‘ଭୂମିର ବୃକ୍କ’ ବୋଲି ମଧ୍ୟ କୁହାଯାଇଥାଏ।
(ବିଶ୍ବ ଆର୍ଦ୍ରଭୂମି ଦିବସ ଅବସରରେ)

ମୋ: ୮୯୧୭୩୭୦୨୨୭

ସମ୍ବନ୍ଧିତ ଖବର